spot_img
Home Blog Page 226

ବିହାର ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ : ECIଙ୍କ ସତ୍ୟପାଠ ପରେ ବଢ଼ିଲା ଦ୍ଵନ୍ଦ୍ଵ

ନନ୍ଦିଘୋଷ ବ୍ୟୁରୋ : ବିହାରରେ ସ୍ଵତନ୍ତ୍ର ଭୋଟ ସଂଶୋଧନ ପ୍ରକ୍ରିୟା ନେଇ ଦୁଇ ସାମ୍ବିଧାନିକ ସଂସ୍ଥା ମୁହାଁମୁହିଁ। SIR ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଭାରତୀୟ ନିର୍ବାଚନ କମିଶନ କହିଛନ୍ତି,  ଦେଶରେ କେଉଁ ରାଜ୍ୟରେ କେତେବେଳେ SIR ହେବ ଏହା ନିର୍ବାଚନ କମିଶନଙ୍କ ସ୍ଵତନ୍ତ୍ର ଅଧିକାର। ଅଦାଲତ ଏହାକୁ ନେଇ ଯଦି ନିର୍ଦ୍ଦେଶ ଦେବେ ତେବେ ନିର୍ବାଚନ କମିଶନଙ୍କ ଅଧିକାର କ୍ଷୁଣ୍ଣ ହେବ। ପୂରା ଦେଶରେ ସ୍ଵତନ୍ତ୍ର ଇଣ୍ଟେସିଭ ରିଭିଜନ କରିବା ନିର୍ବାଚନ କମିସନଙ୍କ ବିଶେଷାଧିକାର ବୋଲି କହିଛନ୍ତି ନିର୍ବାଚନ କମିଶନ। ସମ୍ବିଧାନ ଧାରା ୩୨୪ ଅନୁସାରେ ଭୋଟର ତାଲିକା ପ୍ରସ୍ତୁତ କରିବା ସହ ସମୟାନୁସାରେ ଏଥିରେ ପରିବର୍ତ୍ତନ କରିବା ନିର୍ବାଚନ କମିଶନର ଅଧିକାର। ଏହି କାମ ନା ଅନ୍ୟ କୌଣସି ସଂସ୍ଥା କିମ୍ବା ଅଦାଲତକୁ ଦିଆଯାଇପାରିବ ନାହିଁ। ନିର୍ବାଚନ ଆୟୋଗ କହିଛନ୍ତି ଯେ, ଆମେ ଆମର ଦାୟିତ୍ଵ ବୁଝିପାରୁଛୁ ଏବଂ ଭୋଟର ତାଲିକାରେ ସ୍ଵଚ୍ଛତା ରଖିବାକୁ ଲଗାତାର କାମ କରି ଆସୁଛୁ। ଆଇନଜୀବୀ ଅଶ୍ଵିନୀ କୁମାର ଉପାଧ୍ୟାୟଙ୍କ ଆବେଦନକୁ ନେଇ ଏହି ସତ୍ୟପାଠ ଦାଖଲ କରିଛି ନିର୍ବାଚନ କମିଶନ। ବିହାରରେ SIRକୁ ନେଇ ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ   ସତ୍ୟପାଠ ଦେଶର ସର୍ବୋଚ୍ଚ ଅଦାଲତଙ୍କୁ ଅମମାନନା କରିବା ଭଳି ଭାରତ ଇତିହାସରେ ଭିନ୍ନ ଚିତ୍ର ଦର୍ଶାଉଛି।ଯଦି ନିର୍ବାଚନ କମିଶନ ନିଜ ମନମୁତାବକ କାର୍ଯ୍ୟ କରିବେ ତେବେ ସାଧାରଣ ଲୋକମାନେ ନ୍ୟାୟ ପାଇବେ କିପରି। ସ୍ଵତନ୍ତ୍ର ଭୋଟ ରିଭିଜନକୁ ନେଇ ଏହି ସତ୍ୟପାଠ ପରେ ଦ୍ଵନ୍ଦ୍ଵ ଆହୁରି ଘନୀଭୂତ ହୋଇଛି। ନିର୍ବାଚନ କମିଶନ ଯାହା ଚାହିଁବେ ତାହା କରିପାରିବେ। ଏଭଲି ହେଲେ  ନିର୍ବାଚନ କମିଶନଙ୍କ ବିଶ୍ଵସନୀୟତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ ।

 

ଆଜି ଏସିଆ କପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ

 

ନନ୍ଦିଘୋଷ ବ୍ୟୁରୋ : ଆଜି ଏସିଆ କପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଭାରତ-ପାକିସ୍ତାନ ଲଢ଼େଇକୁ କ୍ରିକେଟ୍‌ପ୍ରେମୀ ଉତ୍ସାହର ସହ ପ୍ରତୀକ୍ଷା କରିଥା’ନ୍ତି। କେବଳ ଏହି ଦୁଇ ଦେଶ ନୁହେଁ, ଯେବେବି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହୁଅନ୍ତି, ସାରା ବିଶ୍ବର ନଜର ଏହି ମହାମୁକାବିଲା ଉପରେ ରହିଥାଏ। ବିଶ୍ବର ଯେଉଁସ୍ଥାନରେ ଖେଳା ଯାଉଥିଲେ ମଧ୍ୟ ଏହାକୁ ନେଇ ଗଳି କନ୍ଦିରୁ ସହର ବଜାର ପର୍ଯ୍ୟନ୍ତ, ସବୁଠି ଉତ୍କଣ୍ଠା ଦେଖିବାକୁ ମିଳିଥାଏ। ଏଥର କିନ୍ତୁ ନାହିଁ ଆଗଭଳି ସେହି ଉତ୍ସାହ। ଏସିଆ କପ୍‌ର ବହୁ ପ୍ରତୀକ୍ଷିତ ମହାଲଢ଼େଇରେ ରବିବାର ଭାରତ-ପାକିସ୍ତାନ ପରସ୍ପରକୁ ଭେଟାଭେଟି ହେବାକୁ ଯାଉଥିଲା ବେଳେ ପୂର୍ବର ସେହି ଚର୍ଚ୍ଚା ଓ ଉତ୍କଣ୍ଠା ଯେମତି ଏକବାର କମିଯାଇଛି। ଟିକେଟ୍ ବିକ୍ରିରେ ଅପ୍ରତ୍ୟାଶିତ ମାନ୍ଦାବସ୍ଥା, ଆଇପିଏଲ୍ ଫ୍ରାଞ୍ଚାଇଜ୍‌ଗୁଡ଼ିକର ଏହି ହାଇଭୋଲ୍‌ଟେଜ୍ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ତା’ପରେ ପରେ ଅପରେସନ୍ ସିନ୍ଦୁରକୁ ନେଇ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି ହେବା ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ଏହି ମ୍ୟାଚ୍‌କୁ ତୀବ୍ର ବିରୋଧ କରିବାର ପ୍ରଭାବ ଅନେକାଂଶରେ ଏହା ଉପରେ ପଡ଼ିଛି। ଏକାଧିକ ରାଜନୈତିକ ଦଳ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ବର୍ଜନ କରିବାକୁ ପ୍ରଶଂସକମାନଙ୍କୁ ଖୋଲା ଆହ୍ବାନ କରିଛନ୍ତି।  ସେହିଭଳି ବଡ଼ ସ୍କ୍ରିନ୍‌ରେ ମ୍ୟାଚ୍‌ର ସିଧାପ୍ରସାରଣ କଲେ ଭୟଙ୍କର ପରିସ୍ଥିତି‌ର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ କିଛି ସଂଗଠନ ଧମକ ଦେବା ପରେ ବିବାଦୀୟ ଓ ବିତର୍କିତ ପରିସ୍ଥିତି ସୃଷ୍ଟି କରିଛି। ମ୍ୟାଚ୍ ଲାଗି ଅନୁମତି ଦେଇଥିବାରୁ ଭାରତ ସରକାରଙ୍କୁ ବିରୋଧୀ ତୀବ୍ର ସମାଲୋଚନା କରିଛନ୍ତି।

ବିସିସିଆଇ ମଧ୍ୟ ଅନ୍‌ଲାଇନ୍ ଟ୍ରୋଲ୍ ଓ କଟାକ୍ଷର ସମ୍ମୁଖୀନ ହେଉଛି। ଏପରିକି ଦୁବାଇରେ ମଧ୍ୟ ପ୍ରଶଂସକମାନେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଥଣ୍ଡା ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି। ପ୍ରଶଂସକଙ୍କ ଭାବନାକୁ ସମ୍ମାନ ଜଣାଇ ବିସିସିଆଇର ଅଧିକାଂଶ ବରିଷ୍ଠ ଅଧିକାରୀ ବି ମ୍ୟାଚ୍ ଦେଖିବାକୁ ଯାଉନାହାନ୍ତି। ବିସିସିଆଇ ସଂପାଦକ ଦେବଜିତ ସାଇକିଆ, ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ, କୋଷାଧ୍ୟକ୍ଷ ପ୍ରଭତେଜ ଭାଟିଆ, ଯୁଗ୍ମ ସଂପାଦକ ରୋହନ ଦେଶାଇ ମ୍ୟାଚ୍ ଦେଖିବାକୁ ନଯିବାକୁ ସଙ୍କେତ ଦେଇଛନ୍ତି। ଏସୀୟ କ୍ରିକେଟ୍ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ ଥିବାରୁ ବିସିସିଆଇର କାମଚଳା ସଭାପତି ରାଜୀବ ଶୁକ୍ଳା ଉପସ୍ଥିତ ରହିପାରନ୍ତି। ଅନ୍ୟପକ୍ଷରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ସଂପ୍ରତି ଆମେରିକାରେ ଥିବାରୁ ଏହି ମ୍ୟାଚ୍‌ ଦେଖିବାକୁ ଆସିବାର ସମ୍ଭାବନା ଆଦୌ ନାହିଁ। ବିରାଟ କୋହଲି, ରୋହିତ ଶର୍ମା, ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ଭଳି ତାରକା ଖେଳାଳିଙ୍କ ଅନୁପସ୍ଥିତି ମଧ୍ୟ ମ୍ୟାଚ୍‌ର ଚମକକୁ ବହୁମାତ୍ରାରେ କମାଇ ଦେଇଛି। ଏସବୁରୁ ଦୂରେଇ ରହି ଭାରତୀୟ ଦଳ କିନ୍ତୁ ପାକିସ୍ତାନକୁ ପୁଣି ଥରେ କ୍ରିକେଟ୍ ମଇଦାନରେ ଚିତ୍ କରିବାକୁ ପୂରା ପ୍ରସ୍ତୁତ ରହିଛି। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ୟୁଏଇକୁ ମାତ୍ର ୪.୩ ଓଭର ଭିତରେ ହରାଇଛି। ପାକିସ୍ତାନ ମଧ୍ୟ ହଂକଂ ବିପକ୍ଷ ନିଜ ପ୍ରଥମ ମୁକାବିଲାରେ ବଡ଼ ବିଜୟ ପାଇଛି। ଉଭୟ ଦଳ ଅପେକ୍ଷାକୃତ ଦୁର୍ବଳ ଓ ଅନଭିଜ୍ଞ ଦଳକୁ ହରାଇବା ପରେ ରବିବାର ଅସଲ ପରୀକ୍ଷାର ସମ୍ମୁଖୀନ ହେବେ।

ପରିସଂଖ୍ୟାନ ଦୃଷ୍ଟିରୁ ଭାରତ ଏସିଆ କପ୍‌ରେ ପାକିସ୍ତାନଠାରୁ ଯଥେଷ୍ଟ ଆଗରେ ରହିଛି। ଟିମ୍ ଇଣ୍ଡିଆ ସର୍ବାଧିକ ୮ଥର ଏସିଆ କପ୍ ଜିତିଛି। ପାକିସ୍ତାନ ମାତ୍ର ଦୁଇ ଥର ଏହି ମହାଦେଶୀୟ ପ୍ରତିଯୋଗିତା  ଜିତିଛି। ପୁଣି ଏସିଆ କପ୍‌ରେ ଦୁଇ ଦଳ ଖେଳିଥିବା ୧୯ ମ୍ୟାଚ୍‌ରୁ ଭାରତ ୧୦ଟି ଏବଂ ପାକିସ୍ତାନ କେବଳ ୬ଟି ଜିତିଛି। ତିନିଟି ମ୍ୟାଚ୍‌ର ଫଳାଫଳ ମିଳିନି। ଏସିଆ କପ୍‌ର ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଭାରତ-ପାକିସ୍ତାନ ତୃତୀୟ ଥର ଲାଗି ଭେଟାଭେଟି ହେବେ। ପୂର୍ବର ତିନିଟି ମ୍ୟାଚ୍‌ରୁ ଭାରତ ଦୁଇଟି ଏବଂ ପାକିସ୍ତାନ ଗୋଟିଏ ଜିତିଛି। ତେବେ ଉଲ୍ଲେଖନୀୟ କଥା ହେଉଛି ଦୁଇ ଦଳ ଖେଳିଥିବା ଶେଷ ଏସିଆ କପ୍ ଟ୍ବେଣ୍ଟି-୨୦ରେ ପାକିସ୍ତାନ ୫ ୱିକେଟ୍‌ରେ ଭାରତକୁ ପରାସ୍ତ କରିଥିଲା।

ଜାମ୍ମୁ କାଶ୍ମୀର ପୁଞ୍ଚ ଅଂଚଳରେ ଥମୁନି ଭୂସ୍ଖଳନର ତାଣ୍ଡବ : ୭୦୦ ବିପନ୍ନଙ୍କୁ କରାଗଲା ସ୍ତାନାନ୍ତର

ନନ୍ଦିଘୋଷ ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁଞ୍ଚ ଅଂଚଳରେ ଥମୁନି ଭୂସ୍ଖଳନର ତାଣ୍ଡବ। ଏଯାଏଁ ୭ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଗଲାଣି। ପ୍ରାୟ ଶହେ ଲୋକଙ୍କ ଘରେ ଫାଟ ସୃଷ୍ଟି ହୋଇଛି। ଘର ବିପଜ୍ଜନକ ଅବସ୍ଥାରେ ଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ରାମବନ ଅଂଚଳରେ ପୀଡ଼ିତଙ୍କୁ ସରକାରୀ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି  ସରକାର। ଏହି ସବୁ ଅଂଚଳରେ ପ୍ରଶାସନ ପକ୍ଷରୁ ଜୋରସୋରରେ ଚାଲିଛି ରେସକ୍ୟୁ ଅପରେସନ। ପୁଞ୍ଚ ଜିଲ୍ଲା କର୍ତ୍ତୃପକ୍ଷ କଳାବନ ଗ୍ରାମରୁ ପରିବାରଗୁଡ଼ିକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ନିରନ୍ତର ଭୂସ୍ଖଳନ ଏବଂ ଭୂମି ଅବନତି ଯୋଗୁଁ ଅଞ୍ଚଳ ଅସୁରକ୍ଷିତ ହେବାକୁ ଲାଗିଛି। ପ୍ରଶାସନ ଗାଁକୁ ଅସୁରକ୍ଷିତ ଘୋଷଣା କରିଛି ଏବଂ ବାସିନ୍ଦାମାନଙ୍କୁ ଅସ୍ଥାୟୀ ଭାବରେ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଭାବିତ ଲୋକଙ୍କୁ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ସାରା ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ବେଳେ, ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜିବା କାମ ଜାରି ରହିଛି। ରାଜ୍ୟ ସାରାରେ ସ୍ଥିତି ଚିନ୍ତାଜନକ ରହିଛି।  ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ଗତ କିଛି ଦିନ ଧରି ଲଗାତାର ପ୍ରବଳ ବର୍ଷା ଯୋଗୁଁ ରାମବନ ଏବଂ ଜମ୍ମୁ-କାଶ୍ମୀରର ଅନ୍ୟ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀଗୁଡିକ ଫୁଲି ଉଠିଥିବାରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଡୋନାଲ୍ଡ ଟ୍ରମ୍ପଙ୍କ ଅପିଲ : ୫୦ ପ୍ରତିଶତ ବଦଳରେ ଚୀନ ଉପରେ ଲଗାଅ ୧୦୦ ପ୍ରତିଶତ ଟାରିଫ

ନନ୍ଦିଘୋଷ ବ୍ୟୁରୋ : ୫୦ ପ୍ରତିଶତ ବଦଳରେ ଚୀନ ଉପରେ ଲଗାଅ ୧୦୦ ପ୍ରତିଶତ ଟାରିଫ। ନାଟୋକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅପିଲ। ରୁଷଠାରୁ ସମସ୍ତ ନାଟୋ ରାଷ୍ଟ୍ର ତୈଳ ନକିଣିବାକୁ ଆହ୍ଵାନ କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାଦ୍ଵାରା ଦୁର୍ବଳ ହେବ ରୁଷର ଅର୍ଥ ବ୍ୟବସ୍ଥା। ୟୁକ୍ରେନ ସଂଘର୍ଷ ଉପରେ ବିରାମ ଲାଗିବ ବୋଲି କହିଛନ୍ତି ଟ୍ରମ୍ପ। ଭାରତ ପରେ ଟାରିଫ ନେଇ ଚୀନକୁ ଟାର୍ଗେଟ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋକୁ ଚୀନ୍ ଉପରେ ୫୦ ରୁ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଅପିଲ୍ କରିଛନ୍ତି। ରୁଷ ଉପରେ ଚୀନ୍‌ର ଆର୍ଥିକ ନିୟନ୍ତ୍ରଣକୁ ଦୁର୍ବଳ କରିବ ଏବଂ ୟୁକ୍ରେନ୍‌ ଯୁଦ୍ଧର ଅନ୍ତ ଘଟାଇବ। ଏହା ସହିତ ରୁଷ ଉପରେ କଠୋର କଟକଣା ଲାଗୁ କରିବାକୁ ଦାବି କରିଛନ୍ତି। ନାଟୋ ଦେଶଗୁଡ଼ିକୁ ଏକ ଚିଠି ଲେଖି କହିଥିଲେ ଯେ ଯଦି ସମସ୍ତ ସଦସ୍ୟ ଦେଶ ରୁଷରୁ ତେଲ କିଣିବା ବନ୍ଦ କରନ୍ତି ଏବଂ ରୁଷ ଉପରେ ବଡ଼ ଧରଣର କଟକଣା ଲଗାନ୍ତି, ତେବେ ସେ ରୁଷ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ପ୍ରସ୍ତୁତ। କିନ୍ତୁ କେବଳ ଯେତେବେଳେ ସମସ୍ତ ନାଟୋ ଦେଶ ସର୍ବସମ୍ମତିକ୍ରମେ ଏପରି ପଦକ୍ଷେପ ନିଅନ୍ତି ତେବେ ଯାଇ କଟକଣା ଲଗାଇ ହେବ। ଭାରତ ରୁଷରୁ ତେଲ ନିରନ୍ତର ଆମଦାନୀ କରୁଛି। ତଥାପି, ଚୀନ୍ ଉପରେ ଏପର୍ଯ୍ୟନ୍ତ ସମାନ ଶୁଳ୍କ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଟ୍ରମ୍ପ୍ କହିଛନ୍ତି ଯେ ଯଦି ରୁଷ-ୟୁକ୍ରେନ ବିବାଦ ସମାପ୍ତ ନହୁଏ, ତେବେ ଚୀନ୍ ଏବଂ ଭାରତ ଭଳି ବଡ଼ ତେଲ କ୍ରେତାଙ୍କ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଟ୍ରମ୍ପଙ୍କ ପ୍ରସ୍ତାବ ବିଶ୍ୱ ସ୍ତରରେ ରାଜନୀତିକ ଅସ୍ଥିରତା ବୃଦ୍ଧି କରିପାରେ। ଚୀନ୍ ଏବଂ ରୁଷ ସହିତ ଜଡିତ ନାଟୋ ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠିବ। ଆମେରିକାର ଏପରି ପଦକ୍ଷେପକୁ ଯୁଦ୍ଧ ସପକ୍ଷରେ ଏକ ପ୍ରଭାବଶାଳୀ ଚାପ ଭାବରେ ଦେଖାଯାଉଛି।ଏହା ରୁଷର ଆର୍ଥିକ ଅବସ୍ଥା ଉପରେ ଗଭୀର ପ୍ରଭାବ ପକାଇପାରେ ବୋଲି କହିଛନ୍ତି ବିଶେଷଜ୍ଞ।

କାମନା ଚରିତାର୍ଥ ପାଇଁ ପଶୁପକ୍ଷୀଙ୍କୁ ଦେଉଛି ବଳି, ପରମ୍ପରା ନାଁରେ ବଳି ପଡୁଛନ୍ତି ନିରୀହ ଜୀବ

ନନ୍ଦିଘୋଷ ବ୍ୟୁରୋ: ଆଧୁନିକତା ପଥରେ ଦ୍ରୁତ ଅଗ୍ରସର ମଣିଷ ଆଜି ବି ଅନ୍ଧବିଶ୍ବାସର ବଶବର୍ତ୍ତୀ। ପରମ୍ପରା ଆଗରେ ହାରମାନୁଛି ବିଜ୍ଞାନ । ଏହି ଅନ୍ଧବିଶ୍ଵାସ ଯୋଗୁଁ ଘଟୁଛି ଅଘଟଣ । ଆବାହମାନ କାଳରୁ କନ୍ଧମାଳର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାଳିତ ହେଉଛି ବାଲିଯାତ୍ରା । ଏହି ଯାତ୍ରାରେ ବଳି ପଡୁଛନ୍ତି ଶହଶହ ନିରୀହ ଜୀବ । ଭାଦ୍ରବ ମାସରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଫସଲ ଭଲହେବା, ରୋଗ ଦୂରହେବା, ସନ୍ତାନ ଲାଭ, ଧନଧାନ୍ୟ ଲାଭ କରିବା ପାଇଁ ଚାଲୁଛି ପୂଜାପାଠ, ପଡୁଛି ବଳି ।

ଅନ୍ଧବିଶ୍ବାସ ଆଗରେ ହାର ମାନିଛି ଅତ୍ଯାଧୁନିକତା । ପାଶବିକ କାମନାର ଚରିତାର୍ଥ ପାଇଁ ନିରୀହ ପଶୁପକ୍ଷୀଙ୍କୁ ଦିଆଯାଉଛି ବଳି । ଭିଜୁଆଲ ଏଭଳି ଯେ ତାହା ଦେଖାଇବା ଅସମ୍ଭବ । ନିଜ ସ୍ବାର୍ଥ ପାଇଁ ମଣିଷ ଭୁଲୁଛି ମାନବିକତା । ପରମ୍ପରା ନାମରେ ଛେଳି କୁକୁଡ଼ା ଭଳି ନିରୀହ ପଶୁପକ୍ଷୀଙ୍କୁ ଦେଉଛି ବଳି । ପୁଣି ସେହି ପଶୁପକ୍ଷୀଙ୍କ ରକ୍ତ ଠାକୁରାଣୀଙ୍କୁ ଦିଆଯାଉଛି । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପରେ ଭାଦ୍ରବ ମାସରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୁଏ ବାଲିଯାତ୍ରା।  ଫସଲ ଭଲହେବା, ରୋଗ ଦୂରହେବା, ସନ୍ତାନ ଲାଭ, ଧନଧାନ୍ୟ ଲାଭ କରିବା ଉଦ୍ଦେଶ୍ୟରେ ହୁଏ ଏହି ବାଲିଯାତ୍ରା । ଠାକୁରାଣୀଙ୍କ ନିକଟରେ ମାନସିକ କଲେ ମାନସିକ ପୂରଣହୁଏ ବୋଲି ବିଶ୍ଵାସ ରହିଛି । ପ୍ରଥମେ ରାଜାଙ୍କ ଘରେ ଥିବା ଠାକୁରାଣୀଙ୍କ ଆସ୍ଥାନରେ ପୂଜାର୍ଚ୍ଚନା ହେବାପରେ ପୂଜକଙ୍କ ଦେହରେ ଠାକୁରାଣୀ ଉଭା ହୁଅନ୍ତି । ଏହାପରେ ଯାତ୍ରା ମଣ୍ଡପରେ ପୁଣି ପୂଜାର୍ଚ୍ଚନା ହୁଏ । ସେଠାରେ କାଳେସୀ କଣ୍ଟା ପିଢ଼ାରେ ବସି ଦୋଳିରେ ଝୁଲିବା ସହ ନିଆଁରେ ଚାଲିବାର ପ୍ରଥା ରହିଛି ।

ପ୍ରତ୍ୟକ୍ଷ ଠାକୁରାଣୀ ମା ମାଣିକେଶ୍ବରୀଙ୍କ ନିକଟରେ ଯିଏ ଯାହା ମାନସିକ କରନ୍ତି ତାହା ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ମାନସିକ ପୂରଣ ହେଲେ ମାନସିକଧାରୀ ମା’ଙ୍କ ଉଦ୍ଦେଶ୍ୟରେ ପଶୁପକ୍ଷୀଙ୍କ ବଳି ପକାଇଥାନ୍ତି । ଏଣୁ ପୂର୍ବ ପୁରୁଷଙ୍କୁ ଅନୁସରଣ କରି କାହିଁ କେଉଁ ଆବାହମାନ କାଳରୁ ଏହି ବାଲିଯାତ୍ରା ନିଷ୍ଠାର ସହ ପାଳନ କରାଯାଉଛି। ବେଲପତ୍ର, ମୁଆଁ, ଝୁଣା, ଫୁଲ, ଦୀପ ମୁଖ୍ୟତଃ ଏହି ପୂଜାରେ ଲାଗିଥାଏ । ତେବେ ସଚେତନତା ଅଭାବରୁ ଆଜି ବି ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି ଲୋକେ । ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ କନ୍ଧମାଳ ଜିଲ୍ଲାରେ ଆଜି ବି ପରମ୍ପରା ନାମରେ ବଳି ପଡୁଛନ୍ତି ଶହଶହ ନିରୀହ ପଶୁପକ୍ଷୀ। ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଅଧିକ ସଚେତନତା ଜରୁରୀ ହୋଇପଡ଼ିଛି ।

ମୌସୁମୀ ଅଧିବେଶନ ଲାଗି ରଣନୀତି, ବିରୋଧୀ-ସରକାର ହେବେ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ସେପ୍ଟେମ୍ବର ୧୮ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ। ଏହାପୂର୍ବରୁ ୧୭ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯିବ । ସାର ସଙ୍କଟ ଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ନାରୀ ନିର୍ଯାତନା, ଚାଷୀ ସମସ୍ୟା ସହ ବହୁ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୃହରେ ଉଠାଇ ବିଜେଡି ଜବାବ ମାଗିବ ବୋଲି କହିସାରିଛି । ଦେଢ଼ ବର୍ଷରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଥିବାରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ କଂଗ୍ରେସ ଆଗରୁ ଚେତାବନୀ ଦେଇସାରିଛି । ତେବେ ବିରୋଧୀ ଗୃହରେ ଯେଉଁ ପ୍ରସଙ୍ଗ ଉଠାଇବେ ତାର ମୁକାବିଲା କରିବାକୁ ଶାସକ ଦଳ ପ୍ରସ୍ତୁତ ବୋଲି କହିଛି ।

ମୌସୁମୀ ଅଧିବେଶନ ପୂର୍ବରୁ ବସିବ ବିଧାୟକ ଦଳ ବୈଠକ । ୧୭ରେ ବିଜେଡି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ସାର ସଙ୍କଟ, ନାରୀ ନିର୍ଯାତନା, ଚାଷୀ ଓ ରାଜ୍ୟ ସ୍ବାର୍ଥ ବିଜେଡିର ଅସ୍ତ୍ର । ଅନାସ୍ଥା ପ୍ରସ୍ତାବ ଆଣି ଘେରିବ କଂଗ୍ରେସ । ବିରୋଧୀ ଦଳଙ୍କୁ ମୁକାବିଲା କରିବାକୁ ଶାସକ ଦଳର ବି ରଣନୀତି ପ୍ରସ୍ତୁତ ।.. ..ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ୭ଟି କାର୍ଯ୍ୟଦିବସ ସହ ୨୫ ତାରିଖ ଯାଏଁ ଚାଲିବ ଅଧିବେଶନ । ସ୍ବଳ୍ପକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ଫୁଲ ଦମରେ ତୟାର ମୁଖ୍ୟ ବିରୋଧୀ ବିଜେଡି। ଆସନ୍ତା ୧୭ ତାରିଖରେ ବିଜେଡି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସି ଦଳ କେଉଁ ପ୍ରସଙ୍ଗ ଉଠାଇବ ସେନେଇ ଆଲୋଚନା ହେବ ।

ବିଶେଷ କରି ରାଜ୍ୟରେ ସାର ସଙ୍କଟ ଉତ୍କଟ ହୋଇଥିବାରୁ ବିଜେଡି ଚାଷୀଙ୍କ ସ୍ଵର ସାଜି ଗୃହରେ ଏହାକୁ ଉଠାଇ ସରକାରଙ୍କୁ ଘାଇଲା କରିବ । ଏହାସହ ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା, ପୋଲାଭରମ, ମହାନଦୀ, କୋଟିଆ ଠାରୁ ଆରମ୍ଭ କରି ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ପ୍ରସଙ୍ଗକୁ ଗୃହରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବିଜେଡି । ସେହିପରି ଆସନ୍ତା ୧୭ତାରିଖରେ କଂଗ୍ରେସ ବିଧାୟକ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯିବ । ଦେଢ଼ ବର୍ଷର ବିଜେପି ସରକାର ଓଡିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଥିବ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ। ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଦଳ ଅନ୍ୟଦଳର ସହଯୋଗ ଲୋଡିବ ବୋଲି କଂଗ୍ରେସ କହିଛି। ନାରୀ ନିର୍ଯାତନା, ଛାତ୍ରୀ ପୋଡ଼ି, ଚାଷୀ ସମସ୍ୟା ନେଇ ଶାସକ ଦଳକୁ ଜବାବ ମାଗିବ ଦଳ । କଂଗ୍ରେସ ବିଧାୟକ ଦଳ ବୈଠକରେ ପିସିସି ସଭାପତି ଓ ବିଧାୟକମାନେ ବସି ରଣନୀତି ପ୍ରସ୍ତୁତ କରିବେ ବୋଲି କହିଛନ୍ତି ।
ସେପଟେ ଶାସକ ଦଳ କହିଛି ଦୁଇ ବିରୋଧୀ ଗୃହରେ ଯେଉଁ ପ୍ରସଙ୍ଗ ଉଠାଇବେ ତାହାର ଜବାବ ଦେବାକୁ ଶାସକ ଦଳ ପ୍ରସ୍ତୁତ ବୋଲି କହିଛି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ବିଜେପି ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଗୃହରେ ଉଠାଇବ । ବିଜେପି ବିଧାୟକ ଦଳ ବୈଠକରେ ଏସବୁ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।

ଜରାଜୀର୍ଣ୍ଣ ଅବସ୍ଥାରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ଉପ-କାରାଗାର

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀରେ ବିଚାରାଧୀନ କଏଦୀଙ୍କୁ ରଖିବା ପାଇଁ ନିର୍ମାଣ ହୋଇଥିଲା ଉପ-କାରାଗାର । ପାତ୍ରପୁର ବ୍ଲକ ଜରଡ଼ା ଥାନା ବାଦପୁରରେ ନିର୍ମିତ ଉପ-କାରାଗାରକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହ ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଭୂତକୋଠି ପାଲଟିଛି ଉପ-କାରାଗାର । କୋଠାରେ ଉଠିଛି ଅନାବନା ଗଛ ।  ସନ୍ଧ୍ୟା ହେଲେ ଜମୁଛି ଅସାମାଜିକ ଲୋକଙ୍କ ଆଡ୍ଡା । ଏ ହେଉଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁରରେ ଥିବା ଉପ-କାରାଗାରର ଦୃଶ୍ୟ । ଏଠାରେ ପୁରୁଷ ଓ ମହିଳା କଏଦୀମାନଙ୍କ ନିମନ୍ତେ ସେଲ୍, ମେଡିକାଲ, ରୋଷେଇଘର, ଜେଲର ଓ ଜେଲ କର୍ମଚାରୀମାନଙ୍କ ପାଇଁ କ୍ବାର୍ଟର୍ସ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ରହିଛି । ହେଲେ ଏହାକୁ କାର୍ଯ୍ୟକ୍ଷମ କରାଗଲାନି । କାର୍ଯ୍ୟକ୍ଷମ ନ କରିବାରୁ ବର୍ତ୍ତମାନ ସବଜେଲ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏହା ଏକ ଜଙ୍ଗଲ ଭାବେ ଦେଖାଯାଉଥିବା ବେଳେ ଉପ-କାରାଗାର ଚାବି ଏବେ ଛେଳି ଜଗୁଆଳିଙ୍କ ହାତରେ। ଏବର ସରକାର ଏହାକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଯାହକୁ ବିରୋଧ କରିବା ସହ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଚିକିଟି ନିର୍ବାଚନମଣ୍ଡଳିରେ ରହିଛି ୨ଟି ଥାନା ।  ଜରଡ଼ା ଓ କେ.ନୂଆଁଗାଁ ଥାନା । ଏଥିସହିତ ଚିକିଟି ଅବକାରୀ ଥାନା ମଧ୍ୟ ରହିଛି । ଯେଉଁ ମାମଲାଗୁଡିକ ପାତ୍ରପୁର ଜେଏମଏଫସିଙ୍କ କୋର୍ଟରେ ବିଚାର ପରେ ବିଚାରାଧୀନ କଏଦୀଙ୍କୁ  ବ୍ରହ୍ମପୁର ଜେଲକୁ ପଠାଯାଉଛି । ଚିକିଟି ଠାରୁ ବ୍ରହ୍ମପୁର ଜେଲ ପ୍ରାୟ ୫୦ କିଲୋମିଟର ଦୂର । ଯିବା ଆସିବା ପ୍ରାୟ ୧୦୦ କିଲୋମିଟର । ଆସନ୍ତା ବିଧାନସଭା ଅଧିବେଶନରେ ଏହି ଉପ-କାରାଗାରକୁ କାର୍ଯ୍ୟକ୍ଷମ କରିବା ପ୍ରସଙ୍ଗ ଗୃହରେ ସ୍ବର ଉଠାଇବି ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।

 

ନାଳରୁ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣା : ତୁରନ୍ତ ଆସାମୀକୁ ଗିରଫ କରିବାକୁ କଂଗ୍ରେସର ଦାବି

0

ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ସଦର ଥାନା ଶ୍ୟାମସୁନ୍ଦର ଗାଁରେ ନାବାଳିକାଙ୍କ ମୃତଦେହ ନାଳରୁ ଉଦ୍ଧାର ଘଟଣା। ଘଟଣାକୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି। ଯାହାକୁ ପ୍ରତିବାଦ କରିଛି କଂଗ୍ରେସ।ଘଟଣା ଦିନ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ନେଇ ତଦନ୍ତ ଆରମ୍ଭ କରିଥିଲା । ଖୋଦ ଅନୁଗୁଳ ଏସ ପି ରାହୁଲ ଜୈନ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ 7 ଦିନ ଭିତରେ ଅଭିଯୁକ୍ତକୁ ଧରିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଘଟଣାକୁ 7 ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ହାତରେ କିଛି ସୁରାଗ ମିଳିନଥିଲା। ଯାହାକୁ ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ଅନୁଗୁଳ ତହସିଲ ଅଫିସ ଆଗରେ ପ୍ରତିବାଦ ସଭା କରିବା ସହ ତୁରନ୍ତ ଆସାମୀକୁ ଗିରଫ କରିବାକୁ ଦାବି କରାଯାଇଛି। ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର, ରାଜ୍ୟରେ ଶିଶୁ ନିଖୋଜ ଥିବା ଘଟଣା ବଢି ଚାଲିଛି । ଯାହାକି ସରକାରଙ୍କ ଅପାରଗତା ଯୋଗୁଁ ହେଉଥିବା କଂଗ୍ରେସ ଅଭିଯୋଗ କରିଛି ।

 

ଆଜି ବି ଏହି ଗାଁରେ ନାହିଁରେ ନାହିଁ ବିଜୁଳି, ଡିବିରି ଆଲୁଅରେ ରହୁଛନ୍ତି ଲୋକେ…

ନନ୍ଦିଘୋଷ ବ୍ୟୁରୋ: ଆଜି ବି ଏଭଳି ଗାଁ ଅଛି, ଯେଉଁଠି ବିଜୁଳି ଆଲୁଅ ସାତସପନ । ସନ୍ଧ୍ୟା ହେଲେ ଗାଁରେ ଛାଇଯାଉଛି ଘନ ଅନ୍ଧକାର । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ବିଜୁଳି ସଂଯୋଗ ତ ଦୂରର କଥା ଗାଁକୁ ପକ୍କା ରାସ୍ତାଟିଏ ନାହିଁ । ପାନୀୟ ଜଳ ସମସ୍ୟା କହିଲେ ନସରେ । ଗଜପତି ଜିଲ୍ଲା କାଶୀନଗର ବ୍ଳକ କେ. ସୀତାପୁର ପଞ୍ଚାୟତର ଦେବଦଳା ଗ୍ରାମରେ ଅପହଞ୍ଚ ସରକାରୀ ଯୋଜନା। ।

ବିନା ଆଲୁଅରେ ବିତୁଛି ଜୀବନ । ବିଜୁଳି ଆଲୁଅ ଏଠି ସାତସପନ । ସନ୍ଧ୍ୟା ହେଲେ ଘୋଟିଯାଉଛି ଅମା ଅନ୍ଧକାର । ସାହାରା ପାଲଟିଛି କ୍ୟାଣ୍ଡେଲ ଓ ଟର୍ଚ୍ଚ ଲାଇଟ ।.. .. ଏ ହେଉଛି ଗଜପତି ଜିଲ୍ଲା କାଶୀନଗର ବ୍ଳକ କେ. ସୀତାପୁର ପଞ୍ଚାୟତର ଦେବଦଳା ଗାଁ । ଏଠାରେ ୧୮ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି । ସନ୍ଧ୍ୟା ହେଲେ ବଢ଼ିଯାଏ ଏମାନଙ୍କ ସମସ୍ୟା । ମହମବତୀ ଆଲୁଅ ଓ କାଠ ଚୁଲି ଆଲୁଅରେ ଚଳିବାକୁ ହୁଏ । ପିଲାଙ୍କ ପାଠପଢ଼ା ହେଉ ଅବା ରୋଷେଇ ସବୁ ସେଥିରେ ହିଁ ହୁଏ। ଦେଖନ୍ତୁ ଏହି ଚିତ୍ରକୁ କିଭଳି ଗୋଟିଏ କ୍ୟାଣ୍ଡେଲ ଲଗାଇ ପାଠ ପଢ଼ୁଛନ୍ତି ପିଲାମାନେ । ଘରୁ ବାହାରିଲେ ଜଙ୍ଗଲୀ ଜନ୍ତୁଙ୍କ ଭୟ ରହିଥିବା ବେଳେ ଟର୍ଚ୍ଚ ଆଲୁଅ ହିଁ ଭରସା। ବିଦ୍ୟୁତ ସଂଯୋଗ ନ ଥିବାରୁ ନିକଟସ୍ଥ ଗ୍ରାମରୁ ମୋବାଇଲ ଫୋନ, ଟର୍ଚ୍ଚ ଲାଇଟ୍ ଚାର୍ଜିଂ କରି ଆଣିବାକୁ ପଡୁଛି । ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ସୁଦ୍ଧା ଏଯାଏ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମରେ ଗ୍ରାମକୁ ଏକ ପ୍ରାଥମିକ ରାସ୍ତା ନିର୍ମାଣ ହୋଇଛି । ହେଲେ ପକ୍କା ରାସ୍ତା ନିର୍ମାଣ , ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏଯାଏଁ ଗାଁରେ ପହଞ୍ଚିପାରି ନାହଁ । ସରପଞ୍ଚଙ୍କ ଜରିଆରେ ବିଦ୍ୟୁତ ସଂଯୋଗ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଏଠାରେ ବିକାଶ ଅପହଞ୍ଚ ରହିଥିବାବେଳେ ଅଭିଶପ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ । ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ଗ୍ରାମ ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ।

‎ସରକାର ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖୁଥିବା ବେଳେ ଏବେ ବି କିଛି ସ୍ଥାନରେ ପ୍ରକୃତ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଛି । ତେବେ ଦେବଦଳା ଗାଁର ମୌଳିକ ସମସ୍ୟା କେବେ ଦୂର ହେଉଛି ଗାଁକୁ କେବେ ପ୍ରଶାସନର ଶୁଭ ଦୃଷ୍ଟି ପଡ଼ୁଛି ତା ଉପରେ ରହିଛି ନଜର ।

 

ରାୟଗଡ଼ାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଫିଟନେସ୍-କମ୍-ଆମ୍ୟୁଜମେଣ୍ଟ ପାର୍କ ବିକଶିତ କରୁଛି ବେଦାନ୍ତ ଆଲୁମିନିୟମ

0

ନନ୍ଦିଘୋଷ ବ୍ୟୁରୋ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ରାୟଗଡ଼ାର ହାତମୁନିଗୁଡ଼ାରେ ଥିବା ରାମକୃଷ୍ଣ ମିଶନ ଆଶ୍ରମ ସ୍କୁଲର ୭୦୦ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଫିଟନେସ୍-କମ୍-ଆମ୍ୟୁଜମେଣ୍ଟ ପାର୍କ ବିକଶିତ କରିଛି। ବିଭିନ୍ନ ପ୍ରକାରର ଖେଳ ଏବଂ ଫିଟନେସ୍ ସୁବିଧା ସହିତ ସଜ୍ଜିତ ଏହି ପାର୍କଟି ଶାରୀରିକ କାର୍ଯ୍ୟକଳାପ, ମନୋରଞ୍ଜନ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି।

ସ୍କୁଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବେଦାନ୍ତ ସିଜିମାଲି ବକ୍ସାଇଟ୍ ମାଇନ୍ସର ଉପାଧ୍ୟକ୍ଷ ଏବଂ ମୁଖ୍ୟ ଶ୍ରୀ ପ୍ରତୀକ କୁମାର ଏହି ପାର୍କର ଉଦଘାଟନ କରିଥିଲେ। ଉଦଘାଟନ ପରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ସେଠାରେ ଅନେକ ସମୟ ଖେଳକୁଦ କରିଥିଲେ। ଏହିପରି ଗ୍ରାମାଞ୍ଚଳରେ, ସୀମିତ ସ୍କୁଲ ଭିତ୍ତିଭୂମି ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ଅଭିବୃଦ୍ଧିକୁ ବାଧା ସୃଷ୍ଟି କରେ। ସ୍କୁଲଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସହିତ ସଜ୍ଜିତ କରି, ବେଦାନ୍ତ ଆଲୁମିନିୟମ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସଫଳତା ଏବଂ ସାମଗ୍ରିକ ବିକାଶକୁ ସମର୍ଥନ କରିବା ସହିତ ଏକ ଅନୁକୂଳ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୧୦୦ ଏକର ଜମିରେ ୨୦୦୮ ମସିହାରେ ପ୍ରତିଷ୍ଠିତ ରାମକୃଷ୍ଣ ମିଶନ ଆଶ୍ରମ ସ୍କୁଲ ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରେ। ଏହାର ସମସ୍ତ ଛାତ୍ରଛାତ୍ରୀ ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ସମେତ କୋରାପୁଟ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟରୁ ଆସିଥାନ୍ତି।

ଏହି ପଦକ୍ଷେପ ବିଷୟରେ କହି, ବେଦାନ୍ତ ଆଲୁମିନିୟମର ସିଇଓ ଶ୍ରୀ ରାଜୀବ କୁମାର କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ, ଆମେ ବିଶ୍ୱାସ କରୁ ଯେ, ପ୍ରକୃତ ସମ୍ପ୍ରଦାୟ ବିକାଶ ଭିତ୍ତିଭୂମିଠାରୁ ଅଧିକ – ଏହାର ସାମଗ୍ରିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାରେ ଥାଏ। ଏହି ଫିଟନେସ୍-କମ୍-ମନୋରଞ୍ଜନଭିତ୍ତିକ ପାର୍କ ପିଲାମାନଙ୍କୁ ଖେଳ ଏବଂ ଶାରୀରିକ କାର୍ଯ୍ୟକଳାପ ପାଇଁ ସୁଯୋଗ ପ୍ରଦାନ କରିବା ସହିତ ଏକ ଆନନ୍ଦଦାୟକ ପରିବେଶ ଯୋଗାଇଦେବା ଯାହା ପିଲାମାନଙ୍କର ସାମଗ୍ରିକ ବିକାଶକୁ ସମର୍ଥନ କରେ।”
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପ୍ରତି ପ୍ରତିବଦ୍ଧତାକୁ ରେଖାଙ୍କିତ କରେ, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି ପ୍ରତି ସମ୍ପ୍ରଦାୟ ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ଦୃଶ୍ଯ ସାମାଜିକ-ଆର୍ଥିକ ପ୍ରଗତି ଆଡ଼କୁ ନେଇଯାଏ।