spot_img
Home Blog Page 2274

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପଡିବ ଯବନିକା, ଆଜି ମାମୁଁ କଂସଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ

ବରଗଡ଼ : ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରାରେ ପଡିବ ଯବନିକା  । ରାଜା କଂସାଧିପତିଙ୍କର ଆଜି ହେଉଛି ଶେଷ ଦିନ  । ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ । ବରଗଡ଼ରେ ଦୀର୍ଘ ୧୧ ଦିନ ଚାଲିଆସୁଥିବା ଧନୁଯାତ୍ରାରେ ଆଜି ଅଭିନୀତ ହେବ କଂସ ବଦ୍ଧର ଦୃଶ୍ୟ ।ଏଥି ସହ କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, କୁବଳୟା ବଧ, ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ, କଂସ ବଦ୍ଧ ଏବଂ ପରିଶେଷରେ ଉଗ୍ରସେନଙ୍କ ରାଜ୍ୟଭିଷେକ ଦୃଶ୍ୟ ଅଭିନୀତ ହେବ ।

ଗତକାଲି କଂସଙ୍କ ଠାରୁ ମୁକ୍ତି ପାଇଁ  କୃଷ୍ଣଙ୍କ ନିକଟରେ ଆକୁଳ ବିନତି କରିଥିଲେ ମଥୁରାବାସୀ ।ଏଥିସହ କୁବଜା ଉଦ୍ଧାର, କଂସଙ୍କ ଦିଗବିଜୟ ଭ୍ରମଣ ଅଭୀନିତ ହୋଇଥିଲା । ଗତକାଲି ଧନୁଯାତ୍ରା ଦେଖିବାକୁ ବରଗଡରେ ପ୍ରବଳ ଜନସମାଗମ ହୋଇଥିଲା ।

ଆଜି ପଶ୍ଚିମବଙ୍ଗରେ ପ୍ରବେଶ କରିବ ଭାରତ ଯୋଡ ନ୍ୟାୟ ଯାତ୍ରା

କୋଲକାତା :  ଆଜି ପଶ୍ଚିମବଙ୍ଗରେ ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ଆସାମ-ପଶ୍ଚିମବଙ୍ଗ ସୀମା ଅନ୍ତର୍ଗତ ବକ୍ସିରହାଟ ଦେଇ କୁଚବେହାରରେ ପ୍ରବେଶ କରିବ ଯାତ୍ରା । ସେଠାରୁ ତୋଫାନଗଞ୍ଜ ଓ କୁଚ ବେହାର ଦେଇ ଯାତ୍ରା ଚାଲିବ । ତେବେ ଏହି ଯାତ୍ରା କୋଲକାତା ଯିବ ନାହିଁ ବୋଲି ସୂଚନା ମିଳିଛି । କେବଳ ପଶ୍ଚିମବଙ୍ଗରେ ନ୍ୟାୟ ଯାତ୍ରାର ଅବଧି ୫୨୩ କିଲୋମିଟର ରହିଛି ।

ଉତ୍ତର ଦିନାପୁର, ଆଲିପୁର୍ଦୁଆର, ଜଲପାଇଗୁଡି, ଦାର୍ଜିଲିଂ, ମାଲଦା, ମୁର୍ଶିଦାବାଦ ଜିଲ୍ଲା ଦେଇ ଏହି ଅଭିଯାନ ଚାଲିବ । ଏହି ସବୁ ସ୍ଥାନରେ ରୋଡ ସୋ’ ଓ ସଭା କାର୍ଯ୍ୟକ୍ରମ ଆଦି ରହିଛି । ଆଲିପୁର୍ଦୁଆରରେ ୨୬ ଓ ୨୭ରେ ଯାତ୍ରା ୨ ଦିନ ଲାଗି ସ୍ଥଗିତ ରହିବ । ଆସନ୍ତା ୨୯ରେ ଭାରତ ଯୋଡ ଯାତ୍ରା ବିହାରରେ ପ୍ରବେଶ କରିବ । ଗତ ଜାନୁଆରୀ ୧୪ରେ ମଣିପୁରରୁ ବାହାରିଥିବା ଅଭିଯାନ ୬ହଜାର ୭୧୩ କିଲୋମିଟର ଅତିକ୍ରମ କରି ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ ।

ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସ୍କୁଲ,କଲେଜ ଛୁଟି ଘୋଷଣା

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ଲୋକାର୍ପିତ ହେବ ମା’ ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି ଲୋକାର୍ପଣ ଉତ୍ସବ । ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖକୁ ଛୁଟି ଘୋଷଣା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଦିନ ସାରା ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଦିନ ଚତୁର୍ଥ ଶନିବାର ପଡୁଥିବାରୁ ସମସ୍ତ ସରକାରୀ ଅଫିସ ମଧ୍ଯ ବନ୍ଦ ରହିବ । କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା’ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ।

ଐତିହ୍ୟ କରିଡରର ଆକର୍ଷଣରେ ବିମୋହିତ ହେଉଛି ଭକ୍ତ । ମୁଖଶାଳାର ପ୍ରତିଟି କାରିଗରୀରେ ସଂସ୍କୃତିର ଛାପ ଦେଖିବାକୁ ମିଳିଛି । ସବୁଜ ବଳୟ, ସୁବ୍ୟବସ୍ଥିତ ମାର୍ଗ, ସୁସଜ୍ଜିତ ନବରୂପ । ଇଏ ନୂଆ ଓଡ଼ିଶାର ସମଲେଇ, ବିକଶିତ ସମଲେଇ ଆଉ ରୂପାନ୍ତରିତ ସମଲେଇ ପୀଠ । ରୂପାନ୍ତରଣର ଐତିହାସିକ କୀର୍ତ୍ତିର ଲୋକାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଶ୍ରଦ୍ଧାଳୁଙ୍କୁ ଟାଣିନେଉଛି ମନ୍ଦିରର ୪ଦ୍ବାର ଆଉ ଓ୍ବାଚ୍ ଟାଓ୍ବାର୍ । ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ସବୁଠି ଭାବ ଭକ୍ତି ଆନନ୍ଦ ଦେଖିବାକୁ ମିଳୁଛି । ସବୁଠି ଫୁଲରେ ସାଜସଜ୍ଜା କରାଯାଉ ଥିବା ବେଳେ ୪ ଦ୍ବାରରେ ହୋମଯଜ୍ଞ ପାଇଁ ଆୟୋଜନ କରାଯାଇଛି। ଲୋକାର୍ପଣ ଉତ୍ସବ ଦିନ ଶ୍ରଦ୍ଧାଳୁମାନେ ସିନ୍ଦୂର ଓ ଚୁନରି ଅର୍ପଣ କରିପାରିବେ । ପ୍ରଥମେ ନିଜ ଗାଁର ଗ୍ରାମଦେବୀଙ୍କୁ ଅର୍ପଣ କଲା ପରେ ତାହା ପୁଣି ସମ୍ବଲପୁର ଅଣଯାଇ ମାଆ ସମଲେଶ୍ବରୀଙ୍କ ନିକଟରେ ଅର୍ପଣ କରାଯିବ ।

ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଅଦଳବଦଳ, ଜାଣନ୍ତୁ କିଏ-କେଉଁଠି…

ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଅଦଳବଦଳ। ବଦଳିଲେ ୬ ଜିଲ୍ଲାର ଏସପିଙ୍କ ସମେତ ଟୁଇନସିଟି ପୋଲିସ କମିଶନର। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ କଟକ-ଭୁବନେଶ୍ବରର ନୂଆ ପୋଲିସ କମିଶନର ହୋଇଛନ୍ତି ସଞ୍ଜୀବ ପଣ୍ଡା।

କଟକ ଡିସିପି ହୋଇଛନ୍ତି କନଓ୍ବର ବିଶାଲ ସିଂ। ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି। ହିମାଂଶୁ ଲାଲ୍ ହୋଇଛନ୍ତି ଉତ୍ତରାଞ୍ଚଳ ଆଇଜି। ସନ୍ତୋଷ ବାଲାଙ୍କୁ OPHWC ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ରପ୍ରଦାନ କରାଯାଇଛି। ଦୀପକ କୁମାର ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ହୋଇଛନ୍ତି। ଏହା ସହ ସେ ଅନୁଗୁଳ ପିଟିସି ପ୍ରିନସିପାଲ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।

ସେହିପରି ପୂର୍ବାଞ୍ଚଳ ଆଇଜି ହୋଇଛନ୍ତି ସତ୍ୟବ୍ରତ ଭୋଇ। ଜେଏନ୍ ପଙ୍କଜ ହୋଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି। EOW ଓ STF ଆଇଜି ଭାବେ ସେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ପିନାକ ମିଶ୍ର ପୁରୀ ଏସପି ହୋଇଥିବା ବେଳେ ବି. ଯୁଗଳ କିଶୋର କୁମାର କେନ୍ଦ୍ରାପଡା଼ ଓ ଏମ୍. ସନ୍ଦୀପ ସମ୍ପଦ ଢେଙ୍କାନାଳ ଏସପି ହୋଇଛନ୍ତି। ରାମପ୍ରସାଦ ସାହୁ ଦେବଗଡ଼, ହରିଶ ବି.ସି. ରାୟଗଡ଼ା, ଓ ୟଶପ୍ରତାପ ଶ୍ରୀମଲ ସୋନପୁର ଏସପି ହୋଇଛନ୍ତି। ବିବେକାନନ୍ଦ ଶର୍ମା ଏଆଇଜି, ପୋଲିସ ମୁଖ୍ୟାଳୟ ହୋଇଥିବାବେଳେ ଜ୍ଞାନରଞ୍ଜନ ମହାପାତ୍ର ସ୍ପେଶାଲ ବ୍ରାଞ୍ଚ ଏସପି ଓ ଅମରେଶ କୁମାର ପଣ୍ଡା ପୋଲିସ ମୁଖ୍ୟାଳୟ ଏଆଇଜି ହୋଇଛନ୍ତି।

ସଜେଇ ହେଉଛି ସମଲେଇ ପୀଠ, ଆକର୍ଷିତ କରୁଛି ୱାଚ୍ ଟାୱାର୍

ଝାରସୁଗୁଡା: ବିଶ୍ବଦେଖିବ ଆସ୍ଥା ଓ ବିଶ୍ବାସର ପୀଠ ସମଲେଇ ମନ୍ଦିରର ରୂପାନ୍ତରିତ ରୂପ। ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ମନ୍ଦିରର ନୂଆ ରୂପ ଦେଖି ତୃପ୍ତ ହେଉଛନ୍ତି ଭକ୍ତ। ମାଆଙ୍କୁ ଦର୍ଶନ କରି ସଭିଏଁ ଦିବ୍ୟ ଓ ଭବ୍ୟ ଅନୁଭୂତି ନେଉଥିବା ବେଳେ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ମୁଖଶାଳାର ପ୍ରତିଟି କାରିଗରୀରେ ସଂସ୍କୃତିର ଛାପ। ସବୁଜ ବଳୟ, ସୁବ୍ୟବସ୍ଥିତ ମାର୍ଗ, ସୁସଜ୍ଜିତ ନବରୂପ। ରୂପାନ୍ତରଣର ଐତିହାସିକ କୀର୍ତ୍ତିର ଲୋକାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଶ୍ରଦ୍ଧାଳୁଙ୍କୁ ଟାଣିନେଉଛି ମନ୍ଦିରର ୪ଦ୍ବାର ଆଉ ୱାଚ୍ ଟାୱାର୍।

ଶୁକ୍ରବାର କଳସ ଯାତ୍ରା ଓ ଅଧିବାସ ଆରମ୍ଭ ହେବାକୁ ଥିବା ବେଳେ ୨୭ରେ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି। ପ୍ରକଳ୍ପ ନିର୍ମାଣରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ। ସବୁଠି ଫୁଲରେ ସାଜସଜ୍ଜା କରାଯାଉ ଥିବା ବେଳେ ୪ଦ୍ବାରରେ ହୋମଯଜ୍ଞ ପାଇଁ ଆୟୋଜନ କରାଯାଇଛି। ଲୋକାର୍ପଣ ଉତ୍ସବ ଦିନ ଶ୍ରଦ୍ଧାଳୁମାନେ ସିନ୍ଦୂର ଓ ଚୁନରି ଅର୍ପଣ କରିପାରିବେ। ପ୍ରଥମେ ନିଜ ଗାଁର ଗ୍ରାମଦେବୀଙ୍କୁ ଅର୍ପଣ କଲା ପରେ ତାହା ପୁଣି ସମ୍ବଲପୁର ଅଣଯାଇ ମାଆ ସମଲେଶ୍ବରୀଙ୍କ ନିକଟରେ ଅର୍ପଣ କରାଯିବ।

5T ସ୍କୁଲ ରୂପାନ୍ତରଣ; ୪ର୍ଥ ପର୍ଯ୍ୟାୟରେ ୨୮୬ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରାଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାର ୮୦ଟି ହାଇସ୍କୁଲ, ସୁବର୍ଣ୍ଣପୁରର ୧୪ଟି, ପୁରୀର ୫୩ଟି, ନୟାଗଡ଼ର ୭୫ଟି, ବୌଦ୍ଧର ୧୦ଟି ଓ ନବରଙ୍ଗପୁରର ୫୪ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି।

ତେବେ ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ । ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି। ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସାରଥୀ ହେବେ । ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ । ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି।

ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ 5T ନୀତିର ପ୍ରୟୋଗ କର । ଏହା ତୁମ ମାନଙ୍କ ପାଇଁ ସଫଳତା ଆଣିଦେବ। ତୁମେ ମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି । ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର । କାର୍ଯ୍ୟକ୍ରମରେ ଯୋଗ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଜ୍ୟର ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ନେଇ ଯେଉଁସବୁ ସ୍ବପ୍ନ ଦେଖିଛନ୍ତି, ତାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ରୂପାନ୍ତରିତ ସ୍କୁଲରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ଶିକ୍ଷା କ୍ଷେତ୍ରରେ ଓ ଭବିଷ୍ୟତ ନିର୍ମାଣ ପାଇଁ ଏହା ସେମାନଙ୍କୁ ସଶକ୍ତ କରିବ । ଏହି ରୂପାନ୍ତରିତ ସ୍କୁଲ ଗୁଡିକ ହେଉଛି ଆପଣମାନଙ୍କ ସମ୍ପତ୍ତି, ରାଜ୍ୟବାସୀଙ୍କ ସମ୍ପତ୍ତି । ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ସମସ୍ତେ ଦାୟିତ୍ବବାନ ହେବାକୁ ସେ ପରାମର୍ଶ ଦେଇଥିଲେ ।

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଚାଉଳ ଓ ଗୁଆ, ଅର୍ପଣ ରଥ ମାଧ୍ୟମରେ ସଂଗୃହୀତ କରାଯାଇଥିଲା

ପୁରୀ: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଶ୍ରଦ୍ଧାଳୁଙ୍କ ଭକ୍ତି ଅର୍ଘ୍ୟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ୧୭ ତାରିଖରେ ହୋଇଥିବା ବେଳେ ପ୍ରକଳ୍ପକୁ ନେଇ ସମଗ୍ର ରାଜ୍ୟରେ ଅର୍ପଣ ରଥ ବୁଲିଥିଲା। ଅର୍ପଣ ରଥ ମାଧ୍ୟମରେ ସଂଗୃହୀତ ଚାଉଳ, ଗୁଆ, ଶ୍ରୀଫଳ ଓ ଟଙ୍କା ଆଦିକୁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। ସଂଗୃହୀତ ଟଙ୍କାକୁ ସ୍ୱତନ୍ତ୍ର ଡୋନେସନ ସେଲ ମାଧ୍ୟମରେ ସଂଗ୍ରହ କରାଯାଇଥିବା ବେଳେ ଆଜି ଚାଉଳ ଓ ଅନ୍ୟାନ୍ୟ ଭକ୍ତି ଅର୍ଘ୍ୟକୁ ମଧ୍ୟ ସଂଗ୍ରହ କରାଯାଇଛି। ଦେବଗଡ଼ ଓ ଜଗତସିଂହପୁର ଜିଲ୍ଲାରୁ ଆସିଥିବା ଚାଉଳକୁ ଗୁଣ୍ଡିଚା ମନ୍ଦିର ଠାରେ ରଖାଯାଇଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରୁ ମଧ୍ୟ ଚାଉଳ ଏଠାରେ ପହଞ୍ଚିବ।

ସେହିପରି ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିବ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପର ପ୍ରଦକ୍ଷିଣ ପାଇଁ ଆସିବେ। ପ୍ରତିଦିନ ୧୦ ହଜାରରୁ ଅଧିକ ଭକ୍ତଙ୍କ ସୁବିଧାରେ ଦର୍ଶନ ଓ ଖାଇବା ପିଇବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ପରିବହନର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବା ନେଇ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି।

ଗୋଟିଏ ନୁହେଁ କି ଦୁଇଟି, ପୁରା ୫୭ ମୁସଲିମ ରାଷ୍ଟ୍ରଙ୍କ ରାମମନ୍ଦିର ପ୍ରତିଷ୍ଠାକୁ ବିରୋଧ

ଅଯୋଧ୍ୟା: ରାମ ମନ୍ଦିର ପ୍ରତିଷ୍ଠାକୁ ମାତ୍ର ଦୁଇ ଦିନ ଦିନ ହୋଇଛି । କିନ୍ତୁ ମନ୍ଦିର ପ୍ରତିଷ୍ଠା ଅନେକ ଦେଶର ଦେହରେ ଯାଇନି । ଗୋଟିଏ କି ଦୁଇଟି ଦେଶ ନୁହେଁ ୫୭ ମୁସଲିମ ଦେଶ ଏବେ ଭିତରେ ଭିତରେ ଜଳୁଛନ୍ତି । ମନ୍ଦିର ପ୍ରତିଷ୍ଠା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାବରି ମସଜିଦ ଥିବା ସ୍ଥାନରେ ରାମ ମନ୍ଦିର ନିର୍ମାଣ କରାଯାଇଛି । ଇସଲାମିକ ସହଯୋଗ ସଂଗଠନ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଏବଂ ଉଦଘାଟନ ଉପରେ ଗଭୀର ଚିନ୍ତା ପ୍ରକଟ କରିଛି । ଏହି ସଂଗଠନ ସବୁବେଳେ କାଶ୍ମୀର ବିବାଦ ଉପରେ ପାକିସ୍ତାନର ସାଥ ଦେଇଥାଏ । ଏଥିପାଇଁ ଏହାକୁ ଭାରତ ବିରୋଧି ବୋଲି କୁହାଯାଏ ।ପାକିସ୍ତାନ ଏହାର ସକ୍ରିୟ ସଦସ୍ୟ । ଏହି ସଂଗଠନ କାଶ୍ମୀରରେ ଧାରା ୩୭୦ ଉଠାଇବାକୁ ବିରୋଧ କରିଥିଲା ।

 

କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

କୋଟା: ସୁଇସାଇଡ୍ ହବ୍ ପାଲଟିଲାଣି କି ରାଜସ୍ଥାନର କୋଟା। ଆଜି ଚଳିତ ବର୍ଷର ପ୍ରଥମ ଆତ୍ମହତ୍ୟା ଘଟଣା ରେକର୍ଡ ହୋଇଛି । କୋଟାରେ ଜେଇଇ ପାଇଁ ପ୍ରସ୍ତୁତ କରୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ କୋଟାରେ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଏହା ପ୍ରଥମ ଆତ୍ମହତ୍ୟା ଘଟଣା। ଆତ୍ମହତ୍ୟା କରିଥିବା ଛାତ୍ରଜଣକ ହେଉଛନ୍ତି ୧୭ରୁ ୧୮ ବର୍ଷୀୟ ଛାତ୍ର ମହମ୍ମଦ ଜୈଦ।

ମହମ୍ମଦ ଉତ୍ତରପ୍ରଦେଶ ମୋରାଦାବାଦର ବାସିନ୍ଦା। ରାଜସ୍ଥାନ କୋଟାରେ ରହି ସେ ଇଂଜିନିୟରିଂ ପ୍ରବେଶିକ ପରୀକ୍ଷା ଜେଇଇ ମେନ୍ ଲାଗି ପ୍ରସ୍ତୁତ ହେଉଥିଲେ।  ଗତକାଲି ବିଳମ୍ବିତ ରାତ୍ରିରେ ଘଟିଥିଲା ଏ ଅଘଟଣ। କୋଟାର ଜୱାହର ନଗର ଥାନା ଅଂଚଳରେ ଥିବା କୋଚିଂ ସେଣ୍ଟର ହଷ୍ଟେଲରେ ରହୁଥିଲେ ଛାତ୍ର ମହମ୍ମଦ ଜୈଦ। ପୋଲିସକୁ ସୂଚନା ମିଳିବା ପରେ ତୁରନ୍ତ ସେଠାରେ ପହଞ୍ଚି ଛାତ୍ରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଆତ୍ମହତ୍ୟା କରିଥିବା କୋଠରୀରେ କୌଣସି ସୁଇସାଇଡ୍ ନୋଟ୍ ଉଦ୍ଧାର କରିନାହିଁ ପୋଲିସ।

ସୂଚନାଯାେଗ୍ୟ, ଗତ ବର୍ଷ କୋଟାରେ ମେଡିକାଲ ଏବଂ ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ୨୯ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ସାରା ଦେଶରେ ଏଜୁକେସନ ହବ୍ ଭାବେ ପରିଚୟ ପାଇଛି ରାଜସ୍ଥାନର କୋଟା। ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ କୋଟାରେ ରହି ମେଡିକାଲ ଏବଂ ଇଂଜିନିୟରିଂ ପାଇଁ ପ୍ରସ୍ତୁତ କରୁଛନ୍ତି।

ପ୍ରଥମ ଦିନରେ ରାମ ମନ୍ଦିରକୁ ଏତିକି ଦାନ ଦେଲେ ଭକ୍ତ

ଅଯୋଧ୍ୟା: ଅଯୋଧ୍ୟାରେ ଦାନ କରି ରେକର୍ଡ କଲେ ଶ୍ରଦ୍ଧାଳୁ । ପ୍ରଥମ ଦିନରେ ଦର୍ଶନ କରିଛନ୍ତି ୫ ଲକ୍ଷରୁ ଅଧିକ ରାମଭକ୍ତ । ୩ କୋଟିରୁ ଅଧିକ ଟଙ୍କା କଲେ ଦାନ । ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ରାମ ଲଲ୍ଲାଙ୍କ ଦର୍ଶନ ଲାଗି ବହୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା । ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ ମଧ୍ୟ ନାକେଦମ ହୋଇ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ଅଧିକାରୀଙ୍କ ସହ ଏକ ବୈଠକ କରି ସୁରକ୍ଷା କଡା ନିର୍ଦ୍ଦେଶ ଦେଇଥିଲେ। ୨୨ ତାରିଖ ଦିନ ରାମ ଭକ୍ତମାନେ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି ।
ରାମ ଜନମଭୂମି ଟ୍ରଷ୍ଟର ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ର କହିଛନ୍ତି, ପ୍ରାଣ ପ୍ରତିଷ୍ଠା ଦିନ ୧୦ଟି ଦାନ ହୁଣ୍ଡି ଖୋଲାଯାଇଛି । ଏହା ବ୍ୟତୀତ ଦେଶ ତଥା ବିଦେଶର ବହୁ ରାମ ଭକ୍ତ ଭଗବାନ ଶ୍ରୀରାମଙ୍କୁ ଅନଲାଇନରେ ମଧ୍ୟ ଦାନ କରିଛନ୍ତି । ଅନିଲ ମିଶ୍ରଙ୍କ କହିବାନୁଯାୟୀ, ୫ଲକ୍ଷରୁ ଅଧିକ ରାମ ଭକ୍ତ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଆସିଥିଲେ । ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ପ୍ରଶାସନ ସହିତ ପରାମର୍ଶ କରି ବ୍ୟବସ୍ଥା କରାଯାଇଥିବା କଥା ମଧ୍ୟ ସେ କହିଛନ୍ତି ।
ଅନ୍ୟପକ୍ଷରେ, ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନର ସର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସାବୋଲେ ଟ୍ରଷ୍ଟର ସମସ୍ତ ଅଧିକାରୀଙ୍କ ସହ ଏକ ବୈଠକ କରି ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ସେ ଅଯୋଧ୍ୟା ଚାରିପାଖରେ ଥିବା ସଂଗଠକମାନଙ୍କୁ ମନ୍ଦିରରେ ପରିଷ୍କାର ପରିଚ୍ଛନ୍ନତାର ଦାୟିତ୍ବ ଗ୍ରହଣ କରିବାକୁ ଏବଂ ଦର୍ଶନର ସୁବ୍ୟବସ୍ଥା କରିବାରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।