spot_img
Home Blog Page 2283

ଗୌହାଟିରେ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ମିଳିଲାନି ଅନୁମତି ; ବ୍ୟାରିକେଡ୍ ଭାଙ୍ଗିଲେ ସମର୍ଥକ

ନନ୍ଦିଘୋଷ ବ୍ୟୁରୋ : ଗୌହାଟିରେ ରାହୁଲଙ୍କ ଗର୍ଜନ । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ହେଲେ ୫ ହଜାରରୁ ଅଧିକ କର୍ମୀ ଓ ସମର୍ଥକ । ଗୌହାଟି ଦେଇ ଯାଉଛି ଏହି ନ୍ୟାୟ ଯାତ୍ରା। ତେବେ ରାହୁଲଙ୍କ ଏହି ଯାତ୍ରାକୁ ଗୌହାଟି ସହର ମଧ୍ୟ ଦେଇ ଯିବାକୁ ଅନୁମତି ଦେଇନଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସରକାର । ଏହାକୁ ନେଇ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା ।

କଂଗ୍ରେସ କର୍ମୀ ଓ ସମର୍ଥକ ଗୌହାଟି ସହର ମଧ୍ୟ ଦେଇ ଯିବାକୁ ଜିଦ୍ ଧରି ବସିଥିଲେ । ପୋଲିସ ଲଗାଇଥିବା ବ୍ୟାରିକେଡକୁ ଭାଂଗିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ । ଏହାକୁ ନେଇ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖାଦେଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏହି ଯାତ୍ରା ମେଘାଳୟ ଦେଇ ପୁଣି ଆସାମ ଭିତରକୁ ପ୍ରବେଶ କରୁଥିଲା । ତେବେ ରାହୁଲଙ୍କ ଯାତ୍ରାକୁ ଗୌହାଟିର ମୁଖ୍ୟ ସଡ଼କ ଦେଇ ଯିବାକୁ ଅନୁମତି ଦେଇନଥିଲେ ସେଠାକାର ସରକାର ।

ରାହୁଲଙ୍କ ଯାତ୍ରାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସର ଅନେକ ନେତା । ଗତକାଲି ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଥିବାବେଳେ ଆସାମରେ ସନ୍ଥ ଶଙ୍କରଦେବଙ୍କ ମନ୍ଦିରକୁ ଯିବାକୁ ଆସାମ ସରକାର ଅନୁମତି ଦେଇନଥିଲେ ।ଏହାକୁ ନେଇ ଗତକାଲି ମଧ୍ୟ ଅସ୍ଥିରତା ସୃଷ୍ଟି ହୋଇଥିଲା ।

ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣ ସଗରିଆଙ୍କ ଉପରୁ ଉଠିଲା କଂଗ୍ରେସର ନିଲମ୍ବନ

ଭୁବନେଶ୍ୱର : ତିନି କଂଗ୍ରେସ ନେତାଙ୍କ ଉପରୁ ହଟିଲା ଦଳୀୟ ନିଲମ୍ବନ । ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ଉଠିଛି । ପିସିସି ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି । ୨୦୨୩ ଜୁଲାଇ ୧୫ ତାରିଖରେ କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କୁ କଂଗ୍ରେସ ନିଲମ୍ବନ କରିଥିଲା ।

ଜାନକୀ- ବସନ୍ତ ଯୋଡ଼ି, ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନାରେ ଯୋଗଦେଇ ଉଭୟ ନେତା ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଯେଉଁଥି ପାଇଁ କଂଗ୍ରେସ ଶୃଙ୍ଖଳା କମିଟି ମୋକିମ ଓ ଚିରଞ୍ଜୀବଙ୍କୁ ନିଲମ୍ବନ କରିଥିଲା । ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ୨୦୧୯ ଜାନୁଆରୀ ୧୯ରେ ଦଳ ନିଲମ୍ବିତ କରିଥିଲା ।

ଆଗକୁ ନିର୍ବାଚନ ଥିବାରୁ ଦଳ ଏହି ତିନି ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି । ଗତକାଲି ପ୍ରଭାରୀ ଅଜୟ କୁମାରଙ୍କୁ ରାଜ୍ୟ ଅତିଥି ଭବନରେ ମୋକିମ ଓ ଚିରଞ୍ଜୀବ ସାକ୍ଷାତ କରିଥିଲେ । ସାଂଗଠନିକ ଆଲୋଚନା ହୋଇଥିଲା ବୋଲି ସୂଚନା ଦେଇଥିଲେ । ଆଜି ତିନି ନେତା ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣ ସଗରିଆଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ।

କାଶୀନଗରରେ ବିକାଶର ହିସାବ ଦେଲେ 5T ଅଧ୍ୟକ୍ଷ

ଗଜପତି : ୭ ମାସ ଭିତରେ ଗଜପତି ଜିଲ୍ଲାକୁ ମିଳିଛି ପ୍ରାୟ ୧୨୦ କୋଟି ଟଙ୍କା। କାଶୀନଗର ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ବିକାଶର ହିସାବ ରଖିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ମେ ୧୦ତାରିଖରେ ସେ ଆସି ୩୮୦ ଦରଖାସ୍ତ ପାଇଥିଲେ। ଏହା ମଧ୍ୟରୁ ୩୫୦ଟି ଦରଖାସ୍ତ ସମାଧାନ ହୋଇଛି। ଗୁମ୍ମାରେ ନୂଆ ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ଗୁମ୍ମା ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲ କରିବାକୁ ମଂଜୁରୀ ମିଳିଛି। ପାରଳାଖେମୁଣ୍ଡିରେ ୪ଲେନ୍ ବିଶିଷ୍ଟ ବାଇପାସ୍ ରାସ୍ତା ପାଇଁ ୫୦କୋଟି ଟଙ୍କା, ପାରଳାଖେମୁଣ୍ଡି ଏସକେସିଜି କଲେଜର ଉନ୍ନତିକରଣ ପାଇଁ ୨କୋଟି ୨୫ଲକ୍ଷ ଟଙ୍କା, କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜର ଫାଇଭ୍-ଟି ରୂପାନ୍ତରଣ ଲାଗି ୫୦ଲକ୍ଷ ଟଙ୍କା, ଗୁମ୍ମା ଏସସି ଏସଟି ବିଭାଗର ତୁମୁଲ ହାଇସ୍କୁଲ ପାଇଁ ୫୦ଲକ୍ଷ, କୃଷ୍ଣସାଗର ପାଇଁ ୩କୋଟି ୧୦ଲକ୍ଷ, ରାମସାଗର ପାଇଁ ୩କୋଟି ୫୦ ଲକ୍ଷ, ଗଜପତି ସାଗର ଉନ୍ନତିକରଣ ପାଇଁ କୋଟିଏ ୪୦ଲକ୍ଷ ଟଙ୍କା ମଂଜୁର କରାଯାଇଛି। ଗୁମ୍ମାରେ ମଡେଲ୍ ବସଷ୍ଟାଣ୍ଡ କାମ ସରିଛି। ପିଇବା ପାଣି ପ୍ରତି ଘରେ ପାଇପ୍ ଯୋଗେ ପହଞ୍ଚାଇବାକୁ କାମ ଆରମ୍ଭ ହେବ। ୭ମାସ ଭିତରେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ ୧୧୮ କୋଟି ୩୦ଲକ୍ଷ ମଂଜୁର କରାଯାଇଛି। ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସଂପର୍କିତ ଦରଖାସ୍ତ ନେଇ ୧୦ଦିନ ଭିତରେ ଖୁସି ଖବର ପାଇବେ। ସ୍ବଚ୍ଛତାର ସହ ସରକାରୀ ଅନୁଦାନ ଖର୍ଚ୍ଚ କରିବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଛି। ଖୁବ୍ ଶୀଘ୍ର ଭତ୍ତା ସହ ଆଶା, ଅଙ୍ଗନବାଡ଼ି ଦିଦି, ସ୍ବଚ୍ଛ ସାଥୀଙ୍କ ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ। ପ୍ରତି ପଞ୍ଚାୟତରେ ମିଳିବ ବ୍ୟାଙ୍କସେବା ସୁବିଧା । ଗ୍ରାମାଞ୍ଚଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ନଥିବା ଲୋକଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ପାଇଁ ଆବେଦନ କରିବାକୁ କହିଛନ୍ତି 5T ଅଧ୍ୟକ୍ଷ। ଗାଁର ପ୍ରତି ପରିବାରକୁ ମିଳିବ ସ୍ବାସ୍ଥ୍ୟକାର୍ଡ। ଗରିବ ଜନତାଙ୍କ ପରିବାରରେ ବଡ଼ ରୋଗ ଆସିଲେ ଦୃଢ ଇଚ୍ଛାଶକ୍ତି ସହ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଶକ୍ତ କରୁଛନ୍ତି। ଏହି ସରକାର ଲୋକଙ୍କ ସରକାର । ଭଲ କାମ କରି ନୂଆ ଓଡ଼ିଶା ଗଠନ କରିବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

କଠିନ ପରିଶ୍ରମ ଦ୍ବାରା ହିଁ ମିଳିବ ସଫଳତା: ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ

ଗଜପତି : ଗଜପତି ଜିଲ୍ଲା ଗସ୍ତରେ  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଠାରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି 5T କାର୍ତ୍ତିକ ପାଣ୍ଡିଆନ । ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳ ହେବାକୁ ଦେଇଛନ୍ତି ସକସେସ୍ ଟିପ୍ସ। ପାଠପଢା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ପାଠପଢା ସହ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ହେବ। ଆଉ ଏହି ବ୍ୟକ୍ତିତ୍ବ ବୃଦ୍ଧି କରିବାକୁ ଏହି ନୂଆ ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କୌଣସି ପ୍ରତିଯୋଗିତାରେ ଜିତିବା ଅପେକ୍ଷା ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ କରିବାରେ ସହାୟକ ହେବ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ସହ ଆତ୍ମବିଶ୍ବାସ ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ସଫଳତା ହାସଲ କରିବାକୁ ଫିଟ୍ ରହିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏଥିଲାଗି ପ୍ରତିଦିନ ୩୦ ମିନିଟ ଶାରିରୀକ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି ।

ଶାରିରୀକ ବ୍ୟାୟାମ ସହ ଦୈନିକ ମାନସିକ ୧୫ ମିନିଟ ଧ୍ୟାନ କରିବାକୁ ମଧ୍ୟ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦିନରାତି ଯିଏ ଏକା କରି ଖଟିବ ସିଏ ଉପରକୁ ଯିବ । ସଫଳତାର ମୂଳ ମନ୍ତ୍ର କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ । ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା ଆରମ୍ଭ; ୩୫ ମିନଟରେ ୭୦କିମି ଦୂର ମେଡିକାଲରେ ପହଞ୍ଚିଲା ରକ୍ତ

ଭୁବନେଶ୍ୱର : ଡ୍ରୋନ୍ ଯୋଗେ ମେଡିକାଲରେ ପହଞ୍ଚିଲା ରକ୍ତ । ଭୁବନେଶ୍ୱର ଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା ଆରମ୍ଭ ହୋଇଛି । ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛି ଡ୍ରୋନ୍‌ । ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ସହ ରକ୍ତ ନମୁନା ସଂଗ୍ରହ କରି ଅଣାଯାଇଛି । ଡ୍ରୋନ୍ ଯୋଗେ ଅତି ଜରୁରୀ ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏମ୍ସ ପକ୍ଷରୁ ଓଡ଼ିଶାରେ ଏହି ସେବା ପ୍ରଥମ । ୭୦ କିଲୋମିଟର ଦୂରକୁ ୩୫ ମିନଟ ସମୟ ଲାଗିଛି । ଦିନ ୧୨ଟାରେ ଏମ୍‌ସରୁ ବାହାରି ୧୨ଟା ୩୫ ମିନିଟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରୋନ୍‌ ପହଞ୍ଚିଥିଲା ।

କୁନୋ ଜାତୀୟ ଉଦ୍ୟାନରେ ଜନ୍ମ ନେଲେ ୩ ଚିତା ଶାବକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆସିଥିବା ଚିତା ବାଘ ୩ ଶାବକ ଜନ୍ମ ଦେଇଛି। ଏଥିସହିତ ଚିତା ବାଘ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ତେବେ ଏନେଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ରେ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସୂଚନା ଦେଇ ବନ୍ୟଜନ୍ତୁ ପ୍ରେମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି ଯେ, ‘‘କୁନୋରେ ନୂତନ ଛୁଆ! ଜ୍ୱାଳା ନାମକ ନାମିବିୟା ଚିତା ୩ ଶାବକ ଜନ୍ମ ଦେଇଛି। ଦେଶର ସମସ୍ତ ବନ୍ୟଜନ୍ତୁ ସୁରକ୍ଷାକର୍ମୀ ଏବଂ ବନ୍ୟଜନ୍ତୁ ପ୍ରେମୀଙ୍କୁ ଅଭିନନ୍ଦନ’’ ।

ଅପରପକ୍ଷେ କିଛି ଦିନ ପୂର୍ବରୁ ଅନ୍ୟ ଏକ ଚିତା ‘ଆଶା’ ମଧ୍ୟ ଛୁଆ ଜନ୍ମ କରିଥିଲା। ତେବେ ୧୯୫୨ ମସିହାରେ ଚିତାଙ୍କୁ ଭାରତରେ ବିଲୁପ୍ତ ଘୋଷିତ କରାଯାଇଥିଲା। ୨୦୨୨  ମସିହାରେ ଅନ୍ୟଏକ ପ୍ରକଳ୍ପ ମାଧ୍ୟମରେ ଚିତାର ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା କରାଯାଇଥିଲା। ଗତ ସପ୍ତାହରେ ନାମିବିଆରୁ ଆସିଥିବା ଏକ ଚିତା କୁନୋ ଜାତୀୟ ଉଦ୍ୟାନରେ ମୃତ୍ୟୁ ବରଣ କରିଥିଲା। ମାର୍ଚ୍ଚ ୨୦୨୩ ପରଠାରୁ ଭାରତରେ ଜନ୍ମ ହୋଇଥିବା ୭ ବୟସ୍କ ଚିତା ଏବଂ ୩ ଛୁଆଙ୍କର ମୃତ୍ୟୁ ଘଟିଛି।

 

ଟଙ୍କା ଗଣତି ବେଳେ ମା’ ସମଲେଶ୍ବରୀଙ୍କ ହୁଣ୍ଡିରୁ ବାହାରିଲା ପ୍ରେମ ପତ୍ର

ସମ୍ବଲପୁର : ମା’ ସମଲେଶ୍ବରୀଙ୍କ ହୁଣ୍ଡିରୁ ବାହାରିଲା ପ୍ରେମ ପତ୍ର । ଟଙ୍କା ଗଣତି ସମୟରେ ବାହାରିଲା ପ୍ରେମ ସଫଳ ପାଇଁ ମା’ଙ୍କୁ ଲେଖାଯାଇଥିବା ପ୍ରେମପତ୍ର । ସେଥିରେ ନିଜର ପ୍ରେମ କିପରି ସଫଳ ହେବ ସେନେଇ ଯୁବତୀ ଜଣକ ଏହି ପ୍ରେମପତ୍ର ଲେଖିଛନ୍ତି ।

ଯୁବତୀଙ୍କ ନାଁ ବର୍ଷା ହୋଇଥିବା ବେଳେ, ସେ ତାଙ୍କ ପ୍ରେମିକ କାହ୍ନା ପାଇଁ ଏହି ପ୍ରେମପତ୍ର ଲେଖିଛନ୍ତି । କାହ୍ନା ସହ ତାଙ୍କର ବାହାଘର ହୋଇଯାଉ ଓ ଉଭୟେ ଏକା ସାଙ୍ଗରେ ବିବାହ ପରେ ମାଙ୍କ ଦର୍ଶନ ପାଇଁ ଆସିବେ ବୋଲି ପ୍ରେମପତ୍ରରେ ଲେଖିଛନ୍ତି ବର୍ଷା । ଏହା ସହ ସେ କାହ୍ନାକୁ କେତେ ଭଲ ପାଆନ୍ତି ତାହା ବି ପ୍ରେମପତ୍ରରେ ଉଲ୍ଲେଖ ରହିଛି ।

ରାମ ମନ୍ଦିରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼; ବନ୍ଦ କରିଦେଲେ ପ୍ରବେଶ ଦ୍ୱାର

ଅଯୋଧ୍ୟା : ନବ ନର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜି ସର୍ବସାଧାରଣ ତଥା ଭକ୍ତଙ୍କ ପାଇଁ ଖୋଲା ଯାଇଥିଲା ମନ୍ଦିର । ହେଲେ ସକାଳୁ ମନ୍ଦିର ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା  । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଦର୍ଶନ ବ୍ୟବସ୍ଥାରେ ଭକ୍ତଙ୍କ ଭିଡ଼ ଏତେ ବଢିଯାଇଥିଲା ଯେ,ଏହାକୁ ସମ୍ଭାଳିବା କଷ୍ଟକର ହୋଇଥିଲା ।  ଅସମ୍ଭାଳ ଭିଡ଼ କାରଣରୁ ୯.୩୦ରୁ ହିଁ ବ୍ୟାରିକେଟ୍ ଲଗାଇ ମନ୍ଦିର ପ୍ରବେଶ ଦ୍ୱାର ବନ୍ଦ କରିଦିଆଗଲା । ବର୍ତ୍ତମାନ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି ।

ରାମ ଲଲାଙ୍କ ଦର୍ଶନ ପାଇଁ ଭୋର ୩ଟାରୁ ଲୋକମାନେ ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ଆଜି ଦର୍ଶନ କରିବାକୁ ଛୁଟି ଆସିଥିଲେ ଭକ୍ତବୃନ୍ଦ । ଏହାପରେ ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ଏହପରେ ଭିଡ଼ ଅଚାନକ ବୃଦ୍ଧି ପାଇଥିଲା । ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ମନ୍ଦିର କର୍ତ୍ତୃପକ୍ଷ । ଏହାରପରେ ମୁଖ୍ୟ ଗେଟ୍‌ ବନ୍ଦ କରିବା ସହ ରାପିଡ୍‌ ଆକ୍ସନ ଫୋର୍ସକୁ ଡକା ଯାଇଥିଲା ।

ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ଦେଢ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ପ୍ରତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ୧୫ରୁ ୨୦ ସେକେଣ୍ଡ ସମୟ ମିଳିବ । ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି । ସାରା ଦେଶରୁ ଅଯୋଧ୍ୟାକୁ ଛୁଟି ଆସିଛନ୍ତି ଭକ୍ତ । ସେହିପରି ଅନେକ ଶ୍ରଦ୍ଧାଳୁ ଅଯୋଧ୍ୟା ଯିବାକୁ ଟିକେଟ୍ ବୁକ୍ କରିସାରିଛନ୍ତି । ଗତକାଲି ମହାସମାରୋହରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ହଜାର ହଜାର ସଂଖ୍ୟାରେ ସାଧୁସନ୍ଥଙ୍କ ଗହଣରେ ଭକ୍ତିମୟ ହୋଇ ଉଠିଥିଲା ପରିବେଶ । ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରେ ଗତକାଲି ପାଳନ ହୋଇଥିଲା ଦୀପୋତ୍ସବ । ଘରେ ଘରେ ଲୋକେ ଦୀପ ଜାଳି ରାମଙ୍କୁ ପୂଜାର୍ଚ୍ଚନା ସହ ସ୍ବାଗତ କରିଥିଲେ । ଜୋରଦାର ଆତସବାସୀ ମଧ୍ୟ ଦେଖିବାକୁ ମିଳିଥିଲା । ୧୦ ଲକ୍ଷରୁ ଅଧିକ ଦୀପ ଆଲୋକରେ ଝଲସି ଉଠିଥିଲା ପୂରା ଅଯୋଧ୍ୟା ନଗରୀ।

 

ଲଖନପୁର ଥାନା ପୂର୍ବତନ ମହିଳା ଇନସ୍ପେକ୍ଟର ସନ୍ଧ୍ୟାରାଣୀ ଜେନା ନିଲମ୍ବିତ

ଝାରସୁଗୁଡ଼ା : ଲଖନପୁର ଥାନାର ପୂର୍ବତନ ମହିଳା ଇନସ୍ପେକ୍ଟର ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ପୋଲିସ ମୁଖ୍ୟାଳୟରୁ ନିଲମ୍ବନ ଆଦେଶ ଜାରି କରାଯାଇଛି । ଗତ ସପ୍ତାହରେ ଝାରସୁଗୁଡ଼ା ଏସ୍‌ପି ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଥାନାରୁ ପ୍ରତ୍ୟାହାର କରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରିଥିଲେ । ତଦନ୍ତ ରିପୋର୍ଟ ପ୍ରଦାନ ପରେ ତାଙ୍କୁ ନିଲମ୍ବିତ କରାଯାଇଛି ।

ଗତ ୮ ତାରିଖରେ ଜାତୀୟ ରାଜପଥ-୪୯ର ବେଲପାହାଡ଼ ଲଖନପୁର ମଧ୍ୟରେ ବଞ୍ଜାରୀ ଲିଲାରୀ ସେତୁ ନିକଟରେ ଦୁର୍ଘଟଣାରେ ମୃତକଙ୍କ ଶବକୁ ବେଲପାହାଡ଼ ଥାନା ପରିସରରେ ରଖି ତଦନ୍ତକୁ ଏଡ଼ାଇବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଥିଲା । ୨୦୨୦ ମସିହାରେ ସନ୍ଧ୍ୟାରାଣୀ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଆଇଆଇସି ଭାବେ ଥିବା ବେଳେ, ଜଣେ ଅଭିଯୁକ୍ତଙ୍କୁ ମାଡ ମାରିବା ଅଭିଯୋଗ ଘଟଣାରେ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଥିଲେ । ସେହି ଘଟଣାକୁ କେନ୍ଦ୍ର କରି ରାଜ୍ୟ ମାନବାଧିକାର କମିଶନ ତାଙ୍କୁ ଆଉ କୌଣସି ଥାନାରେ ତିନି ବର୍ଷ କାଳ ପର୍ଯ୍ୟନ୍ତ ଆଇଆଇସି ଭଳି ପଦବିରେ ଅବସ୍ଥାପିତ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଲଖନପୁର ଥାନାରେ ତାଙ୍କୁ ଆଇଆଇସି ଦାୟିତ୍ୱରେ ରଖାଯାଇଥିବା ଅଭିଯୋଗ ହୋଇ ଆସୁଥିଲା ।

ଚୀନରେ ବଡ଼ ଧରଣର ଭୂକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ

ନୂଆଦିଲ୍ଲୀ : ଚୀନରେ ବଡ ଧରଣର ଭୂକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ କରାଯାଇଛି । ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ନେପାଳ ସହ ଭାରତର ଦିଲ୍ଲୀ ଏନସିଆର ଏବଂ ଉତ୍ତର ଭାରତର ଏକାଧିକ ଅଞ୍ଚଳରେ ଅନୁଭୂତ ହୋଇଛି । ଏହାପରେ ବି ଚୀନରେ ଏକାଧିକ ଥର ଭୂମିକମ୍ପ ସୃଷ୍ଟି ହୋଇଛି । ଯାହାର ତୀବ୍ରତା ୪.୫ ଯାଏଁ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜିର ସୂଚନ ମୁତାବକ, ଭୂମିକମ୍ପ ଚୀନ୍ ଓ ନେପାଳ ସୀମା ପାଖ ଦକ୍ଷିଣ ଝିଞ୍ଜିୟାଙ୍ଗରେ କେନ୍ଦ୍ରୀଭୂତ ହୋଇଛି । ଭୂଗର୍ଭର ୮୦ କିଲୋମିଟରରେ ଏହା ସୃଷ୍ଟି ହୋଇଥିବା ଜଣାପଡିଛି । ଭୂକମ୍ପରେ କ୍ଷୟକ୍ଷତିର ସୂଚନା ମିଳିନାହିଁ ।