କେନ୍ଦୁଝର: କେନ୍ଦୁଝର ବରପଦା ଠାରେ ଥିବା କେ.ଜେ.ଏସ୍. ଆଲ୍ଲୁଓ୍ବାଲିଆ ପ୍ଲାଣ୍ଟରେ ବିସ୍ଫୋରଣ । ମଧ୍ୟାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ୍ ଫର୍ନେସରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ୍ ଫର୍ନେସରୁ ତରଳ ଧାତୁ ଛିଟିକି ପାଖରେ ଥିବା ଏକ ହାଇୱା ଉପରେ ପଡିଥିଲା । ଫଳରେ ହାଇୱାର ପଛଭାଗ ଜଳି ଯାଇଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ପୋଲିସ କହିଛି । ଦୁର୍ଘଟଣା ସମୟରେ ପାଖରେ କେହି ଶ୍ରମିକ ନଥିବାରୁ ବଡ ଅଘଟଣ ଟଳିଛି ।
ଗେମ୍ ଖେଳୁଥିବା ବେଳେ ଭର୍ଚୁଆଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ମେଟାଭର୍ସରେ ୧୬ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ। ଗେମ୍ ଖେଳୁଥିବା ବେଳେ ଭର୍ଚୁଆଲରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ବ୍ରିଟେନରେ ଏଭଳି ପ୍ରଥମ ମାମଲା ସାମନାକୁ ଆସିଛି। ନାବାଳିକା ଜଣକ ଭର୍ଚୁଆଲ୍ ରିୟଲିଟି ବା ଭିଆର ହେଡସେଟ୍ ପିନ୍ଧି ଗେମ୍ ଖେଳୁଥିବା ବେଳେ ତାଙ୍କ ଡିଜିଟାଲ୍ ଅବତାର ସହ କିଛି ଅଜଣା ଲୋକ ଗ୍ୟାଙ୍ଗରେପ୍ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କର ଶାରୀରିକ ଭାବେ କୌଣସି କ୍ଷତି ହୋଇନି। ହେଲେ ମାନସିକ ସ୍ତରରେ ସେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଜଣେ ଦୁଷ୍କର୍ମ ପୀଡ଼ିତା ଯେଉଁଭଳି ମାନସିକ ଭାବେ କ୍ଷତ ବିକ୍ଷତ ଅନୁଭବ କରନ୍ତି, ସେହିପରି ଭର୍ଚୁଆଲ ଗ୍ୟାଙ୍ଗରେପରେ ପୀଡ଼ିତା ଜଣକ ସମାନ ଅବସ୍ଥା ଅନୁଭବ କରିଛନ୍ତି ବୋଲି କହିଛନ୍ତି । ପୂର୍ବରୁ ମଧ୍ୟ ମେଟାଭର୍ସରେ ଏଭଳି ଅତ୍ୟାଚାର ମାମଲା ସାମନାକୁ ଆସିଛି । ହେଲେ ଗଣଦୁଷ୍କର୍ମର ଏହା ପ୍ରଥମ ମାମଲା ।
ନୀଳଗିରି ଉପଖଣ୍ଡ ଟଣକା ଗାଁରେ ଭାଲୁ ଆତଙ୍କ
ନୀଳଗିରି: ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ଭାଲୁ । ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ ଟଣକା ଗାଁରେ ଭାଲୁ ଆତଙ୍କ। ବାଡ଼ିରେ କାମ କରୁଥିବାବେଳେ ଯୁବକଙ୍କୁ ଏକ ଭାଲୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛି । ଜୀବନ ବଞ୍ଚାଇବାକୁ ଯୁବକ ଦୌଡ଼ିଥିବାବେଳେ ଭାଲୁ ପିଛା ଛାଡ଼ିନଥିଲା । ପରିବାର ଲୋକ ଯୁବକ ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସ୍ଥାନୀୟ ଲୋକମାନେ ଭାଲୁଟିକୁ ଘଉଡ଼ାଇବା ସମୟରେ ଭାଲୁଟି ଅନ୍ୟ ଜଣେ ଯୁବକଙ୍କୁ ବି ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣର ଶିକାର ହୋଇଥିବା ଦୁଇ ଯୁବକ ହେଲେ ଲକ୍ଷ୍ମୀଧର ନାୟକ ଏବଂ ଶିବ ଶଙ୍କର ସିଂ। ଉଭୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଇଡି ସମନର ଜବାବ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଇଡିରେ ହାଜର ହେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ ହୋଇଛି । ୩ ଥର ସମନ ହୋଇଥିଲେ ସୁଦ୍ଧା ହାଜର ହୋଇ ନାହାନ୍ତି କେଜ୍ରିଓ୍ବାଲ । ସେ କହିଛନ୍ତି କି, ଉଦ୍ଦେଶ୍ୟମୂଳକ ଭାବେ ଏଭଳି ସମନ କରାଯାଇଛି । ଏହାଦ୍ବାରା ମୋର ପ୍ରତିଷ୍ଠା କ୍ଷୁର୍ଣ୍ଣ ହେଉଛି । ଆସନ୍ତା ୧୯ ତାରିଖରେ ରାଜ୍ୟସଭା ନିର୍ବାଚନ ରହିଥିବାବେଳେ ଜାନୁୟାରୀ ୨୬ ପାଇଁ ମୁଁ ବ୍ୟସ୍ତ ରହିଛି । ଏଣୁ ଯାହା ପ୍ରଶ୍ନ କରିବାର ଅଛି ଲେଖିକି ପଠାନ୍ତୁ । ମୁଁ ଲେଖା ମାଧ୍ୟମରେ ଉତ୍ତର ପଠାଇବି । ମୁଁ ଆଶ୍ଚର୍ଯ୍ୟ ହୋଇଛି ଯେ ମୋ ଦ୍ବାରା ଉଠାଯାଇଥିବା ଆପତ୍ତି ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ପୁଣିଥରେ ସମନ ପଠାଯାଇଛି । ମୋତେ ଲାଗୁଛି ଏହି ସମନର କୌଣସି କାରଣ ନାହିଁ । ଇଡିର ବ୍ୟବହାର ଉଦ୍ଦେଶ୍ୟମୂଳକ ବୋଲି ମନେ ହେଉଛି । ଏହାସହ କେଜ୍ରିଓ୍ବାଲ କହିଛନ୍ତି କି, ମୁଁ ପୂର୍ବଭଳି ଆଇନକୁ ସମ୍ମାନ କରେ ଏବଂ ତଦନ୍ତରେ ସହଯୋଗ କରୁଛି । ମୁଁ ପଚାରିଥିବା ପ୍ରଶ୍ନର ଉତ୍ତର ମୋତୋ ମିଳୁନାହିଁ ବୋଲି କହିଛନ୍ତି କେଜ୍ରିଓ୍ବାଲ ।
ତିନ୍ ପାହାଡି ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୋଲିସ
କମିଶନରେଟ ପୋଲିସ ହାତରେ ତିନ୍ ପାହାଡି ଗ୍ୟାଙ୍ଗ । ୮ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ସବୁ ଡକାୟତ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ମୋ ବସ ଓ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଦୀର୍ଘ ଦିନ ଧରି କରୁଥିଲେ ଲୁଟପାଟ । କଟକ ପୁରୀରୁ ହୋଇଥିବା ଶତାଧିକ ମୋବାଇଲ ଲୁଟରେ ଏମାନେ ସାମିଲ ବୋଲି ଜଣାପଡିଛି । ଭିନ୍ନ ଭିନ୍ନ କୌଶଳରେ ଟଙ୍କା ଓ ମୋବାଇଲ ଲୁଟିନେଉଥିଲେ । ଏମାନଙ୍କଠାରୁ ୨୨ଟି ଫୋନ ସହ ଏକ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି । ଲୋକଙ୍କୁ ଲୁଟିବା ପାଇଁ ଝାଡ଼ଖଣ୍ଡରୁ ଭୁବନେଶ୍ୱର ଆସିଥିଲେ । ଏମାନଙ୍କ ନାଁ ରେ ରାଜ୍ୟ ଓ ରାଜ୍ୟ ବାହାରେ ପୁଳା ପୁଳା ମାମଲା ରହିଛି । ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୋଲିସର ଛାନଭିନ ଜାରି ରହିଛି ।
ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟର ବଡ ନିଷ୍ପତ୍ତି : ଏସଆଇଟି ତଦନ୍ତକୁ କଲେ ନାଁ
ନୂଆଦିଲ୍ଲୀ: ବୁଧବାର ଦିନ ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ସେବିର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟର ୩ ବିଚାରପତି ଦଳ ନିଜର ରାୟରେ କହିଛନ୍ତି ଯେ, ସେବି ଠିକ୍ ତଦନ୍ତ କରୁଛି ଏବଂ ତାର ତଦନ୍ତରେ କିଛି ବି ଭୁଲ୍ ନାହିଁ । ସେୟାର୍ ମାକେର୍ଟ ରେଗୁଲେଟର୍ ଆଦାନୀ ହିଣ୍ଡେନବର୍ଗ ମାମଲାରେ ୨୪ଟି ମାମଲା ମଧ୍ୟରୁ ୨୨ଟି ମାମଲାରେ ଯାଞ୍ଚ ଶେଷ କରିସାରିଛି । ଏବଂ ୨ଟି ମାମଲାରେ ତଦନ୍ତ ବିଚାରଧୀନ ରହିଛି । ଅବିଶିଷ୍ଟ ଦୁଇଟି ମାମଲାର ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟ ସେବି କୁ ତିନି ମାସ ସମୟ ଦେଇଛି । ଏହା ପୂର୍ବରୁ ନଭେମ୍ବର ୨୪ରେ ଏହି ମାମଲାର ଶୁଣାଣି ବେଳେ ମାକେର୍ଟ ରେଗୁଲେଟର୍ ସେବି ଏବଂ ବିଶେଷଜ୍ଞ କମିଟିର ଅନୁସନ୍ଧାନରେ ଉଠାଯାଇଥିବା ପ୍ରଶ୍ନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ସୂଚନା ଅନୁସାରେ, ଆମେରିକା ଷ୍ଟକ୍ ବିକ୍ରେତା ସଂସ୍ଥା ୨୦୨୩ ମସିହାରେ ଜାନୁୟାରୀ ମାସରେ ଆଦାନୀ ଗ୍ରୁପ୍ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ ପ୍ରଖ୍ୟାତ କର୍ପୋରେଟ୍ ଆଦାନି ଗ୍ରୁପ୍ ଷ୍ଟକ୍ ପ୍ରାଇସ୍ ଜାଲିଆତି କରିଥିବା ଅଭିଯୋଗ କୁ ନେଇ ସୃଷ୍ଟି ହୋଇଥିବା ଆଦାନି ହିଣ୍ଡେନବର୍ଗ ବିବାଦ ଉପରେ ଆସିଥିବା କିଛି ପିଟିସନ୍ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଆମେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାର ସମ୍ପୂର୍ଣ୍ଣ ଅନୁସନ୍ଧାନ ରିପୋର୍ଟ ଦାଖଲ କରିବା କୁ SEBI କୁ ନିର୍ଦ୍ଦେଶ ଦେଇଛୁ। ବୁଧବାର ଦିନ ଆଦାନୀ-ହିଣ୍ଡେନ୍ ବର୍ଗମାମଲାରେ ପ୍ରଧାନ ବିଚାରପତି ଡି ଏହି ରାୟ ପ୍ରଦାନ କରୁଥିବାବେଳେ ସିଜେସି କହିଛନ୍ତି ଯେ SEBI ର ଅଧିକାରରେ ହସ୍ତକ୍ଷେପ କରିବା କୋର୍ଟର ସୀମିତ କ୍ଷମତା ଅଛି। ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ SEBI ନିଜେ ଏହି ଘଟଣାର ଅନୁସନ୍ଧାନ କରିବ, ତଦନ୍ତ ଏସଆଇଟିକୁ ହସ୍ତାନ୍ତର ହେବ ନାହିଁ।

