ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଜଣ ବ୍ୟକ୍ତିଙ୍କ ପରିବାର ପାଇଁ ୩ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ଜଣାଇଲେ ସମବେଦନା । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମାଗଣା ଚିକିତ୍ସା ପାଇଁ ଦେଇଛନ୍ତି ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆଣୋଗ୍ୟ କାମନା କରିଛନ୍ତି ।
JNUର ଆଉ ଏକ ପରିଚୟ ଜଗନ୍ନାଥ ବିଶ୍ବବିଦ୍ୟାଳୟ: ଜେଏନୟୁ କୁଳପତି
ଭୁବନେଶ୍ବର: ସବୁବେଳେ ଛାତ୍ର ଅଶାନ୍ତି ନେଇ ଚର୍ଚ୍ଚାରେ ରହୁଥିବା ଜେଏନୟୁ କ୍ୟାମ୍ପସ୍ ଏବେ ଶାନ୍ତ । ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଦ୍ବିତୀୟ ସର୍ବାଧିକ ଓଡ଼ିଆ ପିଲା ପଢୁଥିବାରୁ ଏହା ଜଗନ୍ନାଥ ବିଶ୍ବବିଦ୍ୟାଳୟ ଭାବେ ମଧ୍ୟ ପରିଚିତ ବୋଲି କହିଛନ୍ତି ଜେଏନୟୁ କୁଳପତି ଶାନ୍ତିଶ୍ରୀ ଧୁଲିପଡ଼ି ପଣ୍ଡିତ । ଓଡ଼ିଆ ଭାଷାର ଗବେଷଣା ଦିଗରେ ବିଜୁ ପଟ୍ଟନାୟକ ଉତ୍କର୍ଷ କେନ୍ଦ୍ର ପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନକୁ ମଧ୍ୟ ପ୍ରଶଂସା କରାଯାଇଛି । ଏଥିପାଇଁ ଓଡ଼ିଶା ସରକାର ୧୦ କୋଟି ଟଙ୍କା କର୍ପସ ଫଣ୍ଡ ଗଠନ କରିଛନ୍ତି । ଓଡ଼ିଶାର ଜେଏନୟୁ ଆଲୁମିନି ସଂଘର ବାର୍ଷିକ ଉତ୍ସବରେ ପ୍ରତିଷ୍ଠିତ ଅଧିକାରୀମାନେ ନିଜ ନିଜ ଅନୁଭୂତି ବଖାଣିଛନ୍ତି ।
ଭୁବନେଶ୍ବରରେ ଆୟୋଜିତ ହୋଇଛି ଆଲୁମିନି ସଂଘର ବାର୍ଷିକ ଉତ୍ସବ । ଏହା ଭିତରେ ଜେଏନୟୁ ପରିବେଶ କିପରି ବଦଳିଛି, କିପରି ଅଶାନ୍ତ କ୍ୟାମ୍ପସ ଏବେ ଶାନ୍ତ ହୋଇଛି, କିପରି ଏଠାରେ ଅନେକ ପାଠ୍ୟକ୍ରମ ଖୋଲିବା ସହ ଅନେକ ପ୍ରଫେସର ନିଯୁକ୍ତି ହୋଇଛନ୍ତି, ସେ ବାବଦରେ ବିସ୍ତୃତ ତଥ୍ୟ ରଖିଛନ୍ତି ଉତ୍ସବର ମୁଖ୍ୟ ଅତିଥି ଜେଏନୟୁ କୁଳପତି । ଓଡ଼ିଶା ସହ ଜେଏନୟୁର ସମ୍ପର୍କ ଖୁବ୍ ନିବିଡ଼ । ଏଥିପାଇଁ ଆଦିକବି ସାରଳା ଦାସ ଏବଂ ବିଜୁ ପଟ୍ଟନାୟକଙ୍କ ନାମରେ ସ୍ବତନ୍ତ୍ର ଚେୟାର ପ୍ରତିଷ୍ଠା କରାଯାଇଛି, ସେଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି କୁଳପତି ।
ଏହି ଅବସରରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ସେମାନଙ୍କ ଜେଏନୟୁ ଜୀବନ ବିଷୟରେ ଅନୁଭୂତି ରଖିଥିଲେ । ଜେଏନୟୁରେ ପ୍ରବେଶ ପରେ ସୀତାରାମ ୟେଚୁରୀଙ୍କ ବକ୍ତବ୍ୟରେ ଆକର୍ଷିତ ହୋଇ ଏସଏଫଆଇରେ ମିଶି ୭ ଦିନ ପାଇଁ ତିହାର ଜେଲ ଯାଇଥିଲେ ବୋଲି WODC ଚେୟାରମ୍ଯାନ ଅସିତ ତ୍ରିପାଠୀ କହିଛନ୍ତି । ସେ ରହୁଥିବା ଝେଲମ ହଷ୍ଟେଲ ବିଦ୍ରୋହର କେନ୍ଦ୍ରବିନ୍ଦୁ ଥିଲା ବୋଲି ଅସିତ କହିଥିବା ବେଳେ ମିଶନ ଶକ୍ତି ତଥା ଓଡ଼ିଆ ଭାଷା ସଂସ୍କୃତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଜେଏନୟୁର ବନ୍ଧୁତା ସବୁଠୁ ପବିତ୍ର ବୋଲି କହିଛନ୍ତି । ୧୯୯୬ରେ ସୁଜାତା କାର୍ତ୍ତିକେୟନ ମଧ୍ୟ ଜେଏନୟୁରେ ରାଜନୈତିକ ସମାବେଶରେ ଯୋଗ ଦେଇଥିଲେ ଏବଂ ଫ୍ରୀ ଥିଙ୍କର୍ସ ପାର୍ଟିର ପ୍ରେସିଡ଼େନ୍ସିଆଲ ସ୍ପିଚରେ ଅନୁପ୍ରାଣୀତ ହୋଇଥିଲେ ।
ଉତ୍ସବରେ ଜେଏନୟୁରୁ ପାସଆଉଟ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ନିଜ ନିଜର ଅନୁଭୂତି ରଖିଥିଲେ । ଏଥିରେ ସାମ୍ବାଦିକ ସୌମ୍ୟଜିତ ପଟ୍ଟନାୟକ, ଟାଟା ଷ୍ଟିଲ କର୍ପୋରେଟ କମ୍ୟନିକେସନ ମୁଖ୍ୟ ଅମ୍ବିକା ନନ୍ଦ, ପ୍ରଫେସର ଆଶା ହଂସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଭକ୍ତ ବେଶରେ ଲେଡି ଲୁଟେରା: ସତସଙ୍ଗ ଭଜନ ବେଳେ ସୁନା ଚେନ ଲୁଟ୍, ଜଣେ ଅଟକ
ଭୁବନେଶ୍ବର: ସତସଙ୍ଗରେ ସତ୍ୟାନାଶ କରି ଦେଲେ ଲେଡି ଲୁଟେରା । ବିଶ୍ୱାସରେ ବିଷ ଦେଇ ଲୁଟି ନେଲେ ସୁନା । ଭକ୍ତ ହୋଇ ଆସିଲେ, ଚେନ ଝାମ୍ପି ଖସିଲେ । ସାହସୀ ଯୁବତୀଙ୍କ ପାଇଁ ଧରାପଡିଲେ ଜଣେ ଲୁଟେରା । ଲୁଟର ଶିକାର ଦୁଇ ମହିଳା ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ।
ମଞ୍ଚେଶ୍ୱର ରେଲୱେ ଷ୍ଟାଡିୟମରେ ଚାଲିଥିଲା ସତସଙ୍ଗ । ଏକାଠି ହୋଇଥିଲେ ୫ ଲକ୍ଷ ଲୋକ । କିଏ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ତ ଆଉ କିଏ ଆର୍ଥିକ ଅନଟନର ଶିକାର । ପୁଣି କିଏ ପାରିବାରିକ ସମସ୍ୟା କବଳିତ ହୋଇ ଅଶାନ୍ତିରେ ଆଉଟୁ ପାଉଟୁ ହେଉଛି । ଏମିତି କେତେ ସମସ୍ୟାର ସରଳ ସମାଧାନ ପାଇଁ ହଜାର ହଜାର ମହିଳା ଏକତ୍ରିତ ହୋଇଥିବା ବେଳେ ସାମ୍ନାକୁ ଆସିଛି ଅଭାବନୀୟ ଦୃଶ୍ୟ । ଏକାଧିକ ମହିଳାଙ୍କ ବେକରୁ ଲୁଟ ହୋଇଛି ସୁନା ଚେନ । ୨୦ ଭରିର ଗୋଟିଏ ସୁନା ଚେନ ଲୁଟ ପରେ କବିସୂର୍ଯ୍ୟ ନଗରରୁ ଆସିଥିବା ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଭଗବାନଙ୍କ ପାଖକୁ ଆସି ହିନସ୍ତା ଭୋଗିଲେ ବୋଲି ଦୁଃଖର ସହ କହିଛନ୍ତି ।
ସେପଟେ ଗହଳି ଭିତରେ ଲୁଟ ପାଟ କରୁଥିବା ଜଣେ ତେଲୁଗୁ ସମ୍ପ୍ରଦାୟର ମହିଳାଙ୍କୁ କାବୁ କରିଛନ୍ତି ଜଣେ ଯୁବତୀ । ପାତ୍ରପଡ଼ାରେ ରହୁଥୁବା ଏହି ଯୁବତୀ ଜଣଙ୍କ ନିଜ ପୁତୁରାର ମାନସିକ ପୂରଣ ପାଇଁ ସତସଙ୍ଗକୁ ଆସିଥିଲେ । ଅଭିଯୁକ୍ତ ମହିଳା ଜଣଙ୍କ ମଞ୍ଚେଶ୍ୱର ଥାନାରେ ଅଟକ ଅଛନ୍ତି । ତାଙ୍କ ସହ ଆଉ ୧୦ରୁ ଊର୍ଦ୍ଧ୍ବ ମହିଳା ସାମିଲ ଥିବା ନେଇ ସୂଚନା ପାଇଛି ପୋଲିସ । ଜନଗହଳି ପୂର୍ଣ୍ଣ ସ୍ଥାନରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ବୋଲି କହିଛି ପୋଲିସ ।
ସେପଟେ ଏଭଳି ବଡ଼ ଆୟୋଜନ କରୁଥିବା ସଂଗଠନ ପୋଲିସ ସୁରକ୍ଷା ଉପରେ ଧ୍ୟାନ ନଦେଇ ଭକ୍ତିରେ ଭାବ ବିହ୍ଵଳ ହେଉଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି ।
ଗିରଫ ଡାକ୍ତରଙ୍କ ଦଫା କମାଇବାକୁ କହି ମାଆଙ୍କ ପାଖରୁ ୧୭ ଲକ୍ଷ ଠକେଇ ଅଭିଯୋଗ
କଟକ: ଲିଙ୍ଗ ନିରୂପଣ ଅଭିଯୋଗରେ ଗିରଫ ଡାକ୍ତର ଓ ତାଙ୍କ ପତ୍ନୀଙ୍କୁ ମୁକ୍ତ କରିଦେବାକୁ କହି ଆଇନଜୀବୀ ୧୭ ଲକ୍ଷ ଠକିଥିବା ଅଭିଯୋଗ । ଗିରଫ ଡାକ୍ତରଙ୍କ ମାଆ ଠକେଇର ଶିକାର । ମଙ୍ଗଳାବାଗ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।
ମଙ୍ଗଳାବାଗ ଥାନା ଅନ୍ତର୍ଗତ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତର ପୁଣ୍ୟଶ୍ଳୋକ ଦାସ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା ପୋଲିସ । ଡାକ୍ତରଙ୍କ ବିରୋଧରେ ପୋଲିସ ଲଗାଇଥିବା ଦଫାକୁ କୋହଳ କରି ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ କହି ଜଣେ ଆଇନଜୀବୀ ଡାକ୍ତରଙ୍କ ମାଆ ଯଶୋଦା ଦାସଙ୍କଠାରୁ ୧୭ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏ ସମ୍ପର୍କରେ ଯଶୋଦା ଦାସ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଆଇନଜୀବୀଙ୍କୁ ଚିହ୍ନଟ କରିବା ସହ ତଦନ୍ତ ଆରମ୍ଭ କରିଛି ।
ପୂର୍ବରୁ ଏହି ଆଇନଜୀବୀଙ୍କ ନାଁରେ ଦୁଇଟି ମାମଲା ଥିବା ଏସିପି ଅମିତାଭ ମହାପାତ୍ର କହିଛନ୍ତି । ଗତ ୯ ତାରିଖରେ ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତର ପୁଣ୍ୟଶ୍ଲୋକ ଦାସ ଓ ତାଙ୍କ ପତ୍ନୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଫ୍ରେଣ୍ଡସ କଲୋନୀ ସ୍ଥିତ ତାଙ୍କ ଘରୁ ଅଲଟ୍ରାସାଉଣ୍ଡ ମେସିନ, ଟଙ୍କା ଭର୍ତ୍ତି ବ୍ୟାଗ ଓ ମେସିନ ଆବଶ୍ୟକ ସରଞ୍ଜାମ, ଗର୍ଭପାତ ଔଷଧ ଜବତ କରାଯାଇଥିଲା । ପୂର୍ବରୁ ଦୁଇ ଦୁଇ ଥର ନିଲମ୍ବିତ ହେବା ପରେ ପୁଣି ବେଆଇନ କାର୍ଯ୍ୟ କରୁଥିବାରୁ ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଥିଲା ପୋଲିସ୍ ।
ସ୍ବର୍ଗଦ୍ବାର ଆପ୍ ଲୋକାର୍ପିତ, ଏଣିକି ଅନଲାଇନରେ ଜାଣି ହେବ ମିଳୁଥିବା ସେବା ସମ୍ପର୍କରେ
ପୁରୀ: ସ୍ଵର୍ଗଦ୍ଵାର ରୂପାନ୍ତରିକରଣରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ । ସ୍ଵର୍ଗଦ୍ଵାର ମୋବାଇଲ ଆପ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ । ଆପ ଜରିଆରେ ଆଗୁଆ କରିହେବ ରେଜିଷ୍ଟ୍ରେସନ୍, ଜାଣି ହେବ ସ୍ବର୍ଗଦ୍ବାରରେ ମିଳୁଥିବା ସେବା ସମ୍ପର୍କରେ ।
ଦିନକୁ ଦିନ ସ୍ବର୍ଗଦ୍ବାରକୁ ଆସୁଥିବା ଶବ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଛି । ଏହି କାରଣରୁ ଶବଦାହ ପାଇଁ ରେଜିଷ୍ଟ୍ରେନ କରିବାରେ କିଛି ସମୟରେ ସମସ୍ୟା ଦେଖା ଦେଉଛି । ଏପରି ସମସ୍ୟା ଦୂର କରିବା ଓ ସହଜ ରେଜିଷ୍ଟ୍ରେସନ ପାଇଁ ସ୍ବର୍ଗଦ୍ବାର ମୋବାଇଲ୍ ଆପ୍ ବ୍ୟବସ୍ଥା କରାଯାଇଛି । ସ୍ଵର୍ଗଦ୍ଵାରରେ ଶବ ସଂସ୍କାର ସେବା ପାଇବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଏହି ମୋବାଇଲ ଆପରୁ ଏଠାରେ ମିଳୁଥିବା ସମସ୍ତ ସେବା ବିଷୟରେ ଜାଣି ପାରିବେ । ଏହି ଆପ ଓଡ଼ିଆ ହିନ୍ଦୀ ଓ ଇଂରାଜୀ ଭାଷାରେ ଉପଲବ୍ଧ ହେବ । ଭାରତୀୟ ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ ପୁରୀ ଶାଖା ତରଫରୁ ସ୍ଵର୍ଗଦ୍ଵାର ସେବା ସମିତିକୁ ଏକ ହାଇଡ୍ରୋଲିକ ଟ୍ରାକ୍ଟର ଡାଲା ପରିବହନ ସେବା ପାଇଁ ପ୍ରଦାନ କରାଯାଇଥିଲା ।
ସଞ୍ଜିତାଙ୍କ ଜୀବନ ବଞ୍ଚାଇଲା BSKY, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପରିବାର ଲୋକେ
କନ୍ଧମାଳ: କନ୍ଧମାଳ ଦାରିଙ୍ଗବାଡି ବ୍ଲକ ଏ ଡକେବାଡି ଗାଁର ସଞ୍ଜିତା ନାୟକଙ୍କ ଜୀବନ ବଞ୍ଚାଇଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଅର୍ଥାଭାବରୁ ପରିବାର ଲୋକେ କରାଇ ପାରୁ ନଥିଲେ ଚିକିତ୍ସା । ଝିଅ ଭଲ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ଲୋକେ ।
ମିଳିଥିବା ସୂଚନା ଅନୁସାରେ, ସଞ୍ଜିତା ଜନ୍ମରୁ ରକ୍ତହୀନତା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ । ହେଲେ ଅର୍ଥାଭାବ ତାଙ୍କ ଚିକିତ୍ସାରେ ସାଧିଥିଲା ବାଧକ । ଏତିକିରେ ଦୁଃଖ ସରି ନଥିଲା । ସଞ୍ଜିତାଙ୍କ ଜୀବନରେ ଆଗକୁ ଅପେକ୍ଷା କରିଥିଲା ଆଉ ଏକ ବଡ଼ ବିପର୍ଯ୍ୟୟ । ସଞ୍ଜିତାଙ୍କସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବା ବେଳେ ବାପା ଆରପାରିକୁ ଚାଲି ଯାଇଥିଲେ । ବାପାଙ୍କ ପରଲୋକ ପରେ ବିଧବା ମାଆ ଆଗକୁ କ’ଣ କରିବେ, ପରିବାର କେମିତି ଚଳାଇେବ, ଝିଅର ଚିକିତ୍ସା କେମିତି ହେବ ସେଇ ଚିନ୍ତାରେ ଘାରି ହେଉଥିଲେ । କୁଲି ମଜୁରୀ କରୁଥିବା ମାଆ ପକ୍ଷେ ପରିବାର ଚଳାଇବା କଷ୍ଟ ହେଉଥିବା ବେଳେ ଝିଅର ଚିକିତ୍ସା କେମିତି କରିବେ ଚିନ୍ତାରେ ଥିଲେ ।
ଏମିତି ସମୟରେ ପରିବାର ପାଖରେ ଭଗବାନଙ୍କ ପରି ଛିଡ଼ା ହୋଇଥିଲେ ଦାରିଙ୍ଗବାଡି ସ୍ଥିତ ନୀଳକନ୍ଦର ସାହିର ରାକେଶ ସଭାସୁନ୍ଦର । ସେ ସଞ୍ଜିତା ନାୟକଙ୍କୁ ବିବାହ କରିଥିଲେ । ରାକେଶ ଭୁବନେଶ୍ୱରରେ ସିକୁରିଟି ଗାର୍ଡ ଭାବେ ଚାକିରି କରି ସ୍ୱଳ୍ପ ରୋଜଗାରରେ ପରିବାର ଚଳାଉଥିଲେ । ପରେ ପତ୍ନୀଙ୍କ ଚିକିତ୍ସା କରିବାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ ପାଇଥିଲେ । ଏହାପରେ କିମ୍ସ ହସ୍ପିଟାଲରେ ମାଗଣାରେ ସଞ୍ଜିତାଙ୍କ ଚିକିତ୍ସିତ ହୋଇପାରିଛି । ସଞ୍ଜିତାଙ୍କ ଜୀବନ ବଞ୍ଚାଇବାରେ ବିଏସକେଓ୍ବାଇ କାର୍ଡ ସହାୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପୂରା ପରିବାର ଧନ୍ୟବାଦ ଜଣାଇଛନ୍ତି ।
୯୫ ବର୍ଷ ବୟସରେ ବିଶିଷ୍ଟ ସରହିତ୍ୟିକ ସାତକଡି ହୋତାଙ୍କ ପରଲୋକ
ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ । ମୃତ୍ଯୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଭୁବନେଶ୍ବରରେ ଇହଲୀଳା ସମ୍ବରଣ କରିଛନ୍ତି ସାତକଡ଼ି । ସାହିତ୍ୟ, ସାମ୍ବାଦିକତା, ସମ୍ପାଦନାରେ ଖ୍ଯାତି ଅର୍ଜନ କରିଥିଲେ ସାତକଡ଼ି । ଓଡ଼ିଶା ସାହିତ୍ଯ ଏକାଡେମୀର ସେ ଥିଲେ ପୂର୍ବତନ ସଭାପତି । ଦୈନିକ ସମୟ ଖବରକାଗଜର ଥିଲେ ସମ୍ପାଦକ । ଅନେକ ଉପନ୍ଯାସ, ଗଳ୍ପର ସ୍ରଷ୍ଟା ସାତକଡ଼ି ହୋତା ।
୧୯୨୯ ମସିହାରେ ସାତକଡ଼ି ହୋତାଙ୍କ ହୋଇଥିଲା ଜନ୍ମ । ଅଶାନ୍ତ ଅରଣ୍ୟ ଲାଗି ୧୯୮୭ରେ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମି ଲାଗି ୨୦୦୪ରେ ପାଇଥିଲେ ଶାରଳା ପୁରସ୍କାର । ୨୦୦୦ରେ ପାଇଥିଲେ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ । ବ୍ୟାକୁଳ ହୃଦୟ, ମୁହାଁମୁହିଁ, ସ୍ବପ୍ନ ଶିଉଳୀ, ଏତେ ସ୍ବପ୍ନ ଏତେ, ଆଲୋକ, ଅନେକ ଦିଗନ୍ତ, ଅଶାନ୍ତ ଅରଣ୍ୟ, ଅସମୟ ଆଦି ଅନେକ ଉପନ୍ୟାସ ରଚନା କରିଥିଲେ ସାତକଡ଼ି । ରିବୁରୁ କନ୍ୟା, ଫୁଲର ଗୋଟିଏ ସୁରଭି, ସାୟାହ୍ନର ଶୋଭା, ଅସତର୍କ ମୁହୂର୍ତ୍ତ, ଜଗନ୍ନାଥ ହସ, ଶୋଶିତର ସ୍ୱପ୍ନ ଆଦି ଅନେକ ଗଳ୍ପ ସଂକଳନ ରଚନା କରିଥିଲେ ସାତକଡ଼ି । ଦୀର୍ଘ ଦଶନ୍ଧି ଧରି ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରକାଶ ପାଇଆସୁଛି ମାସିକ ସାହିତ୍ୟ ପତ୍ରିକା ଅମୃତାୟନ । ତାଙ୍କ ବିୟୋଗରେ ଓଡିଶା ସାହିତ୍ୟ, ସାମ୍ବାଦିକତା, ଖବରକାଗଜ ଜଗତରେ ଶୋକର ଛାୟା ପ୍ରକାଶ ପାଇଛି । ସାତକଡ଼ି ହୋତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ସେ ଏହି ଦୁଃସମୟରେ ପରିବାରକୁ ସମବେଦନା ଜଣାଇଛନ୍ତି ।

