କେନ୍ଦ୍ରାପଡ଼ା: ପୁଣି ଗୁରୁଙ୍କ ନାଁରେ ଲାଗିଲା କଳଙ୍କ l ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟରେ ଦୁଷ୍କର୍ମ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଘଡ଼ିଆମାଳ ମଧୁସୂଦନ ବିଦ୍ୟାମନ୍ଦିରରୁ ଆସିଛି ଏଭଳି ଗୁରୁତର ଅଭିଯୋଗ । ଗତ ୧୬ ତାରିଖରେ ଶ୍ରେଣୀଗୃହକୁ ଦୁଇଜଣ ଛାତ୍ରୀଙ୍କୁ ଡକାଇ ପ୍ରଧାନଶିକ୍ଷକ ପ୍ରଦୀପ ପ୍ରଧାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ଛାତ୍ରୀଙ୍କଠାରୁ ପରିବାର ଲୋକ ଘଟଣା ଜାଣିବା ପରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଜନଗର ପୋଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକ ପ୍ରଦୀପ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଡାକ୍ତର ଅଭାବ ହେବ ଦୂର, ପ୍ରତି ମାସରେ ହେବ ଡାକ୍ତର ପଦବୀ ପାଇଁ ସାକ୍ଷାତକାର
ଭୁବନେଶ୍ବର: ସରକାରୀ ମେଡିକାଲ କଲେଜରେ ଡାକ୍ତର ଅଭାବ ଦୂର ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ପ୍ରତି ମାସରେ ସାକ୍ଷାତକାର ଆୟୋଜନ କରାଯାଇ ଜୁନିଅର ରେସିଡେଣ୍ଟ, ସିନିୟର ରେସିଡେଣ୍ଟ, ଟ୍ୟୁଟର୍, ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ । ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରରେ ମାସିକିଆ ସାକ୍ଷାତକାର କରାଯିବ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁସାରେ, ପ୍ରତି ମାସରେ ସାକ୍ଷାତକାର ପାଇଁ ୧୨ ତାରିଖ ଧାର୍ଯ୍ୟ କରାଯାଇଛି । ଏହି ଦିବସରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ ପିଜିଆଇଏମ୍ଇଆର କ୍ୟାପିଟାଲ ହସ୍ପିଟାଲ, ଏସସିବି ଡେଣ୍ଟାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରାଯିବ । ସେହିପରି ଖାଲି ଥିବା ବିଭିନ୍ନ ପଦବୀ ପଦବୀରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ ଡିଏମ୍ଇଟି ପଦକ୍ଷେପ ନେବେ । ରାଜ୍ୟସ୍ତରରେ ଡିଏମ୍ଇଟିଙ୍କ ପକ୍ଷରୁ ପ୍ରତି ମାସ ୨୫ ତାରିଖରେ ସାକ୍ଷାତକାର କରାଯିବ । ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରୀୟ ନିଯୁକ୍ତି ସମ୍ପର୍କରେ ପରବର୍ତ୍ତି ମାସର ୫ ତାରିଖ ସୁଦ୍ଧା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ ।
ବିମାନ ସଂଯୋଗୀକରଣରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା
ଭୁବନେଶ୍ବର: ବିମାନ ସଂଯୋଗୀକରଣରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା । ହାଇଦ୍ରାବାଦରେ ଅନୁଷ୍ଠିତ ଓ୍ବିଙ୍ଗସ ଇଣ୍ଡିଆ ୨୦୨୪ରେ ରାଜ୍ୟକୁ ଏହି ମାନ୍ୟତା ମିଳିଛି । ରାଜ୍ୟକୁ ରାଜ୍ୟ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଛି । ଏଥିରେ ଦ୍ରୁତଗତିରେ ଗମନାଗମନର ସୁବିଧା ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସକୁ ଜାତୀୟ ସ୍ତରରେ ଏହି ବଡ଼ ସ୍ବୀକୃତି ମିଳିଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁବାଇ, ବ୍ୟାଙ୍କକକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଥିଲା । ଏହାସହ ରାଜ୍ୟର ଉତକେଲା, ମାଲକାନିଗରି, ଜୟପୁର, ରଙ୍ଗେଇଲୁଣ୍ଡା, ଝାରସୁଗୁଡ଼ା ଓ ରାଉରକେଲାକୁ ବିମାନସେବା ଆରମ୍ଭ ହୋଇଛି ।
ଚିଲିକା ଏବଂ ଭିତରକନିକାରେ ଚାଲିଛି ଡଲଫିନ୍ ଗଣନା
ନନ୍ଦିଘୋଷ ବ୍ୟୁରୋ: ଚିଲିକାରେ ଚାଲିଛି ଡଲଫିନ୍ ଗଣତି । ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଞ୍ଜରେ ଚାଲିଛି ଡଲଫିନ ଗଣନା l ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ହୋଇଛନ୍ତି । ପ୍ରତି ଟିମରେ ୫ରୁ ୬ ଜଣ ସଦସ୍ୟଙ୍କ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ଅଛନ୍ତି । ବାଲୁଗାଁ, ବଡ଼କୂଳରେ ୧୦ ଟିମ୍ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇଛନ୍ତି । ଜିପିଏସ ଓ ବାଇନା କୁଲାର ଜରିଆରେ ଡଲଫିନ୍ ଗଣନା ଚାଲିଛି । ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କର୍ମଚାରି, ଜଙ୍ଗଲ ବିଭାଗ, ଓୟୁଏଟି ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଓ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି । ଗତବର୍ଷ ଚିଲିକାରେ ମୋଟ ୧୭୩ଟି ଡ଼ଲଫିନ ଠାବ ହୋଇଥିବା ବେଳେ, ଏଥିରୁ ୧୫୪ଟି ଏରାଓ୍ବାଡି ପ୍ରଜାତିର ଏବଂ ୧୯ଟି ବଟଲ ନୋଜ ପ୍ରଜାତିର ଡଲଫିନ ଥିଲେ । …
ଅନ୍ୟପଟେ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ ଗଣନା ଆରମ୍ଭ ହୋଇଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିବ ଗଣତି । ବନବିଭାଗର ୯ଟି ଟିମ ଡଲଫିନ ଗଣତି କରୁଛନ୍ତି । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଏହି ଗଣନା ଚାଲିବ । ପ୍ରତ୍ୟେକ ଗଣନା ଟିମ ସଦସ୍ୟଙ୍କୁ ସହାୟତା ପାଇଁ ବୋଟ ସହିତ ବାଇନାକୁଲାର, ଜିପିଏସ, ହ୍ୟାଣ୍ଡସେଟ କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ଉପକରଣ ଯୋଗାଇ ଦିଆଯାଇଛି । ପୂର୍ବରୁ କେବଳ ଚିଲିକାରେ ଡଲ୍ଫିନ୍ ଗଣନା କରାଯାଉଥିଲା । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ନିଷ୍ପତି କ୍ରମେ ୨୦୧୫ ମସିହାଠାରୁ ଭିତରକନିକା ଅଂଚଳରେ ଡଲ୍ଫିନ୍ ଗଣନା କରାଯାଉଛି । ପ୍ରତି ଗ୍ରୁପରେ ୩ ରୁ ୫ ଜଣ ଲେଖାଏଁ ଗଣାନାକାରୀ ରହିବେ । ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରୀକ୍ରେ ୪ଟି ଟିମ୍ ଡଲ୍ଫିନ୍ ଗଣନା କରିବେ । ଚିଲିକା ଅଂଚଳରେ କେବଳ ଏରାୱାଡି ପ୍ରଜାତିର ଡଲ୍ଫିନ୍ ଦେଖାଯାଆନ୍ତି । ମାତ୍ର ଭିତରକନିକାରେ ୫ ପ୍ରକାର ଡଲ୍ଫିନ୍ ଦେଖା ଯାଇଥାନ୍ତି । ଗତବର୍ଷ ଗଣନା ସମୟରେ ସାରା ଓଡିଶାରେ ୭୩୩ଟି ଡଲଫିନ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ଟି ଡଲଫିନ ଚିହ୍ନଟ ହୋଇଥିଲା ।
ଆଜି ପବିତ୍ର ଶାମ୍ବଦଶମୀ, ଘରେ ଘରେ ସୂର୍ଯ୍ୟଦେବଙ୍କୁ କରାଯାଉଛି ପୂଜା
ଭୁବନେଶ୍ବର: ଆଜି ପବିତ୍ର ଶାମ୍ବଦଶମୀ । ପରମ୍ପରା ଅନୁଯାୟୀ ଆଜି ପ୍ରାତଃ କାଳରେ ଘରେ ଘରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଇଛି । ନିଜ ପରିବାରକୁ ନିରୋଗ ରଖିବା ପାଇଁ ପ୍ରାତଃ, ମଧ୍ୟାହ୍ନ ଓ ଅପରାହ୍ନରେ ଲୋକେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କୁ ଆଜି ପୂଜା କରିଥାନ୍ତି । ସାମ୍ବଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କରେ ଆପ୍ରସିଦ୍ଧ ସୂର୍ଯ୍ୟ ରଥ ବାହାରିବାର ପରମ୍ପରା ରହିଛି । କଥିତ ଅଛି, ଅର୍କକ୍ଷେତ୍ର କୋଣାର୍କରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଉପାସନା କରି ଦୁରାରୋଗରୁ ମୁକ୍ତି ପାଇଥିଲେ । ଏଠାରେ ଥିବା ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା କରିବ । ରଥ ଉପରେ କାକରା, ବରା ଓ ପୋଡପିଠା ଲାଗି କରାଯିବ । ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହିବା ପରେ ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା କରାଯାଇ ମାଘ ସପ୍ତମୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।
ବରଗଡ଼ ଧନୁଯାତ୍ରା: ଆସନ୍ନ ଯୁଦ୍ଧ ପାଇଁ ମନ୍ତ୍ରଣା କରିବେ ମଥୁରାଧିପତି
ବରଗଡ଼: ଆସନ୍ନ ଯୁଦ୍ଧକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି କଂସ ମହାରାଜା । ବାଳକୃଷ୍ଣଙ୍କୁ ମାରିବାକୁ ପଠାଇଥିବା ସମସ୍ତ ଅସୁରଙ୍କୁ ଗୋଟି ଗୋଟି କରି ବଧ କରିଛନ୍ତି ବେନିଭାଇ । ଆଜି ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନରେ ଆସନ୍ନ ଯୁଦ୍ଧ ପାଇଁ ରାଜପରିଷଦ ସହ ମନ୍ତ୍ରଣା କରିବେ ମଥୁରା ଅଧିପତି । ଏହାସହ ତଥାକଥିତ ଅଧିକାରୀଙ୍କ ସହ ଆଲୋଚନା କରିବେ । କୃଷ୍ଣଙ୍କୁ ନେଇ ମଥୁରାବାସୀଙ୍କ ମନରେ ଭକ୍ତିଭାବ ସୃଷ୍ଟି ହୋଇଛି । କଂସର ତାଡନାରୁ ମୁକ୍ତି ପାଇଁ ନିଜ ତ୍ରାଣକର୍ତ୍ତା ଶ୍ରୀକୃଷ୍ଣଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି ମଥୁରାବାସୀ । ଏହାଦେଖି ଭୟଭୀତ କଂସ । ତେଣୁ ନିଜର ଭୟ ଲୁଚାଇବାକୁ ରଙ୍ଗସଭାରେ ନୃତ୍ୟଗୀତ ଆୟୋଜନ କରିଛନ୍ତି ମହାରାଜ । ସେପଟେ ଗୋପରେ କୃଷ୍ଣ ପ୍ରେମରେ ରଙ୍ଗାୟିତ ହୋଇଛନ୍ତି ଗୋପୀ ଗୋପାଙ୍ଗନା । ଆଜି ଗୋପରେ ଗୋପୀଙ୍କ ଦଧିବିକା ଓ ବସ୍ତ୍ର ହରଣ ଦୃଶ୍ୟ ଅଭିନିତ ହେବ । ଯାତ୍ରାର ପଞ୍ଚମ ଦିନରେ ଜାମଳାର୍ଜୁନଙ୍କୁ ଉଦ୍ଧାର କରିବା ସହ କାଳୀୟ ନାଗର ଗର୍ବ ଖଣ୍ଡନ କରି କାଳୀୟ ଦଳନ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ । ଏହାସହ ମାଟି ଖାଇ ବିଶ୍ବରୂପ ଦର୍ଶନ କରାଇଛନ୍ତି ।
ପାଳନ କରାଯିବ ଓଡ଼ିଆ ଭାଷା ସପ୍ତାହ, ପୁରୁଣା ବିଶ୍ବବିଦ୍ୟାଳୟକୁ ମିଳିବ ଐତିହ୍ୟ ମାନ୍ୟତା
ଭୁବନେଶ୍ବର: ମାତୃଭାଷା ଦିବସ ସହ ପାଳନ କରାଯିବ ଓଡ଼ିଆ ଭାଷା ସପ୍ତାହ । ରାଜ୍ୟର ଶହେ ବର୍ଷ ପୁରାତନ ବିଦ୍ୟାଳୟଗୁଡ଼ିକୁ ମିଳିବ ଐତିହ୍ୟ ବିଦ୍ୟାଳୟ ମାନ୍ୟତା । ଲୋକସେବା ଭବନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା ଅବସରରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ । ଏହାର ସମୀକ୍ଷା କରିଛନ୍ତି 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଅକ୍ଷର ଭୂମିକୁ ସମ୍ମିଳନୀର ପ୍ରଥମ ଦିନରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉକ୍ତ ସମ୍ମିଳନୀ ଅବସରରେ ସମସ୍ତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଓଡ଼ିଆ ଭାଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ । ସମ୍ମିଳନୀରେ ଭାଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁଗୁଡ଼ିକୁ ନେଇ ୧୬ଟି ଓ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯିବ । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋକୁ ଚୟନିତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ପ୍ରମୁଖ ସ୍ଥାନ ଓ କାନ୍ଥରେ ଚିତ୍ରଣ କରାଯିବ । ଏହି ଲୋଗୋକୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବା ସହିତ ସମସ୍ତ ସରକାରୀ ଗାଡ଼ିରେ ଷ୍ଟିକରିଂ କରାଯାଇ ସମ୍ମିଳନୀର ପ୍ରଚାର ପ୍ରସାର କରାଯିବ । ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ବିଷୟଭିତ୍ତିକ ସଙ୍ଗୀତ ପ୍ରସ୍ତୁତ କରାଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଏହି ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକର ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ଉଭୟ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ବ୍ଯବହାର କରାଯିବ । ଓଡ଼ିଶା ପରିବାର ତରଫରୁ ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆ ସଂଗଠନମାନଙ୍କୁ ଲାଇଭ ଓ୍ବେବକାଷ୍ଟ ଦ୍ବାରା ଯୋଡ଼ାଯାଇ ସମ୍ମିଳନୀର ଉଦଘାଟନ ଓ ଉଦଯାପନ ଉତ୍ସବରେ ବାସ୍ତବ ଓ ଆଭାସୀ ଉପସ୍ଥିତି ନିମନ୍ତେ ଉତ୍ସାହିତ କରାଯିବ । ସେମାନଙ୍କର ମତାମତର କ୍ୟାଟଲଗ ମଧ୍ୟ ପ୍ରସ୍ତୁତ କରାଯିବ । ସମ୍ମିଳନୀ ଉପଲକ୍ଷେ ସମ୍ମିଳନୀ ସମ୍ବନ୍ଧୀୟ ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡ଼ିକୁ ତଥ୍ୟପୁସ୍ତିକା ମାଧ୍ୟମରେ ପ୍ରକାଶ କରାଯିବ ।ପ୍ରତିବର୍ଷ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସପ୍ତାହ ପାଳନ କରାଯିବା ସହିତ ରାଜ୍ୟ ମାତୃଭାଷା ଦିବସ ପାଳନ କରାଯିବ । ମାତୃଭାଷାର ବହୁଳ ବ୍ୟବହାର ନିମନ୍ତେ ବିଭିନ୍ନ ନିଗମ କାର୍ଯ୍ଯାଳୟ, ସରକାରୀ କାର୍ଯ୍ଯାଳୟ, ବେସରକାରୀ କାର୍ଯ୍ଯାଳୟ, ଅନୁଷ୍ଠାନମାନଙ୍କରେ ଓଡ଼ିଆ ଭାଷାର ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ରାଜ୍ୟ ବାହାରେ ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଆ ଶିଖିବା ନିମିତ୍ତ ଉଭୟ ଡିଜିଟାଲ ଓ କଠିନ ପୁସ୍ତକ ଯୋଗାଇ ଦିଆଯିବ । ସେମାନଙ୍କୁ ସପ୍ତମ ଶ୍ରେଣୀ ସ୍ତରର ଓଡ଼ିଆ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ପ୍ରଦାନ ନିମିତ୍ତ ଏକ ପରୀକ୍ଷା ପ୍ଲାଟଫର୍ମ ମଧ୍ୟ ଉପଲବ୍ଧ କରାଯିବ । ରାଜ୍ୟରେ ଶହେ ବର୍ଷରୁ ପୁରୁଣା ୧୦୯ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୪୫ଟି ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ଭାବେ ଘୋଷଣା କରାଯିବା ସହ ଉକ୍ତ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବରପୁତ୍ରମାନଙ୍କୁ ସମ୍ବର୍ଦ୍ଧନା କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମ୍ମିଳନୀ ଅବସରରେ ସମ୍ମିଳନୀ ସ୍ଥଳ ଏବଂ ଭୁବନେଶ୍ୱର ମହାନଗରକୁ ଆଲୋକମାଳାରେ ସୁସଜ୍ଜିତ କରାଯିବ ।
ପୁରୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଲୋକାର୍ପିତ ପରିକ୍ରମା ମାର୍ଗରେ କଲେ ପ୍ରଦୀକ୍ଷଣ
ପୁରୀ: ପୁରୀରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ସେ ପୁରୀ ଯାଇ ସର୍ବ ପ୍ରଥମେ ଲୋକାର୍ପିତ ହୋଇଥିବା ପରିକ୍ରମା ପ୍ରକଳ୍ପରେ ଥିବା ମାର୍ଗରେ ପ୍ରଦୀକ୍ଷଣ କରିଥିଲେ। ଶ୍ରୀମନ୍ଦିର ଚାରିପଟେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ରାଜ୍ୟ ସରକାରଙ୍କ ବୃହତ କାମ ହୋଇଥିବା ବେଳେ ଏଥିରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ପରିକ୍ରମା ମାର୍ଗ ପ୍ରସ୍ତୁତ ହୋଇଥିବା ବେଳେ ନିଜେ ପାଣ୍ଡିଆନ ଏହି ପ୍ରଦୀକ୍ଷଣ ମାର୍ଗରେ ଚାଲି ଚାଲି ଶ୍ରୀମନ୍ଦିରର ପ୍ରଦୀକ୍ଷଣ କରିଛନ୍ତି। ନଅ ଥର ଶ୍ରୀମନ୍ଦିର ଚାରିପଟେ ଚାଲି ଚାଲି ପ୍ରଦକ୍ଷିଣ କରିଥିଲେ ଫାଇଭ ଟି ଅଧ୍ୟକ୍ଷ ।ପ୍ରଦୀକ୍ଷଣ ପରେ ସେ ନିଜ ପରିବାର ସହ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ମନକଥା କହିଲେ କାର୍ତ୍ତିକ ପାଣ୍ଡିଆନ, ରାଜନୈତିକ କ୍ୟାରିୟର ନୁହେଁ କାଳିଆ କାମ ଆଗ
ଭୁବନେଶ୍ବର: ନିଆଁରେ ଖେଳିବା ଭଳି ଥିଲା ଶ୍ରୀମନ୍ଦିର ରୂପାନ୍ତରଣ ଚ୍ୟାଲେଞ୍ଜ । ଶ୍ରୀମନ୍ଦିର ସହ ରାଜ୍ୟବାସୀଙ୍କ ଭାବବେଗ ଏତେ ଗଭୀର ଭାବେ ଜଡିତ ଯେ, ସାମାନ୍ୟତମ ଭୁଲ ପାଇଁ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିବା ସହ ସରକାର ବି ବଦଳିଯିବାର ଆଶଙ୍କା ରହିଛି । ରୂପାନ୍ତରଣ ପ୍ରକଳ୍ପ ପାଇଁ ରୂପରେଖ ପ୍ରସ୍ତୁତ ସମୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ସତର୍କତାମୂଳକ ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।
କିନ୍ତୁ ରାଜନୈତିକ କ୍ୟାରିୟର ନୁହେଁ କାଳିଆଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ । ନିଜ ରାଜନୈତିକ ଭବିଷ୍ୟତକୁ ଭୃକ୍ଷେପ ନକରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ହାତକୁ ନେଇଥିଲେ । ଆଜି ଭୁବନେଶ୍ବରରେ ଆୟୋଜିତ ସହରାଞ୍ଚଳ ରୂପାନ୍ତରଣ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅକୁହା କାହାଣୀକୁ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
ପରିକ୍ରମା ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାବାସୀ ମୋତେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି । ଲୋକମାନେ ମୋତେ ବିଶ୍ବାସ ଓ ଭରସା କରିବା ସହ ଅକୁଣ୍ଠ ଭଲପାଇବା ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡିଶାବାସୀଙ୍କର ରହିଛି ଅକୁଣ୍ଠ ଭଲପାଇବା ଓ ବିଶ୍ବାସ । ମୁଁ ଯଦି ଶ୍ରୀକ୍ଷେତ୍ରର ବିକାଶ ନକରିବି ଇତିହାସ ମୋତେ କ୍ଷମା ଦେବନି ।
ସରକାର ପ୍ରତି ଯେତେ ବିପଦ ଆସିଲେ ମଧ୍ୟ ଏହାକୁ ସାମ୍ନା କରି ମହାପ୍ରଭୁଙ୍କ କାମ କରିବି ବୋଲି କହିବା ସହ ପରିକ୍ରମା ପ୍ରକଳ୍ପକୁ ଆଗେଇ ନେଇଥିଲେ ମୁଖ୍ୟମନ୍ତ୍ରୀ । ପାଣ୍ଡିଆନ କହିଥିଲେ ଯେ, ଶ୍ରୀମନ୍ଦିର ରୂପାନ୍ତରଣ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପୂର୍ବରୁ ମଧ୍ୟ ଚିନ୍ତା କରାଯାଇଥିଲା । ବହୁ ବଡ ବଡ ରାଜା ଓ ବ୍ରିଟିଶ ଅମଳର ଜିଲ୍ଲାପାଳମାନେ ବି ଉଦ୍ୟମ କରିଥିଲେ । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକ ମଧ୍ୟ ଚିନ୍ତା କରିଥିଲେ ।
କିନ୍ତୁ ଶ୍ରୀମନ୍ଦିର ରୂପାନ୍ତରଣ କାମ ଯିଏ ବି ଆରମ୍ଭ କରିଥିଲେ ସେମାନେ ୧୫ଦିନରୁ ମାସେ ମଧ୍ୟରେ ଓହରିଯାଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଟଳ ନିଷ୍ପତ୍ତି ଓ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତିଭାବ ଯୋଗୁଁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାସ୍ତବ ରୂପ ନେଇଛି । ଏହି ରୂପାନ୍ତରଣକୁ ଗଜପତି ମହାରାଜ ମଧ୍ୟ ପ୍ରଶଂସା କରିଛନ୍ତି । ୭୦୦ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ଆସିଛି ରୂପାନ୍ତରଣ ।
ରାମଙ୍କ ଅଯୋଧ୍ୟାରେ ଲକ୍ଷ୍ମଣ ହେଲେ ବେଘର, ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବା ପାଇଁ ପହଁଚିଲେ କିନ୍ତୁ ମିଳିଲାନି ହୋଟେଲ
ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଆଉ କିଛି ଦିନ ବାକି ଅଛି । ଭକ୍ତଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ଅଯୋଧ୍ୟାରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଏହା ସହ ରାମନଗରୀରେ ସମସ୍ତ ହୋଟେଲ ହାଉସଫୁଲ ବୁକ ହୋଇସାରିଛି । ଟିଭିର ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ମଧ୍ୟ ୧୭ ଜାନୁଆରୀରେ ଅଯୋଧ୍ୟାରେ ପହଞ୍ଚିଥିଲେ । ବର୍ତ୍ତମାନ ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ଅଯୋଧ୍ୟାରେ ରହିବାକୁ ସ୍ଥାନ ପାଇ ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଟିଭିର ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ଅର୍ଥାତ୍ ଅରୁଣ ଗୋବିଲ, ଦୀପିକା ଚିଖାଲିଆ ଏବଂ ସୁନୀଲ ଲହରୀ ଅଯୋଧ୍ୟା ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ଏହି ସମୟରେ ତିନିଜଣଙ୍କୁ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଥିଲା । ଟିଭିର ରାମ, ସୀତା ଏବଂ ଲକ୍ଷ୍ମଣଙ୍କୁ ଦେଖିବା ପାଇଁ ଲୋକମାନେ ମଧ୍ୟ ବହୁତ ଉତ୍ସାହିତ ନଜର ଆସିଥିଲେ।
ସୁନୀଲ ଲହରୀ ଅଯୋଧ୍ୟାରେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଏକ ଗଣମାଧ୍ୟମ ସହ କଥା ହୋଇଛନ୍ତି । ସେ କହିଛନ୍ତି, ଅଯୋଧ୍ୟାକୁ ଆସିବାର ଦୁଇ ଦିନ ବିତିଗଲାଣି କିନ୍ତୁ ସେ ଏପର୍ଯ୍ୟନ୍ତ ରହିବାକୁ ସ୍ଥାନ ପାଇନାହାଁନ୍ତି । ସମସ୍ତ ହୋଟେଲ ରୁମ୍ଗୁଡ଼ିକ ପ୍ରାୟ ଫୁଲ୍ ଏବଂ ଉଦ୍ଘାଟନ ସମୟ ପର୍ଯ୍ୟନ୍ତ ସେ କେଉଁଠାରେ ରହିବେ ତାକୁ ନେଇ ସେ ଚିନ୍ତିତ ଅଛନ୍ତି ।

