spot_img
Home Blog Page 2294

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସଂଗଠନ

ଭୁବନେଶ୍ବର: ନୂତନ ବର୍ଷର ଦ୍ଵିତୀୟ ଦିନରେ ବି ନବୀନ ନିବାସରେ ଲାଗିଛି ଗହଳି  । ଆଜି ଅନେକ ସଂଗଠନ, ବିଭିନ୍ନ ବିଭାଗର ଉପଦେଷ୍ଟା, ଭେଣ୍ଡିଂ ଜୋନ ମହାସଂଘ ସମେତ ସଂଖ୍ୟାଲଘୁ ସଂଗଠନର ସଦସ୍ୟମାନେ ନବୀନ ନିବାସ ଆସି ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି  । ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି  । ଏଥି ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବି କରିଛନ୍ତି  । ଉପଦେଷ୍ଟାମାନଙ୍କୁ ଆହୁରି ମନ ଲଗାଇ କାମ କରିବାକୁ ପରାମର୍ଶ ଦିଆଯାଇଛି  ।

ସେହିପରି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ବି ଜ୍ଞାପନ କରାଯାଇଛି  । କିଛି ଦିନ ତଳେ କଳିଙ୍ଗ ଷ୍ଟାଡିଅମ ନିକଟରେ ୧୧ ଟି ଭେଣ୍ଡିଂ ଜୋନ ଦୋକାନ ଜଳି ପାଉଁଶ ହୋଇଯାଇଥିଲା  । ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଦୁଇ ଦିନ ଭିତରେ ସମସ୍ତଙ୍କୁ 25 ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ  । ଆଗକୁ ମଧ୍ୟ ଭେଣ୍ଡିଂ ଜୋନରେ ଥିବା ଦୋକାନୀଙ୍କ ବିକାଶ ପାଇଁ କାମ ଜାରି ରହିବା ନେଇ ଏହି ଅବସରରେ ଆଲୋଚନା ହୋଇଛି  । କେନ୍ଦୁପତ୍ର ତୋଳାଳିଙ୍କ ବିକାଶପାଇଁ ରାଜ୍ୟ ସରକାର ନିଜ ଆଡୁ ପଦକ୍ଷେପ ନେଉଥିବାରୁ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ମଧ୍ୟ ଧନ୍ୟବାଦ ଜଣାଇଛି ।

ସଡକ ସୁରକ୍ଷା ସପ୍ତାହ ଅବସରରେ ମହିଳା ବାଇକ୍ ରାଲି, ସାମିଲ ହେଲେ ୪ଶହ ମହିଳା

ଭୁବନେଶ୍ୱର: ଭୁବନେଶ୍ୱରରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ କମିଶନରେଟ୍ ପୋଲିସ ତରଫରୁ ଆରମ୍ଭ ହୋଇଛି ମହିଳା ବାଇକ୍ ରାଲି । ଭୁବନେଶ୍ୱର ସ୍ଥିତ କମିଶନରେଟ୍ ପୋଲିସ୍ କାର୍ଯ୍ୟାଳୟରୁ ରାଲି ବାହାରି ଜୟଦେବ ବିହାର ଦେଇ କିଟ୍ ଛକ ପର୍ଯ୍ୟନ୍ତ ଯିବ । ପରେ କିଟ୍ ଛକରୁ ନାଲକୋ ଛକ ,ଆଚାର୍ଯ୍ୟବିହାର , ଲୋୟର ପିଏମଜି ହେଇ ୧୨୦ ବାଟାଲିୟନ୍ରେ ଶେଷ ହେବ । ବାଇକ୍ ରାଲିରେ  ମହିଳା ବାଇକର୍ ଅମିତା ସିଂ ଓ ତାଙ୍କ ଟିମ୍ ସମେତ ଟ୍ରାଫିକ୍ ଲେଡି ୱିଙ୍ଗ୍,  ୱିମେନ୍ ପୋଲିସ୍ ୱିଙ୍ଗ୍ର ୪ଶହରୁ ଉର୍ଦ୍ଧ୍ବ ମହିଳା ସାମିଲ ହୋଇଛନ୍ତି । ମହିଳାମାନେ ହାତରେ ସଡକ ସୁରକ୍ଷା ପରିବାର ରକ୍ଷା ପ୍ଲାଏକାର୍ଡ ଧରି ପୂରା ସହର ବୁଲିଛନ୍ତି  ।

ଏନଫୋର୍ସମେଣ୍ଟ, ଏଜୁକେସନ୍  ଏବଂ ଇନଞ୍ଜିନିୟର୍ସ ଏହି ଥ୍ରୀ ଇ ହିଁ ଜୀବନକୁ ସୁରକ୍ଷା ଦେବା ସହ ରୋଡ୍ ଆକ୍ସିଡେଣ୍ଟ  କମ୍ କରିପାରିବ ବୋଲି କହିଛନ୍ତି ପୋଲିସ କମିଶନର୍ । ଜାତୀୟ ସଡକ ସୁରକ୍ଷା ସପ୍ତାହ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ କରିବ କମିଶନରେଟ୍ ପୋଲିସ ଏବଂ ଏହି  ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ  କରାଯିବ ବୋଲି କହିଛନ୍ତି  ।

ଆର୍ମି ଅଫିସର କହି ଅଭିନେତାଙ୍କ ଠୁ ଠକିନେଲା ୭୫ ହଜାର

ନୂଆଦିଲ୍ଲୀ: ବଲିଉଡ ତଥା ଟିଭି ଅଭିନେତା ରାକେଶ ବେଦିଙ୍କୁ ଚୁନା ଲଗାଇଲେ ସାଇବର ଠକ । ନିଜକୁ ସେନାର ଅଧିକାରୀ କହି ରାକେଶ ବେଦୀଙ୍କୁ ଲୁଟିଲେ । ଏହି ଘଟଣା ପରେ ପୋଲିସରେ ମାମଲା ରୁଜୁ କରିଛନ୍ତି ଅଭିନେତା । ମାମଲାର ତଦନ୍ତ କରୁଛି ପୋଲିସ ।

ଅଭିନେତା ଜଣକ ପୋଲିସକୁ ଠକର ନାଁ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଫଟୋ ଓ ଟ୍ରାଞ୍ଜାକ୍ସନ ଡିଟେଲ୍ସ ସେୟାର କରିଛନ୍ତି । ରାକେଶ କହିଛନ୍ତି ତାଙ୍କ ପାଖକୁ ପ୍ରଥମେ ଏକ କଲ୍‌ ଆସିଥିଲା । ସାଇବର ଠକ ନିଜକୁ ପ୍ରଥମେ ଆର୍ମି ଅଫିସର କହିଥିଲା । ସେ କହିଥିଲା ରାକେଶଙ୍କ ପୁଣେ ଫ୍ଲାଟ କିଣିବାକୁ ଆଗ୍ରହୀ ଅଛି । ଯେତେବେଳେ ରାକେଶଙ୍କୁ ଫୋନ କରିଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପରେ ସନ୍ଦେହ ହୋଇଥିଲା ସେତେବେଳେକୁ ସାଇବର ଠକ ତାହ୍କ ଆକାଉଣ୍ଟରୁ ୭୫ ହଜାର ଟଙ୍କା ଗାଏବ କରିସାରିଥିଲା ।

୪ ଦଶକରୁ ଅଭିନୟ ଦୁନିଆରେ ଆକ୍ଟିଭ ଅଛନ୍ତି ରାକେଶ ବେଦୀ । ଫିଲ୍ମ ସହ ଟିଭି ଦୁନିଆରେ ବି ସେ ସକ୍ରିୟ । ପାଖାପାଖି ୧୫୦ ଫିଲ୍ମରେ ସେ କାମ କରିସାରିଛନ୍ତି । ଶେଷ ଥର ପାଇଁ ତାଙ୍କୁ ଗଦର ୨ରେ ଦେଖିବାକୁ ମିଳିଥିଲା ।

ଅଣଦାବିଦାର ଜମା ପରିମାଣ ହ୍ରାସ ଲାଗି ରିଜର୍ଭ ବ୍ୟାଙ୍କର ପଦକ୍ଷେପ, ଅର୍ଥ ଫେରସ୍ତ ଲାଗି ନିର୍ଦ୍ଦେଶ ଦେଲା ବ୍ୟାଙ୍କ

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରେ ଗଚ୍ଛିତ ଥିବା ଅଣଦାବିଦାର ଜମା ପରିମାଣ ହ୍ରାସ ଲାଗି ରିଜର୍ଭ ବ୍ୟାଙ୍କର ପଦକ୍ଷେପ । ଏହି ଧରଣର ଜମାଗୁଡିକର ଯାଞ୍ଚ କରିବା ସହ ସେଗୁଡିକର ଆଇନସମ୍ମତ ଦାବିଦାରମାନଙ୍କୁ ଅର୍ଥ ଫେରସ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ସୂଚନା ଅନୁସାରେ, ୧୦ ବର୍ଷ କିମ୍ବା ଅଧିକ କାଳ ଧରି ଅପରେଟ ହେଉ ନଥିବା ବ୍ୟାଙ୍କ ଆକାଉଣ୍ଟ, ୧୦ ବର୍ଷ ଧରି କୌଣସି ଦାବିଦାର ନଥିବା ବ୍ୟାଙ୍କ ଆକାଉଣ୍ଟର ଟଙ୍କାକୁ ଡିପୋଜିଟର ଏଜୁକେସନ ଆଓ୍ବାରନେସ ଫଣ୍ଡ ବା ଡିଏଇ ଫଣ୍ଡକୁ ଟ୍ରାନ୍ସଫର  କରାଯିବ । ବିଭିନ୍ନ ଆକାଉଣ୍ଟରେ ହେଉଥିବା ଜାଲିଆତି ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛନ୍ତି ।

ଏହା ସହ ଦାବିଦାର ନଥିବା ଆକାଉଣ୍ଟଗୁଡିକର ନୋମିନି, ଆଇନଗତ ଉତ୍ତରାଧିକାରୀମାନଙ୍କର ସନ୍ଧାନ, ଆକାଉଣ୍ଟଗୁଡିକର ରିଆକ୍ଟିଭେସନ, କ୍ଲେମ ସେଟେଲମେଣ୍ଟ ଆଦି ସମ୍ପର୍କରେ ପଦକ୍ଷେପ ନେବା ଲାଗି ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛନ୍ତି । ଆସନ୍ତା ଏପ୍ରିଲ ୧ ତାରିଖରୁ ସଂଶୋଧିତ ନିର୍ଦ୍ଦେଶନାମା ବଳବତ୍ତର ହେବ । ଅଚଳ ଆକାଉଣ୍ଟ, ଦାବିଦାର ନଥିବା ଆକାଉଣ୍ଟ ସମ୍ପର୍କରେ ସୂଚନା ଦେବା ଲାଗି ବ୍ୟାଙ୍କ କର୍ତ୍ତୃପକ୍ଷ ଆକାଉଣ୍ଟଧାରୀଙ୍କ ନିକଟକୁ ଚିଠି, ଇମେଲ ବା ଏସଏମଏସ ପଠାଇବ । ଏହି ଧରଣର ଆକାଉଣ୍ଟଗୁଡିକର ଆକ୍ଟିଭେସନ ଲାଗି କେଓ୍ବାଇସି ଅପଡେଟ କରିବେ । ଭିଡିଓ କଷ୍ଟମର ଆଇଡେଣ୍ଟିଫିକେସନ ପ୍ରସେସ ବା ଭି-ସିପ ଜରିଆରେ ଏହି ପଦକ୍ଷେପ ନିଆଯିବ ।

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପୁରୀ ଜଗନ୍ନାଥ ଧାମକୁ ଆସିଲା ନିମନ୍ତ୍ରଣ

ପୁରୀ: ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ । ଆସନ୍ତା ୨୨ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି | ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ତେବେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛି ଅଯୋଧ୍ୟା ଅଭ୍ୟର୍ଥନା କମିଟି | ଆଜି ମହାପ୍ରଭୁଙ୍କ ନିମନ୍ତ୍ରଣ ନିମନ୍ତେ ଗୁଆ, ଅରୁଆ ଚାଉଳ, ଶ୍ରୀଫଳ, ପାନ, ଗାମୁଛା ଓ ନିମନ୍ତ୍ରଣ ପତ୍ର ନେଇ କମିଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛି |

ଅନ୍ୟପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସଜେଇ ହୋଇଛି ପୂରା ଅଯୋଧ୍ୟା । ଯଦି ଆମେ ମନ୍ଦିର ବିଷୟରେ କହିବା ତାହାଲେ ସମଗ୍ର ମନ୍ଦିର କମ୍ପ୍ଲେକ୍ସ ହେଉଛି ୭୦ ଏକରର । ଯେଉଁଥିରୁ କେବଳ ୩୦ ପ୍ରତିଶତ ଯାଗାରେ ମନ୍ଦିର ହୋଇଛି । ୩୯୨ଟି ସ୍ତମ୍ଭ, ୪୪ ଫାଟକ ଏବଂ ନାଗର ଶୈଳୀରେ ତିଆରି ହୋଇଛି ମନ୍ଦିର । ୩୨ଟି ପାହାଚ ଦେଇ ଆପଣ ମନ୍ଦିରକୁ ପ୍ରବେଶ କରିବେ ।  ବାକି ସବୁଜ କ୍ଷେତ୍ର ପାଇଁ ଛଡାଯାଇଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ସମୟ ରହିଛି ରାତି ୧୨.୧୫ ।

ବୋରଓ୍ବେଲରୁ ଉଦ୍ଧାର ବିଜୟିନୀର ବାପା ମାଆ ଠାବ, ମାଆଙ୍କ ମାନସିକ ଅବସ୍ଥା ନାହିଁ ଠିକ୍

ସମ୍ବଲପୁର: ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା ବିଜୟିନୀର ବାପା ମାଆଙ୍କୁ ଠାବ କଲା ପୋଲିସ। ମାଆଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଦିନେ ଦୁଇ ଦିନ ଭିତରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେବେ । ଏହାପରେ ତାଙ୍କୁ ପୋଲିସ ପଚରାଉଚରା କରିବ। ବିଜୟିନୀ ତାଙ୍କ ଝିଅ ବୋଲି ସେ ମାନିଛନ୍ତି । ବାପା, ମାଆ ସ୍ଥାନୀୟ ଅଞ୍ଚଳର ଓ ଶ୍ରମିକ ଶ୍ରେଣୀର ବୋଲି ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି।

ବିଜୟିନୀ ତାଙ୍କର ଦ୍ବିତୀୟ ସନ୍ତାନ। ଏବେ ଭୀମସାରରେ ସେ ଚିକିତ୍ସାଧୀନ ରହିଛି । ଗତକାଲି ତାର ଏକୋଇଶିଆ ପାଳନ କରିବା ସହ ନାମକରଣ କରାଯାଇଥିଲା। ତଦନ୍ତ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ପ୍ରଶ୍ନ ଉଠୁଛି, ବିଜୟିନୀକୁ ଉଦ୍ଧାର କରିବା ପରଠୁ କେଉଁଠି ଥିଲେ ବାପା ମାଆ? କାହିଁକି ଶିଶୁ କନ୍ୟା ସେମାନଙ୍କର ବୋଲି କହୁନଥିଲେ? ମାଆଙ୍କ ମାନସିକ ସ୍ଥିତି ଯଦି ଠିକ୍ ନଥିଲା, କାହିଁକି ଚୁପ୍ ଥିଲେ ବାପା? ଗଣମାଧ୍ୟମରେ ବାରମ୍ବାର ଖବର ପରିବେଷଣ ପରେ ବି ନିରବ ଥିଲେ କାହିଁକି? ବୋରଓ୍ବେଲରେ ଶିଶୁକନ୍ୟାକୁ କିଏ ପକାଇଥିଲେ? କେମିତି ପରିବାର ଲୋକେ ଜାଣି ପାରିଲେନି? ନା ଜାଣିଶୁଣି ମାରିଦେବାକୁ ବୋରଓ୍ବେଲରେ ପକାଇଥିଲେ? ଏ ସବୁ ପ୍ରଶ୍ନ ପଚାରିବ ପୋଲିସ୍ ।

ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିଥିବା ଜଣାପଡ଼ିଥିଲା । ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳ ଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ । ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଦମକଳବାହିନୀ ଓ ବ୍ଲକ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଆରମ୍ଭ କରିଥିଲେ । ଏହାସହ ଓଡ୍ରାଫ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଭିକ୍ଟିମ ଲୋକେସନ କ୍ୟାମେରା ପଠାଇଥିଲେ ରାଜ୍ୟ ସରକାର । କ୍ୟାମେରା ପହଞ୍ଚିବା ପରେ ଶିଶୁର ସଠିକ ଲୋକେସନ ଜଣାପଡ଼ିଥିଲା । ଏହାପରେ ଉଦ୍ଧାରକାରୀ ଦଳ ଶିଶୁଟିକୁ ଉଦ୍ଧାର କରିଥିଲେ । ଶିଶୁଟି ପ୍ରାୟ ୧୫ ଫୁଟ୍ ତଳେ ବୋରଓ୍ବେଲ ଭିତରେ ପଡ଼ିଥିଲା ।

କେହି ଜାଣିଶୁଣି ଶିଶୁଟିକୁ ବୋରଓ୍ବେଲରେ ଫିଙ୍ଗି ମରିବାକୁ ଛାଡ଼ି ଦେଇ ଯାଇଥିଲା । ହେଲେ ଯାହା ଉପରେ ଭଗବାନଙ୍କ କୃପା ଅଛି ତାହାର କିଏ ବା କ’ଣ କରିପାରିବ । ଦୀର୍ଘ ୮ ଘଣ୍ଟା ବୋରଓ୍ବେଲରେ ଫସି ରହିବା ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇଥିଲା ।

 

ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୩ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

କଟକ: ନିଶ୍ଚିନ୍ତକୋଇଲି ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାର ଲୋକଙ୍କୁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ। ଏଥିସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଦୁର୍ଘଟଣାରେ ୯ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରବଳ କୁହୁଡି ଯୋଗୁଁ ଟ୍ରକ ଓ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ, ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ରାଜକନିକାର ନଳିନୀକାନ୍ତ ଗାହାଣ, ଆଳିର ଅନୂସୟା ବାରିକ । ଅନ୍ୟ ଜଣଙ୍କ ପରିଚୟ ମିଳିନାହିଁ । ଦୁର୍ଘଟଣାରେ ଦୁଇ ଗାଡିର ଡ୍ରାଇଭରଙ୍କର ଅବସ୍ଥା ଗୁରୁତର ରହିଛି ।

ଦୁଇ ଡ୍ରାଇଭର ଏବେ ବି ଗାଡିରେ ଫସି ରହିଛନ୍ତି । କଟର ମେସିନ୍ ସହାୟତାରେ ସେମାନଙ୍କୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି । ଆହତ ଓ ଗୁରୁତରଙ୍କ ମଧ୍ୟରୁ ୪ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

 

 

ପୋଖରୀରୁ ମିଳିଲା ଶିଶୁର ମୃତଦେହ, ଗତକାଲିଠୁ ଥିଲା ନିଖୋଜ  

ସୋର: ସୋର ପୌରପାଳିକା ୪ ନମ୍ବର ୱାର୍ଡ ରାଇପୁର ଗ୍ରାମର ମୋହନ ସାହୁଙ୍କ ଅଢେଇ ବର୍ଷର ପୁଅର ମୃତ୍ୟୁ । ଖୋଜାଖୋଜି ପରେ ମିଳିଲା ମୃତଦେହ । ପୋଖରୀରକୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଶିଶୁଟି ଖେଳୁ ଥିବା ବେଳେ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ଓ ଗ୍ରାମବାସୀ ବିଭିନ୍ନ ପୋଖରୀ, ବିଲ ବାଡି, ଷ୍ଟେସନ, ବସଷ୍ଟାଣ୍ଡରେ ଖୋଜାଖୋଜି କରି ନିରାଶ ହୋଇଥିଲେ ।

ଆଜି ସକାଳୁ ରାଇପୁର ସ୍ଥିତ ମୋହନ ସାହୁଙ୍କ ବାଡ଼ିରେ ଥିବା ପୋଖରୀରେ ଶିଶୁ ପୁତ୍ରଟି ପଡ଼ିଥିବା ସନ୍ଦେହରେ ପାଣି କଢ଼ାଯାଇଥିଲା । ପାଣି କାଢ଼ିବା ପରେ ଶିଶୁର ମୃତଦେହ ମିଳିଥିଲା ।

ଭୟଙ୍କର ବିସ୍ଫୋରଣ, ଉଡିଲା ଛାତ, ଭାଙ୍ଗିଲା କାନ୍ଥ

ଭୁବନେଶ୍ବର: ରାଜଧାନୀରେ ଭୟଙ୍କର ବିସ୍ଫୋରଣ । ଝାରପଡା ଅଞ୍ଚଳରେ ବିସ୍ଫୋରଣରେ ଉଡିଲା ଛାତ, ଭାଙ୍ଗିଲା କାନ୍ଥ । ବିସ୍ଫୋରଣରେ ଆହତ ହୋଇଛନ୍ତି ଝାରପଡା ଅଞ୍ଚଳର କବିରାଜ ସ୍ବାଇଁ । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି ।

ଗତକାଲି ରାତିରେ ଏଭଳି ଘଟଣା ଘଟିଛି । ଅନ୍ୟପଟେ ବୋମାମାଡ଼ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି । ଘର ଭିତରେ ବ୍ୟାପକ ପରିମାଣର ଡିଓଡ୍ରାଣ୍ଟ ଥିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ପାରିପାର୍ଶ୍ବିକ ପରିସ୍ଥିତି ଓ ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛି ।

 

ଦୁର୍ଘଟଣା ଆଇନ ବିରୋଧରେ ଦେଶବ୍ୟାପୀ ଟ୍ରକ ଚାଳକଙ୍କ ଧର୍ମଘଟ, ବଢିପାରେ ବଜାର ଦର

ନୂଆଦିଲ୍ଲୀ: ଦେଶରେ ଚାଲୁନି ଅଧା ଟ୍ରକ୍ । ଆନ୍ଦୋଳନ କରିଛନ୍ତି ଟ୍ରକ୍ ଡ୍ରାଇଭର୍ । ହିଟ୍ ଆଣ୍ଡ ରନ୍ ଆଇନ୍ ଅନୁଯାୟୀ ଅଧିକ ଦଣ୍ଡ ଏବଂ ଜରିମାନା ବିରୋଧରେ ସାରା ଦେଶରେ ପ୍ରାୟ ଅଧା ଟ୍ରକ୍ ଚାଲୁନି । ଏହି ପ୍ରତିବାଦରେ ଯୋଗ ଦେଉଥିବା ଡ୍ରାଇଭରଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ଡ୍ରାଇଭରମାନେ ଟ୍ରକକୁ ରାସ୍ତାରେ ଛାଡି ଚାଲିଯାଉଛନ୍ତି।

ଆଜି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ଜାମ୍ମୁ କାଶ୍ମୀର, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ଅବସ୍ଥା ଆହୁରି ଖରାପ ହୋଇପାରେ। ଅଲ ଇଣ୍ଡିଆ ମୋଟର ପରିବହନ କଂଗ୍ରେସ ଆଜି ଅପରାହ୍ନରେ ସାରା ଦେଶରେ ପରିବହନ ୟୁନିଅନର ଏକ ବୈଠକ ଡାକିଛି । ଯେଉଁଥିରେ ଆଗାମୀ ରଣନୀତି ସ୍ଥିର କରାଯିବ।

ଦେଶର ସମସ୍ତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ନୂଆ ହିଟ୍ ଆଣ୍ଡ ରନ୍ ଆଇନକୁ ତୀବ୍ର ବିରୋଧ କରାଯାଇଛି। ଡ୍ରାଇଭରଙ୍କ ସହ ସମସ୍ତ ପରିବହନ ୟୁନିଅନ ଏହି ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ବି ଅନେକ ସ୍ଥାନରେ ବସ୍ ଏବଂ ଟ୍ରକ୍ ଷ୍ଟ୍ରାଇକ୍ ଯୋଗୁ ଟ୍ରାଫିକ୍ ଜାମ୍ ହେବାର ଦେଖାଯାଇଛି । ବେସରକାରୀ ବସ୍, ଟ୍ରକ୍ ଏବଂ ଏପରିକି ସରକାରୀ ବିଭାଗର ଘରୋଇ ବସ୍ ମଧ୍ୟ ଏହି ଧର୍ମଘଟରେ ଭାଗ ନେଉଛନ୍ତି।

ବାସ୍ତବରେ, ଦୁର୍ଘଟଣା ନିୟମ ଅନୁଯାୟୀ କେନ୍ଦ୍ର ସରକାର ୧୦ ବର୍ଷ କାରାଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିଛନ୍ତି।

ଅଲ ଇଣ୍ଡିଆ ମୋଟର ପରିବହନ କଂଗ୍ରେସ ସଭାପତି ଅମୃତ ଲାଲ ମଦନ କହିଛନ୍ତି ଯେ, ପରିବହନ ୟୁନିଅନ ଡ୍ରାଇଭରଙ୍କ ସମର୍ଥନରେ ବାହାରିଛି। ଏହି ପ୍ରସଙ୍ଗରେ ଆଜି ଅପରାହ୍ନରେ ଦେଶର ସମସ୍ତ ୟୁନିୟନର ଏକ ବୈଠକ ଡକାଯାଇଛି। ଏହି ବୈଠକରେ ପରବର୍ତ୍ତୀ ଋଣନୀତି ସ୍ଥିର ହେବ ଏବଂ ସ୍ଥିର ରଣନୀତି ଅନୁଯାୟୀ କିପରି ବିରୋଧ କରାଯିବ ସେ ନେଇ କାର୍ଯ୍ୟକ୍ରମ ସ୍ଥିର କରାଯିବ ।

ଅମୃତ ଲାଲ ମଦନ କହିଛନ୍ତି ଯେ, ବର୍ତ୍ତମାନ ୯୫ ଲକ୍ଷରୁ ଅଧିକ ଟ୍ରକ୍ ପଞ୍ଜିକୃତ ହୋଇଛନ୍ତି । ସେଥିମଧ୍ୟରୁ ୭୦ ଲକ୍ଷ ଟ୍ରକ୍ ଗୋଟିଏ ସମୟରେ ରାସ୍ତାରେ ଚାଲିଥାଏ। ଏବେ ପ୍ରତିବାଦ କରି ୩୦ ରୁ ୪୦ ପ୍ରତିଶତ ଟ୍ରକ୍ ରାସ୍ତାରେ ଠିଆ ହୋଇଛି | ୭୦ ଲକ୍ଷ ଟ୍ରକରୁ ୨୫ ଲକ୍ଷରୁ ଅଧିକ ଟ୍ରକର ଚକ ଏବେ ଅଟକି ରହିଛି। ଏପରି ଯଦି ଟ୍ରକ୍ ଧର୍ମଘଟ ଜାରି ରହେ ତାହାଲେଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଣ ପ୍ରଭାବିତ ହୋଇପାରେ । ଏବଂ ଏହାର ଦର ବି ବଢ଼ିପାରେ ।