spot_img
Home Blog Page 2307

ଆଦିବାସୀଙ୍କୁ ହକ୍ କେବେ ? ସଂସଦରେ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ

ଭୁବନେଶ୍ୱର :  ଓଡ଼ିଶା ମାଗିଲା ଆଦିବାସୀ ହକ୍ । ସଂସଦରେ ବିଜେଡି ସାଂସଦ ସସ୍ମିତ ପାତ୍ର ଓଡ଼ିଶା ଆଦିବାସୀଙ୍କ ସ୍ବାର୍ଥ ସଂପର୍କିତ ବିଭିନ୍ନ ଦାବି ଉଠାଇଛନ୍ତି। କେନ୍ଦ୍ର ସରକାରଙ୍କ ନିକଟରେ ଏସବୁ ଦାବି ଦୀର୍ଘ ଦିନ ଧରି ପଡିରହିଛି । ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରୀ, ଭୂମିଜ, ସଉରା ଓ କୁଇ ଭାଷାକୁ ସାମିଲ କରିବା ନେଇ ବାରମ୍ବାର ଦାବି ହେଉଛି।

ସେହିପରି ଅନୁସୂଚିତ ଜନଜାତି ତାଲିକାରେ ଓଡ଼ିଶାର ୧୬୯ ସଂପ୍ରଦାୟକୁ ସାମିଲ କରିବାକୁ ବି ଦାବି ହେଉଛି। କେନ୍ଦୁପତ୍ର ଉପରେ ଅଧିକାଂଶ ଆଦିବାସୀ ପରିବାର ନିର୍ଭରଶୀଳ ଥିବା ବେଳେ ୧୮ପ୍ରତିଶତ ଜିଏସଟି ହଟାଇବା ଦାବି ଶୁଣୁନି କେନ୍ଦ୍ର । ସମସ୍ତ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଏନେଇ ସଂସଦରେ ପୁଣି ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

ପାକିସ୍ତାନରେ ପୁଣି ଅଜ୍ଞାତ ଆତତାୟୀର ଗୁଳିରେ ଶିକାର ହେଲା ଆଉ ଜଣେ ଲସ୍କର ଆତଙ୍କବାଦୀ

ନନ୍ଦିଘୋଷ ବ୍ୟୁରୋ :  ପାକିସ୍ତାନରେ ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଟାର୍ଗେଟ୍ କିଲିଂର ଶିକାର ଆଉ ଜଣେ ଲସ୍କର ଆତଙ୍କବାଦୀ ହୋଇଛି । ନିହତ ଆତଙ୍କବାଦୀ ଜଣକ ୨୦୧୫ ଓ ୨୦୧୬ରେ ଉଦ୍ଦମପୁର ତଥା ପମ୍ପୋରରେ ସୁରକ୍ଷାବାହିନୀ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ୍ ଥିଲା । ନିହତ ଆତଙ୍କବାଦୀରନ ନାମ ହଂଜଲା ଅଦନାନ ଓ ସେ ଲସ୍କର ଇ ତୋଇବାର ସିନିୟର କମାଣ୍ଡର ଥିଲା । ହଂଜଲା ଲସ୍କର ମୁଖ୍ୟ ହାଫିଜ୍ ସଇଦର ନିକଟତର ଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁସାରେ କରାଚୀରେ ଡିସେମ୍ବର ୩ ତାରିଖରେ ହଂଜଲା ଉପରେ ଆକ୍ରମଣ ହୋଇଥିଲା ।
୩ ଡିସେମ୍ବର ରାତିରେ ହଂଜଲାକୁ ଅଜ୍ଞାତ ବନ୍ଧୁକଧାରୀ ଗୁଳି କରିଥିଲେ । ତାକୁ ତା’ ଘର ଆଗରେ ଗୁଳି କରାଯାଇଥିଲା । ଗୁଳିକାଣ୍ଡ ପରେ ହଂଜଲାକୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା । ହଂଜଲାର ହତ୍ୟାକୁ ଲସ୍କର ଓ ହାଫିଜ ପାଇଁ ବଡ଼ ଧରଣର ଝଟକା ବୋଲି କୁହାଯାଉଛି । ତେବେ ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ଅଛି ସେନେଇ ଏପର୍ଯ୍ୟନ୍ତ କିଛି ଜଣା ପଡ଼ିନାହିଁ । ପୋଲିସ ଅନୁସାରେ ହଂଜଲାକୁ ୪ଟି ଗୁଳି ମରାଯାଇଥିଲା ।

ବିଏସଏଫ୍ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ୍
ହଂଜଲା ଅଦନାନ ୨୦୧୫ରେ ଜମ୍ମୁକାଶ୍ମୀରର ଉଦ୍ଧମପୁରର ବିଏସଏଫ ଉପରେ ହୋଇଥିବ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା । ସେହି ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଥିଲେ । ୧୩ ଜଣ ଆହତ ହୋଇଥିଲେ । ସେହିଭଲି ୨୦୧୩ରେ ପାମ୍ପୋରରେ ସିଆରପିଏଫର ଏକ ଦଳ ଉପରେ ହୋଇଥିବା ଆକ୍ରମଣର ଷଡ଼ଯନ୍ତ୍ର ମଧ୍ଯ ହଂଜଲା ରଚିଥିଲା । ଯେଉଁଥିରେ ୮ ଜଣ ଯବାନ ସହିଦ ହୋଇଥିଲେ । ହାଫିସ ସହିତ ମିଶି ହଂଜଲା ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ ଚଳାଉଥିଲା ।

ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ଗତ କେଇ ମାସ ଲସ୍କର ,ଜୈଶ ଭଳି ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନର ନେତାଙ୍କୁ କେହି ଟାର୍ଗେଟ୍ କରୁଛି । ଯାହାକୁ ନେଇ ପାକିସ୍ତାନ ସରକାର ଚୁପ ଥିବା ବେଳେ ସ୍ଥାନୀୟ ମିଡିଆ ଓ ପୋଲିସ ଏହାକୁ ଟାର୍ଗେଟ୍ କିଲିଂ ବୋଲି କହୁଛି । ଆଫଗାନିସ୍ତାନଠାରୁ ପାକିସ୍ତାନର ବିଭିନ୍ନ ସହରରେ ଲସ୍କର ଆତଙ୍କବାଦୀଙ୍କ ଉପରେ ଖୁଲମଖୁଲା ଆକ୍ରମଣ ହେଉଛି । ହଂଜଲା ଉପରେ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରରେ ସାମିଲ ଥିବା ସାଜିଦ ମୀରକୁ ଜେଲ ଭିତରେ କେହି ବିଷ ଦେଇଥିବା ଜଣା ପଡିଥିଲା । ମାଜିଦକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ଏବେ ମଧ୍ୟ ମାଜିଦର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସେହିଭଳି ସୋମବାର ଦିନ ପାକିସ୍ତାନରେ ଶରଣ ନେଇଥିବା ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ରୋଡେର ମଧ୍ୟ ହତ୍ୟା ହୋଇଥିଲା ।

ସମ୍ବଲପୁରରରୁ ତୀର୍ଥରେ ବାହାରିଲେ ୯୭୦ ବରିଷ୍ଠ ନାଗରିକ

ସମ୍ବଲପୁର : ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ହୋଇଛି । ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ ହୋଇଛି । ସମ୍ବଲପୁର, ଝାରସୁଗୁଡା, ବରଗଡ, ଦେବଗଡ, ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର ଓ ଅନୁଗୁଳ ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ କୋଲକାତା ଓ ଗୌହାଟିର କାମାକ୍ଷାମନ୍ଦିର ଯାତ୍ରାରେ ବାହାରିଛନ୍ତି । ଏହି ଯାତ୍ରାର ଶୁଭରାମ୍ଭରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କୁ ଏହି  ଯାତ୍ରା ପାଇଁ  ଶୁଭକାମନା ଜଣାଇଥିଲେ  ।

ବରୁଣେଇ ପୀଠରେ ବ୍ରାଉନସୁଗାର ଡିଲ୍ ,ଧରା ହେଲେ ୪ ଡିଲର୍

ଖୋର୍ଦ୍ଧା : ଖୋର୍ଦ୍ଧା ବରୁଣେଇ ପୀଠରୁ ବ୍ରାଉନସୁଗାର ଜବତ । ବ୍ରାଉନସୁଗାର୍ ଡିଲ ବେଳେ ମାଡି ବସିଲା ପୋଲିସ । ୨୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିସହ ପିସ୍ତଲ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରିଛି ପୋଲିସ । ବ୍ରାଉନସୁଗାର ଡିଲ୍ ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୪ ଜଣ ଖୋର୍ଦ୍ଧା, ପୁରୀ ଓ ଜଂକିଆ ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି । ପୋଲିସ ସ୍କାନରରେ ଏମାନେ ପୂର୍ବରୁ ହିଁ ଥିଲେ। କିଛି ଦିନ ବ୍ୟବଧାନରେ ପୁଣି ଖୋର୍ଦ୍ଧାରେ ଆରମ୍ଭ ହୋଇଥିବା ଧଳା ଜହର କାରବାରକୁ ରୋକିବାକୁ ପୋଲିସ ଚଢ଼ାଉ ଜରି ରଖିଛି ।

ବାପାଙ୍କ ଶବ ସତ୍କାର ବେଳେ ଶବ ହୋଇଗଲା ପୁଅ

ଜୟପୁର : ଏମିତି ବି ଆସେ ମୃତ୍ୟୁ । ଗୋଟିଏ ଦିନରେ ଚାଲିଗଲା ବାପା ପୁଅଙ୍କ ଜୀବନ । ପ୍ରଥମେ ବାପାଙ୍କର ମୃତ୍ୟୁ ହେବାରୁ ଶେଷକୃତ୍ୟ ପାଇଁ ପ୍ରସ୍ତୁତ ହେଉଥିଲେ ପୁଅ । ହେଲେ ଗଛ ଡାଳ ପଡ଼ିଯିବାରୁ ପୁଅର ହୋଇଛି ମୃତ୍ୟୁ । ଜୟପୁର ବୋରିଗୁମ୍ମା ବ୍ଲକ କାମତା ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । କାମତା ଗାଁର ଲକ୍ଷ୍ମଣ ମଣ୍ଡଳଙ୍କର କୋରାପୁଟରେ ମୃତ୍ୟୁ ହୋଇଥିଲା ।

ତାଙ୍କ ଶବକୁ ଶେଷକୃତ୍ୟ ପାଇଁ ନିଜ ଗାଁ କାମତା ଅଣାଯାଇଥିଲା । ବାପା ଲକ୍ଷ୍ମଣଙ୍କର ଶେଷକୃତ୍ୟ କାର୍ଯ୍ୟରେ ଲାଗି ପଡ଼ିଥିଲେ ପୁଅ ବେଣୁଧର । ହେଲେ ଏହି ସମୟରେ ପୁଅ ବେଣୁଧର ମଣ୍ଡଳଙ୍କ ଉପରେ ଏକ ବିଶାଳ ଗଛର ଡାଳ ପଡି ଯାଇଥିଲା । ଫଳରେ ବେଣୁଧରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ପରିବାର ଲୋକ ଭାଙ୍ଗି ପଡିଛନ୍ତି । କାନ୍ଦ ବୋବାଳିରେ ଫାଟି ଯାଉଛି ପୂରା ଗାଁ ।

ଡିସେମ୍ବର ୧୩ କିମ୍ବା ପୂର୍ବରୁ ପାର୍ଲାମେଣ୍ଟ ଉପରେ ହେବ ଆକ୍ରମଣ, ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ : ପୁଣି ଭାରତକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂ ପନ୍ନୁନ । ଡିସେମ୍ବର ୧୩ କିମ୍ବା ତା ପୂର୍ବରୁ ଭାରତର ପାର୍ଲାମେଣ୍ଟ ଉପରେ ଆକ୍ରମଣ କରାଯିବ ବୋଲି ଏକ ଭିଡିଓରେ ଧମକ ଦେଇଛି ପନ୍ନୁନ । ତାକୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ଉଦ୍ୟମ ବିଫଳ ହୋଇଥିବା କୁହାଯିବା ପରେ ଏହି ଧମକ ଦେଇଛି ପନ୍ନୁନ ।

ବିଗତ ୨୦୦୧ ଡିସେମ୍ବର ୧୩ରେ ଭାରତର ସଂସଦ ଭବନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା । ଏବେ ପୁଣି ସେହି ଧମକ ଭାରତୀୟ ନିରାପତ୍ତା ବାହିନୀ ଲାଗି ଚାଲେଞ୍ଜ ସୃଷ୍ଟି କରିଛି । ଜାରି ହୋଇଥିବା ଭିଡିଓରେ ୨୦୦୧ ପାର୍ଲାମେଣ୍ଟ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ଅଫଜଲ ଗୁରୁର ଫଟୋ ଲାଗିବା ସହ ଦିଲ୍ଲୀ ବନେଗା ଖଲିସ୍ତାନ କ୍ଯାପସନ ଦିଆଯାଇଛି ।

ପନ୍ନୁନ ଜଣେ କାନାଡା ଓ ଆମେରିକା ନାଗରିକ ଏବଂ ଶିଖସ୍ ଫର ଜଷ୍ଟିସ ସଂଗଠନର ନେତା । ଏକ ସ୍ବତନ୍ତ୍ର ଶିଖ୍ ଭୂଖଣ୍ଡ ଗଠନ ଲାଗି ସେ ଆହ୍ବାନ ଦେଇଥାଏ । ପଞ୍ଜାବ ଅମ୍ରିତସରରେ ଜନ୍ମିତ ପନ୍ନୁନ ୧୯୯୦ରେ ଶିଖସ୍ ଫର ଜଷ୍ଟିସ ସଂଗଠନ ଗଠନ କରିବା ସହ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହୋଇଆସିଛି ।

ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା ଘଟଣା : ପ୍ରତିବାଦରେ ରାଜସ୍ଥାନ ବନ୍ଦ, ଚକା ଜାମ

ଜୟପୁର : ରାଜପୁତ ନେତା ତଥା ରାଷ୍ଟ୍ରୀୟ ରାଜପୁତ କରନି ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା ପ୍ରତିବାଦରେ ରାଜସ୍ଥାନ ବନ୍ଦ । ଗତ ଡିସେମ୍ବର ୫ ତାରିଖରେ ନିଜ ଘରେ ଥିବାବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ । ହତ୍ୟାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ହତ୍ୟା ଘଟଣାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଓ ଲରେନ୍ସ ବିଷ୍ଣୋଇର ଜଣେ ସହଯୋଗୀ ରୋହିତ ଗୋଦାରା ସମ୍ପୃକ୍ତ ଥିବା ସୂଚନା ମିଳିଛି । ହତ୍ୟାଲାଗି ସେ ଦାୟୀ ବୋଲି ଫେସବୁକ୍ ପୋଷ୍ଟ ଜରିଆରେ ସ୍ବୀକାର କରିଛି ରୋହିତ ।

ଗୁଳିକାଣ୍ଡରେ ଗୋଗାମେଡି ପ୍ରାଣ ହରାଇଥିବାବେଳେ ତାଙ୍କର କେତେକ ସହକର୍ମୀ ଆହତ ହୋଇଥିଲେ । ତେବେ ଗୋଗାମେଡିଙ୍କ କର୍ମୀଙ୍କ ଗୁଳିମାଡରେ ଜଣେ ଦୁର୍ବୃତ୍ତ ପ୍ରାଣ ହରାଇଥିଲା । ରାଜସ୍ଥାନରେ ସରକାର ପରିବର୍ତ୍ତନ ହେବା ମାତ୍ରେ ଏହି ଘଟଣା ରାଜସ୍ଥାନ ରାଜନୀତିକୁ ସରଗରମ କରିଛି । ଗୁଳିକାଣ୍ଡ ହେବା ମାତ୍ରେ କରନି ସେନା ସମର୍ଥକମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ । ଲୋକେନ୍ଦ୍ର ସିଂ କାଲଭି ନେତୃତ୍ବାଧୀନ ରାଜପୁତ କରନି ସେନାରୁ ଅଲଗା ହୋଇ ଗତ ୨୦୧୫ରେ ଗୋଗାମେଡି ଗଠନ କରିଥିଲେ ରାଷ୍ଟ୍ରୀୟ ରାଜପୁତ କରନି ସେନା ।

ରୋହିତ ଗୋଦାରା ହେଉଛି ରାଜସ୍ଥାନର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ତାକୁ ଧରିବା ଲାଗି ଏନଆଇଏ ପକ୍ଷରୁ ଚଢାଉ ଜାରି ରହିଛି । ସେ ବିକାନିରର ଏବଂ ତା ନାମରେ ୧୨ରୁ ଅଧିକ ସଂଗୀନ ମାମଲା ରହିଛି । ରାଜସ୍ଥାନର ବହୁ ବ୍ୟବସାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିବା ଅଭିଯୋଗ ତା ନାଁରେ ରହିଛି । ୨୦୨୨ରେ ଗ୍ୟାଙ୍ଗଷ୍ଟର ରାଜୁ ତେଥ ହତ୍ୟା ଘଟଣାରେ ବି ରୋହିତ ସମ୍ପୃକ୍ତ ଥିଲା । ସେହିପରି ସିଦ୍ଧୁ ମୋସେଓ୍ବାଲା ହତ୍ୟା ଘଟଣାରେ ବି ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଫେକ୍ ପାସପୋର୍ଟ ଜରିଆରେ ସେ ଗତ ୨୦୨୨ଜୁନରେ ଦୁବାଇ ଚାଲିଯାଇଥିଲା । ତା ନାମରେ ରେଡ କର୍ଣ୍ଣର ନୋଟିସ ଜାରି ହୋଇଥିବାବେଳେ ସେ ଏବେ କାନାଡାରେ ଥିବା ଆଶଙ୍କା କରାଯାଉଛି ।

ସରିଲା କଟକର ଐତିହାସିକ ବାଲିଯାତ୍ରା, ଚଳିତ ବର୍ଷ ରେକର୍ଡ ପରିମାଣର ବ୍ୟବସାୟ

କଟକ  : ସରିଲା କଟକର ଐତିହାସିକ ବାଲିଯାତ୍ରା । ଚଳିତ ବର୍ଷ କଟକ ଐତିହାସିକ ବାଲିଯାତ୍ରାରେ ରେକର୍ଡ ପରିମାଣର ବ୍ୟବସାୟ ହୋଇଛି । ମେଳାର ତଳ ଓ ଉପର ପଡିଆରେ ଆୟୋଜିତ ବଡ଼ରୁ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନରେ ପ୍ରାୟ ୨୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବିଶେଷକରି ତଳ ବାଲିଯାତ୍ରା ପଡିଆରେ ଓରମାସ ପକ୍ଷରୁ ହୋଇଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ୯ ଦିନ ମଧ୍ୟରେ ୩୭ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି ।

ଏଥର ଓରମାସ ମେଳାରେ ୪୨୦ ଷ୍ଟଲ ଓ ୫୦ରୁ ଅଧିକ ମୁକ୍ତାକାଶ ବ୍ୟବସାୟିକ ଷ୍ଟଲ ଖୋଲା ଯାଇଥିଲା । ମିଶନ ଶକ୍ତି, ନାବାର୍ଡ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଏନଜିଓ ସହିତ ୨୨ ରାଜ୍ୟର ବ୍ୟବସାୟୀ ଏଥିରେ ଭାଗ ନେଇଥିଲେ । ମେଳାରେ ପ୍ରାୟ ୨୦ରୁ ଅଧିକ ନୂତନ ସାମଗ୍ରୀକୁ ପ୍ରମାଣପତ୍ର ଦିଆଯାଇଥିଲା । ୨୦୨୨ରେ ଏହି ମେଳାରୁ ୨୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଏଥର ଏହି ରେକର୍ଡ ଭାଙ୍ଗିଛି ।

ଆସନ୍ତା ବର୍ଷ ଏହି ମେଳାକୁ ଆହୁରି ଅଧିକ ନୂତନ ସାମଗ୍ରୀ ଅଣାଯିବା ସହିତ ମହିଳାଙ୍କ ଉତ୍ପାଦକୁ ବିକ୍ରି ପାଇଁ ଅଧିକ ପ୍ରୋତ୍ସାହନ ଦିଆଯିବ । ଏଥର କଟକ ଇନ କଟକରେ ଗ୍ରାମୀଣ କଟକ, ଏଲଇଡ଼ି ବୋଇତ, ଚିତ୍ରକଳା ଉତ୍ସବ, ମହାନଦୀ ଜଳକ୍ରୀଡା, ଅଣ୍ଡର ୱାଟର ଫିସ ଆକ୍ୟୁରିୟମ, ଓଲିଉଡ଼ ବଲିଉଡ଼ ନାଇଟ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ପୋଲିସ ପ୍ରଶାସନ ସମେତ ସମସ୍ତଙ୍କ ସହଯୋଗରେ ବାଲିଯାତ୍ରା ସଫଳ ହୋଇଥିବା ଜିଲ୍ଲାପାଳ କହିଛନ୍ତି ।

ଘରେ ପଶି ମହିଳାଙ୍କୁ ଗୁଳି, ୨ ଦୁର୍ବୃତ୍ତ ଫେରାର

ନୀଳଗିରି : ନୀଳଗିରି ବରହମପୁର ଥାନା ରାଇପାଳ ଗାଁରେ ଗୁଳିମାଡ଼ । ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଗୁଳି ମାଡ କରିଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ ପରେ ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ମହିଳାଙ୍କ ହାତ, ଅଣ୍ଟା ଓ ପେଟରେ ଗୁଳି ବାଜିଛି । ଆହତ ମହିଳା ଜଣକ ରାଇପାଳ ଗାଁର ରସିକ ମୁର୍ମୁଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ, ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ତେଲେଙ୍ଗାନାରେ ହେବ ରେବନ୍ତ ସରକାର, ହାଇକମାଣ୍ଡଙ୍କ ଗ୍ରୀନ୍ ସିଗନାଲ

ହାଇଦ୍ରାବାଦ : ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ପ୍ରଦେଶ ମୁଖ୍ୟ ରେବନ୍ତ ରେଡ୍ଡୀ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ରେବନ୍ତଙ୍କ ନାଁରେ ମୋହର ମାରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ କଂଗ୍ରେସ ଜାତୀୟ ମହାସଚିବ କେ.ସି ଭେନୁଗୋପାଳଙ୍କ ସହ ଅନ୍ୟ ନେତାଙ୍କ ବୈଠକରେ ରେବନ୍ତଙ୍କ ନାଁରେ ବାଜିଛି ମୋହର । ଆଜି ହାଇଦ୍ରାବାଦରେ କଂଗ୍ରେସ ବିଧାୟକ ଦଳ ବୈଠକରେ ଆଲୋଚନା ପରେ ବିଧିବଦ୍ଧ ଭାବେ ରେବନ୍ତଙ୍କ ନାଁ ଘୋଷଣା କରାଯିବ ।

ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ରାଜ୍ୟରେ କଂଗ୍ରେସର ବିପୁଳ ନିର୍ବାଚନ ପରେ ସମସ୍ତ କ୍ରେଡିଟ ରେବନ୍ତଙ୍କୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ରେସରେ ସେ ସବୁଠୁ ଆଗରେ ଥିଲେ। ରେବନ୍ତ ରେଡି ତେଲେଙ୍ଗାନା ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୧୭ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୨୧ରେ ତେଲଙ୍ଗାନା ପିସିସି ଭାବେ ଦାୟିତ୍ବ ନେଇଥିଲେ । ଏହା ପୁର୍ବରୁ ସେ ତେଲୁଗୁ ଦେଶମ ପାର୍ଟିରେ ଥିଲେ । ଦୁଇ ଦୁଇ ଧର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି୍ ରେବନ୍ତ ।

ନିଜର ଜବରଦସ୍ତ ପ୍ରଚାର ଲାଗି ସେ କଂଗ୍ରେସ ରାଜନୀତିରେ ବେଶ ପରିଚିତ । ସେହିପରି ରାଜସ୍ଥାନରେ ବିଜେପିର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସର ସବା ଆଗରେ ଅଛନ୍ତି ରାଜକୁମାରୀ ଦୀୟା କୁମାରୀ । ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରହିଛନ୍ତି । ଉଭୟ ବସୁନ୍ଧରା ଓ ଦୀୟା ରାଜ ପରିବାରରୁ ଆସିଛନ୍ତି । ୭୧ ହଜାରରୁ ଅଧିକ ବମ୍ପର ଭୋଟରେ ଦିୟା କୁମାରୀ ନିଜ ନିକଟତମ ପ୍ରତିନ୍ଦନ୍ଦୀଙ୍କୁ ପରାସ୍ତ କରିଛନ୍ତି । ଜୟପୁର ରାଜ ପରିବାର ସଦସ୍ୟ ଦୀୟା କୁମାରୀ । ରାଜା ମାନ ସିଂ ଦ୍ବିତୀୟଙ୍କର ନାତୁଣୀ ହେଉଛନ୍ତି ଦୀୟା । ଜୟପୁରର ରାଜତନ୍ତ୍ରର ଶେଷ ସମ୍ରାଟ ଥିଲେ ରାଜା ମାନ ସିଂହ ଦ୍ବିତୀୟ । ତେବେ ବିଜେପିର ସଂସଦୀୟ ଟିମ୍ ମୁଖ୍ୟମନ୍ତ୍ରୀ କିଏ ହେବ ତା ଉପରେ ମୋହର ମାରିବେ । ତେବେ ଛତିଶଗଡ଼ରେ ମଧ୍ୟ ଏଥର ନୂଆ ଚେହେରା ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶରେ ମଧ୍ୟ ଶିବରାଜ ସିଂହ ବିଜେପିର ପ୍ରଥମ ପସନ୍ଦ ନୁହେଁ ବୋଲି ଚର୍ଚ୍ଚା ହେଉଛି । କୈଳାଶ ବିଜୟ ବର୍ଗିୟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।