spot_img
Home Blog Page 2318

କାହିଁକି ହାରୁଛି କଂଗ୍ରେସ, ଜାଣନ୍ତୁ ପରାଜୟର ମୁଖ୍ୟ ୫ କାରଣ

ନୂଆଦିଲ୍ଲୀ: ୪ ରାଜ୍ୟର ନିର୍ବାଚନ ଫଳାଫଳ କଂଗ୍ରେସକୁ ୩-୧ରେ ପରାସ୍ତ କରିଛି । ୪ ରାଜ୍ୟ ମଧ୍ୟରୁ କଂଗ୍ରେସ କେବଳ ତେଲେଙ୍ଗାନାରେ BRS ହାତରୁ କ୍ଷମତା ଛଡ଼ାଇ ଆଣିଥିବାବେଳେ ରାଜସ୍ଥାନ ଏବଂ ଛତିଶଗଡ଼ କଂଗ୍ରେସ ହାତରୁ ବିଜେପି ହାତକୁ ଯାଉଛି । ଯଦିଓ ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇନି । ତଥାପି ଯଦି ଆମେ ଟ୍ରେଣ୍ଡକୁ ଦେଖିବା ତାହେଲେ ୩ ରାଜ୍ୟରେ ଆଗରେ ରହିଛି ବିଜେପି । ରାଜସ୍ଥାନ,ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରରେ ବିଜେପି ବହୁମତ ପାଉଥିବାବେଳେ କଂଗ୍ରେସର ପରାଜୟକୁ ନେଇ କାରଣ ଖୋଜାଯାଉଛି । କଂଗ୍ରେସ ପରାଜୟର ୫ କାରଣ ।

୧- ଦୁର୍ବଳ ସଂଗଠନ: ତୃଣମୂଳ ସ୍ତରରେ କଂଗ୍ରେସର ସଂଗଠନ ଅତ୍ୟନ୍ତ ଦୁର୍ବଳ ମନେହୁଏ । ଏକଦା ଛାତ୍ର, ମହିଳା, ଯୁବ ଏବଂ ତୃଣମୂଳ ସ୍ତରରେ ଦୃଢ଼ ରହିଥିଲା । କିନ୍ତୁ ଏବେ ସାଧାରଣ ଲୋକଙ୍କ ପାଖରେ ସଂଗଠନ ପହଞ୍ଚନଥିବା କୁହାଯାଏ । ପୂର୍ବ ଅପେକ୍ଷା ଦଳର ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ।

୨- ନେତୃତ୍ୱ ଉପରେ ଆତ୍ମବିଶ୍ୱାସର ଅଭାବ: ସବୁଠାରୁ ବଡ କାରଣ ହେଉଛି କଂଗ୍ରେସର ନେତୃତ୍ବ ଦୁର୍ବଳ ଦେଖାଯିବା ଆରମ୍ଭ କରିଛି | ତେବେ ’ଭାରତ ଯୋଡ’ ଯାତ୍ରା ମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ ଜନ ନେତା ଭାବରେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରାଯାଇଥିଲା। ବାସ୍ତବରେ ରାହୁଲ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ମାତ୍ର ନେତାଙ୍କ ଦୁର୍ବଳ ସଂଗଠନ ଏବଂ ଜନତାଙ୍କ ସହ ସମ୍ପର୍କ ରହିନାହିଁ । ଦଳର ପରାଜୟ ନେତାଙ୍କ ଆତ୍ମବିଶ୍ବାସ କମାଇଛି ।

୩- ଗୋଷ୍ଠୀ କନ୍ଦଳ : କଂଗ୍ରେସର ସଂଗଠନ ଠିକ ନଥିଲେ ସୁଦ୍ଧା ଦଳରେ ଗୋଷ୍ଠୀ କନ୍ଦଳ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । କ୍ଷମତା ପାଇଁ ଦଳର ନେତାଙ୍କ ମଧ୍ୟ ପ୍ରତିଯୋଗିତା ପରାଜୟର ଏକ ମୁଖ୍ୟ କାରଣ । ରାଜସ୍ଥାନରେ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ଗୋଷ୍ଠୀ କନ୍ଦଳ ସରକାର ପତନର କାରଣ । ସେପଟେ ମଧ୍ୟପ୍ରଦେଶରେ କଂଗ୍ରେସର ଦଳୀୟ କନ୍ଦଳ ପରେ ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବଡ଼ ଉଦାହରଣ ବୋଲି କହିପାରିବା ।

୪- ଦୁର୍ବଳ ଯୋଗାଯୋଗ: କଂଗ୍ରେସର ସଂଗଠନ ଦୁର୍ବଳ ରହିଛି। ମାତ୍ର ତୃଶମୂଳ ସ୍ତରରେ ଲୋକଙ୍କ ପହଞ୍ଚି ନପାରିବାର ମୁଖ୍ୟ କାରଣ ହେଉଛି ହେଉଛି ଦୁର୍ବଳ ଯୋଗାଯୋଗ । ପ୍ରଚାର ପ୍ରସାର ସହ ବିଜେପି ଯେଭଳି ଲୋକଙ୍କୁ ବୁଝାଇଥାଏ ଏବଂ ପହଞ୍ଚୁଛି କଂଗ୍ରେସ ସେଭଳି ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ। ଯାହାକି ପରାଜୟର ଏକ ମୁଖ୍ୟ କାରଣ ବୋଲି କୁହାଯାଇପାରେ।

୫-ବିରୋଧୀଙ୍କୁ କରୁଥିବା କାଉଣ୍ଟର ଆଟାକ ବିଫଳ: ବିଜେପିର ବଡ଼ ବଡ଼ ନେତାମାନେ ଲୋକଙ୍କ ମନମୋହିବା ଭଳି କଥା କହୁଥିବାବେଳେ କଂଗ୍ରେସ ନେତାଙ୍କ ପ୍ରତିଶୃତି ଏବଂ କାଉଣ୍ଟର ଆଟାକ ମାକ ଦେଉନି । ବିଶ୍ବକପରେ ଭାରତର ପରାଜୟ ପରେ ମୋଦିଙ୍କୁ ଟାର୍ଗେଟ କରି ରାହୁଏ ପନୌତି ଭଳି ଶବ୍ଦ ବ୍ୟବହାର କରି ଟାର୍ଗେଟ କରିଥିଲେ । ମାତ୍ର ଏହା ଫଳପ୍ରଦ ହୋଇନଥିଲା । ଓଲଟା ଏହି ବିବୃତ୍ତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା ।

 

ହିନ୍ଦି ବେଲ୍ଟକୁ ପସନ୍ଦ ଆସିଲାନି ରାହୁଲଙ୍କ ‘ପ୍ରେମ ଦୋକାନ’

ନୂଆଦିଲ୍ଲୀ: ଚାଲିଛି ଗଣତି, ଆରମ୍ଭ ହେଲାଣି ଉତ୍ସାହର ମାହୋଲ । ୪ ରାଜ୍ୟର ଆଜି ନିର୍ବାଚନ ଫଳାଫଳ ବାହାରୁଥିବାବେଳେ ୩ ରାଜ୍ୟରେ ପଛରେ ରହିଛି କଂଗ୍ରେସ । ୨୦୧୪ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଏହି ନିର୍ବାଚନ ଫଳାଫଳ କଂଗ୍ରେସକୁ ନିରାଶ କରିଛି । ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ନେଇଛି ବିଜେପି । ସେପଟେ ମଧ୍ୟପ୍ରଦେଶରେ ମଧ୍ୟ ପୁଣିଥରେ ବିଜେପି ସରକାର ଗଢ଼ିବାକୁ ଯାଉଛି । ବହୁ ଆସନରେ ଆଗୁଆ ରହିଛି ବିଜେପି । ଏଗଜିଟ ପୋଲ କଂଗ୍ରେସ ସପକ୍ଷରେ ଯାଇଥିବାବେଳେ ଫଳଫଳ କିନ୍ତୁ ବିଜେପି ସପକ୍ଷରେ ଯାଇଛି । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । କଂଗ୍ରେସ ପରାଜୟର କାରଣ କ’ଣ? । ଏଭଳି ଚର୍ଚ୍ଚା ହେଉଥିବାବେଳେ କୁହାଯାଉଛି କି, ହିନ୍ଦୀ ବେଲ୍ଟ ଲୋକଙ୍କୁ ପସନ୍ଦ ଆସିଲାନି ରାହୁଲ ଗାନ୍ଧୀଙ୍କ ’ପ୍ରେମ ଦୋକାନ’ । ତେଲେଙ୍ଗାନାରେ ସାଉଥ ବେଲ୍ଟ ହୋଇଥିବାବେଳେ କଂଗ୍ରେସର ବିଜୟ ହୋଇଛି ।

କର୍ଣ୍ଣାଟକ ପରେ ତେଲେଙ୍ଗାନାରେ କଂଗ୍ରେସ ନିଜର ଆଧିପତ୍ୟ ବିସ୍ତାର କରିଛି । BRSକୁ ହରାଇ କଂଗ୍ରେସ ବଡ଼ ବିଜୟ ହାସଲ କରିଛି । କିନ୍ତୁ ବାକି ତିନି ରାଜ୍ୟ ହିନ୍ଦୀ ବେଲ୍ଟରେ କଂଗ୍ରେସକୁ ବହୁମତ ମିଳିନାହିଁ । ’ମୋହବତ କି ଦୁକାନ’ ଏବଂ ’ପନୋତି’ ଭଳି ଶବ୍ଦ ବ୍ୟବହାର କରି ବିଜେପି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ରାହୁଲଙ୍କ ପାଇଁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି । ବିଶ୍ବକପରେ ଭାରତ ପରାଜୟକୁ ନେଇ ଆକ୍ଷେପ କରି ପନୌତି ପାଇଁ ପରାଜୟ ହୋଇଛି ବୋଲି କହିଥିଲେ ରାହୁଲ । ଯାହାକି ଗ୍ରହଣୀୟ ହୋଇନଥିବା ଚର୍ଚ୍ଚା ହେଉଛି । ବ୍ୟକ୍ତିଗତଭାବେ ଆକ୍ଷେପ କରିବାକୁ ସହଜରେ ଗ୍ରହଣୀୟ ହୋଇନଥିବା କୁହାଯାଉଛି । କାମ ଦେଲାନି କଂଗ୍ରେସର ଜାତି ଗଣନା କାର୍ଡ । କୁହାଯାଉଥିଲା କି, ଏହା କଂଗ୍ରେସ ପାଇଁ ଏକ ବଡ଼ ପ୍ଲସ ପଏଣ୍ଟ ହେବ ମାତ୍ର ଏହା ଫଳପ୍ରଦ ହୋଇନଥିଲା ।

 

 

ନିର୍ବାଚନ ମଇଦାନରେ କାମ ଦେଲାନି ଅଭିନେତ୍ରୀଙ୍କ ଯାଦୁ, ଏହି ସ୍ଥାନରେ ଅଛନ୍ତି..

ଭୋପାଳ: ମଧ୍ୟପ୍ରଦେଶର ରାଜନୀତି ଚିତ୍ର ଧିରେ ଧିରେ ସ୍ପଷ୍ଟ ହେଉଛି । ବିଜେପି ସରକାର ଗଢ଼ିବାକୁ ଯାଉଥିବାବେଳେ କଂଗ୍ରେସ ସହ ଅନ୍ୟ ଦଳର ବହୁ ବଡ଼ ବଡ଼ ବରିଷ୍ଠ ନେତାମାନେ ହାରିଛନ୍ତି । ଆପ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଟିଭି ଅଭିନେତ୍ରୀ ଚାହତ ପାଣ୍ଡେ ବଡ଼ ବ୍ୟବଧାନରେ ହାରିବାକୁ ଯାଉଛନ୍ତି । ନିର୍ମାଚନରେ ଆପ ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ପ୍ରଚାର ଜୋରଦାର କରିଥିଲେ । ଆଶା ଥିଲା କି, ସେ କଡ଼ା ଟକ୍କର ଦେବେ । କିନ୍ତୁ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଜୟନ୍ତ ଏହି ଆସନରେ  ଆଗୁଆ ରହିଥିବାବେଳେ ଚାହତ ବହୁ ପଛରେ ରହିଛନ୍ତି ।

ନିର୍ବାଚନ ପୂର୍ବରୁ ଆପରେ ଯୋଗ ଦେଇଥିବା ଚାହତଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ସେ ବିଜୟୀ ହେବେ ଏପରିକି ତାଙ୍କର ପ୍ରଚାର ଏବଂ ଭାଷଣ ମଧ୍ୟ ବହୁମାତ୍ରାରେ ଭାଇରାଲ ହୋଇଥିଲା । ୧୭ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିବା ଚାହତଙ୍କ ବହୁ ପ୍ରଂଶସକମାନେ ରହିଛନ୍ତି । ଏଣୁ ଆଶା କରାଯାଉଥିଲା କି, ସେ କଡା ଟକ୍କର ଦେବେ । କିନ୍ତୁ ରେଜଲ୍ଟ ସମୟରେ ଏଭଳି କିଛି ପ୍ରତିଫଳିତ ହୋଇନାହିଁ । ମଧ୍ୟପ୍ରଦେଶରେ କଂଗ୍ରେସ ପଛରେ ରହିଥିବାବେଳେ ବିଜେପିର ପଲ୍ଲା ଭାରି ରହିଛି ।

ଓଡିଶା ୱମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ

ଭୁବନେଶ୍ୱର : ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍‌) ଏବଂ କମିଶନରେଟ୍ ପୁଲିସ୍ ପକ୍ଷରୁ ମିଳିତ ଭାବେ ଚନ୍ଦକା ପୋଲିସ୍ ଷ୍ଟେସନରେ ସିଡ୍ ବଲ୍ ପ୍ରସ୍ତୁତି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଲିସ୍ ବିଭାଗ ଏବଂ ଓଡବ୍ଲ୍ୟୁଏମ୍‌ର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ପୋଲିସ୍ କମିଶନର, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡେପୁଟି କମିଶନର, ପ୍ରତିକ୍ ସିଂହ ଏହି ଅଭିଯାନର ନେତୃତ୍ୱ ନେଇଥିଲେ ଏବଂ ସବୁଜିମାର ଅବକ୍ଷୟ ଓ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଇବା ଭଳି ସମସ୍ୟାଗୁଡିକର ମୁକାବିଲା କ୍ଷେତ୍ରରେ ସାମଗ୍ରିକ କାର୍ଯ୍ୟାନୁଷ୍ଠାନର ମହତ୍ୱକୁ ଗୁରୁତ୍ୱ ଦେଇଥିଲେ ।

ଏକ ସୁସ୍ଥ ଜୀବନ ଉପଯୋଗୀ ପରିବେଶ ସୃଷ୍ଟି କରିବା କ୍ଷେତ୍ରରେ ଛୋଟ ଛୋଟ ପଦକ୍ଷେପଗୁଡିକର ମହତ୍ୱକୁ ଚିହ୍ନଟ କରି ସିପି, ଡିସିପି ଓ ଅନ୍ୟାନ୍ୟ ପୋଲିସ୍ ଅଧିକାରୀଙ୍କ ସମେତ ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମ ସମୟରେ ସିଡ୍ ବଲ୍ ବା ବିହନର ବଲ୍ ପ୍ରସ୍ତୁତ କରିଥିଲେ । ଏହାସହ ସେମାନେ ଚନ୍ଦକା ପୋଲିସ୍ ଷ୍ଟେସନ ପରିସର ମଧ୍ୟରେ ବିଭିନ୍ନ ସ୍ଥାନରେ ଚାରା ରୋପଣ କରିଥିଲେ ।

ଏହି ଗ୍ରୀନ୍ ଆମ୍ବାସାଡର୍‌ମାନେ ଆମ୍ବ, ପଣସ, ପିଜୁଳି, ଲିଚୁ ଓ ବକୁଳ ଗଛର ଚାରା ସମେତ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । ସେମାନେ ସଜନା, ରାଧାଚୁଡା, ଆତ ଏବଂ ବିଭିନ୍ନ ପ୍ରକାରର ଫୁଲ ଗଛର ମଞ୍ଜିରୁ ସିଡ୍ ବଲ୍ ପ୍ରସ୍ତୁତ କରିଥିଲେ ।

ଡିସିପି ପ୍ରତୀକ ସିଂହ ଏହି ଅଭିଯାନକୁ ପ୍ରଶଂସା କରିଥିଲେ ଏବଂ ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବକୁ ଆଲୋକପାତ କରିଥିଲେ । ସେ ଏହି ସିଡ୍ ବଲଗୁଡିକୁ ଶୁଖାଇବା ଏବଂ ସବୁଜ କ୍ଷେତ୍ରରେ ବିକଶିତ ହେବା ପାଇଁ ସମ୍ଭାବନା ଥିବା ଅଂଚଳଗୁଡିକରେ ସେଗୁଡିକୁ ରଣନୈତିକ ଭାବେ ବିକ୍ଷେପ ଏବଂ ସ୍ଥାନୀତ କରିବାରେ ସହଯୋଗ କରିବା ପାଇଁ ଆଶ୍ୱାସନା ଦେଇଥିଲେ ।

ଓଡିଶା ୱମେନ୍ ଇନ୍ ମିଡିଆ ସଚେତନତା କାର୍ଯ୍ୟକ୍ରମ, ବୃକ୍ଷରୋପଣ ଏବଂ ଉଦୀୟମାନ ମହିଳା ସାମ୍ବାଦିକାଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମେତ ବିଭିନ୍ନ ସମୁଦାୟ-ଭିତିକ ଅଭିଯାନଗୁଡିକରେ ସକ୍ରିୟ ଭାବେ ଜଡିତ ରହିଛି । କମିଶନରେଟ୍ ପୋଲିସ୍ ସହ ଏହି ସହଭାଗିତା କେବଳ ପରିବେଶ ସ୍ଥାୟିତ୍ୱ ପ୍ରତି ଏକ ଯୁଗ୍ମ ପ୍ରତିବଦ୍ଧତାକୁ ସୂଚିତ କରୁନାହିଁ ବରଂ ସମୁଦାୟ ଉପରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବାରେ ସାମଗ୍ରିକ ପ୍ରୟାସର ଶକ୍ତିକୁ ପ୍ରଦର୍ଶିତ କରୁଛି ।

 

ତିନି ରାଜ୍ୟରେ ପରାଜୟ ବିଗାଡ଼ିଲା କଂଗ୍ରେସ ଖେଳ, INDIA ମେଣ୍ଟକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ବର: ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନ ବିଗାଡ଼ି ଦେଲା କଂଗ୍ରେସର ସବୁ ଅଙ୍କ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି । ବିଶେଷ କରି INDIA ମେଣ୍ଟର ଲଗାମ ଏବେ କାହା ହାତରେ ରହିବ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ତେଲେଙ୍ଗାନାରେ ବିଆରଏସକୁ ପଛରେ ପକାଇ କଂଗ୍ରେସ କ୍ଷମତାକୁ ଫେରୁଛି । ହେଲେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଭୋଟ ଗଣତି ଯେତେ ଯେତେ ଆଗଉଛି, କଂଗ୍ରେସ ସେତେ ସେତେ ପଛେଇବାରେ ଲାଗିଛି । ଏହି ୩ ରାଜ୍ୟରେ ବିଜେପି ସ୍ପଷ୍ଟ ବହୁମତ ଆଡକୁ ଯାଉଥିବା ବେଳେ INDIA ମେଣ୍ଟକୁ ନେଇ ଜେଡିୟୁ ନେତା କଂଗ୍ରେସକୁ ଟାର୍ଗେଟ୍ କରିଦେଇଛନ୍ତି ।

୩ ରାଜ୍ୟରେ ଖରାପ ପ୍ରଦର୍ଶନ ପରେ ଜେଡିୟୁ କଂଗ୍ରେସ ଉପରେ ଚାପ ପକାଇବା ଆରମ୍ଭ କରି ଦେଇଛି । ଜେଡିୟୁ ପ୍ରଦେଶ ମହାସଚିବ ନିଖିଲ ମଣ୍ଡଳ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ INDIA ମେଣ୍ଟକୁ ନୀତୀଶ କୁମାରଙ୍କ ଅନୁସାରେ ଚାଲିବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଛନ୍ତି ।

କଂଗ୍ରେସକୁ ଟାର୍ଗେଟ କରି ନିଖିଲ କହିଛନ୍ତି, ‘କିଛିଦିନ ହେବ କଂଗ୍ରେସ ୫ଟି ରାଜ୍ୟର ନିର୍ବାଚନକୁ ନେଇ ବ୍ୟସ୍ତ ରହିଲା । ଏହି କାରଣରୁ INDIA ମେଣ୍ଟ ପ୍ରତି ଧ୍ୟାନ ଦେଇ ପାରୁନଥିଲା । ଏବେ କଂଗ୍ରେସ ନିର୍ବାଚନ ଲଢ଼ି ସାରିଛି ଓ ଫଳାଫଳ ବି ଆପଣଙ୍କ ଆଗରେ ଅଛି । ନୀତୀଶ କୁମାର INDIA ମେଣ୍ଟର ସୂତ୍ରଧାର ଓ ଏହି ଡଙ୍ଗାକୁ ସେ ହିଁ କୂଳରେ ଲଗାଇବେ ।’

ଏପଟେ ଭୋଟ ଗଣତି ଚାଲିଥିବା ବେଳେ INDIA ମେଣ୍ଟର ବୈଠକ ଡାକିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆସନ୍ତା ୬ ତାରିଖରେ ଦିଲ୍ଲୀରେ ବସିବ ଏହି ବୈଠକ । ବିପକ୍ଷ ଦଳର ନେତାଙ୍କୁ ଫୋନ କରି ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି ଖଡଗେ ।

ଛତିଶଗଡ଼ ଫଳାଫଳ: ଏହିସବୁ ବଡ଼ ଚେହେରା ରହିଛନ୍ତି ପଛରେ..

ରାୟପୁର: ଚାଲିଛି ଗଣତି, ନେତାଙ୍କ ଛାତି ଧଡ଼ଧଡ଼ । କିଏ ଜିତିବ? କିଏ ହାରିବ? ଛତିଶଗଡ଼ରେ ବିଜେପି ଆଗରେ ରହିଥିବାବେଳେ କଂଗ୍ରେସ ହାତରୁ ଶାସନ ଗାଦି ଛଡ଼ାଇ ନେବାକୁ ବସିଛି ବିଜେପି । ଛତିଶଗଡ଼ର ୯୦ ଆସନରୁ ଶେଷ ଖବର ସୁଦ୍ଧା ବିଜେପି ୫୪ ଆସନରେ ଆଗରେ ରହିଛି । ଶାସକ କଂଗ୍ରେସ ୩୩ ଆସନରେ ଆଗୁଆ ରହିଛି । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ପଛରେ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ରାଜ୍ୟର ବହୁ ବଡ଼ ଚେହେରା ମଧ୍ୟ ପଛରେ ରହିଛନ୍ତି । ସରକାର ତ ଯିବ କିନ୍ତୁ ମନ୍ତ୍ରୀପଦରେ ଥିବା ବହୁ ବରିଷ୍ଠ ନେତା ମଧ୍ୟ ପରାଜୟ ଆଡ଼କୁ ଗତି କରୁଛନ୍ତ ।

୧- ମନ୍ତ୍ରୀ ମହମ୍ମଦ ଅକବର କବର୍ଦ୍ଧା ଆସନରେ ବିଜୟ ଶର୍ମାଙ୍କଠାରୁ ପଛରେ ରହିଛି

୨- ଅବିକାପୁର ଆସନରେ ଟି.ଏସ. ସିଂହଦେବ ପଛରେ ରହିଛନ୍ତି

୩-ପାଟନରୁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ପଛରେ ରହିଥିବାବେଳେ ବିଜୟ ବଘେଲ ଆଗରେ ରହିଛନ୍ତି

୪- ଇଶ୍ବର ସାହୁଙ୍କଠାରୁ ମନ୍ତ୍ରୀ ରବିନ୍ଦ୍ର ଚୋବେ ପଛରେ ରହିଛନ୍ତି

୫- ମନ୍ତ୍ରୀ ମୋହନ ମକରମ ପଛରେ ରହିଥିବାବେଳେ ଆଗରେ ରହିଛନ୍ତି ଲତା ଉସେଣ୍ଡି

୬- ମନ୍ତ୍ରୀ ତାମ୍ରଧ୍ୟେଜ ସାହୁ ପଛରେ

 

ରାଜସ୍ଥାନ: ବସୁନ୍ଧରା ନୁହେଁ ବାବା ବାଲକନାଥ ଯୋଗୀ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜସ୍ଥାନରେ ସ୍ପଷ୍ଟ ବହୁମତ ଆଡ଼କୁ ଯାଉଛି ବିଜେପି । ଯଦି ବିଜେପି ସରକାର ଗଠନ କଲା ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବିଜେପି ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ନକଲେ ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ । ଏମିତି ସ୍ଥିତିରେ ଏବେ ସବୁଠି ଜଣେ ବାବାଙ୍କୁ ନେି ଚର୍ଚ୍ଚା । ଏଇ ବାବା ଜଣଙ୍କ ଆଉ କେହି ନୁହେଁ, ସେ ହେଉଛନ୍ତି ବାବା ବାଲକନାଇ ଯୋଗୀ ।

ଅଲବର ଆସନରୁ ସାଂସଦ ଥିବା ବାଲକନାଥ ତିଜାର ବିଧାନସଭା ଆସନରେ ନିର୍ବାଚନ ଲଢ଼ିଛନ୍ତି । ବର୍ତ୍ତମାନର ଭୋଟ ଗଣତି ଅନୁସାରେ ୪୦ ହଜାରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି ବାଲକନାଥ । ଅଶୋକ ଗେହଲଟଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବାଲକନାଥ ସବୁଠାରୁ ଅଧିକ ଲୋକପ୍ରିୟ ଚେହେରା ଭାବେ ଆଗକୁ ଆସିଛନ୍ତି । ବାଲକନାଥ ନାଥ ସମ୍ପ୍ରଦାୟର । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ସମ୍ପ୍ରଦାୟର । ବାଲକନାଥ ରୋହତକର ବାବା ମସ୍ତନାଥ ମଠର ମହନ୍ତ ଅଛନ୍ତି । ନାଥ ସମ୍ପ୍ରଦାୟ ପରମ୍ପରାରେ ଗୋରଖପୁରକୁ ରାଷ୍ଟ୍ରିୟ ଅଧ୍ୟକ୍ଷ ଓ ରୋହତକ ଗାଦିକୁ ରାଷ୍ଟ୍ରିୟ ଉପାଧ୍ୟକ୍ଷ ସମ୍ମାନ ମିଳିଛି । ଏହି କ୍ରମରେ ନାଥ ସମ୍ପ୍ରଦାୟର ବର୍ତ୍ତମାନ ବ୍ୟବସ୍ଥା ଅନୁସାରେ ଯୋଗୀ ଆଦିତ୍ୟନାଥଙ୍କ ପରେ ବାଲକନାଥ ହେଉଛନ୍ତି ଦୁଇ ନମ୍ବର ବ୍ୟକ୍ତି ଓ ତାଙ୍କୁ ରାଜସ୍ଥାନର ଯୋଗୀ ମଧ୍ୟ କୁହାଯାଇଥାଏ ।

ସୂଚନାଯୋଗ୍ୟ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପୀ ୭ ଜଣ ସାଂସଦଙ୍କୁ ମୈଦାନକୁ ଛାଡିଥିଲା । ଯେଉଁଥିରେ ବାବା ବାଲକନାଥ ଯୋଗୀ ମଧ୍ୟ ଜଣେ । ବାଲକନାଥଙ୍କ ସହ କଂଗ୍ରେସର ଇମରାନ ଖାନ୍ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ବାଲକନାଥ ବିଜେପିର ଫାୟାର ବ୍ରାଣ୍ଡ ନେତା ଭାବେ ପରିଚିତ । ତାଙ୍କ ନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହୋଇଥିଲେ । ବାଲକନାଥଙ୍କୁ ଅଭିଷ୍ୟତର ମୁଖ୍ୟମନ୍ତ୍ରୀ ବୋଲି ମଧ୍ୟ କୁହାଯାଉଛି । ଏମିତି ସ୍ଥିତିରେ ରାଜସ୍ଥାନ ନିର୍ବାଚନରେ ବିଜେପି ସ୍ପଷ୍ଟ ବହୁମତ ଆଡ଼କୁ ଯାଉଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ହେବା ଚର୍ଚ୍ଚା ଆହୁରି ବଢ଼ି ଯାଇଛି ।

କିଏ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ? ଯଦି ଶିବରାଜ ନୁହେଁ, ତାହେଲେ କିଏ?

ଭୋପାଳ: କିଏ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ? ଆଜି ଫଳାଫଳ ପ୍ରକାଶ ପାଉଥିବାବେଳେ ଛତିଶଗଡ଼ରେ ବିଜୟ ପଥରେ ଅଗ୍ରସର ହେଉଛି ବିଜେପି । ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ରହିଥିବା ଶିବରାଜ ସିଂ ଚୌହ୍ବାନଙ୍କ ବଦଳରେ ନୂଆ ମୁଖ୍ୟମନ୍ତ୍ରୀ ଏଥରକ ମଧ୍ୟପ୍ରଦେଶ ଦେଖିବ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ସ୍ଥାନରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ନିର୍ବାଚନରେ ଶିବରାଜସିଂଙ୍କ କଠିନ ପରିଶ୍ରମ ଦଳକୁ ବିଜୟ ଆଡ଼କୁ ନେଉଛି । ତାଙ୍କ ମହିଳା କଲ୍ୟାଣ ନୀତି ରାଜ୍ୟରେ ବହୁ ଲୋକପ୍ରିୟତା ହାସଲ କରିଛି । ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା ନକରି ମାଇଣ୍ଡ ଗେମ୍ ଖେଳାଇଛି। ବିରୋଧୀଙ୍କୁ ଚେକ୍ ପାଇଁ ଏହା ଏକ ନୂଆ ରଣନୀତି ବୋଲି କୁହାଯାଇପାରେ ।

କୁହାଯାଉଛି କି, ପୁଣିଥରେ ଅଥବା ପଞ୍ଚମଥର ପାଇଁ ଶିବରାଜରାଜ ସିଂ ମୁଖ୍ୟମନ୍ତ୍ରୀ ବନି ପାରନ୍ତି । ଯଦି ତାଙ୍କୁ କେନ୍ଦ୍ର ନେତୃ ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବନାନ୍ତି ତାହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ରହିଛନ୍ତି ଜ୍ୟୋତିରଦିତ୍ୟ ସିନ୍ଧିଆ, ନରେନ୍ଦ୍ର ସିଂହ, କୈଳାସ ବିଜୟବର୍ଗିୟ ଏବଂ ବିଡି ଶର୍ମା । ତେବେ ଏମାନଙ୍କ ମଧ୍ୟରୁ କାହାକୁ ଦଳ ମୁଖ୍ୟମନ୍ତ୍ରୀ କରିବ ନାଁ ପୁଣିଥରେ ଶିବରାଜ ଗୁରୁ ଦାୟିତ୍ବ ସମ୍ଭାଳିବେ ତାହା ଚର୍ଚ୍ଚାର ବିଷୟ ।

ଜ୍ୟୋଜିରାଦିତ୍ୟ ସିନ୍ଧିଆାଙ୍କ କଥା ଯଦି କହିବା ତାହେଲେ ତାଙ୍କର ବହୁ ଲୋକପ୍ରିୟତା ରହିଛି । କେନ୍ଦ୍ର ରାଜନୀତିରେ ମଧ୍ୟ ତାଙ୍କର ବେଶ ଦବଦବା ରହିଛି । କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ସିନ୍ଧିଆ ନିକଟରେ ଶିବରାଜ ସିଂଙ୍କୁ ଭେଟିଥିବାବେଳେ କିଛି ଆଲୋଚନା ହୋଇଛି । ଏଣୁ ଚର୍ଚ୍ଚା ହେଉଛି କି, ସେ ମୁଖ୍ୟମନ୍ତ୍ରୀ ବନିପାରନ୍ତି । ସେପଟେ ଯଦି ନରେନ୍ଦ୍ର ସିଂହ, କୈଳାସ ବିଜୟବର୍ଗିୟ ଏବଂ ବିଡି ଶର୍ମାଙ୍କ କଥା କହିବା ତାହେଲେ ଏମାନଙ୍କର ମଧ୍ୟ ରାଜ୍ୟ ରାଜନୀତିରେ ବେଶ ଦବଦବା ରହିଛି । ବିରୋଧୀଙ୍କୁ ମାତ ଦେବା ପାଇଁ ନୂଆ ରଣନୀତି ଆପଣାଇଥିବାବେଳେ ଏମାନଙ୍କର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମଧ୍ୟ ରହିଛି । ଏମାନଙ୍କ ନେତୃତ୍ବ ଦଳକୁ ବଡ଼ ବିଜୟ ଆଡ଼କୁ ନେଉଥିବାବେଳେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜମିସ୍ତ୍ରୀ ସହ ପ୍ରେମ: ସ୍ବାମୀ ହତ୍ୟାର ପର୍ଦ୍ଦାଫାସ କଲା ୯ ବର୍ଷର ପୁଅ

କାନପୁର: କାନପୁରରୁ ଆସିଛି ପ୍ରେମ, ପ୍ରତାରଣା ଓ ହତ୍ୟା ଅଭିଯୋଗ । ରାଜମିସ୍ତ୍ରୀ ପ୍ରେମରେ ପଡ଼ି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ୯ ବର୍ଷର କହିଲା ବାପାଙ୍କୁ ହତ୍ୟା କରିବା ଦିନ କ’ଣ ଘଟିଥିଲା ।

ସୂଚନା ଅନୁସାରେ, କାନପୁରର ୪୫ କୋଟି ଟଙ୍କା ସମ୍ପତ୍ତିର ମାଲିକ ତଥା ସରକାରୀ ଶିକ୍ଷକ ରାଜେଶ ଗୌତମଙ୍କ ହତ୍ୟା କରାଯାଇଛି । ଆଉ ଏହି ହତ୍ୟା ପଛର ଖଳନାୟିକା ଓ ଖଳନାୟକ ହେଉଛନ୍ତି ତାଙ୍କ ପତ୍ନୀ ପିଙ୍କି ଏବଂ ତାଙ୍କ ପ୍ରେମିକ ରାଜମିସ୍ତ୍ରୀ ଶୈଳେନ୍ଦ୍ର ସୋନକର ।

ପୋଲିସ କହିବା ଅନୁସାରେ, ରାଜୋ କାନପୁର କୋୟଲାନଗରରେ ୨୦୨୧ରେ ଏକ ପ୍ଲଟ୍ କିଣିଥିଲେ । ଏଥିରେ ନିର୍ମାଣ କାମ ପାଇଁ ରାଜେଶ ରାଜମିସ୍ତ୍ରୀ ଶୈଳେନ୍ଦ୍ରଙ୍କୁ ନିୟୋଜିତ କରିଥିଲେ । କାମ ବିଷୟରେ ଆଲୋଚନା କରିବା ପାଇଁ ଶୈଳେନ୍ଦ୍ର ରାଜେଶଙ୍କ ଘରକୁ ଆସୁଥିଲେ । ଏହାରି ମଧ୍ୟରେ ପିଙ୍କିଙ୍କ ସହ ତା’ର ଦେଖା ହୋଇଥିଲା ଓ ଶୈଳେନ୍ଦ୍ର ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ, ଯାହା ପିଙ୍କି ବୁଝି ପାରିଥିଲେ । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ରାଜେଶ ଘରେ ନଥିବା ବେଳେ ଶୈଳେନ୍ଦ୍ର ଆସୁଥିଲେ ଓ ଉଭୟ ଅନୈତିକ ସମ୍ପର୍କରେ ଲିପ୍ତ ରହୁଥିଲେ । ଏ ସମ୍ପର୍କରେ ରାଜେଶ ଜାଣିବା ପରେ ଶୈଳେନ୍ଦ୍ର ଘରକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଘଟଣାକୁ ନେଇ ଉଭୟ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ଏପରିକି ପିଙ୍କି ରାଜେଶଙ୍କୁ ମାରିବାକୁ ଥରେ ଖାଇବାରେ ବିଷ ଦେଇ ଦେଇଥିଲେ । ହେଲେ ଠିକ ସମୟରେ ମେଡିକାଲ ନେଇ ଯିବା କାରଣରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା । ଏହାପରେ ପିଙ୍କି ଓ ଶୈଳେନ୍ଦ୍ର ତାଙ୍କୁ ହତ୍ୟା କରିବାକୁ ସୁପାରି କିଲରକୁ ଟଙ୍କା ଦେଇଥିଲେ । ହେଲେ ଟଙ୍କା ନେଇ ସୁପାରି କିଲର ଫେରାର ହୋଇଯାଇଥିଲା । ଏହାପରେ ପୁଣି ଥରେ ଆଉ ଜଣଙ୍କୁ ୪ ଲକ୍ଷର ସୁପାରୀ ଦେଇଥିଲେ ଉଭୟ । ଆଉ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଯୋଜନା ହୋଇଥିଲା ।

ପୁଅ କହିଲା ହତ୍ୟା ଦିନର କଥା

ଯୋଜନା ମୁତାବକ ଗାଡି ଧକ୍କାରେ ରାଜେଶଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ବି ଘଟଣାକୁ ଦୁର୍ଘଟଣା ନଜରରେ ତଦନ୍ତ କରୁଥିଲା । ହେଲେ ସିସିଟିଭି ଫୁଟେଜ ଓ ମୃତ ରାଜେଶଙ୍କ ପୁଅର ବୟାନରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପୋଲିସର ସନ୍ଦେହ ହୋଇଥିଲା । ଏପରିକି ରାଜେଶଙ୍କ ଭାଇ ମଧ୍ୟ ହତ୍ୟା ସନ୍ଦେହ ପ୍ରକାଶ କାରିଥିଲେ । ପଚରାଉଚରା ବେଳେ ରାଜେଶଙ୍କ ୯ ବର୍ଷର ପୁଅ କହିଥିଲା, ଘଟଣା ଦିନ ବାପାଙ୍କ ସହ ଓ୍ବାକରେ ଯିବାକୁ ସେ ବି ବାହାରିଥିଲା । ଡ୍ରେସ ପିନ୍ଧି, ଘର ଦୁଆର ପର୍ଯ୍ୟନ୍ତ ବି ବାପାଙ୍କ ସହ ଚାଲି ଆସିଥିଲା । ହେଲେ ଘରୁ ମାଆ ଡାକ ଦେଇ ଭିତରକୁ ଡାକିବା ପରେ ବାଥରୁମରେ ତାଲା ପକାଇ ଦେଇଥିଲେ । ଜିଦ୍ ଧରିବାରୁ ଓ୍ବାକରେ ନଯାଇ ପାଠ ପଢ଼ ବୋଲି କହିଥିଲେ । ଏ ଘଟଣା ଜାଣିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜରୁ ଦୁର୍ଘଟଣା ଘଟାଇ ଥିବା କାରଟି ରାଜେଶଙ୍କୁ ଫଲୋ କରୁଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାସହ ପିଙ୍କିଙ୍କ କଲ ଡିଟେଲରୁ ହତ୍ୟା ଦିନ ସେ ଶୈଳେନ୍ଦ୍ର ସହ କଥା ହୋଇଥିବା ମଧ୍ୟ ଜଣାପଡ଼ିଥିଲା । ପୋଲିସ ଶୈଳେନ୍ଦ୍ରକୁ ଉଠାଇ ନେଇ ପଚରାଉଚରା କରିବା ପରେ ପ୍ରକୃତ ସତ ପଦାକୁ ଆସିଥିଲା ।

୪ ରାଜ୍ୟର ଭୋଟ ଗଣତି: ୩ ରାଜ୍ୟରେ ବିଜେପି ଓ ଗୋଟିଏ ରାଜ୍ୟରେ କଂଗ୍ରେସ ଆଗରେ

ଭୁବନେଶ୍ବର: ଆରମ୍ଭ ହୋଇ ସାରିଛି ୪ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିାଗଡ଼ ଓ ତେଲେଙ୍ଗାନାରେ ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳ ଅନୁସାରେ ୩ଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ ଗୋଟିଏ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି ।

ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସଂଖ୍ୟାଗରିଷ୍ଠତା ଆଡକୁ ଆଗଉଛି । ସେହିପରି ତେଲେଙ୍ଗାନାରେ କଂଗ୍ରେସ ଆଗରେ ରହିଛି । ଛତିଶଗଡ଼ରେ ୫୨ ଆସନରେ ବିଜେପି ଆଗରେ ଥିବା ବେଳେ ୩୭ ଆସନରେ କଂଗ୍ରେସ ଆଗରେ ରହିଛି । ଗୋଟିଏ ଆସନରେ ଅନ୍ୟ ଆଗରେ ରହିଛି । ସେହିପରି ମଧ୍ୟପ୍ରଦେଶରେ ସ୍ପଷ୍ଟ ବହୁମତ ଆଡକୁ ଆଗଉଛି ବିଜେପି । ୧୪୫ ଆସନରେ ବିଜେପି ଆଗୁଆ ରହିଥିବା ବେଳେ ୮୨ ଆସନରେ ଆଗରେ ରହିଛି ।

ରାଜସ୍ଥାନରେ ମଧ୍ୟ ସ୍ପଷ୍ଟ ବହୁମତ ଆଡ଼କୁ ବିଜେପି ଅଗ୍ରସର ହେଉଛି । ଦଳ ୧୧୨ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୨ ଓ ଅନ୍ୟମାନେ ୧୫ ଆସନରେ ଆଗରେ ଅଛନ୍ତି । ତେବେ ତେଲେଙ୍ଗାନାରେ କଂଗ୍ରେସ ବିଆରଏସକୁ ପଛରେ ପକାଇ ସ୍ପଷ୍ଟ ବହୁମତ ଆଡକୁ ଆଗଉଛି । ଏଠାରେ ୬୮ ଆସନରେ କଂଗ୍ରେସ ଆଗରେ ରହିଥିବା ବେଳେ ବିଆରଏସ ୩୮ ଆସନରେ ଆଗରେ ରହିଛି । ସେହିପରି ବିଜେପି ୯ଟି ଆଓନରେ ଆଗରେ ଥିବାବେଳେ ଅନ୍ୟ ଗୋଟିଏ ଆସନରେ ଆଗରେ ରହିଛି ।