spot_img
Home Blog Page 2342

କେରଳରେ ମ୍ୟୁଜିକ୍ କନସର୍ଟ ବେଳେ ଦଳାଚକଟା, ୪ ଛାତ୍ରଙ୍କ ମୃତ୍ୟୁ

କୋଚି: କେରଳର କୋଚିରେ ବଡ଼ ଧରଣର ଅଘଟଣ । କୋଚିନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଆୟୋଜିତ ମ୍ୟୁଜିକ୍ କନସର୍ଟରେ ଦଳାଚକଟା । ଦଳାଚକଟାରେ ୪ ଛାତ୍ରଙ୍କ ମୃତ୍ୟୁ । ଏକାଧିକ ଛାତ୍ରଛାତ୍ରୀ ଆହତ ।

ଘଟଣା ସମ୍ପର୍କରେ ସୂଚନା ଦେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ନିଖିତା ଗାନ୍ଧୀଙ୍କ ସଂଗୀତ ସମାରୋହ ସମୟରେ ଏହି ଅଘଟଣ ଘଟିଛି । ବିଶ୍ୱବିଦ୍ୟାଳୟ ପରିସରରେ ଖୋଲା ଆକାଶ ଅଡିଟୋରିୟମରେ ସଂଗୀତ କନସର୍ଟ ଆୟୋଜିତ ହୋଇଥିଲା । ଆହତଙ୍କ ଚିକିତ୍ସା ପାଇଁ କଲାମାସେରି ମେଡିକାଲ କଲେଜରେ ବ୍ୟବସ୍ଥା କରାଯାଇଛି । ନିଖିତା ଗାନ୍ଧୀଙ୍କ ସଂଗୀତ ସମାରୋହ ଚାଲିଥିବା ବେଳେ ଯେଉଁ ଛାତ୍ରମାନେ ପଛରେ ଛିଡ଼ା ହୋଇ ମ୍ୟୁଜିକ ଶୁଣୁଥିଲେ ହଠାତ୍ ବର୍ଷା ହେବାରୁ ସେମାନେ ସବୁ ଷ୍ଟେଜ୍ ଫ୍ରଣ୍ଟକୁ ଦଉଡିବାକୁ ଲାଗିଲେ । ଏଥିପାଇଁ ଦଳଚକଟା ହୋଇଥିବା ସୂଚନା ମିଳିଛି ।

ହଟ୍ଟଗୋଳ ନାଁରେ ବିରୋଧୀ ଲୋକଙ୍କ ଟଙ୍କାକୁ କଲେ ଅପଚୟ, ସରିଲା ଶୀତ ଅଧିବେଶନ

ଭୁବନେଶ୍ବର: ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ । ହେଲେ ଅଧିବେଶନ ଶେଷ ହେବାକୁ ନେଇ ରାଜ୍ୟ ରାଜନୀତି ସରଗରମ । ଗୃହ ବନ୍ଦ ହେବା ପଛର ମୁଖ୍ୟ କାରଣ ବିରୋଧୀଙ୍କ ବିଶୃଙ୍ଖଳା ବୋଲି ଶାସକ ଦଳ କହିଛି । ଏଥିସହ ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଗୃହକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।

ଶୀତ ଅଧିବେଶନ ଶେଷ ହୋଇଥିଲେ ବି ସରିନି କାଦୁଅ ଫିଙ୍ଗା ରାଜନୀତି । ମାତ୍ର ୪ ଦିନ ବିଧାନସଭା ଚାଲିବା ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ସୂଚନାଯୋଗ୍ୟ, ଗୋଟିଏ ଦିନ ବି ସୁରୁଖୁରୁରେ ବିଧାନସଭା ଚାଲିପାରିଲାନି । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଅପଚୟ ହୋଇଗଲା ସମୟ । ଧୋଇଗଲା ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି ଆଲୋଚନା ପରି ଅନେକ କାର୍ଯ୍ୟସୂଚୀ । ୪ ଦିନରୁ ୨ଦିନ ପୂରା ଅଚଳାବସ୍ଥା ଜାରି ରହିଲା । ଫଳରେ ସରକାରୀ କାର୍ଯ୍ୟ ଦିବସ ନଥିବାରୁ ବିଧାନସଭାକୁ ଅନର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କଲେ ବାଚସ୍ପତି ।

ଗତ ୨୧ ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନ ଦିଂବଗତଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ମୁଲତବି କରାଯାଇଥିଲା । ଦ୍ବିତୀୟ ଓ ତୃତୀୟ ଦିନରେ ଲାଗି ରହିଲା ହଟ୍ଟଗୋଳ । ବାଚସ୍ପତି ନିଜ ଆସନକୁ ଆସିବା କ୍ଷଣି ବିରୋଧୀ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ବାରମ୍ବାର ଗୃହ  ମୁଲତବି ରହିଲା । ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କଲେ । ହେଲେ କିଛି ଲାଭ ହେଲାନି । ବିଧାନସଭାରେ ଆଉ କୌଣସି ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଗୃହକୁ ଅନର୍ଦ୍ଦିଷ୍ଟ କାଳ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରସ୍ତାବ ଆଣିଲେ । ଏଥିରେ ଗୃହ ସହମତ ହୋଇଥିଲା । ସେପଟେ କିନ୍ତୁ ବିଧାନସଭାକୁ ଅଚଳ କରି ବିରୋଧୀ ବିଧାନସଭା ଚାଲିବା ନେଇ ରାଜନୀତି ଆରମ୍ଭ କରିଛନ୍ତି ।

ବିଧାନସଭା ଚଳାଇ ନଦେଇ ରାଜନୈତିକ ସ୍ବାର୍ଥ ପାଇଁ ବାହାରେ ଦୁଇ ବିରୋଧୀ ଗଣତନ୍ତ୍ର ମନ୍ଦିରକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି ଶାସକ ଦଳ କହିଛି । ଶାସକ ଦଳ ସବୁବେଳେ ଗୃହ ଚାଲିବାରେ ସହଯୋଗ କରିବା ସହ ବିରୋଧୀଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ଥିଲା ବୋଲି ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି । ଲୋକଙ୍କ ଟିକସରେ ଗୋଟିଏ ଦିନ ବିଧାନସଭା ଚାଲିଲେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ବିରୋଧୀ ଗୃହ କାର୍ଯ୍ୟ ଜାଣିଶୁଣି ବନ୍ଦ କରିବା ଦୁଃଖଦାୟକ ବୋଲି ଶାସକ ଦଳ କହିଛି ।

ଶୀତ ଅଧିବେଶନରେ ଗୋଟିଏ ବିଲ୍‌ ପାସ୍ ହୋଇଥିବା ବେଳେ ଗୋଟିଏ ମୁଲତବି ପ୍ରସ୍ତାବ, ୫୪ଟି କାଗଜ, ୧୭ଟି ବାର୍ଷିକ ରିପୋର୍ଟ, ୫ଟି ବେସକାରୀ ବିଲ୍‌ ଆଗତ ହୋଇଥିଲା ।

ଟନେଲ ଟ୍ରାଜେଡି: ଶ୍ରମିକଙ୍କ ଉଦ୍ଧାରରେ ଲାଗିପାରେ ସମୟ, ବଡ଼ଦିନ ପୂର୍ବରୁ ସମସ୍ତେ ଫେରିବେ

ଉତ୍ତରକାଶୀ: ଉତ୍ତରକାଶୀ ଟନେଲ ଟ୍ରାଜେଡିକୁ ନେଇ ବଡ଼ ସୂଚନା । ଆନ୍ତର୍ଜାତିକ ଟନେଲ ବିଶେଷଜ୍ଞ ଆର୍ଣ୍ଣୋଲଡ ଡିକ୍ସ କହିଲେ, ବଡ଼ଦିନ ପୂର୍ବରୁ ସମସ୍ତ ଶ୍ରମିକ ସୁରକ୍ଷିତ ଘରକୁ ଫେରିବେ । ତେବେ ତାଙ୍କ ବୟାନକୁ ନେଇ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି । ଆର୍ଣ୍ଣୋଲଡ ବଡ଼ଦିନକୁ ନିଜ ବୟାନରେ ସାମିଲ କରିଥିବାରୁ ଏବେ ପ୍ରଶ୍ନ ଉଠୁଛି କ’ଣ ଆହୁରି ମାସେ ଲାଗିବ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ?

ଟନେଲ ଭିତରେ ୧୪ ଦିନ ହେଲା ଶ୍ରମିକମାନେ ଫସି ରହିଥିବା ବେଳେ କେବେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ତାକୁ ନେଇ କାହା ପାଖରେ କିଛି ସୂଚନା ନାହିଁ । ଏମିତି ସ୍ଥିତିରେ ସାରା ଦେଶରେ ଏକ ପ୍ରକାର ହତାଶା ଭାବ ଖେଳି ଯାଇଥିବା ବେଳେ ଟନେଲରେ ଡ୍ରିଲିଂ କରିବାକୁ ଯାଇଥିବା ଅଗର ମେସିନ ଅକାମୀ ହୋଇଯାଇଛି । ଫଳରେ ଏବେ ଅଗର ମେସିନ ବଦଳରେ ଆସନ୍ତାକାଲିଠାରୁ ଶ୍ରମିକମାନଙ୍କ ଜରିଆରେ ଖନନ କାମ କରାଯିବ । ସେପଟେ ଭର୍ଟିକଲ ଡ୍ରିଲିଂ କରାଯିବ । ସୁଡଙ୍ଗ ଉପରୁ ଏହି ଡ୍ରିଲିଂ କରାଯିବ । ଏଥିପାଇଁ ସୁଡଙ୍ଗ ଉପରକୁ ଖନନ ସରଞ୍ଜାମ ନିଆଯାଉଛି ।

ସୂଚନାଯୋଗ୍ୟ, ହରାଇଜେଣ୍ଟାଲ ଖନନରେ ପ୍ରାୟ ୪୮ ମିଟର ଖୋଳା ସରିଥିଲା । ଆଉ ମାତ୍ର ବାକି ରହି ଯାଇଥିଲା ୧୦ ମିଟର । ଯାହା ଦିନେ କି ଦୁଇଦିନ ମଧ୍ୟରେ ଶେଷ କରାଯାଇ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ବୋଲି ସମସ୍ତେ ଆଶା ରଖିଥିଲେ । ହେଲେ ଅଗର ମେସିନ ମେଟାଲ କାଟିବାରେ ବିଫଳ ହେବା ପରେ ଏବେ ସ୍ଥିତି ପୁଣି ପୂର୍ବ ପରି ସନ୍ଦେହ ଘେରକୁ ଚାଲିଯାଇଛି ।

ସେପଟେ ଶ୍ରମିକଙ୍କୁ ପାଇପ ଯୋଗେ କିପରି ବାହାର କରାଯିବ ଏ ନେଇ ଅଭ୍ୟାସ କରିଛନ୍ତି ଏନଡିଆରଏଫ ଟିମ । ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟ ଦେଇ ଷ୍ଟ୍ରେଚରରେ ଶ୍ରମିକଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ । ଏଥିରେ ଜଣେ ଜଣେ କରି ଶ୍ରମିକଙ୍କୁ ବାହାରକୁ ଅଣାଯିବ ।

ଝିଅ ସ୍ମୃତିରେ ବାପା ନିର୍ମାଣ କରୁଛନ୍ତି ଫିଲ୍ମ ‘ବୈଶାଳୀ ମ୍ୟାଡାମ୍‌’

ସୋର: ଜଣେ ଯୁବତୀଙ୍କ ସତ କାହାଣୀକୁ ନେଇ ଆସୁଛି ଏକ ଓଡ଼ିଆ ଫିଲ୍ମ । ଝିଅର ସ୍ମୃତିରେ ଫିଲ୍ମ ନିର୍ମାଣ କରୁଛନ୍ତି ତାଙ୍କ ବାପା । ଫିଲ୍ମର ନାଁ ରହିଛି ‘ବୈଶାଳୀ ମ୍ୟାଡାମ୍’ । ଜଣେ ଝିଅର ଜୀବନ ସଂଘର୍ଷକୁ ନେଇ ଫିଲ୍ମଟି ଆଗକୁ ବଢ଼ିଛି ।

ସୂଚନା ଅନୁସାରେ ଝିଅର ସ୍ମୃତିକୁ ତାଜା ରଖିବା ପାଇଁ ଏହି ଫିଲ୍ମ ନିର୍ମାଣ କରୁଛନ୍ତି ବାଲେଶ୍ୱର ଅଞ୍ଚଳର ଶ୍ରୀନାଥ ରଣା । ଶ୍ରୀନାଥଙ୍କର ଦୁଇ ଝିଅଙ୍କ ମଧ୍ୟରୁ ପ୍ରଥମ ଝିଅର ବାହାଘର ହୋଇଯାଇଛି । ଦ୍ୱିତୀୟ ଝିଅ ବୈଶାଳୀ ପରିବାରର ସମସ୍ତ ଦାୟିତ୍ବ ନେଇଥିଲେ । ସଂଘର୍ଷ କରି ବାହାନଗା ହାଇସ୍କୁଲରେ ଶିକ୍ଷୟିତ୍ରୀ ହୋଇଥିଲେ । ଶିକ୍ଷକତା ସହିତ ସମାଜସେବାରେ ନିୟୋଜିତ ଥିଲେ । ପୁଅ ଭଳି ପରିବାରର ସମସ୍ତ ଦାୟିତ୍ବ ନେଉଥିଲେ ବୈଶାଳୀ । ବୈଶାଳୀଙ୍କ ପାଇଁ ସବୁ କିଛି ଥିଲା ତାଙ୍କ ପରିବାର । ଏହାରି ଭିତରେ ରୋଗରେ ପଡ଼ିଛନ୍ତି ବୈଶାଳୀ ଓ ତାଙ୍କର ୨୭ ମାର୍ଚ୍ଚ ୨୦୨୨ରେ ମୃତ୍ୟୁ ଘଟିଛି । ଏହାପରେ ଶ୍ରୀନାଥ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଆଉ ଝିଅର ଏହି ସ୍ମୃତିକୁ ସାଇତି ରଖିବା ସହ ଝିଅର ତ୍ୟାଗକୁ ଅନ୍ୟଙ୍କ ପାଖରେ ପହଞ୍ଚାଇବା ପାଇଁ ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ ‘ବୈଶାଳୀ ମ୍ୟାଡାମ୍’ ।

ଗୋଟିଏ ଝିଅ ତା’ ବାପାମାଆଙ୍କ ପାଇଁ କେତେ ଜରୁରୀ ଫିଲ୍ମରେ ଆପଣ ଦେଖି ପାରିବେ । ଫିଲ୍ମରେ ଝିଅମାନଙ୍କ ତ୍ୟାଗ ଦେଖି ଆପଣଙକ ଆଖିରେ ବି ପାଣି ଆସିଯିବ । ସିନେମାର ଶୁଭ ମହୁରତ ବାହାନଗା ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି ।

ହନ୍ତାଳଗୁଡା ଘାଟି ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ବର: ମାଲକାନଗିରି ହନ୍ତାଳଗୁଡା ଘାଟି ଦୁର୍ଘଟଣାର ସମସ୍ତ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ଘୋଷଣା । ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା  ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ  ରିଲିଫ ପାଣ୍ଠିରୁ ଏହି ସହାୟତା ଘୋଷଣା କରାଯାଇଛି ।

ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାରେ ଆହତ ୮ ଜଣଙ୍କୁ  ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତାହତ ସମସ୍ତ  ଶ୍ରମିକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳରେ ।

ହତ୍ୟା ପରେ ମହିଳାଙ୍କୁ ୩୧ ଖଣ୍ଡ କରି ପୋତିଥିଲା ଅଭିଯୁକ୍ତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ମୁରୁମଡିହି ଜଙ୍ଗଲରେ ମହିଳାଙ୍କୁ ହତ୍ୟା କରି ପୋତିବା ଘଟଣାର ନୂଆମୋଡ । ମୃତଦେହ ମିଳିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ତଦନ୍ତକାରୀ ଟିମ୍ । କାରଣ ହତ୍ୟା ଥିଲା ଏତେ ନିର୍ମମ ଯେ ଜାଣିଲେ ଆପଣଙ୍କ ଶରୀର ଶିହରୀ ଉଠିବ । ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ହତ୍ୟା କରିବା ପରେ ୩୧ ଖଣ୍ଡ କରି ପୋତିଥିଲା ।

ଆଜି ତଦନ୍ତକାରୀ ଟିମ୍ ମହିଳାଙ୍କୁ ପୋତା ଯାଇଥିବା ସ୍ଥାନକୁ ଖୋଲିଥିଲେ । ଉଦ୍ଦେଶ୍ୟ ଥିଲା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆଗକୁ ବଢ଼ାଯିବ । ମୃତଦେହ ପୋତା ଯାଇଥିବା ସ୍ଥାନ ଖୋଳା ଯାଇଥିଲା ଓ ମୃତଦେହ ବି ମିଳିଥିଲା । ହେଲେ ସମସ୍ତଙ୍କ ବିଶ୍ବାସର ବାହାରେ ମୃତଦେହ ଗୋଟିଏ ଶରୀରରେ ମିଳି ନଥିଲା । ୩୧ ଖଣ୍ଡ ହୋଇ ମିଳିଥିଲା । ଅର୍ଥାତ, ମହିଳାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ମୃତଦେହକୁ ଖଣ୍ଡ ଖଣ୍ଡ କରି ୩୧ ପିସ୍ କରିଥିଲା । ଏହାପରେ ତାକୁ ମାଟିରେ ପୋତି ଦେଇଥିଲା ।

ମୃତ ମହିଳା ଜଣଙ୍କ ତିଲାବାଈ ଗଣ୍ଡ ବୋଲି ଜଣାପଡ଼ିଛି । ପ୍ରେମ ବ୍ୟାପାରରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଏକ ଦମ୍ପତିଙ୍କୁ ଅଟକ ରଖିଛି । ମୃତଦେହ ମିଳିବା ପରେ ରାଇଘର ଏସଡିପିଓ  ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

ରେଭେନ୍ସା ବିଶ୍ବବିଦ୍ୟାଳୟକୁ A++ ମାନ୍ୟତା

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟକୁ A++ ମାନ୍ୟତା । ନାକ କମିଟି ଦେଲା A++ ମାନ୍ୟତା । ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ରେଭେନ୍ସାକୁ ମିଳିଛି A++ ମାନ୍ୟତା ।

ଏହି ଖବର ଜଣାପଡ଼ିବା ପରେ ପୂରା ବିଶ୍ବବିଦ୍ୟାଳୟ ପରିସରରେ ଖୁସି ଖେଳି ଯାଇଛି । ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଓ କର୍ମଚାରୀ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ଛାତ୍ରଛାତ୍ରୀ ଏହାକୁ ଉତ୍ସବ ଭଳି ପାଳନ କରିଛନ୍ତି । ବିଶ୍ବବିଦ୍ୟାଳୟ ପରିସରରେ ଉତ୍ସବର ମାହୋଲ ଲାଗିଛି । ସଫଳତାକୁ କେକ୍ କାଟି ସେଲିବ୍ରେସନ କରାଯାଇଛି ।

କାର୍-ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲେ କାର ଓ ବାଇକ୍ । ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ । କାର ଆରୋହୀ ଗୁରୁତର । ଉଭୟ ଗାଡି ଦ୍ରୁତଗତିରେ ପରସ୍ପରକୁ ଦେଲେ ଧକ୍କା ।

ମୃତକମାନେ ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ ଏକ ବାଇକରେ ଦ୍ରୁତଗତିରେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ କାର ବି ଦ୍ରୁତ ଗତିରେ ଆସିଥିଲା । ଉଭୟ ଗାଡ଼ି ମୁହାଁମୁହିଁ ପିଟି ହେବା ପରେ ଘଟଣା ସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଳରେ ଜଣଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର କାର ଚାଳକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କାର ଚାଳକ ଜଣଙ୍କ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ବୋଲି ଅଭିଯୋଗ ହୋଇଛି ।

କାରଟି ବୌଦ୍ଧରୁ ଭୁବନେଶ୍ବର ଯାଉଥିବା ବେଳେ ବାଇକଟି ନୟାଗଡ଼ରୁ ଦଶପଲ୍ଲା ପଟକୁ ଯାଉଥିଲା । ପୋଲିସ ଉଭୟ ଗାଡ଼ିକୁ ଜବତ କି ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାୟଗଡ଼ାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୮୨ ପଞ୍ଚାୟତକୁ ଗଡ଼ିବ ୫୨ ବସ୍

ରାୟଗଡ଼ା: ରାୟଗଡ଼ାରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ୫୨ଟି ବସ୍ ଚଳାଚଳ କରିବ । ଏଥିପାଇଁ କରାଯାଇଛି ୩୦୦ଟି ବସ୍ ଷ୍ଟପେଜ । ରାୟଗଡ଼ାରେ ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଲକ୍ଷ୍ମୀ ଘରେ ଘରେ ଖୁସି ଓ ଆନନ୍ଦ ଆଣିବ। ଏହା ଗ୍ରାମାଞ୍ଚଳ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ ।’

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯୋଗାଯୋଗର ଅସୁବିଧା ସମ୍ପର୍କରେ ଜାଣିବା ପରେ ହିଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ଯୋଜନା । ଲକ୍ଷ୍ମୀ ବସ୍ ଗାଁକୁ ଗାଁ ସହିତ ଯୋଡିବ । ସାମାଜିକ ସମ୍ପର୍କ ସୁଦୃଢ କରିବା ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଧ୍ୟ ମଜବୁତ କରିବ । ଲକ୍ଷ୍ମୀ ଯୋଗାଯୋଗ ବିକାଶର ଇଞ୍ଜିନ । ପିଲାଙ୍କୁ ସ୍କୁଲ ଓ କଲେଜ ସହିତ ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ । ଏହାସହ ରୋଗୀକୁ ହସ୍ପିଟାଲ ନେବ ଲକ୍ଷ୍ମୀ ବସ୍ । ମାଆଙ୍କ ପାଇଁ ଏହା ବିଭିନ୍ନ କାମରେ ମୁଖ୍ୟ ସାରଥି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ମୀ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ସାରା ରାଜ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୨୬୦୦ରୁ ଅଧିକ ପ୍ରକଳ୍ପ କରାଯାଉଛି । ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ଡିଜିଟାଲ ଭିତ୍ତିଭୂମିର ଉନ୍ନତିକରଣ କରାଯାଉଛି । ପଞ୍ଚାୟତରେ ମୋ ସରକାରର ବିକାଶ କାର୍ଯ୍ୟକ୍ରମ ମୁଖ୍ୟ ଫୋକସ୍ । ସବୁ ପଞ୍ଚାୟତରେ ରୂପାନ୍ତର ଆଣି ସାରା ଓଡିଶାର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଇନଷ୍ଟାଗ୍ରାମରେ ଅସହ୍ୟ ହେଲା ହେଟ୍ କମେଣ୍ଟ, ଜୀବନ ହାରିଲେ ନାବାଳକ

ଉଜୈନ: ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଅଭାବନୀୟ ଘଟଣା। ଜୀବନ ହାରିଲେ ମଧ୍ୟପ୍ରଦେଶ ଉଜୈନର ଜଣେ ୧୬ ବର୍ଷୀୟ ଆର୍ଟିଷ୍ଟ। ଇନଷ୍ଟାଗ୍ରାମ ରିଲକୁ ନେଇ ହଜାର ହଜାର ହେଟ କମେଣ୍ଟ ଆସିବା ପରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ କୁନି କଳାକାର। ଉଜୈନର ପ୍ରାନଶୁ ନାମକ ଏହି କଳାକାର ଇନଷ୍ଟାଗ୍ରାମ ଜରିଆରେ ମେକଅପ ଓ ବ୍ୟୁଟି ସଂକ୍ରାନ୍ତ ବିଷୟ ପୋଷ୍ଟ କରୁଥିଲେ।

ଗତ ଦୀପାବଳିରେ ଏକ ଶାଢ଼ି ପିନ୍ଧି ସେ ଏକ ରିଲ୍ ପୋଷ୍ଟ କରିଥିଲେ। ପ୍ରାନଶୁଙ୍କ ଏହି ପୋଷ୍ଟକୁ ନେଇ ୪୦୦୦ରୁ ଅଧିକ କମେଣ୍ଟ ପୋଷ୍ଟ ହୋଇଥିଲା । ତେବେ ଏହି କମେଣ୍ଟକୁ ନେଇ ପ୍ରାନଶୁ ଆତ୍ମହତ୍ୟା କରିଥିବା କୁହାଯାଇଛି । ତାଙ୍କର ୧୬ ହଜାରରୁ ଅଧିକ ଫଲୋଅର ରହିଛନ୍ତି । ଏହାକୁ ନେଇ ମେଟା ମାଲିକାନାରେ ଥିବା ଇନଷ୍ଟାଗ୍ରାମକୁ ବିଭିନ୍ନ ମହଲରୁ କରାଯାଇଛି ସମାଲୋଚନା।

ଏଲଜିବିଟିକ୍ୟୁ ସମ୍ପ୍ରଦାୟକୁ ସୁରକ୍ଷା ଦେବାରେ ଇନଷ୍ଟାଗ୍ରାମ ବିଫଳ ବୋଲି କହିଛନ୍ତି ଅଭିନେତ୍ରୀ ତ୍ରିନେତ୍ରା। ଏହା ସମେତ ଏଲଜିବିଟିକ୍ୟୁର ଅନେକ ସଦସ୍ୟ ମଧ୍ୟ ଇନଷ୍ଟାଗ୍ରାମ, ଏକ୍ସ, ଫେସବୁକକୁ ମଧ୍ୟ ସମାଲୋଚନା କରିଛନ୍ତି। ଆତ୍ମହତ୍ୟା ପରେ ଏହାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ନଗାହିରି ଥାନାଧିକାରୀ କେଏସ ଗେହଲଟ। ନାବାଳକ ଓ ନାବାଳିକାଙ୍କୁ ନିରାପତ୍ତା ଦେବାରେ ଇନଷ୍ଟାଗ୍ରାମ ବିଫଳ ହେଉଥିବା ଅଭିଯୋଗ କରି ଗତ ୨୦୨୧ରେ ଇସ୍ତଫା ଦେଇଥିଲେ ମେଟାର ଏକଜିକ୍ୟୁଟିଭ ଆର୍ଥର ବେଜାର। ଏପରିକି ୧୩ ବର୍ଷ ବୟସ୍କ ପିଲାଙ୍କ ଲାଗି ଇନଷ୍ଟାଗ୍ରାମ ଅନୁପଯୁକ୍ତ ବୋଲି ସେ କହିଥିଲେ।