spot_img
Home Blog Page 2356

ହାଇକୋର୍ଟରେ ନୂଆ ନିୟମ; ଆଜିଠୁ ଦାଖଲ ମାମଲାର ଯାଞ୍ଚ ପରେ ମିଳିବ ନମ୍ବର

କଟକ : ଆଜିଠୁ ହାଇକୋର୍ଟରେ ନୂଆ ନିୟମ । ଦାଖଲ ମାମଲାର ଯାଞ୍ଚ ପରେ ମିଳିବ ନମ୍ବର । ହାଇକୋର୍ଟରେ ଜାମିନ ଆବେଦନ ବିଭାଗ ହେବ ପେପରଲେସ୍ । ସିଆରପିସିର ଧାରା ୪୩୮ ଓ ୪୩୯ରେ ରୁଜୁ ଜାମିନ ଆବେଦନ ଗୁଡିକର ରେକର୍ଡ ପେପରଲେସ୍ ବ୍ୟବସ୍ଥାରେ ବିଭିନ୍ନ ସଂଯୁକ୍ତ ବିଭାଗ ଯଥା ଷ୍ଟାମ୍ପ ରିପୋର୍ଟିଂ ବିଭାଗ, ଜାମିନ ବିଭାଗ, ଲିଷ୍ଟ ବିଭାଗ ମଧ୍ୟରେ ଆଦାନପ୍ରଦାନ ହେବ ।

ଅଦାଲତରେ ପେପରଲେସ୍ ବ୍ୟବସ୍ଥା କାର୍ଯ୍ୟକାରିତାକୁ ଗୁରୁତ୍ବ ଦିଆଯିବା ପ୍ରକ୍ରିୟାରେ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ନୂଆ ମାମଲା ଦାୟର ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଥିଲେ । ପୂର୍ବରୁ ହାଇକୋର୍ଟରେ ନୂଆ ମାମଲା ଦାଖଲ ହେବା ପରେ ସିଧାସଳଖ ପଞ୍ଜୀକରଣ କରାଯାଉଥିଲା। ମାମଲାର ନମ୍ବର ବି ମିଳି ଯାଉଥିଲା। ଏବେ ହାଇକୋର୍ଟରେ ଦାଖଲ ନୂଆ ମାମଲାକୁ ପ୍ରଥମେ ଡାଏରି ନମ୍ବର ଦିଆଯିବ। ମାମଲାର ଯାଞ୍ଚ ପରେ ଯଦି ସବୁ ଠିକ ଥିବ ତେବେ ଏହାକୁ ପଞ୍ଜୀକରଣ କରାଯିବ ।

ଆଜିଠୁ ଯେଉଁ ସବୁ ମାମଲା ଦାଖଲ ହେବ, ତାହାକୁ ପ୍ରଥମେ ଡାଏରୀ ନମ୍ବର ଦିଆଯିବ। ତା ପରେ ଷ୍ଟାମ୍ପ ରିପୋର୍ଟରଙ୍କ ଦ୍ବାରା ମାମଲାର ଯାଞ୍ଚ କରାଯିବ। ଯଦି ମାମଲାରେ କିଛି ତ୍ରୁଟି ନଥିବ ତେବେ ଫାଇଲିଂ ସେକ୍ସନ୍ ଏହାକୁ ପଞ୍ଜୀକରଣ କରିବ । ମାମଲାର ପଞ୍ଜୀକରଣ ପରେ ଆବେଦନକାରୀଙ୍କୁ ଏକ ବୈଧ ମାମଲା ନମ୍ବର ପ୍ରଦାନ କରାଯିବ। ଡାଏରି ନମ୍ବର ଠାରୁ ମାମଲା ନମ୍ବର ଭିନ୍ନ ରହିବ । ଯଦି ଦାଖଲ ମାମଲାରେ କିଛି ତ୍ରୁଟି ଥିବ ତେବେ ଏନେଇ ହାଇକୋର୍ଟଙ୍କ ଓ୍ବେବସାଇଟରେ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବ ।

ଆଇନଜୀବୀ ଓ ପକ୍ଷଙ୍କ ଦ୍ବାରା ଏପରି ମାମଲାର ତ୍ରୁଟି ଦୂର ପାଇଁ ଦାଖଲ ଠାରୁ ଏକ ମାସ ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଯଦି ଏକ ମାସ ଭିତରେ ତ୍ରୁଟି ଦୂର ହୁଏ ତେବେ ଫାଇଲିଂ ସେକ୍ସନ୍ ଦ୍ବାରା ଏହାର ପଞ୍ଜୀକରଣ କରାଯାଇ ନମ୍ବର ପ୍ରଦାନ କରାଯିବ। ଯଦି ଏକ ମାସ ଭିତରେ ତ୍ରୁଟି ଦୂର ନ କରାଯାଏ ତେବେ ମାମଲାକୁ ଖାରଜ କରି ଦିଆଯିବ। ବିଭିନ୍ନ କାର୍ଯ୍ୟର ସମୟ ନିର୍ଘଣ୍ଟ ନେଇ ମଧ୍ୟ ହାଇକୋର୍ଟଙ୍କ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଆଜିଠୁ ଶ୍ରୀମନ୍ଦିରରେ ନୂଆ ନିୟମ, ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିନଥିଲେ ଶ୍ରୀମନ୍ଦିର ମନା

ପୁରୀ : ଆଜିଠୁ ଶ୍ରୀମନ୍ଦିରରେ ନୂଆ ନିୟମ । ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିନଥିଲେ ଶ୍ରୀମନ୍ଦିର ମନା । ମହାପ୍ରଭୁଙ୍କ ବିଜେସ୍ଥଳୀ ଶ୍ରୀମନ୍ଦିର ଏକ ପବିତ୍ର ସ୍ଥାନ । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଶାଳୀନତାପୂର୍ଣ୍ଣ ପୋଷାକ ଆବଶ୍ୟକ । ଏହାଦ୍ବାରା ମନରେ ଓ ପରିବେଶରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହେବ । ପୁରୁଷମାନେ ପାରମ୍ପରିକ ପଞ୍ଜାବୀ, ଧୋତି ଏବଂ କୁର୍ତ୍ତା ସହିତ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧି ଆସିବାସହ ମହିଳା ମାନେ ଶାଢ଼ୀ, ସାଲଓ୍ବାର ଓ କମିଜ୍ ତଥା ଶରୀର ସମ୍ପୂର୍ଣ୍ଣ ଢାଙ୍କି ହେବା ଭଳି ପୋଷାକ ପିନ୍ଧିବାକୁ କୁହାଯାଇଛି । ପୂର୍ବରୁ ଏନେଇ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯାଇଥିଲା । ବିଭିନ୍ନ ହୋଟେଲ ମାନଙ୍କରେ ମଧ୍ୟ ପର୍ଯ୍ୟଟକଙ୍କୁ ସଚେତନ କରାଯାଇଛି ।

ପାରମ୍ପରିକ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧି ଆସିବାକୁ ନିୟମ କରାଯାଇଥିବାରୁ ଏହାକୁ ସବୁ ମହଲରୁ ସ୍ବାଗତ କରାଯାଇଛି । ଭାରତର ଅନେକ ପ୍ରସିଦ୍ଧ ମନ୍ଦିରରେ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ ଲାଗୁ ହୋଇଛି । ଏପଟେ ନୂଆବର୍ଷରେ ଜଗାଦର୍ଶନ ପାଇଁ ପାଇଁ ପୁରୀରେ ଲାଗିଛି ଖଚାଖଚ ଭିଡ଼ । ଶୀତତାପ ନିୟନ୍ତ୍ରିତ ଚଲାପଥରେ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ତା ମଧ୍ୟରେ ପାନୀୟଜଳ, ଆଲୋକ ସମେତ ବସିବାର ବ୍ୟବସ୍ଥା ରହିଛି । ଶୀତତାପ ନିୟନ୍ତ୍ରିତ ଚଲାପଥ ଦେଇ ସିଧାସଳଖ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ବାସ୍ତବତାର ଯାତ୍ରା ଭରିବ ମେଟ୍ରୋ ସ୍ବପ୍ନ; ଆଜି କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଆଜି ନୂଆ ବର୍ଷରେ ଲେଖାହେବ ନୂଆ ଅଧ୍ୟାୟ । କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଐତିହାସିକ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ବ୍ଲକର ରତାଗଡ଼-ଲେଙ୍କାସାହିରେ ହେବ ଶିଳାନ୍ୟାସ ଉତ୍ସବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାୟ ୬ହଜାର ୨୫୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର ମେଟ୍ରୋ ଚଳାଚଳ ପାଇଁ ତ୍ରିଶୂଳିଆ ଛକ ହେବ ପରିବହନର ମୁଖ୍ୟ କେନ୍ଦ୍ରସ୍ଥଳୀ ।

ବାରଙ୍ଗ ମୌଜାରେ ମେଟ୍ରୋ ଟ୍ରେନ ପ୍ରକଳ୍ପର କେନ୍ଦ୍ରୀୟ ଓ୍ବାର୍କସପ୍ କରାଯିବ । ବାରଙ୍ଗ ରତାଗଡ଼ ଅଞ୍ଚଳରେ ୨୦ ଏକର ଜମିରେ ସର୍ଭେ କାମ ବି ଶେଷ ହୋଇଛି । ୪ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମେଟ୍ରୋ ଟ୍ରେନ ଶିଳ୍ୟାନ୍ୟାସ ଉତ୍ସବ ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ବାରଙ୍ଗ ଛକ, ବାରଙ୍ଗରୁ ରତାଗଡ଼-ଲେଙ୍କାସାହି ଶିଳାନ୍ୟାସ ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ସବୁଠି ଜୋରଦାର ପ୍ରସ୍ତୁତି କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ପରେ ଆରମ୍ଭ ହେବ ବିଶାଳ ରୋଡ଼ ସୋ । ସବୁ ପ୍ରମୁଖ ଛକରେ ସମ୍ବର୍ଦ୍ଧନା ଓ କୃତଜ୍ଞତା ପାଇଁ ହଜାର ହଜାର ଲୋକ ଏକାଠି ହେବେ । ବାରଙ୍ଗ ଯିବା ବେଳେ ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ । କ୍ୟାପିଟାଲ ହସ୍ପିଟାଲ, ଶାସ୍ତ୍ରୀନଗର, କଳିଙ୍ଗ ଷ୍ଟାଡ଼ିୟମ, ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ, ଚନ୍ଦ୍ରଶେଖରପୁର, ପଟିଆ, କିଟ୍ ଛକ, ନନ୍ଦନବିହାର, ରଘୁନାଥପୁର, ବାରଙ୍ଗ, ଫୁଲପୋଖରୀରେ ସମ୍ବର୍ଦ୍ଧନା ପର୍ବର ଆୟୋଜନ ହୋଇଛି ।

ବିଦାୟ ନେଲା ୨୦୨୩, ନୂଆ ଆଶା ନୂଆ ଉତ୍ସାହ ନେଇ ଆସିଲା ୨୦୨୪

ଭୁବନେଶ୍ୱର : ବିଦାୟ ନେଲା ୨୦୨୩, ପାଦ ଥାପିଲା ୨୦୨୪ । ନୂଆବର୍ଷକୁ ସ୍ବାଗତ କଲେ ବିଶ୍ବବାସୀ । ମଧ୍ୟରାତ୍ରୀରେ ଆକାଶରେ ଝଲସି ଉଠିଥିଲା ଖୁସିର ରଙ୍ଗ ବେରଙ୍ଗ ଦୃଶ୍ୟ । ମଧୁମୟ ସ୍ମୃତିକୁ ମନେ ପକାଇ ଓ କିଛି ତିକ୍ତ ଅନୁଭୂତି ଭୁଲିଯାଇ ସ୍ବାଗତ ହେଲା ନୂଆବର୍ଷ । ନୂଆ କିଛି କରିବା ପାଇଁ ସଂକଳ୍ପ ନେଇ ଆରମ୍ଭ ହୋଇଛି ୨୦୨୪ । ଜିରୋ ନାଇଟ୍ ସେଲିବ୍ରେସନ ସହ ହୋଟେଲ୍ ଓ ବାରରେ ହେଲା ବ୍ୟାପକ କାର୍ଯ୍ୟକ୍ରମ ।

ସିନ୍ଦୁରା ଫାଟି ପୃଥିବୀକୁ ସଜେଇ ଦେଇଛି ନୂଆ ସକାଳର ସୁନେଲି ସୂର୍ଯ୍ୟ । ସବୁଠି ପ୍ରକମ୍ପିତ ହେଉଛି ହାପି ନ୍ୟୁ ଇୟର । ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଗହଳି । ନୂଆବର୍ଷକୁ ବେଶ ଆଡମ୍ବରରେ ପାଳନ କରିଛନ୍ତି ଲୋକେ । ପାର୍କ, କ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ସହ ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଖାଲି ଓଡ଼ିଶାରେ ନୁହେଁ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ଏକାଠି ହୋଇଛନ୍ତି ଲୋକେ । ସବୁଠି ନବବର୍ଷକୁ ଜୋରଦାର ସ୍ବାଗତ କରିଛନ୍ତି ।

ବାଲୁକାକଳାରେ ନୂଆବର୍ଷକୁ ସ୍ବାଗତ

ପୁରୀ: ନୂଆବର୍ଷ ପାଇଁ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ । ଶୁଭକାମନା ଜଣାଇ ଏହାକୁ ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ସୁନ୍ଦର କଳାକୃତି ନିର୍ମାଣ କରି ନୂଆବର୍ଷ ୨୦୨୪ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଦେବାକୁ ନିବେଦନ କରିଛନ୍ତି । ସେହିପରି ପଲ୍ଲୀରୁ ଦିଲ୍ଲୀ ଯାଏଁ ନାଚ ଗୀତର ଆସର ଜମିଥିବା ବେଳେ ଏହି ପରିପ୍ରେକ୍ଷୀରେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ନୂଆବର୍ଷର ବାର୍ତ୍ତା ଦେଇଛନ୍ତି  ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହାସହ ସମସ୍ତଙ୍କ ନିରାମୟ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

୨୦୨୩ର ଶେଷ ସୂର୍ଯ୍ୟାସ୍ତ

ଭୁବନେଶ୍ବର: ସରିଗଲା ସ୍ମୃତି , ଅନୁଭୂତିର ଆଉ ଏକ ଅଧ୍ୟାୟ । ପଛକୁ ରହିଗଲା ମାନ ଅଭିମାନ । ସୁଖଦୁଃଖ ଆଉ କୋହର କାହାଣୀକୁ କୋଳେଇ ନେଇ ପାହାଡ ସେପଟେ ଚୁପ କରି ଅସ୍ତଗଲେ ସୂର୍ଯ୍ୟ । ଲାଲ ମୁହଁରେ ସାରା ପଶ୍ଚିମ ଆକାଶକୁ ନାଲି କରି ଫେରିଗଲା ୨୦୨୩  । କିଛି କ୍ଷଣ ପାଇଁ ଚୁପ ହୋଇ କୋଳାହଳପୂର୍ଣ୍ଣ ଜଗତକୁ ନିସ୍ତବ୍ଧ କରିଦେଇ ଧିରେ ଧିରେ ହଜିଯାଇଛି କେଉଁ ଅପହଞ୍ଚ ଦିଗବଳୟରେ ।  ଆଉ ପ୍ରତିଶ୍ରୁତି  ଦେଇଯାଇଛି ଆସନ୍ତା କାଲି ଆସିବ ଏକ ନୂଆ ସମ୍ଭାବନା, ନୂଆ ଆକାଂକ୍ଷା ନେଇ, ନୂଆ ଏକ ସଂଖ୍ୟାକୁ ସାଥି କରି  । ବର୍ଷର ଶେଷ ମାସ, ଶେଷ ସପ୍ତାହ ଓ ଶେଷ ଦିନରେ ୨୦୨୩କୁ ବିଦାୟ ଦେଇଛି ସାରା ଦୁନିଆ । ପକ୍ଷୀଙ୍କ କଳରବ ସାଙ୍ଗକୁ ରବିଙ୍କ ଶେଷ କିରଣ ସତେ ଯେମିତି କହିଦେଇଗଲା, ମୁଁ ଫେରିବି କିଛି ନୂଆ ଆଶା ଏବଂ ନୂଆ ଉଦ୍ଦୀପନା ନେଇ । କିଏ ବର୍ଷର ଶେଷ ମୁହୂର୍ତ୍ତର ଶେଷ ସୂର୍ଯ୍ୟାସ୍ତକୁ ନିଜ ମୋବାଲରେ କଏଦ କରିଛି ତ ଆଉ କିଏ ସୂର୍ଯ୍ୟାସ୍ତକୁ ଦେଖି କେତେ କଣ ଭାବି ଦେଇଛି । ପୁରୀଠୁ କୋଣାର୍କ ଓ ବାଲେଶ୍ବର ବେଳାଭୂମୀରେ ୨୦୨୩ର ଶେଷ ସୂର୍ଯ୍ୟାସ୍ତ ଦେଖିବାକୁ ଭିଡ଼ ଜମିଥିଲା । ଏ ସୂର୍ଯ୍ୟ ଆଗାମୀ କାଲି ନୂଆ ଏକ ଅଧ୍ୟାୟ ନେଇଆସିବ । ୨୦୨୪ର ସମ୍ଭାବନାକୁ ସାଥିରେ ନେଇ ପୁଣି ଉଇଁବ ଆଉ ସାରା ଜଗତକୁ ଆଲୁଅର ପର୍ବରେ ଭିଜାଇଦେବ।

 

ନୃଶଂସ ପୁଅର ଜଘନ୍ୟ କାଣ୍ଡ , ସଫା କରିଦେଲା ବାପା, ମାଆ ଓ ଭଉଣୀକୁ

ରାଜସ୍ଥାନ: ସୈତାନ ସାଜିଲା ପୁଅ । ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ କରିଥିବା ମାଆକୁ ବି ମାରିବାକୁ ପଛାଇଲା ନାହିଁ  । ଯେଉଁ ବାପା ଦିନେ  ପୁଅ ଜନ୍ମ କରି ଛାତି ଫୁଲାଇ ଚାଲୁଥିଲା ସେହି ବାପାଙ୍କୁ ମାରିବାକୁ ବି ପଛାଇଲାନି ପୁଅ । ରାକ୍ଷୀର ପାଉଣା ଦେବାକୁ ଯାଇ ସାନ ଭଉଣୀକୁ ହତ୍ୟା କରିବାକୁ ପଛାଇଲା ନାହିଁ ଜହ୍ଲାଦ ଭାଇ । ଏଭଳି କିଛି ବୀଭତ୍ସ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ନାଗାଉରରେ । ୨୫ ବର୍ଷ ବୟସ୍କ ଯୁବକ ନିଜ ପିତାମାତା ଏବଂ ୧୫ ବର୍ଷର ଭଉଣୀକୁ ଗୋଟିଏ ଧାରୁଆ ଅସ୍ତ୍ର ରେ ହାଣି ହତ୍ୟା କରିଛି । ଶନିବାର ରାତିରେ  ଦିଲ୍ଲୀପ ସିଂହ , ଦିଲ୍ଲୀପ୍ ସିଂହଙ୍କ ପତ୍ନୀ ଏବଂ ତାଙ୍କ ଝିଅ ଏକ ରୁମ୍ ରେ ଶୋଇଥିଲେ । ବିଳମ୍ବିତ ରାତିରେ ଦିଲ୍ଲୀପ୍ ଙ୍କର ପୁଅ ମୋହିତ୍ ଘରକୁ ଫେରିଥିଲା । ଫେରିବା ପରେ ମୋହିତ୍ ଏକ ଧାରୁଆ ଅସ୍ତ୍ରରେ ନିଜ ବାପା, ମାଆ, ଏବଂ ଭଉଣୀ ଉପରେ ନୃଶଂସ  ଭାବେ ହାଣି ହତ୍ୟା କରିଥିଲା । ଫଳରେ  କିଛି ସମୟ ମଧ୍ୟରେ ଘଟଣା ସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । ହତ୍ୟା କରିବା ପରେ ମୋହିତ୍ ଥାନାରେ ପହଞ୍ଚି ହତ୍ୟା କରିଥିବା କଥା ପୋଲିସ୍ କୁ ଜଣାଇଥିଲେ। ଏହି ମାମଲାରେ ପୋଲିସ କହିଛି ଯେ ପାଦୁକାଲା ପୋଲିସ ଷ୍ଟେସନ ଅଞ୍ଚଳରେ ଯୁବକ ତାଙ୍କ ପିତା, ମା ଏବଂ ଭଉଣୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଛି ବୋଲି କହିଥିଲା। ସେ କନଷ୍ଟେବଳଙ୍କୁ ପଚାରିଥିଲେ ପୋଲିସ ଷ୍ଟେସନ ଅଧିକାରୀ କେଉଁଠାରେ ଅଛନ୍ତି।  ଅଭିଯୁକ୍ତ ବର୍ତ୍ତମାନ ପୋଲିସ ଷ୍ଟେସନରେ ଥିବା ବେଳେ ପଚରାଉଚରା ଜାରି ରହିଛି । ମାରିବା ପରେ ମଧ୍ୟ ଅଭିଯୁକ୍ତଙ୍କର ଆଚରଣ ସମାନ ରହିଛି  | ତେବେ ତିନି ଜଣଙ୍କ ମୃତ ଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି, ଅଭିଯୁକ୍ତ କାହିଁକି ଏହି ଅପରାଧ କରିଛନ୍ତି ତାହାର  ଅନୁସନ୍ଧାନ ଜାରି ରହିଛି।

ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଆରମ୍ଭ ହେଲା ନୂଆ ବର୍ଷ

ନନ୍ଦିଘୋଷ ବ୍ୟୁରୋ : ୨୦୨୩ ବର୍ଷ ବର୍ତ୍ତମାନ ଇତିହାସ ହେବାକୁ ଯାଉଛି ଏବଂ ବିଶ୍ୱବାସୀ ୨୦୨୪ କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି | ଅନେକ ଦେଶରେ ନୂଆ ବର୍ଷ ଆରମ୍ଭ ହୋଇଛି ଏବଂ ଅନେକ ଦେଶରେ ଘଣ୍ଟା କଣ୍ଟା ଧୀରେ ଧୀରେ ରାତି୧୨ ଟା ଆଡକୁ ଗତି କରୁଛି | ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ନୂଆ ବର୍ଷ ଉତ୍ସବ ଆରମ୍ଭ ହୋଇଛି | ଭାରତରେ ମଧ୍ୟ ଲୋକମାନେ ନୂତନ ବର୍ଷକୁ ସ୍ୱାଗତ କରିବାକୁ ଆଗ୍ରହୀ ଅଛନ୍ତି ଏବଂ କିଛି ଘଣ୍ଟା ମଧ୍ୟରେ ୨୦୨୪ ବର୍ଷ ମଧ୍ୟ ଏଠାରେ ଆରମ୍ଭ ହେବ | ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ସମେତ ସବୁ ଜାଗାରେ ଲୋକମାନେ ଉତ୍ସବ ଆରମ୍ଭ କରିଛନ୍ତି। ୨୦୨୪ ବର୍ଷ ପାଳନ କରୁଥିବା ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ହେଉଛି ପ୍ରଥମ ଦେଶ | ନ୍ୟୁଜିଲ୍ୟାଣ୍ଡରେ ରାତି ୧୨.୩୦ ରେ ଭାରତୀୟ ସମୟ ଏବଂ ନୂତନ ବର୍ଷ ଉତ୍ସବ ସେଠାରେ ଆରମ୍ଭ ହୋଇଥିଲା | ରାତି ୧୨ ଟାରେ, ନ୍ୟୁଜିଲ୍ୟାଣ୍ଡର ସର୍ବ ବୃହତ ସ୍କାଏ ଟାୱାରରେ ନୂଆ ବର୍ଷକୁ ଆତସବାଜି ସହିତ ସ୍ୱାଗତ କରାଯାଇଥିଲା | ଏହି ସମୟ ମଧ୍ୟରେ ସେଠାରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। New Zealand celebrates New Year's Eve 2020 with fireworks - YouTube

 

ବର୍ତ୍ତମାନ ଅଷ୍ଟ୍ରେଲିଆରେ ନୂଆ ବର୍ଷକୁ ସ୍ୱାଗତ କରାଯାଉଛି | ନ୍ୟୁଜିଲ୍ୟାଣ୍ଡ ପରେ ଅଷ୍ଟ୍ରେଲିଆରେ ମଧ୍ୟରାତ୍ରି ୧୨ ଟାରେ ନୂତନ ବର୍ଷ ଉତ୍ସବ ଭାରତୀୟ ସମୟ ୬.୩୦ ରେ ଆରମ୍ଭ ହୋଇଥିଲା | ନ୍ୟୁଜିଲ୍ୟାଣ୍ଡ ପରେ ପଡୋଶୀ ଦେଶ ଅଷ୍ଟ୍ରେଲିଆରେ ମଧ୍ୟ ନୂତନ ବର୍ଷ ସ୍ୱାଗତ କରାଯାଇଥିଲା | ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସିଡନୀର ବିଶ୍ୱ ପ୍ରସିଦ୍ଧ ସିଡନୀ ହାରବର୍ ବ୍ରିଜ୍ ଉପରେ ଶକ୍ତିଶାଳୀ ଆତସବାଜି ଆରମ୍ଭ କରାଯାଇଥିଲା | ହାରବର୍ ବ୍ରିଜ୍ ଉପରେ ଆତସବାଜି ସମଗ୍ର ବିଶ୍ୱରେ ପ୍ରାୟ ୪୨୫ନିୟୁତ ଲୋକ ଦେଖିଥିଲେ | ଭାରତ ଏବଂ ଚାଇନାରେ ନୂଆ ବର୍ଷକୁ ନେଇ ବହୁତ ଉତ୍ସାହ ଅଛି, ଏଠାରେ ମଧ୍ୟ ଲୋକମାନେ ଉତ୍ସାହର ସହିତ ୧୨ ଘଣ୍ଟା ଅପେକ୍ଷା କରିଛନ୍ତି | ଭାରତରେ ନୂଆ ବର୍ଷ ପାଳନ ସମ୍ପର୍କରେ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଅନେକ ସହରରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜଧାନୀ ଦିଲ୍ଲୀର ଅନେକ ସ୍ଥାନରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। Sydney New Year Trip | Contiki

 

ତେବେ ନୂଆ ବର୍ଷ ଉତ୍ସବ ଏଥର ଟିକେ ଦୁର୍ବଳ ହେବାକୁ ଯାଉଛି କାରଣ ଦୁନିଆ ଦୁଇଟି ସ୍ଥାନରେ ଯୁଦ୍ଧର ସମ୍ମୁଖୀନ ହୋଇଛି। ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ହେତୁ ସମଗ୍ର ବିଶ୍ୱରେ ନୂତନ ବର୍ଷର ଉତ୍ସବ କିଛିମାତ୍ରାରେ ଫିକା ପଡ଼ିଛି । ଯୁଦ୍ଧ ହେତୁ ଅନେକ ସ୍ଥାନରେ ବହୁତ ରାଷ୍ଟ୍ର ଚିନ୍ତିତ ଅଛନ୍ତି | ଗାଜା ଯୁଦ୍ଧ ହେତୁ ମୁସଲିମ ସଂଖ୍ୟାଗରିଷ୍ଠ ଦେଶ ପାକିସ୍ତାନ ନୂଆ ବର୍ଷ ପାଳନ କରୁନାହିଁ। ପାଲେଷ୍ଟାଇନବାସୀଙ୍କ ସହ ଏକତା ପ୍ରକାଶ କରିବାକୁ ନୂଆ ବର୍ଷ ଅବସରରେ ପାକିସ୍ତାନ ସରକାର ସମସ୍ତ ଉତ୍ସବକୁ ନିଷିଦ୍ଧ କରିଛନ୍ତି। ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ କାକର ଗୁରୁବାର ଦିନ ଗାଜାର ଲୋକଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ଦେଶରେ ନୂଆ ବର୍ଷ ପାଳନ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କିରିବାଟିରେ ମଧ୍ୟ ନୂଆ ବର୍ଷ ଉତ୍ସବ ପାଳନ କରାଯିବ। ସେହିଭଳି ଆମେରିକାର ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଅଧିକାରୀ ତଥା ପାର୍ଟି ଆୟୋଜକମାନେ କହିଛନ୍ତି ଯେ ବହୁ ସଂଖ୍ୟକ ଲୋକଙ୍କୁ ସ୍ୱାଗତ କରିବାକୁ ଏବଂ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସେମାନେ ପ୍ରସ୍ତୁତ। ଫ୍ରାନ୍ସରେ ମଧ୍ୟ ନୂତନ ବର୍ଷ ପାଳନକୁ ନେଇ ସୁରକ୍ଷା ବୃଦ୍ଧି କରାଯାଇଛି।

୨୦୨୪ରେ ତିନୋଟି ବିଶ୍ବକପ ଖେଳିବ ଭାରତ

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ଭାରତରେ ଅନୁଷ୍ଠିତ ହୋଇଥିଲା । ମାତ୍ର ଘରୋଇ ଦଳ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିଥିବାବେଳେ କ୍ରିକେଟପ୍ରେମୀଙ୍କ ଦୁଃଖ ଆଜିଯାଏ କମିନାହିଁ । ମାତ୍ର ନୂଆବର୍ଷ ଆସୁଥିବାବେଳେ ପୁଣି ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର ନେଇ ଆସିଛି । ୨୦୨୪ରେ ତିନୋଟି ବିଶ୍ବକପ ଖେଳିବ । ଯଦି ତିନୋଟି ବିଶ୍ବକପ ଜିତେ ତାହେଲେ ବହୁତ ଖୁସି ଖବର ରହିବ । ଭାରତ ଶେଷଥର ପାଇଁ ୨୦୧୧ ମସିହାରେ ଧୋନୀଙ୍କ ନେତୃତ୍ବରେ ବିଶ୍ବକପ ଜିତିଥିଲା । ଭାରତ ଦମଦାର ଫର୍ମରେ ରହିଥିଲେ ସୁଦ୍ଧା ଆଇସିସିର ଗୋଟିଏ ହେଲେ ମଧ୍ୟ ଟ୍ରଫି ଜିତିନାହିଁ । ଏଣୁ ଏଥର ଭାରତ ନିଶ୍ଚିତ କପ ଆଣିବ ବୋଲି ନୂଆବର୍ଷରୁ ନୂଆ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ତେବେ ୨୦୨୪ରେ ଭାରତ ଟି-୨୦ ବିଶ୍ବକପ ଖେଳିବ । ପୁରୁଷ ସିନିୟର ଦଳ ଟି-୨୦ ବିଶ୍ବକପ ଖେଳିବ । ଏହାସହ ମହିଳା ଦଳ ମଧ୍ୟ ଟି-୨୦ ବିଶ୍ବକପ ଖେଳିବ । ସେପଟେ ଅଣ୍ଡର-୧୯ ବିଶ୍ବକପ ଅନୁଷ୍ଠିତ ହେବ । ଏଣୁ ଭାରତ ଏହି ତିନି ବିଶ୍ବକପ ଖେଳିବାକୁ ଯାଉଥିବାବେଳେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ।

ଡିସେମ୍ବର ମାସରେ ମଦ ବିକ୍ରିର ରେକର୍ଡ

ନନ୍ଦିଘୋଷ ବ୍ୟୁରୋ : ଆଉ କିଛି ଘଣ୍ଟାପରେ ଶେଷହେବ ବର୍ଷ ୨୦୨୩ । ନୂଆ ସୂର୍ଯ୍ୟର ଆଲୋକନେଇ ଆସିବ ନୁଆ ସକାଳ ବର୍ଷ ୨୦୨୪ । ସମଗ୍ର ଦେଶରେ ନୂଆ ବର୍ଷ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ସମଗ୍ର ବିଶ୍ୱରେ ଅନେକ ଦେଶ ଅଛି ଯେଉଁଦେଶର ଲୋକମାନେ ଏହାକୁ ମଦ୍ୟପାନ କରି ବେସ ଆନନ୍ଦରସହ କରନ୍ତି | ଯଦି ଆମେ ନୂଆ ବର୍ଷ ବିଷୟରେ କହିବା, ଡିସେମ୍ବର ମାସରେ ଏପର୍ଯ୍ୟନ୍ତ ମଦ ବିକ୍ରିର ରେକର୍ଡ ବିକ୍ରି ହୋଇସାରିଛି | ଡିସେମ୍ବର ମାସରେ ଏପର୍ଯ୍ୟନ୍ତ ସମୁଦାୟ ସାଢେ ଚାରି କୋଟି ମଦ ବୋତଲ ବିକ୍ରି ହୋଇସାରିଛି। ଏହି ମଦ ବ୍ୟବସାୟ ଡିସେମ୍ବର ୨୯ ପର୍ଯ୍ୟନ୍ତ ଅଛି, ଶେଷ ଦୁଇ ଦିନ ଅଧିକ ବୃଦ୍ଧି ଦେଖାଯାଇ ପାରେ |

ଡିସେମ୍ବରରେ ୪.୫ କୋଟି ମଦ ବୋତଲ ବିକ୍ରି ହୋଇଥିଲା

ଏହା କୌଣସି ଖୁସିର ଘଟଣା କିମ୍ବା ଦୁଃଖଦ ଘଟଣା ହେଉ, ଲୋକମାନେ ମଦ୍ୟପାନ କରନ୍ତି ଏବଂ ନୂଆ ବର୍ଷର ବିଶେଷ ଉତ୍ସବରେ ଲୋକମାନେ ବହୁ ମଦ୍ୟପାନ କରନ୍ତି | ଉଭୟ ପୁରୁଷ ଏବଂ ମହିଳା ଏହି ପ୍ରସଙ୍ଗରେ ପଛରେ ନାହାଁନ୍ତି। ନୂଆ ବର୍ଷରେ ମଦ ଦୋକାନ ଏବଂ ମଦ ବାରରରେ ବହୁତ ଭିଡ଼ ଜମିଛି | ସେଥିପାଇଁ ଲୋକମାନେ ଆଗରୁ ସେମାନଙ୍କର ବ୍ୟବସ୍ଥା କରଥାନ୍ତି | ଯଦି ଆମେ ଡିସେମ୍ବର ମାସରେ ଦିଲ୍ଲୀରେ ମଦ ବିକ୍ରି ବିଷୟରେ ଆଲୋଚନା କରିବା, ତେବେ ଏହା ଗତ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ବର୍ଷ ଡିସେମ୍ବର ମାସରେ ଯେଉଁଠାରେ ୩,୯୯,୬୦୫୦୯ ମଦ ବୋତଲ କ୍ରୟ କରାଯାଇଥିଲା | ତେଣୁ ଚଳିତ ବର୍ଷ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ୪.୫ କୋଟି ମଦ ବୋତଲ କ୍ରୟ କରାଯାଇଛି। ଏଥିରେ ସର୍ବାଧିକ ମଦ ବିକ୍ରି ୨୪ ଡିସେମ୍ବରରେ ହୋଇଥିଲା | ଯେଉଁଥିରେ ପ୍ରାୟ ୧୯ ଲକ୍ଷ ୪୦ ହଜାର ମଦ ବୋତଲ କ୍ରୟ କରାଯାଇଥିଲା |