spot_img
Home Blog Page 2367

ସାପକୁ ଦେଉଥିଲେ କିସ୍ ପାଇଲେ ପାନେ, ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ

ନନ୍ଦିଘୋଷ ବ୍ୟୁରୋ: ବିଶାଳକାୟ ଅଜଗର ସହ କରୁଥିଲେ ମସ୍ତି । ସାପକୁ ଦେଉଥିଲେ କିସ୍ । ଏହି ସମୟରେ ସାପଟି ଯାହା କଲା ଆପଣ କହିବେ ଏହି ଯୁବକଙ୍କୁ ଠିକ୍ ହୋଇଛି । ଯୁବକଙ୍କୁ ଏମିତି ଝଟକା ଲାଗିଲା ଯେ, ଆଉ ବୋଧେ ଜୀବନରେ ସେ ସାପ ସହ ଏମିତି ଖେଳିବେନି ।

ସାପ ସହ ଖେଳିବାର ବହୁତ ଭିଡିଓ ଭାଇରାଲ ହେବାର ଆପଣ ଦେଖିଥିବେ । ଏବେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଯୁବକଙ୍କୁ ଲାଗିଛି ସାଂଘାତିକ ଝଟକା । ଭିଡିଓ କରିବା ନିଶାରେ ଯୁବକ ଜଣଙ୍କ ବିଶାଳକାୟ ସାପକୁ ବେକରେ ଧରି ମୁହଁ ପାଖକୁ ନେଇ କିସ୍ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ଅଜଗରଟି ଯୁବକ ଜଣଙ୍କୁ ଯୋରରେ କାମୁଡି ଧରିଥିଲା । ଯୁବକ ଜଣଙ୍କ ସାପକୁ ଟାଣିକି ବାହାର କରିଥିଲେ । ସାପର ଦାନ୍ତ ତାଙ୍କ ଗାଲରେ ଏମିତି ପଶି ଯାଇଥିଲା ଯେ, ସହଜରେ ବାହାରି ନଥିଲା ।

ଏହି ୩୨ ସେକେଣ୍ଡର ଭିଡିଓକୁ ଜଣେ ବ୍ୟକ୍ତି ଇଣ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗୁଛି । ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠୁଛି ।

 

View this post on Instagram

 

A post shared by Mike Holston (@therealtarzann)

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଚାଲିଛି ନିମନ୍ତ୍ରଣ ଯାତ୍ରା, ଓଡ଼ିଶା ବାହାରେ ପୁରୀ ଟିମକୁ କରାଯାଉଛି ଭବ୍ୟ ସ୍ବାଗତ

ପୁରୀ: ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଚାଲିଛି ନିମନ୍ତ୍ରଣ ଯାତ୍ରା । ବିଭିନ୍ନ ଦେବାଦେବୀ ପୀଠକୁ କରାଯାଉଛି ନିମନ୍ତ୍ରଣ । ଏହି କ୍ରମରେ ଗୁଜରାଟର ସୋମନାଥ ମନ୍ଦିରରେ ପହଞ୍ଚି ନିମନ୍ତ୍ରଣ ପତ୍ର ବଣ୍ଟନ କରିଛନ୍ତି ସ୍ବତନ୍ତ୍ର ପ୍ରତିନିଧି ଦଳ । ପୁରୀରୁ ଯାଇଥିବା ଏହି ଟିମକୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେହିପରି ମହାରାଷ୍ଟ୍ର ନାସିକରେ ଥିବା ତ୍ରୟମ୍ବକେଶ୍ବର ଶିବ ମନ୍ଦିରରେ ମଧ୍ୟ ନିମନ୍ତ୍ରଣ ପଣ୍ଟ ବଣ୍ଟ କରାଯାଇଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ପ୍ରତିନିଧି ଦଳ । ସେହିପରି ବୋଧଗୟାର ବିଷ୍ଣୁପଦ ମନ୍ଦିର, ଗୟାଧାମ, ନବିମୁମ୍ବାଇର ଜଗନ୍ନାଥ ମନ୍ଦିରକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ଅନ୍ୟପଟେ ଜମ୍ମୁର ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିରରେ ପହଞ୍ଚି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି । ପୁରୀରୁ ଯାଇଥିବା ସ୍ବତନ୍ତ୍ର ପ୍ରତିନିଧି ଦଳ ବୈଷ୍ଣୋଦେବୀ ମନ୍ଦିରର ସିଇଓଙ୍କୁ ପରିକ୍ରମା ନିମନ୍ତ୍ରଣ ପତ୍ର ବଣ୍ଟନ କରିଛନ୍ତି । ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ସେବାୟତଙ୍କ ସହ ମନ୍ଦିର ପ୍ରଶାସନଙ୍କୁ ନିମନ୍ତ୍ରଣ କରାଯାଇଛି । ପୁରୀରୁ ଯାଇଥିବା ଟିମଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାସହ ଓଡ଼ିଶା ସରକାର ଓ ଶ୍ରୀମନ୍ଦିର  ପରିଚାଳନା କମିଟିର ଏଭଳି ଭବ୍ୟ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଥିଲେ ବୈଷ୍ଣୋଦେବୀ ମନ୍ଦିର କର୍ତ୍ତୃପକ୍ଷ ।

ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଏଥିପାଇଁ ବରଗଡ଼ରେ ପହଞ୍ଚିଛି ପରିକ୍ରମା ନିମନ୍ତ୍ରଣ  । ପ୍ରଭୁ ନୃସିଂହନାଥଙ୍କୁ ନିମନ୍ତ୍ରଣ କରିଛନ୍ତି ସ୍ବତନ୍ତ୍ର ଦଳ । ବରଗଡ଼ ଜିଲ୍ଲାର ଧାରୋଲଠାରେ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା  । କୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରା ମାଧ୍ଯମରେ ସମସ୍ତଙ୍କୁ ପାଛୋଟି ନେଇଥିଲେ  । ପରେ ନୃସିଂହନାଥ ମନ୍ଦିରରେ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା  । ଏହି ସମୟରେ ଏକ ଅନନ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବରେ ଯୋଗ ଦେବା ପାଇଁ ଶ୍ରୀମନ୍ଦିରରୁ ଆସିଥିବା ସେବାୟତମାନଙ୍କୁ କେନ୍ଦୁଝରରେ ଭବ୍ୟ ସ୍ଵାଗତ କରାଯାଇଛି । କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜିଉଙ୍କ ମନ୍ଦିର ସମ୍ମୁଖରେ ସୁଦୃଶ୍ୟ ରଙ୍ଗୋଲି ପକାଇ ବଡଦାଣ୍ଡରେ ନୃତ୍ୟଗୀତ ମାଧ୍ୟମରେ ସେମାନଙ୍କୁ ସ୍ଵାଗତ କରିଥିଲେ ସ୍ଥାନୀୟ ବାସିନ୍ଦା ଓ ଜିଲ୍ଲା ପ୍ରଶାସନ । ଘଣ୍ଟଘଣ୍ଟା, ମୃଦଙ୍ଗ ଓ ଝାଞ୍ଜର ତାଳେ ତାଳେ ବଳଦେବଜୀଉ ମନ୍ଦିର  ପରିସରକୁ ପାଛୋଟି ନେଇଥିଲେ ପୂଜକ । ପ୍ରଭୁ ଶ୍ରୀ ବଳଦେବ ଜିଉଙ୍କର ମୁଖ୍ୟ ପୂଜକଙ୍କୁ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେବାକୁ ପୁରୀ ସେବାୟତମାନେ ନିମନ୍ତ୍ରଣ ଜଣାଇଥିଲେ । ଏଥିସହ , ସେମାନେ ଘଟଗାଁ ମା ତାରିଣୀଙ୍କ ମୁଖ୍ୟ ପୂଜକଙ୍କୁ ମଧ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ   କରିଛନ୍ତି ।

ଶୀତରେ ଥରୁଛି ବାଲିଗୁଡ଼ା, ଘନକୁହୁଡି଼ ଯୋଗୁ ରାସ୍ତାଘାଟ ଦେଖାଯାଉଛି ଅସ୍ପଷ୍ଟ

ବାଲିଗୁଡ଼ା: ଶୀତରେ ଥରୁଛି ବାଲିଗୁଡ଼ା । ତାପମାତ୍ରା ହ୍ରାସ ସହ ସବୁଠି ଶୀତର ଦାଉ । ଘନକୁହୁଡି଼ ଯୋଗୁ ରାସ୍ତାଘାଟ ବି ହେଉଛି ଅସ୍ପଷ୍ଟ । ଗତକାଲି ଫୁଲବାଣୀରେ ୧୧ ଡିଗ୍ରୀ,ଦାରିଙ୍ଗିବାଡ଼ିରେ  ୯.୫ ଡିଗ୍ରୀ ଓ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେପଟେ ଘନ କୁହୁଡ଼ି ଯୋଗୁଁ ଯାନବାହାନ ଚଳାଚଳରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ତେଣେ ପ୍ରକୃତିର ସୌନ୍ଦର୍ଯ୍ୟ ବି ସମସ୍ତଙ୍କୁ କରିଛି ଆତ୍ମହରା ।

ଅନ୍ୟପଟେ ରାଜ୍ୟରେ ଲଗାତାର ବଢୁଛି ତାପମାତ୍ରା, କମୁଛି ଶୀତ । ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ବାଭାବିକ ସ୍ଥିତିକୁ ଫେରୁଛି  । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ପବନର ପ୍ରଭାବ କମିବା ସହ ପୂର୍ବାଳୀ ଗରମ ଶୁଷ୍କ ପବନ ପ୍ରବାହ ବଢିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପରର ପରିମାଣ ବୃଦ୍ଧି ହେବା ସହ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବୃଦ୍ଧି ହୋଇଛି । ଫଳରେ ଜାଡ କମିବା ସହ ଘନ କୁହୁଡି ଦେଖାଦେଉଛି ।

ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବ  । ଫଳରେ ଏପରି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ତେବେ ବିଭିନନ୍ନ ଜିଲ୍ଲା ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି  । ଆଜି ପାଇଁ ୧୬ଜିଲ୍ଲାରେ ଘନ କୁହୁଡ଼ି ପଡ଼଼ିବା ନେଇ ସତର୍କତା ଜାରି ହୋଇଛି  । ଏହିସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହିବ  । ଏଣୁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି  । ତେଣୁ ବିଭିନ୍ନ ଦୁର୍ଘଟଣା ଜୋନ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଦିବସରେ ଉଦଘାଟନ ହେଲା ବାଉଁଶ ଉଦ୍ୟାନ ଓ ମୋଗଲ ଗାର୍ଡେନ

ଭୁବନେଶ୍ବର: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଉତ୍ସବ । ଏହି ଅବସରରେ ଉଦଘାଟିତ ହେଲା ବଟନିକାଲ ଗାର୍ଡେନରେ ନବନିର୍ମିତ ବାଉଁଶ ଉଦ୍ୟାନ, ମୋଗଲ ଗାର୍ଡେନ । ଏହାସହ ନନ୍ଦନକାନନର ଓ୍ବାଲିଭ ଖୁଆଡ଼ ଉଦଘାଟନ ସହ ଗୋଟିଏ ସିଂଘ ଶାବକ ଓ ୨ଟି ବାଘ ଶାବକର ନାମକରଣ କରାଯାଇଛି । ଜଳଜ ଉଦ୍ଭିଦର ବିଭିର୍ନ ପ୍ରଜାତିର ଜଲଜ ଘାସ, ଜଳମଗ୍ନ, ଭାସମାନ, ୪୪ପ୍ରକାର କଇଁ, ପଦ୍ମ ଆଦି ୨୨୫ପ୍ରଜାତିର ଜଲଜ ଉଦ୍ଭିଦ ମୋଗଲ ଗାର୍ଡେନରେ ଦେଖିପାରିବେ ପର୍ଯ୍ୟଟକ ।

ଏହାସହ ୪.୪ ଏକର ଜାଗାରେରେ ବାଉଁଶ ଉଦ୍ୟାନ ନିର୍ମିତ କରାଯାଇଛି । ୭୦ ପ୍ରକାରର ବାଉଁଶ ଏହି ଉଦ୍ୟାନରେ ଦେଖିବାକୁ ମିଳିବ । ଏହାସହ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଚିଡ଼ିଆଖାନାକୁ ଆସିଥିବା ବିରଳ ପ୍ରଜାତିର ଏକହଳ ଓ୍ବାଲିବ ଓ ଏକହଳ ଲିଭିଙ୍ଗଷ୍ଟୋନ ଟୁରକେକୁ ସ୍ବତନ୍ତ୍ର ଖୁଆଡ଼ରେ ଛଡାଯିବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ, ପିସିସିଫ ଓ ବିଧାୟକ ଯୋଗଦେଇ ଉଦ୍ଘାଟନ କରିଛନ୍ତି ।…

ବଲାଙ୍ଗୀର ଡାକ୍ତରଙ୍କୁ ମାଡ ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

0

ବଲାଙ୍ଗୀର: ବଲାଙ୍ଗୀରରେ ଅଭାବନୀୟ ଘଟଣା। ପୁଣି ଡାକ୍ତରଙ୍କୁ ମାଡ ମାରିଲେ ଦୁର୍ବୃତ୍ତ । ମହିଳା ରୋଗୀଙ୍କ ସ୍ବାମୀ ଓ କିଛି ଯୁବକ, ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିଛନ୍ତି । ଡାକ୍ତର ବିଶ୍ବରଞ୍ଜନ ସ୍ବାଇଁ ମେଡିକାଲ କଲେଜ ହସ୍ପିଟାଲରୁ ଓପିଡି ସାରି ହଷ୍ଟେଲକୁ ଫେରୁଥିବା ବେଳେ ଶାନ୍ତିପଡ଼ାରେ ତାଙ୍କୁ ଆକ୍ରମଣ ହୋଇଥିଲା। କାଚ ବୋତଲ ଓ ଲୁହା ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଛନ୍ତି ।

ଗୁରୁତର ଅବସ୍ଥାରେ ଡାକ୍ତରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ମେଡିକାଲରେ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ମୁଖ୍ୟ ଫାଟକ ଆଗରେ ଡାକ୍ତରମାନେ ଆନ୍ଦୋଳନ କରିଛନ୍ତି । ଯାହାକୁ ନେଇ ଡାକ୍ତରଖାନାରେ ରୋଗୀସେବା ବ୍ୟାହତ ହୋଇଛି । ଘଟଣାକୁ ନେଇ ମେଡିକାଲରେ ପହଞ୍ଚି ଆହତ ଡାକ୍ତର ଓ ଆନ୍ଦୋଳନକାରୀ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଓ ଏସପି ।

ଏହି ଘଟଣାରେ ବଲାଙ୍ଗୀର ଟାଉନ୍ ଥାନା ପୋଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ବିରୋଧରେ NSA ଲାଗୁ କରିବା ସହ ଡାକ୍ତରଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଜୁନିଅର ଡାକ୍ତର ମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଦାବି କରିଛନ୍ତି । ଜୁନିଅର ଡାକ୍ତର ସଂଘ ସହିତ ମେଡିକାଲ ସୁପରିଟେଣ୍ଡେଣ୍ଟ ଆଲୋଚନା କରୁଛନ୍ତି।

ପାଖେଇ ଆସୁଛି ନୂଆବର୍ଷ; ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କଟକ: ବଦଳିବ କ୍ୟାଲେଣ୍ଡର। ବିଦାୟ ନେବ ୨୦୨୩। ନୂଆ ଉତ୍ସାହ ଓ ସମ୍ଭାବନା ନେଇ ଆସିବ ୨୦୨୪। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଏବେ ସବୁଠି ପ୍ରସ୍ତୁତି। କଟକର ବିଭିନ୍ନ କ୍ଲବ ଓ ହୋଟେଲ ଗୁଡିକରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଓଲିଉଡ, ବଲିଉଡ କଳାକାରଙ୍କ ସହ ବେଲି ଡ୍ୟାନ୍ସ। ଜିରୋ ନାଇଟ୍ ରାତିରେ ଝୁମିବେ କଟକର ଯୁବପୀଢି। ସେଲିବ୍ରେସନ ସହ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ କଟକର ବିଭିନ୍ନ କ୍ଲବ ହୋଟେଲରେ ଏଥିପାଇଁ ବ୍ୟାପକ ଆୟୋଜନ। କଟକର ୩ଟି ପ୍ରମୁଖ କଟକ କ୍ଲବ, ୟୁନିଅନ କ୍ଲବ ଓ ଓସିଏ କ୍ଲବରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ୟୁନିଅନ କ୍ଲବରେ ବଲିଉଡ ସିଙ୍ଗର ଅଭିଷେକ ଓ ଶୁଭଶ୍ରୀଙ୍କ ସହ ସ୍ପାଇସ୍ ଡ୍ୟାନ୍ସ ଗ୍ରୁପର ପ୍ରଦର୍ଶନ ଦେଖିବାକୁ ମିଳିବ। ସେହିଭଳି ଓସିଏ କ୍ଲବରେ ଅନ୍ତରା ଚକ୍ରବର୍ତ୍ତୀ, ଦୀପାଲି ସଥେ, ନକାଶ ଅଜିଜଙ୍କ ସହ ସିଜଲର ଡ୍ୟାନ୍ସ ମତୁଆଲା କରିବ ସହରର ସର୍ଵପୁରାତନ କଟକ କ୍ଲବରେ ତାରିକ ଅଜିଜ ଓ ଜାଗୃତି ମିଶ୍ରଙ୍କ ଡ୍ୟାନ୍ସ ସହ ଅନେକ ଓଲିଉଡ଼ କଳାକାରଙ୍କ କାର୍ଯ୍ୟକ୍ରମ ରହିଛି।

କେବଳ କ୍ଲବ ନୁହେଁ, ସହରରେ ଥିବା ବିଭିନ୍ନ ହୋଟେଲ ଗୁଡିକରେ ବି ଚାଲିଛି ବ୍ୟାପକ ପ୍ରସ୍ତୁତି। ସେପଟେ ଜିରୋ ନାଇଟ ଓ ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ସହ ପୁରା ସହରରେ ପୋଲିସ ମୁତୟନ ରହିବେ। ମଦ ପିଇ ଗାଡ଼ି ଚଳାଇଲେ କିମ୍ବା ବିଶୃଙ୍ଖଳା କଲେ କରାଯିବନି ବରଦାସ୍ତ। ଅପରପକ୍ଷେ ନିୟମ ମାନି ଉତ୍ସବ ପାଳିବାକୁ ନିବେଦନ କରିଛନ୍ତି ଡିସିପି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପ୍ରମୁଖ ଦେବାଦେବୀଙ୍କ ପୀଠକୁ ଯାଉଛି ନିମନ୍ତ୍ରଣ ପତ୍ର

ପୁରୀ: ରାଜ୍ୟ, ଦେଶ ଓ ବିଦେଶକୁ ଯାଉଛି ନିମନ୍ତ୍ରଣ। ପବିତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିବାରେ ଲାଗିଛି ନିମନ୍ତ୍ରଣ । ଦେଶର ପ୍ରମୁଖ ଦେବାଦେବୀଙ୍କ ପୀଠ ସହ ରାଜ୍ୟର ଏକାଧିକ ପୀଠରେ ନିମନ୍ତ୍ରଣ ପ୍ରଦାନ କରାଯାଇଛି ।

ଶ୍ରୀକ୍ଷେତ୍ରରୁ ଦ୍ବାରକା, ଭୁବନେଶ୍ବରରୁ ବୃନ୍ଦାବନ । ସାରା ଦେଶ ହେଲାଣି ଜଗନ୍ନାଥମୟ । ପ୍ରତି ଦେବପୀଠରେ ପହଞ୍ଚୁଛି ବିଶ୍ବନିୟନ୍ତାଙ୍କ ନିମନ୍ତ୍ରଣ । ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଏହି ଦିବ୍ୟ ଦିବସରେ ଯୋଗଦାନ ନିମନ୍ତେ ଦେଶର ପ୍ରମୁଖ ପୀଠରେ ପହଞ୍ଚି ନିମନ୍ତ୍ରଣ ପ୍ରଦାନ କରୁଛନ୍ତି ୧୭ଟି ସ୍ବତନ୍ତ୍ର ଦଳ। ମହାରାଷ୍ଟ୍ର ତ୍ରୟମ୍ବକେଶ୍ବର ଜ୍ୟେର୍ତିଲିଙ୍ଗ, ମଧ୍ୟପ୍ରଦେଶର ମହାକାଳେଶ୍ବର ଜ୍ୟୋର୍ତିଲିଙ୍ଗ, ତାମିଲନାଡ଼ୁର ଶ୍ରୀରଙ୍ଗନାଥସ୍ବାମୀ ମନ୍ଦିର, ବନାରସଠାରେ କାଶିବିଶ୍ବନାଥ, ସୀମାଞ୍ଚଳମ ଠାରେ ଶ୍ରୀ ବରାହଲକ୍ଷ୍ମୀ ନରସିଂହସ୍ବାମୀ ଦେବସ୍ଥାନମ୍ , ଦ୍ବାରିକାଧୀଶ ମନ୍ଦିର, ବୃନ୍ଦାବନର ଶ୍ରୀ ବାଙ୍କେବିହାରୀ ମନ୍ଦିର, ବିଶାଖାପଟନମର ଶ୍ରୀଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ସେହିପରି ନୂଆ ଦିଲ୍ଲୀରେ ହଜଖୋସ ଜଗନ୍ନାଥ ମନ୍ଦିରକୁ ମଧ୍ୟ ପରିକ୍ରମା ନିମନ୍ତ୍ରଣ ପ୍ରଦାନ କରାଯାଇଛି। ସେବାୟତ ଓ ଶ୍ରୀମନ୍ଦିର ପ୍ରତିନିଧିଙ୍କୁ ସବୁଠି ଭବ୍ୟ ସ୍ବାଗତ କରାଯିବା ସହ ଅନନ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି।

ଏପଟେ ରାଜ୍ୟରେ ପ୍ରମୁଖ ଦେବପୀଠ ଓ ଜଗନ୍ନାଥ ମନ୍ଦିରରେ ପହଞ୍ଚି ନିମନ୍ତ୍ରଣ ପ୍ରଦାନ କରୁଛ୍ତି ୧୩ଟି ଟିମ୍। ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ପରିକ୍ରମା ନିମନ୍ତ୍ରଣ ପହଞ୍ଚିଥିବାବେଳେ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉ, ଦେବଗଡ ଗୋପାଳ ଜୀଉ ମନ୍ଦିର, ରାୟଗଡ଼ାର ଜଗନ୍ନାଥ ଓ ମଝିଘରିଆଣୀ ମନ୍ଦିର, ସୁବର୍ଣ୍ଣପୁର ଜଗନ୍ନାଥ ମନ୍ଦିର, ମାଲକାନଗିରି ଜଗନ୍ନାଥ ମନ୍ଦିର, ଝାରସୁଗୁଡ଼ାର ଜଗନ୍ନାଥ ଓ ଝଡ଼େଶ୍ବର ମନ୍ଦିର ଆଦି ବିଭିନ୍ନ ସ୍ଥାନରେ ପରିକ୍ରମା ନିମନ୍ତ୍ରଣ ପହଞ୍ଚି ସାରିଛି । ସବୁଠି ସ୍ବତନ୍ତ୍ର ଦଳକୁ ନାମସଂକୀର୍ତ୍ତନ କରି ସ୍ଥାନୀୟ ଲୋକମାନେ ସ୍ବାଗତ କରୁଥିବାବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ମିଳୁଥିବାରୁ ଜଗନ୍ନାଥପ୍ରେମୀ ଉତ୍ସାହିତ ହୋଇପଡ଼ିଛନ୍ତି ।

ପାତାଳି ନଦୀରେ ବୁଡିଲା ଡଙ୍ଗା, ୫ ନିଖୋଜ

ନନ୍ଦପୁର: କୋରାପୁଟ ନନ୍ଦପୁର ବ୍ଲକ ପାତାଳି ନଦୀରେ ଡଙ୍ଗା ବୁଡି ୫ ନିଖୋଜ। ସେମାନେ ହେଲେ ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତର ତାନସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା। ୫ ଜଣ ଏକ ଦେଶୀ ଡଙ୍ଗାରେ ବାଡେଲା ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ। ଗାଁକୁ ଫେରିବା ସମୟରେ ଡଙ୍ଗାଟି ପାତାଳି ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସମସ୍ତ ୫ ଜଣ ନିଖୋଜ ଅଛନ୍ତି।

ପୋଲିସ, ଅଗ୍ନିଶମ ଓ ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ନିଖୋଜ ମାନେ ହେଲେ ୨୩ ବର୍ଷିୟା ଲାଲମଣି ଶିଶା, ୨୪ ବର୍ଷିୟା ଶଶିରେଖା ଆର୍ଲାବ ଓ ୨୫ ବର୍ଷିୟା ନବିନା ଆର୍ଲାବ୍ । ଏହି ତିନି ଜଣ ମହିଳାଙ୍କ ସହ ୧୪ ବର୍ଷିୟା ପୁଷ୍ପାଞ୍ଜଳି ଆର୍ଲାବ ଓ ୧୩ ବର୍ଷିୟା ଶାନ୍ତି ଶିଶା ଥିଲେ । ରାତିରେ ଫେରୁଥିବାବେଳେ ଡଙ୍ଗାଟି ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି । ଜଣକର ମୃତଦେହ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ।

୨୦୨୫ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତ ହେବ ଯକ୍ଷ୍ମା ମୁକ୍ତ

ଭୁବନେଶ୍ୱର: ଯକ୍ଷ୍ମା ମୁକ୍ତ ହେବ ପଞ୍ଚାୟତ। ୨୦୨୫ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟରେ ସରକାର। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଦୁଇଟି ବିଭାଗର ସଚିବ। ନିରନ୍ତର ବିକାଶ ଲକ୍ଷ୍ୟର ଅଂଶବିଶେଷ ଯକ୍ଷ୍ମାମୁକ୍ତ ଓଡ଼ିଶା ଦିଗରେ ସରକାରଙ୍କ ପ୍ରୟାସ। ୧୦ବର୍ଷରେ ଓଡ଼ିଶା ସାରା ଦେଶରେ ୧୨ଟି ରାଙ୍କ୍ ଉପରକୁ ଉଠି ଏବେ ୨ ନମ୍ବରରେ ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଉଦ୍ୟମ ଆରମ୍ଭ ହୋଇଛି।

ଟିବି ମୁକ୍ତ ପଞ୍ଚାୟତର ଉଦ୍ଦେଶ୍ୟ ଯକ୍ଷ୍ମା ସହିତ ଜଡିତ ସମସ୍ୟାକୁ ହୃଦୟଙ୍ଗମ କରିବା । ପଞ୍ଚାୟତଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବା ଏବଂ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରିବା। ଜିଲ୍ଲା, ବ୍ଲକ, ପଞ୍ଚାୟତ ସ୍ତରରେ ବୈଠକ କରି ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବା ସହ ରୋଗ ନିରାକରଣ ପାଇଁ ପଦକ୍ଷେପ ବାବଦରେ ଆଲୋଚନା କରି ଯକ୍ଷ୍ମାମୁକ୍ତ ପଞ୍ଚାୟତ ପ୍ରମାଣପତ୍ର ହାସଲ କରିବା ଉପରେ ଗୁରୁତ୍ବ ଦିଆଯାଇଛି।

ବର୍ଷରେ ଦୁଇ ଥର ପ୍ରତି ପଞ୍ଚାୟତରେ ସଚେତନତା ଅଭିଯାନ କରାଯିବ। ପ୍ରତି ହଜାରେ ବ୍ୟକ୍ତିଙ୍କ ମଧ୍ୟରୁ ୩୦ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଗୋଟିଏ ବର୍ଷ ଟିବି ମୁକ୍ତ କାର୍ଯ୍ୟକଳାପଗୁଡିକ ପଞ୍ଚାୟତ ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗ୍ରାମସ୍ତରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯିବ। ସରପଞ୍ଚ ଟିବି ମୁକ୍ତ ପଞ୍ଚାୟତର ଦାବି ଉପସ୍ଥାପନ କରିବା ପରେ ସ୍ବାସ୍ଥ୍ୟ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମିଳିତ ଭାବେ ଯାଞ୍ଚ କରାଯାଇ ଜିଲ୍ଲା ଟିବି ଅଧିକାରୀଙ୍କୁ ଦିଆଯିବ। ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ବରେ ଗଠିତ ଜିଲ୍ଲାସ୍ତରୀୟ କମିଟି ଏହା ଉପରେ ନିଷ୍ପତି ନେବେ। ସବୁ ମାନଦଣ୍ଡ ପୂରଣ ହେବା ପରେ ଜିଲ୍ଲାପାଳ ଟିବି ମୁକ୍ତ ପଞ୍ଚାୟତ ଘୋଷଣା କରିବେ।

ଆସନ୍ତା ଖରାଦିନରେ ରହିବନି ବିଦ୍ୟୁତ ସମସ୍ୟା

ଭୁବନେଶ୍ୱର: ଆସନ୍ତା ଖରାଦିନରେ ରହିବନି ବିଦ୍ୟୁତ ସମସ୍ୟା । ପରୀକ୍ଷା ସିଜିନରେ କଟିବନି ବିଦ୍ୟୁତ। କାଳବୈଶାଖୀରେ ସରବରାହ ବିଚ୍ଛିନ୍ନ ହେଲେ ତୁରନ୍ତ ପୁନଃଅବସ୍ଥାପିତ କରାଯିବ। ଆକ୍ଟ ଅନ୍ ଟାଇମ ରହିବ ଜିରୋ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଦ୍ୟୁତ ବଣ୍ଟନ କମ୍ପାନୀ ଡିସକମ୍, ଉତ୍ପାଦନ ଓ ଗ୍ରିଡକୋକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଖରାଦିନେ ଗରମ ଓ ଗୁଳୁଗୁଳି ପ୍ରଚୁର ହେଉଛି। ଦିନ ଓ ରାତି ସମୟରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ଲୋକଙ୍କ ଜୀବନକୁ ଦୁର୍ବିସହ କରୁଛି।

ଲୋକଙ୍କୁ ୨୪ଘଣ୍ଟିଆ ନିରବଚ୍ଛିନ୍ନ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନେଇ ରାଜ୍ୟରେ ବଳିଷ୍ଠ ବିଦ୍ୟୁତ ଭିତ୍ତିଭୂମି ରହିଛି। ଗତବର୍ଷ ଗ୍ରୀଷ୍ମରେ ସନ୍ଧ୍ୟା ୬ରୁ ରାତି ୧୦ଟା ପିକ୍ ଆଓ୍ବାର୍ ଡିମାଣ୍ଡ୍ ଥିଲା ୪ ହଜାର ୭୦୦ ମେଗା ଓ୍ବାଟ୍ । ଚଳିତବର୍ଷ ବିଦ୍ୟୁତ ଚାହିଦା ଆଉ ୮ ପ୍ରତିଶତ ବୃଦ୍ଧି ନେଇ ଆକଳନ କରିଛି ଗ୍ରିଡକୋ। ଏ ବର୍ଷ ପିକ୍ ଆଓ୍ବାର୍ରେ ୫ ହଜାର ୨୦୦ରୁ ୫ ହଜାର ୩୦୦ ମେଗାଓ୍ବାଟ୍ ବିଦ୍ୟୁତ ଚାହିଦା ରହିବ। ଏଥିପାଇଁ ଗ୍ରିଡକୋ ପାଖରେ ପର୍ଯ୍ୟାପ୍ତ ବିଦ୍ୟୁତ ରହିଛି । ଅଭାବ ହେଲେ ମଧ୍ୟପ୍ରଦେଶରୁ ବିଦ୍ୟୁତ ବ୍ୟାଙ୍କିଂ ଚୁକ୍ତିନାମା ଅନୁଯାୟୀ ୨୦୦ ମେଗାଓ୍ବାଟ୍ ବିଦ୍ୟୁତ ଅଣାଯିବ। ଖରାଦିନକୁ ଆଖିରେ ରଖି ଜଳବିଦ୍ୟୁତ ଶକ୍ତିକୁ ସଂରକ୍ଷଣ କରି ରଖାଯାଉଛି। ନାଲକୋ, ଆର୍ଏସ୍ପିର ସିଜିପିରୁ ୧୦୦ ମେଗାଓ୍ବାଟ୍ ପାଇଁ ଗ୍ରିଡକୋ ବ୍ୟବସ୍ଥା କରିଛି । ଯେ କୌଣସି ସ୍ଥିତିରେ ବଣ୍ଟନ କମ୍ପାନୀ ପାଖରେ ବିଦ୍ୟୁତ ଉପଲବ୍ଧି କରିବାକୁ ବ୍ୟବସ୍ଥା କରିଛି ଗ୍ରିଡକୋ।

ଗତବର୍ଷ କାଳବୈଶାଖୀରେ ବିଦ୍ୟୁତ ସରବରାହ ପୁନଃଅବସ୍ଥାପିତ କରିବାରେ ଟାଟା ପାଓ୍ବାର ଅଧିକ ସମୟ ନେଲା । ଯେଉଁଥିପାଇଁ ମୁଖ୍ୟଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ । ଚଳିତବର୍ଷ ବି ବଣ୍ଟନ କମ୍ପାନୀ TPCODL, TPSODL, TPNODL, TPWODL କୁ କଡ଼ା ତାଗିଦ୍ କରାଯାଇଛି । ଭୁବନେଶ୍ବର, କଟକ ସମେତ ଅନେକ ସହରାଞ୍ଚଳରେ ଗୋଟିଏ ଲେଖାଏଁ ଟ୍ରାନ୍ସ୍ଫର୍ମର୍ ଉପରେ ଥିବା ଓଭରଲୋଡିଂ କମାଇବା ପାଇଁ ନୂଆ କଣ୍ଡକ୍ଟର୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖରାଦିନେ ଗ୍ରାହକଙ୍କ ସୁବିଧା ପାଇଁ ଅଧିକ କଷ୍ଟମର୍ ହେଲ୍ପ୍ ଲାଇନ୍ ଉପଲବ୍ଧ କରିବାକୁ ବଣ୍ଟନ କମ୍ପାନୀ ଟାଟା ପାଓ୍ବାରକୁ ନିର୍ଦ୍ଦେଶ ଦିଆଯାଇଛି।