spot_img
Home Blog Page 2385

ପୋଲିସ ଓ ସେନାରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ, ଥାନାରେ ମାମଲା ରୁଜୁ

ଭୁବନେଶ୍ୱର: ପୋଲିସ ଓ ସେନାରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାକିରି ଆଶାୟୀଙ୍କଠୁ ଏକ ସଂସ୍ଥା ଟଙ୍କା ଲୁଟିଥିବା ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ରାଜଧାନୀ ଭୁବନେଶ୍ବରରେ ଏକ ନକଲି ସଂସ୍ଥା ତରଫରୁ ଅଫିସ ଖୋଲାଯାଇଥିଲା।

ପୋଲିସ ଓ ସେନାରେ ଚାକିରି କରାଇଦେବାର ଲୋଭ ଦେଖାଇ ଆଶାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ଭୁବନେଶ୍ବରରେ ଇଣ୍ଚର୍ଭ୍ୟୁ କରି ଉତ୍ତରପ୍ରଦେଶରେ ଟ୍ରେନିଂ ମଧ୍ୟ ଦେଉଥିଲେ। ପୋଲିସ, NCC ଓ ସିକ୍ୟୁରିଟି ଗାର୍ଡ ପୋଷାକ ଓ ଆଇକାର୍ଡ ଦେଖାଇ ବିଶ୍ବାସ ଜନ୍ମାଉଥିଲେ ଠକ।

ଭୁବନେଶ୍ବରର ବଡ଼ବଡ଼ ହୋଟେଲରେ ମିଟିଂ କରି ଦେଉଥିଲେ ମିଛ ପ୍ଲେସମେଣ୍ଟର ପ୍ରମାଣ। ଦାମୀ ଗାଡି, ପାଓ୍ବାର୍ ଫୁଲ ନେତାଙ୍କ ସହ ନିଜର ଫଟୋ ଦେଖାଇ ବିଶ୍ବାସ ଜନ୍ମାଉଥିଲେ ଅଭିଯୁକ୍ତ। ନିଜକୁ ଉତ୍ତରପ୍ରଦେଶର ମନ୍ତ୍ରୀଙ୍କ ଖାସ କହି ଲୋକଙ୍କୁ ଲୁଟୁଥିଲେ । ଏନେଇ ଅଭିଯୋଗ ପାଇବା ପରେ ଅଭିଯୁକ୍ତଙ୍କୁ ଧରିବାକୁ ଛାନବିନ ଚଳାଇଛି ପୋଲିସ ।

ହ୍ୱାଇଟ୍ ହାଉସ୍ରୁ ବିଦା ହେଲା ବାଇଡେନଙ୍କ କମାଣ୍ଡର, ୧୧ ଜଣଙ୍କୁ କାମୁଡ଼ି ଥିଲା

ୱାଶିଂଟନ୍: ହ୍ୱାଇଟ୍ ହାଉସ୍ରୁ ବିଦା ହେଲା କମାଣ୍ଡର। ଏହି କମାଣ୍ଡର ଆଉ କେହି ନୁହଁ । ସୁରକ୍ଷା ଦାୟିତ୍ବରେ ଥିବା ଏକ କୁକୁର । ୧୧ ଜଣଙ୍କୁ କାମୁଡିବା ଯୋଗୁଁ ହ୍ୱାଇଟ୍ ହାଉସରୁ ବିଦା ହେଲା କମାଣ୍ଡର। ଏକ ଅଜଣା ସ୍ଥାନକୁ ଦୁଇ ବର୍ଷ ବୟସ୍କ ଜର୍ମାନ ସିଫର୍ଡକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ଗତ ୨୦୨୧ରେ କମାଣ୍ଡରକୁ ଛୋଟିଆ ଅବସ୍ଥାରେ ହ୍ବାଇଟ ହାଉସକୁ ଅଣାଯାଇଥିଲା।

ହ୍ବାଇଟ ହାଉସ ସିକ୍ରେଟ ସର୍ଭିସର କହିବା କଥା କୁକୁରଟି ୧୧ ଜଣ ଷ୍ଟାଫଙ୍କୁ କାମୁଡିବା ପରେ ତାକୁ ଅଜଣା ସ୍ଥାନକୁ ପଠାଇ ଦିଆଯାଇଛି। ତେବେ ୧୧ ଜଣ ନୁହଁ ବରଂ ବହୁ ଅଧିକ ଲୋକଙ୍କୁ କୁକୁରଟି କାମୁଡିଥିବା କୁହାଯାଇଛି। ହ୍ବାଇଟ ହାଉସ କର୍ମଚାରୀଙ୍କ ସୁରକ୍ଷାକୁ ରାଷ୍ଟ୍ରପତି ଦମ୍ପତି ପ୍ରାଥମିକତା ଦେଉଥିବା ନେଇ କହିଛନ୍ତି ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ଯୋଗାଯୋଗ ନିର୍ଦ୍ଦେଶକ ଏଲିଜାବେଥ ଆଲେକଜାଣ୍ଡାର।

ଗତ ସେପ୍ଟେମ୍ବର ୩୦ରେ ଶେଷ ଥର ଲାଗି କମାଣ୍ଡରକୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ କ୍ବାର୍ଟର୍ସର ଟ୍ରୁମାନ ବାଲକୋନିରେ ଦେଖିବାକୁ ମିଳିଥିଲା। ପୂର୍ବରୁ ମେଜର ନାମକ ଜର୍ମାନ ସେଫର୍ଡକୁ ମଧ୍ୟ ଏହି କାରଣରୁ ହ୍ବାଇଟ ହାଉସରୁ ବିଦା କରାଯାଇଥିଲା। ବାଇଡେନଙ୍କ ଅତିପ୍ରିୟ କୁକୁର ଚାମ୍ପ ୨୦୨୧ରେ ୧୩ ବର୍ଷ ବୟସରେ ଆଖି ବୁଜିଥିଲା।

 

ସିକିମରେ ବନ୍ୟା ସ୍ଥିତି ଭୟଙ୍କର; ୧୪ ମୃତ ଓ ୧୦୨ ନିଖୋଜ 

ସିକିମ: ସିକିମରେ ବନ୍ୟା ସ୍ଥିତି ଭୟଙ୍କର । ୧୪ ମୃତ, ୧୦୨ ଜଣ ନିଖୋଜ। ଫସିରହିଛନ୍ତି ୩ ହଜାରରୁ ଅଧିକ ପର୍ଯ୍ୟଟକ। ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଉତ୍ତର ସିକିମର ଲୋନାକ ହ୍ରଦର ଉପରିମୁଣ୍ଡରେ ମଙ୍ଗଳବାର ରାତିରେ ହୋଇଥିଲା ବାଦଲ ଫଟା ବର୍ଷା। ଚୁଙ୍ଗଥାଙ୍ଗ ଡ୍ୟାମ ବିପଦସଙ୍କେତ ଡେଇଁବା ପରେ ତିସ୍ତା ନଦୀରେ ବହିଥିଲା ଉଦବୃତ୍ତ ଜଳ।

ଏପରିକି ତଳିଆ ଅଞ୍ଚଳରେ ନଦୀର ଜଳସ୍ତର ଅଚାନକ ୧୫ରୁ ୨୦ ଫୁଟ ବଢିଯାଇଥିଲା। ନିମ୍ନଭାଗରେ ସିଙ୍ଗତାମ ନିକଟସ୍ଥ ବାରଦାଙ୍ଗରେ ପାର୍କିଂ କରିଥିବା ସେନା ଗାଡ଼ିଗୁଡିକ ନଦୀ ଜଳ ସ୍ରୋତରେ ଭାସିଯାଇଥିଲା। ସେଠାରେ ରହିଥିବା ସେନାକ୍ୟାମ୍ପ ବି ଜଳସ୍ରୋତରେ ନିଶ୍ଚିହ୍ନ ହେବାସହ ନିଖୋଜ ହୋଇଯାଇଥିଲେ ଯବାନ। ନିଖୋଜ ଯବାନମାନଙ୍କୁ ଉଦ୍ଧାର କରିବା ଲାଗି ବଡ଼ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି।

ତିସ୍ତା ନଦୀ ଉପରେ ଥିବା ସିଙ୍ଗଥାମ ଫୁଟ ବ୍ରିଜ ବି ଭାସି ଯାଇଛି। ପଶ୍ଚିମବଙ୍ଗ ସହ ସିକିମକୁ ଯୋଡୁଥିବା ଜାତୀୟ ରାଜପଥର ବହୁ ଭାଗ ନିଶ୍ଚିହ୍ନ ହୋଇଛି। ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତାଙ୍କ ଭାଷଣରେ କମ୍ପିଲା ସଂସଦ ଭବନ

ନୂଆଦିଲ୍ଲୀ: କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତାଙ୍କ ଭାଷଣରେ କମ୍ପିଲା ସଂସଦ ଭବନ। ଗାନ୍ଧୀ ଓ ଶାସ୍ତୀ ଜୟନ୍ତୀ ଅବସରରେ ସଂସଦ ଭବନ ପରିସରରେ ୟୁଥ ଲିଡରସିପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସେଠାରେ ଆୟୋଜିତ ହୋଇଥିଲା ଜାତୀୟ ସ୍ତରର ଭାଷଣ ପ୍ରତିଯୋଗିତା।

ରାଜ୍ୟରେ ଭାଷଣରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଙ୍କିତା ଅନମୋଲ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅନମୋଲ ଅଙ୍କିତା ସଂସଦ ଭବନର ସେଣ୍ଟ୍ରାଲ ହଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ଉପରେ ଭାଷଣ ରଖିଥିଲେ। କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏହା ପୂର୍ବରୁ ମଧ୍ୟ ଅଙ୍କିତା ଅନମୋଲ ଭାଷଣରେ ଅନେକ ପୁରସ୍କାର ପାଇବା ସହ ସମ୍ମାନିତ ହୋଇଛନ୍ତି।

ଅନ୍ତରାଜ୍ୟ ବିଶ୍ବବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟପାଳଙ୍କଠାରୁ ୩୦ ହଜାର ଟଙ୍କା ପୁରସ୍କାର ପାଇଥିଲେ। ପ୍ୟାନେଲ ଆଲୋଚନା କାର୍ଯ୍ୟକ୍ରମରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହିପରି ପଶ୍ଚିମବଙ୍ଗରେ NSS ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଡିବେଟ୍ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ସିକ୍କିମ ବନ୍ୟାରେ ଓଡ଼ିଆ ଯବାନ ସହିଦ, ଭିଡିଓ କଲରେ ମୃତଦେହ ଦେଖି ଚିହ୍ନଟ କଲେ ପରିବାର ଲୋକେ

ଢେଙ୍କାନାଳ: ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଆ ଯବାନ ସରୋଜ କୁମାର ଦାସ ସହିଦ । ଢେଙ୍କାନାଳ କାମାକ୍ଷାନଗର ଦିଘି ପଞ୍ଚାୟତର କେନ୍ଦୁଢିପବାସୀ ସରୋଜ ଦାସ ସହିଦ ହୋଇଯାଇଛନ୍ତି । ଏ ଖବର ପହଞ୍ଚିବା ପରେ ପରିବାର ସହ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ପରିବାର ଲୋକେ ଭିଡିଓ କଲ୍‌ ମାଧ୍ୟମରେ ମୃତଦେହ ଚିହ୍ନଟ କରିଛନ୍ତି । ବନ୍ୟାରେ ମୋଟ୍ ନିଖୋଜ ହୋଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଯବାନ ସରୋଜ କୁମାର ଦାସ । ସରୋଜଙ୍କ ଘର ଢେଙ୍କାନାଳ କାମାକ୍ଷାନଗର ଦିଘି ପଞ୍ଚାୟତର କେନ୍ଦୁଢିପ ଗାଁରେ । ଗତ ମଙ୍ଗଳବାର ରାତିରେ ଭାଇ ମନୋଜ ଫୋନ ଯୋଗେ ସରୋଜଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବା କହିଥିଲେ ସରୋଜ ।

ସେହି ସମୟରେ ସରୋଜ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଥିଲେ ବୋଲି ଭାଇଙ୍କୁ କହିଥିଲେ । ପରେ ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ୨୩ ଜଣ ଯବାନ ଭାସି ଯାଇଥିବା  ଘରକୁ ଫୋନ ଆସିଥିଲା ।  ୭ ମାସ ତଳେ ବିବାହ କରିଥିଲେ ସରୋଜ ।

ଏସିଆନ ଗେମସରେ ଭାରତକୁ ଆଜି ମିଳିଲା ଆଉ ଦୁଇଟି ସ୍ବର୍ଣ୍ଣ ପଦକ  

ବେଜିଂ: ଏସିଆନ ଗେମସର ଆଜି ଦ୍ବାଦଶ ଦିନ । ଆଜି ଭାରତ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଛି  । ସ୍କ୍ବାସର ମିଳିତ ବର୍ଗରେ ଭାରତ ଗୋଲ୍ଡ ଜିତିଛି  । ଦିପିକା ପାଲିକଲ ଏବଂ ହରିନ୍ଦର ପାଲ ସିଂ ସାନ୍ଧୁଙ୍କ ମିଳିତ ଟିମ ଭାରତ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି  । ଏସିଆନ ଗେମସରେ ସ୍କ୍ବାସରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରହିଛି ଭାରତ ।

ସେହିପରି ତୀରଚାଳନାରେ ମଧ୍ୟ ଭାରତ ଆଉ ଏକ ସ୍ବର୍ଣ ହାତେଇଛି । ସେହିପରି ମହିଳା ଦଳଗତ ତୀରଚାଳନାରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛି । ଜ୍ୟୋତି ସୁରେଖା ଭେନମ, ଅଦିତି ଗୋପିଚାନ୍ଦ ଏବଂ ପରନିତ କୌରଙ୍କୁ ନେଇ ତୀରନ୍ଦାଜ ଦଳ ଦେଶ ପାଇଁ ୧୯ତମ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ  ।

୨୦ ସ୍ବର୍ଣ୍ଣ , ୩୧ ରୋପ୍ୟ ଓ ୩୨ ବ୍ରୋ୍ଜ ପଦକ ସହ ଭାରତର ପଦକ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ଭାରତର ପଦକ ବିଜୟ ଧାରା ଜାରି ରହିଥିବାବେଳେ ମୋଟ ପଦକ ସଂଖ୍ୟା ଶହେ ଟପିବା ଆଶା କରାଯାଉଛି ।

ଆରମ୍ଭ ହେଲା କ୍ରିକେଟ ବିଶ୍ବକପ୍ ୨୦୨୩, ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ

ଅହମ୍ମଦାବାଦ: ଆରମ୍ଭ ହେଲା କ୍ରିକେଟ ମହାସମର । ଆରମ୍ଭ ହେଲା କ୍ରିକେଟ ବିଶ୍ବକପ୍ ୨୦୨୩ । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେଲା ଉଦଘାଟନୀ ମ୍ୟାଚ୍ । ପ୍ରଥମ ମ୍ୟାଚରେ ସାମ୍ନା ସାମ୍ନି ହେବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ପଡ଼ି ସାରିଲାଣି ଟସ୍ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ।

ଭାରତର ୧୦ ସହରରେ ଚାଲିବ କ୍ରିକେଟ ମହାକୁମ୍ଭ । ପରସ୍ପରକୁ ଟକ୍କର ଦେବେ ୧୦ ଶକ୍ତିଶାଳୀ ଟିମ୍ । ଦେଢମାସରୁ ଅଧିକ ସମୟ ଧରି ଲାଗିରହିବ ରୋମାଂଚ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ଥାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଏବଂ ନେଦରଲାଣ୍ଡସ । ଅଂଶଗ୍ରହଣ କରୁଥିବା ୧୦ ଦେଶ ମଧ୍ୟରୁ ୫ ଦେଶ ଏସିଆ ମହାଦେଶର । ଭାରତର ୪ ପଡୋଶୀ ଦେଶ ଏହି କ୍ରିକେଟ ମହାକୁମ୍ଭରେ ସାମିଲ ହୋଇଛନ୍ତି । ସବୁ ଦଳ ଫାଇନାଲ ୧୫ ଜଣିଆ ସ୍ବ୍କାଡ୍ ଘୋଷଣା କରିସାରିଛନ୍ତି ।

ବିଶ୍ୱର ସ୍କିଲ କ୍ୟାପିଟାଲ ଭାବେ ରୂପାନ୍ତରିତ ହୋଇଛି ଓଡ଼ିଶା; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଶ୍ୱର ସ୍କିଲ କ୍ୟାପିଟାଲ ଭାବେ ରୂପାନ୍ତରିତ ହୋଇଛି ଓଡ଼ିଶା । BPUT ଦେଶ ଓ ରାଜ୍ୟ ପାଇଁ ବହୁ ଟେକ୍ନୋକ୍ରାଟ ସୃଷ୍ଟି କରିଛି  । ଆମ ସମସ୍ତଙ୍କୁ ଆଧୁନିକ ଟେକ୍ନୋଲଜି ସହ ଅପଡେଟ ରହିବାକୁ ପଡ଼ିବ । ଏହି କାର୍ଣ୍ଣିଭାଲ ଦ୍ୱାରା ବେଷ୍ଟ ଟ୍ୟାଲେଣ୍ଟ ବାହାରିବେ  । ଆଜି ବିପିୟୁଟି ଟେକ୍‌ କାର୍ନିଭାଲ-୨୦୨୩କୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ BPUT ଓ CSIR -IMMT ମଧ୍ୟରେ MOU ସ୍ବାକ୍ଷରିତ ହେବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ରହି ଏମଓୟୁ ସ୍ବାକ୍ଷର କରିବେ ।

ମାସେବ୍ୟାପୀ ବୈଷୟିକ କଲେଜ ଗୁଡିକରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଜନେସ ପ୍ଲାନ ଓ ଉଦ୍ୟୋଗୀ ସୃଷ୍ଟି ପରି ଅନେକ ବିଷୟ ନେଇ ଡିବେଟ କରାଯିବାର କାର୍ଯ୍ୟକ୍ରମ ରହିଛି ।

ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ, ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର

ରାୟଗଡା: ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ। ୮ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ଉତ୍ପାଦନ ହେବ ୨ମିଲିୟନ ଟନ୍ ଆଲୁମିନା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନ ସେଣ୍ଟରରେ ଓଏମସି ଓ ହିଣ୍ଡାଲକୋ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଓଏମସି କଳାହାଣ୍ଡିର କୋଡିଂଗାମାଳି ବକ୍ସାଇଟ ଖଣିରୁ ଦୀର୍ଘମିଆଦି ସୂତ୍ରରେ କଞ୍ଚାମାଲ ଯୋଗାଇବ। ପ୍ରାଥମିକ ପର୍ଯ୍ୟାୟରେ ସିଧାସଳଖ ନିଯୁକ୍ତି ପାଇବେ ୫ହଜାର। ପରେ ସମ୍ପୂର୍ଣ୍ଣ ଉତ୍ପାଦନକ୍ଷମ ହେଲେ ୭ହଜାର ନିଯୁକ୍ତି ମିଳିବ। ପରିବେଶ ଅନୁକୂଳ ରିଫାଇନାରି ପ୍ରତିଷ୍ଠା ହେବ। ବୁଝାମଣାପତ୍ର ଅନୁଯାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଥମିକତା ମିଳିବ। ରାୟଗଡ଼ାରେ କାରଖାନା ପାଇଁ ବିସ୍ଥାପିତ, କ୍ଷତିଗ୍ରସ୍ତ ଓ ପ୍ରଭାବିତ ଉପସ୍ଥିତ ରହିଥିଲେ।

ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହିତ କଥା ହୋଇଥିଲେ। ଜମି ଅଧିଗ୍ରହଣ ହେବାର ଦୀର୍ଘ ୧୭ ବର୍ଷ ପରେ କାରଖାନା ସ୍ଥାପନ ପାଇଁ ବାଟ ଖୋଲିଛି। ଏହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି। କାରଖାନା ପାଇଁ ଆଦିତ୍ୟ ବିର୍ଲା ଗୋଷ୍ଠୀ ୮ ହଜାର କୋଟି ଟଙ୍କା ବିନିଯୋଗ କରିବ। ଏହା ସହିତ ଏକ ଗାର୍ମେଣ୍ଟ ଫାକ୍ଟ୍ରି କରିବାକୁ ହିଣ୍ଡାଲକୋ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଆଜି ବୈଠକରେ ଘୋଷଣା କରିଛନ୍ତି। ଏଥିରେ ୧୫ଶହ ଲୋକ ନିଯୁକ୍ତି ପାଇବେ। ୨୦୨୬ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ।

ଫ୍ଲିପକାର୍ଟର ବିଜ୍ଞାପନକୁ ନେଇ ଅଡୁଆରେ ସୁପରଷ୍ଟାର ଅମିତାଭ ବଚ୍ଚନ

ନୂଆଦିଲ୍ଲୀ:  ଫ୍ଲିପକାର୍ଟର ଏକ ବିଜ୍ଞାପନକୁ ନେଇ ଅଡୁଆରେ ସୁପରଷ୍ଟାର ଅମିତାଭ ବଚ୍ଚନ । ବିଗ୍ ବିଲିୟନ ଡେଜ ସେଲକୁ ନେଇ ଅମିତାଭଙ୍କ ବିରୋଧରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ନିକଟରେ ଅଭିଯୋଗ ଦାୟର କରିଛି  କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ବା ସିଏଆଇଟି । ଏହି ବିଜ୍ଞାପନ ବିଭ୍ରାନ୍ତିକର ଏବଂ ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କ ବିରୋଧୀ ବୋଲି କେନ୍ଦ୍ର ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ ନିକଟରେ ଦର୍ଶାଇଛି ସିଏଆଇଟି ।

ଏହି ବିଜ୍ଞାପନକୁ ତୁରନ୍ତ ହଟାଇବା ଲାଗି ଦାବି କରିଛି ସିଏଆଇଟି । ଖାଉଟି ସୁରକ୍ଷା ଆଇନ ଅନୁସାରେ ଏହି ବିଜ୍ଞାପନ ବିଭ୍ରାନ୍ତିକର ବାର୍ତ୍ତା ଦେଉଛି ଏବଂ ଫ୍ଲିପକାର୍ଟ ବିରୋଧରେ ଜୋରିମାନା ଧାର୍ଯ୍ୟ ସହ ଅମିତାଭଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ପକାଯାଇଛି । ସିଏଆଇଟି ମହାସଚିବ ପ୍ରବୀଣ ଖାଣ୍ଡେଲଓ୍ବାଲ କହିଛନ୍ତି- ଖାଉଟି ସୁରକ୍ଷା ଆଇନର ଧାରା ୨(୪୭) ଅନୁସାରେ ଭାରତର ସ୍ମାର୍ଟଫୋନ ବଜାରରେ ସେଲର ଓ ସପ୍ଲାୟରମାନଙ୍କ ଦ୍ବାରା ଉପଲବ୍ଧ ମୋବାଇଲ ଫୋନର ଦର ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି ।

ଗତ ସପ୍ତାହରେ ଏହି ବିଜ୍ଞାପନକୁ ନେଇ ସିଏଆଇଟି କ୍ଷୁବ୍ଧ ହୋଇଥିଲା । ଏହି ବିଜ୍ଞାପନରେ ଅମିତାଭ କହିଥିଲେ ଯେ, ଇ-କମର୍ସ ପୋର୍ଟାଲ ଦ୍ବାରା ପ୍ରଦାନ କରାଯାଉଥିବା ମୋବାଇଲ ଡିଲ୍ ରିଟେଲ ଆଉଟଲେଟରେ ଉପଲବ୍ଧ ହେବ ନାହିଁ ।