ଯାଜପୁର: ଯାଜପୁରରୁ ଧରାପଡ଼ିଲା କାଶ୍ମୀର ଆତଙ୍କବାଦୀ । କାଶ୍ମୀର ଆତଙ୍କବାଦୀ ସୟଦ ଇଶାନ ବୁଖାରୀକୁ ଗିରଫ କଲା ଏସଟିଏଫ୍ । ସ୍ଥାନୀୟ ପୋଲିସ ସହାୟତାରେ ଯାଜପୁର ଧର୍ମଶାଳା ଅଞ୍ଚଳର ନେଉଳପୁରରେ ଚଢ଼ାଉ କରିଥିଲା ଏସଟିଏଫ୍ । ଶୁକ୍ରବାର ନେଉଳପୁରରୁ ଇଶାନ ବୁଖାରୀକୁ ଗିରଫ କରିଛି ଏସଟିଏଫ୍ । ନିଜକୁ ବିଭିନ୍ନ ନାଁରେ ପରିଚୟ ଦେଇ ବୁଲୁଥିଲା ସୟଦ ବୁଖାରୀ । ନିଜକୁ ସେନାର ଜଣେ ଡାକ୍ତର ଓ ପିଏମଓ ଅଧିକାରୀର ପରିଚୟ ଦେଉଥିଲା । ତେବେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବା ପରେ ପୋଲିସକୁ ସୂଚନା ଦେଇଥିଲେ । STF ତାକୁ ଗିରଫ କରିଥିବାବେଳେ ଅଭିଯୁକ୍ତ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ଧରା ହୋଇଥିବା ଆତଙ୍କବାଦୀ ଇଶାବ ୬ରୁ ୭ ଜଣଙ୍କୁ ବିବାହ କରିଛି । ୟୁପି, ମହାରାଷ୍ଟ୍ର ଓ କାଶ୍ମୀରରେ ସେ ବିବାହ କରିଛି । କେରଳ ଓ ପାକିସ୍ତାନର ଅନେକ ସନ୍ଦିଗ୍ଧ ସଂଗଠନ ସହ ଯୋଗାଯୋଗରେ ଥିଲା । ତା ପାଖରୁ ଅନେକ ଆଇ-କାର୍ଡ, ଏଟିଏମ କାର୍ଡ, ଚେକ୍, ଆଧାର କାର୍ଡ ଏବଂ ଭିଜିଟିଙ୍ଗ କାର୍ଡ ଜବତ । NIA ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି, ତଦନ୍ତ ପରେ ସବୁ ସ୍ପଷ୍ଠ ହେବ । କାଶ୍ମୀରରେ ଠକେଇ ମାମଲାରେ ଅଭିଯୁକ୍ତ ବିରୋଧରେ NBW ଜାରି ହୋଇଛି । ଦଫା ୪୧୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦(ଖ)ରେ ମାମଲା ରୁଜୁ । ଅଭିଯୁକ୍ତ ନିକଟରୁ ୪ଟି ମୋବାଇଲ ଜବତ ହୋଇଛି । ISI ସହ ଯୋଗାଯୋଗରେ ଥିଲା, ଟେରର ଲିଙ୍କ୍ ନେଇ ତଦନ୍ତ ଚାଲିଛି ।
ସଂସଦରେ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ଖୋଲୁଛି ଗୁମର
ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ଖୋଲୁଛି ଗୁମର। ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ। ପଚରାଉଚରାବେ ଅନେକ ସତ ଉଗାଳିଛି ଲଳିତ । ସରକାରଙ୍କୁ ନିଜର ଦାବି ପୂରଣ କରିବାକୁ ବାଧ୍ୟ କରିବାକୁ ଚାହୁଁଥିଲା ଲଳିତ। ସେଥିଲାଗି ଦେଶରେ ଅରାଜକତା ସୃଷ୍ଟି କରିବାକୁ ରଚିଥିଲା ଏହି ହଂଗାମା ଷଡ଼ଯନ୍ତ୍ର। ପାର୍ଲାମେଣ୍ଟରେ ଅଶାନ୍ତ ସୃଷ୍ଟି କରିବାକୁ ଲଳିତ ଅନ୍ୟ ଅଭିଯୁକ୍ତଙ୍କ ସହ ଯୋଜନା କରିଥିବା ଦିଲ୍ଲୀର ପଟିଆଲ ହାଉସ କୋର୍ଟରେ ସୂଚନା ଦେଇଛି ଦିଲ୍ଲୀ ପୋଲିସ। ଏକାଧିକ ଥର ଅନ୍ୟ ଅଭିଯୁକ୍ତଙ୍କୁ ଲଳିତ ସାକ୍ଷାତ କରିଥିଲା ।
ପ୍ରଥମେ ବାହାରୁ ବିରୋଧ କରିବାକୁ ଯୋଜନା କରିଥିଲେ । ତେବେ ପୁଣିଥରେ ସାହସ ବାନ୍ଧି ସଂସଦ ଭିତରେ ଅନୁପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଭିଯୁକ୍ତ ସୂଚନା ସଂଗ୍ରହ କରିବାକୁ ଗୁଗଲର ସହାୟତା ନେଇଥିଲେ । ସଂସଦ ସୁରକ୍ଷା ନେଇ ପୁରୁଣା ଭିଡିଓ ସବୁକୁ ଯାଞ୍ଚ କରିଥିଲେ। ସୁରକ୍ଷା ବ୍ୟବସ୍ଥା ବିଷୟରେ ଅଧିକ ଜାଣିବା ସହ ଏହାପରେ ସମସ୍ତେ କଲର ସ୍କୋକ୍ ସ୍ପ୍ରେ କରିବାକୁ ସ୍ଥିର କରିଥିଲେ। ପରସ୍ପରକୁ ଯୋଗାଯୋଗ କରିବାକୁ ଏକ ଆପ୍ ର ବ୍ୟବହାର କରୁଥିଲେ। ଘଟଣା ଘଟାଇବା ସହ ତୁରନ୍ତ ଅଭିଯୁକ୍ତ ଲଳିତ ଝା ଅନ୍ୟ ରାଜ୍ୟକୁ ଫେରାର ହୋଇଯାଇଥିଲା।
ପ୍ରମାଣ ନଷ୍ଟ ପାଇଁ ସେ ତାର ଫୋନ ଫିଙ୍ଗିଦେବା ସହ ଅନ୍ୟ ୪ ସାଥୀଙ୍କ ଫୋନକୁ ଜଳାଇ ଦେଇଥିବା କହିଛି। ରାଜସ୍ଥାନର ନାଗୋରକୁ ଯାଇ ସମ୍ପର୍କୀୟ କୈଳାସ ଓ ମହେଶକୁ ସାକ୍ଷାତ କରିଥିଲା ଲଳିତ। ଉଭୟ ଲଳିତର ସେଠାରେ ରହିବା ବନ୍ଦୋବସ୍ତ କରିଥିଲେ। ବେକାରୀ ସମସ୍ୟାକୁ ନେଇ ଲଳିତ ଏହି ହଙ୍ଗାମା କରିଥିବା କାରଣ ଦର୍ଶାଉଛି । ଲଳିତ ସମେତ ଅନ୍ୟ ୪ ପାର୍ଲାମେଣ୍ଟ ପରିସରରେ ଆତ୍ମାହୁତି କରିବାକୁ ମଧ୍ୟ ଯୋଜନା କରିଥିବା ଜଣାପଡିଛି । ତେବେ ଶେଷ ମୁହୂର୍ତ୍ତରେ ଏହି ପ୍ଲାନକୁ ରୋକି କଲର ସ୍ମୋକ ସ୍ପ୍ରେ କରିବାକୁ ସ୍ଥିର କରିଥିଲେ। ତେବେ ପୋଲିସ ଏହା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରୁଛି। ଯୋତା ମଧ୍ୟରେ ସ୍କୋକ କାନିଷ୍ଟର ନେବାକୁ ଯୋତା ପ୍ରସ୍ତୁତକାରୀକୁ ଖୋଜୁଛି ପୋଲିସ ।
ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି ତନାଘନା କରୁଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ସାଗର ଶର୍ମା ଓ ମନୋରଂଜନ, ନୀଲମ ଓ ଅମୋଲ ସିନ୍ଦେଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି ପୋଲିସ । ଲଳିତର ଅନ୍ୟ କୌ୍ଣସି ଦେଶ କିମ୍ବା ଆତଙ୍କୀ ସଂଗଠନ ସହ ଲିଙ୍କ ଅଛି ନା ନାହିଁ ଏହାର ତନାଘନା କରିବ ପୋଲିସ ।ରାଜସ୍ଥାନରେ ସେ ୨ ଦିନ ରହିଥିଲା। ତାପରେ ଦିଲ୍ଲୀ ଫେରି ଆସି ଆତ୍ମସମର୍ପଣ କରିଥିଲା। ରାଜସ୍ଥାନ ଯାଇ କଣ ସବୁ କରିଥିଲା ଏଥିଲାଗ ତାଙ୍କୁ ପୁଣିଥରେ ରାଜସ୍ଥାନ ନେଇପାରେ । ତେବେ କେମିତି ଘଟାଇଥିଲା ଏ କାଣ୍ଡ ଏହାକୁ ନେଇ ସିନ୍ ରିକ୍ରିଏଟ କରିପାରେ ଦିଲ୍ଲୀ ପୋଲିସ । ଏଥିଲାଗି ଦିଲ୍ଲୀ ପୋଲିସକୁ ସଂସଦର ଅନୁମତି ନେବାକୁ ପଡିପାରେ।
5T ଅଧ୍ୟକ୍ଷଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ବିଭିନ୍ନ ମନ୍ଦିରରେ ଉନ୍ନୟନ କାମ ଓ ପ୍ରସ୍ତୁତି ସମୀକ୍ଷା
ବ୍ରହ୍ମପୁର: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ପାଇଁ ପ୍ରସ୍ତୁତି । ବିଭିନ୍ନ ମନ୍ଦିରରେ ଉନ୍ନୟନ କାମ ଓ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଛତ୍ରପୁର ନିର୍ବାଚନମଣ୍ଡଳୀର ସୁନ୍ଦରପୁରସ୍ଥିତ ସୁନ୍ଦେରଶ୍ବର ଶୈବପୀଠରେ ପ୍ରଥମେ ସମୀକ୍ଷା କରିଥିଲେ । ଉପସ୍ଥିତ ଥିଲେ ଛତ୍ରପୁର ବିଧାୟକ ସୁବାସ ବେହରା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜିଠାରୁ ଦୁଇଦିନିଆ ଗଞ୍ଜାମ ଗସ୍ତ କାଳରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ତୁମ୍ବେଶ୍ବର ମନ୍ଦିର, ପୋଲସରା ନିର୍ବାଚନମଣ୍ଡଳୀର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର, କବିସୂର୍ଯ୍ୟନଗର ଆଠଗଡ଼ର ଜଗନ୍ନାଥ ମନ୍ଦିର, ଆସିକାର ଖମ୍ବେଶ୍ବରୀ ମନ୍ଦିରକୁ ଯାଇ ଉନ୍ନୟନ କାମର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରସ୍ତୁତି ଓ ଉନ୍ନୟନ କାମର ସମୀକ୍ଷା କରିଛନ୍ତି।

