କୋଲକାତା: କିଙ୍ଗ କୋହଲି ସ୍ଥାପନ କଲେ ନୂଆ ରେକର୍ଡ । ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି । ଦିନିକିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୪୯ ଶତକ ମାରିଛନ୍ତି । ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିରାଟ ଶତକ ହାସଲ କରିବା ସହ ଦିନିକିଆରେ ଶତକୀ ପାଳି ଖେଳିଛନ୍ତି । ସଚିନଙ୍କ ସମକକ୍ଷ ହୋଇଥିବାବେଳେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବିରାଟ । ସଚିନ ୪୬୩ ମ୍ୟାଚ ଖେଳିଥିବାବେଳେ ୪୫୨ ପାଳିରୁ ଦିନିକିଆରେ ୪୯ଟି ଶତକ ହାସଲ କରିଛନ୍ତି । ତେବେ ବିରାଟ ୨୮୮ ମ୍ୟାଚ ଖେଳିଥିବାବେଳେ ୨୭୬ ପାଳିରୁ ଏହି ରେକର୍ଡ ଅର୍ଜନ କରିଛନ୍ତି । ସଚିନଙ୍କଠାରୁ କମ ପାଳି ଖେଳି ଶତକରେ ରେକର୍ଡ କରିଛନ୍ତି କୋହଲି । ତେବେ ଚଳିତ ବିଶ୍ବକପରେ ଦିନିକିଆରେ ୫୦ ଶତକ ହାସଲ କରି ବିଶ୍ବର ସବୁଠାରୁ ଅଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ବନିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଚଳିତ ବିଶ୍ବକପରେ ଦମଦାର ଫର୍ମରେ ରହିଛନ୍ତି କୋହଲି । ସମସ୍ତ ମ୍ୟାଚରେ ବଡ଼ ବଡ଼ ପାଳି ଖେଳିବା ସହ ଟିମ ଇଣ୍ଡିଆର ସଙ୍କଟମୋଚକ ମଧ୍ୟ ସାଜିଛନ୍ତି ।
ଏମ୍ସ ଡାକ୍ତରଙ୍କ ଦେଶୀ ଯୋଗାଡ଼: ୭ ବର୍ଷ ଶିଶୁ ଫୁସଫୁସରୁ ଚୁମ୍ବକ ସାହାଯ୍ୟରେ ବାହାରିଲା ଛୁଞ୍ଚି
ଦିଲ୍ଲୀ: ଦିଲ୍ଲୀ ଏମସରେ ବିରଳ ଅପରେସନ । ଜଣେ ୭ ବର୍ଷ ବୟସ୍କ ପିଲାର ଫୁସଫୁସରୁ ଛୁଞ୍ଚି ବାହାର କରିବାକୁ ଡାକ୍ତରଙ୍କ ଦେଶୀ ଯୋଗାଡ଼ । ଚୁମ୍ବକ ସାହାଯ୍ୟରେ ପିଲାର ଫୁସଫୁସରୁ ବାହାର କରାଗଲା ଛୁଞ୍ଚି । ପେଡିଆଟ୍ରିକ ସର୍ଜରୀ ପକ୍ଷରୁ ଏହି ବିରଳ ଚିକିତ୍ସା କରାଯାଇଛି । ଆଶ୍ଚର୍ଯ୍ୟଜନକ ଉଦ୍ୟମ ପରେ ଶିଶୁର ଫୁସଫୁସରୁ ବାହାର କରାଯାଇଛି ୪ ସେଣ୍ଟିମିଟରର ଏହି ଛୁଞ୍ଚି ।
ସୂଚନାଯୋଗ୍ୟ, ପିଲାଟିର ବାମ ଫୁସଫୁସରେ ଏକ ସିଲେଇ ମେସିନ ଛୁଞ୍ଚି ଅଟକିଯାଇଥିବାରୁ ତାର ରକ୍ତ କ୍ଷରଣ ହେଉଥିଲା । ରେଡିଓଲୋଜିକାଲ ଯାଞ୍ଚରୁ ଫୁସଫୁସରେ ଛୁଞ୍ଚି ଅଟକିଥିବା ଜଣାପଡିଥିଲା । ବଡ଼କଥା ହେଉଛି ଛୁଞ୍ଚିଟି ଏପରି ଗଭୀରରେ ରହିଥିଲା ଯେ ତାହାକୁ ସାଧାରଣ ଅସ୍ତ୍ରୋପଚାର ଜରିଆରେ ବାହାର କରିବା ସମ୍ଭବ ନଥିଲା । ଶେଷରେ ଚୁମ୍ବକ ଜରିଆରେ ଛୁଞ୍ଚି ବାହାର କରିବା ଲାଗି ନିଷ୍ପତ୍ତି ହୋଇଥିଲା ବୋଲି କହିଛନ୍ତି ଡାକ୍ତର ବିଶେଷ ଜୈନ ।
ଚାନ୍ଦିନୀ ଚୌକ ମାର୍କେଟରୁ ଏକ ସ୍ବତନ୍ତ୍ର ଧରଣର ଚୁମ୍ବକ ଅଣାଯାଇଥିଲା ଯାହା ୪ ମିଲିମିଟର ଓସାର ଓ ୧. ୫ ମିଲିମିଟରର ଘନତା ଥିଲା । ଅତ୍ୟନ୍ତ କଷ୍ଟସାଧ୍ୟ ଯୋଜନା ଓ କୌଶଳ ବଳରେ ସର୍ଜିକାଲ ଟିମ, ଟେକନିକାଲ ଷ୍ଟାଫଙ୍କ ସହାୟତାରେ ଶେଷରେ ଛୁଞ୍ଚିଟିକୁ ବାହାର କରାଯାଇଥିଲା । ତେବେ ପିଲାଟିର ଫୁସଫୁସକୁ କିପରି ଛୁଞ୍ଚିଟି ପଶିଯାଇଥିଲା ତାହା ପିଲାଟିର ପରିବାର ସୂଚନା ଦେଇପାରି ନଥିଲେ ।
ଶ୍ବାସନଳିରେ ସୁରକ୍ଷିତ ଚୁମ୍ବକଟିକୁ ଭିତରକୁ ପଠାଇବା କାଷ୍ଟକର ଥିଲା । ଏତିପାଇଁ ବିଶେଷଜ୍ଞ ଟିମ୍ ଏକ ସରଳ ଯନ୍ତ୍ର ତିଆରି କରିଥିଲେ । ଏକ ରବର ବ୍ୟାଣ୍ଡରେ ଚୁମ୍ବକକୁ ବନ୍ଧା ଯାଇ ସୁରଖିତ ଭାବେ ପିଲାର ଫୁସଫୁସକୁ ପଠାଯାଇଥିଲା ।
ଜମି ବିବାଦକୁ କେନ୍ଦ୍ର କରି ସୋରରେ ହଣାକଟା, ୧୨ ଆହତ
ସୋର: ଜମିଜମା ବିବାଦକୁ କେନ୍ଦ୍ର କରି ବାଲେଶ୍ବର ଜିଲ୍ଲା ସୋର ଥାନା ମୋହନପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷ ମଧ୍ୟରେ ହଣାକଟାରୁ ୧୨ ଜଣ ଆହତ । ସମସ୍ତ ଆହତ ସୋର ମେଡିକାଲରେ ଭର୍ତ୍ତି ।
ଆଜି ସକାଳେ ବାଡ଼ ଉପୁଡ଼ାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଗଣ୍ଡଗୋଳ ଏତେ ଉଗ୍ରରୂପ ନେଇଥିଲା ଯେ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା । ଉଭୟ ପକ୍ଷ ଖଣ୍ଡା, ଭୁଜାଲିରେ ପରସ୍ପରକୁ ଆକ୍ରମଣ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି । ଏହାସହ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଗୋଟିଏ ପରିବାରର ୮ ଜଣ ଆହତ ହୋଇଥିବା ବେଳେ ଅନ୍ୟ ପରିବାରର ୪ ଜଣ ହୋଇଛନ୍ତି । ଘଟଣା ସ୍ଥଳରୁ ପୋଲିସ ଖଣ୍ଡା ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ମିଳିଥିବା ଅଭିଯୋଗ ଅନୁସାରେ ଜମିକୁ ନେଇ ଭାଇ, ଭଉଣୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଭାଇ ଜମି ଦଖଲରେ ରଖିଥିବା ବେଳେ ଭଉଣୀକୁ ଦେଉନାହାନ୍ତି । ଆଜି ଭଉଣୀ ସମ୍ପର୍କୀୟଙ୍କ ସହ ଯାଇଥିବା ବେଳେ ବିବାଦର ସୂତ୍ରପାତ ହୋଇଥିଲା ।


