spot_img
Home Blog Page 2462

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ଲକ୍ଷ୍ମୀ ବସର କରିବେ ଶୁଭାରମ୍ଭ

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ । ଯାହାକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି କଳାହାଣ୍ଡି । କାଲି କଳାହାଣ୍ଡି ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଜିଲ୍ଲାବାସୀଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କାର ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି ।

ଏହାସହ ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀ ଦେଖିଥିବା ବହୁ ପ୍ରତିକ୍ଷୀତ ସ୍ବପ୍ନ ପୂରଣ ହେବ । ଭଙ୍ଗାବାରି ଠାରେ ନିର୍ମାଣ ହୋଇଥିବା ମେଡିକାଲ କଲେଜକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପ୍ରସ୍ତୁତି ସାରି ଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଗ୍ରହଣ କରାଯାଇଛି । ଏହାସହ କଳାହାଣ୍ଡିରେ ଲକ୍ଷ୍ମୀ ବସର ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର ବସ୍ତି ବାସିନ୍ଦାଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ

ଭୁବନେଶ୍ବର: ଓଡିଶା ସରକାରଙ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜାଗା ମିଶନ ଅଧୀନରେ ଭୁବନେଶ୍ବର ମହାନଗର ନିଗମରେ ଯୋଗ୍ୟ ବସ୍ତି ହିତାଧିକାରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ । ଆଜି ୩ଟି ଜୋନରେ ୫ ହଜାର ୫୪୨ ପରିବାରଙ୍କୁ ଏଲ୍‌ଆର୍‌ସି ବଣ୍ଟନ କରାଯାଇଛି । ଭୂମି ଅଧିକାର ପତ୍ର ବଣ୍ଟନ ବେଳେ ସମସ୍ତ ଜୋନରେ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ । ସେପଟେ ଏଲଆରସି ପତ୍ର ପାଇବା ପରେ ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ହୃଦୟରୁ ଧନ୍ୟବାଦ ।

ଲୋକଙ୍କ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ତାଳି ସାଙ୍ଗକୁ ହୁଳହୁଳି । ସିଭିଙ୍କ ମନରେ ଖୁସିର ଲହରୀ । ଗରିବ ବସ୍ତି ବାସିନ୍ଦା ପାଇଲେ ଭୂମି ପ୍ରମାଣ ପତ୍ର । ଦକ୍ଷିଣ-ପଶ୍ଚିମ ଜୋନ୍ ପାଇଁ ୱାର୍ଡ ନମ୍ବର ୫୭ ସ୍ଥିତ ବଡଗଡ ବ୍ରିଟ୍ କୋଲନୀ ନେତାଜୀ ପଡିଆରେ ମନ୍ତ୍ରୀ ଅଶୋକଙ୍କ ପଣ୍ଡା, ବିଏମସି କମିଶନର ଓ ବିଭିନ୍ନ ୱାର୍ଡର କୋର୍ପେରେଟରଙ୍କ ଉପସ୍ଥିତିରେ ୧୪୨୧ଟି ପ୍ରମାଣ ପତ୍ର ବଣ୍ଟନ କରାଯାଇଛି ।

ଦକ୍ଷିଣ-ପୂର୍ବ ଜୋନ୍ ପାଇଁ ଓ୍ବାର୍ଡ ନମ୍ବର ୪୭ର ୟୁନିଟ୍ ୮ ସ୍ଥିତ କମ୍ୟୁନିଟ୍ ସେଣ୍ଟରରେ ୧୯୫୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ବଣ୍ଟନ ବେଳେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତ ରହିଥିଲେ ।  । ସେହିଭଳି ଉତ୍ତର ଜୋନର ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପଠାରେ ବିଧାୟକ ଶୁଶାନ୍ତ ରାଉତଙ୍କ ଉପସ୍ଥିତରେ ୨୧୭୧ ଜଣଙ୍କୁ ଭୂମି ଅଧିକାର ପତ୍ର ବଣ୍ଟନ କରାଯାଇଥିଲା । ବଣ୍ଟନ ବେଳେ ଯେପରି ସମସ୍ୟା ନହେବ ସେ ନେଇ ସ୍ବତନ୍ତ୍ର କାଉଣ୍ଟର ଖୋଲା ଯାଇଥିଲା । ଆଗମୀ ଦିନରେ ବିଏମସି ଅଞ୍ଚଳରେ ବିଭିନ୍ନ ପର୍ଯ୍ୟାୟରେ ଲୋକଙ୍କୁ ଭୂମି  ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।

ଗତ ୨୮ ତାରିଖରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାଗା ମିଶନ ଅଧୀନରେ ଭୁବନେଶ୍ବରରେ ୫୧ ହଜାର ପରିବାରଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଘରୋଇ ବସ୍ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ବର: ପ୍ରସ୍ତାବିତ ଧର୍ମଘଟରୁ ଓହରିଲା ଘରୋଇ ବସ୍ ମାଲିକ ସଂଘ । ୧୦ ଜିଲ୍ଲାରେ ହେବାକୁ ଥିବା ବସ୍ ଧର୍ମଘଟ ପ୍ରତ୍ୟାହୃତ । ୮ ତାରିଖରେ ସରକାରଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି । ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଦେଲେ ସୂଚନା ।

ସୂଚନାଯୋଗ୍ୟ ଦଶହରା ସମୟରେ ଘରୋଇ ବସ୍ ମାଲିକ ସଙ୍ଘ ଧର୍ମଘଟ ଡାକରା ଦେଇଥିଲା । ଫଳରେ ଯାତ୍ରୀ ସେବାରେ ସମସ୍ୟା ଉପୁଜିଥିଲା । ଦଶହରା ଛୁଟିରେ ଲୋକେ ଘରକୁ ଯିବାକୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଗତ ୨୦ ତାରିଖରେ ବସ୍ ଧର୍ମଘଟକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ସଙ୍ଘ । ଏହାସହ ପାର୍ବଣରେ ଧର୍ମଘଟ ଯୋଗୁଁ ସମସ୍ୟା ହୋଇଥିବାରୁ ଯାତ୍ରୀଙ୍କୁ କ୍ଷମା ମାଗିଥିଲା ଘରୋଇ ବସ୍ ମାଲିକ ସଙ୍ଘ ।

ଆଇପିଏସ ସ୍ତରରେ ଅଦଳବଦଳ: ଅରୁଣଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେଶନ ନିର୍ଦ୍ଦେଶକ ଦାୟିତ୍ବ

ଭୁବନେଶ୍ବର: ଆଇପିଏସ ସ୍ତରରେ ହୋଇଛି ଅଦଳବଦଳ । ଅରୁଣ ରାୟ ହେଲେ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେଶନ ନିର୍ଦ୍ଦେଶକ । ଏ.ଏମ. ପ୍ରସାଦ ହେଲେ ଜେଲ ଡିଜି । ଲଳିତ ଦାସଙ୍କୁ ଏଚଆରପିସି ଅତିରିକ୍ତ ଡିଜି ଦାୟିତ୍ବ । ସେହିପରି ଉମାଶଙ୍କର ଦାଶ ହେଲେ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗ ଡିଆଇଜି । ବ୍ରିଜେଶ କୁମାର ରାୟ ହେଲେ କମିଶନରେଟ ପୋଲିସର ଅତିରିକ୍ତ ସିପି ।

ଆମ ଓଡ଼ିଶା, ନବୀନ ଓଡ଼ିଶାରେ ଯୋଡ଼ି ହେଲା ବଲାଙ୍ଗୀର

ବଲାଙ୍ଗୀର: ବାଲେଶ୍ବର ପରେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେଲା ବଲାଙ୍ଗୀର ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ଶୁଭାରମ୍ଭ । ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯକ୍ରମ ଜରିଆରେ ବଲାଙ୍ଗୀରର ସମସ୍ତ ୧୪ଟି ବ୍ଲକର ଜନ ପ୍ରତିନିଧି ଓ ଜନତାଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପଣ୍ଡିଆନ ।

ବଲାଙ୍ଗୀର ଜିଲ୍ଲାକୁ ମିଳିଛି ୧୫୮ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ । ଜିଲ୍ଲାର ୩ ହଜାର ୯୧୧ଟି ଉନ୍ନୟନ ପ୍ରକଳ୍ପ ପାଇଁ ବିନିଯୋଗ ହେବ ଏହି ଅର୍ଥ ରାଶି । ହରିଶଙ୍କର ମନ୍ଦିରର ରୁପାନ୍ତରିକରଣ ପାଇଁ ୭ କୋଟି ଟଙ୍କା ଅତିରିକ୍ତ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ତୁଷୁରା ତେଲାନଦୀରେ ହେବ ଦୁଇଟି ଲିଫ୍ଟ ଇରିଗେସନ ପ୍ରକଳ୍ପ । ବଲାଙ୍ଗୀର ସମଲେଶ୍ଵରୀ ମନ୍ଦିର ଉନ୍ନତି ପାଇଁ ୩ କୋଟି ୪୦ ଲକ୍ଷ ଟଙ୍କା ସହ ପାଟଣେଶ୍ବରୀ ମନ୍ଦିର ଓ ଗୋପାଳଜୀ ମନ୍ଦିରର ଉନ୍ନତି ପାଇଁ ଅର୍ଥରାଶି ଘୋଷଣା ହୋଇଛି ।

ସେହିପରି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ବି ଅର୍ଥ ଘୋଷଣା ହୋଇଛି । ଏହାସହ ବିଭିନ୍ନ ବ୍ଲକରେ ଧର୍ମପୀଠ, ଜଳସେଚନ, ଗ୍ରାମାଞ୍ଚଳ ରାସ୍ତା ପ୍ରଶସ୍ତିକରଣ, ବିଭିନ୍ନ ସ୍ଥାନରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ସହ ଶିକ୍ଷା ଭିତ୍ତଭୂମିର ବିକାଶ ପାଇଁ ବି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଅର୍ଥରାଶି ଘୋଷଣା ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆମ ଓଡ଼ିଶା, ନବୀନ ଓଡ଼ିଶା ଏବଂ 5T ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ।

ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୪ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୮.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥି ମଧ୍ୟରେ ରହିଛି ତୁସୁରାରେ ଏୟାର ଷ୍ଟ୍ରିପ୍,  ୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ, ସମଲେଇ ମନ୍ଦିର ସୌନ୍ଦର୍ଯ୍ୟକରଣ, ସ୍କୁଲ, କଲେଜ ରୂପାନ୍ତରଣ ।

ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୧ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୧୪.୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ହରିଶଙ୍କର ମନ୍ଦିର ଉନ୍ନତୀକରଣରେ କେତେକ ନୂତନ ପ୍ରକଳ୍ପ ଯଥା, ନୂଆ ପ୍ରବେଶ ପଥ, ଚେକ ଡ୍ୟାମ୍, କଲଭର୍ଟ, ପୋଲିସ ଆଉଟ ପୋଷ୍ଟ ଇତ୍ୟାଦି । ଖପ୍ରାଖୋଲରେ ଏକ ନୂଆ ସଡକ ନିର୍ମାଣ ଓ କେତେକ କଲେଜର ଉନ୍ନତିକରଣ ।

ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ମା’ ସମଲେଶ୍ବରୀଙ୍କ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ ଗ୍ରାଉଣ୍ଡର ବିକାଶ, ଚାନ୍ଦିଲି ପାହାଡ ପର୍ଯ୍ୟଟନ ପ୍ରକଳ୍ପ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ସ୍କୁଲ ଓ କଲେଜ, ଲୋୟର ସୁକତେଲ କଲୋନୀରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର, ବଲାଙ୍ଗୀର ସିଏନଆଇ ଚର୍ଚ୍ଚର ଉନ୍ନତୀକରଣ ।

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ରାଣିପୁର ଝରିଆଲ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ୩ଟି ଡିଗ୍ରୀ କଲେଜର ଉନ୍ନତୀକରଣ । ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ଯୋଗେଶ୍ୱର ମନ୍ଦିର, ସ୍ୱାଧୀନତା ସଂଗ୍ରାମୀ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ଏକ ଐତିହ୍ୟ କେନ୍ଦ୍ର ସ୍ଥାପନ ଏବଂ ୩ଟି ଡିଗ୍ରୀ କଲେଜ ।

ସ୍ତ୍ରୀ ବ୍ୟୁଟି ପାର୍ଲରରେ ଆଇବ୍ରୋ ବନାଇବାରୁ ଫୋନରେ ତଲାକ ଦେଇ ଦେଲା ସ୍ବାମୀ

କାନପୁର: ଉତ୍ତର ପ୍ରଦେଶର କାନପୁର ପୁଣି ଥରେ ତିନି ତଲାକ ମାମଲାକୁ ତାଜା କରି ଦେଇଛି । ଜଣେ ମହିଳା ବ୍ୟୁଟି ପାର୍ଲର ଯାଇ ଆଇବ୍ରୋ ବନାଇବାରୁ ଫୋନରେ ହିଁ ତିନ୍ ତଲାକ୍ (ଛାଡ଼ପତ୍ର) ଦେଇ ଦେଲେ ସ୍ବାମୀ । ଶ୍ବଶୁର ଘରୁ ନିରାଶ ହେବା ପରେ ମହିଳା ଜଣଙ୍କ ସ୍ବାମୀ ଏବଂ ଶ୍ବଶୁର ଘରର ୫ ଜଣ ଲୋକଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ଘଟଣା କାନପୁର କୁଲି ବଜାର ଅଞ୍ଚଳର । ୨୦୨୨ରେ ଅଞ୍ଚଳର ଲାଲି ଗୁଲସବାଙ୍କ ପ୍ରୟାଗରାଜ ବାସିନ୍ଦା ସଲିମଙ୍କ ସହ ବିବାହ ହୋଇଥିଲା । ସଲିମ ସାଉଦୀ ଆରବରେ ଚାକିରି କରନ୍ତି । ଗୁଲସବାଙ୍କ ଅଭିଯୋଗ ଅନୁସାରେ ଅଗଷ୍ଟ ୩୦ରେ ସାଉଦୀ ଆରବ ଚାଲିଯିବା ପରେ ଶ୍ବଶୁର ଘର ଲୋକେ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଉଥିଲେ । କିଛିଦିନ ହେବ ସେ ବାପଘରକୁ ପଳାଇ ଆସିଥିଲେ । ଏଠାରେ ଭିଡିଓ କଲ୍ ଜରିଆରେ ସଲିମ ସହ କଥା ହେଉଥିଲେ । ଅକ୍ଟୋବର ୪ରେ ସଲିମ ଭିଡିଓ କଲ କରିଥିବା ବେଳେ ଆଇବ୍ରୋ ବନାଇଛ କି ବୋଲି ପଚାରିଥିଲା । ଗୁଲସବା ହଁ କହିବା ପରେ ସଲିମ ରାଗି ଯାଇ ଫୋନ କାଟି ଦେଇଥିଲେ । ଏହାର କିଛିଦିନ ପରେ ଗୁଲସବା ଯେବେ ଫୋନରେ କଥା ହୋଇଥିଲେ, ସେହି କଥାକୁ ନେଇ ସଲିମ ତାଙ୍କ ସହ ଝଗଡ଼ଶ କରିଥିଲେ ଓ ଫୋନରେ ହିଁ ତିନ୍ ତଲାକ୍ ଦେଇ ଦେଇଥିଲେ । ଏହାପରେ ସଲିମ ଫୋନ କାଟି ଦେିଥିଲେ ଓ ଯେତେ ଫୋନ କଲେ ବି ଫୋନ ଉଠାଇ ନଥିଲେ । ଏନେଇ ଶ୍ବଶୁର ଘର ଲୋକଙ୍କୁ କହିବା ପରେ ସେମାନେ ସମସ୍ୟାର ସମାଧାନ ନକରି ସଲିମଙ୍କ ପକ୍ଷ ନେିଥିଲେ ଓ ସେ ଯାହା କରିଛି ଠିକ୍ କରିଛି କହିଥିଲେ ।

ଶ୍ବଶୁର ଘରୁ ନିରାଶ ହେବା ପରେ ଗୁଲସବା ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ ଏତଲା ଆଧାରରେ ପୋଲିସ ସ୍ବାମୀ ସଲିମ ଓ ପରିବାରର ୫ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବିରୋଧିଙ୍କ i-Phone କୁ ହ୍ୟାକ୍ କରିବାକୁ ଚେଷ୍ଟା, ଆସୁଛି ମେଲ୍

ନୂଆଦିଲ୍ଲୀ: ରାଜ୍ୟ ବିଧାନସଭା ନିର୍ବାଚନ ଆଗରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଟିଏମସି ସାଂସଦ ମହୁଆ ମଇତ୍ରୀ, କଂଗ୍ରେସ ନେତା ଶଶି ଥରୁର, ପବନ ଖେଡା ଏବଂ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ ଦାବି କରିଛନ୍ତି ଯେ, ସେମାନଙ୍କର ଫୋନ୍ ହ୍ୟାକ୍ କରିବାକୁ ଚେଷ୍ଟା କରାଯାଇଛି । ଆପଲ କମ୍ପାନୀ ତାଙ୍କୁ ଏମିତି ସୂଚନା ଦେଇଛି ।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପ୍ରିୟଙ୍କା ଲେଖିଛନ୍ତି ଯେ, ଆପଲ କମ୍ପାନୀ ତରଫରୁ ମୋତେ ଏକ ଇ ମେଲ୍ ଆସିଛି । ଏହି ଇ-ମେଲରେ ସରକାର ମୋ ଫୋନକୁ ହ୍ୟାକ୍ କରିବାକୁ ଚେଷ୍ଟା କରିଥିବା କୁହାଯାଇଛି ।

ମହୁଆ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କୁ ବି ଟ୍ୟାଗ୍ କରିଛନ୍ତି । ମୋଟ ୩ ଜଣଙ୍କୁ ଏହି ମେଲ୍ ଆସିଥିବା କୁହାଯାଉଛି । ମେଲ୍ ସହ SMSକୁ ବି ଟ୍ବିଟ କରି ଜଣାଇଛନ୍ତି ।

I.N.D.I.A ଗଠବନ୍ଧନର ନେତା ଯେପରିକି ପବନ ଖେଡା, ଶଶି ଥରୁର୍, ଅଖିଳେଶ ଯାଦବ, ରାଘବ ଚଡ୍ଡା, ସୀତାରାମ ୟେଚୁରୀ, ରାହୁଲ ଗାନ୍ଧିଙ୍କ ଅଫିସକୁ ମଧ୍ୟ ଏପରି ମେଲ୍ ଆସିଥିବା ଏକ୍ସରେ ଅଭିଯୋଗ କରିଛନ୍ତି ।

ଜାଲି ମହିଳା: ମୃତକଙ୍କ ଝିଅ ସାଜି ଜମି ବନ୍ଧା ପକାଇ ଲୋନ୍ ନେବାକୁ କରୁଥିଲେ ପ୍ରୟାସ, ବାନ୍ଧିଲା ପୋଲିସ

ବାରିପଦା: ମହିଳା ୪୨୦ । ମୃତ ବ୍ୟକ୍ତିଙ୍କ ଝିଅ ସାଜି ଜମି ବନ୍ଧକ ରଖି ବ୍ୟାଙ୍କରୁ ଋଣ ନେବାକୁ କରୁଥିଲେ ପ୍ରୟାସ । ହେଲେ ଧରାପଡ଼ିଗଲା ମହିଳାଙ୍କ କାରସାଦି । ଜାଲି ମହିଳାଙ୍କୁ ବାନ୍ଧିଲା ପୋଲିସ ।

ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୁରୁଣା ବାରିପଦା ଖଡ଼ିକାପଦା ଗାଁରେ । ଗ୍ରାମର ଜଗବନ୍ଧୁ ବେହେରାଙ୍କର ମୃତ୍ୟୁ ହୋଇ ସାରିଛି । ତାଙ୍କର ଖଡ଼ିକାପଦା ମୌଜାରେ ପ୍ଲଟ ନମ୍ବର-୩୭୨ରେ ଘରବାରି ଜମି ରହିଛି । ଜଗବନ୍ଧୁଙ୍କ ପୁଅ ଅଶୋକ ବେହେରା, ସରୋଜ ବେହେରା, ଝିଅ ମନୋରମା ସାହୁ ଏବଂ ସ୍ତ୍ରୀ ସାବିତ୍ରୀ ବେହେରା ଅଛନ୍ତି । ଉକ୍ତ ଜମିକୁ ୫ ଲକ୍ଷ ଟଙ୍କାରେ ବନ୍ଧା ପକାଇ ଲୋନ ନେବା ନିମନ୍ତେ ଏକ ଘରୋଇ ଋଣ ସଂସ୍ଥା ନିକଟରେ ପହଞ୍ଚିଥିଲେ ଜଗବନ୍ଧୁଙ୍କ ଉତ୍ତରାଧିକାରୀ ।

ସବରେଜିଷ୍ଟ୍ରାର ଅଫିସରେ ରେଜିଷ୍ଟ୍ରି ନିମନ୍ତେ କାଗଜପତ୍ର ପହଞ୍ଚିବା ପରେ ସାମ୍ନାକୁ ଆସିଥିଲା ଜାଲିଆତି ଉଦ୍ୟମ । ମୃତ ଜଗବନ୍ଧୁଙ୍କ ଜମିର ଦାବିଦାର ହୋଇ ଆସିଥିବା ଚାରି ଜଣଙ୍କ ମଧ୍ୟରୁ ଝିଅ ମନୋରମା ସାହୁଙ୍କ ବଦଳରେ ଅନ୍ୟ ଜଣେ ମହିଳା ଆସି କାଗଜପତ୍ରରେ ଦସ୍ତଖତ କରିଥିଲେ । ନକଲି ଆଧାର କାର୍ଡ ଦେଇ ସେ ଜମି ବନ୍ଧକ କରାଇବା ନିମନ୍ତେ ରେଜିଷ୍ଟ୍ରି ସମୟରେ ଦସ୍ତଖତ କରିଥିବା ବେଳେ ଆଧାରକାର୍ଡରେ ଫିଙ୍ଗର ପ୍ରିଣ୍ଟ ନ ନେବାରୁ ସେ ମନୋରମା ସାହୁ ନୁହନ୍ତି ବୋଲି ସବରେଜିଷ୍ଟ୍ରାର ଜାଣିବାକୁ ପାଇଥିଲେ ।  ଉକ୍ତ ଠକ ମହିଳାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ପୋଲିସ୍ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ଗିରଫ ମହିଳା ଜଣକ ଉତ୍ତରାଧିକାରୀ ଅଶୋକ ବେହେରାଙ୍କ ଖୁଡ଼ି ମିନତି ବେହେରା ହୋଇଥିବା ବେଳେ ସେ ଏହି ଜାଲିଆତି ବାବଦରେ କିଛି ଜାଣି ନ ଥିବା କହିଛନ୍ତି ।

ଆଇଫୋନ ହ୍ୟାକିଂ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ଆଇଫୋନ ହ୍ୟାକିଂ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି। ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ। ଫୋନ ନିର୍ମାତା କମ୍ପାନୀ ପକ୍ଷରୁ ଆସୁଛି ହ୍ୟାକିଂ ଆଲର୍ଟ । ଆପଣଙ୍କ ଫୋନକୁ ଷ୍ଟେଟ୍ ସ୍ପନସର୍ ଟାର୍ଗେଟ୍ ହ୍ୟାକ୍ କରୁଛନ୍ତି ବୋଲି ମେସେଜ୍ ଆସୁଛି  । ଆଇଫୋନ୍ ବ୍ୟବହାର କରୁଥିବା ଅନେକ ରାଜନେତାଙ୍କ ପାଖକୁ ଏଭଳି ମ୍ୟାସେଜ୍ ଆସୁଛି। ହ୍ୟାକର ଫୋନର ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି । ଫୋନର ଡାଟା, କ୍ୟାମେରା ଓ ମାଇକ୍ରୋଫୋନକୁ ହ୍ୟାକ୍ କରାଯାଉଛି। ଯାହା ଫଳରେ ବ୍ୟବହାରକାରୀ ଯାହା ସହ କଥାବାର୍ତ୍ତା ହେବେ ସବୁକିଛି ହ୍ୟାକର ରେକର୍ଡ କରିପାରିବେ।

ଏହାସହ ଫୋନରେ ଥିବା ସମସ୍ତ ତଥ୍ୟକୁ ଦୂରରେ ଥାଇ ମଧ୍ୟ ନେଇଯାଇପାରିବେ। ବିରୋଧୀ ଦଳର ଅନେକ ନେତା ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଟିଏମସି ନେତା ମହୁଆ ମୈତ୍ର ପ୍ରଥମେ ଏହି ଅଭିଯୋଗ ଆଣିଛନ୍ତି  । ଏହାସହ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ, କଂଗ୍ରେସ ନେତା ଶଶୀ ଥରୁର, ପବନ ଖେଡା, ଆପ ନେତା ରାଘବ ଚଢା, AIMIM ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ତାଙ୍କର ଫୋନ ହ୍ୟାକ୍ କରାଯାଉଥିବା ଦାବି କରିଛନ୍ତି  । ଫୋନକୁ ହ୍ୟାକ୍ କରାଯାଉଥିବା ନେଇ ଫୋନ କମ୍ପାନୀ ପକ୍ଷରୁ ମ୍ୟାସେଜ୍ ଆସୁଛି ବୋଲି ଏହି ନେତା କହିଛନ୍ତି । ଆପଲ୍ ଫୋନକୁ ସବୁଠାରୁ ସୁରକ୍ଷିତ କୁହାଯାଉଥିବାବେଳେ ଏହାକୁ ମଧ୍ୟ ହ୍ୟାକ୍ କରାଯାଉଛି । ପେଗାସସ ପରେ ଏବେ ଆପଲର ମ୍ୟାସେଜକୁ ନେଇ ଆସିଛି  ଗୁଇନ୍ଦାଗିରିର ଏଭଳି ଅଭିଯୋଗ।

ଆମ ଓଡ଼ିଶା, ନବୀନ ଓଡ଼ିଶାରେ ସାମିଲ ହେଲା ବାଲେଶ୍ବର ଜିଲ୍ଲା

ବାଲେଶ୍ବର: ଆମ ଓଡ଼ିଶା, ନବୀନ ଓଡ଼ିଶାରେ ସାମିଲ ହେଲା ବାଲେଶ୍ବର ଜିଲ୍ଲା । ଜିଲ୍ଲାର ୮ଟି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପାଣ୍ଠିରୁ ୪ ହଜାର ୪୬୫ଟି ପ୍ରକଳ୍ପ ପାଇଁ ୧୭୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୋଗରାଇ, ବସ୍ତା, ଜଳେଶ୍ବର, ରେମୁଣା, ସଦର, ନୀଳଗିରି, ସୋର, ସିମୁଳିଆ ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ପ୍ରତାପ ଦେବ, ବିଧାୟକ ଅନନ୍ତ ଦାସ, ଅଶ୍ବିନୀ ପାତ୍ର, ନିତ୍ୟାନନ୍ଦ ସାହୁ, ସୁଧାଂଶୁ ପରିଡ଼ା, ପର୍ଶୁରାମ ଧଡ଼ା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନଙ୍କ ସମେତ ହଜାର ହଜାର ଜନସାଧାରଣ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆମ ଓଡ଼ିଶା, ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଭୋଗରାଇର ଚନ୍ଦନେଶ୍ବର ମନ୍ଦିର, ତାଳସାରୀ ସମୁଦ୍ର କୂଳରେ ଆଡ଼ିବନ୍ଧ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ, କ୍ଷୀରଚୋରା ଗୋପୀନାଥ, ଝାଡ଼େଶ୍ବର ମନ୍ଦିର, ପଞ୍ଚଲିଙ୍ଗେଶ୍ବର ପୀଠ, ଉତ୍ତର ବାଲେଶ୍ବରକୁ ସଦର ମହକୁମା ସହିତ ଯୋଡ଼ୁଥିବା ବୁଢାବଳଙ୍ଗ ନଦୀ ଉପରେ ପୋଲ, ମେଗା ପାଇପ୍‌ ପାଣି ଯୋଜନା ଭଳି ୪୪୬୫ଟି ପ୍ରକଳ୍ପକୁ ଆଜି ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପରେ ୧୭୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଞ୍ଚଳର ବିକାଶ କରାଯିବ । ସରକାରୀ ଅନୁଦାନକୁ ସ୍ବଚ୍ଛତାର ସହିତ ବିନିଯୋଗ କରି ସ୍ଥାନୀୟ ଅଞ୍ଚଳର ବିକାଶରେ ଭାଗିଦାର ହେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ।

ନବୀନ ଓଡିଶାର ପରିଚୟ ନେଇ ପ୍ରତି ଗାଁ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାଲେଶ୍ୱର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୬୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୩୯ କୋଟି ଟଙ୍କା  ମଞ୍ଜୁର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୩ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୬ କୋଟି ଟଙ୍କା  ମଞ୍ଜୁର କରାଯାଇଛି । ଏହା ସହିତ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସୋର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୯୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୭୦ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ବସ୍ତା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୭ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୨.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୮.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ନୀଳଗିରି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୦୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି ।  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସିମୁଳିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୨୫ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହିପରି ବାଲେଶ୍ୱର ୫୯ ପ୍ରକଳ୍ପ ପାଇଁ ୨୨୪.୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।