spot_img
Home Blog Page 2474

ରାଜସ୍ଥାନ ରିସୋର୍ଟରେ କ’ଣ ପାଇଁ ହାତାହାତି ହେଲେ ବିଜେପି ବିଧାୟକ ?

ଜୟପୁର : ରାଜସ୍ଥାନର ଭାରତୀୟ ଜନତା ପାର୍ଟିର ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡିଛି । ସିକରର ଏକ ରିସୋର୍ଟରେ ରହିଥିବା କୋଟା ଡିଭିଜିନର ବିଜେପି ବିଧାୟକଙ୍କ ମଧ୍ୟରେ ହାତାହାତି ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାପରେ ବିଧାୟକଙ୍କୁ ରିସୋର୍ଟରୁ ବାହାରକରି ଅନ୍ୟତ୍ର ନିଆଯାଇଥିଲା। ଏହି ଘଟଣା ମଙ୍ଗଳବାର ଦିନ ବିଳମ୍ୱିତ ରାତିରେ ଘଟିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, କିଛି ବିଧାୟକ ରିସୋର୍ଟରେ ଏକାଠି ହୋଇ ବହରୋଡ ଯିବାକୁ ଯୋଜନା କରିଥିଲେ। କୁହାଯାଉଛି ଯେ, କିଛି ବଡ ନେତାଙ୍କ ନିର୍ଦ୍ଦେଶରେ ଏହା ଘଟିଛି । ସେଠାରେ ଉପସ୍ଥିତ ଥିବା କିଶାନଗଞ୍ଜର ବିଧାୟକ ଲଲିତ ମୀଣା ଫୋନରେ ତାଙ୍କ ବାପାଙ୍କୁ ଏ ସମ୍ପର୍ପକରେ ଜଣାଇଥିଲେ। ଏହାସହ ସଂଗଠନ ସହ ଜଡିତ ନେତାମାନଙ୍କୁ ମଧ୍ୟ ଜଣାଇଥିଲେ। ଏନେଇ ରାଜ୍ୟର ବିଜେପି ନେତାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯାହାଫଳରେ ବିଧାୟକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା । ବିଜେପିର କିଛି ନେତା ରିସୋର୍ଟରେ ପହଞ୍ଚି ସେମାନଙ୍କୁ ସେଠାରୁ ବାହାର କରିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ​​ବିଜେପି ଚମତ୍କାର ବିଜୟ ହାସଲ କରିଛି । ବିଜେପି ଦଳ ୧୧୫ ଟି ସିଟ୍ ହାତେଇଛି । ୫ ବର୍ଷ ପରେ ପୁଣି କ୍ଷମତାକୁ ଆସିଛି ବିଜେପି । ନିର୍ବାଚନ ଫଳାଫଳ ବାହାରିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ହୋଇଛି । ଅନ୍ୟପକ୍ଷରେ ବିଧାନସଭା ଜିତିଥିବା ଅନେକ ବିଜେପି ସାଂସଦ ବୁଧବାର ଇସ୍ତଫା ଦେଇଛନ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ: ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । ଏଲବି ଷ୍ଟାଡିଅମରେ ଆୟୋଜିତ ଉତ୍ସବରେ ତେଲେଙ୍ଗାନାର ପ୍ରଥମ କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ ରେବନ୍ତ ନେଇଛନ୍ତି ଶପଥ । ମାଲ୍ଲୁ ବିକ୍ରମାର୍କ ରେଡ୍ଡୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ସହ ଆଉ ୧୧ ମନ୍ତ୍ରୀ ବି ନେଇଛନ୍ତି ଶପଥ । ରାଜ୍ୟପାଳ ତାମିଲସାଇ ସୌନ୍ଦରାଜନ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କୁ ପଦ ଗୋପନୀୟତାର ଶପଥପାଠ କରାଇଥିଲେ । ଡି. ରାଜା ନରସିହ୍ମା, ଉତ୍ତମ କୁମାର ରେଡୀ, କେ. ଭେଙ୍କଟରେଡୀ, ଶୀତାକା, ପି. ପ୍ରଭାକର, ଶ୍ରୀଧର ବାବୁ, ତୁମଲା ନାଗେଶ୍ବର ରାଓ, କୋଣ୍ଡା ସୁରେଖା, ଜୁପାଲି ଓ କ୍ରିଷ୍ଣକ ପଙ୍ଗୁଲେଟି ବି ନେଇଛନ୍ତି ଶପଥ ।

ସମାରୋହରେ ସାମିଲ ହୋଇଥିଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ଯକ୍ଷା ସୋନିଆ ଗାନ୍ଧୀ, ଏଆଇସିସି ସଭାପତି ମଲ୍କିକାର୍ଜୁନ ଖଡଗେ, ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସ ନେତା ଭେନୁଗୋପାଳ । ଏହା ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ବି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ।

ଖାଉଛନ୍ତି କି ଏହି ପେନକିଲର, ତେବେ ହୋଇଯାଆନ୍ତୁ ସାବଧାନ

ନନ୍ଦିଘୋଷ ବ୍ୟୁରୋ: ଆପଣଙ୍କର ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି କି? ତେବେ ସାବଧାନ । ଖାଆନ୍ତୁନାହିଁ ପେନକିଲର ମେଫଟାଲ । ମେଫଟାଲର ସାଇଡ ଇଫେକ୍ଟ ରହିଥିବା ନେଇ କରାଯାଇଛି ସତର୍କତା । ଏପରିକି ମହିଳାଙ୍କ ମାସିକ ଋତୁସ୍ରାବଜନିତ ଯନ୍ତ୍ରଣା ସମୟରେ ବି ଏହି ପେନକିଲର ମହିଳାମାନେ ଖାଉଥିବାରୁ ଏହାକୁ ନେଇ ବଢିଛି ଚିନ୍ତା । ସାରା ଭାରତରେ ମେଫଟାଲର ବ୍ୟାପକ ବ୍ୟବହାର ହେଉଥିବାବେଳେ ଡାକ୍ତରମାନେ ବି ଅଧିକାଂଶ ସମୟରେ ଏହାକୁ ପ୍ରେସକ୍ରାଇବ କରିବା ଦେଖାଯାଉଛି । ଇବୁପ୍ରୋଫେନ ଓ ନାପ୍ରୋକ୍ସେନ ସମେତ ନନଷ୍ଟେରଏଡାଲ ଆଣ୍ଟିଇନଫ୍ଲେମେଟୋରୀ ଡ୍ରଗସ ବା ଏନଏସଏଆଇଡିର ପାର୍ଶ୍ବ ପ୍ରତିକ୍ରିୟା ଭାବେ ଡ୍ରେସ ସିଣ୍ଡ୍ରୋମ ପ୍ରକାଶ ପାଇଥାଏ ।

୧୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ବି ଏହି ପେନକିଲର ଜୀବନ ନେବାକୁ ସକ୍ଷମ ହୋଇଥାଏ । ମେଫଟାଲ ବ୍ରାଣ୍ଡରେ ପେନକିଲର ମେଫନାମିକ ଏସିଡ ବିକ୍ରି ହେଉଥିବାରୁ ଉଦବେଗ ପ୍ରକାଶ କରିଛି ଇଣ୍ଡିଆନ ଫାର୍ମାକୋପିଆ କମିଶନ ବା ଆଇପିସି । ଡାକ୍ତର ଓ ରୋଗୀଙ୍କ ଲାଗି ଆଇପିସି ଜାରି କରିଛି ଡ୍ରଗ ସେଫଟି ଆଲର୍ଟ । ବିଭିନ୍ନ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଫାର୍ମକୋଭିଜିଲାନ୍ସ ପ୍ରୋଗ୍ରାମ ଅଫ ଇଣ୍ଡିଆ ବା ପିଭିପିଆଇ ପକ୍ଷରୁ କୁହାଯାଇଛି ମେଫଟାନିକ ଏସିଡ ଜରିଆରେ ଇସିନୋଫିଲିଆ ଓ ନାନାପ୍ରକାର ପ୍ରତିକ୍ରିୟା ସୃଷ୍ଟି କରିଥାଏ ଯାହାକୁ ଡ୍ରେସ ସିଣ୍ଡ୍ରୋମ କୁହାଯାଇଥାଏ ।

ବିନା ପ୍ରେସକ୍ରିପସନରେ ମେଫଟାଲ ବିକ୍ରି ହେଉ ନଥିଲେ ମଧ୍ୟ ଏହାକୁ ଭାରତୀୟମାନେ ବ୍ୟାପକ ଭାବେ ବ୍ୟବହାର କରିଥାନ୍ତି । ଏପରିକି ପିଲାଙ୍କ ଜ୍ବର କ୍ଷେତ୍ରରେ ଏହି ଔଷଧର ବିକ୍ରି ହେଉଥିବା ଦେଖାଯାଇଥାଏ । ବ୍ଲୁ କ୍ରସ ଲାବରେଟୋରୀର ମେଫଟାଲ, ମେନକାଇଣ୍ଡର ମଫକାଇଣ୍ଡ ପି, ଫାଇଜରର ପନଷ୍ଟାନ, ସେରମ ଇନଷ୍ଟିଚ୍ୟୁଟର ମେଫାନୋର୍ମ ଓ ଡକ୍ଟର ରେଡୀର ଇବୁସିଲନ ପି ଆଦି ମେଡିସିନକୁ ପେନକିଲର ଭାବେ ବ୍ୟବହାର କରାଯାଇଥାଏ । ଏହା ନାନା ପ୍ରକାର ଚର୍ମ ସଂକ୍ରମଣ ଓ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଙ୍କୁ ନଷ୍ଟ ବି କରିଦେଇଥାଏ ।

ଟନେଲ ନୁହେଁ, ଭକ୍ତଙ୍କ ପାଇଁ ପୁରୀ ବଡ଼ଦାଣ୍ଡରେ ହେବ ସେଡ୍ ବ୍ୟବସ୍ଥା 

ପୁରୀ: ଆହୁରି ଶୃଙ୍ଖଳିତ ହେବ ଜଗା ଦର୍ଶନ । ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କୁ ମିଳିବ ସର୍ବୋତ୍ତମ ସୁବିଧା । ଟନେଲ ନୁହେଁ, ଭକ୍ତଙ୍କ ପାଇଁ ପୁରୀ ବଡ଼ଦାଣ୍ଡରେ ହେବ ସେଡ୍ ବ୍ୟବସ୍ଥା  । ବର୍ଷ ତମାମ ସ୍ଥାୟୀ ସେଡ୍ ବ୍ୟବସ୍ଥା କରାଯିବ  । ସେଡ୍‌ ମଧ୍ୟରେ ପାନୀୟଜଳ ଯୋଗାଣ ସହ ଏସି ଲଗାଯିବ ଓ ବସିବା ପାଇଁ କରାଯିବ ବ୍ୟବସ୍ଥା । ଏଥିପାଇଁ ଇଞ୍ଜିନିୟରିଂ ସଂସ୍ଥା ଦ୍ବାରା ପ୍ରସ୍ତାବିତ ଅଞ୍ଚଳରେ ମାପଚୁପ ସରିଛି  । ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଦୁଇ ପାର୍ଶ୍ବରେ ସେଡ୍‌ ନିର୍ମାଣ କରାଯିବ  । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ପୁରୀରେ ଚାଲିଛି ଉଚ୍ଛେଦ କାର୍ଯ୍ୟ । ଶ୍ରୀନହର ପାର୍ଶ୍ବରେ ଥିବା ୨ ମହଲା ବିଶିଷ୍ଟ ନରେନ୍ଦ୍ର ମହଲାକୁ ଉଚ୍ଛେଦ କରାଯାଉଛି । ରାଘବ ଦାସ ମଠ ଦ୍ବାରା ପରିଚାଳିତ ହେଉଥିଲା ନରେନ୍ଦ୍ର ମହଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଉଥିବାବେଳେ ଏକ ପ୍ଲାଟୁନ ପୋଲିସ ଫୋର୍ସ, ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି ।

ଫିଲ୍ମ ‘ଆନିମଲ’କୁ ନେଇ ଆପତ୍ତି ଉଠାଇଲେ ସାଂସଦ ରଣଜିତ ରଂଜନ

ନୂଆଦିଲ୍ଲୀ: ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚା ଏବେ ଫିଲ୍ମ ହଲରୁ ଯାଇ ସଂସଦରେ ପହଞ୍ଚିଲାଣି । ଏହି ଫିଲ୍ମ ଉପରେ କଂଗ୍ରେସ ସାଂସଦ ରଣଜିତ ରଂଜନ ରାଜ୍ୟସଭାରେ ଆପତ୍ତି ଉଠାଇଛନ୍ତି। ଏହି ଚଳଚ୍ଚିତ୍ରର ହିଂସା ବିଷୟରେ ରଂଜନ କହିଛନ୍ତି ଯେ, ଏହା ଏପରି ଏକ ଫିଲ୍ମ ଯେଉଁ ଫିଲ୍ମ ଦେଖିବାବେଳେ ମୋ ଝିଅ କାନ୍ଦି କାନ୍ଦି ବାହାରକୁ ପଳାଇ ଯାଇଥିଲା । ଫିଲ୍ମ ହେଉଛି ସମାଜର ଦର୍ପଣ । ସମାଜରେ ବିଶେଷ କରି ଯୁବକମାନଙ୍କ ଉପରେ ଏହାର ବହୁତ ପ୍ରଭାବ ରହିଛି । କିନ୍ତୁ ଏହି ଚଳଚ୍ଚିତ୍ରରେ ଅନେକ ହିଂସା ଦେଖାଯାଇଛି ।

ରାଜ୍ୟସଭାରେ ରଂଜନ କହିଛନ୍ତି ଯେ, ସିନେମା ଦେଖି ଆମେ ବଡ ହୋଇଛୁ। ସିନେମା ସମାଜ ଉପରେ ପ୍ରଭାବ ପକାଇଥାଏ । ଆଜିକାଲି ଫିଲ୍ମରେ ଏପରି ସିନ ରଖାଯାଉଛି ଯାହାକୁ କହିହେବନି । ମୋ ଝିଅ ସହ ବହୁ ଝିଅ କଲେଜରେ ପଢ଼ନ୍ତି । ସେମାନେ ଅଧା ଫିଲ୍ମ ଦେଖି କାନ୍ଦି କାନ୍ଦି ବାହାରକୁ ଚାଲି ଆସିଲେ ।

ରଂଜନ ଗୃହରେ କହିଥିଲେ ଯେ ଏତେ ହିଂସା କାହିଁକି? ମହିଳାଙ୍କୁ ଅପମାନିତ କରିବା ପାଇଁ ଫିଲ୍ମର ସାହାରା ନେବା ଠିକ୍ ନୁହେଁ। ହିଂସା ଯୁବକମାନଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ ।  ସ୍କୁଲ କଲେଜ ପିଲାମାନେ ହିରୋଙ୍କୁ ଆଦର୍ଶ ଭାବରେ ବିବେଚନା କରନ୍ତି  । ଫିଲ୍ମରେ ନକାରାତ୍ମକ ଭୂମିକା ଉପସ୍ଥାପନ କରିବା ଦ୍ବାରା ସେମାନଙ୍କ ଉପରେ ପ୍ରଭାବ ପକାଉଛି ।

ଗାଜା ଇସ୍ରାଏଲ ଯୁଦ୍ଧକୁ ପୁରିଲା ଦୁଇ ମାସ, ଦୁଇ ଦେଶର ୧୬ ହଜାର ଲୋକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଗାଜା ଇସ୍ରାଏଲ ଯୁଦ୍ଧକୁ ପୁରିଲା ଦୁଇ ମାସ । ଆଜିର ଦିନରେ ଇସ୍ରାଏଲ ଉପରେ ଆକ୍ରମଣ କରିଥଲା ହମାସ । ନରସଂଘାର ଘଟାଇ ନେଇଥିଲେ ୧୨ଶହରୁ ଅଧିକ ଲୋକଙ୍କ ଜୀବନ । ଏବେ ଏହି ଯୁଦ୍ଧକୁ ୬୦ ଦିନରୁ ଅଧିକ ଦିନ ବିତିଛି । ଦୁଇ ଦେଶର ୧୬ ହଜାରରୁ ଅଧିକ ଲୋକଙ୍କ ମତ୍ୟୁ ହେଲାଣି । ୪୨ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ହମାସ ଆକ୍ରମଣରେ ଇସ୍ରାଏଲର ୧୨ଶହ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଗାଜା ଉପରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ ।

ଗତ ଅକ୍ଟୋବର ୭ ତାରିଖରେ ଏ ଯୁଦ୍ଧ ଆରମ୍ଭ ହୋଇଥିଲା । ତେବେ ଯୁଦ୍ଧକୁ ନେଇ ଜାତିସଂଘ ଉପରେ ଅସନ୍ତୋଷ ପ୍ରକାଶ କରିଛି ଇସ୍ରାଏଲ । ହମାସ ଆତଙ୍କୀଙ୍କ ଉପରେ ଜାତିସଂଘ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛି । ହମାସକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଏଲି କୋହେନ । ଯୁଦ୍ଧକୁ ଦୁଇ ମାସ ବିତିଥିବାବେଳେ ତୁରନ୍ତ ଯୁଦ୍ଧ ବିରତି କରିବାକୁ କହିଥିଲେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଆଣ୍ଟୋନିଓଙ୍କ ଏହି ମନ୍ତବ୍ୟ ପରେ ଇସ୍ରାଏଲ ଏହି ଅଭିଯୋଗ ଆଣିଛି । ଯୁଦ୍ଧ ଆରମ୍ଭ ପରେ ଗାଜାର ପ୍ରାୟ ୧୮ ଲକ୍ଷ ଲୋକ ଉତ୍ତର ଗାଜା ଅଂଚଳରୁ ପଳାୟନ କରିଛନ୍ତି ।

ଯୁଦ୍ଧ ପୀଡ଼ିତଙ୍କ ଲାଗି ମାନବୀୟ ସହାୟତା ପଠାଇବା ଜାରି ରଖଛି ଇସ୍ରାଏଲ । ପାଲେଷ୍ଟାଇନକୁ ଅଧିକ ପରିମାଣର ଇନ୍ଧନ ପଠାଇବା ପ୍ରସ୍ତାବକୁ ଗ୍ରୀନ ସିଗନାଲ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ଗାଜାକୁ ପ୍ରତିଦିନ ୬୦ ହଜାର ଲିଟର ପାଣି ସହ ଅନ୍ୟ ଖାଦ୍ୟ ସାମଗ୍ରୀ ପଠାଇବାକୁ ଆମେରିକା କହି ଆସୁଛି । ସେପଟେ ଇସ୍ରାଏଲ ଯୁଦ୍ଧକୁ ନେଇ କଡ଼ା ଚେତାବନୀ ଦେଇଛି ତୁର୍କୀ । ତୁର୍କୀ ଅଂଚଳରେ ମଧ୍ୟ ହମାସ ଆତଙ୍କୀ ସକ୍ରିୟ ଥିବାରୁ ସେଠାରେ ମଧ୍ୟ ଇସ୍ରାଏଲ ହମଲା କରିବା ସମ୍ଭାବନା ରହିଛି । ତେବେ ତୁର୍କୀ ଉପରେ ଆକ୍ରମଣ କଲେ ଏହାର ପରିଣାମ ଭୟାବହ ହେବ ବୋଲି ଚେତାଇ ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ଏର୍ଦୋଗନ ।

 

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବିରାଟଙ୍କୁ ନିମନ୍ତ୍ରଣ, ଯୋଗଦେବେ ୭ ହଜାର ଲୋକେ

ଅଯୋଧ୍ୟା: ଅଯୋଧ୍ୟାରେ ତିଆରି ହେଉଥିବା ରାମ ମନ୍ଦିରର କାମ ପ୍ରାୟ ସରି ଆସିଲାଣି । ଏହି ଐତିହାସିକ ରାମ ମନ୍ଦିରରେ ବର୍ଷକର ବାଳକ ରୂପରେ ରାମଲାଲା ବିରାଜମାନ ହେବେ । ଏଥିପାଇଁ ଦୁଇଟି ପଥରରୁ ତିନୋଟି ମୂର୍ତ୍ତି ତିଆରି କରାଯାଉଛି, ସେଥିମଧ୍ୟରୁ ଗୋଟିଏ କର୍ଣ୍ଣାଟକରୁ ଏବଂ ଅନ୍ୟଟି ରାଜସ୍ଥାନରୁ ଅଣାଯାଇଛି। ଜାନୁଆରୀ ୨୨ରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଧାର୍ଯ୍ୟ କରାଯାଇଛି, ଯେଉଁଥିରେ ସାରା ବିଶ୍ୱରୁ ସାତ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଅତିଥିମାନଙ୍କ ମଧ୍ୟରେ ରହିଛନ୍ତି କ୍ରିକେଟ୍ ଜଗତର ଭେଟେରାନ୍ କ୍ରିକେଟର ସଚିନ୍ ତେନ୍ଦୁଲକର ଏବଂ ବିରାଟ କୋହଲି ।

ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ଅଟନ୍ତି। କ୍ରିକେଟ୍ ଦକ୍ଷତା ବ୍ୟତୀତ ଉଭୟ ଠାକୁରଙ୍କୁ ଭକ୍ତି ପାଇଁ ବି ଜଣାଶୁଣା । ସଚିନ ସତ୍ୟ ସାଇ ବାବାଙ୍କର ଜଣେ ଭକ୍ତ ଥିବାବେଳେ ବିରାଟ କୋହଲି ଉଜ୍ଜୈନରେ ଅବସ୍ଥିତ ବାବା ମହାକାଲଙ୍କ ମନ୍ଦିରରେ ପୂଜା କରିଥିଲେ ।

ନିମନ୍ତ୍ରଣ ଆଉ କିଏ କିଏ ପାଇଛନ୍ତି?

ସଚିନ, ବିରାଟଙ୍କ ବ୍ୟତୀତ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ ଟ୍ରଷ୍ଟ ତଥା ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନ ଏବଂ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସମେତ ପ୍ରାୟ ସାତ ହଜାର ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ସୂଚନାନୁସାରେ, ଟ୍ରଷ୍ଟ ୩ ହଜାର ଭିଭିଆଇପିଙ୍କ ସମେତ ୭ ହଜାର ଲୋକଙ୍କୁ ନିମନ୍ତ୍ରଣ ପତ୍ର ପଠାଇଛି। ୧୯୯୨ରେ ହତ୍ୟା କରାଯାଇଥିବା କର ସେବାକଙ୍କ ପରିବାରକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯିବ। ଆମନ୍ତ୍ରିତ ଭିଭିଆଇପିରେ ରାଷ୍ଟ୍ରିୟ ସ୍ବୟଂ ସେବାକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ, ଯୋଗ ଗୁରୁ ରାମ ଦେବ, ଶିଳ୍ପପତି ରତନ ଟାଟା, ଶିଳ୍ପପତି ଗୌତମ ଆଦାନୀ ମଧ୍ୟ ଅଛନ୍ତି। ଟ୍ରଷ୍ଟ ଦେଶର ବିଭିନ୍ନ ସ୍ଥାନରୁ ୪ ହଜାର ସାଧୁଙ୍କୁ ଆମନ୍ତ୍ରଣ କରିଛି ଯେଉଁମାନେ ରାମ ଜନ୍ମଭୂମୀ କମ୍ପ୍ଲେକ୍ସରେ ଉପସ୍ଥିତ ରହିବେ।

୫୦ ଟି ଦେଶର ପ୍ରତିନିଧୀଙ୍କୁ ନିମନ୍ତ୍ରଣ

ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, ସମାରୋହରେ ୫୦ ଟି ଦେଶରୁ ପ୍ରତ୍ୟେକ ପ୍ରତିନିଧୀଙ୍କୁ ଆମନ୍ତ୍ରଣ କରିବାକୁ ଉଦ୍ୟମ ଚାଲିଛି। ବିଚାରପତି, ବୈଜ୍ଞାନିକ, ଲେଖକ ଏବଂ କବିଙ୍କ ନିକଟକୁ ମଧ୍ୟ ନିମନ୍ତ୍ରଣ ପତ୍ର ପଠାଯାଇଛି। ଏହା ବ୍ୟତୀତ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ପୁରସ୍କାରରେ ପୁରସ୍କୃତ ହୋଇଥିବା ସାଧୁ, ପୁରୋହିତ, ଶଙ୍କରାଚାର୍ଯ୍ୟ, ଧାର୍ମିକ ନେତା, ପୂର୍ବତନ ଅମଲାତନ୍ତ୍ର, ଅବସରପ୍ରାପ୍ତ ସାମରିକ ଅଧିକାରୀ, ଆଇନଜୀବୀ, ସଂଗୀତଜ୍ଞ ଏବଂ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

VVIP ବାର୍ କୋଡ୍ ପାସ୍ ମାଧ୍ୟମରେ ସେମାନେ ଏଣ୍ଟ୍ରି କରିପାରିବେ । ୭ ହଜାର ଲୋକଙ୍କ ମଧ୍ୟରୁ ପ୍ରାୟ ୪ ହଜାର ଦେଶର ଧାର୍ମିକ ବ୍ୟକ୍ତି ବିଶେଷ ରହିବେ । ଅବଶିଷ୍ଟ ୩ ହଜାର ବିଭିନ୍ନ କ୍ଷେତ୍ରରୁ VVIP ହେବ । ସମାରୋହ ପୂର୍ବରୁ ନିମନ୍ତ୍ରିତ ଅତିଥିମାନଙ୍କ ସହିତ ଏକ ଲିଙ୍କ୍ ଦିଆଯିବ । ସେମାନେ ଲିଙ୍କକୁ ଯାଇ ପଞ୍ଜୀକୃତ ହେବେ ଏକ କୋଡ୍ ଆସିବ ଯାହା ଏଣ୍ଟ୍ରି ପାସ୍ ଭାବେ କାମ ଦେବ ।

କିଏ ରେବନ୍ତ ରେଡ୍ଡୀ ? କାହିଁକି ତାଙ୍କ ନାଁ ଏବେ ଚର୍ଚ୍ଚାରେ?

ହାଇଦ୍ରାବାଦ: ତେଲଙ୍ଗାନା କଂଗ୍ରେସର ଆଇକନ ଅନୁମୁଲା ରେବନ୍ତ ରେଡ୍ଡୀ । ବିଆରଏସକୁ ଗାଦିଚ୍ୟୁତ କରି ତେଲଙ୍ଗାନାରେ କଂଗ୍ରେସ ବିଜୟର ପ୍ରମୁଖ ସୂତ୍ରଧର ହେଉଛନ୍ତି ରେବନ୍ତ । ୮ ନଭେମ୍ବର ୧୯୬୯ରେ କୋଣ୍ଡାରେଡୀ ପଲ୍ଲୀରେ କୃଷକ ପରିବାରରେ ତାଙ୍କର ଜନ୍ମ । ରାଜନୈତିକ ପରିବାରରୁ ନ ଆସି ବି ରାଜନୈତିକ କ୍ୟାରିଅରରେ ହୋଇଛନ୍ତି ସଫଳ । ଓସମାନିଆ ୟୁନିଭର୍ସିଟିରରୁ ଭିଜୁଆଲ ଆର୍ଟସରେ ଡିଗ୍ରୀ ପାସ୍ କରିଥିବା ରେବନ୍ତ ସାତ ଭାଇଭଉଣୀଙ୍କ ମଧ୍ୟରୁ ଅନ୍ୟତମ ।

କ୍ଷୁଦ୍ର ବ୍ୟବସାୟ, ରିଅଲ ଏଷ୍ଟେଟରେ ପ୍ରବେଶ କରିଥିଲେ ରେବନ୍ତ । ଏହା ସହ ଏକ ପ୍ରିଣ୍ଟିଂ ପ୍ରେସ ପ୍ରତିଷ୍ଠା କରିଥିଲେ ରେବନ୍ତ । ପୂର୍ବତନ କଂଗ୍ରେସ ନେତା ଜୟପାଲ ରେଡ୍ଡୀଙ୍କ ଭାଣିଜୀ ଗୀତାଙ୍କୁ ବିବାହ କରିଥିଲେ । ୨୦୦୬ରେ ଥିଲେ ଏବିଭିପିର ସଦସ୍ୟ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ମିଦଜିଲ ମଣ୍ଡଳରୁ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲେ । ୨୦୦୭ରେ ଏମଏଲସି ସଦସ୍ୟ ହେବା ପରେ ଟିଡିପି ନେତା ଚନ୍ଦ୍ରାବାବୁ ନାଇଡୁଙ୍କୁ ଭେଟି ଟିଡିପିରେ ସାମିଲ ହୋଇଥିଲେ । ୨୦୦୯ରେ କୋଡାଙ୍ଗଲରୁ ଟିଡିପି ଏମଏଲଏ ହେବା ସହ ୨୦୧୪ରେ ତେଲଙ୍ଗାନାରୁ ଟିଡିପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ତେବେ ମେ ୨୦୧୫ରେ ଲାଞ୍ଚ ଦେବା ଉଦ୍ୟମ ଅଭିଯୋଗରେ ସେ ଗିରଫ ହୋଇଥିଲେ । ୨୦୧୭ରେ ଟିଡିପି ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ ରେବନ୍ତ । ୨୦୧୮ରେ କୋଡାଙ୍ଗଲରୁ କଂଗ୍ରେସ ବିଧାୟକ ଭାବେ ଲଢି ପରାସ୍ତ ହୋଇଥିଲେ । ସେପ୍ଟେମ୍ବର ୨୦୧୮ରେ ତେଲଙ୍ଗନା ପିସିସିର କାର୍ଯ୍ୟକାରୀ ସଭାପତି ହୋଇଥିଲେ । ୨୦୧୯ରେ ମାଲକାଜଗିରିରୁ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହେବା ସହ ଜୁନ ୨୦୨୧ରେ ତେଲଙ୍ଗାନା ପିସିସି ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ଅତୀତରେ ସେ କହିଥିଲେ ଦିନେ ନା ଦିନେ ସେ ହେବେ ମୁଖ୍ୟମନ୍ତ୍ରୀ । ଦଳିତ ନେତା ଭଟ୍ଟି ବିକ୍ରମାର୍କା ଓ ୭ ଥରର ବିଧାୟକ ଉତ୍ତମ କୁମାର ରେଡ୍ଡୀଙ୍କୁ ମାତ୍ ଦେଇ ସେ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ୬୪ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୪୨ ବିଧାୟକ ରେବନ୍ତଙ୍କ ସମର୍ଥନରେ ଥିବାବେଳେ ସେ ୧୦ ବର୍ଷର ବିଆରଏସକୁ କ୍ଷମତାଚ୍ୟୁତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ  ।

ପୁଣି ଜାତୀୟସ୍ତରରେ ସୁନାମ ଆଣିଲା ଓଡ଼ିଶା, ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ଉଲ୍ଲେଖନୀୟ

ଭୁବନେଶ୍ବର: ପୁଣି ଜାତୀୟସ୍ତରରେ ସୁନାମ ଆଣିଲା ଓଡ଼ିଶା । ଯୋଜନାର ସଫଳ କାର୍ଯ୍ୟନ୍ବୟନ, ତୃଣମୂଳସ୍ତରରେ କାର୍ଯ୍ୟକାରିତାରେ ଓଡ଼ିଶାକୁ ପ୍ରଶଂସା  । ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ନିରନ୍ତର ଭାବେ ଓଡ଼ିଶାର ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି । ଅକ୍ଟୋବର ମାସ ପାଇଁ ପ୍ରକାଶ ପାଇଥିବା ସାମଗ୍ରିକ ବର୍ଗର ଡେଲଟା ରାଙ୍କିଙ୍ଗରେ ରାୟଗଡ଼ା ଜିଲ୍ଲା ଭଲ ପ୍ରଦର୍ଶନ କରିଛି ।

ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନ, ଭିତ୍ତିଭୂମି ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଦି ୫ଟି ମାନଦଣ୍ଡକୁ ନେଇ ଏହି ସାମଗ୍ରିକ ରାଙ୍କିଙ୍ଗ୍ ପ୍ରକାଶ ପାଇଛି  । ଏଥିରେ ରାୟଗଡ଼ା ପୂରା ଦେଶରେ ପ୍ରଥମସ୍ଥାନ ଅଧିକାର କରିଛି । ତାଲିକାର ତୃତୀୟ ସ୍ଥାନରେ ରହିଛି ନୂଆପଡ଼ା  । ରାଜ୍ୟରେ ଫାଇଭ-ଟି ଉପକ୍ରମର ସଫଳ ଅନୁପାଳନ ଯୋଗୁଁ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ସାମିଲ ଓଡ଼ିଶାର ସାମିଲ ୧୦ ଜିଲ୍ଲା କ୍ରମାଗତ ଉନ୍ନତ ପ୍ରଦର୍ଶନ କରୁଛନ୍ତି  । ଗତ ସେପ୍ଟେମ୍ବରରେ ସାମଗ୍ରିକ ରାଙ୍କିଙ୍ଗରେ ଢେଙ୍କାନାଳ ଦେଶରେ ଚତୁର୍ଥ ସ୍ଥାନ, ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଦ୍ବିତୀୟ ଓ କନ୍ଧମାଳ ତୃତୀୟ ସ୍ଥାନ ଦଖଲ କରିଥିଲା । ଗତ ୨୦୧୮ ମସିହାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା  । ଦେଶର ଅନୁନ୍ନତ ଏବଂ ପଛୁଆ ଭାବେ ପରିଗଣିତ ୧୧୨ଟି ଜିଲ୍ଲାରେ ଦ୍ରୁତ ତଥା ଫଳପ୍ରଦ ଭାବେ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟନ୍ୱୟନ ଏବଂ ରୂପାନ୍ତରଣ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଓଡ଼ିଶାର ୧୦ଟି ଜିଲ୍ଲା ସାମିଲ ରହିଛି ।

ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା, BMW ମାଗୁଥିଲେ ବର ଘର ଲୋକେ

ଥିରୁଅନନ୍ତପୁରମ: ଯୌତୁକ ଚାପରେ ଆତ୍ମହତ୍ୟା କରିଦେଲେ ଡାକ୍ତରୀ ଛାତ୍ରୀ । ପୁଅ ଘର ଦାବି କରୁଥିଲେ BMW କାର୍ । କେରଳରେ ଘଟିଛି ଏହି ଘଟଣା । ୨୬ ବର୍ଷୀୟ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ ନେଇ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ତଦନ୍ତ ପାଇଁ ମହିଳା ଏବଂ ଶିଶୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମଙ୍ଗଳବାର ଛାତ୍ରୀ ଶାହାନାଙ୍କ ମୃତଦେହ ଥରୁଅନନ୍ତପୁରମ ସ୍ଥିତ ମେଡିକାଲ କଲେଜ ପାଖରେ ଥିବା ଏକ ଭଡ଼ା ଘରୁ ଉଦ୍ଧାର କରାଯାଇଛି । ତାଙ୍କର ହେବାକୁ ଥିବା ଶ୍ବଶୂର ଘର ଲୋକେ ବହୁ ଅଧିକା ଯୌତୁକ ଦାବି କରୁଥିଲେ । ଛାତ୍ରୀଙ୍କ ଘର ଲୋକ ଏତେ ଦେଇ ପାରିବେ ନାହିଁ କହିବାକୁ ବାହାଘର ଭାଙ୍ଗି ଯାଇଥିଲା । ଏହା ପରେ ଶାହାନା ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।

ସୂଚନା ଅନୁସାରେ, ଛାତ୍ରୀଜଣଙ୍କ ସେହି ଅନୁଷ୍ଠାନର ଜଣେ ପିଜି ଛାତ୍ରଙ୍କୁ ଭଲ ପାଉ ଥିଲେ । ବାହାଘର ମଧ୍ୟ ଠିକ୍ ହୋଇଥିଲା । କିନ୍ତୁ ପୁଅ ଘର ଲୋକେ ଅଧିକ ଯୌତୁକ ଦାବି କରୁଥିଲେ । ସୁନା, ଜମି ସହ BMW କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ମାଗୁଥିଲେ । ହେଲେ ତାଙ୍କ ପୁରୁଷ ବନ୍ଧୁ ଯୌତୁକ ନଦେଲେ ବିବାହ କରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଥିଲେ ।

ଶାହାନାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମାଆ ଆଉ ଶାହାନା ଦୁହେଁ ରୁହନ୍ତି । ତେବେ ଶାହାନାଙ୍କ ଆତ୍ମହତ୍ୟା ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ତାଙ୍କ ମାଆ ।