ଅନୁଗୁଳ : ଅନୁଗୁଳରେ ସ୍ବାସ୍ଥ୍ୟସେବାର ନୂଆ ଯୁଗ । ଆଜି ଉଦଘାଟିତ ହେବ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସରକାରୀ ଚିକିତ୍ସାଳୟକୁ ଉଦଘାଟନ କରିବେ । କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ତଥା ଖଣି ମନ୍ତ୍ରୀ ପ୍ରହଲାଦ ଭେଙ୍କଟେଶ ଯୋଶୀ ଅତିଥି ଭାବେ ଯୋଗଦେବେ । ପୂର୍ବରୁ ନେହେରୁ ଶତାବ୍ଦୀ ହସପିଟାଲ ଭାବରେ ତାଳଚେରରେ ଏହି ମେଡ଼ିକାଲ ଚାଲୁଥିଲା । ରାଜ୍ୟ ସରକାର ଏହାକୁ ହାତକୁ ନେବାସହ ନାମ ପରିବର୍ତ୍ତନ କରି ସ୍ବାଧୀନତା ସଂଗ୍ରାମୀ ପବିତ୍ର ମୋହନଙ୍କ ନାମରେ ଡାକ୍ତରଖାନାର ନାମକରଣ କରିଛନ୍ତି । ପରବର୍ତ୍ତୀ ସମୟରେ ଏହା ମେଡ଼ିକାଲ କଲେଜ ଭାବରେ ପରିଚାଳିତ ହେବ । ଯେଉଁଥିରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସମେତ ଡାକ୍ତରୀ ପାଠ୍ୟକ୍ରମ ରହିବ । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ।
୨ ରୁ ୩ ଦିନ ମଧ୍ୟରେ ଓଡ଼ିଶାକୁ ଫେରିବ ଶୀତ
ଭୁବନେଶ୍ୱର : ଓଡ଼ିଶାକୁ ଫେରିବ ଶୀତ । ୨ ରୁ ୩ ଦିନ ମଧ୍ୟରେ ଜାଡ ବଢିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋହଲା ପାଗ ପ୍ରଭାବ କମିବା ପରେ ଶୀତ ବଢିବ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ବର୍ତ୍ତମାନ କୋହଲା ପାଗ ସହ ମେଘୁଆ ଆକାଶ ପ୍ରଭାବରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଥିବା ବେଳେ ରାତ୍ରିର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହିଛି । ୯ ତାରିଖ ପରେ ଉପାନ୍ତରୁ ଉପକୂଳ ସବୁଠି ରାତିର ତାପମାତ୍ରା କମିବ । ![]()
ସେପଟେ ଦକ୍ଷିଣ-ଛତିଶଗଡ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି । ଏହାସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୩.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ଲାଗିରହିଛି । ଆସନ୍ତା ୨ ଦିନ ଭିତରେ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।
କଳିଙ୍ଗ ଷ୍ଟାଡିୟମରେ ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ସ୍କିପିଂ କରୁଥିବାର ଦୃଶ୍ୟ
ଭୁବନେଶ୍ୱର : ସ୍ପୋର୍ଟି ଲୁକରେ କାର୍ତ୍ତିକ ପାଣ୍ଡିଆନ । କଳିଙ୍ଗ ଷ୍ଟାଡିୟମରେ ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସ୍କିପିଂ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସକାଳୁ ସକାଳୁ ସ୍କିପିଂ କରି ଫିଟ୍ ରହିବାର ବାର୍ତ୍ତା ଦେଇଛନ୍ତି କାର୍ତ୍ତିକ । ଜଣେ ଆଥଲେଟ୍ ଭାବେ ପାଣ୍ଡିଆନ ବେଶ୍ ଜଣାଶୁଣା । ଏପରିକି ସେ କ୍ରୀଡ଼ା ଛାତ୍ରାବାସରେ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । କ୍ରୀଡ଼ା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି । ସବୁବେଳେ ଖେଳକୁ ଗୁରୁତ୍ବ ଦେବା ସହ ଫିଟ୍ ରହିବାର ବାର୍ତ୍ତା ପ୍ରଦାନ କରନ୍ତି ପାଣ୍ଡିଆନ । ଖେଳିଲେ ଉଭୟ ମାନସିକ ଓ ଶାରୀରିକ ପୂର୍ତ୍ତି ମିଳିଥାଏ । ଖେଳ ଜୀବନରେ ଏକ ସୁସ୍ଥ ଅନୁଭୂତି ଦେଇଥାଏ । କାର୍ତ୍ତିକଙ୍କ ଖେଳ ପ୍ରତି ଭଲପାଇବା ଓଡ଼ିଶାକୁ ଜାତୀୟ କ୍ରୀଡ଼ା ରାଜଧାନୀ ଭାବେ ରୂପାନ୍ତରିତ କରୁଛି ।
ଭେଟେରାନ ବଲିଉଡ୍ ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ
ମୁମ୍ବାଇ : କ୍ୟାନସର ଲଢେଇରେ ହାରିଗଲେ ଅଭିନେତା ଜୁନିଅର ମେହମୁଦ୍ । ୬୭ ବର୍ଷ ବୟସରେ ଭେଟେରାନ ବଲିଉଡ୍ ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ ହୋଇଛି । କ୍ୟାନସର ରୋଗରେ ପୀଡ଼ିତ ହୋଇ ଗତ ୨ ମାସ ଧରି ଚିକିତ୍ସାଧୀନ ରହିଥିଲେ । ସେ ଯକୃତ ଏବଂ ଫୁସଫୁସ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ରହିଥିଲେ । ଅନ୍ତନଳୀରେ ଟ୍ୟୁମର ଏବଂ ଜଣ୍ଡିସରେ ମଧ୍ୟ ଆକ୍ରାନ୍ତ ଥିଲେ ଜୁନିଅର ମେହମୁଦ୍ । ୬୦ ଓ ୭୦ ଦଶକର ବେଶ୍ ଚର୍ଚ୍ଚିତ ଶିଶୁ କଳାକାର ଥିଲେ ଜୁନିଅର ମେହମୁଦ୍ । କାରଭାଁ, ହାଥୀ ମେରେ ସାଥୀ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିୟନର ଜାଦୁ ଦେଖିବାକୁ ମିଳିଥିଲା । ମେରା ନାମ ଜୋକରରେ ବି ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା । ୪ ଦଶନ୍ଧିର କ୍ୟାରିଅରରେ ସେ ପ୍ରାୟ ୨୫୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି ।
Actor Naeem Sayyed, popularly known as Junior Mehmood, passed away last night at 2 am in Mumbai. He was suffering from stomach cancer and was not keeping well for the last few days. His last rites will be performed in Santacruz burial ground after today's afternoon prayers,… pic.twitter.com/VEFzyn0uXP
— ANI (@ANI) December 8, 2023
ଆଜି ଶପଥ ନେବେ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଡୁହୋମା
ମିଜୋରାମ : ମିଜୋରାମ ବିଧାନସଭା ନିର୍ବାଚନରେ ବହୁମତ ସହ ଜିତିବା ପରେ ଜୋରାମ ପିପୁଲ୍ସ ମୁଭମେଣ୍ଟ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଡୁହୋମା ଆଜି ଶପଥ ଗ୍ରହଣ କରିବେ । ବିରାଟ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଲାଲଡୁହୋମା । ଗତ ବୁଧବାର ରାଜ୍ୟପାଳ ହରି ବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟରେ ସରକାର ଗଠନ ପ୍ରସଙ୍ଗ ନେଇ ସେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି । ମିଜୋରାମ ବିଧାନସଭାର ୪୦ରୁ ୨୭ ଆସନ ଜିତି ଜେଡ୍ପିଏମ୍ ରାଜ୍ୟରେ ଦମ୍ଦାର ବିଜୟ ହାସଲ କରିଛି । ପୂର୍ବତନ ଆଇପିଏସ୍ ଲାଲଡୁହୋମା ଜୋରାମ ନ୍ୟାସନାଲିଷ୍ଟ ପାର୍ଟି ନାମକ ଏକ ଦଳ ଗଠନ କରିଥିଲେ, ଯାହା ମାଧ୍ୟମରେ ସେ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଥିଲେ। ଅନ୍ୟପକ୍ଷରେ ଲାଲଡୁହୋମାଙ୍କ ଦଳ ରାଜ୍ୟର ଅନ୍ୟ ପାଞ୍ଚଟି ଛୋଟ ଦଳ ସହ ଏକ ମେଣ୍ଟ ଗଠନ କରିଛି। ଯାହା ପରେ ସେହି ସହଯୋଗୀ ଦଳ ଏକ ରାଜନୈତିକ ଦଳରେ ପରିଣତ ହୋଇଥିଲା, ଯାହାକି ୨୦୧୭ ରେ ZPM (ଜୋରାମ ପିପୁଲ୍ସ ମୁଭମେଣ୍ଟ) ପାର୍ଟି ନାମରେ ସୃଷ୍ଟି ହୋଇଥିଲା |
ପୂର୍ବତନ ଆଇପିଏସ୍ ଲାଲଡୁହୋମା କିଏ?
ମିଜୋରାମର ସବୁଠାରୁ ବଡ ଦଳ ଭାବରେ ଉଭା ହୋଇଥିବା ZPM ସଭାପତି ଲାଲଡୁହୋମା, ମିଜୋରାମର ପୂର୍ବତନ ଆଇପିଏସ୍ ଅଧିକାରୀ। ଏକ ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ୧୯୭୨ ରୁ ୧୯୭୭ ପର୍ଯ୍ୟନ୍ତ ଲାଲଡୁହୋମା ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସହାୟକ ଭାବରେ କାର୍ଯ୍ୟ କରିଥିଲେ। ସ୍ନାତକୋତ୍ତର ପରେ ସେ ଭାରତୀୟ ସିଭିଲ ସର୍ଭିସେସ୍ ପରୀକ୍ଷା ଦେଇଥିଲେ। ୧୯୭୭ ରେ ଆଇପିଏସ୍ ହେବା ପରେ ସେ ଗୋଆରେ ସ୍କାଡ୍ ଲିଡର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ସେ ଚୋରା ଚାଲାଣକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପୋଲିସ୍ ଭାବରେ ତାଙ୍କର ଏହି ସଫଳତା ଖବରକାଗଜରେ ହେଡଲାଇନ ପାଲଟିଥିଲା | ୧୯୮୨ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ କରିଥିଲେ। ଡେପୁଟି କମିଶନର ଭାବେ ସ୍ୱତନ୍ତ୍ର ପଦୋନ୍ନତି ଦିଆଯାଇଥିଲା। ସେ ରାଜୀବ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ୧୯୮୨ ଏସିଆନ୍ ଗେମ୍ସର ଆୟୋଜକ କମିଟିର ସଚିବ ମଧ୍ୟ ଥିଲେ।
ଶପଥ ନେଉ ନେଉ କାମ ଆରମ୍ଭ କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀ
ତେଲଙ୍ଗାନା : ଶପଥ ନେଉ ନେଉ ଦାୟିତ୍ବ ନେଇ କାମ ଆରମ୍ଭ କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀ । ତେଲଙ୍ଗାନାର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେବନ୍ତ ରେଡୀ । ଉପମୁଖ୍ୟମନ୍ତ୍ରୀ ମାଲ୍ଲୁ ବିକ୍ରମାର୍କ ରେଡ୍ଡୀ, ବରିଷ୍ଠ ନେତା ଉତ୍ତମ କୁମାର ରେଡୀଙ୍କ ସମେତ ୧୧ ମନ୍ତ୍ରୀ ନେଇଛନ୍ତି ଶପଥ । ଆଜି ସକାଳ ୧୦ଟାରେ ଜ୍ୟୋତିବା ଫୁଲେ ପ୍ରଜା ଭବନରେ ପ୍ରଜା ଦରବାର ବସିବ ବୋଲି ଘୋଷଣା କରିଛନ୍ତି ରେବନ୍ତ । ଶପଥ ନେବା କ୍ଷଣି ମହାଲକ୍ଷ୍ମୀ, ରୟତୁ ଭରୋସା, ଗୃହ ଜ୍ୟୋତି, ଇନ୍ଦିରାମ୍ମା ଇନ୍ଦୁଲୁ, ୟୁବା ବିକାଶମ ଓ ଚେୟୁଥା ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ସେ କରିଛନ୍ତି ଘୋଷଣା । ପ୍ରତିଶ୍ରୁତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଥିବା ଲୁହାର ବ୍ୟାରିକେଡକୁ ସେ ହଟାଇ ଦେଇଛନ୍ତି । ଗତକାଲିର ସମାରୋହରେ ସାମିଲ ହୋଇଥିଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍କିକାର୍ଜୁନ ଖଡଗେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ବି ଉତ୍ସବରେ ସାମିଲ ହୋଇଥିଲେ ।
ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ ?
ନନ୍ଦିଘୋଷ ବ୍ୟୁରୋ : ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାରେ ପାଞ୍ଚଦିନ ବିତିଗଲାଣି । ତଥାପି ଛିଡୁନି ବିଜେପିର ଅଙ୍କକଷା । ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ । ନୂଆ ମୁହଁ ନା ପୁରୁଣା ମୁହଁ- ଏହାକୁ ନେଇ ଜାରି ରହିଛି ସସପେନସ । ରାଜସ୍ଥାନର ସିଏମ ଆଶାୟୀ ବସୁନ୍ଧରା ରାଜେ ଦିଲ୍ଲୀରେ ଡେରା ପକାଇଥିବାବେଳେ ବିଜେପିର ଜଣେ ଏମପି ଓ ୫ ବିଧାୟକ ଏକ ରିସର୍ଟରେ ରହିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବସୁନ୍ଧରାଙ୍କୁ ଆଉ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରୁନାହିଁ ବୋଲି ଚର୍ଚ୍ଚା ହେଉଛି । ହେଲେ ନୂଆ ମୁଖ୍ୟମନ୍ତ୍ରୀ କରିବାକୁ ବସୁନ୍ଧରା ରାଜି କରାଇବା ମଧ୍ୟ ଜରୁରୀ ହୋଇପଡ଼ିଛି । ତେଣେ ସଂସଦ ପଦରୁ ଇସ୍ତଫା ଦେଇଛନ୍ତି ବାବା ବାଲକନାଥ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ନୂଆ ମୁହଁ ନେଇ ସୂଚନା ଦେଇଥିବା ସତ୍ତ୍ବେ ସେ ଆଶା ହରାଇନାହାନ୍ତି ।
ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ
ଅନୁଗୁଳ: ରାତିରେ ଦୁଇ ଜଣଙ୍କୁ ଦଳିଦେଲା ହାତୀ । ଅନୁଗୁଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରେ ଘଟିଛି ଅଘଟଣ । ରାତି ପ୍ରାୟ 10 ଟା ବେଳେ ହାତୀଟି ଗାଁ ମୁହାଁ ହୋଇ ଦୁଇ ଜଣଙ୍କୁ ଆକ୍ରମଣ କରିଛି । ଆକ୍ରମଣରେ ଜଣେ ୧୮ ବର୍ଷ ଯୁବକ ଓ ଅନ୍ୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଶରଧାପୁର ଗାଁର ଗୁରୁ ନାଏକ ଘର ନିକଟରେ ବୁଲୁଥିବା ବେଳେ ହଠାତ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ହାତୀ ତାଙ୍କୁ ଦଳି ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗୁରୁଙ୍କୁ ଆକ୍ରମଣ କରି ହାତୀଟି ଯାଉଥିବା ବେଳେ ଛେଳିଆପଡା ଗାଁର ଅଇଁଠୁ ସାହୁ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ତାଙ୍କୁ ମଧ୍ୟ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ହାତୀ ଗୋଟିଏ ରାତିରେ ଦୁଇ ଜଣଙ୍କୁ ମାରିବା ଫଳରେ ଜିଲ୍ଲାରେ ଉଦବେଗ ପ୍ରକାଶ ପାଇଛି ।
5T ଅଧ୍ୟକ୍ଷଙ୍କୁ ଭେଟିଲେ ନବରଙ୍ଗପୁର ଜିଲ୍ଲାର ୩ ବିଧାୟକ ଓ ଏକାଧିକ ସଂଗଠନର କର୍ମକର୍ତ୍ତା
ଭୁବନେଶ୍ବର: ନୂଆ ଦାୟିତ୍ବ ପାଇଁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ । ଗୁରୁବାର 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି ନବରଙ୍ଗପୁର ଜିଲ୍ଲାର ୩ ବିଧାୟକ ଓ ଏକାଧିକ ସଂଗଠନର କର୍ମକର୍ତ୍ତା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ପରେ, ଜିଲ୍ଲାରେ ବିକାଶର ନୂତନ ଯୁଗ ଆରମ୍ଭ ହୋଇଛି । ଏନେଇ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଇଶ୍ବର ପାଣିଗ୍ରାହୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଏସଡିସି ପରାମର୍ଶଦାତା ପ୍ରଦୀପ ମାଝି ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଧଡ଼୍ୟବାଦ ଜଣାଇଛନ୍ତି ।

ସେହିଭଳି ପୂର୍ବତନ ଉମରକୋଟ ବିଧାୟକ ସୁବାସ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଓଏଲଆଇସି ପରାମର୍ଶଦାତା ପ୍ରମୋଦ ପାଢୀ ଓ ବିଜୁ ମହିଳା ଜନତା ଦଳ ଜିଳ୍ଲା ପର୍ଯ୍ୟବେକ୍ଷକ ରୁନୁ ଜେନା ମଧ୍ୟ 5T ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବା ପାଇଁ ପାଣ୍ଡିଆନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ସମସ୍ତେ । ଏକ ନୂତନ ଓଡିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାପାଇଁ ପାଣ୍ଡିଆନଙ୍କ କଠିନ ପରିଶ୍ରମ ଅତୁଳନୀୟ। ଏହି ପରିଶ୍ରମ ଓଡିଶାକୁ ନିଶ୍ଚିତ ରୂପେ ଆଗକୁ ନେବ ବୋଲି ସେମାନେ କହିଥିଲେ ।
୧୬ ମାସରେ ଆଉ ୪ ଥର ହାର୍ଟ ଆଟାକ୍: ତଥାପି ଜୀବିତ ମହିଳା
ନୂଆଦିଲ୍ଲୀ: ୧୬ ମାସରେ ୫୧ ବର୍ଷୀୟ ମହିଳାଙ୍କୁ ୪ ଥର ହୃଦଘାତ, ସମସ୍ତେ ହତବାକ୍ । ମହିଳାଙ୍କ ଦେହରେ ୫ଟି ଷ୍ଟେନ୍ସ ଲାଗିଛି। ସେ ୬ ଥର ଆଞ୍ଜିଓପ୍ଲାଷ୍ଟି କରିଛନ୍ତି ଓ ତାଙ୍କର ଥରେ ବାଇପାସ୍ ସର୍ଜରୀ ମଧ୍ୟ ହୋଇଛି। ହାର୍ଟ ଆଟାକ ବା ହୃଦଘାତ କଥା ଶୁଣିଲେ ସମସ୍ତେ ଭୟଭୀତ ଓ ଆତଙ୍କିତ ହୁଅନ୍ତି। କିନ୍ତୁ ଜଣେ ୫୧ ବର୍ଷୀୟ ମହିଳାଙ୍କୁ ୧୬ ମାସରେ ୫ଥର ହାର୍ଟ ଆଟାକ ହୋଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ମୁମ୍ବାଇ ଉପକଣ୍ଠ ମୁଲୁଣ୍ଡରେ ରହୁଥିବା ଜଣେ ମହିଳାଙ୍କ ସହ ଏପରି ଘଟିଛି। ସେ ମଧ୍ୟ ୫ ଥରର ଚିକିତ୍ସା ପରେ ସୁସ୍ଥ ରହିଛନ୍ତି। ହେଲେ କାହିଁକି ସେ ବାରମ୍ବାର ଏପରି ହୃଦଘାତର ସମ୍ମୁଖୀନ ହେଉଛନ୍ତି, ତାର କାରଣ ଡାକ୍ତରମାନେ ଜାଣି ପାରୁ ନାହାନ୍ତି।
ମହିଳାଙ୍କ ଦେହରେ ୫ଟି ଷ୍ଟେନ୍ସ ଲାଗିଛି। ସେ ୬ ଥର ଆଞ୍ଜିଓପ୍ଲାଷ୍ଟି କରିଛନ୍ତି ଓ ତାଙ୍କର ଥରେ ବାଇପାସ୍ ସର୍ଜରୀ ମଧ୍ୟ ହୋଇଛି। ରେଖା(ଛଦ୍ମନାମ) ନାମକ ମହିଳା ଜଣଙ୍କ ଶେଷ ଥର ପାଇଁ ଡିସେମ୍ବର ୧ ଓ ୨ ତାରିଖରେ କ୍ୟାଥ ଲାବକୁ ଯାଇଥିଲେ। ଚିକିତ୍ସା ପରେ ସେ ବାହାରକୁ ଆସିଛନ୍ତି। ସିଲା ପରେ ସେ କହିଛନ୍ତି, “ମୁଁ ଏତିକି ଜାଣିବାକୁ ଚାହେଁ ଯେ ମୋ ସହ ଭୁଲ କ’ଣ ରହିଛି। ଆଉ ୩ ମାସରେ ମୁଁ ପୁଣି ବ୍ଲକେଜର ସମ୍ମୁଖୀନ ହେବି କି ନାହିଁ, ସେକଥା ଜାଣିବାକୁ ଚାହୁଁଛି।”
ରେଖା ପ୍ରଥମଥର ପାଇଁ ୨୦୨୨ ମସିହା ସେପ୍ଟେମ୍ବର ମାସରେ ହୃଦଘାତର ସମ୍ମୁଖୀନ ହୋଇଥିଲେ। ସେ ଟ୍ରେନରେ ଜୟପୁରରୁ ବୋରିଭଲି ଆସୁଥିବା ବେଳେ ହୃଦଘାତ ଘଟିଥିଲା। ତାଙ୍କୁ ରେଳବାଇ ପକ୍ଷରୁ ତୁରନ୍ତ ଅହମଦାବାଦର ଗୋଟିଏ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଆଞ୍ଜିଓପ୍ଲାଷ୍ଟି ପାଇଁ ମୁମ୍ବାଇ ଅଣାଯାଇଥିଲା।
ଏହାପରେ ସେ ୧୬ ମାସରେ ଆଉ ୪ ଥର ହୃଦଘାତର ସାମ୍ନା କରିଛନ୍ତି। ଜୁଲାଇ ମାସରୁ ରେଖାଙ୍କ ଚିକିତ୍ସା କରୁଥିବା ଡାକ୍ତର ହସମୁଖ ରାୱତଙ୍କ କହିବା କଥା ଯେ ତାଙ୍କ ହାର୍ଟ ସମସ୍ୟା ଏବେ ବି ରହସ୍ୟମୟ ରହିଛି। ଡାକ୍ତର ରାୱତ ଜୁଲାଇ ମାସରୁ ଇତି ମଧ୍ୟରେ ରେଖାଙ୍କର ୨ ଥର ଆଞ୍ଜିଓପ୍ଲାଷ୍ଟି କରିଥିବା ବେଳେ ଗୋଟିଏ ଥର ବାଇପାସ୍ ସର୍ଜରୀ କରିଛନ୍ତି।
ରେଖା ନିଜର ସମସ୍ୟା ସମ୍ପର୍କରେ ଏକାଧିକ ବିଶେଷଜ୍ଞ ଡାକ୍ତରଙ୍କ ସହ କଥାବାର୍ତ୍ତା କରିଛନ୍ତି। ତଥାପି କେହି ବି ନିର୍ଦ୍ଦିଷ୍ଟ ଭାବେ କାହିଁକି ସେ ବାରମ୍ବାର ହୃଦଘାତର ସମ୍ମୁଖୀନ ହେଉଛନ୍ତି, ସେକଥା ଜାଣି ପାରୁ ନାହାନ୍ତି। ତେବେ ରକ୍ତ ଶିରାରେ କିଛି ସମସ୍ୟା ରହିଥିବା ସମସ୍ତେ ସନ୍ଦେହ କରୁଛନ୍ତି। ପରୀକ୍ଷାରୁ କିନ୍ତୁ ଏନେଇ ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ।
ଚିକିତ୍ସା ପରେ ସେ ସୁସ୍ଥ ହେଉଥିଲେ ହେଁ କିଛି ମାସର ବ୍ୟବଧାନ ପରେ ସେ ଛାତିରେ ଯନ୍ତ୍ରଣା, ଗ୍ୟାସ ସମସ୍ୟା ଓ ଅଣନିଃଶ୍ୱାସୀ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରେଖା କହିଛନ୍ତି, “ମୁଁ ଫେବୃଆରୀ, ମେ’, ଜୁଲାଇ ଓ ନଭେମ୍ବର ମାସରେ ହୃଦଘାତର ସମ୍ମୁଖୀନ ହୋଇଛି। ଗୋଟିଏ ଥର ହାର୍ଟ ଆଟାକ ଆଶଙ୍କାରେ ମଧ୍ୟ ମୋତେ ହସ୍ପିଟାଲ ନିଆଯାଇଥିଲା।”
ରେଖା ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ ଓ ମୋଟାପଣ ଭଳି ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ। ୨୦୨୨ ସେପ୍ଟେମ୍ବର ମାସରେ ତାଙ୍କର ଓଜନ ୧୦୭ କେଜି ଥିଲା। ହେଲେ ପ୍ରଥମ ହୃଦଘାତ ପର ଠାରୁ ଇତି ମଧ୍ୟରେ ସେ ୩୦ କେଜି ଓଜନ ହରାଇ ସାରିଲେଣି। କୋଲେଷ୍ଟ୍ରଲ ହ୍ରାସ ପାଇଁ ତାଙ୍କୁ ପିସିଏସ୍କେ୯ ଇଞ୍ଜେକସନ ମଧ୍ୟ ଦିଆଯାଉଛି। ମଧୁମେହ ନିୟନ୍ତ୍ରଣରେ ରହିଛି। କିନ୍ତୁ ହାର୍ଟ ସମସ୍ୟା ତାଙ୍କର ଜାରି ରହିଛି।
ଡାକ୍ତର ରାୱତଙ୍କ କହିବା କଥା ଯେ ସାଧାରଣତଃ ହାର୍ଟ ରୋଗୀଙ୍କର ବ୍ଲକେଜ ସମାନ ସ୍ଥାନରେ ହୁଏ। ହେଲେ ରେଖାଙ୍କ କ୍ଷେତ୍ରରେ ଏହା ଭିନ୍ନ ରହିଛି। ତାଙ୍କର ବିଭିନ୍ନ ସ୍ଥାନରେ ବ୍ଲକେଜ ଦେଖାଯାଉଛି। ୯୦% ବ୍ଲକେଜ ଯୋଗୁ ସେ ପ୍ରଥମଥର ହୃଦଘାତର ସମ୍ମୁଖୀନ ହୋଇଥିଲେ। ଦୁଇ ଥର ଡାହାଣ ଆଟରେରୀରେ ୯୯% ବ୍ଲକେଜ ଯୋଗୁ ହୃଦଘାତ ହୋଇଥିଲା। ମୁଖ୍ୟ ଆଟରେରୀ ମଧ୍ୟ ତାଙ୍କର ସମସ୍ୟା ରହିଥିଲା। ଏହାପରେ ଆଉ ୨ଟି ସ୍ଥାନରେ ମଧ୍ୟ ବ୍ଲକେଜ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି।
ଡିସେମ୍ବର ୧ ଓ ୨ ତାରିଖରେ ରେଖା ହୃଦଘାତର ସମ୍ମୁଖୀନ ହେବା ପରେ ତାଙ୍କୁ ଡାକ୍ତରମାନେ ଷ୍ଟେରୋଏଡ ଓ ଅନ୍ୟ କିଛି ଭିନ୍ନ ମେଡିସିନ ଦେବା ଆରମ୍ଭ କରିଛନ୍ତି। ଏହା ତାଙ୍କ ସମସ୍ୟା ସମାଧାନ କରିବ ବୋଲି ରେଖା ଆଶା ରଖିଛନ୍ତି।

