spot_img
Home Blog Page 2532

ଲାଞ୍ଚ ଟଙ୍କାରେ ବିଦେଶ ବୁଲୁଥିଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ

ଭୁବନେଶ୍ୱର: ଲାଞ୍ଚ ଟଙ୍କାରେ ବିଦେଶ ବୁଲୁଥିଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ। ଠୁଳ କରୁଥିଲେ ସୁନା ଅଳଙ୍କାର । କଳା ଟଙ୍କାରେ କିଣୁଥିଲେ ଦାମୀ ଜମି ଫ୍ଲାଟ । ଆୟ ବହିର୍ଭୁତ ସଂପତ୍ତିର ପରିମାଣ ପ୍ରାୟ ୨.୧୭ ପ୍ରତିଶତ। ଯାହା ଆୟ ଠାରୁ ୧୨୮ ପ୍ରତିଶତ ଅଧିକ।

ଖୋର୍ଦ୍ଧାରେ ୫ଟି ଦାମୀ ଜମି, ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ଘର ଓ ୨ଟି ଫ୍ଲାଟ ରହିଛି। ଜବତ ହୋଇଛି ୬୧୩ ଗ୍ରାମ ସୁନା ସହିତ ନଗଦ ୮ ଲକ୍ଷ ଟଙ୍କା । ୩୩ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ସରକାରୀ ବାବୁ। ଗିରଫ ପରେ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।

ଅଧିକ ପଢନ୍ତୁ:- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; ଗିରଫ ହେଲେ ପ୍ରଶାନ୍ତ କୁମାର ଗନ୍ତାୟତ 

ଉଲ୍ଲେଖଯୋଗ୍ୟ, ଭିଜିଲାନ୍ସର ରେଡ୍ ବେଳେ ପ୍ରଶାନ୍ତଙ୍କ ଭୁବନେଶ୍ବରରେ ଦୁଇଟି ବହୁତଳ ପ୍ରାସାଦ ଠାବ ହୋଇଛି । ୨ଟି ଫ୍ଲାଟ ସହ ୫ଟି ପ୍ଲଟ, ୧.୪୮କୋଟିର ଡିପୋଜିଟ ଠାବ । ୫୩୬ଗ୍ରାମ ସୁନା, ନଗଦ ୧.୨୧ ଲକ୍ଷ, ଗୋଟିଏ ଚାରି ଚକିଆ ଠାବ ହୋଇଛି ।

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ ଗଞ୍ଜାମର ୮ ଟି ସ୍ଥାନରେ ରେଡ୍‌ ହୋଇଥିଲା। ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର ପାଣ୍ଡରାସ୍ଥିତ ପ୍ଲଟ୍‌ ନମ୍ବର ୧୪ ଶହ ୮୫, ତିନି ମହଲା ଘର, ବ୍ରହ୍ମପୁର ନୀଳାଚଳ ହାଇଟ୍‌ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁର ସ୍ଥିତ ବିଲ୍ଡିଂ, ଲକ୍ଷ୍ମୀସାଗର ନୀଳାଚଳ ସିଟି କେନାଲ ରୋଡରେ ଥିବା ଆପାର୍ଟମେଣ୍ଟ, ଅଫିସ, ବ୍ରହ୍ମପୁର ବୈଦନାଥପୁର ସ୍ଥିତ ପୈତୃକ ଘର, ଭୁବନେଶ୍ୱର ୟୁନିଟ ୩ସ୍ଥିତ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ।

ପୁଣି ବଢ଼ିଲା ଆପ୍ ନେତା ସଞ୍ଜୟ ସିଂଙ୍କ ଅଡୁଆ

ନୂଆଦିଲ୍ଲୀ: ପୁଣି ବଢ଼ିଲା ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଅଡୁଆ।  ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସାଂସଦଙ୍କୁ ମିଳିଲାନି ବେଲ୍। ଆଜି ପୁଣି ଥରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

ଦିଲ୍ଲୀ ମଦନୀତି ମାମଲାରେ ଦିଲ୍ଲା ହାଇକୋର୍ଟ କହିଛନ୍ତି- ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଯଥାର୍ଥ। ଅର୍ଥ ହେରଫେର ମାମଲାରେ ସଞ୍ଜୟଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସମ୍ପୃକ୍ତି ସ୍ପଷ୍ଟ ବୋଲି କହିଛନ୍ତି ହାଇକୋର୍ଟ। ସେପଟେ ସଞ୍ଜୟଙ୍କ ଓକିଲ କହିଛନ୍ତି- ସଞ୍ଜୟଙ୍କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗିରଫ କରାଯାଇଛି। ସେ ବେଆଇନ ଅର୍ଥ କାରବାର ମାମଲାରେ ସମ୍ପୃକ୍ତ ନୁହନ୍ତି । ସେପଟେ ଆସନ୍ତା ଜାନୁଆରୀ ୩ରେ ହାଜର ହେବା ଲାଗି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ଜାରି କରିଛି ସମନ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପର ବହୁ ବଡ ବଡ ନେତା ଫସିଛନ୍ତି। ଅକ୍ଟୋବର ୪ରେ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା ଇଡି।

ଖୁବଶୀଘ୍ର ଓଡ଼ିଶା ଆସିବେ ବଡ଼ ବଡ଼ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଶା ଆସିବେ ବଡ଼ ବଡ଼ ଶିକ୍ଷାନୁଷ୍ଠାନ। ଟାଟା, ବିର୍ଲା, ଅଜିମ ପ୍ରେମଜୀ ଫାଉଣ୍ଡେସନ୍ ସମେତ କ୍ୟାମ୍ପ୍ରିଜ ଓ ଅକ୍ସଫୋର୍ଡ ପରି ବିଶ୍ବବିଦ୍ୟାଳୟର ପ୍ରତିନିଧି ଓଡ଼ିଶା ଆସିବେ। ଆସନ୍ତା ବର୍ଷ ଶିକ୍ଷାରେ ପୁଞ୍ଜିନିବେଶ ପାଇଁ ମେକ୍ ଇନ୍ ଓଡ଼ିଶା ଢାଞ୍ଚାରେ ଏଡୁ ଇନଭେଷ୍ଟ କନକ୍ଲେଭର ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିରେ ୧୧୬ ଜାତୀୟ ଓ ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ ଯୋଗ ଦେବେ। ଖୁବଶୀଘ୍ର ତାରିଖ ସ୍ଥିର କରିବେ ରାଜ୍ୟ ସରକାର।

ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ସହ ବ୍ୟାପକ ପୁଞ୍ଜି ନିବେଶ ପାଇଁ ଏହି କନକ୍ଲେଭ ଅନୁଷ୍ଠିତ ହେବ।  ଦେଶ ବିଦେଶର ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ଯୁଗ୍ମ ଡିଗ୍ରୀ ମିଳି ପାରିବା ସହ ପାଠ୍ୟକ୍ରମ, ଛାତ୍ର ଓ ଶିକ୍ଷକ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ପାଇଁ ଅନୁକୁଳ ବାତାବରଣ ସୃଷ୍ଟି କରିବ। ବିଦେଶର ବଡ଼ ବଡ଼ ଶିକ୍ଷାନୁଷ୍ଠାନ ପିପିପି ମୋଡରେ ରାଜ୍ୟର ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ କରି ପାରିବେ।

ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ରାଜ୍ୟକୁ ତିନୋଟି ଶିକ୍ଷା କରିଡରରେ ପରିଣତ କରାଯିବ। ପ୍ରଥମଟି ହେଲା ଭୁବନେଶ୍ବର-ପୁରୀ-କଟକ-ଖୋର୍ଦ୍ଧା-ବ୍ରହ୍ମପୁର, ଦ୍ବିତୀୟଟି ହେଲା – କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଏବଂ ଶେଷରେ  ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ରାଉରକେଲା ।

ମେକ୍ ଇନ୍ ଓଡ଼ିଶା ପରି ଏଡୁ ଇନଭେଷ୍ଟ କନକ୍ଲେଭ ବି ରାଜ୍ୟର ଅର୍ଥନୀତି ସମେତ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ବିକାଶ ଆଣିବାକୁ ଯାଉଛି। ଏନେଇ ଆସିବ ଏଡୁ ଇନଭେଷ୍ଟ ପଲିସି । ଯାହା ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ସହ ଶିଳ୍ପ ଓ ଶିକ୍ଷାର ସହଭାଗିତା ବୃଦ୍ଧି କରିବ ।

ରାୟଗଡାରେ ପୁଞ୍ଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ

ଭୁବନେଶ୍ୱର: ଆଦିବାସୀ ବହୁଳ ରାୟଗଡା ଜିଲ୍ଲାରେ ପୁଞ୍ଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ। ରାୟଗଡାରେ ପ୍ରତିଷ୍ଠା ହେବ ଆଦିତ୍ୟ ଆଲୁମିନା ରିଫାଇନାରୀ ବା ହିଣ୍ଡାଲକୋ ଓ ପୋଷାକ କାରଖାନା। ଏହି ଦୁଇଟି ପ୍ରକଳ୍ପ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାୟଗଡାର କଂଶାରୀଗୁଡାଠାରେ ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ହେଉଥିବା ବେଳେ ଫୁଲୁଜିବା ଗାଁରେ ପ୍ରତିଷ୍ଠା ହେବ ପୋଷାକ କାରଖାନା।

୨ ନିୟୁତ ଟନ କ୍ଷମତା ସମ୍ପନ୍ନ ଏହି ଆଲୁମିନା ରିଫାଇନାରୀ ପାଇଁ ୮ହଜାର କୋଟି ଟଙ୍କାର ପୁଂଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ। ସେହିଭଳି ପୋଷାକ କାରଖାନାରୁ ବାର୍ଷିକ ୩୬ ଲକ୍ଷ ସାର୍ଟ ତିଆରି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାର ଶିଳ୍ପାୟନରେ ଏହା କେବଳ ଏକ ମାଇଲଖୁଣ୍ଟ ନୁହେଁ। ରାଜ୍ୟର ଅନାଲୋଚିତ ପ୍ରାକୃତିକ ସମ୍ବଳର ସୁବିନିଯୋଗର ଏକ ସୁଯୋଗ। ରାଜ୍ୟର ଶିଳ୍ପ ମାନଚିତ୍ରରେ ଏହି ଦୁଇ ପ୍ରକଳ୍ପ ଏକ ନୂଆ ଅଧ୍ୟାୟ।

ରାଜ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ ପୁଂଜିନିବେଶ ପୁଣି ଥରେ ପ୍ରମାଣିତ କରିଛି ଯେ, ଉତ୍ପାଦନଭିତ୍ତିକ ଶିଳ୍ପ ପାଇଁ ଓଡିଶା ଶିଳ୍ପପତିଙ୍କ ପସନ୍ଦ । ଭୂମିପୂଜନ ସମାରୋହରେ ଏହି ଦୁଇ ପ୍ରକଳ୍ପ ପ୍ରତିଷ୍ଠାରେ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି। ଏଥିସହିତ ପ୍ରକଳ୍ପ ପାଇଁ ରାୟଗଡାବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ଏହି ଦୁଇ ପ୍ରକଳ୍ପ ରାୟଗଡାର ଆର୍ଥିକ ସ୍ଥିତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।

ଗତ ଅକ୍ଟୋବର ୫ ତାରିଖରେ ହୋଇଥିବା ଏମଓୟୁରେ ସରକାର ରିଫାଇନାରୀ ପ୍ଲାଣ୍ଟ ପାଇଁ ଦୀର୍ଘମିଆଦି କଞ୍ଚାମାଲ ଯୋଗାଦେବାକୁ ଚୁକ୍ତି ହୋଇଛି। ସେହିଭଳି ପୋଷାକ କାରଖାନା ଦ୍ବାରା ପ୍ରାୟ ୩ହଜାର ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ଫାଇଭ ଟି ଅଧ୍ୟକ୍ଷ, ହିଣ୍ଡାଲକୋ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ; ଜଗତ୍ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ନିମନ୍ତ୍ରଣ ପାଇଁ ଉଜ୍ଜୟିନୀ ଗଲେ ଟିମ୍

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଜଗତ୍ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନିମନ୍ତ୍ରଣ ପତ୍ର ନେଇ ଉଜ୍ଜୟିନୀ ଯାତ୍ରା ଆରମ୍ଭ କରିଛନ୍ତି ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟ। ଗତକାଲି ମହାପ୍ରଭୁଙ୍କ ଆଶିଷ ଭିକ୍ଷା ସହ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ହୋମ ଯଜ୍ଞ କିଭଳି ନିଷ୍ଠା ଓ ଭକ୍ତିର ସହ ସମାପନ କରାଯିବ ସେନେଇ ମୁକ୍ତି ମଣ୍ଡପ ବ୍ରାହ୍ମଣଙ୍କ ସହ ଗଜପତି ସ୍ବତନ୍ତ୍ର ବୈଠକ କରିଥିଲେ।

ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ବ୍ରାହ୍ମଣଙ୍କ ଦ୍ବାରା ଜାନୁଆରୀ ୧୨ରୁ ୧୭ ଯାଏଁ ହୋମ, ଯଜ୍ଞ ଓ ବେଦପାଠରେ କମ୍ପିବ ଶ୍ରୀକ୍ଷେତ୍ର। ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ପ୍ରଥମ ନିମନ୍ତ୍ରଣ ପତ୍ର ଦିଆଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟିନୀ ଯାତ୍ରା କରି ଜଗତଗୁରୁଙ୍କୁ ନିମନ୍ତ୍ରଣ କରିବେ।

ଜଗତଗୁରୁଙ୍କ ସହ ଵିସ୍ତୃତ ଭାବେ ବିଧିବିଧାନ ସମ୍ପର୍କରେ ହେବ ଆଲୋଚନା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ପରିଚାଳନା କମିଟିର ତିନିଜଣ ସଦସ୍ୟଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଉଜ୍ଜୟିନୀ ଯାତ୍ରା କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ପରେ ଭାରତବର୍ଷର ୪ ଧାମ, ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଓ ବିଭିନ୍ନ ଶୈବପୀଠ, ଶ୍ରୀଜଗନ୍ନାଥ ମନ୍ଦିର ଓ ବିଭିନ୍ନ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ କରାଯିବ।

ଏହି ଉତ୍ସବରେ ସଂକୀର୍ତ୍ତନ, ଯଜ୍ଞ ଓ ବେଦପାଠ କରାଯିବ। ଯଜ୍ଞ ପାଇଁ ୧୦୮ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହେବେ। ତନ୍ମଧ୍ୟରୁ ୬୦ ଜଣ ବ୍ରାହ୍ମଣ ଚାରିଦ୍ବାରରେ ବେଦ ପାରାୟଣ କରିବେ। ୧୨ ତାରିଖ ସନ୍ଧ୍ୟାରେ ଶ୍ରୀନହରରେ ଗଜପତି ମହାରାଜାଙ୍କ ଦ୍ବାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ସମ୍ପାଦନ ହେବ। ପରେ ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶ କ୍ରମେ ଗଜପତିଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ। ଜାନୁଆରୀ ୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଆରମ୍ଭ ହେବ ଯଜ୍ଞ। ୧୭ ତାରିଖ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ,  ଶଙ୍କରାଚାର୍ଯ୍ୟ ଓ ନିମନ୍ତ୍ରିତ ଅତିଥି ଯୋଗଦେବେ। ପରମ୍ପରା ଅନୁଯାୟୀ ୧୭ ତାରିଖରେ ଗଜପତିଙ୍କ ଦ୍ବାରା ଶଙ୍କରାଚାର୍ଯ୍ୟଙ୍କ ପାଦୁକା ପୂଜା କରାଯିବ ।

ରାଉରକେଲା: ନିୟନ୍ତ୍ରଣରେ ରହିଛି ଝାଡାବାନ୍ତି ସ୍ଥିତି, ପ୍ରକୃତ କାରଣ ଜାଣିବା ପାଇଁ ଚାଲିଛି ଅନୁଧ୍ୟାନ

ରାଉରକେଲା: ନିୟନ୍ତ୍ରଣରେ ରାଉରକେଲା ଝାଡାବାନ୍ତି। କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଉଛନ୍ତି ରୋଗୀ । ସଠିକ କାରଣ ଜଣା ପଡ଼ି ନଥିବାବେଳେ ଅନୁଧ୍ୟାନ କରୁଛନ୍ତି SCB ଓ RMRCର ସାଇଣ୍ଟିଷ୍ଟ ଟିମ୍। ଵିଭିନ୍ନ ସ୍ଥାନରୁ ୫ ଶହରୁ ଅଧିକ ଜଳ ନମୁନା ପରୀକ୍ଷା କରାଯାଇଛି। ମାଇକ୍ରୋ ଵାଇଲୋଜୀ ସାମ୍ପୁଲ ସହିତ ସମସ୍ତ ପ୍ରକାର ସାମ୍ପୁଲ ସଂଗ୍ରହ କରାଯାଇଛି। କିଛି ଆକ୍ରାନ୍ତଙ୍କ କଲେରା ରିପୋର୍ଟ ଆସିଥିବାରୁ ଏହାର ଅନୁସନ୍ଧାନ ଜାରି ରହିଛି । ଲୋକଙ୍କୁ ସଚେତନ କରୁଛନ୍ତି ଆରୋଗ୍ୟ ସମିତି, ଆଶାକର୍ମୀ, ହେଲଥ ଓ୍ବାର୍କର, ଅଙ୍ଗନବାଡ଼ି କର୍ମୀ ଓ  ଜଳସାଥୀ।

ଓ୍ବାଟକୋ ପକ୍ଷରୁ ରାଉରକେଲା ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି। ଜଳର ଉତ୍ସ, ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ମୁଖ୍ୟ ଜଳଭଣ୍ଡାର, ବିତରଣ ନେଟଓ୍ବର୍କ ସ୍ତରରେ ହାଇପର କ୍ଲୋରିନେସନ୍ କରାଯାଇଛି। ସହରର ପ୍ରାୟ ୧୮ଶହ ହ୍ୟାଣ୍ଡ ପମ୍ପ ଏବଂ ଷ୍ଟାଣ୍ଡ ପୋଷ୍ଟ ଗୁଡିକରେ କ୍ଲୋରିନେସନ୍ କାମ ସରିଛି। ସହରରେ ନିଯୁକ୍ତ ୨୭ ଜଣ ଜଳସାଥୀ ଗ୍ରାହକଙ୍କ ଘରକୁ ଯାଇ ପ୍ରତିଦିନ ପ୍ରାୟ ୩ଶହ ଜଳ ନମୁନା ପରୀକ୍ଷା କରୁଛନ୍ତି। ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ଟାଙ୍କି ସଫା ହୋଇନଥିବା ଅଭିଯୋଗ ପରେ ଚାଲିଛି ସଫେଇ କାମ।

୫୦ ରୁ ଅଧିକ ତାଲିମପ୍ରାପ୍ତ ଶ୍ରମିକ ଏବଂ ଓ୍ବାଟକୋ ଅଧିକାରୀ ସମ୍ଭାବ୍ୟ ଲିକେଜ୍ ପଏଣ୍ଟରେ ପାଇପ ଲାଇନ ରକ୍ଷଣାବେକ୍ଷଣ କାମରେ ନିୟୋଜିତ ଅଛନ୍ତି। ବିଭିନ୍ନ ସ୍ଥାନରେ ୬୦ରୁ ଅଧିକ ସ୍ଥାନରେ ପାଇପ ଲିକେଜର ମରାମତି କରାଯାଇଛି। ସଂକ୍ରମଣକୁ ପ୍ରତିହତ କରିବାକୁ ସରକାରୀ ଡାକ୍ତରଖାନାରେ କମିଶନର, ସିଡିଏମଓ, ଡାକ୍ତରଖାନାର ଵରିଷ୍ଠ ଅଧିକାରୀ, SCB ଟିମ ଓ RMRCର ସାଇଣ୍ଟିଷ୍ଟଙ୍କୁ ନେଇ ବୈଠକ କରାଯାଇଛି।

ପଦ୍ମଶ୍ରୀ ଫେରାଇବେ ବଜରଙ୍ଗ ପୁନିଆ

ପଦ୍ମଶ୍ରୀ ପୁରସ୍କାର  ବିଜେତା ବଜରଙ୍ଗ ପୁନିଆ ଫେରାଇବେ ନିଜର ପଦ୍ମଶ୍ରୀ  ।  ରେସଲିଙ୍ଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ର ଅଧ୍ଯକ୍ଷ  ନିର୍ବାଚନରେ ସଞ୍ଜୟ ସିଂହ ଜିତିବା ପରେ ତାଙ୍କୁ  ନେଇ ଅନେକ ରେସଲର୍ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।  ନିଜର ଅସନ୍ତୋଷ ପ୍ରକାଶ କରି ଷ୍ଟାର ରେସଲର୍ ବଜରଙ୍ଗ ପୁନିଆ ସେ ପାଇଥିବା ପଦ୍ମଶ୍ରୀ ପୁରସ୍କାର  ଫେରାଇ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।  ରିଓ ଅଲମ୍ପିକ୍ସରେ  ଦେଶ ପାଇଁ ପଦକ ଜିତିଥିବା ରେସଲର୍ ସାକ୍ଷୀ ମଲ୍ଲିକ୍  ରେସଲିଙ୍ଗ କ୍ଯାରିଅର୍ ରୁ ଗତକାଲି ଅବସର ନେଇଥିବା ବେଳେ ଆଜି  ପଦ୍ମଶ୍ରୀ ବିଜେତା ବଜରଙ୍ଗ ପୁନିଆ ନିଜର ପୁରସ୍କାର ଫେରାଇ ଦେବେ ବୋଲି କହିଛନ୍ତି  ।

ଏହି ରେସଲର୍ସ୍ ମାନେ ବହୁ ଦିନରୁ ବୃଜ ଭୂଷଣଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ  ।  ଅଧ୍ଯକ୍ଷ ପଦ ଜିତିଥିବା ସଞ୍ଜୟ  ସିଂହ  ବ୍ରିଜ ଭୂଷଣଙ୍କ  ସହଯୋଗୀ ହୋଇଥିବାରୁ ଏହି ରେସଲସ୍ ମାନେ ଅସନ୍ତୋଷ ଜାହିର କରିଛନ୍ତି  । ରେସଲସ୍ ମାନଙ୍କର ଦାବି ଥିଲା ଯେ ରେସଲିଙ୍ଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ର ଅଧ୍ଯକ୍ଷ  ପଦରେ କେହି ମହିଳା ରହିବା ଦରକାର  ।  ବଜରଙ୍ଗ ପୁନିଆ ତାଙ୍କର ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ମୁଁ ମୋର ପଦ୍ମଶ୍ରୀ ପୁରସ୍କାର  ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କାର ଫେରାଇଦେଉଛି   । ସଞ୍ଜୟ ସିଂହ ଅଧ୍ୟକ୍ଷ ପଦ  ଜିତିବା ପରେ ଅନେକ ରେସଲର୍ସ ଙ୍କୁ ଶକ୍ତ ଧକ୍କା ଲାଗିଛି  ।

ଚାଲିଛି ପିକନିକ୍ ଋତୁ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ

କୋକସରା: ଆସିଗଲାଣି ପିକନିକ୍ ଋତୁ। ଚଳଚଞ୍ଚଳ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ। କଳାହାଣ୍ଡି ଜିଲ୍ଲାର ଐତିହାସିକ ତୀର୍ଥ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ। ବଣଭୋଜି ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ମନଭରି ମଜା ନେଉଛନ୍ତି ପର୍ଯ୍ୟଟକ।

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶ। ମତୁଆଲା କରୁଛି ଝରଣାର କୁଳୁକୁଳୁ ନାଦ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ।  ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଥିବା ଐତିହାସିକ ପର୍ଯ୍ୟଟନ ସ୍ଥଳୀ ମଧୁମାଧବ ତୀର୍ଥ ଗୁଡହାଣ୍ଡି ଡୋକରୀ ଚଞ୍ଚରାର। କିଏ ଝରଣାର କୁଳୁକୁଳୁ ନାଦରେ ଝୁମୁଛି ତ କିଏ ସ୍ମୃତି ସାଉଁଟିବାପାଇଁ ସେଲଫି ନେଉଛି। ପର୍ଯ୍ୟଟନ ଋତୁ ଆସିଲେ ଏଠି ଲାଗେ ପର୍ଯ୍ୟଟକଙ୍କ ଭିଡ। ଏଠାରେ ଥିବା ଶ୍ରୀରାମ ମନ୍ଦିର ଓ ପ୍ରାଗ ଯୁଗର ଶିଳା ଲିପି ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। ଭୋଜିଭାତ ସାଙ୍ଗକୁ ପ୍ରକୃତିର ମଜା ନେଉଛନ୍ତି ପର୍ଯ୍ୟଟକ।

ପ୍ରତ୍ୟେକ ବର୍ଷ ଡିସେମ୍ବର ଆସିଲେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକଙ୍କ ଲାଗୁଛି ଭିଡ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ୯ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପର୍ଯ୍ୟଟନସ୍ଥଳୀର ବିକାଶ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ କରାଯାଇଛି।

ମହିଳାଙ୍କ ଲୁହର ବାସ୍ନାରୁ କମୁଛି ପୁରୁଷଙ୍କ ରାଗ !

ନୂଆଦିଲ୍ଲୀ:  ଝଗଡା ହେଲେ ମହିଳାମାନେ ଆଖିର ଲୁହକୁ ତାଙ୍କ ଅସ୍ତ୍ର ଭାବେ ବ୍ୟବହାର କରନ୍ତି ବୋଲି କିଛି ଅନେକ ଲୋକ କୁହନ୍ତି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ, ଯେତେବେଳେ ଝଗଡା ହୁଏ ସେତେବେଳେ ମହିଳମାନେ କାନ୍ଦନ୍ତି ଆଉ ତାହା ପରେ ପରେ ଝଗଡା ଶେଷ ହୋଇଯାଏ । କୁହାଯାଏ, ପୁରୁଷମାନେ ମହିଳା ମାନଙ୍କ ଲୁହ ଦେଖିଲେ ଦୁବର୍ଳ ହୋଇଯାନ୍ତି । କିନ୍ତୁ ଏହା ସତ୍ୟ ନୁହେଁ । ବରଂ ଲୁହ ଏକ ଏମିତି ଅସ୍ତ୍ର ଯାହା ଦ୍ବାରା ପୁରୁଷ ଓ ମହିଳା ସେଚତନ ହୁଅନ୍ତି ।

ଲୁହରେ ଅଛି ଏକ ରାସାୟନିକ ସଙ୍କେତ

ବାସ୍ତବରେ କହିବାକୁ ଗଲେ, ଏକ ଗବେଷଣାରୁ  ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି  । ପିଏଲ୍ଓଏସ୍ ବାଓଲୋଜିରେ ଗୁରୁବାର ପ୍ରକାଶିତ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି  । ଏହାକୁ ନେଇ ଇସ୍ରାଏଲର ବିଜମେନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ପକ୍ଷରୁ ଏକ ଗବେଷଣା କରାଯାଇଛି  ।  ଯେଉଁଥିରୁ ଜଣାପଡିଛି, ମଣିଷଙ୍କ ଲୁହରେ ଏକ ରାସାୟନିକ ସଙ୍କେତ ଥାଏ, ଯାହା ରାଗ ସହିତ ଜଡିତ ମସ୍ତିଷ୍କର ଦୁଇଟି ଅଂଶର କାର୍ଯ୍ୟକଳାପକୁ ମନ୍ଥର କରିଥାଏ। ଏହି କାର୍ଯ୍ୟର ନେତୃତ୍ୱ ନେଇଥିବା, ପି.ଏଚ.ଡି. ଛାତ୍ର ଶନି ଏଗ୍ରୋନ୍ କହିଛନ୍ତି, ଯେତେବେଳେ ଗେବଷଣାକାରୀମାନେ ଗବେଷଣା ପାଇଁ ବ୍ୟକ୍ତି ଖୋଜିବା ଆରମ୍ଭ କଲେ, ଅଧିକାଂଶ ମହିଳା ଆଗକୁ ଆସିଲେ କାରଣ କାନ୍ଦିବା ସେମାନଙ୍କ ପାଇଁ ସାମାଜିକ ଦୃଷ୍ଟିରୁ ଅଧିକ ଗ୍ରହଣୀୟ ।

ମହିଳା ମୂଷାଙ୍କ ଲୁହ ପୁରୁଷ ମୂଷାଙ୍କ ମଧ୍ୟରେ ଝଗଡା ହ୍ରାସ କରିଥିଲା ​​ଏବଂ ଅନ୍ୟ ମୂଷାଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ପୁରୁଷ ମୂଷାମାନେ ନିଜ ଲୁହକୁ ପ୍ରୟୋଗ କରିଥିଲେ ବୋଲି ପୂବର୍ରୁ ଏକ ଗବେଷଣା ଜଣାପଡିଥିବା ୱାଇଜମ୍ୟାନ୍ ଇନଷ୍ଟିଚ୍ୟୁଟ୍ ଟିପ୍ପଣୀ କରିଛି । ଲୁହର ବାସ୍ନା ଟେଷ୍ଟୋଷ୍ଟେରନ୍ ହ୍ରାସ କରିଥାଏ ବୋଲି ଅନ୍ୟାନ୍ୟ ଅନୁସନ୍ଧାନରୁ ଜଣାପଡିଥିବା ବୈଜ୍ଞାନିକମାନେ କହିଛନ୍ତି । ଏଗ୍ରୋନ୍ ନ୍ୟୁଜ୍ ୱିକ୍କୁ କହିଛନ୍ତି ଯେ, ଲୁହର ଗନ୍ଧ ପରେ ପୁରୁଷମାନଙ୍କରେ ଟେଷ୍ଟୋଷ୍ଟେରନ୍ ସ୍ତର ହ୍ରାସ ହୋଇଥିବା ପୂର୍ବ ଫଳାଫଳଗୁଡିକ ମଧ୍ୟ ସୂଚିତ କରେ  । ମୂଷା ପରେ, ଆମେ ଅନୁମାନ କଲୁ ଯେ ଲୁହ ମଣିଷରେ ମଧ୍ୟ ସମାନ ପ୍ରଭାବ ପକାଇବ । ଲ୍ୟାବରେ ଏହାର ପ୍ରଭାବ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ ।

ଆଖିର ଲୁହରେ ପୁରୁଷମାନଙ୍କର ପ୍ରତିଶୋଧ ପାଇଁ ଇଚ୍ଛା ୪୩.୭% ହ୍ରାସ  ପାଇଥାଏ  । ଏପରି ପରିସ୍ଥିତିରେ, ଗବେଷକମାନେ ୬୨ ଜଣଙ୍କୁ ଗଭୀର ଭାବରେ ଅଧ୍ୟୟନ କରିଥିଲେ   । ସେମାନଙ୍କ ମଧ୍ୟରୁ ଚାରିଜଣ ଲୁହ ଦ୍ୱାରା ପ୍ରଭାବିତ ହୋଇଥିଲେ କିନ୍ତୁ ଏହାର ବାସ୍ନା ଦ୍ୱାରା ନୁହେଁ ।

ଲିଭରପୁଲ୍ ଜନ୍ ମୋରେସ୍ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀ ଡକ୍ଟର ମୀନା ଲିୟନ୍ସ  କହିଛନ୍ତି, ଏହି ଅନୁସନ୍ଧାନ ଉଲ୍ଲେଖନୀୟ, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ସଠିକ୍ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। ସେ କହିଛନ୍ତି ଯେ ଘରୋଇ କଳିରେ ଅପରାଧିଙ୍କ ଆକ୍ରୋଶ ହ୍ରାସ କରିବା ପାଇଁ ଲୁହର କିଛି ଫରକ ପଡେ ନାହିଁ  । ଲିୟନ୍ସ କହିଛନ୍ତି, କାନ୍ଦିବାର ସାମାଜିକ ପ୍ରସଙ୍ଗ ଅତ୍ୟନ୍ତ ଜଟିଳ  । ମୁଁ ସନ୍ଦେହ କରୁଛି ଯେ, ଲୁହ ପ୍ରଭାବଶାଳୀ ହୋଇପାରେ କିନ୍ତୁ ଏହା କେବଳ ଆକ୍ରୋଶକୁ ହ୍ରାସ କରିଥାଏ ।

ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ତି, ସାଇଫର ମାମଲାରେ ମିଳିଲା ଜାମିନ

ଇସଲାମାବାଦ: ସାଇଫର ମାମଲାରେ ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ର ଦୁଇ ନେତାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସର୍ଦ୍ଦାର ତାରିକ ମସୁଦଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ଜଷ୍ଟିସ୍ ଅତହର ମୀନଲ୍ଲାହ ଏବଂ ସୟଦ ମନସୁର ଅଲି ଶାହା ସାମିଲ ରହିଛନ୍ତି।

ଏହି ମାମଲା କୂଟନୈତିକ ଡକ୍ୟୁମେଣ୍ଟ ସହ ଜଡିତ। ଇମ୍ରାନ ଖାନ ଜାଣିଶୁଣି ଏହି ଗୁପ୍ତ ଦସ୍ତାବିଜକୁ ସାର୍ବଜନୀନ କରିଥିଲେ। ଏହି ଡକ୍ୟୁମେଣ୍ଟରେ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ଆମେରିକା ପକ୍ଷରୁ ଧମକ ଦିଆଯାଇଥିବା ନେଇ ପିଟିଆଇ ପକ୍ଷରୁ ଦାବି କରାଯାଇଥିଲ।।

ଅଦିୟାଲା ଜିଲ୍ଲା ଜେଲରେ ଏହି ଶୁଣାଣି ହୋଇଥିଲା। ଅକ୍ଟୋବର ୨୩ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ସହଯୋଗୀ ଶାହ ମହମୁଦ କୁରେଶୀ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିଲେ।