spot_img
Home Blog Page 2554

ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଭାରତ

ବାଙ୍ଗାଲୋର: ଟିମ୍ ଇଣ୍ଡିଆର ବଡ଼ ବିଜୟ । ଚଳିତ ବିଶ୍ବକପରେ ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଛି ଭାରତ । ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସକୁ ୧୬୦ ରନରେ ପରାସ୍ତ କରିଛି ରୋହିତ ବାହିନୀ । ଭାରତ ପକ୍ଷରୁ ବୁମରା, ଜାଡେଜା, ସିରାଜ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ସବୁଠାରୁ ବଡ଼ କଥା ହେଉଛି କି କୋହଲି ଏବଂ ରୋହିତଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମଧ୍ୟ ମିଳିଛି । ଭାରତୀୟ ଦଳର ୯ ଜଣ ବୋଲର ବୋଲିଂ କରିଥିଲେ । ଶୁଭମନ ଗିଲ ମଧ୍ୟ ବୋଲିଂ କରିଥିବା ନଜର ଆସିଥିଲା । ନେଦରଲାଣ୍ଡସ ଆଗରେ ୪୧୧ ରନର ବିଶାଳ ଲକ୍ଷ୍ୟ ରହିଥିବାବେଳେ ୨୫୦ ରନରେ ଅଲଆଉଟ ହୋଇଛି ଦଳ ।

ଚଳିତ ବିଶ୍ବକପ୍‌ରେ ଭାରତ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପାଇଁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍‌ ଗିଲ। ରୋହିତ ୫୪ଟି ବଲ୍‌ ଖେଳି ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ୍‌ଙ୍କ ବ୍ୟାଟରୁ ୫୧ ରନ୍‌ ଅମଳ ହୋଇଥିଲା। ଗିଲ୍‌ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। ଭାରତୀୟ ବ୍ୟାଟର ବିରାଟ କୋହଲି ଆଜି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ମୋଟ୍‌ ୫୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।

ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା ଟିମ ଇଣ୍ଡିଆ । ଚଳିତ ବିଶ୍ବକପରେ ଭାରତ କରିଥିଲା ସର୍ବାଧିକ ସ୍କୋର । ଶ୍ରେୟସ ଆୟର ଓ କେ.ଏଲ ରାହୁଲ ଦମଦାର ଶତକ ସହାୟତାରେ ୫୦ ଓଭରରେ ୪ ଓ୍ବିକେଟ ହରାଇ ୪୧୦ ରନ କରିଥିଲା ଭାରତ । କେ.ଏଲ. ରାହୁଲ ୪ଟି ଛକା ଓ ୧୧ଟି ଚୌକା ସହାୟତାରେ ୬୪ ବଲରେ ୧୦୨ରନ ସଂଗ୍ରହ କରିଥିଲେ । ସେହିପରି ୯୪ବଲରେ ୫ଛକା ଓ ୧୦ଟି ଚୌକା ମାରି ୧୨୮ରନ କରିଥିଲେ ଶ୍ରେୟସ ଆୟର । ଶ୍ରେୟସ ଓ କେ ଏଲ ରାହୁଲଙ୍କ ୨୦୮ ରନ ପାର୍ଟନରସିପ ବଳରେ ଟିମ ଇଣ୍ଡିଆ ନେଦରଲାଣ୍ଡସ ଆଗରେ ବିଶାଳ ସ୍କୋର ଛିଡା କରିଥିଲା । ଭାରତୀୟ ହିସାବରେ ବିଶ୍ବକପରେ କେଏଲ ରାହୁଲଙ୍କ ଏହା ଦ୍ରୁତତମ ଶତକ । ସେହିପରି ୫୪ବଲରୁ ୬୧ରନ କରିଥିଲେ କ୍ୟାପଟେନ ରୋହିତ ଶର୍ମା । ରୋହିତଙ୍କ ଅର୍ଦ୍ଧଶତକୀୟ ଇନିଂସରେ ରହିଥିଲା ୨ଛକା ଓ ୮ଟି ଚୌକା । କୋହଲି ୫୬ବଲରେ ୫୧ ଏବଂ ଶୁଭମନ ଗିଲ ୩୨ ବଲରେ ୫୧ରନ କରିଥିଲେ । ଜବାବରେ ୪୧୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନେଦରଲାଣ୍ଡସ । ନିୟମିତ ଭାବେ ଦଳର ଓ୍ବିକେଟ ପତନ ନେଦରଲାଣ୍ଡସକୁ ପରାଜୟ ଦ୍ବାରଦେଶକୁ ନେଇଯାଇଥିଲା । ଶେଷରେ ୨୫୦ ରନରେ ଦଳ ଅଲଆଉଟ ହୋଇଯାଇଥିଲା ।

ଦୀପାବଳିରୁ ଆରମ୍ଭ ହେଲା ୨୦୨୪ ନିର୍ବାଚନ ପାଇଁ ବିଜେଡିର ରୋଡମ୍ୟାପ୍‌

ଭୁବନେଶ୍ବର: ଦୀପାବଳିରୁ ଆରମ୍ଭ ହେଲା ୨୦୨୪ ନିର୍ବାଚନ ପାଇଁ ବିଜେଡିର ରୋଡମ୍ୟାପ୍‌ । ବିକାଶ ପ୍ରସଙ୍ଗ ନେଇ ସବୁବେଳେ ଦଳ ଲୋକଙ୍କ ପାଖକୁ ଯାଉଛି । ଏହି ପଥରେ ବିଜେଡି ଲଗାତାର ପାଞ୍ଚ ପାଞ୍ଚ ଥର ପାଇଛି ନିରଙ୍କୁଶ ସଫଳତା । ୨୦୧୯ ଅପେକ୍ଷା ୨୦୨୪ରେ ଅଧିକ ଆସନ ହାତେଇବାକୁ ଆହୁରି ପରିଶ୍ରମ କରିବାରେ ଲାଗିପଡ଼ିଛି ଦଳ । ବିଭିନ୍ନ କାର୍ଯ୍ୟକ୍ରମ ସହ କର୍ମୀଙ୍କୁ ଦିଗଦର୍ଶନ ଓ ଟ୍ରେନିଂ, ଦଳୀୟ କାର୍ଯ୍ୟଧାରାକୁ ଆଗେଇ ନେବାରେ ଅଧିକ ସହାୟକ ହେଉଛି ।

ଦୀପାବଳି : ଅନ୍ଧକାର ଉପରେ ଆଲୋକର ବିଜୟ । ଏହି ଅବସରରେ ରାଜ୍ୟର ବିକାଶ ଧାରାକୁ ଆହୁରି ସୁଗମ କରିବା ପାଇଁ ବିଜେଡି କସରତ ଆରମ୍ଭ କରିଛି । ଗାଁ ଗାଁରେ ବିକାଶ । ଯାହା ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଜାରି ରହିଛି । ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଦୀପାବଳିରୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରା ଯୋଗୁ ହିଁ ଲୋକ ପାଞ୍ଚ ପାଞ୍ଚଥର ବିଜେଡିକୁ ଲଗାତାର ଭୋଟ୍‌ ଦେଇଆସିଛନ୍ତି । ଉପନିର୍ବାଚନ, ପୌର ଓ ପଞ୍ଚାୟତ ନିର୍ବାଚନରେ ବି ଶୀର୍ଷ ସଫଳତା ପାଇଛି ବିଜେଡି । ଯାହା ୨୦୨୪ରେ ରିପିଟ୍ କରି ଅଧିକ ଆସନ ହାସଲ ଲକ୍ଷ୍ୟରେ ବିଜେଡି କାମ ଚଲାଇଛି । ଗଣିତଠାରୁ ବହୁ ଆଗକୁ ଯାଇ ବିପୁଳ ବିଜୟର ଆଶା ରଖିଛି ବିଜେଡି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ ଯୋଜନା ହିଁ ବିଜେଡିର ଅସଲ ପୁଞ୍ଜି । କେନ୍ଦ୍ରର ବାରମ୍ବାର ଅବହେଳାକୁ ବି ଖାତିର କରିନାହାନ୍ତି ନବୀନ । ତାଙ୍କ ଯୋଜନା ଓ ଆଦର୍ଶ ସମ୍ପର୍କରେ ବିଜେଡି କର୍ମୀମାନଙ୍କୁ ଟ୍ରେନିଂ ମାଧ୍ୟମରେ ଦିଗଦର୍ଶନ ଦିଆଯାଉଛି । ରାଜ୍ୟ ସରକାରଙ୍କ ସଫଳତା ଓ ବିକାଶର ରୂପାନ୍ତରଣ କାହାଣୀ ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ ସକ୍ରିୟ ସଦସ୍ୟମାନଙ୍କୁ ଟ୍ରେନିଂ ଦିଆଯାଇଛି । ଯାହାକୁ ସେମାନେ ଓ୍ବାର୍ଡ, ପଞ୍ଚାୟତ, ବ୍ଲକ୍‌ ଓ ଜିଲ୍ଲା ପରିଷଦ ଜୋନରେ ଅନ୍ୟ ସଦସ୍ୟମାନଙ୍କୁ ଅବଗତ କରୁଛନ୍ତି । ଟ୍ରେନିଂ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଉଛି । କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ଶାଣିତ ସ୍ବର ଉଠାଇବା ପାଇଁ ଦଳୀୟ କର୍ମୀଙ୍କୁ ଦିଆଯାଉଛି ଗୁରୁମନ୍ତ୍ର । ଘରେ ଘରେ ଶଙ୍ଖ ଓ ସୋସିଆଲ ମିଡିଆର ସକାରାତ୍ମକ ବ୍ୟବହାର ଜରିଆରେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଲୋକଙ୍କ ପାଖରେ ବିକାଶର ବାର୍ତ୍ତା ପହଞ୍ଚାଉଛି ।

 

କେବେ କମିବ ପେଟ୍ରୋଲ-ଡିଜେଲ-ଗ୍ୟାସ ଦର ?

ଭୁବନେଶ୍ବର: କେବେ କମିବ ପେଟ୍ରୋଲ-ଡିଜେଲ-ଗ୍ୟାସ ଦର ? ଦେଢ଼ ବର୍ଷ ହେଲା ମହଙ୍ଗା ମାଡ଼ରେ ଲୋକେ ହତାଶ । ଅଶୋଧିତ ତୈଳ ଦର ଆଧାରରେ ଡାଇନାମିକ ଦର ନିର୍ଦ୍ଧାରଣ ବ୍ୟବସ୍ଥା ଅକାମି । ଲାଭ ଉପରେ ଲାଭ କରିଚାଲିଛନ୍ତି ତୈଳ ବିପଣନ କମ୍ପାନୀ । ଚଳିତ ବର୍ଷ ପ୍ରଥମ ଦୁଇ ତ୍ରୈୟମାସିକରେ ୩ ତୈଳ କମ୍ପାନୀଙ୍କ ଲାଭ ହେଲାଣି ୬୨ ହଜାର କୋଟି ।  ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୧ ଡଲାରକୁ ଖସିଲେ ବି ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର ଏବେ କମିବାର ନାହିଁ ।

ଲାଭ । ଲାଭ ଉପରେ ଡବଲ ଲାଭ । ଓ୍ବିଣ୍ଡ୍ ଫଲ୍ ଗେନ କରି ମାଲାମାଲ ତୈଳ କମ୍ପାନୀ  । ହାତ ଚିକ୍କଣ କରୁଛି କେନ୍ଦ୍ର  । ଏପଟେ ପଇସା ଗଣି ଗଣି ଗ୍ରାହକଙ୍କ ହାତ ଶୁଖି ଫାଟିଲାଣି । ଅଶୋଧିତ ତୈଳ ଦର ବୃଦ୍ଧି ଓ ହ୍ରାସକୁ ଆଳକରି କେନ୍ଦ୍ର ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଦେଢ଼ବର୍ଷ ହେଲାଣି ପେଟ୍ରୋଲ ଲିଟର ୧୦୩ ଟଙ୍କା ୩୭ ପଇସା ଓ ଡିଜେଲ ଲିଟର ୯୪ ଟଙ୍କା ୮୬ ପଇସା ରହିଛି । ଗତ ଅଗଷ୍ଟରୁ ସେପ୍ଟେମ୍ବର ଭିତରେ କିଛି ଦିନ ପାଇଁ ଅଶୋଧିତ ତୈଳ ଦର ୯୦ ଡଲାର ପାର୍ କରିଥିଲା । ଏବେ ଗ୍ରାଫ ତଳମୁହାଁ ହେବାରେ ଲାଗିଛି । ରବିବାର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ରହିଛି ୮୧.୬୪ ଡଲାର ।

ଆଶା କରାଯାଉଥିଲା ଅଶୋଧିତ ତୈଳ କମୁଥିବାରୁ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର କମିବ । କିନ୍ତୁ କମିବାର ଆଶା ଦେଖାଯାଉନି । ୨୦୧୭ରୁ ୨୦୨୨ ଭିତରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ IOCL, BPCL, HPCL ବାର୍ଷିକ ଲାଭ କରିଛନ୍ତି ୬୦ ହଜାର କୋଟି । ଗତ ଆର୍ଥିକ ବର୍ଷ ପ୍ରଥମ ଓ ଦ୍ବିତୀୟ ତ୍ରୈୟମାସିକରେ ୩ଟି ଯାକ ତୈଳ କମ୍ପାନୀ କ୍ଷତି ସହିଲେ ୨୩ ହଜାର ୮୭୦ କୋଟି ୧୯ ଲକ୍ଷ । ପରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ, ରୁଷିଆର ଶସ୍ତା ଅଶୋଧିତ ତୈଳ ଯୋଗୁ ଶେଷ ଦୁଇ ତ୍ରୟମାସିକରେ କ୍ଷତି ଭରଣା ହୋଇ ଲାଭ କଲେ ୩୩ ହଜାର କୋଟି ।

ବଡ଼ କଥା ହେଉଛି, ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ହିଁ ତୈଳ କମ୍ପାନୀଙ୍କ ଚାନ୍ଦି ହିଁ ଚାନ୍ଦି । ଲାଭ ଉପରେ ଡବଲ ବୋନାଞ୍ଜା । ୨୦୨୩-୨୪ ଆର୍ଥିକ ବର୍ଷର ଦୁଇ ତ୍ରୟମାସିକରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଲାଭ କଲେଣି ୬୨ ହଜାର କୋଟି । ତୃତୀୟ ଓ ଚତୁର୍ଥ ତ୍ରୟମାସିକରେ ଏହି ଲାଭ ପରିମାଣ ସହଜରେ ୧ ଲକ୍ଷ କୋଟି ପାର୍ କରିଯିବ ବୋଲି ଆକଳନ କରାଯାଉଛି ।

ଅଶୋଧିତ ତୈଳ ଦର କମିବା ବଢିବା ସହିତ ଖୁଚୁରା ଦର ବଦଳିବ । ଏବର କେନ୍ଦ୍ର ସରକାର ଏଥିପାଇଁ ଡାଇନାମିକ ପ୍ରାଇସ୍ ମେକାନିଜିମ୍ ବ୍ୟବସ୍ଥା ଆରମ୍ଭ କରିଥିଲେ । ଯେଉଁ ବ୍ୟବସ୍ଥାକୁ ଏବେ ସଂପୂର୍ଣ୍ଣ ଅକାମି କରିଦିଆଯାଇଛି । ପେଟ୍ରୋଲ ଓ ଡିଜେଲକୁ ଦୁହାଁଳିଆ ଗାଈ ବୋଲି କେନ୍ଦ୍ର ସରକାର ଧରି ନେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ସବୁ ଜିନିଷର ଦର ବି ମହଙ୍ଗା ହୋଇଛି । ରୋଜଗାର ବି ସଂକୁଚିତ ହେଉଛି । ଲୋକଙ୍କ କ୍ରୟ ଶକ୍ତିର ବଡ଼ ଅଂଶ ପେଟ୍ରୋଲ ଓ ଡିଜେଲରେ ଖର୍ଚ୍ଚ ହେଉଥିବାରୁ ଆର୍ଥିକ ଅବସ୍ଥା ଦୁର୍ବଳ ହେବାରେ ଲାଗିଛି । ଏଭଳି ସ୍ଥିତି ଏ ଦେଶରେ କେବେ ବି ଦେଖିବାକୁ ମିଳିନଥିଲା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

 

 

ମଥୁରାରେ ବଡଧରଣର ଅଗ୍ନିକାଣ୍ଡ

ବ୍ୟୁରୋ ରିପୋର୍ଟ: ଉତ୍ତରପ୍ରଦେଶ ମଥୁରାରେ ବଡଧରଣର ଅଗ୍ନିକାଣ୍ଡ । ବାଣ ଦୋକାନରେ ନିଆଁ ଲାଗି ଲକ୍ଷ ଟଙ୍କାର ବାଣ ନଷ୍ଟ । ଗୋପାଳବାଗ ଇଲାକାରେ ଘଟିଥିବା ଘଟଣାରେ ୨୬ଟି ଦୋକାନ ପାଉଁଶ ହୋଇଯାଇଥିବାବେଳେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ନିଆଁରେ ତେଜ ଏତେ ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳ ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା । ଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚିବାବେଳେ ସବୁକିଛି ଶେଷ ହୋଇଯାଇଥିଲା । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସୂଚନା ଦେଇଛି ପୋଲିସ ।

ଅଭିଜ୍ଞ ଚିତ୍ରକର ପରି ଚିତ୍ର ଆଙ୍କୁଛି କୁନି ପୁଅ

ଚାନ୍ଦବାଲି: ନା ଅଛି ହାତରେ ତୁଳୀ ନା ଅଛି ରଙ୍ଗ । ବିଦ୍ୟାଳୟର କଳାପଟା ଆଉ ଚକ ସାହାଯ୍ୟରେ କୁନି ହାତ  ଆଙ୍କି ଚାଲିଛି  ଭଳିକି ଭଳି ଚିତ୍ର । ଜଣେ ଅଭିଜ୍ଞ ଚିତ୍ରକର ପରି ଆଙ୍କୁଛି ଚିତ୍ର । ବିନା ପ୍ରଶିକ୍ଷଣ , ବିନା ପ୍ରେରଣାରେ  ନୂତନ ପରିଚୟ ସୃଷ୍ଟି କରିବା ପାଇଁ କୁନି ହାତ କରୁଛି ସଂଘର୍ଷ । କୁନି କୁନି ହାତରେ ପ୍ରତିଭାବାନ ଚିତ୍ରକର ଭଳି ଚିତ୍ର କଳା । ମାତ୍ର ପାଞ୍ଚ ମିନିଟରେ ବ୍ଲାକ ବୋଡରେ ଆଙ୍କି ଦେଉଛନ୍ତି ବିଭିନ୍ନ ଦେବଦେବୀଙ୍କ ଚିତ୍ର । ଆବଶ୍ୟକ ପଡୁନି କୈଣସି ତୁଳି କି ରଙ୍ଗ । ଚକ ସାହାର୍ଯ୍ୟାରେ ଚିତ୍ର ଆଙ୍କି ଏବେ ଚର୍ଚ୍ଚାରେ ୭ ବର୍ଷର ଶିଶୁ ମନୋଜ ମାଝୀ ।

ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଶୁଭାଦିଆର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ବିତୀୟ ଶ୍ରେଣୀର ଛାତ୍ର ମନୋଜ। ପାଠ ପଢା ବ୍ୟତୀତ ଚିତ୍ର ଆଙ୍କିବାରେ ସେ ମାହିର । ବିଦ୍ୟାଳୟରେ ଟିକିଏ ସମୟ ପାଇଲେ କିମ୍ବା  ଶ୍ରେଣୀରେ ସାର ନ ଥିବା ସମୟରେ ହାତରେ ଚକ ଧରି ବ୍ଲାକ ବୋର୍ଡରେ ଚିତ୍ର ଆଙ୍କି ସମସ୍ତଙ୍କୁ ଚକିତ କରନ୍ତି । ଏଥିପାଇଁ ସେ କୌଣସି ପ୍ରଶିକ୍ଷଣ ନେଇ ନାହାଁନ୍ତି । ସବୁଠାରୁ ବଡ କଥା ହେଲା ମନୋଜ ଚିତ୍ର ଆଙ୍କିବା ବେଳେ କେବେ ଲିଭାନ୍ତି  ନାହିଁ କି ଓଭର ରାଇଟିଂ କରନ୍ତି ନାହିଁ । ତାର ଏହିଭଳି  ପ୍ରତିଭାର ପରିଚୟ ପାଇବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାକୁ ଉତ୍ସାହିତ କରୁଛନ୍ତି ।

ପ୍ରତିଭାର ବିକାଶ ପାଇଁ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିଲେ ବି ସୁବିଧା ସୁଯୋଗ ଅଭାବରୁ ଭାଗ ନେଇ ପାରୁନାହାନ୍ତି ମନୋଜ । ଆଗକୁ ସୁଯୋଗ ମିଳିଲେ ପ୍ରତିଯୋଗିତାରେ ଭାଗ ନେବି ବୋଲି କୁହିଛନ୍ତି ସେ । ପ୍ରଶିକ୍ଷଣ ନେଲେ ମନୋଜ ଆହୁରି ଭଲ ଚିତ୍ର ଆଙ୍କିବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି  କୁହନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ।

 

କ୍ରିକେଟ ପ୍ରତି ବଢ଼ିଛି ଆଗ୍ରହ, ଯୁବପିଢ଼ୀଙ୍କୁ କରିଛି କିମିଆ

ଚଣ୍ଡିଖୋଲ: ଯୁବ ପିଢିଙ୍କୁ କିମିଆ କରିଛି କ୍ରିକେଟ । କ୍ରିକେଟ ପ୍ରତି ପ୍ରାୟ ସମସ୍ତଙ୍କ ଆଗ୍ରହ । ଯୁବ ପିଢ଼ିଙ୍କୁ କ୍ରିକେଟ ପ୍ରତି ଆଗ୍ରହ ସୃଷ୍ଟି କରୁଛନ୍ତି କୋଚ ନବ କିଶୋର ଭଞ୍ଜ. ସେ ଝାରଖଣ୍ଡ ରୁ ଫେରି ନିଜ ଅଂଚଳ ରେ ଥିବା ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା ସହ ଆଗାମୀ ଦିନରେ ଭଲ ଖେଳାଳି ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଖେଳ ପଡିଆରେ ଚାଲିଛି ଖେଳାଳିଙ୍କ ଜୋରଦାର ଅଭ୍ୟାସ । କ୍ରିକେଟ ଖେଳ ପ୍ରତି ମନ ବଳାଉଛନ୍ତି ଯୁବୁପିଢି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଳ୍ପତରୁ ଦାସ ଷ୍ଟାଡିୟମରେ ଧର୍ମଶାଳା ଅଂଚଳର ବହୁ ଖେଳାଳି କ୍ରିକେଟ ଖେଳରେ ନିଜକୁ ସାମିଲ କରୁଛନ୍ତି । ଏହି ଖେଳାଳି ମାନଙ୍କୁ ଉତ୍ସାହିତ କରୁଛନ୍ତି ଯାଜପୁର ବରୀ ଅଂଚଳର କୋଚ ନବ କିଶୋର ଭଞ୍ଜ । ସେ ଝାରଖଣ୍ଡରେ ନିଜଶ୍ବ ଏକ ଏକାଡେମୀ କରି ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଅନ୍ତି । ନବ କିଶୋର ଅନେକ ଖେଳାଳିଙ୍କୁ ଆଗକୁ ନେଇ ବେଶ ସଫଳତା ପାଇ ପାରିଛନ୍ତି । ସେ 15 ବର୍ଷ ଧରି ଝାରଖଣ୍ଡରେ ରହିବା ପରେ ଏବେ ସେ ନିଜ ଅଂଚଳକୁ ଫେରି ସ୍ଥାନୀୟ ଅଂଚଳରେ ଥିବା କ୍ରିକେଟ ପ୍ରତି ଆଗ୍ରହ ଥିବା ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ମୋଟ 50 ଜଣ ଖେଳାଳି ଏଠାରେ ପ୍ରଶିକ୍ଷଣ ନେଉଥିବା ବେଳେ ବିନା ପାରିଶ୍ରମିକରେ ସେ ସମସ୍ତ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।

ଖେଳାଳି ମାନେ କେଉଁଭଳି ଫିଜିକାଲ ଫିଟ ରହିବେ ଏନେଇ ସେମାନଙ୍କୁ ବ୍ୟାୟାମ ସହ ଜିମ କରାଉଛନ୍ତି ନବ କିଶୋର । କ୍ରିକେଟ ଖେଳ ପାଇଁ ଆବଶ୍ୟକୀୟ ଟିପ୍ସ ଖେଳାଳି ମାନଙ୍କୁ ଦେଉଛନ୍ତି । ପ୍ରତି ରବିବାର ପିଲା ମାନଙ୍କ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି । କୋଚଙ୍କ ଠୁ ପ୍ରଶିକ୍ଷଣ ପାଇଁ ଖେଳାଳିମାନେ ମଧ୍ୟ ବେଶ ଖୁସି ବ୍ୟକ୍ତ କରୁଛନ୍ତି ।

 

ଦୀପାବଳିରେ ସ୍ବତନ୍ତ୍ର, ଶାଢ଼ୀରେ ଆଲୋକର ପର୍ବ

ସୁବର୍ଣ୍ଣପୁର: ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ଓ ବାନ୍ଧଶିଳ୍ପୀ । କେତେବେଳେ ଏଠାକାର ହାତବୁଣା ଶାଢୀ କେତେବେଳେ ବଲିଉଡ ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ ପାଳଟିଥିବା ବେଳେ ରାଜନେତା ମାନେ ମଧ୍ୟ ପରିଧାନ କରିଥାନ୍ତି। ତେବେ ସୁବର୍ଣ୍ଣପୁରର ବାନ୍ଧଶିଳ୍ପୀଙ୍କ ହାତରେ ରହିଛି ଯାଦୁ। ନିଆରା ଡିଜାଇନ କରି ବିଶ୍ବ ଦରବାରରେ ସୃଷ୍ଟି କରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ। ଏବେ ମେହେର ସମ୍ପ୍ରଦାୟ ପାଳନ କରୁଥିବା ଦିପାବଳୀଙ୍କୁ ନେଇ ଆଉ ଏକ ନିଆରା ଡିଜାଇନ କରି ଚର୍ଚ୍ଚାରେ ଜଣେ କାରିଗର।

ରଜା ବାହାବେ ଆବେ, ଖଣ୍ଡ ଖଜା ଖାବେ, ଅନ୍ଧାରେ ଆବେ, ଉଜାଲେ ଜାବେ, ନଡ଼ିଆ ମହା ପ୍ରସାଦ ଖାବେ, ରଜା ବାହାବେ । ହାତରେ ଆଖୁ ଦଣ୍ଡ, ଉପରେ ପିଠାରେ ତିଆରି ସ୍ବତନ୍ତ୍ର ଦୀପ । ମେହେର ସମ୍ପ୍ରଦାୟର ବଡବଡୁଆ ଡାକ ଓ ଦୀପାବଳି ପାଳନ ବେଳର ଦୃଶ୍ୟ ଶାଢୀରେ ଆଙ୍କିଛନ୍ତି ସୁବର୍ଣ୍ଣପୁରର ଜଣେ ବୁଣାକାର । ବିରମହାରାଜପୁର ବ୍ଲକ କେନ୍ଦୁପାଲି ଗାଁର ବାନ୍ଧଶିଳ୍ପୀ ମନୋଜ ମେହେର ଏଭଳି ଶାଢୀ ବୁଣି ଏବେ ଚର୍ଚ୍ଚାରେ ରହିଛନ୍ତି । ଯାହାକୁ ନେଇ ସେ ରାଜ୍ୟ ସରକାରଙ୍କଠାରୁ ପୁରସ୍କାର ମଧ୍ୟ ପାଇଛନ୍ତି । ଫଳରେ ବେସ ଖୁସି ଅନୁଭବ କରିଛନ୍ତି ପରିବାର ଲୋକ।

ମନୋଜଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ଡିଜାଇନକୁ ବାନ୍ଧଶିଳ୍ପୀ ପ୍ରଫୁଲ୍ଲ ମେହେର ପ୍ରସ୍ତୁତ କରିଥିଲେ। ପରେ ମନୋଜଙ୍କ ପୁରା ପରିବାର ଏଥିରେ ନିୟୋଜିତ ହେବା ସହ ଅକ୍ଲାନ୍ତ ପରିଶ୍ରମ କରି ଶାଢିକୁ ପ୍ରସ୍ତୁତ କରିଛନ୍ତି । ଏବେ ଏହି ଶାଢୀ ବଜାରରେ ମିଳୁଥିବାବେଳେ ଏହାର ଦାମ ପ୍ରାୟ ୨୫ ରୁ ୩୦ ହଜାର ଟଙ୍କା ଥିବା କହିଛନ୍ତି ମନୋଜ। ନିଜେ ପାଳନ କରୁଥିବା ନିଆରା ପରମ୍ପରାକୁ ଶାଢୀରେ ସ୍ଥାନ ଦେଇ ନୁଆଁ ପରିଚୟ ସୃଷ୍ଟି କରିଛନ୍ତି ମନୋଜ।

ଆତଙ୍କ ଖେଳାଇଛି ଅଜଣା ପୋକ

ସିମୁଳିଆ: ଆତଙ୍କ ଖେଳାଇଛି ଅଜଣା ପୋକ । ହସୁଥିବା ସୁନାର ଫସଲରେ ଲାଗିଯାଇଛି କାହାର ନଜର। ହେକ୍ଟର ହେକ୍ଟର ଜମିରେ ଚାଷ କରିଥିବା ଚାଷୀଙ୍କୁ ଘାରିଛି ଅଜଣା ପୋକଙ୍କ ଚିନ୍ତା । ଫସଲ ବଞ୍ଚାଇବା ପାଇଁ ଚାଷୀ ବିଭିନ୍ନ ପରିଶ୍ରମ କରୁଛି ହେଲେ ସବୁ ବିଫଳ । ଏବେ ସରକାର ସହାୟତାକୁ ଚାତକ ପରି ଅନାଇଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଚାଷୀ ।

ଦାଉ ସାଧୁଛି ଅଜଣା ପୋକ । ସୁନାର ଫସଲରେ ପଡିଯାଇଛି କାହା ନଜର  । ଉଜୁଡି ଯାଇଛି ହଜାର ହଜାର ହେକ୍ଟର ଚାଷ । ଏବେ ଧାରକରଜ ସୁଝିବା ଓ ବର୍ଷ ଯାକର ପେଟ ପାଟଣ ଚିନ୍ତାରେ ମୁଣ୍ଡରେ ହାତ ଦେଇଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଂଚାୟତର ଶତାଧିକ ଚାଷୀ । ପୋକ ଲାଗିବା ଦ୍ଵାରା ଧାନ ନଫଳି ଲାଲ ପଡ଼ି ମରି ଯାଉଛି । ବାରମ୍ବାର ଚାଷୀମାନେ ଧାନରେ ଔଷଧ ସିଞ୍ଚନ କରୁଥିଲେ ବି କିଛି ସୁଫଳ ମିଳୁ ନାହିଁ । ସରକାର ସହାୟତା ପାଇଁ ଏବେ  ଅନୁରୋଧ କରିଛନ୍ତି ଚାଷୀକୁଳ ।

ସେପଟେ ଫସଲ କ୍ଷୟକ୍ଷତି ଅଭିଯୋଗ ପରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ବ୍ଲକ କୃଷି ଅଧିକାରୀ । ତେବେ ଔଷଧ ସିଞ୍ଚନ ପରେ ବି ଫସଲ କାହିଁକି ରୋଗ ପୋକ ଦାଉରୁ ରକ୍ଷା ପାଇଲା ନାହିଁ ତାହାର ଅନୁଧ୍ୟାନ କରାଯାଇଛି । ସେପଟେ କ୍ଷୟକ୍ଷତିର ସଠିକ ରିପୋର୍ଟ ମିଳିବା ପରେ କ୍ଷତିପୂରଣ ଦିଆଯିବା ନେଇ ପ୍ରଶାସନିକ ଅଧିକାରୀ କହିଛନ୍ତି ।

 

ଦୀପାବଳିରେ ମଦ ପିଇ ଉତ୍ପାତ କରୁଥିଲେ ସାବଧାନ, ଉଠାଇ ଆଣିବ ପୋଲିସ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ସାଦା ପୋଷାକରେ ବୁଲିବେ ପୋଲିସ । ବିଭିନ୍ନ ସ୍ଥାନରେ କଡାକଡି ହେବ ମଦୁଆ ଧରା ଅଭିଯାନ । ମଦ ପିଇ ଉତ୍ପାତ କଲେ ଉଠାଇ ଆଣିବ ପୋଲିସ । ଶବ୍ଦ ପ୍ରଦୂଷଣକାରୀ ବାଣ ଫୁଟାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ପିସିଆର ସହ ଥାନା କର୍ମଚାରୀ ଗଳିକନ୍ଦିରେ କରିବେ ପାଟ୍ରୋଲିଂ । ରାତିରେ ସହରର ବିଭିନ୍ନ ସ୍ଥାନରେ କରାଯିବ ଚେକିଂ ବ୍ଲକିଂ । ଏଥିପାଇଁ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଗଠନ ହୋଇଛି ସ୍ପେଶାଲ ଟିମ୍ । କୌଣସି ଦୁର୍ଘଟଣାକୁ ଆଶଙ୍କା କରି ଅଗ୍ନିଶମ ଓ ହସ୍ପିଟାଲ କର୍ମଚାରୀଙ୍କ ସହ ଆଲୋଚନା କରିଛି ପୋଲିସ । ଆଲୋକର ପର୍ବ ଖୁସି ଆଣୁ, କିନ୍ତୁ କାହାକୁ ଦୁଃଖ ନଦେଉ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ।

ବଡ଼ଦାଣ୍ଡରେ ବଡ଼ବଡୁଆ ଡାକ ପାଇଁ ପାଲଟିଛି ଜନସମୁଦ୍ର

ପୁରୀ: ରବିବାର ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ବା ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗାଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳୁଛନ୍ତି ଦର୍ଶନାର୍ଥୀ। ବଡ଼ବଡୁଆ ହୋ, ଅନ୍ଧାରେ ଆସି ଆଲୁଅରେ ଯାଅ, ଗଙ୍ଗା ଯା, ଗୟା ଯା, ଅଭଡ଼ା ଖାଇ ବାଇଶି ପାହାଚେ ଗଡଗଡଉ ଥାଅ । ଏହି ଡାକରେ ଗୁଞ୍ଜରିତ ହେଉଛି ସମଗ୍ର ଅଞ୍ଚଳ । ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ବିଧି ରହିଛି । କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ । ଆଜି ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳୁଛନ୍ତି ଶ୍ରଦ୍ଧାଳୁ । ବିଧି ମୁତାବକ ଫଳ, ଫୁଲ, ଚନ୍ଦନ ଆଦି ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରଦ୍ଧାଳୁ ମାନେ ଶ୍ରାଦ୍ଧ ଦାନ କରିଛନ୍ତି । ଉଦ୍ଦିଷ୍ଟ ସ୍ଥାନରେ ପୋଲିସ ଓ ଅଗ୍ନିଶମ ବାହିନୀ କଡା ସୁରକ୍ଷା ଏବଂ ବ୍ୟାରିକେଡ ମଧ୍ୟରେ କାଉଁରିଆ ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ଶ୍ରଦ୍ଧାଳୁ । ଜଗା ଦର୍ଶନ ସହ ପୟାଶ୍ରାଦ୍ଧ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର।