spot_img
Home Blog Page 2574

ନଭେମ୍ବର ୨୮ରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ଲେଜର ସ୍କାନିଂ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା-ଏଏସଆଇକୁ ଦାୟିତ୍ଵ ଦିଆଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ପରଦିନ ନଭେମ୍ବର ୨୮ ତାରିଖରେ ଉପଯୁକ୍ତ ସମୟ ଦେଖି ଏଏସଆଇ ଏହି କାର୍ଯ୍ୟ କରିବ।

ଲେଜର ସ୍କାନିଂ ନେଇ ଆବଶ୍ୟକୀୟ ଯନ୍ତ୍ରପାତି ଆସିଛି। ରତ୍ନଭଣ୍ଡାର ସୁରକ୍ଷା ନେଇ ସ୍କାନିଂ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁସାରେ ସ୍କାନିଂ ରିପୋର୍ଟ ହସ୍ତଗତ ପରେ ରତ୍ନଭଣ୍ଡାର ମରାମତି ଓ ଖୋଲିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।

ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ ଗୁରୁତର

0

କାମାକ୍ଷାନଗର: ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ବାପା-ମାଆଙ୍କ ସମେତ ଦୁଇ ଶିଶୁ ଗୁରୁତର। ପଞ୍ଚୁକରେ ଶିବ ମନ୍ଦିରରୁ ଫେରିବା ବେଳେ ଏହି ଅଘଟଣ ଘଟିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କନ୍ଦରସିଂହା ରାମେଶ୍ୱର ମନ୍ଦିରରୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତରମାନେ ହେଲେ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ପିପ୍ପଳା ଗାଁର ବାବୁ ରାଉତ, ସ୍ତ୍ରୀ ଶର୍ମିଷ୍ଠା ରାଉତ, ୫ବର୍ଷର ପୁଅ ଜଗା ଓ ୮ବର୍ଷର ଝିଅ ପୁନମ ରାଉତ । ସମସ୍ତେ ବାଇକ ଯୋଗେ ରାମେଶ୍ୱର ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ ବିରତି; ୨୪ ପଣବନ୍ଦୀଙ୍କୁ ଛାଡିଲେ ହମାସ ଆତଙ୍କବାଦୀ

ଗାଜା: ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ ବିରତିର ଆଜି ଦ୍ବିତୀୟ ଦିନ। ପ୍ରଥମ ପର୍ଯ୍ୟାୟରେ ୨୪ ପଣବନ୍ଦୀଙ୍କୁ ଛାଡିଲେ ହମାସ ଆତଙ୍କବାଦୀ। ମୁକ୍ତି ପାଇଥିବା ପଣବନ୍ଦୀଙ୍କ ମଧ୍ୟରେ ୧୩ ଇସ୍ରାଏଲ ନାଗରିକଙ୍କ ସହ ୧୧ ବିଦେଶୀ ନାଗରିକ ଅଛନ୍ତି। ବିଦେଶୀ ନାଗରିକଙ୍କ ମଧ୍ୟରେ ୧୦ ଥାଇଲାଣ୍ଡ ଏବଂ ଜଣେ ଫିଲିପିନ୍ସ ନାଗରିକ ମୁକ୍ତି ପାଇଛନ୍ତି । ମୋଟ ୨୪ ଜଣଙ୍କ ମଧ୍ୟରୁ ପ୍ରତିବଦଳରେ ଇସ୍ରାଏଲ ୩୯ ପାଲେଷ୍ଟିନୀୟ ନାଗରିକଙ୍କୁ ମୁକ୍ତ କରିଛି । କତାର ମଧ୍ୟସ୍ଥତାରେ ପଣବନ୍ଦୀ ମୁକ୍ତି ପାଇଛନ୍ତି ।

ଆଜି ଦ୍ବିତୀୟ ପର୍ଯ୍ୟାୟରେ ମୁକ୍ତ ହେବାକୁ ଥିବା ପଣବନ୍ଦୀଙ୍କ ତାଲିକା ଦେଇଛି ହମାସ। ଆତଙ୍କୀ ସଂଗଠନ ହମାସ ପାଖରେ ଏବେବି ୨ଶହରୁ ଅଧିକ ପଣବନ୍ଦୀ ରହିଛନ୍ତି । ଗତ ଅକ୍ଟୋବର ୭ ତାରିଖର ଆକ୍ରମଣ ପରେ ହମାସ ଆତଙ୍କବାଦୀ ସେମାନଙ୍କୁ ଇସ୍ରାଏଲରୁ ନେଇ ଆସିଥିଲେ। ମୁକ୍ତି ପାଇଥିବା ପଣବନ୍ଦୀଙ୍କ ମଧ୍ୟରେ ୫ ବୟସ୍କ ମହିଳା ସମେତ ୪ ଜଣ ଶିଶୁ ରହିଛନ୍ତି। ଆସନ୍ତା ୩ ଦିନ ମଧ୍ୟରେ ମୋଟ ୫୦ ପଣବନ୍ଦୀଙ୍କୁ ଛାଡିବେ ହମାସ ଆତଙ୍କବାଦୀ। ହମାସ ଆତଙ୍କୀ ଅନ୍ତର୍ଜାତୀୟ ରେଡକ୍ରସ ସଂଗଠନକୁ ସମସ୍ତ ପଣବନ୍ଦୀଙ୍କୁ ହସ୍ତାନ୍ତର କରିଥିଲେ। ଗାଜାର ଖାନ୍ ୟୁନିସ ହସ୍ପିଟାଲରେ ପଣବନ୍ଦୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ସେମାନେ ଇସ୍ରାଏଲ ଅଭିମୁଖେ ଯାଇଛନ୍ତି ।

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ। ଏହାପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ସେପଟେ ଇଜିପ୍ଟର ରାଫା ସୀମାରୁ ଗାଜାକୁ ମାନବୀୟ ସହାୟତା ଜାରି ରହିଛି। ୧୯୬ଟି ଟ୍ରକ ଦେଇ ଖାଦ୍ୟ, ଔଷଧ ଏବଂ ଅନ୍ୟ ମେଡିକାଲ ସାମଗ୍ରୀ ଯାଇଛି। ଗତ ଅକ୍ଟୋବର ୨୧ପରଠାରୁ ଗାଜାକୁ ବର୍ତ୍ତମାନ ସୁଦ୍ଧା ୧୭ଶହ ୫୯ଟି ଟ୍ରକରେ ଖାଦ୍ୟ ସାମଗ୍ରୀ ପଠାଯାଇଛି । ଗାଜା-ଇସ୍ରାଏଲ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପାଲେଷ୍ଟାଇନର ୧୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ହମାସ ଆକ୍ରମଣରେ ଇସ୍ରାଏଲର ୧୨ ଶହ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଚୀନରେ ଭୟଙ୍କର ହେଉଛି ନିମୋନିଆ, ଆଲର୍ଟରେ ଭାରତ

ନୂଆଦିଲ୍ଲୀ: ଚୀନରେ ସନ୍ଦିଗ୍ଧ ନିମୋନିଆ ବ୍ୟାପିବା ଘଟଣାରେ ଭାରତର ଉଦବେଗ। ଏହି ରୋଗର ଉପଯୁକ୍ତ ଯାଞ୍ଚ କରିବା ଉଚିତ ବୋଲି ଚୀନ ଉଦ୍ଦେଶ୍ୟରେ କହିଛନ୍ତି କେନ୍ଦ୍ରର କୋଭିଡ ପ୍ୟାନେଲ ମୁଖ୍ୟ ଡାକ୍ତର ଏନକେ ଆରୋରା। ଭୟଙ୍କର ମହାମାରୀ କୋଭିଡରେ ବ୍ୟାପକ କ୍ଷତିର ଶିକାର ହୋଇଥିବା ଭାରତ ଚୀନରେ ବ୍ୟାପିଥିବା ସନ୍ଦିଗ୍ଧ ରୋଗ ପ୍ରତି ସତର୍କ ଦୃଷ୍ଟି ରଖିଛି।

ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ ଅନ ଇମ୍ୟୁନାଇଜେସନ ବା ଏନଟିଏଜିଆଇର ମୁଖ୍ୟ ଡାକ୍ତର ଆରୋରା କହିଛନ୍ତି- ଯଦି ଏହି ସନ୍ଦିଗ୍ଧ ରୋଗ ଚୀନ ଲାଗି ଆହ୍ବାନ ସୃଷ୍ଟି କରେ ତେବେ ଚୀନ ସରକାର ଅନ୍ତରାଷ୍ଟ୍ରୀୟ ସମୁଦାୟର ସହଯୋଗ ଲୋଡିବା ଉଚିତ। ଚୀନରେ ସନ୍ଦିଗ୍ଧ ରୋଗ ବ୍ୟାପିବା ଉପରେ ବିଶ୍ବ ସତର୍କ ଦୃଷ୍ଟି ରଖିଛି।

ଆରୋରା କହିଛନ୍ତି- ବର୍ତ୍ତମାନ ସମସ୍ତେ ଉପଲବ୍ଧି କରିଛନ୍ତି ଯେ ଜାତୀୟ ସୀମାରେଖା ବୋଲି ଆଉ କିଛି ନାହିଁ। ତେଣୁ ତୁରନ୍ତ ପଦକ୍ଷେପ ହିଁ ମହାମାରୀ ପରି ସଂକଟର ମୁକାବିଲା କରିପାରିବ। ଚୀନର ବହୁ ସ୍କୁଲରେ ନିମୋନିଆ ପରି ଏକ ସଂକ୍ରମଣ ବ୍ଯାପିବାରେ ଲାଗିଛି। ସନ୍ଦିଗ୍ଧ ନିମୋନିଆ ପୀଡିତ ପିଲାଙ୍କୁ ବହୁ ସଂଖ୍ଯାରେ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବାବେଳେ ଦେଶରେ ଏକ ନୂଆ ସଂକଟ ସୃଷ୍ଟି ହୋଇଛି। ଶହ ଶହ ଛାତ୍ରଛାତ୍ରୀ ଏହି ରୋଗରେ ସଂକ୍ରମିତ ହେବା ଦେଖାଯାଉଛି। ପିଲାମାନଙ୍କ ନିକଟରେ ଫୁସଫୁସ ସଂକ୍ରମଣ, ଅଧିକ ତାତି ରହୁଥିବା ଜ୍ବର ରହୁଛି। ତେବେ ନିମୋନିଆର ଅନ୍ୟତମ ଲକ୍ଷଣ କଫ ଓ ଶ୍ବାସଜନିତ ଯନ୍ତ୍ରଣା ପରିଲକ୍ଷିତ ହେଉନାହିଁ। ଏହି ରୋଗ ସମ୍ପର୍କରେ ଚୀନକୁ ସବିଶେଷ ବିବରଣୀ ମାଗିଥିଲା ବିଶ୍ବ ସ୍ବାସ୍ଥ୍ଯ ସଂଗଠନ।

ପୁଣି ଅଧାରେ ଅଟକିଲା ରେସ୍କ୍ୟୁ ଅପରେସନ୍, ଉଦ୍ଧାର ପାଇଁ ନୂଆ ରଣନୀତି

ଉତ୍ତରକାଶୀ: ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାରରେ ବାଧା। ଚାଲିଥିବା ଡ୍ରିଲିଂରେ ଧାତୁ ଆସିବାରୁ ଖନନରେ ବ୍ୟାପକ ସମସ୍ୟା ଦେଖାଦେଇଛି। ଅଗର ମେସିନ୍ ଖରାପ ହେବାରୁ ଏବେ ବନ୍ଦ ରହିଛି ଖନନ କାମ। ହରିଜଣ୍ଟାଲ ଖନନ ପାଖାପାଖି ୪୮ ମିଟର ସରିଥିବାବେଳେ ଆଉ ମାତ୍ର ୧୦ ମିଟର ରହିଥିଲା।

ତେବେ ରାସ୍ତାରେ ମେଟାଲ ଆସିବାରୁ ଅଗର ମେସିନକୁ ଖୋଳିବାରେ ସମସ୍ୟା ଦେଖାଦେଇଛି। ବର୍ତ୍ତମାନ ଡ୍ରିଲିଂକୁ ବନ୍ଦ ରଖାଯାଇଛି। ଶ୍ରମିକଙ୍କୁ ଉଦ୍ଧାର ଲାଗି ବିକଳ୍ପ ବ୍ୟବସ୍ଥା ଉପରେ ଆଲୋଚନା କରାଯାଉଛି। ଅଗର ମେସିନ ବଦଳରେ ମାନୁଆଲ ଡ୍ରିଲିଂ ଲାଗି ନିଷ୍ପତ୍ତି ନିଆଯାଇଛି। ମେସିନ ବଦଳରେ ଶ୍ରମିକ ଏହି ଖନନ କାର୍ଯ୍ୟ କରିବେ। ସେପଟେ ଉପରୁ ଭର୍ଟିକାଲ ଡ୍ରିଲିଂ ପାଇଁ ମଧ୍ୟ କାମ ଆରମ୍ଭ ହୋଇଗଲାଣି । ଉପରକୁ ସମସ୍ତ ମେସିନ ନିଆଯାଉଛି । ଉପରୁ ମଧ୍ୟ ଭର୍ଟିକାଲ ଡ୍ରିଲିଂ କରି ଶ୍ରମିକଙ୍କୁ ଉଦ୍ଧାର ଲାଗି ପ୍ରୟାସ ଚାଲିଛି।

ସେପଟେ ଶ୍ରମିକଙ୍କୁ ପାଇପ ଯୋଗେ କିପରି ବାହାର କରାଯିବ ଏ ନେଇ ଅଭ୍ୟାସ କରିଛନ୍ତି ଏନଡିଆରଏଫ ଟିମ। ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟଦେଇ ଷ୍ଟ୍ରେଚରରେ ଶ୍ରମିକଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ। ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ। ସେପଟୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟୁ ଉଦ୍ଧାରକାରୀ ଟିମ୍ ଦଉଡି ମାଧ୍ୟମରେ ଷ୍ଟ୍ରେଚର ସହ ଶ୍ରମିକଙ୍କୁ ଟାଣି ଆଣିବେ। ଏହି ପରି ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରତିଥର ଷ୍ଟ୍ରେଚରକୁ ଭିତରକୁ ପଠାଯିବ । ଶ୍ରମିକଙ୍କ ପାଖରେ ପହଂଚିବାକୁ ୬ ମିଟର ଲେଖାଏଁ ଆଉ ୨ଟି ପାଇପ ଖଞ୍ଜିବାକୁ ପଡିବ। ପାଇବ ପହଞ୍ଚିବା ପରେ ଶ୍ରମିକଙ୍କୁ ଉଦ୍ଧାର କରାଯିବ।

ରାୟଗଡ଼ାରେ ଗଡ଼ିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାୟଗଡ଼ା: ରାୟଗଡ଼ାରେ ଗଡ଼ିଲା ଲକ୍ଷ୍ମୀ ବସ୍। ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ଗମନାଗମନ କ୍ଷେତ୍ରରେ ଆସିବ ବୈପ୍ଳବିକ ପରିବର୍ତ୍ତନ। ସୂଚନା ଅନୁଯାୟୀ, ୧୧ଟି ବ୍ଲକ ମଧ୍ୟରେ ଏହି ବସ୍ ଯାତାୟତ କରିବାକୁ ଥିବା ବେଳେ ୩୯ଟି ରୁଟରେ ଏହି ସେବା ଯୋଗାଇବ ୫୨ଟି ଲକ୍ଷ୍ମୀ ବସ। ଏହାଦ୍ବାରା ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। କମ ଦାମରେ ଦୁଆରୁ ସହରକୁ ଯାଇପାରିବେ ଜନସାଧାରଣ।

 

ଯୋଜନାର ଶୁଭାରମ୍ଭ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଯୋଜନା ଲୋକଙ୍କ ଯୋଜନା। ଏହା ଯାତାୟତ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଗାଁଲୋକଙ୍କ ଜୀବନରେ ଗତି, ପ୍ରଗତି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲକ୍ଷ୍ମୀ ଯୋଜନା ଦ୍ବାରା ଗାଁଲୋକଙ୍କ ସାମାଜିକ ସଂସ୍କାର ସହ ଅର୍ଥନୀତି ମଜଭୁତ ହେବ। ଯୋଗାଯୋଗ ଜୀବନ ବିକାଶର ମୂଳଦୁଆ। ପିଲାଙ୍କୁ ସ୍କୁଲ କଲେଜ ସହ ଚାଷୀଙ୍କୁ ମାର୍କେଟ ସହ ଯୋଡ଼ିବ। ରୋଗୀଙ୍କୁ ହସ୍ପିଟାଲ ଯାଏ ନେବ ଲକ୍ଷ୍ମୀ ବସ୍ । ମାଆମାନଙ୍କୁ ବିକାଶର ସାରଥି କରାଇବ । ଘରେ ଘରେ ଲକ୍ଷ୍ମୀ ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସାରା ରାଜ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯୋଜନାରେ ରାୟଗଡ଼ାକୁ ୯୦କୋଟିର ୨୬ଟି ପ୍ରକଳ୍ପ ମଂଜୁର ହୋଇଛି। ଏହି ଅର୍ଥରେ ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ। ପଞ୍ଚାୟତ ହେଉଛି ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ। ପଞ୍ଚାୟତ ରୂପାନ୍ତରରେ ସାରା ଓଡ଼ିଶାର ରୂପାନ୍ତର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁମ୍ବାଇରେ ସୁଟକେଶରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା

ମୁମ୍ବାଇ: ମୁମ୍ବାଇରେ ସୁଟକେଶରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା। ସୁନ୍ଦରଗଡ ଗାଁରେ ପହଞ୍ଚିଲା ମୃତ ଯୁବତୀ ପ୍ରତିମାଙ୍କ ମୃତଦେହ। ଲେଫ୍ରିପଡା ବନ୍ଦିଲିକାନି ଗାଁରେ ହେବ ପ୍ରତିମାଙ୍କ ଶେଷକୃତ୍ୟ। ଗତ ୧୯ ତାରିଖରେ ପ୍ରେମିକ ଅସ୍କାର ମନୋଜ ବାର୍ଲା ପ୍ରତିମାଙ୍କୁ ହତ୍ୟା କରି ସୁଟକେଶରେ ଭର୍ତ୍ତି କରି ମୁମ୍ବାଇ କୁର୍ଲା ନିକଟରେ ଫୋପାଡି ଦେଇଥଲା।

ଅଭିଯୁକ୍ତ ଅସ୍କାର ମନୋଜ ବାର୍ଲାକୁ ଗିରଫ କରି ରିମାଣ୍ଡରେ ନେଇଛି ପୋଲିସ। ପୋଲିସ ସୂଚନା ଅନୁସାରେ ମନୋଜ ଓ ପ୍ରତିମା ମୁମ୍ବାଇର ଧରାବି ଅଞ୍ଚଳରେ ଲିଭ-ଇନରେ ରହୁଥିଲେ। ହେଲେ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପ୍ରେମିକା ପ୍ରତିମାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ମନୋଜ।

ଗଜପତିରେ ଘୁରି ବୁଲୁଛି ମହାବଳ, ଭାଇରାଲ ହେଉଛି ଭିଡିଓ

ଗଜପତି: ଗଜପତିରେ ବାଘକୁ ନେଇ ଆତଙ୍କ। ବିଭିନ୍ନ ସ୍ଥାନରେ ଘୁରି ବୁଲୁଛି ମହାବଳ। ପ୍ରତିଦିନ ବାଘର ଏଭଳି କିଛି ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ଗଣ୍ଡାହାତୀ ନିକଟରୁ ଏବଂ ଦେବଗିର ବନାଞ୍ଚଳର କୁମୁଳାସିଂ ଅଞ୍ଚଳରୁ ଦୁଇଟି ଗାଈ ମାରି ଖାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ବାଘକୁ ସୁରକ୍ଷା ଦେବା ସହ ଜନଜୀବନର ଯେପରି କ୍ଷତି ନହୁଏ ଏଥିପାଇଁ ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ନିୟୋଜିତ ଅଛନ୍ତି। ଏନେଇ ବାଘ ଚଳପ୍ରଚଳ ହେଉଥିବା ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯାଉଛି। ରାତିରେ ବନ କର୍ମଚାରୀମାନେ ଟ୍ରାପ କ୍ୟାମେରା ଲଗାଇବା ସହ ପାଟ୍ରୋଲିଂ ଜାରି ରଖିଛନ୍ତି। ବର୍ତ୍ତମାନ ମହାବଳ ବାଘ ଦେବଗିର ଅଞ୍ଚଳରେ ରହିଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି। ବାଘର ପାଦଚିହ୍ନ ଓ ଟ୍ରାପ କ୍ୟାମେରା ଫୁଟେଜ ଜାତୀୟ ଓ୍ବାଇଲ୍ଡ ଲାଇଫ ବିଭାଗ ଡେରାଡୁନକୁ ପଠାଇବା ପରେ, ଏହା ଏକ ଅଣ୍ଡିରା ବାଘ ବୋଲି ଜଣାପଡିଛି।

ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡିଛି। ୨୦୨୧ ମସିହାରେ ଏହା ସେଠାକାର କ୍ୟାମେରା ଟ୍ରାପରେ ଆସିଥିଲା। ବାଘଟି ୪ଟି ରାଜ୍ୟର ପାଖାପାଖି ୭୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଛି। ପ୍ରଥମେ ଛତିଶଗଡ଼, ଏହା ପରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାରେ ପହଞ୍ଚିଛି।

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ପାରଳାଖେମୁଣ୍ଡିରେ ଦେଖା ଦେଇଥିବା ବାଘ କେଉଁଠୁ ଆସିଛି ବୋଲି ଓ୍ବାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା। ଏହାର ଷ୍ଟ୍ରାଇପକୁ ଦେଖି ବାଘଟି ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନର ବୋଲି ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୁନିଶ୍ଚିତ କରିଛି । ହୁଏତ ଏହି ମହାବଳ ବାଘଟି ନିଜସ୍ଵ ଟେରିଟୋରୀ ସୃଷ୍ଟି କରିବାକୁ କିମ୍ବା ସାଥୀ ଖୋଜିବାକୁ ଓଡ଼ିଶା ଆସି ଥାଇପାରେ। ଓଡ଼ିଶାରେ ଭଲ ପରିବେଶ ଥିବାରୁ ବାଘଟି ଆସିଥାଇପାରେ। ସେପଟେ ଓଡ଼ିଶାରେ ମହାବଳ ବଂଶ ବିସ୍ତାର ପାଇଁ ଏକ ଭଲ ଖବର ବୋଲି କହିଛନ୍ତି ବନ୍ୟା ପ୍ରାଣୀ ପିସିସିଏଫ୍।

କାହିଁକି ବିଳମ୍ବ ହେଉଛି ଉତ୍ତରକାଶୀ ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ?

ଉତ୍ତରକାଶୀ: ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକ ମାନେ ଆଜି ଉଦ୍ଧାର ହୋଇପାରନ୍ତି। ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟଦେଇ ଷ୍ଟ୍ରେଚରରେ ଶ୍ରମିକଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ। ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ। ସେପଟୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟୁ ଉଦ୍ଧାରକାରୀ ଟିମ୍ ଦଉଡି ମାଧ୍ୟମରେ ଷ୍ଟ୍ରେଚର ସହ ଶ୍ରମିକଙ୍କୁ ଟାଣି ଆଣିବେ।

ଏହି ପରି ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରତିଥର ଷ୍ଟ୍ରେଚରକୁ ଭିତରକୁ ପଠାଯିବ । ଆଉ କେମିତି ଏହି ଷ୍ଟ୍ରେଚର ମାଧ୍ୟମରେ ଉଦ୍ଧାର ହେବେ ଶ୍ରମିକ, ତାର ଏକ ପରୀକ୍ଷା ଏନଡିଆରଏଫ୍ ତରଫରୁ କରାଯାଇଛି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ମଝିରେ ମଝିରେ ଉଦ୍ଧାରକାରୀ ଦଳର ନେତୃତ୍ୱ ନେଉଥିବା ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଅପରେସନ୍ ବାବଦରେ ତାଜା ତଥ୍ୟ ମଧ୍ୟ ରଖୁଛନ୍ତି।

ଉଦ୍ଧାରସ୍ଥଳରେ ନିୟୋଜିତ ଅଧିକାରୀମାନେ କହିଛନ୍ତି, ଡ୍ରିଲିଂ ବେଳେ ବାରମ୍ବାର ବାଧା ଆସୁଥିବାରୁ ଅଟକୁଛି କାମ। ଯେଉଁଥିପାଇଁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଛି। ଶୁକ୍ରବାର ଡ୍ରିଲିଂ କରି ପାଇପ ଖଞ୍ଜିବାବେଳେ ହଠାତ୍ ପଥର ଆସିଯିବାରୁ ପାଇପ୍ ମୋଡି ହୋଇଯାଇଥିଲା। ଫଳରେ ୧.୨ ମିଟରର ପାଇପକୁ କାଟିବାକୁ ପଡିଥିଲା। ଅନୁମାନ କରାଯାଉଛି ଆଗାମୀ ସାଢେ ୫ ମିଟର ଯାଏଁ କୌଣସି ବାଧା ଆସିବ ନାହିଁ। କୁହାଯାଉଛି ଶ୍ରମିକଙ୍କ ପାଖରେ ପହଂଚିବାକୁ ୬ ମିଟର ଲେଖାଏଁ ଆଉ ୨ଟି ପାଇପ ଖଞ୍ଜିବାକୁ ପଡିବ। ଯଦି ଆଉ କୌଣସି ବାଧା ନଆସେ ତେବେ ଆଜି ଶ୍ରମିକଙ୍କୁ ଉଦ୍ଧାର କରାଯିବ।

ଉତ୍ତରାଖଣ୍ଡ ଟନେଲ୍ ଟ୍ରାଜେଡି; 5T ଅଧ୍ୟକ୍ଷଙ୍କୁ ଭେଟିଲେ ଟନେଲରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ପରିବାର

ଭୁବନେଶ୍ୱର: 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଭେଟିଲେ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟ। ନବୀନ ନିବାସ ଯାଇ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ପରିବାର ଲୋକେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେଇଛନ୍ତି।

ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ। ପୂର୍ବରୁ ଅନ୍ୟ ଦୁଇ ଶ୍ରମିକଙ୍କ ପରିବାର ଉତ୍ତରକାଶୀରେ ପହଞ୍ଚି ସାରିଛନ୍ତି। ଏହାଦ୍ବାରା ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାର ବର୍ଗଙ୍କୁ ଭେଟି ପାରିବେ। ଦୀର୍ଘ ୧୩ ଦିନ ଧରି ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ଏଥିରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି । ଏହି ଶ୍ରମିକ ମାନେ ହେଲେ, ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଏବଂ ମୟୁରଭଂଜର ବିଶେଶ୍ବର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ ।

ଶ୍ରମିକଙ୍କ ପରିବାର ସଦସ୍ୟ 5T ଅଧ୍ୟକ୍ଷଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ। 5T ଅଧ୍ୟକ୍ଷ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଜଣାଇଥିଲେ । ରାଜ୍ୟ ସରକାରଙ୍କ ଅଫିସର ଓ ସ୍ବତନ୍ତ୍ର ଟିମ୍‌ ଉଦ୍ଧାରସ୍ଥଳୀକୁ ଯାଇଛନ୍ତି ଏବଂ ଉଦ୍ଧାରକାରୀ ଦଳ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି । ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଶ୍ରମିକଙ୍କ ନିରାପତ୍ତା ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ନିୟମିତ ଖବର ନେଉଛନ୍ତି ବୋଲି ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କହିଛନ୍ତି 5T ଅଧ୍ୟକ୍ଷ । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ଏବଂ ଖୁବଶୀଘ୍ର ସେମାନେ ପରିବାରକୁ ଫେରି ଆସିବେ ବୋଲି 5T ଅଧ୍ୟକ୍ଷ ଆଶ୍ବାସନା ଦେଇଥିଲେ ।