spot_img
Home Blog Page 2590

ଝରକା ଭାଙ୍ଗି ଫେରାର ହେଲେ ୧୩ ଯୁବତୀ

ନନ୍ଦିଘୋଷ ବ୍ୟୁରୋ: ହିମାଚଳ ପ୍ରଦେଶର ସିଲନ ଜିଲ୍ଳାର ପରବାଣୁର ଏକ ନିଶା ନିବାରଣ କେନ୍ଦ୍ରରୁ ୧୭ ଜଣ ଯୁବତୀଙ୍କ ମଧ୍ୟରୁ ୧୩ଜଣ  ଫେରାର ହୋଇ ଯାଇଛନ୍ତି । ନିଶା ନିବାରଣ କେନ୍ଦ୍ରର ଝରକା ଭାଙ୍ଗି ଫେରାର ହୋଇ ଯାଇଥିବାବେଳେ ସେମାନେ ଗାଁ ଏବଂ ଜଙ୍ଗଲକୁ ପଳାଇଥିଲେ । ଯଦିଓ ସେମାନଙ୍କୁ କାବୁ କରାଯାଇଛି । ତଥାପି ଏନେଇ କୌଣସି ମାମଲା ରୁଜୁ କରାଯାଇନାହିଁ । ପଞ୍ଜାବ ଏବଂ ହରିୟାଣାରୁ ଏମାନେ ଆସିଥିଲେ । ତେବେ ଏଠାରେ ଜଣଙ୍କ ମୃତ୍ୟୁ ହେବାପରେ ଏଭଳିଭାବେ ଫେରାର ହୋଇଥିବା ସୂଚନା ମିଳିଛି । ପୋଲିସ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ଘରକୁ ପଠାଯାଇଥିଲା । ମାତ୍ର କୌଣସି ମାମଲା ରୁଜୁ କରାଯାଇନାହିଁ । ତେବେ ଫେରାର ହୋଇଥିବା ଯୁବତୀମାନେ ଜଙ୍ଗଲ ଏବଂ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ଘରେ ଆଶ୍ରୟ ନେଇଥିଲେ । ପରିବାର ଲୋକଙ୍କ ସହ ସେମାନଙ୍କ କଥା ବାର୍ତ୍ତା କରାଯାଉ ନଥିଲା । ଯାହାଫଳରେ ସେମାନେ ଏଭଳି ପଳାଇଥିବା କୁହାଯାଇଛି ।

୭୦ ହଜାର ଟପିଲା ବିଏସଇ ସେନସେକ୍ସ

ନୂଆଦିଲ୍ଲୀ: ୭୦ ହଜାର ଟପିଲା ବିଏସଇ ସେନସେକ୍ସ । ସେନସେକ୍ସ ସୂଚକାଙ୍କ ସୋମବାର ୭୦ ହଜାର ପାର କରିଛି । ଆରମ୍ଭରୁ ସାମାନ୍ୟ ବୃଦ୍ଧି ବଢିବାକୁ ଲାଗିଥିବା ସେନସେକ୍ସ ସୂଚକାଙ୍କ । ଏହାର କିଛି ସମୟରେ ୨ଶହ ଅଙ୍କ ବଢି ୭୦ ହଜାର ଛୁଇଁଥିଲା ବିଏସଇ ସେନସେସ୍କ । ୭୦ ହଜାର ଛୁଇଁ ବିଏସଇ ସେନସେକ୍ସ ନୂଆ ରେକର୍ଡ କରିଛି । ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ସେନସେକ୍ସ । ସେହିପରି ନ୍ୟାସନାସ ଷ୍ଟକ ଏକ୍ସଚେଂଜ ନିଫିଟି ମଧ୍ୟ ବଢି ୨୧ ହଜାର ପାର କରିଛି । ଆରମ୍ଭରୁ ସେସେକ୍ସର ୨୦ ସେୟାରର ସୂଚକାଙ୍କରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା ।

ସେହିପରି ନିଫଟିର ୨୭ ସେୟାରର ସୂଚକାଙ୍କରେ ବୃଦ୍ଧି ଦେଖାଯିବା ସହ ୨୨ ସେୟାରରେ ସୂଚକାଙ୍କ ହ୍ରାସ ପାଇଥିଲା । ଏସବିଆଇ, ଓଏନଜିସି, ଟେକ୍ ମହିନ୍ଦ୍ରା, ଡକ୍ଟର ରେଡିଜ୍ ଲ୍ୟାବ୍ ଏବଂ ଏସିଆନ୍ ପେଣ୍ଟସ ସେୟାର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ଗତ ସପ୍ତାହରରେ ସେନସେକ୍ସ ୨ ହଜାର ୩ଶହ ପଏଣ୍ଟ ବୃଦ୍ଧି ପାଇଥିଲା ।  ଗତ ସପ୍ତାହରେ ୩. ୪୭ ପ୍ରତିଶତ ବଢିଥିଲା ବିଏସଇ ସେନସେକ୍ସ । ଗତ ଶୁକ୍ରବାର ମଧ୍ୟ ସେନସେକ୍ସ ୩୦୩ ପଏଣ୍ଟ ବୃଦ୍ଧି ପାଇ ସର୍ବକାଳୀନ ୬୯ ହଜାର ୮୨୫ ପଏଣ୍ଟରେ ବନ୍ଦ ହୋଇଥିଲା । ଯାହାକି ଶୁକ୍ରବାର ପର୍ଯ୍ୟନ୍ତ ସର୍ବକାଳୀନ ସ୍ତରଥିଲା । ଆଜି ୭୦ ହଜାର ପାର କରିଛି ସେନସେକ୍ସ ।

ଆଜିଠୁ ଦେବ ଦୀପାବଳି, ଦୀପରେ ଝଲସିବ ଶ୍ରୀକ୍ଷେତ୍ର

ପୁରୀ: ସୋମବାର ହେଉଛି ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ଏହି ପବିତ୍ର ତିଥି ଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏହାକୁ ଦେବ ଦୀପାବଳି ବୋଲି କୁହାଯାଏ । ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିଥାନ୍ତି । ଦ୍ୱିପହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସନ୍ଧ୍ୟାଧୁପ ପରେ ତିନୋଟି ମହାଦ୍ଵୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିବା ସହ ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହିତ ୨୮ଟି ଦ୍ୱିପ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିବ। ଜୟବିଜୟ ଦ୍ୱାର ନିକଟରେ ମଧ୍ଯ ଚାଉଳ ଗଛ ସହ ଦୀପ ସମର୍ପଣ କରାଯିବ ।  ତିନି ଦିନ ଧରି ଏହି ଶ୍ରାଦ୍ଧ ପ୍ରଦାନ ପ୍ରଦାନ କରିବେ ମହାପ୍ରଭୁ । ଆଜି ପ୍ରଥମ ଦିନରେ କଶ୍ୟପ ଏବଂ ଅଦିତିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରାଯିବ । ଆସନ୍ତାକାଲି ଅମାବାସ୍ୟା ଦିନ ଦଶରଥ ଓ କୌଶଲ୍ୟା ଓ ତା ପରଦିନ ନନ୍ଦ ଓ ଯଶୋଦା, ଦେବକୀ ଓ ବସୁଦେବ, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ରୀଗୁଣ୍ଡିଚାଙ୍କୁ ପିଣ୍ଡଦାନ କରାଯିବ ।

ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା । ଠିକା ସଂସ୍ଥା ବିଆଇଏସ୍ ବିରୁଦ୍ଧରେ ଧାରଣା ଦିଆଯାଇଛି । ଠିକା ସଂସ୍ଥାର ବେଆଇନ୍ ଭାବରେ ୧୦ ହଜାର ଟଙ୍କା ଆଦାୟ  ସାଙ୍ଗକୁ ଶ୍ରମିକ ଛଟେଇକୁ ବିରୋଧ କରାଯାଇଛି । ଏହାସହ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାରକୁ ବିରୋଧ କରି ଆନ୍ଦୋଳନ କରାଯାଇଛି । ଆନ୍ଦୋଳନରେ ୭୦୦ ସଫେଇ କର୍ମଚାରୀ ସାମିଲ ହୋଇଛନ୍ତି । ଆନ୍ଦୋଳନ ଯୋଗୁ ଆଜି ସକାଳୁ ଏମ୍ସ ହସ୍ପିଟାଲ ପରିସରରେ ସଫେଇ କାମ ବନ୍ଦ ରହିଛି । ଠିକାସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସଫେ କାର୍ଯ୍ୟ ବନ୍ଦ ରଖିବାକୁ ଚେତାବନୀ ଦିଆଯାଇଛି ।

ପାରାଦୀପରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ବାହାରିବା ଘଟଣାରେ ତଦନ୍ତକୁ ଜୋରଦାର କରିଛି କଷ୍ଟମ୍ସ ବିଭାଗ

ପାରାଦୀପ: ପାରାଦୀପରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ବାହାରିବା ଘଟଣାରେ ତନାଘନା । ତଦନ୍ତକୁ ଜୋରଦାର କରିଛି କଷ୍ଟମ୍ସ ବିଭାଗ । ଜାହାଜର ପାଣି ଟାଙ୍କି ଓ ପିଆଇସିଟି ବର୍ଥର ଯେଉ ସ୍ଥାନରେ ଜାହାଜ ରହିଥିଲା, ସେସବୁ ସ୍ଥାନରେ ସ୍କୁବା ଡାଇଭରଙ୍କ ସହାୟତାରେ ଯାଞ୍ଚ କରାଯାଇଛି । ଟାଙ୍କି କିମ୍ବା ଜାହାଜ ତଳକୁ କୋକେନ ପ୍ୟାକେଟ ଫିଙ୍ଗା ଯାଇଥିବା ସନ୍ଦେହ କରୁଛି କଷ୍ଟମ୍ସ ବିଭାଗ । ଦୁଇ ଜଣ ସ୍କୁବା ଡାଇଭର ବିଭିନ୍ନ ସ୍ଥାନ ଖୋଜାଖୋଜି କରିଛନ୍ତି ।

ଜାହାଜର ସମସ୍ତ ସଦସ୍ଯ ଭିଏତନାମର ହୋଇଥିବାରୁ ତଦନ୍ତ ସମୟରେ ସେମାନଙ୍କ ଭାଷା ବୁଝିବାରେ ସମସ୍ୟା ହେଉଛି । ତେଣୁ ଦୁଇ ଜଣ ଇଣ୍ଟରପ୍ରିଟରଙ୍କୁ ଆଣି ତଦନ୍ତ କରିଛି କଷ୍ଟମ୍ସ ବିଭାଗ । ପାଣିଟାଙ୍କି କିମ୍ବା ବର୍ଥ ଭିତରେ କିଛି କୋକେନ ପ୍ୟାକେଟ ପଡିଥିବା ସନ୍ଦେହ କରୁଛି କଷ୍ଟମ୍ସ ବିଭାଗ ।  ଜାହାଜର ପାଖାପାଖି ୬ ଜଣ କ୍ରେନ ଅପରେଟର ଓ ଦୁଇ ଜଣ ଇଞ୍ଜିନିୟରଙ୍କ ଉପରେ କଷ୍ଟମ୍ସ ବିଭାଗ ସନ୍ଦେହ କରୁଛି । ତେଣୁ ଏମାନଙ୍କୁ ଖୁବଶୀଘ୍ର କଷ୍ଟମ୍ସ ବିଭାଗ ପଚରାଉଚରା କରିପାରେ ।

ସୁନ୍ଦରଗଡ଼ରେ ଜୋନସ୍ତରୀୟ ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ ଉଦଯାପିତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଥିବା ଜୋନସ୍ତରୀୟ ‘ସରଗି ଫୁଲ୍’ ଶିଶୁ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଭାଗ ନେଇଥିବା ଜନଜାତି ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ଏକ ନୂଆ ଅନୁଭୂତି ନେଇ ଫେରିଛନ୍ତି। ଉଦଯାପନୀ କାର୍ଯ୍ୟକ୍ରମରେ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ଆଦିବାସୀ ଲୋକନୃତ୍ୟ ଓ ବିଭିନ୍ନ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମରେ ପରିବେଶ ଉତ୍ସବମୁଖର ହୋଇ ଉଠିଥିଲା। ସାଥୀ ଛାତ୍ରଛାତ୍ରୀ ଓ ଅତିଥିମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ।

‘ସର୍ଗି ଫୁଲ୍’ କାର୍ଯ୍ୟକ୍ରମର ଶେଷ ଦିନରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଏହି ଜୋନସ୍ତରୀୟ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯାଇଥିବାରୁ ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ରାଜ୍ୟ ସରକାର, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କୁ ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଧିରେନ୍ଦ୍ର କୁମାର ସେଠୀ, ବଣାଇଁ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବିଶ୍ୱଦର୍ଶି ସାହୁ, ପାନପୋଷ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ପରମାନନ୍ଦ ପୃଷ୍ଟି ଏବଂ ଭବାନିପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସଂଘମିତ୍ରା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ ଆୟୋଜନ କରାଯାଇଥିଲା। ନଭେମ୍ବର ୭ରୁ ସୁନ୍ଦରଗଡ଼ଠାରେ ଆରମ୍ଭ ହୋଇଥିବା ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ୧୫ଟି ଜିଲ୍ଲାରୁ ୬୦୦ରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜନଜାତି ଛାତ୍ରଛାତ୍ରୀମାନଙ୍କ ସର୍ଜନାତ୍ମକ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ବିଷୟରେ କର୍ମଶାଳା ଆୟୋଜନ କରାଯାଇଥିଲା। ତା’ ଭିତରେ ଶିଶୁ ସାମ୍ବାଦିକ, ଓଡ଼ିଶୀ ନୃତ୍ୟ, ଷ୍ଟୋରି ଟେଲିଂ, କାର୍ଟୁନ, ୱାର୍ଡ ପଜଲ, ମ୍ୟାଥ୍ ଗେମ୍, ମ୍ୟାଜିକ୍ ସୋ’ ସହିତ ଅଦରକାରୀ ଜିନିଷରୁ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତି ଆଦି କର୍ମଶାଳା ରହିଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ କୌଶଳ ଶିଖିଥିଲେ ଓ ସାମଗ୍ରୀ ତିଆରି କରି ପ୍ରଦର୍ଶନ କରିଥିଲେ।

‘ସରଗି ଫୁଲ୍’ କାର୍ଯ୍ୟକ୍ରମରେ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ସର୍ଜନାତ୍ମକ ଲେଖା ସହିତ ବକ୍ତୃତା, ଓପନ ସ୍ଲୋଗାନ, ଏକକ ନୃତ୍ୟ, ଦଳଗତ ନୃତ୍ୟ ଏବଂ କ୍ରୀଡ଼ା ପ୍ରତିଯୋଗିତା ଆଦି କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭିତରେ ନୂଆ ଉତ୍ସାହ ସୃଷ୍ଟି କରିବାରେ ସହାୟକ ହୋଇଥିଲା।

ଆସନ୍ତା ନଭେମ୍ବର ୧୪ରୁ ଗଜପତି ଜିଲ୍ଲାର ରାୟଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଦକ୍ଷିଣ-ଓଡ଼ିଶା ଜୋନସ୍ତରୀୟ ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ ଆୟୋଜନ କରାଯିବ। ଏଥିରେ ବିଭିନ୍ନ ଜିଲ୍ଲାରୁ ଜନଜାତି ଛାତ୍ରଛାତ୍ରୀମାନେ ଭାଗନେଇ ସେମାନଙ୍କ ଅନନ୍ୟ ପ୍ରତିଭା ପ୍ରଦର୍ଶନ କରିବେ। ଜୋନସ୍ତରୀୟ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର ଦିଆଯିବ।

ଆଜି ବିରୁଷ୍କାଙ୍କ ବିବାହ ବାର୍ଷିକୀ, ଜାଣନ୍ତୁ କେମିତି ହେଲା ପ୍ରେମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଉଦୀୟମାନ କ୍ରିକେଟର ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ପୁରିଛି ୬ ବର୍ଷ । ଆଜି ହେଉଛି ଏହି ସେଲିବ୍ରେଟି ଦମ୍ପତ୍ତିଙ୍କ ବିବାହ ବାର୍ଷିକୀ । ୨୦୧୭ ମସିହା ଡିସେମ୍ବର ୧୭ ତାରିଖରେ ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏକ ସାମ୍ପୋ ବିଜ୍ଞାପନ ସମୟରେ ଉଭୟଙ୍କ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା । ଏହାପରେ ସେମାନଙ୍କ ସମ୍ପର୍କ ନିବିଡ଼ ହେବା ସହ ପ୍ରେମରେ ପଡ଼ିଥିଲେ । ଶେଷରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୧୩ ମସିହାରେ ବିଜ୍ଞାପନ ସମୟରେ ଭେଟ ହୋଇଥିବାବେବଳେ କିଛି ବର୍ଷ ଡେଟ୍ କରିଥିଲେ ।

ବିରାଟ ଏବଂ ଅନୁଷ୍କା ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥିବାବେଳେ ସେମାନଙ୍କ ବହୁ ଫଲୋର୍ସ ରହିଛନ୍ତି । ଫଟୋ ପୋଷ୍ଟ ହେବାମାତ୍ର ୟୁଜର୍ସମାନେ ସେୟାର କରିଥାନ୍ତି । ବିଶ୍ବକପ ପରେ ଏହି ଦମ୍ପତ୍ତି ଏବେ ବିଦେଶରେ ଛୁଟି କାଟୁଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ ଖେଳୁ ନାହାନ୍ତି କୋହଲି । ଡିସେମ୍ବର ୨୬ରେ ଟେଷ୍ଟ ମ୍ୟାଚ ଖେଳାଯିବ । ୨ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ କୋହଲି ଦଳକୁ ଫେରିବେ । ଦିନିକିଆ ଏବଂ ଟି-୨୦ ଖେଳିବେନି ବୋଲି ପୂର୍ବରୁ ବିସିସିଆଇ ଜଣାଇଥିଲେ ।

ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ବର ବାବା

ପୁରୀ: ଶ୍ରୀମନ୍ଦିର ଆସି ଜଗନ୍ନାଥ ଦର୍ଶନ କରିଛନ୍ତି ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଶ୍ରୀମନ୍ଦିରରେ ପ୍ରାୟ ୧ଘଣ୍ଟା ରହଣି କାଳରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମା ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ  ପରେ ଶ୍ରୀମନ୍ଦିର ଭିତରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ବସି ମହାପ୍ରସାଦ ସେବନ କରିଥିଲେ। ନିଜ ଜଗନ୍ନାଥ ଦର୍ଶନ ଅନୁଭୂତି ଖୁବ ସୁନ୍ଦର ରହିଛି ବୋଲି ସେ କହିବା ସହ ଜାନୁଆରୀ ୨୨ରେ ହେବାକୁ ଯାଉଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମସ୍ତ ଭାରତୀୟଙ୍କ ବିଜୟ ବୋଲି କହିଥିଲେ । ତେବେ ଶ୍ରୀମନ୍ଦିର ଯିବା ପୂର୍ବରୁ ସେ ସିଂହଦ୍ୱାର ଠାରେ ନିଜ କଠାଉ ରଖିଦେଇ ଯାଇଥିବା ବେଳେ ତାହାକୁ ମୁଣ୍ଡ ଛୁଇଁ ଦର୍ଶନ କରିବାକୁ ଉତ୍ସୁକତା ଦେଖିବାକୁ ମିଳିଥିଲା ।

ସେପଟେ ହନୁମାନ ସାଧକ ବାବା ବାଗେଶ୍ୱରଙ୍କୁ  ଧବଳେଶ୍ବରଙ୍କ ପୂଜକ ସିତେଶ ପତ୍ରି  ଏକ ପିତ୍ତଳର ଗଦା ଉପହାର ଦେଇଥିଲେ।ଯାହାର ଓଜନ ପ୍ରାୟ ସାଢ଼େ ଛଅ କିଲୋ ଓ ମୂଲ୍ୟ ୧୨ହଜାର ଟଙ୍କା ହେବ ବୋଲି ଶିତେଶ କହିଥିଲେ।ବାବା ଓଡ଼ିଶା ଆସିଲେ ସେ ଏହାକୁ ବାବାଙ୍କୁ ଦେବାପାଇଁ ଟାଙ୍ଗୀସ୍ଥିତ ଭଟିମୁଣ୍ଡାରେ ତିଆରି କରାଇଥିଲେ । ବାଗେଶ୍ୱର ବାବାଙ୍କ ଆସିବା ଖବର ଶୁଣି ତାଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ଓ ସିଂହଦ୍ୱାରରେ ପ୍ରବଳ ଭିଡ ଜମିଥିଲା । ଏମିତିକି ସିଂହଦ୍ୱାର ଠାରେ ଏକପ୍ରକାର ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନା ଥାଉକି, ରବିବାର ଭୁବନେଶ୍ବରରେ ପହଞ୍ଚିଥିଲେ ବାଗେଶ୍ବର ବାବା । ଏହାପରେ କଡ଼ା ସୁରକ୍ଷାରେ ଭିତରେ ସେ ପୁରୀ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ ତାଙ୍କୁ ଦେଖିବା ପାଇଁ ଲାଗିଥିବା ଭକ୍ତଙ୍କ ଭିଡ଼ ।

 

ଷଷ୍ଠଦିନରେ ବଲାଙ୍ଗୀରରେ ଜାରି ରହିଛି ଚଢ଼ାଉ

ବଲାଙ୍ଗୀର: ବଲାଙ୍ଗୀର ଆୟକର ବିଭାଗ ତରଫରୁ ସୁଦପଡା ଦେଶୀ ମଦଭାଟିରେ ରେଡ ଘଟଣା । ଷଷ୍ଠ ଦିନରେ ମଧ୍ଯ ଚଢ଼ାଉ ଜାରି ରହିଛି । ଦିନ ରାତି ଏକ କରି ଖିଅ ଖୋଜୁଛନ୍ତି ଆୟକର ବିଭାଗ ଅଧିକାରୀ । ରବିବାର ସୁଦପଡା ମଦଭାଟି ମୁଖ୍ୟ ମ୍ୟାନେଜର୍ ରାଜେଶ ସାହୁ ଓ ଫାଇନାନସିଆଲ ମ୍ୟାନେଜର ବଣ୍ଟି ସାହୁଙ୍କ ଘରୁ ଜବତ ହୋଇଥିବା ଟଙ୍କାର ଗଣତି ଶେଷ ହୋଇଛି । ଚାରିଦିନ ଧରି ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ମାରାଥନ ଗଣତି ଚାଲିଥିଲା । ଗଣତି ବେଳେ କେତେ ଟଙ୍କା ବାହାରିଛି ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୌଣସି ତଥ୍ଯ ଦିଆଯାଇ ନଥିବା ବେଳେ, ୧୭୬ଟି ବ୍ୟାଗରୁ ୩୦୦ରୁ ୩୫୦ କୋଟି ଟଙ୍କା ବାହାରିଥିବା ଆକଳନ କରାଯାଉଛି । ଟଙ୍କା ପରେ ଏବେ ଆଇଟି ବିଭାଗର ନଜର ଜବତ ହୋଇଥିବା ଦସ୍ତାବିଜ୍ ଉପରେ ପଡ଼ିଛି । ଜବତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରୁ କେତେ ଟଙ୍କା ଆୟ ବ୍ୟୟ ହୋଇଛି ତାହାର୍ ଅଟକଳ କରାଯାଉଛି । ଟଙ୍କା ପରେ ଏବେ ଆୟକର ବିଭଗ ନଜରରେ ରହିଛି ଜବତ ହୋଇଥିବା ଫାଇଲ । ଭାଟିରୁ କେଜି କେଜି ସୁନା ମଧ୍ୟ ଜବତ ହୋଇଥିବା ଚର୍ଚ୍ଚା ହେଉଛି । ଆଜି ସ୍ପଷ୍ଟ ହେବ ଜବତ ଟଙ୍କାର ପରିମାଣ ।

ପୁଣି ଲାଗିଲା ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର

ଅମୃତସର: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ରାଜ କରିଥାନ୍ତି । ଗଦର-୨ର ସଫଳତା ପରେ ତାଙ୍କର କ୍ରେଜ୍ ବଢ଼ି ଯାଇଥିଲା । ମାତ୍ର ଏବେ ପୁଣି ନିଜ ସଂସଦୀୟ କ୍ଷେତ୍ରରେ ତାଙ୍କର ନିଖୋଜ ଥିବା ପୋଷ୍ଟ ଲାଗିଛି । ଯିଏ ତାଙ୍କୁ ଖୋଜି ଦେବ ସେ ୫୦ ହଜାର ଟଙ୍କାର ପୁରସ୍କାର ପାଇବ ବୋଲି କୁହାଯାଇଛି । ଏଭଳି ପୋଷ୍ଟର ଏବେ ବହୁମାତ୍ରାରେ ଲାଗିଛି । ବିଜେପି ପକ୍ଷରୁ ସାଂସଦ ହୋଇଥିବା ସନ୍ନି ଦେଓଲ ଗୁରୁଦାସପୁର-ପଠାନକୋଟରୁ ସାଂସଦ ଅଛନ୍ତି । ମାତ୍ର ସେ ନିଜର ସଂସଦୀୟ କ୍ଷେତ୍ରରେ ଦେଖା ଦେଉନାହାନ୍ତି । ବାରମ୍ବାର ଲୋକେ ଅଭିଯୋଗ ଆଣୁଥିବାବେଳେ ପୂର୍ବରୁ ମଧ୍ୟ ଏଭଳି ନିଖୋଜ ପୋଷ୍ଟର ମାରିଥିଲେ । ମାତ୍ର ଏହାପରେ ମଧ୍ୟ ସେ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉନଥିବା କହୁଛନ୍ତି ଲୋକେ । ଏପରିକି ଜନତାମାନେ କହିଛନ୍ତି କି, ମିଛ ପ୍ରତିଶୃତିରେ ଫସି ତାଙ୍କୁ ଭୋଟ୍ ଦେଇଥିଲୁ । ତାହା ଆମର ଭୁଲ୍ ହୋଇ ଯାଇଛି । ଆଉ କେବେ ଏଭଳି ଭୁଲ୍ ହେବ ନାହିଁ । ଯଦି ୨୦୧୪ ନିର୍ବାଚନରେ ତାଙ୍କୁ କୌଣସି ଦଳ ଟିକେଟ ଦିଏ ତାହେଲେ ଭୋଟ ଦେବେ ନାହିଁ ବୋଲି କହିଛନ୍ତି । ସେପଟେ ଏହି ଘଟଣାକୁ ନେଇ ସନ୍ନି ଦେଓଲଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ । ବସଷ୍ଟାଣ୍ଡ ଏବଂ ଷ୍ଟେସନରେ ମଧ୍ୟ ଏଭଳି ନିଖୋଜ ପୋଷ୍ଟର ଲଗାଯାଇଥିବାବେଳେ ଏହା ଚର୍ଚ୍ଚାରେ ରହିଛି ।