spot_img
Home Blog Page 260

ମଝି ଆକାଶରେ ଦେବଦୂତ ସାଜିଲେ କଟକର ଡାକ୍ତର ଜ୍ୟୋତିର୍ମୟ ନାୟକ

ନନ୍ଦିଘୋଷ ବ୍ୟୁରୋ: ମଝି ଆକାଶରେ ଦେବଦୂତ ସାଜିଲେ କଟକର ଡାକ୍ତର ଜ୍ୟୋତିର୍ମୟ ନାୟକ। ୨ ଦିନ ତଳେ ସେ ଦିଲ୍ଲୀ ଯାତ୍ରା କରୁଥିଲେ। ସେହି ବିମାନରେ ଯାତ୍ରା କରୁଥିବା ଜଣେ ମହିଳା ହଠାତ୍ ବିମାନ ମଧ୍ୟରେ ଅଚେତ୍ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ପାଖ ସିଟରେ ବସିଥିଲା ଡାକ୍ତର ନାୟକ ତାଙ୍କୁ ସିପିଆର ଦେଇଥିଲେ। କିଛି ସମୟପରେ ତାଙ୍କ ସ୍ଥିତିରେ ସୁଧାର ଆସିଥିଲା। ଶେଷରେ ବିମାନ ଅବତରଣ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଏହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ କଟକ ଏସସିବିର ଡାକ୍ତର ଜ୍ୟୋତିର୍ମୟଙ୍କୁ ସବୁଠି ପ୍ରଶଂସା କରାଯାଇଥିଲା।

ବିମାନ ଭିତରେ ଜଣେ ମହିଳାଙ୍କ ଦେହ ଖରାପ ହେବା ଓ ଏୟାର ହଷ୍ଟେସଙ୍କ ଅନୁରୋଧ ରକ୍ଷା କରି ସଂପୃକ୍ତ ଅସୁସ୍ଥ ମହିଳାଙ୍କର ଚିକିତ୍ସା କରିବା ସତରେ ନିଆରା ଅନୁଭୂତି ଥିଲା ବୋଲି ନନ୍ଦିଘୋଷ ଟିଭିକୁ କହିଛନ୍ତି ଡାକ୍ତର ଜ୍ୟୋତିର୍ମୟ ନାୟକ । ଦୁଇ ଦିନ ତଳେ ଏକ କନଫରେନ୍ସ ରେ ଯୋଗ ଦେବାକୁ ସେ ବିମାନରେ ରାୟପୁର ହୋଇ ଦିଲ୍ଲୀ ଯାତ୍ରା କରୁଥିଲେ। ସେହି ବିମାନରେ ଯାତ୍ରା କରୁଥିବା ଜଣେ ବୟସ୍କା ମହିଳା ହଠାତ ରାତିରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ପାଖ ସିଟ୍ ରେ ବସିଥିବା ଡାକ୍ତର ନାୟକ ନିକଟକୁ ଯାଇ ସିପିଆର ଦେଇଥିଲେ। ଏହାର କିଛି ସମୟ ପରେ ମହିଳାଙ୍କ ଅବସ୍ଥା ସୁଧାର ଆସିଥିଲା। ଶେଷରେ ବିମାନ ଅବତରଣ ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ଏହାର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ଡାକ୍ତର ଙ୍କ  ଏହି କାର୍ଯ୍ୟ ପାଇଁ ତାଙ୍କୁ ସବୁଆଡେ ପ୍ରଶଂସା କରାଯାଉଛି।

ରାମ୍ପରେ ଚାଲିଲେ ଭୁବନେଶ୍ୱର ମେୟର, ଡେପୁଟି ମେୟର ଓ ମହିଳା କର୍ପୋରେଟର

ନନ୍ଦିଘୋଷ ବ୍ୟୁରୋ: ରାମ୍ପରେ ଚାଲିଲେ ଭୁବନେଶ୍ୱର ମେୟର, ଡେପୁଟି ମେୟର ଓ ମହିଳା କର୍ପୋରେଟର । ନାଚ ଗୀତ ଓ ଡ୍ରାମାରେ କମ୍ପିଲା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ  ।  ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଏମସି ରିକ୍ରିଏସନ କ୍ଳବ ପକ୍ଷରୁ ୫୪ ତମ ବାର୍ଷିକ ଉତ୍ସବ ରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ରଙ୍ଗୀନ ଆଲୋକ ସହ ମ୍ୟୁଜିକର ତାଳେ ତାକେ ମଞ୍ଚରେ ଭଳିକି ଭଳି ହସ୍ତତନ୍ତ ଶାଢ଼ୀରେ ନିଜକୁ ସଜାଇ ମହିଳା କର୍ପୋରେଟର୍ ଏବଂ ଅଧିକାରୀମାନେ ଏହି ଶୋରେ ସାମିଲ ହୋଇଥିଲେ ।  ବିଏମ୍ ସି  ଇତିହାସରେ ଏହା ପ୍ରଥମ ଓ ଭିନ୍ନ ସ୍ଵାଦର ହୋଇଥିଲା ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାଶ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଏମସି କମିଶନର ଚଞ୍ଚଳ ରଣା, ଡେପୁଟି ମେୟର ମଞ୍ଜୁଲତା କହଁର, କଲଚୁରାଲ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂ ଓ ରିକ୍ରିଏସନ କ୍ଳବ ସମ୍ପାଦକ ଶୁଭ୍ରକାନ୍ତ ପାଢ଼ୀଙ୍କ ସମେତ ବିଏମସିର ସମସ୍ତ କର୍ପୋରେଟର ଓ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

ଏଭଳି ପ୍ରୟାସ କୁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।  ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ ରିକ୍ରିଏସନ୍ କ୍ଲବ୍ର ବାର୍ଷିକ କାର୍ଯ୍ୟକ୍ରମ ଓ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ଉପଲକ୍ଷେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏଥିରେ ଇଣ୍ଡୋର ଗେମ୍, ଆଉଟ୍ ଡୋର୍ ଗେମ୍,ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିରେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଛି । ଜୀବନର ଅକ୍ଲାନ୍ତ ଯାତ୍ରାରେ ଟିକେ ନିଜ  ପସନ୍ଦରେ ସମୟ ବିତାଇ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଆଣିଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଆୟୋଜକ କହିଚିନ୍ତି । ସେପଟେ ଏହି କାର୍ଯ୍ୟକ୍ରମ ରେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ,ଅତିରିକ୍ତ କମିଶନର ରତ୍ନାକର ସାହୁ ଏବଂ  ସହାୟକ କମିଶନର ସତ୍ୟଜିତ  ସାହୁଙ୍କ କଣ୍ଠରେ ସୁମଧୁର ସଂଗୀତରେ ମୁଗ୍ଧ ହୋଇଥିଲେ ଦର୍ଶକ । ଏହାପରେ ଆରମ୍ଭ ହୋଇଥିଲା ସେହିପରି ସମ୍ବଲପୁରୀ ନୃତ୍ୟ, ଏବଂ  ଆାଦିବାସୀ ନୃତ୍ୟ। ଶେଷରେ ବହୁ ପ୍ରତୀକ୍ଷିତ ନାଟକ ଛାୟା ପୁରୁଷ ବେଶ ମନୋମୁଗ୍ଧ କରିଥିଲା ।

ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ ଆକାଶ ଛୁଆଁ ସୁନା ଦର, ଜାଣନ୍ତୁ ଏବେ କଣ ରହିଛି ଦାମ ?

ନନ୍ଦିଘୋଷ ବ୍ୟୁରୋ: ଆକାଶ ଛୁଆଁ ସୁନା ଦର। ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବୁଛନ୍ତି। ଜାରି ରହିଛି ଅର୍ଥନୈତିକ ଅନିଶ୍ଚିତତା। ୧ ଲକ୍ଷ ଟଙ୍କା ପାର କଲା ସୁନା।ଭୁବନେଶ୍ଵରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୯୮ ହଜାର ୫୦ ଟଙ୍କାରେ ପହଞ୍ଚିଲା। ୨୪ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ଦର ହେଲା ୧ ଲକ୍ଷ ୯ ହଜାର ଟଙ୍କା। ସୁନା ଦରରେ ଲଗାତର ବୃଦ୍ଧି ଦେଖିବାକୁ ମିଳୁଛି। ଏବର୍ଷ ଜାନୁଆରୀ ପରଠାରୁ ଏଯାଏ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୨୮,୦୦୦ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି।

ସେହିଭଳି ରୁପା ୧୦ ଗ୍ରାମ ଦର ୧୩୨୦ ଟଙ୍କା ରହିଛି।ବିଶ୍ବ ବଜାରରେ ମାନ୍ଦାବସ୍ଥା ଜାରି ରହିଥିବାରୁ ସେୟାର ବଜାରଗୁଡ଼ିକ ଧରାଶାୟୀ ହେବାରେ ଲାଗିଛନ୍ତି। ଲୋକେ ଆଉ ସେୟାର ବଜାରରେ ନିବେଶ ନକରି ସୁନାରେ ପୁଞ୍ଜି ବିନିଯୋଗ କରିବାକୁ ସୁରକ୍ଷିତ ମଣୁଛନ୍ତି।ସୁନା ଅଧିକ ରିଟର୍ଣ୍ଣ ଦେଉଥିବାରୁ ଚାହିଦା ବଢ଼ିବାରେ ଲାଗିଛି। ସୁନା ଦର ବଢିବା ଦ୍ବାରା ମଧ୍ଯବିତ୍ତ ପରିବାର ଉପରେ ଅନେକ ପ୍ରଭାବ ପଡିଛି। ସୁନା ରେଟ ବୃଦ୍ଧି ହେଉଥିବା ବେଳେ ଆଗକୁ ପାର୍ବଣର ଋତୁ ଆସୁଛି। ଆହୁରି କେତେ ବଢ଼ିବ ସୁନା ଏହାକୁ ନେଇ ଚିନ୍ତାରେ ଗ୍ରାହକ ।

ସୁନା ଦର ବଢ଼ିବାର ୫ ଟି ପ୍ରମୁଖ କାରଣ ରହିଛି। ଟ୍ରମ୍ପଙ୍କ ଟାରିଫ ନୀତି  ଏବଂ ବାଣିଜ୍ୟ ଯୁଦ୍ଧ ଡରରେ ନିବେଶକ ସୁନାକୁ ନିରାପଦ ମନେ କରି କ୍ରୟ କରୁଛନ୍ତି। ଚୀନ, ଋଷ ଭଳି ଦେଶ ଅଧିକ ମାତ୍ରାରେ ସୁନା କିଣୁଛନ୍ତି। ଯାହା ସୁନା, ରୁପାର ଚାହିଦା ବଢ଼ାଉଛି। ଚାହିଦା ବଢ଼ିବା ସହ ଦର ବି ବଢୁଛି।ଋଷ, ୟୁକ୍ରେନ ଯୁଦ୍ଧ ଶେଷ ନହେବା କାରଣରୁ ଅସ୍ଥିରତା ମଧ୍ୟରେ ଲୋକେ ସୁନାରେ ନିବେଶ ବଢ଼ାଉଛନ୍ତି। ମୁଦ୍ରାସ୍ଫୀତି ଭୟ ଓ ଫେଡେରାଲ ରିଜର୍ଭ  ବ୍ୟାଙ୍କର କମ୍ ସୁଧ ହାର ଯୋଗୁ ସୁନା ନିବେଶର ମାଧ୍ୟମ ପାଲଟିଛି।ଏହା ମଧ୍ୟ ଦର ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ମଧ୍ୟ ସୁନାକୁ ମହଙ୍ଗା କରୁଥିବା ଜଣାପଡ଼ିଛି। ସୁନା ରେଟ ବଢିଲେ ମଧ୍ଯ ଲୋକେ ସୁନା କିଣୁଛନ୍ତି।

 

ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିମାନେ ଦେବେ ଏହି ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୯ ତାରିଖରୁ ଖେଳାଯିବାକୁ ଯାଉଛି ଏସିଆ କପ୍ । ଭାରତ ନିଜର ଅଭିଯାନ ୧୦ରୁ ଆରମ୍ଭ କରିବ । ଭାରତ ପ୍ରଥମ ମ୍ୟାଚରେ ୟୁଏଇ ସହ ଖେଳିବାକୁ ଯାଉଛି । ତେବେ ଟିମ ଇଣ୍ଡିଆ ୟୁଏଇ ଯିବା ପୂର୍ବରୁ ଖେଳାଳିମାନେ ଏକ ବଡ଼ ପରୀକ୍ଷା ଦେବେ । ଖେଳାଳିଙ୍କ ଫିଟନେସ୍ ଟେଷ୍ଟ ନେଇପାରେ ବିସିସିଆଇ । ବିସିସିଆଇ ଖେଳାଳିଙ୍କ ଲାଗି ବାଙ୍କ୍ରୋ ଟେଷ୍ଟ ଲାଗୁ କରିଛି । ଟିମ ଇଣ୍ଡିଆର ପିଟନେସ ଏବଂ କଣ୍ଡିସନିଂ କୋଚ ଆଡ୍ରିଆନ ଲେ ରକ୍ସ ଏଭଳି ଏକ କରିବା ଲାଗି ସୁପାରିଶ ଦେଇଛନ୍ତି । ଟିମ ଇଣ୍ଡିଆର ଖେଳାଳିମାନେ ବାଙ୍କ୍ରୋ ଟେଷ୍ଟ ଲାଗି ବାଙ୍ଗାଲୋରରେ ପହଞ୍ଚିଥିବା ନେଇ ଏକ ଖବର ପରିବେଶଣ କରାଯାଇଥିଲା । ମାତ୍ର ଏହା ସତ ନଥିବା ଜଣା ପଡ଼ିଥିଲା ।

ମାତ୍ର ଭାରତୀୟ ଖେଳାଳିମାନେ ଆସନ୍ତା ୪ ତାରିଖରେ ଭାରତରୁ ଯିବେ । ତେବେ ୫ ତାରିଖରେ ଦୁବାଇରେ ଏହି ବାଙ୍କ୍ରୋ ଟେଷ୍ଟ ଦେଇପାରନ୍ତି । ତେବେ ଏହି ଟେଷ୍ଟରେ ଜଣେ ଖେଳାଳି ୨୦ ମିଟର ସଟଲ ଦୌଡ଼ିବେ । ଏହା ପରେ ୪୦ ଏବଂ ୬୦ ମିଟର ଦୌଡ଼ିବେ । ସବୁକୁ ମିଶାଇ ଜଣେ ଖେଳାଳି ୧୨୦୦ ମିଟର ପର୍ଯ୍ୟନ୍ତ ଦୌଡ଼ି ପାରନ୍ତି ବୋଲି କୁହାଯାଉଛି । ଏସିଆ କପ ଲାଗି ମନୋନୀତ ହୋଇଥିବା ସମସ୍ତ ଭାରତୀୟ ଖେଳାଳିମାନେ ଏହି ଟେଷ୍ଟ ଦେବେ ବୋଲି ଆଶା ରଖାଯାଇଛି । ମାତ୍ର ଏନେଇ କୌଣସି ସ୍ପଷ୍ଠ ସୂଚନା ଦିଆଯାଇନାହିଁ ।

ଦାଦନ ଖଟିବାକୁ ଯାଇଥିଲେ ବାଙ୍ଗାଲୋର, NEET ପରୀକ୍ଷାରେ ସଫଳତା ହାସଲ କଲେ ଚାଷୀ ପରିବାରର ଯୁବକ

ନନ୍ଦିଘୋଷ ବ୍ୟୁରୋ: ଇଚ୍ଛାଶକ୍ତି ଆଗରେ ହାର ମାନେ ସବୁ ବାଧାବିଘ୍ନ। ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀ ପରିବାରର ଯୁବକ ଶୁଭମ ଶବର। ଆର୍ଥିକ ଅନଟନ ଭିତରେ ସଫଳତା ପାଇବାରେ ସେ ସକ୍ଷମ ହୋଇଛନ୍ତି । ନିଟ ପରୀକ୍ଷାରେ ସଫଳତା ପାଇବା ପରେ ଏବେ MKCG ମେଡିକାଲରେ ନାମ ଲେଖାଇଛନ୍ତି । ପ୍ରବଳ ଆର୍ଥିକ ସମସ୍ୟା ସତ୍ତ୍ବେ ସଫଳତା ତାଙ୍କ ପାଦ ଚୁମିଥିବାରୁ ତାଙ୍କୁ ଏବେ ଛୁଟିଛି ଶୁଭେଚ୍ଛାର ସୁଅ । ଆସନ୍ତୁ ଦେଖିବା ନୀଳାଦ୍ରି ପ୍ରସାଦ ମୁଦୁଲି ଡିହ, ବିନ୍ଧାଣୀ ସାହିର ଶୁଭମ ଶବରଙ୍କ ସଫଳତାର କାହାଣୀ ।

ଦାଦନ ଖଟିବାକୁ ଯାଇଥିଲେ ବାଙ୍ଗାଲୋର । ହଠାତ୍ ଆସିଲା ଫୋନ୍। MKCG ରେ ଆଡମିସନ ହେବ କହି ଡକେଇଥିଲେ ସାର୍ । ବାଣପୁର ନୀଳାଦ୍ରି ପ୍ରସାଦ ପଞ୍ଚାୟତ ମୁଦୁଲି ଡିହ ବିନ୍ଧାଣୀ ସାହିର ଶୁଭମ ଶବର । NEET ପରୀକ୍ଷାରେ ୧୮ ହଜାର ୨୧୨ RANK ରଖି ସେ ସଫଳତା ହାସଲ କରିଛନ୍ତି । ଶୁଭମ ସ୍ଥାନୀୟ ନୀଳାଦ୍ରି ଆଶ୍ରମ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା କରିବା ପରେ ବୋଲଗଡ଼ ସ୍ଥିତ ହରିପୁର ଉଚ୍ଚ ବିଦ୍ୟାଳୟରୁ ଦଶମ ପାସ କରିଥିଲେ । ପରେ ସେ BJB କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ପାଠ ପଢି ପାସ କରିଥିଲେ । ଅର୍ଥ ଅଭାବ ଯୋଗୁଁ ବ୍ରହ୍ମପୁରରେ ନିଟ୍ ପାଇଁ କୋଚିଂ ନେଇଥିଲେ । ସାରଙ୍କର କିଛି ମାସର ପଇସା ବାକି ଥିବାରୁ ସେ ଋଣ ଶୁଝିବା ପାଇଁ ବାପାଙ୍କ ସହ ମିଶି ବାଙ୍ଗାଲୋରରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ସାରଙ୍କ ଗୋଟିଏ ଫୋନ କଲ ତାଙ୍କ ଭାଗ୍ୟ ବଦଳାଇଦେଲା। ଜଣେ ଶ୍ରମିକ ଭାବରେ କାମ କରିବାର ଯେଉଁ କଷ୍ଟ ଅନୁଭବ ହେଉଥିଲା ସାରଙ୍କ ଠାରୁ ଶୁଣିବା ପରେ ସବୁ କଷ୍ଟ ଦୂର ହୋଇଗଲା ବୋଲି କୁହନ୍ତି ଶୁଭମ । ଏହାସହ ସବୁ ସଫଳତାର ଶ୍ରେୟ ବାପା ମା, ପଦାର୍ଥ ବିଜ୍ଞାନ ଶିକ୍ଷକ ବାସୁଦେବ ମହାରଣା ଓ ରସାୟନ ବିଜ୍ଞାନ ଶିକ୍ଷକ ଦେବଦତ୍ତ ମହାନ୍ତିଙ୍କୁ ଦେଇଛନ୍ତି ଶୁଭମ ।

ଜଣେ ଅଦିବାସୀ ଅଧ୍ୟୁଷିତ ବଣ ଜଙ୍ଗଲ ଘେରା ଗାଁର ପିଲା ପଢ଼ିବ ଡାକ୍ତରୀ ପାଠ । ଯେଉଁ ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ ଦଦରା ଚାଳ ଛପର ଘର । ବାପା ଗାଁରେ ଥିବା ବେଳେ ତାଙ୍କ ସହ ବିଲରେ କାମ ବି କରନ୍ତି ଶୁଭମ । ଏଭଳି ଜଣେ ନିପଟ ମଫସଲରୁ ଆସିଥିବା ଗରିବ ଘରର ପୁଅର ଏତେ ବଡ ସଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କିଏ କହୁଛି ଆମ ପିଲା ଡାକ୍ତର ହେଲା, ତା ପାଖରେ ଆମେ ଚିକିତ୍ସିତ ହେବୁ । ସମାଜରେ ଲୋକଙ୍କ ସେବା କରିବ ଏଥିପାଇଁ ଆମେ ବହୁତ ଗର୍ବ କରୁଛୁ ।

 

କେବେ ତୁଟିବ ସାର ସମସ୍ୟା ? ୟୁରିଆ ସାର ବସ୍ତାଏ ପାଇଁ ଚାଷୀ କରୁଛନ୍ତି ସଂଘର୍ଷ..

ନନ୍ଦିଘୋଷ ବ୍ୟୁରୋ: ଚାଷ ତର ତର ବଣିଜ ମଠ । ଟିଟିଲାଗଡ ଅଞ୍ଚଳରେ ଚାଷୀ ତର ତର କଣ  ହେବ ସତେ ଯେମିତି ଚାଷ କାର୍ଯ୍ୟ ଠପ ହୋଇଯାଇଛି । ସାର ଅଭାବ ଚାଷୀଙ୍କ ନିଦ ହଜାଇ ଦେଇଛି । ବର୍ତ୍ତମାନ ୟୁରିଆ ସାରର ଅଭାବ ଥିବାବେଳେ ଯାହା କେଉଁଠି କିଛି ମିଳୁଛି ତାହା ଚଢ଼ା ଦରରେ ବିକ୍ରି ହେଉଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯିବା ସହ ଚାଷୀ ଲୁଣ୍ଠିତ ଶୋଷିତ ହେଉଥିବା ଅଭିଯୋଗ ହେଉଛି ।

ତୁଟୁନି ସାର ସମସ୍ୟା। ସାର ପାଇଁ ରାଜରାସ୍ତାରେ ଅନ୍ନଦାତା। ଟିଟିଲାଗଡରେ ରାଜ୍ୟ ରାଜପଥରେ ବସି ବିକ୍ଷୋଭ ପ୍ରଦର୍ଶନ । ୟୁରିଆ ସାର ବସ୍ତାଏ ପାଇଁ ଚାଷୀ କରୁଛନ୍ତି ସଂଘର୍ଷ । କ୍ଷେତ ଛାଡ଼ି ଲମ୍ବା ଲାଇନରେ ଚାଷୀ । କାରଣ ଟିଟିଲାଗଡ ଅଞ୍ଚଳରେ ବର୍ତ୍ତମାନ ଦେଖା ଦେଇଛି ୟୁରିଆ ସାରର ଘୋର ଅଭାବ । ସାର ମିଳୁନଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନି । ଚାଷୀଙ୍କୁ ଉଚିତ ସମୟରେ ବିହନ, ସାର ଓ ଜଳ ସେଚନ ବ୍ୟବସ୍ଥା ଯୋଗାଇବାରେ ସରକାର ବିଫଳ ବୋଲି କହିଛନ୍ତି ଚାଷୀ ନେତା । ଅନ୍ୟପଟେ ଚାଷୀଙ୍କୁ ସାର ବଣ୍ଟନ ନହେବା ପର୍ଯନ୍ତ ଚାଷୀମାନେ ରାଜରାସ୍ତାରେ ବସି ରହିବେ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ଅନ୍ୟପଟେ ଦୀର୍ଘ ଦିନ ହେଲା ସାର ମିଳୁନଥିବା ବେଳେ ଟିଟିଲାଗଡକୁ ସାର ଆସିଥିବା ଖବର ପାଇଥିଲେ ଚାଷୀ। ଏଥିପାଇଁ ଲମ୍ବା ଲାଇନରେ ଲାଗିଛନ୍ତି ଚାଷୀ । ବର୍ତ୍ତମାନ ଜମିରେ ସାର ବ୍ୟବହାର କରି ଚାଷୀ ବେଉଷଣ କରିବା ଉଚିତ ହେଲେ ବଜାରରେ ସାର ମିଳୁନି। ଫଳରେ ଚାଷ କାମ ହୋଇ ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗାଁ ଗଣ୍ଡାରେ ଚଢା ଦରରେ ୟୁରିୟା ସାର ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସାର ଅଭାବ ଯୋଗୁଁ ଅନେକ ଅଞ୍ଚଳରେ ବାଦାମ, କପା, ଧାନ ଓ ମକା ଭଳି ଅନେକ ଫସଲ ନଷ୍ଟ ହେବାକୁ ଲାଗିଲାଣି। ତେଣୁ ସରକାର ଯଥା ଶୀଘ୍ର ସାର ଯୋଗାଇବାକୁ ଦାବି ହୋଇଛି।

ବର୍ତ୍ତମାନ ସାର ଅଭାବ ଯୋଗୁଁ ଫସଲ ନଷ୍ଟ ହେବାରେ ଲାଗିଲାଣି । ଏନେଇ ଟିଟିଲାଗଡ DAO କହିଛନ୍ତି ବଲାଙ୍ଗୀର ଜିଲ୍ଲାକୁ ପ୍ରାୟ ୩୬ ହଜାର ମେଟ୍ରିକ ଟନ ୟୁରିଆ ସାର ଦରକାର ହୋଇଥାଏ । ଏହା ମଧ୍ୟରୁ ଅଧା ଆସିଥିବାରୁ ୟୁରିଆ ସାରର ଅଭାବ ଦେଖା ଦେଇଛି । ସମସ୍ଯାର ସମାଧାନ ପାଇଁ ସରକାର ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି । ତେବେ କେବେ ସାର ସମସ୍ୟା ଦୂର ହେଉଛି । ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର କେବେ ଯୋଗାଉଛନ୍ତି ସରକାର ତା ଉପରେ ରହିଛି ନଜର।

ମାଥିଲି ସଦର ଲ୍ୟାମ୍ପସରେ ଗୁରୁତର ଦୁର୍ନୀତି ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ମାଥିଲି ସଦର ଲ୍ୟାମ୍ପସରେ ଗୁରୁତର ଦୁର୍ନୀତି ଅଭିଯୋଗ। ଲ୍ୟାମ୍ପସରେ ପରିବାରବାଦ ଚାଲିଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ ଓ ଲ୍ୟାମ୍ପସ ସଦସ୍ୟ । ଏନେଇ ଭୁବନେଶ୍ବର ସ୍ଥିତ ରେଜିଷ୍ଟ୍ରାରଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ଚାଷୀଙ୍କ ସମେତ ସ୍ଥାନୀୟ ଲୋକ । ଏ ନେଇ ଲ୍ୟାମ୍ପସ ନିର୍ଦ୍ଦେଶକଙ୍କ କହିବା ହେଲା ଅଭିଯୋଗ ର ସତ୍ୟତା ନାହିଁ ।

ମାଲକାନଗିରି ମାଥିଲି ସଦର ଲ୍ୟାମ୍ପସରେ ଦୁର୍ନିତୀ ଅଭିଯୋଗ। ବହୁମୁଖୀ ସମବାୟ ସମିତି ବା ଲ୍ୟାମ୍ପସରେ ପରିବାରବାଦ ଚାଲିଥିବା ନେଇ ଅଭିଯୋଗ । ଘର ସଦସ୍ୟଙ୍କୁ ମୁଖିଆ ଓ ନିର୍ଦ୍ଦେଶକ ପଦବୀ ଦେଇ ବିପୁଳ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଭୁବନେଶ୍ବର ସ୍ଥିତ ରେଜିଷ୍ଟ୍ରାରଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ।

ଉନ୍ନୟନ କାର୍ଯ୍ୟରେ ଅଗ୍ରୀମ ଅର୍ଥ ନେବା, ସରକାରୀ ଶିକ୍ଷକଙ୍କ ନାଁରେ ଲ୍ୟାମ୍ପସରେ କାର୍ଯ୍ୟ କରୁଥିବା ନେଇ ମାସିକ ଦରମା ଉଠାଇବା , ମୃତ ଚାଷୀ ଓ କର୍ମଚାରୀଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି । ସାର ପାଇଁ ଚାଷୀ ହାହାକାର ହେଉଥିବାବେଳେ ଲ୍ୟାମ୍ପସରେ ଚାଲିଥିବା ଅନିୟମିତତାକୁ ନେଇ ଉଠିଛି ପ୍ରଶ୍ନ । ମାଥିଲି ଅଞ୍ଚଳରେ ସାର ନପାଇ ଚାଷୀ ହେଉଛନ୍ତି ହନ୍ତସନ୍ତ। କିଛି ଦିନ ତଳେ ଏପରିକି ରାଜରାସ୍ତାରେ ଆନ୍ଦୋଳନ କରିଥିଲେ ଅନ୍ନଦାତା।

ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଗ୍ରାମ ପଞ୍ଚାୟତକୁ NAC ଘୋଷଣା ଦାବି

ନନ୍ଦିଘୋଷ ବ୍ୟୁରୋ: ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଗ୍ରାମ ପଞ୍ଚାୟତକୁ NAC ଘୋଷଣା ଦାବି। ଏନେଇ ଶେରଗଡ଼ ଗ୍ରାମ ପଞ୍ଚାୟତର ବିଭିନ୍ନ ସଂଘର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇ ଯାଇଛି l   ୨୦୨୪ ମସିହାରେ  ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେରଗଡ଼କୁ NAC ଘୋଷଣା କରିଥିଲେ। କିନ୍ତୁ ସରକାର ପରିବର୍ତ୍ତନ ପରେ ନୂତନ ସରକାର ତାହା କାର୍ଯ୍ୟକାରୀ କରିନାହାନ୍ତି। ପ୍ରତିବାଦରେ ଆସନ୍ତା ୬ତାରିଖ ଦିନ ଶେରଗଡ଼ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି ।  ପ୍ରସ୍ତୁତି ବୈଠକ ରେ ଶେରଗଡ଼ ବଣିକ ସଂଘ,ଚାରିଛକ ଶାନ୍ତି ସୁରକ୍ଷା ସଂଘ, ବଜରଙ୍ଗୀ ବ୍ୟବସାୟୀ ସଂଘ,ମାଆ ରାମଚଣ୍ଡୀ ବ୍ୟବସାୟୀ ସଂଘ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା,ସାମ୍ବାଦିକ ସଂଘ,ବୁଦ୍ଧିଜୀବୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା l

ହିନ୍ଦୋଳ ବାଲିକିଆରୀ ଗାଁରେ 5 ଜଣିଆଁ ଭିଜିଲାନ୍ସ ଟିମର ତନାଘନା

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଟିମର ଛାନବିନ। ଢେଙ୍କାନାଳ ହିନ୍ଦୋଳ ବାଲିକିଆରୀ ଗାଁରେ 5 ଜଣିଆଁ ଭିଜିଲାନ୍ସ ଟିମର ତନାଘନା। ଗାଁରେ ଗତ ଦୁଇ ବର୍ଷ ତଳେ ଲୋକମାନେ ଚାନ୍ଦା ଆଦାୟ କରି ୨ଲକ୍ଷ ଟଙ୍କା ସଂଗ୍ରହ କରି ବନବିଭାଗ ପାଖରେ ଜମା କରିଥିଲେ । ଏହା ପରେ ବନବିଭାଗ ବାକି ୧୮ଲକ୍ଷ ଟଙ୍କା ଦେଇ ଗାଁରେ ହାତୀ ଉପଦ୍ରବ ରୋକିବାକୁ ସୋଲାର ତାରବାଡ଼ ନିର୍ମାଣ କରିଥିଲେ । ମାତ୍ର ନାମକୁ ମାତ୍ର ଖୁଣ୍ଟ ପୋତି ବିଲ୍ କରି ନେଇଥିବା ଢେଙ୍କାନାଳ ଭିଜିଲାନ୍ସ ବିଭାଗ ନିକଟରେ ବନ ସୁରକ୍ଷା କର୍ମୀ ଦିବ୍ୟ ରଞ୍ଜନ ଦାସ ଅଭିଯୋଗ ଆଣିଥିଲେ । ଆଜି ସେହି ଅଭିଯୋଗ ଆଧାରେ ଗାଁରେ ୫ ଜଣିଆଁ ଭିଜିଲାନ୍ସ ଅଧିକାରୀ ପହଞ୍ଚି ତନାଘନା କରିଛନ୍ତି । ଗାଁ ଏବଂ ଫରେଷ୍ଟ କାର୍ଯ୍ୟାଳୟରେ ଛାନବିନ କରିଛି ଟିମ । କେବଳ ବାଲିକିଆରୀ ଗାଁରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୂରା ହିନ୍ଦୋଳ ରେଞ୍ଜରେ ଏକାଧିକ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଖୁଣ୍ଟ ତାର କି ସୋଲାର ପ୍ଲେଟ କିଛି ବି ନାହିଁ । ସେପଟେ ଭିଜିଲାନ୍ସ ଅଧିକାରୀ ତଦନ୍ତ ଚାଲିଛି କହି ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି ।

ଅଭିନବ ଢଙ୍ଗରେ ପ୍ରତିବାଦ, ରାସ୍ତାରେ ପକାଇଲେ ଜାଲ

ନନ୍ଦିଘୋଷ ବ୍ୟୁରୋ: ରାସ୍ତା ଉପରେ ଜାଲ ପକାଇଲେ । ମାଛ ଧରିବାକୁ ଜାଲ ପକାଇଲେ। ଏପରି ଅଭିନବ ଢଙ୍ଗରେ ପ୍ରତିବାଦ କରିଛି ବିଜେଡି। ଏହି ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ମୁଖ୍ୟ ରାସ୍ତାର। ରାସ୍ତାରେ ଏତେ ପାଣି ଯେ, ଯିବା ଆସିବା କରି ହେଉ ନାହିଁ। ଅସରାଏ ବର୍ଷାରେ ଏତେ ପାଣି ଜମି ଯାଇଛି। ଯୁବ ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଆଜକୁ ଦୀର୍ଘଦିନ ହେବ ଟିକେ ବର୍ଷା ହେଲେ ପାଣି ଜମୁଛି। ସମାଧାନ ପାଇଁ ଅନେକ ଥର ବିଜେଡି ପକ୍ଷରୁ ପୌର ପରିଷଦର ଦୃଷ୍ଟି ଆକର୍ଷଣ କରାଯିବା ସହିତ ଆନ୍ଦୋଳନ  କରାଯାଇଛି। କିଛି ସୁଫଳ ମିଳିନି। ତେଣୁ ରାସ୍ତା ଉପରେ ଜମି ଥିବା ପାଣିରେ ଜାଲ ପକାଇ ଅଭିନବ ପ୍ରତିବାଦ କରିଛି ବିଜେଡି। ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ କରିବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।