spot_img
Home Blog Page 2601

ସାବତ ପୁଅ, ଝିଅଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲା ମାଆ

ଆଠଗଡ଼: ରାକ୍ଷସୀ ସାଜିଲା ସାବତ ମାଆ । କୁନି କୁନି ଭାଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରି କଲା ଲହୁ ଲୁହାଣ । ଜନ୍ମକଲା ବାପା ବି ଦ୍ବିତୀୟ ସ୍ତ୍ରୀର ସାଥ ଦେଇଥିଲା । ଦୀର୍ଘଦିନ ଧରି ଦୁଇ ଜଣକୁ ଘରେ ଭିତରେ ବନ୍ଦ କରି ରଖିବା ସହ ହାତ ଗୋଡ ବାନ୍ଧି ବାପା ମାଆ ଦେଉଥିଲେ ଅକଥନୀୟ ନିର୍ଯାତନା । ଆଠଗଡ ଥାନା ଅଶୋକ ନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଆଜି ଶଇତାନ ବାପା ମାଆ ପାଖରୁ ଖସି ଆସିଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଦୁହେଁ ଉଦ୍ଧାର ହୋଇଛନ୍ତି । ମୁଁହ, ହାତ,ଗୋଡ ଓ ପୁରା ଶରୀରରେ ମାଡ଼ ଚିହ୍ନ ଦେଖି ଉଭୟଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଠଗଡ ଡାକ୍ତରଖାନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ଗୁରୁତର ଭାଇ ଭଉଣୀଙ୍କୁ ଭେଟିବା ସହ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବାଙ୍କୀ ପାର୍ଥପୁର ଅଞ୍ଚଳର ସୁନିଲ କୁମାର ନନ୍ଦ ନିଜ ସ୍ତ୍ରୀକୁ ଛାଡି ଯାଜପୁର ଅଞ୍ଚଳର ଜଣେ ମହିଳାଙ୍କୁ ଧରି ଆଠଗଡ ଅଶୋକ ନଗରରେ ରହୁଛନ୍ତି। ହେଲେ ପ୍ରଥମ ସ୍ତ୍ରୀର ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅକୁ ନିଜ ପାଖରେ ରଖିଛନ୍ତି। ହେଲେ ଉଭୟଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିବା କହିଛନ୍ତି ଉଦ୍ଧାର ହୋଇଥିବା ଦୁଇ ଶିଶୁ ।

 

ଆରମ୍ଭ ହେଲା ବାଲିଯାତ୍ରା ପାଇଁ ପ୍ଲଟ୍‌ ଆବଣ୍ଟନ ପଞ୍ଜିକରଣ

କଟକ: ନଭେମ୍ବର ୨୭ ତାରିଖରୁ କମ୍ପିବ ମହାନଦୀ ପଠା । ଆରମ୍ଭ ହେବ କଟକ ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଉପର ଓ ତଳ ବାଲିଯାତ୍ରା ପଡିଆରେ ପଡ଼ିବ ବିପଣୀ । ଏଥିପାଇଁ ସୋମବାରଠାରୁ ପୃଷ୍ଠପୋଷକଙ୍କ ପାଇଁ ପ୍ଲଟ ଆବଣ୍ଟନ ପଞ୍ଜୀକରଣ ଆରମ୍ଭ ହୋଇଛି । ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଛୋଟ ବ୍ୟବସାୟୀଙ୍କ ପାଇଁ ପଞ୍ଜୀକରଣ ହେବ । ପରେ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ ଠାରେ ହେବ ପ୍ଲଟ ନିଲାମୀ ।

ଓଡ଼ିଶାର ଐତିହ୍ୟକୁ ବଞ୍ଚାଇ ରଖିଛି ବାଲିଯାତ୍ରା । ସାଧବ ପୁଅଙ୍କ ପରମ୍ପରାକୁ ମନେ ପକାଇ ଚାଲେ ବିଶାଳ ବିପଣୀ । କଟକ ମହାନଦୀ ଉପର ଓ ତଳ ପଡ଼ିଆରେ ଅନୁଷ୍ଠିତ ହୁଏ ଯାତ୍ରା । ଚଳତବର୍ଷ ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା । ଏଥିପାଇଁ ଆରମ୍ଭ ହୋଇଛି ପ୍ଲଟ ଆବଣ୍ଟନ ପଞ୍ଜୀକରଣ । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପ୍ରିମିୟମ୍ ଓ ଗୋଲ୍ଡ ପୃଷ୍ଠପୋଷକମାନଙ୍କ ପାଇଁ ପଞ୍ଜୀକରଣ ହେବ । ପ୍ରିମିୟମ ପୃଷ୍ଠପୋଷକ ୫ ହଜାରରୁ ୧୦ ହଜାର ବର୍ଗ ଫୁଟର ପ୍ଲଟ ନେଇ ପାରିବେ । ଗୋଲ୍ଡ ପୃଷ୍ଠପୋଷକ ପାଇଁ ରହିଛି ୧ ହଜାରରୁ ୫ ହଜାର ବର୍ଗ ଫୁଟର ପ୍ଲଟ । ଏଥିପାଇଁ ବର୍ଗଫୁଟ ପିଛା ୧ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ପରେ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସାଧାରଣ ବ୍ଯବସାୟୀଙ୍କ ପାଇଁ ପଞ୍ଜୀକରଣ ହେବ । ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସରେ ଦିନ ୧୧ ଟାରୁ ୫ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ଲଟ ନିଲାମ ।

ଚଳିତବର୍ଷ ବ୍ଯବସାୟୀଙ୍କ ପାଇଁ ବର୍ଗଫୁଟ ପିଛା ପ୍ଲଟର ଦାମ ସର୍ବନିମ୍ନ ୫୦ ଟଙ୍କା ରଖାଯାଇଛି । ଜଣେ ବ୍ଯବସାୟୀ ସର୍ବାଧିକ ୩ ଟି ଏକ ହଜାର ବର୍ଗ ଫୁଟର ପ୍ଲଟ ନେଇ ପାରିବେ । ଅନ୍ୟ ପକ୍ଷରେ ଦୋଳି ଓ ଅନ୍ୟ ଖେଳ ଧରି ଆସୁଥିବା ବ୍ୟବସାୟୀଙ୍କ ପାଇଁ ପ୍ଲଟ ଦର ବର୍ଗଫୁଟ ପିଛା ୩୦ ଟଙ୍କା ରଖାଯାଇଛି । ସେମାନେ ନିଲାମ ପୂର୍ବରୁ ପଞ୍ଜିକରଣ ବେଳେ ୨୫ ହଜାର ଟଙ୍କା ଜମା କରିବେ । ଦୋଳି ଓ ଅନ୍ଯ ଖେଳ ବ୍ୟୀବସାୟୀଙ୍କ ପାଇଁ ୧୬ ଓ ୧୭ ତାରିଖରେ ହେବ ପ୍ଲଟ ନିଲାମ । ପଞ୍ଜିକରଣର ପ୍ରଥମ ଦିନରୁ ବାଲିଯାତ୍ରା ଷ୍ଟଲ ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଆଗ୍ରହ ଦେଖା ଦେଇଛି।

 

ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ 

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ । ଭୁବନେଶ୍ୱର JMFC କୋର୍ଟରେ ଅଭିଯୁକ୍ତ କେ. ଭେଙ୍କଟ ଶ୍ରୀନିବାସ ଆତ୍ମସମର୍ପଣ କରିଛନ୍ତି। ଏୟାରଫୋର୍ସ ଗ୍ରୁପ କ୍ୟାପଟେନ ଥିଲେ ଶ୍ରୀନିବାସ । ଜଣେ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଘରେ କେହି ନଥିବା ବେଳେ ଭୁବନେଶ୍ବର ବମିଖାଲ ଅଞ୍ଚଳରେ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଏ ନେଇ ଜୁନ ୨୮ ତାରିଖରେ ଲକ୍ଷ୍ମୀସାଗର ଥାନାରେ ରୁଜୁ ହୋଇଥିଲା ମାମଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ୨ ଥର ରାଜ୍ୟ ବାହାରକୁ ଯାଇଥିଲା । କିନ୍ତୁ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ ବାୟୁସେନା ଅଧିକାରୀ । ଜାମିନ ପାଇଁ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ । ଜାମିନ ନାମଞ୍ଜୁର ହେବା ପରେ ଆଜି ଭୁବନେଶ୍ୱର JMFC କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

 

ଗଡ଼ିଲା ଟ୍ରେନ୍ ତଥାପି ସରିନି ଯାତ୍ରୀଙ୍କ ଦୁଃଖ

ଭୁବନେଶ୍ବର: ବାହାନଗା ପରେ ପୁଣି ଏକ ଟ୍ରେନ ବିଭିଷିକା । ଲୌହ ମାନବର ରକ୍ତଭୋଜିରେ ଚାଲିଗଲା ୧୩ ଜଣଙ୍କ ଜୀବନ । ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଗତକାଲି ରାତିରେ ଏହି ଦୁର୍ଘଟଣା ଯୋଗୁଁ ରେଳ ବିଭାଗ ୪୫ଟି ଟ୍ରେନ୍ ବାତିଲ କରିଥିବାବେଳେ ୨୬ଟି ଟ୍ରେନର ରୁଟ୍ ପରିବର୍ତ୍ତନ ହୋଇଛି । ୨୩ ଘଣ୍ଟା ପରେ ରେଳଚଳାଚଳ ଆରମ୍ଭ ହୋଇଥିଲେ ସୁଦ୍ଧା ଟ୍ରେନ ବାତିଲ ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ।

ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ନେଇଗଲା ୧୩ ଜୀବନ । ଦୁର୍ଘଟଣାରେ ୫୦ରୁ ଅଧିକ ଆହତ ହୋଇଥିବାବେଳେ ୨୯ ଜଣଙ୍କ ଏବେବି ଚାଲିଛି ଚିକିତ୍ସା । ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ୪୫ ଟ୍ରେନ ବାତିଲ ହୋଇଥିବାବେଳେ ୨୬ଟି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି । ଫଳରେ ସବୁ ଷ୍ଟେସନରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଭୁବନେଶ୍ବର ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ଧଉଳି ଏକ୍ସପ୍ରେସ ଷ୍ଟେସନରେ ପହଞ୍ଚିବା ପରେ ଚଢିବା ପାଇଁ ଯାତ୍ରୀଙ୍କ ଭିତରେ ଲାଗିଥିଲା ପ୍ରତିଯୋଗିତା । ଏପରିକି ଟିକେଟ୍ କରିଥିବା ଯାତ୍ରୀ ଟ୍ରେନରେ ଚଢି ପାରି ନଥିଲେ । କିଛି ସମୟ ପାଇଁ ଉତ୍ତେଜନା ଓ ହାତାହାତି ପରିସ୍ଥିତି ସୃଷ୍ଟିହୋଇଥିଲା । ଲୋକାଲ ବସ ପରି ଯାତ୍ରୀ ଗେଟ ପାଖରେ ଓହଳି ଯାତ୍ରା କରିଥିଲେ ।

ପୂଜା ପାଇଁ ଅନେକ ଲୋକ ଘରକୁ ଆସିଥିଲେ । ଛୁଟି ସରିବା ପରେ ଟ୍ରେନରେ କରିଥିଲେ ଟିକେଟ୍ । ହେଲେ ଟ୍ରେନ ବାତିଲ ଯୋଗୁଁ ଷ୍ଟେସନରେ ଅଟକି ରହିଥିଲେ ଅନେକ ଯାତ୍ରୀ । କଟକ ରେଳ ଷ୍ଟେସନରେ ଏନକ୍ବାରୀ କାଉଣ୍ଟର ନିକଟରେ ଟ୍ରେନ ସମ୍ପର୍କରେ ସୂଚନା ପାଇଁ ଯାତ୍ରୀଙ୍କ ଭିଡ଼ ଜମିଥିଲା । ସେପଟେ ବାଲେଶ୍ବରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଟ୍ରେନ ବିଳମ୍ବ ପାଇଁ ଘଣ୍ଟାଘଣ୍ଟା ଧରି ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ ଯାତ୍ରୀ । ଦୁଇ ଦୁଇଟି ଦୁର୍ଘଟଣା ଯାତ୍ରୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିଥିବାବେଳେ ଦୂରକୁ ଯିବାକୁ ହେଲେ ଟ୍ରେନ ଏକମାତ୍ର ମାଧ୍ୟମ ହୋଇଥିବାରୁ ବାଧ୍ୟ ହୋଇ ଯିବାକୁ ପଡୁଥିବା କହିଥିଲେ ଯାତ୍ରୀ ।

ଏହି ଟ୍ରେନ ବିଭିଷିକା ଅନେକ ମନରେ ସୃଷ୍ଟି କରିଛି ଆତଙ୍କ । ବଞ୍ଚିଯାଇଥିବା କିଛି ଯାତ୍ରୀ ରାଜପଥକୁ ଆସି ବସ ଯୋଗେ ରାୟଗଡ଼ା ଫେରିଛନ୍ତି । ଏଥିପାଇଁ ତାଙ୍କୁ ସ୍ଥାନୀୟ ଲୋକେ ସହାୟତା କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାୟଗଡ଼ାରେ ପହଞ୍ଚିବା ପରେ ବର୍ଣ୍ଣନା କରିଛନ୍ତି ସେହି ଲୋମଟାଙ୍କୁରା ଦୃଶ୍ୟ । ଦୁର୍ଘଟଣାରେ ୨୩ ଘଣ୍ଟା ପରେ କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ଦେଇ ରେଳ ଚଳାଚଳ ଆରମ୍ଭ ହୋଇଛି । ହେଲେ ଏହି ଦୁର୍ଘଟଣା ଅନେକଙ୍କୁ ଦେଇଛି ଦୁଃଖ ।

 

ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇଲେ ଫାଇଭ-ଟି ଅଧ୍ୟକ୍ଷ

ଖୋର୍ଦ୍ଧା: ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇଲେ ଫାଇଭ-ଟି ଅଧ୍ୟକ୍ଷ । ଫାଇଭ-ଟି ଅଧ୍ୟକ୍ଷ  ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଜିଲ୍ଲାର ଅସହାୟ ବ୍ୟକ୍ତି ବାସୁଦେବ ସାଠୁଆଙ୍କୁ ସହାୟତା ଯୋଗାଇଲା ଜିଲ୍ଲା ପ୍ରଶାସନ। ବେଗୁନିଆ ବ୍ଲକ୍ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗାଁ ନିକଟ ନୀଳକଣ୍ଠ ପୁରର ବାସୁଦେବ ସାଠୁଆ । ବାସୁଦେବଙ୍କ ଦୁଇ ପୁଅଙ୍କର ମୃତ୍ୟୁ ପରେ ଅନାଥ ନାତିନାତୁଣୀଙ୍କୁ ନେଇ ଦୁଃଖରେ ଚଳୁଥିଲେ ବାସୁଦେବ। ବୃଦ୍ଧ ଅବସ୍ଥାରେ ପରିବାର ଚଳାଇବାକୁ ଅସହାୟ ପ୍ରକାଶ କରିଥିଲେ ବାସୁଦେବ । ବାସୁଦେବଙ୍କ ଅବସ୍ଥା ନେଇ କିଛି ସ୍ବେଚ୍ଛାସେବୀ  ଫାଇଭ-ଟ ଅଧ୍ୟକ୍ଷଙ୍କୁ ଟୁଇଟ ଯୋଗେ ଜଣାଇଥିଲେ । ପରେ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ପ୍ରଶାସନ ବାସୁଦେବଙ୍କ ପାଖରେ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିଛି । ଏଥିପାଇଁ ଫାଇଭ-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ବାସୁଦେବ ଓ ତାଙ୍କ ପରିବାର।

 

ରାୟଗଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେଲା ଆଉ ଦୁଇ ଜିଲ୍ଲା । ରାୟଗଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡ଼ା ତେଜସ୍ଵୀ ହୋଟେଲ ପଡ଼ିଆରେ ଏକ ସଭା ଆୟୋଜନ ହୋଇଥିଲା । ଏଥିରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି । ରାୟଗଡ଼ା ଜିଲ୍ଲାରେ ୨ ହଜାର ୬୧୩ଟି ପ୍ରକଳ୍ପ ପାଇଁ ୯୧ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି । ରାୟଗଡ଼ା ବ୍ଲକର ୩୭୯ଟି ପ୍ରକଳ୍ପ ପାଇଁ ୧୪ କୋଟି, ସଦର ବ୍ଲକ ସମେତ ବିଷମକଟକ, କୋଲନରା, ମୁନିଗୁଡ଼ା, ଗୁଣୁପୁର, ପଦ୍ମପୁର, ଚନ୍ଦ୍ରପୁର, ଗୁଡ଼ାରି ଓ ଅନ୍ୟ ସମସ୍ତ ବ୍ଲକ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବିଷମକଟକର ପାତାଳେଶ୍ୱର ମନ୍ଦିର ପାଇଁ ୨ ଦଶମିକ ୧୪ କୋଟି, ନେଳିଆବନ୍ଧ ପାଇଁ ୨ କୋଟି ୯୫ ଲକ୍ଷ ସମେତ ଜିଲ୍ଲାର ବହୁ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସ୍ୱାଧାଦେବ ସିଂ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ବ୍ଲକ୍‌ ଅଧ୍ୟକ୍ଷା ଟୁନୀ ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପୃକା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଷମକଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ମନ୍ତ୍ରୀ ଜଗନ୍ନାଥ ସାରକା ।

ସେହିପରି ଝାରସୁଗୁଡାର ୨ ନିର୍ବାଚନମଣ୍ଡଳୀକୁ ମିଳିଲା ୩୯ କୋଟି ଟଙ୍କାରେ ହେବ ୯୫୭ ପ୍ରକଳ୍ପ । ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୪୨ କୋଟି ଟଙ୍କା  ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨.୭୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଲାଇକେରାସ୍ଥିତ ଜଂଘାଲିଙ୍ଗ ମନ୍ଦିର । ଏହା ସହିତ ଝାରସୁଗୁଡାର ଗଣ୍ଡ ସମାଜ ପାଇଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରଠାରେ ୫୦ ଡେସିମିଲ ଜମି ଦିଆଯାଇଛି। ଏହା ଦ୍ୱାରା ଗଣ୍ଡ ସମାଜର ରାଜଧାନୀରେ ରହିବା ସୁବିଧା ସହିତ ସେମାନଙ୍କ କଳା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ସୁବିଧା ହେବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ବ୍ରଜରାଜ ନଗର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୮ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୮.୦୮ କୋଟି ଟଙ୍କା  ମଞ୍ଜୁର କରାଯାଇଛି ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ  ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୪୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ରାମଚଣ୍ଡୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ। ଏହା ଦ୍ୱାରା ବର୍ଷକୁ ଏହି ମନ୍ଦିରକୁ ଅତି କମ୍‌ରେ ୫୦ ହଜାର ଭକ୍ତ ଆସି ସୁବିଧାରେ ଦର୍ଶନ କରିପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସେହିପରି ହୀରାକୁଦ ବିସ୍ଥାପିତମାନଙ୍କ ପାଇଁ ଦୀର୍ଘ ବର୍ଷର ସମସ୍ୟାକୁ ସମାଧାନ କରି ରାଜ୍ୟ ସରକାର ସେମାନଙ୍କୁ ଜମି ପଟ୍ଟା ଦେବାର ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ୧୮୦୦ରୁ ଅଧିକ ପରିବାରକୁ ୩୧୩୦ ଏକରରୁ ଅଧିକ ଜମି ପାଇଁ ପଟ୍ଟା ଯୋଗାଇଦିଆଯିବ। ଫେବୃଆରୀ ସୁଦ୍ଧା ସମସ୍ତଙ୍କୁ ପଟ୍ଟା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ଜିଲ୍ଲାରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ପାଇଭ୍- ଟି ଅଧ୍ୟକ୍ଷ କହିଥିଲେ।

 

 

ଆର୍ଥିକ ଅନାଟନ ପାଇଁ ଆତ୍ମହତ୍ୟା କଲେ ଅଭିନେତ୍ରୀ, ମୃତ୍ୟୁ ପୂର୍ବରୁ ପୋଷ୍ଟ କରିଥିଲେ ଏଭଳି ଭିଡିଓ

ମୁମ୍ବାଇ: ପୁଣି ସାମନାକୁ ଆସିଲା ଆଉ ଏକ ଦୁଃଖ ଖବର । ଆତ୍ମହତ୍ୟା କଲେ ଟିଭି ଅଭିନେତ୍ରୀ । ଲୋକପ୍ରିୟ ମାଲାୟଲମ ଫିଲ୍ମ ଏବଂ ଟିଭି ସିରିଏଲ ଅଭିନେତ୍ରୀ ରେଞ୍ଜୁଶା ମେନନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା । ସେ ତିରୁବନ୍ତପୁରମ ଶ୍ରୀକରିଆମରେ ଏକ ଆପାର୍ଟପେଣ୍ଟରେ ସ୍ବାମୀଙ୍କ ସହ ରହୁଥିଲେ । ସୋମବାର ରୁମର କବାଟ ଖୋଲିବାରେ ବିଳମ୍ବ ହେବାରୁ ପରିବାର ଲୋକେ ସନ୍ଦେହ କରିଥିଲେ । ପରେ ପୋଲିସକୁ ଖବର ଦେଇଥିବାବେଳେ ତାଙ୍କ ଝଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଅଭିନେତ୍ରୀଙ୍କ ପରିବାର ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବାରୁ ସେ ଆତ୍ମହତ୍ୟା କରିଥାଇପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି ।

ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ରେଞ୍ଜୁଶା ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ । କିନ୍ତୁ ଏହି ଦୁଃଖ କବର ଶୁଣିବା ପରେ ପ୍ରଂଶସକମାନେ ଭିଡିଓରେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି ।  ଭଗବାନ ଆତ୍ମାର ସଦଗତି କରନ୍ତୁ ବୋଲି କେହି କେହି କମେଣ୍ଟ କରୁଥିବାବେଳେ ଆଉ କେହି କେହି କାହିଁକି ଆତ୍ମହତ୍ୟା କଲ ବୋଲି ପ୍ରଶ୍ନ କରିଛନ୍ତି । ତେବେ ଅଭିନେତ୍ରୀ ରେଞ୍ଜଶାଙ୍କ ଘର କୋଚିରେ ହୋଇଥିବାବେଳେ ସେ ଏକ ଟିଭି ଚ୍ୟାନେଲରେ ଆଙ୍କର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଟିଭି ସୋରେ ମଧ୍ୟ କାମ କରିଥିଲେ । ପରେ ମାଲାୟଲମ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଦର୍ଶକେ ତାଙ୍କୁ ବେଶ ପସନ୍ଦ ମଧ୍ୟ କରୁଥିବା ଦେଖିବାକୁ ମିଳୁଥିଲା ।

 

 

ରାଜଭବନରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ରାଜଭବନରେ ନୂଆ ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳଙ୍କ ସମେତ ୧୦୦ ରୁ ଅଧିକ ଅତିଥି ରାଜଭବନ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କୁ ସ୍ବାଗତ କରିଛନ୍ତି। ରାଜଭବନରେ ସମସ୍ତଙ୍କୁ ଗାର୍ଡଅଫଅନର ପ୍ରଦାନ କରାଯାଇଛି । ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ । ପୁରୀରେ ପହଞ୍ଚି ସେ ପୁରୀ ରାଜଭବନକୁ ଯାଇଥିଲେ। ସକାଳୁ ସକାଳୁ ମହୋଦଧିକୁ ଯାଇ ସୂର୍ଯ୍ୟଉଦୟ ଦର୍ଶନ କରିଥିଲେ । ପରେ ପୁରୀ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଆଜି ସଂଧ୍ୟାରେ ରାଜଭବନରେ ବିଶ୍ରାମ ନେବେ । ଆସନ୍ତାକାଲି ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି ।

ଦୁର୍ଘଟଣା ପରେ ଟ୍ରାକରେ ଗଡ଼ିଲା ଟ୍ରେନ୍

ବ୍ୟୁରୋ ରିପୋର୍ଟ: ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ଟ୍ରାକରେ ଗଡ଼ିଲା ଟ୍ରେନ୍ । ପ୍ରଥମ ପର୍ଯ୍ୟାୟରେ ଚଳାଚଳ କଲା ପ୍ରଶାନ୍ତି ଏକ୍ସପ୍ରେସ । ସିଗନାଲ ଓଭରକ୍ରସିଂରୁ ଅଘଟଣ ଘଟିଥିବା କହିଛନ୍ତି ସିପିଆରଓ  । ଖୁବ୍ ଶୀଘ୍ର ଅପ-ଡାଉନ ଲାଇନରେ ଟ୍ରେନ ଚଳାଚଳ କରିବ ବୋଲି କହିଛନ୍ତି ଇଷ୍ଟକୋଷ୍ଟ ରେଲଓ୍ବେ ସିପିଆରଓ  । ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ୧୩ ମୃତକଙ୍କ ମଧ୍ୟରେ ୨ ଜଣ ରେଳ କର୍ମଚାରୀ ଅଛନ୍ତି । ମୃତକଙ୍କ ମଧ୍ୟରୁ ଏଯାଏ ୧୨ ଜଣଙ୍କର ମିଳିଛି ପରିଚୟ । ସେହପରି ଅନ୍ୟ ଜଣେ ଯାତ୍ରୀଙ୍କର ଏଯାଏଁ ମିଳିନି ପରିଚୟ ।

ମୃତକଙ୍କ ମଧ୍ୟରେ ଓଡ଼ିଶାରୁ କେହି ନଥିବା ଜଣାପଡିଛି । ଡାକ୍ତରଖାନାରେ ୨୯ ଜଣଙ୍କର ଚାଲିଛି ଚିକିତ୍ସା । ରେଳଧାରଣାରୁ ହଟାଯାଇଛି ଦୁର୍ଘଟଣାଗ୍ରସ୍ତ ବଗି । ଚିଫ୍ ସିକ୍ୟୁରିଟି କମିଶନରଙ୍କ ସହ ରେଳବାଇର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସେଫଟି କମିଶନରଙ୍କ କହିବା ହେଲା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହେଉଛି ଯେ, ଲୋକ ପାଇଲଟଙ୍କ ସିଗନାଲ୍ ଓଭରଟ୍ରାକିଂ କରିବା କାରଣରୁ ଦୁର୍ଘଟଣା ଘଟିଛି । ତଥାପି ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରହିଛି । ଟ୍ରେନ୍ ଦୁର୍ଘଟଣା ପରେ ୪୫ଟି ଟ୍ରେନ୍ ବାତିଲ ହୋଇଛି । ୨୬ଟି ଟ୍ରେନର ରୁଟ୍ ପରିବର୍ତ୍ତନ ହୋଇଥିବା ବେଳେ, ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି ।

ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ କିମ୍ବା ବସ ବ୍ୟବସ୍ଥା କରାଯାଉଛି  ।  ବିଶାଖାପାଟନା ପଲାସା ପାସେଞ୍ଜର ଟ୍ରେନର ୧୧ଟି କୋଚକୁ ପରବର୍ତ୍ତୀ ଷ୍ଟେସନ ଆଲମଣ୍ଡା ଷ୍ଟେସନକୁ ନିଆଯାଇଛି । ସେହିପରି ବିଶାଖାପାଟଣା ରାୟଗଡା ପାସେଞ୍ଜର ଟ୍ରେନର ୯ଟି ବଗିକୁ ପୂର୍ବ ଷ୍ଟେସନ କଣ୍ଟକପାଲିକୁ ଅଣାଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ଭୁବନେଶ୍ୱରରୁ ଏକ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ବିଶାଖାପାଟଣା-ରାୟଗଡା-୦୮୫୦୪ ଯାତ୍ରୀବାହୀ ଟ୍ରେନ୍ ପାଲାସା-ବିଶାଖା-୦୮୫୩୨ ଯାତ୍ରୀବାହୀ ଟ୍ରେନକୁ ଧକ୍କା ଦେଇଥିଲା ।

ବିଶାଖାପାଟଣା ପଲାସା ପାସେଞ୍ଜର ଟ୍ରନର ପଛ ୩ଟି ବଗି ଓ ବିଶାଖାପାଟଣା ରାୟଗଡ଼ା ପାସେଞ୍ଜର ସ୍ପେଶାଲର ଇଞ୍ଜିନ ସମେତ ଆଗ ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକ ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଜୀବନ ବଞ୍ଚାଇବା ଲାଗି ବହୁ ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇ ପଡ଼ି ଏଣେତେଣେ ଦୌଡ଼ି ପଳାଇଥିଲେ । ଓଡ୍ରାଫ, ସ୍ଥାନୀୟ ଜନସାଧାରଣ, ଏନଡିଆରଏଫ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଜାଣନ୍ତୁ କେମିତି ସେମିଫାଇନାଲରେ ପହଞ୍ଚିବ ପାକିସ୍ତାନ

ନୂଆଦିଲ୍ଲୀ: ଚଳିତ ବଶ୍ବକପରେ ପାକିସ୍ତାନ ଏକପ୍ରକାର ସେମିଫାଇନାଲ ଯିବାର ଆଶା ମଉଳି ଯାଇଛି । ତେବେ ଯଦି ଚମତ୍କାର ହୁଏ ତାହେଲେ ପାକିସ୍ତାନ ସେମିରେ ପହଞ୍ଚିପାରେ । କିନ୍ତୁ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ବାକି ୯ ଟିମର ମ୍ୟାଚ ଗୁଡ଼ିକ ଉପରେ ନିର୍ଭର କରେ । ନିଜେ ବଡ଼ ବ୍ୟବଧାନରେ ଜିତିବା ସହ ଅଷ୍ଟ୍ରେଲିଆ ସମସ୍ତ ମ୍ୟାଚ୍ ହାରିବା ଆବଶ୍ୟକ । ଅନ୍ୟପଟେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ଟିମ ମଧ୍ୟ ପାକିସ୍ତାନ ଉପରେ ନିର୍ଭର କରୁଛି । ପାକିସ୍ତାନ ନିଜର ଶେଷ ମ୍ୟାଚ ଗୁଡ଼ିକରେ ନ୍ୟୁଜିଲାଣ୍ଡ, ବାଂଲାଦେଶ ଏବଂ ଇଂଲଣ୍ଡକୁ ଭେଟିବାକୁ ଯାଉଛି । ଲଗାତାର ଚତୁର୍ଥ ପରାଜୟ ବରଣ କରିସାରିଛି ପାକିସ୍ତାନ ।

କିନ୍ତୁ ଶେଷ ତିନି ମ୍ୟାଚରେ ବଡ଼ ରନ ବ୍ୟବଧାନରେ ଜିତିବାକୁ ପଡ଼ିବ । ଶ୍ରୀଲଙ୍କା ୫ ମ୍ୟାଚରୁ ୨ଟି ବିଜୟ ହାସଲ କରିଥିବାବେଳେ ଅଷ୍ଟ୍ରେଲିଆ ୬ ମ୍ୟାଚରୁ ୪ ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛି । ସେପଟେ ନ୍ୟୁଜିଲାଣ୍ଡ ମଧ୍ୟ ୬ ମ୍ୟାଚରୁ ୪ଟି ବିଜୟ ହାସଲ କରିଛି । ଶେଷ ମ୍ୟାଚ ଗୁଡ଼ିକ ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି । ତେବେ ପାକିସ୍ତାନ ସେମିର ପହଞ୍ଚିବା ଏକପ୍ରକାର ଅନିଶ୍ଚିତତା ଭିତରେ ରହିଛି । ସେମିରେ ପହଞ୍ଚିବା ପାଇଁ ବାକି ଟିମଙ୍କ ସହଯୋଗ ଆବଶ୍ୟକ ରହିଛି । ସମସ୍ତ ଟିମ ଏବେ ଦମଦାର ଫର୍ମରେ ରହିଥିବାବେଳେ ମ୍ୟାଚ ଗୁଡ଼ିକ ସଂଘର୍ଷପୂର୍ଣ୍ଣ ହେଉଛି । ପାକିସ୍ତାନ ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ହାରିଛି । ଅମ୍ପାୟାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ପାକିସ୍ତାନ ପରାଜୟ ବରଣ କରିଥିବା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।