ନନ୍ଦିଘୋଷ ବ୍ୟୁରୋ : ଗୁରୁ ନାଁରେ କଳଙ୍କ । ଛାତ୍ରୀଙ୍କୁ ଅସଦାଚରଣ କରି ଅଡ଼ୁଆରେ ଶିକ୍ଷକ । ଲୋକଙ୍କ ଆକ୍ରୋଶର ଶିକାର ହେଲେ ଶିକ୍ଷକ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏପରି ଘଟଣା । ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲରେ ତାଲା ପକାଇଲେ ଲୋକେ । ଉଦ୍ଧାର କରି ପୋଲିସ ନେଉଥିବାବେଳେ ପୋଲିସ ଗାଡିକୁ ବି ଛାଡି ନାହାନ୍ତି ଲୋକେ । ପ୍ରତିବାଦରେ ୨୬ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ । ପ୍ରଧାନ ଶିକ୍ଷକ ଚୁଲେନ୍ଦ୍ର ମେହେରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଆହୁରି ୪ ଦିନ ବର୍ଷା ସମ୍ଭାବନା; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ନନ୍ଦିଘୋଷ ବ୍ୟୁରୋ : ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଆହୁରି ହେବ ଘନୀଭୂତ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି l ଯାହା ୨୪ ଘଣ୍ଟା ମଧ୍ଯରେ ଆହୁରି ଘନୀଭୂତ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ଯରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଓଡିଶା ମଧ୍ଯ ଦେଇ ଗତି କରିବା ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ପର୍ଯ୍ଯନ୍ତ ବର୍ଷା ଲାଗି ରହିବ । ଭୀଷଣ ବର୍ଷା ନେଇ ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ାକୁ ରେଡ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ ସହିତ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ସମୁଦ୍ର ଅଶାନ୍ତ ଥିବାରୁ ଆଜି ପର୍ଯ୍ୟନ୍ତ ମତ୍ସ୍ୟଜିବୀ ମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
ଭୂକମ୍ପ ପ୍ରଭାବିତ ଆଫଗାନିସ୍ଥାନକୁ ଭାରତର ସହାୟତା ପ୍ରଦାନ
ନନ୍ଦିଘୋଷ ବ୍ୟୁରୋ : ଭୂକମ୍ପ ପ୍ରଭାବିତ ଆଫଗାନିସ୍ଥାନକୁ ଭାରତର ସହାୟତା ପ୍ରଦାନ। ଆଫଗାନିସ୍ଥାନକୁ ୨୧ ଟନ ରିଲିଫ ସାମଗ୍ରୀ ପଠାଇଛି ଭାରତ। ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଭାରତ ଦୀର୍ଘ ଦିନ ଧରି ଅଫଗାନିସ୍ତାନକୁ ମାନବୀୟ ଓ ବିକାଶମୂଳକ ସାହାଯ୍ୟ ଯୋଗାଇ ଆସୁଛି। ଅଫଗାନିସ୍ତାନରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ସଙ୍କଟ ସମୟରେ ଭାରତ ସାହାଯ୍ୟର ହାତ ବଢାଇଛି।
ଭୂମିକମ୍ପ ପରେ ଭାରତ ତୁରନ୍ତ ହଜାରେ ପରିବାରକୁ ତମ୍ବୁ ପଠାଇଥିଲା। ଏବେ ୨୧ ଟନ୍ ଖାଦ୍ୟ ସାମଗ୍ରୀ କୁନାର ଅଂଚଳକୁ ପଠାଯାଇଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଅଫଗାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ଏହି ସାହାଯ୍ୟ ଘୋଷଣା କରିଥିଲେ। ଆଫଗାନିସ୍ଥାନର ବିପଦ ସମୟରେ ଭାରତ ସର୍ବଦା ସହାୟତା କରି ଆସୁଛି। ୨୦୨୨ କୋଭିଡ ସମୟରେ ଅଫଗାନିସ୍ତାନକୁ ୫ ଲକ୍ଷ ଡୋଜ୍ କୋଭିଡ୍ ଟିକା ପଠାଇଥିଲା।୨୦୨୨ରେ ୫୦ ଟ୍ରକ୍ରେ ୨୫୦୦ ମେଟ୍ରିକ ଟନ୍ ଗହମ ମାନବୀୟ ସାହାଯ୍ୟ ଭାବେ ପଠାଯାଇଥିଲା। ସେହି ବର୍ଷ ଭୂମିକମ୍ପ ପରେ ୨୭ ଟନ୍ ଜରୁରୀ ରିଲିଫ୍ ସାମଗ୍ରୀ ପଠାଯାଇଥିଲା। ୨୦୨୩ରେ ଅଫଗାନିସ୍ତାନକୁ ୨୦୦ କୋଟି ଟଙ୍କାର ବିକାଶ ସାହାଯ୍ୟ ଘୋଷଣା କରାଯାଇଥିଲା। ଗତ ୧ ତାରିଖରେ ଘଟିଥିବା ଭୂକମ୍ପରେ ଆଫଗାନିସ୍ଥାନର ହଜାରରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ପ୍ରବଳ ବର୍ଷା : ଦିଲ୍ଲୀ,ଏନସିଆରରେ ଆଜି ସ୍କୁଲ ଛୁଟି ନିର୍ଦ୍ଦେଶ
ନନ୍ଦିଘୋଷ ବ୍ୟୁରୋ : ଆଜି ପ୍ରବଳ ବର୍ଷା ପାଇଁ ଦିଲ୍ଲୀ ଏବଂ ଏନସିଆରରେ ସ୍କୁଲ ବନ୍ଦ। ନୈନୀତାଲ, ଶିମଲା, ଚଣ୍ଡୀଗଡ଼, ଗାଜିଆବାଦ ଏବଂ ଗୌତମବୁଦ୍ଧ ନଗରରେ ଆଜି ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ଏହି ସବୁ ଅଂଚଳରେ ଲୋକଙ୍କୁ ସତର୍କ ରହିବାକୁ କହିଛି ପ୍ରଶାସନ। ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛି ପ୍ରଶାସନ। ଗୁରୁଗ୍ରାମରେ ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତେବେ ସ୍କୁଲ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ। ନୈନିତାଲରେ ଭୂସ୍ଖଳର ଭୟ ରହିଛି। ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିଛି ବର୍ଷା।
କ୍ରମାଗତ ବର୍ଷା ଯୋଗୁ ଦିଲ୍ଲୀ ଏନସିଆରରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବିଶେଷ କରି ତଳିଆ ଅଞ୍ଚଳରେ ଅତି ଗୁରୁତର ସମସ୍ୟା ଉପୁଜିଛି। ଯମୁନା ତଟବର୍ତ୍ତୀ ଅଞ୍ଚଳରେ ସ୍ଥିତି ସଂଗୀନ ହୋଇଛି। ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ବ୍ୟାରେଜରୁ ଜଳ ନିଷ୍କାସନ ଜାରି ରହିଥିବା ଯୋଗୁ ଜଳପତ୍ତନ ବୃଦ୍ଧି ହେବାରେ ଲାଗିଛି ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଜୟନାରାୟଣଙ୍କ ତେରଛା ବାଣ, କହିଲେ…
ନନ୍ଦିଘୋଷ ବ୍ୟୁରୋ: ଦେଢ଼ ବର୍ଷ ହେବ ଅଧାଗଢ଼ା ମନ୍ତ୍ରିମଣ୍ଡଳରେ ଚାଲିଛି ସରକାର । ବେଶ କିଛି ଦିନ ପରେ ପୁଣି ତାଜା ହୋଇଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା । ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଭିତରେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ତେରଛା ବାଣ ମାରିଛନ୍ତି । ମୁଖ୍ୟମନ୍ତ୍ରୀ ଚାହିଁଲେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ବରିଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ବିଧାୟକ ପ୍ରକାଶ ସୋରେନ ଦାବି କରିଛନ୍ତି । ଯାହାକୁ ନେଇ ଶାସକ ଦଳରେ ଆରମ୍ଭ ହୋଇଛି ହଲଚଲ ।
କିଛି ଦିନର ନିରବତା ପରେ ଶାସକ କ୍ୟାମ୍ପକୁ ଘାରିଛି ମନ୍ତ୍ରିମଣ୍ଡଳ ଚିନ୍ତା । ଦେଢ ବର୍ଷ ହେବ ଖାଲି ପଡ଼ିଛି ୬ଟି ମନ୍ତ୍ରୀ ପଦ । ଯଦି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରନ୍ତି, ତେବେ କିଏ ପାଇବେ ସ୍ଥାନ । ବରିଷ୍ଠ ନା କନିଷ୍ଠ । ଏହାକୁ ନେଇ ପାଓ୍ବାର କରିଡରରୁ ପଦ୍ମ କ୍ୟାମ୍ପର ଅନ୍ଦର ମହଲ ଯାଏଁ ଆରମ୍ଭ ହୋଇଛି ନାନା ଚର୍ଚ୍ଚା ଓ ଦାବି । ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, ମନ୍ତ୍ରୀ ପଦ ଖାଲି ଅଛି । ତେଣୁ ଚର୍ଚ୍ଚା ହେବା ସ୍ବାଭାବିକ । ଖାଲି ପଡିଥିବା ମନ୍ତ୍ରୀ ପଦ ପୂରଣ ହେବ କି ନାହିଁ, ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ ବ୍ୟାପାର । ମୁଖ୍ୟମନ୍ତ୍ରୀ ଚାହିଁଲେ ଏକାକୀ ମନ୍ତ୍ରିମଣ୍ଡଳ ଚଳାଇବେ । ଦଳରେ ବରିଷ୍ଠ ଓ ଅଭିଜ୍ଞର କୌଣସି ମୂଲ୍ୟ ନାହିଁ । ସେହିପରି ଦଳ ପାଇଁ କାମ କରି କେସ ଖାଇବା ମୂଲ୍ୟହୀନ ବୋଲି କହି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଜୟ ନାରାୟଣ ।
କେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ, ତାକୁ ନେଇ ଜାରି ରହିଛି ସସପେନ୍ସ । ୧୫ ମାସ ହେବ ୬ଟି ମନ୍ତ୍ରୀ ପଦ ଖାଲି ପଡିବା ଓ ଅନେକ ମନ୍ତ୍ରୀଙ୍କ ଯୋଗୁଁ ସରକାର ବଦନାମ ହୋଇଥିବା ଅଭିଯୋଗ ହେଉଛି । ତେଣୁ ସବୁକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳରେ କିଏ ସାମିଲ ହେବେ ଓ କିଏ ବାଦ ପଡିବେ ସେନେଇ କସରତ ଚାଲିଛି । ବରିଷ୍ଠ ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ କହିବା କଥା, ମନ୍ତ୍ରିମଣ୍ଡଳରେ ବରିଷ୍ଠ ବିଧାୟକଙ୍କୁ ସ୍ଥାନ ମିଳିବା ଦରକାର । ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେବ ସେ ତୁଲାଇବେ । ସେହିପରି ଜୟ ନାରାୟଣ ଜଣେ ବରିଷ୍ଠ ଓ ଅଭିଜ୍ଞ ବିଧାୟକ । ତେଣୁ ତାଙ୍କୁ ଦାୟିତ୍ବ ମିଳିବା ଦରକାର ବୋଲି କହିଛନ୍ତି ପ୍ରକାଶ ।
ଆସନ୍ତା ୧୮ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ । ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ, କେନ୍ଦ୍ରୀୟ ନେତାଙ୍କ ଗ୍ରୀନ ସିଗନାଲ ମିଳିବା ପରେ ଖୁବଶୀଘ୍ର ପ୍ରଥମେ ନିଗମ ଓ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରେ କିଏ ଇନ୍ ଓ କିଏ ହେବେ ଆଉଟ୍, ତାକୁ ନେଇ ଚାଲିଛି ମାନସ ମନ୍ଥନ ।
ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ନବୀନଙ୍କୁ ଭେଟି ଆଲୋଚନା କଲେ ଦଳୀୟ ନେତା ଓ କର୍ମୀ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା । ଏହା ପୂର୍ବରୁ ଦଳୀୟ ନେତା ଓ କର୍ମୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ସାଂଗଠନିକ ରୋଡମ୍ୟାପ ନେଇ ଆଲୋଚନା କରିଛନ୍ତି । ବିରୋଧୀ ଭୂମିକାରେ ଥାଇ ବି ରାଜ୍ୟବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇ ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ବର ହେବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଖାସ୍ କରି ବିଜେପି ସରକାର ଅମଳରେ ବି କେନ୍ଦ୍ରୀୟ ଅବେହଳା ହେଉଥିବାରୁ ତାହାର ବାର୍ତ୍ତା ଲୋକଙ୍କ ପାଖକୁ ପହଞ୍ଚାଇବାକୁ ନବୀନ ନିର୍ଦ୍ଦେଶ ଦେବା ପରେ ସକ୍ରିୟ ହୋଇ ପଡ଼ିଛି ବିଜେଡି ।
ବିଜେପି ସରକାର ବିରୋଧରେ ମାଳମାଳ ଅଭିଯୋଗ । ୧୪ ମାସରେ ରାଜ୍ୟର ସାମ୍ପ୍ରତିକ ସ୍ଥିତି ଓ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ସରକାରଙ୍କ ଅସଲ ଚିତ୍ର ପଦାରେ ପକାଇଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାରମ୍ବାର କେନ୍ଦ୍ରକୁ ଓଡ଼ିଶାର ଅଧିକାର ପାଇଁ ଦାବି କରି ଆସୁଥିଲେ । ହେଲେ କେନ୍ଦ୍ରରେ ବିଜେପି ନେତୃତ୍ଵାଧିନ ଏନଡିଏ ଓ ରାଜ୍ୟରେ ବିଜେପି ସରକାର ଥିବାରୁ ଓଡ଼ିଶା ହେଉଥିଲା ଅଣଦେଖା । ହେଲେ ରାଜ୍ୟରେ ବିଜେପି ସରକାର ଥିବା ସତ୍ତ୍ବେ, ଓଡ଼ିଶାକୁ କେନ୍ଦ୍ର ଅବହେଳା କରୁଥିବାରୁ ପ୍ରଶ୍ନ କରିଛି ବିଜେଡି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯାତନା, ଦାଦନ ବୃଦ୍ଧି, ସାର କଳାବଜାରୀ ରାଜ୍ୟର ଅସ୍ତିତ୍ବ ଦୋହଲାଇ ଦେଇଛି । ରାସ୍ତା ଏବେ ମରଣଯନ୍ତା ପାଲଟିଛି । କଲେଜରେ ସିଟ ଖାଲି ପଡିଛି । ଏସସି/ଏସଟି ଓ ଓବିସିଙ୍କୁ ବୈଷୟିକ ଶିକ୍ଷାରେ ସଂଖ୍ୟା ଆନୁପାତିକ ସଂରକ୍ଷଣ ମିଳୁନି । ପୂର୍ବ ସରକାରଙ୍କ ସବୁ ଯୋଜନା ବନ୍ଦ କରି ଦେଇଛନ୍ତି ବର୍ତ୍ତମାନର ସରକାର । ଏହା ବିରୋଧରେ ବିଜେଡି ଲଢେଇ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଲୋକଙ୍କ ପାଖକୁ ଯାଇ ରାଜ୍ୟବାସୀଙ୍କ ସ୍ବର ସାଜି ସମସ୍ତ ସମସ୍ୟାକୁ ନେଇ ବିଜେଡି ତୀବ୍ର ଲଢ଼େଇ କରିବାକୁ ସଜବାଜ ହେଉଛି ।
ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକୁ ନେଇ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟବାସୀଙ୍କ ସ୍ବରର ହିସାବରେ ତୀବ୍ର ଲଢ଼େଇ କରିବ । ପଦଯାତ୍ରା ବି ଏକ ବଡ଼ ମାଧ୍ୟମ ହେବ । ଗତବର୍ଷ ବିରୋଧୀ ଆସନକୁ ଆସିବା ସତ୍ତ୍ବେ ଜନସମ୍ପର୍କ ପଦଯାତ୍ରାକୁ ସଫଳତା ସହ ସମ୍ପାଦନ କରିଥିଲା ବିଜୁ ଜନତା ଦଳ । ଚଳିତବର୍ଷ ବି ଜନସମ୍ପର୍କ ପଦଯତ୍ରା ନେତାଙ୍କ ଲୋକପ୍ରିୟତାକୁ ପ୍ରତିପାଦନ କରିବ ।
ରାଜ୍ୟର ବିପର୍ଯ୍ୟସ୍ତ ସ୍ଥିତିକୁ ଦେଖି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ କରିଛି ବିଜେଡି । ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ଓଡ଼ିଆ ଅସ୍ମିତାକୁ କୁଠାରଘାତ କରୁଛି । ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ବର ହୋଇ ବିଜୁ ଜନତା ଦଳ ବିଜେପି ସରକାରଙ୍କ ପ୍ରତ୍ୟେକ ଜନବିରୋଧୀ କାର୍ଯ୍ୟକୁ ତୀବ୍ର ବିରୋଧ କରିବାକୁ ନବୀନ ଦେଇଛନ୍ତି ଗୁରୁମନ୍ତ୍ର ।
ବିଜେପି ସରକାର ଆସିବା ପରଠୁ ଗ୍ରାମାଞ୍ଚଳରେ ବିଶକା କାମ ଠପ୍, ଗାଁ ରାସ୍ତାରେ ପଡ଼ିନି ମୁଠାଏ ମାଟି
ନନ୍ଦିଘୋଷ ବ୍ୟୁରୋ: ଗ୍ରାମାଞ୍ଚଳରେ ବିକାଶ କାମ ଠପ ହୋଇପଡିଛି । ରାସ୍ତାଘାଟରୁ ଆରମ୍ଭ କରି ବ୍ରିଜ, ସବୁ କାମ ଅଧପନ୍ତରିଆ ଭାବେ ପଡିରହିଛି । ଗାଁରେ ଉନ୍ନୟନ କାମ ଠିକ ଭାବେ ହେଉ ନଥିବାରୁ ବିଧାନସଭା କମିଟିରେ ଉଦବେଗ ପ୍ରକାଶ ପାଇଛି । ପୂଜା ପୂର୍ବରୁ ରାସ୍ତାଘାଟ ମରାମତି କାମ ସାରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳିରେ ବର୍ଷକୁ ୩୦ କିମି ରାସ୍ତା ନିର୍ମାଣ କରିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି । ମୁଖ୍ୟ ବିରୋଧୀ ବିଜେଡି କହିଛି, ବିଜେପି ସରକାର ଆସିବା ଦିନଠୁ ଗାଁରେ ମୁଠାଏ ମାଟି ପଡିନାହିଁ । ସରକାର ବଜେଟ ଅର୍ଥ ବି ଖର୍ଚ୍ଚ କରିପାରୁ ନଥିବା ଦଳ ଅଭିଯୋଗ କରିଛି । ବିଜେଡି ଅଭିଯୋଗରେ ସ୍ବର ମିଳାଇଛି କଂଗ୍ରେସ ।
ଦେଢ ବର୍ଷର ବିଜେପି ଶାସନରେ ଗାଁ ବିକାଶ ସଂପୂର୍ଣ୍ଣ ଠପ ହୋଇଯାଇଛି । ଗ୍ରାମାଞ୍ଚଳ ବିକାଶକୁ ତ୍ବାରନ୍ବିତ କରିବାକୁ ବିଧାନସଭା କମିଟି ବୈଠକରେ ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଜରିଆରେ ୨୦୨୫-୨୬ ଆର୍ଥିକ ବଜେଟରେ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଏଯାଏଁ ମାତ୍ର ୩୫.୭୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୩୬୩.୩୬ କିଲୋମିଟର ରାସ୍ତା କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୪୮.୭୪ କିଲୋମିଟର ରାସ୍ତା କାମ ସରିଛି । ଗ୍ରାମାଞ୍ଚଳ ବିକାଶ କାମ ଧିମେଇ ଯାଇଥିବାର ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି । ବିଜେଡି ବିଧାୟକ ଧୃବ ସାହୁ କହିଛନ୍ତି ବିଜେପି ସରକାର ସମୟରେ ଗାଁରେ ଏଯାଏଁ ମୁଠାଏ ମାଟି ପଡିନାହିଁ । ରାସ୍ତାଘାଟ ଅବସ୍ଥା ନକହିଲେ ଭଲ । ସରକାରଙ୍କ ଅପାରଗତା ଯୋଗଁ ବଜେଟ ଅର୍ଥ ବି ଠିକ ସେ ଖର୍ଚ୍ଚ ହୋଇପାରୁନାହିଁ । ବିଜେଡି ଅଭିଯୋଗରେ ସ୍ବର ମିଳାଇଛି କଂଗ୍ରେସ । କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ଅଭିଯୋଗ କରି କହିଛନ୍ତି ବିକାଶ କାମ ଠପ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବର୍ଷା ଯୋଗୁଁ ରାସ୍ତାଘାଟ ଧୋଇ ହୋଇ ଯାଇଛି । ଯଦି ପୂଜା ପୂର୍ବରୁ ରାସ୍ତାଘାଟ କାମ କରା ନଯିବ ଏ ପ୍ରସଙ୍ଗକୁ କଂଗ୍ରେସ ଗୃହରେ ଉଠାଇବ ବୋଲି ଚେତାବନୀ ଦେଇଛି ।
ବିଧାନସଭା କମିଟିର ଉଦବେଗକୁ ସ୍ବୀକାର କରିଛନ୍ତି କମିଟିର ଅଧ୍ୟକ୍ଷ ଜୟ ନାରାୟଣ ମିଶ୍ର । ପୂଜା ପୂର୍ବରୁ କାମ ସାରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।
ସେପଟେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସରକାର ବଜେଟ ପରେ ବଜେଟ ଆଣୁଛନ୍ତି । ହେଲେ ବଜେଟ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ଗାଁରୁ ସହର ଯାଏଁ ବିକାଶକାମ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ସରକାର ଠିକ ସେ ଚାଲୁ ନଥିବାରୁ ବଜେଟ ଅର୍ଥ ସଠିକ ଭାବେ ଖର୍ଚ୍ଚ ହୋଇପାରୁନାହିଁ । ସେପଟେ ବରିଷ୍ଠ ବିଜେପି ବିଧାୟକ ପ୍ରକାଶ ସୋରେନ ବର୍ଷାକୁ ଦାୟୀ କରିଛନ୍ତି ।
ଶିଶୁ ବାଟିକାରେ ପ୍ରାକ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦାବିରେ ରାଜରାସ୍ତାରେ ଆଶାୟୀ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ପରେ ଏହାକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ବିନା ଆଲୋଚନାରେ ସରକାର ମନଇଚ୍ଛା ଶିକ୍ଷା ନୀତି ଲାଗୁ କଲେ । ସେପଟେ ଶିଶୁ ବାଟିକାରେ ପ୍ରାକ ପ୍ରାଥମିକ ଶିକ୍ଷକ ନିଯୁକ୍ତି ନ କରିବାକୁ ନେଇ ରାସ୍ତାକୁ ଓଲ୍ହାଇଛନ୍ତି ପ୍ରାକ ପ୍ରାଥମିକ ଆଶାୟୀ ଶିକ୍ଷକ ସଂଘ । ଜାତୀୟ ଶିକ୍ଷା ନୀତି ଲାଗୁ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ ଓ ଗଣ ସଙ୍ଗଠନକୁ ଗୋଟିଏ ବ୍ୟାନରରେ ଏକାଠି କରିବାକୁ ଶିକ୍ଷକ, ଶିକ୍ଷାବିତଙ୍କ ନିଷ୍ପତ୍ତି ।
ଜାତୀୟ ଶିକ୍ଷା ନୀତିକୁ ଆଧାର କରି ସରକାର ମନଇଚ୍ଛା ରାଜ୍ୟରେ ଶିଶୁ ବାଟିକା ଖୋଲିଲେ । ପଢ଼ାଇବା ପାଇଁ ହଜାର ହଜାର ପ୍ରଶିକ୍ଷିତ ପ୍ରାକ ପ୍ରାଥମିକ ଶିକ୍ଷକ ରହିଥିବା ବେଳେ ସେମାନଙ୍କୁ ନିଯୁକ୍ତି ଦେଲେ ନାହିଁ । ସରକାରଙ୍କ ନିକଟରେ ବାରମ୍ବାର ଦାବି କରିବା ପରେ ମଧ୍ୟ ସରକାର ନ ଶୁଣିବାରୁ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରାକ ପ୍ରାଥମିକ ଶିକ୍ଷକ ଆଶାୟୀ । ପ୍ରତିବାଦରେ ଜୋରଦାର ବିକ୍ଷୋଭ କରାଯାଇଛି । ଖୋଦ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି ପିଏମଜିରେ ଧାରଣା ଦେଇଛି ପ୍ରାକ ପ୍ରାଥମିକ ଆଶାୟୀ ଶିକ୍ଷକ ସଂଘ । ରାଜ୍ୟରେ ହଜାର ହଜାର ସ୍ୱତନ୍ତ୍ର ଡିଇସିଇ ତାଲିମପ୍ରାପ୍ତ ଶିକ୍ଷକ ଥିବାବେଳେ ସରକାର ଶିଶୁ ବାଟିକା ପାଇଁ ଶିଶୁ ସେବିକା ନିଯୁକ୍ତି ଦେବାକୁ ବିରୋଧ କରିଛି ସଂଘ ।
ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ହେବାରୁ ବଞ୍ଚାଇବାକୁ ଆହ୍ୱାନ ଦିଆଯାଇଛି । ରାଜ୍ୟରେ ଜାତୀୟ ଶିକ୍ଷା ନୀତିକୁ ମନଇଚ୍ଛା ଲାଗୁ କରିବା, ଶିଶୁ ବାଟିକରେ ଶିକ୍ଷକ ନିଯୁକ୍ତି ନ ଦେବା ଓ ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧୀୟ ସମସ୍ୟାକୁ ନେଇ ଆସନ୍ତା ୫ ତାରିଖରେ ଏକାଠି ହେବେ ରାଜ୍ୟର ଶିକ୍ଷକ ସମାଜ, ବୁଦ୍ଧିଜୀବୀ, ରାଜନେତା ଓ ଗଣ ସଂଗଠନ । ନିଖିଲ ଉତ୍କଳ ଶିକ୍ଷକ ମହାସଙ୍ଘ ବ୍ୟାନରରେ ସମସ୍ତେ ଏକାଠି ହେବେ । ଆସନ୍ତା ନଭେମ୍ବର ୭ରେ ରାଜ୍ୟରେ ଜୋରଦାର ଆନ୍ଦୋଳନ କରିବା ପାଇଁ ମଧ୍ୟ ଯୋଜନା ହୋଇଛି ।
ଟିଇଟିକୁ ନେଇ ବଢିଲା ଟେନସନ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଶିକ୍ଷକଙ୍କ ମଧ୍ୟରେ ଭାଳେଣି
ନନ୍ଦିଘୋଷ ବ୍ୟୁରୋ: ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ନେଇ ଶିକ୍ଷକଙ୍କ ଭିତରେ ବଢିଲା ଦ୍ବନ୍ଦ୍ବ । ଯେଉଁଥିପାଇଁ ଟେନସନରେ ରାଜ୍ୟ ସରକାର । ଶିକ୍ଷକ ନିଯୁକ୍ତି ପାଇଁ ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବା ଟିଇଟିକୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଛନ୍ତି । କୋର୍ଟ କହିଛନ୍ତି, ଯେଉଁମାନେ ଶିକ୍ଷକ ହେବା ପାଇଁ ଆଶାୟୀ, ସେମାନେ ଟିଇଟି ଯୋଗ୍ୟତା ହାସଲ କରିବା ଅନିବାର୍ଯ୍ୟ । ଏଥିସହ ବର୍ତ୍ତମାନ ଶିକ୍ଷକତା କରୁଥିବା ଶିକ୍ଷକମାନେ ପଦୋନ୍ନତି ପାଇବା ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ । ଯାହାକୁ ନେଇ ବିବାଦ ଉପୁଜିଲାଣି । ଶିକ୍ଷକ ସମାଜ ଏହା ବିରୋଧରେ ସ୍ବର ଉତ୍ତୋଳନ କରୁଥିବାରୁ ବାଧ୍ୟ ହୋଇ ସରକାର ତର୍ଜମା କରିବାକୁ ଅଣ୍ଟା ଭିଡ଼ିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି ବାଧ୍ୟତାମୂଳକ, ନ ହେଲେ ନା ମିଳିବ ନିଯୁକ୍ତି କି ପଦୋନ୍ନତି । ୨୪ ଘଣ୍ଟା ନ ପୂରୁଣୁ ଏହାକୁ ନେଇ ବିବାଦ ଓ ବିରୋଧ ମୁଣ୍ଡ ଟେକିଲାଣି । କାରଣ ଶିକ୍ଷା ଅଧିକାର ଆଇନ-୨୦୦୯ ପ୍ରଚଳନ ପୂର୍ବରୁ ଯେଉଁ ଶିକ୍ଷକମାନେ ନିଯୁକ୍ତି ପାଇଥିଲେ ଏବଂ ଯେଉଁମାନଙ୍କ ଚାକିରିରୁ ଅବସର ଗ୍ରହଣ କରିବାର ସୀମା ୫ ବର୍ଷରୁ ଅଧିକ ରହିଛି ସେମାନଙ୍କୁ ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ୨ ବର୍ଷର ସମୟ ସୀମା ଦିଆଯାଇଛି । ଯଦି ଏହି ଶିକ୍ଷକମାନେ ୨ ବର୍ଷ ମଧ୍ୟରେ ଟିଇଟିରେ ଉତ୍ତୀର୍ଣ୍ଣ ହେବେ ନାହିଁ ତେବେ ସେମାନେ ବାଧ୍ୟତାମୂଳକ ଅବସର ନେବେ । ତେବେ ଏହି ସମାନ ସମୟରେ କୋର୍ଟ କହିଛନ୍ତି ଯେ, ସଂଖ୍ୟାଲଘୁ ବିଦ୍ୟାଳୟରେ ଆରଟିଆଇ ଆଇନ ଲାଗୁ ସଂକ୍ରାନ୍ତରେ ବୃହତ୍ତର ଖଣ୍ଡପୀଠ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଏହି ନିୟମ ସେସବୁ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବନାହିଁ ।
ସେପଟେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଖପ୍ପା ରାଜ୍ୟର ବିଭିନ୍ନ ଶିକ୍ଷକ ସଙ୍ଘ । ଦୁଇ ବର୍ଷ ଭିତରେ OTET ପାସ ନ କଲେ ଶିକ୍ଷକଙ୍କୁ ଯେଉଁ ଅବସର ପାଇଁ ନିଷ୍ପତ୍ତି ଆସିଛି, ତାହା ସାରା ଦେଶର ଶିକ୍ଷକଙ୍କୁ ହତାଶ କରିଛି । ୨୦୧୧ ଜୁଲାଇ ଯାଏଁ OTET ନଥିଲା । ହେଲେ ୨୦୧୨ ପରେ ଶିକ୍ଷକ OTET ଦେଇ ଆସିଛନ୍ତି । ସୁପ୍ରିମକୋର୍ଟ ଯେଉଁ ନିଷ୍ପତ୍ତି ଶୁଣାଇଛନ୍ତି ଯେ ସମସ୍ତଙ୍କୁ OTET ଦେବାକୁ ପଡ଼ିବ, ତାହା ଠିକ ନୁହେଁ । ଆସନ୍ତା ୧୦ ତାରିଖରେ ଶିକ୍ଷକଙ୍କ ପଦୋନ୍ନତି ପାଇଁ OTET ନେଇ ଓଡ଼ିଶା ସରକାରଙ୍କ ହାଇକୋର୍ଟରେ ଶୁଣାଣି ଅଛି । ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ଯଦି ରାଜ୍ୟ ସରକାର ମାନିବେ, ତେବେ ଶିକ୍ଷକଙ୍କ ମୂଳ ବେତନ ୪୨୦୦ ପ୍ରଦାନ କରନ୍ତୁ ବୋଲି ଶିକ୍ଷକ ସଂଘ ଦାବି କରିଛନ୍ତି ।
ଛତିଶଗଡ଼ ସରକାର ଏହି ନିଷ୍ପତ୍ତି ବିରୋଧରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସେପଟେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଶିକ୍ଷକ ଆନ୍ଦୋଳନ ମୁଣ୍ଡ ଟେକୁଥିବାରୁ, ଓଡ଼ିଶା ସରକାରଙ୍କ ଦ୍ବନ୍ଦ୍ବ ବଢିଯାଇଛି । ଅନ୍ୟ ରାଜ୍ୟ କ’ଣ ବିଚାର ବିମର୍ଶ କରୁଛନ୍ତି, ତର୍ଜମା କରିବାକୁ ସମୟ ମାଗିଛନ୍ତି ରାଜ୍ୟ ସରକାର । ସୁପ୍ରିମକୋର୍ଟ ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯେଉଁମାନଙ୍କର ଚାକିରି ୫ ବର୍ଷରୁ କମ୍ ଅଛି ସେମାନଙ୍କ ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ନୁହେଁ ।
ଆଜି ରାତି ସାଢ଼େ ୧୧ଟାରେ ଟ୍ରମ୍ପ କରିବେ ବଡ଼ ଘୋଷଣା, ରାଷ୍ଟ୍ରପତି ପଦରୁ ଦେଇପାରନ୍ତି ଇସ୍ତଫା
ନନ୍ଦିଘୋଷ ବ୍ୟୁରୋ: ଟାରିଫ ଯୁଦ୍ଧ ଆରମ୍ଭ କରି ବିଶ୍ବକୁ ଆର୍ଥିକ ସଙ୍କଟରେ ପକାଇଥିବା ଆମେରିକା ରାଷ୍ଟ୍ରପତି ଆଜି ରାତିରେ ଦେଇ ଦେବେ ବି ଇସ୍ତଫା । ଭାରତୀୟ ସମୟ ରାତି ସାଢ଼େ ୧୧ଟାରେ ଟ୍ରମ୍ପ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ଏଥିରେ ସେ ତାଙ୍କ ଇସ୍ତଫା ସମ୍ପର୍କରେ କହିବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ସୂଚନାଯୋଗ୍ୟ, ଟ୍ରମ୍ପ ଟାରିଫ ଲଗାଇବା ପରେ ଆମେରିକା ବିଶ୍ବରେ ଏକ ପ୍ରକାର ଏକଘରିଆ ହେବାରେ ଲାଗିଛି । ଭାରତ, ବ୍ରାଜିଲ ଓ ଚୀନ ପରି ଦେଶ ଟ୍ରମ୍ପଙ୍କ ଟାରିଫକୁ ଖୋଲା ବିରୋଧ କରିଥିବା ବେଳେ କିଛି ଦେଶ ଆଲୋଚନା ମଧ୍ୟମରେ ଟାରିଫ କମ କରିଛନ୍ତି ଓ କିଛି କମ କରିବାକୁ ଲାଗିଛନ୍ତି । ହେଲେ, ସମସ୍ତଙ୍କ ମନରେ ଆମେରିକା ଓ ଟ୍ରମ୍ପଙ୍କୁ ନେଇ ଅସନ୍ତୋଷର ନିଆଁ ଜଳୁଛି । ବିଦେଶରୁ ଆରମ୍ଭ କରି ନିଜ ଦେଶରେ ବି ଟ୍ରମ୍ପ ବିରୋଧର ସମ୍ମୁଖୀନ ହେଉଛନ୍ତି । ଏମିତି ସ୍ଥିତିରେ ଗତ ସପ୍ତାହେ ହେବ ଟ୍ରମ୍ପଙ୍କୁ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନି । ଏହି କାରଣରୁ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି, ଆଜି ରାତି ସାଢ଼େ ୧୧ଟାରେ ଟ୍ରମ୍ପ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ଏହି ଘୋଷଣା ପରେ ଟ୍ରମ୍ପଙ୍କୁ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଟ୍ରମ୍ପ ଇସ୍ତଫା ଦେବାକୁ ଯାଉଥିବା କିଛି ଲୋକ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଆଉ କିଛି ଲୋକ ଏମିତି ବି କହୁଛନ୍ତି, ଟ୍ରମ୍ପ ଯେଉଁ ଘୋଷଣା କରିବାକୁ ଯାଉଛନ୍ତି, ଆମେରିକା ଇତିହାସରେ ସେମିତି କେବେ ହୋଇନି ।
ହ୍ବାଇଟ୍ ହାଉସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ମଙ୍ଗଳବାର ଅପରାହ୍ନ ୨ଟା (ଭାରତୀୟ ସମୟ ରାତି ସାଢ଼େ ୧୧ଟା)ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଘୋଷଣା କରିବେ । ଗତ ସପ୍ତାହରୁ ଟ୍ରମ୍ପଙ୍କୁ କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନଥିବାରୁ ସେ ଅସୁସ୍ଥ ଥିବା ମଧ୍ୟ ଚର୍ଚ୍ଚା ହେଉଛି ।
କ’ଣ ସତରେ ଟ୍ରମ୍ପ ଇସ୍ତଫା ଦେବେ ?
ସୋସିଆଲ ମିଡିଆରେ ବର୍ତ୍ତମାନ ଟ୍ରମ୍ପଙ୍କ ଇସ୍ତଫା ଦେବା ଟ୍ରଣ୍ଡ କରୁଛି । ଏହା ଅଜବ ଲଗୁଥିଲେ ବି ଟ୍ରମ୍ପଙ୍କ ସ୍ବାସ୍ଥ୍ୟକୁ ନେଇ ଉଠୁଥିବା ପ୍ରଶ୍ନ କାରଣରୁ ଏପରି ଚର୍ଚ୍ଚା ଜୋର ଧରିଛି । ଗତ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ Trump Is Dead ଓ Where Is Trump ? ପରି ହାସଟ୍ୟାଗ ଟ୍ରେଣ୍ଡ କରିଥିଲା । ୨୭ ଅଗଷ୍ଟରେ ହ୍ବାଇଟ୍ ହାଉସରେ ହୋଇଥିବା କ୍ୟାବିନେଟ ମିଟିଂ ପରଠୁ ଆଉ ଟ୍ରମ୍ପଙ୍କୁ ଦେଖିବାକୁ ମିଳିନି । ଏହି ମିଟିଂର ଏକ ଫଟୋ ଭାଇରାଲ ହୋଇଥିଲା । ତାଙ୍କ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ହ୍ବାଇଟ ହାଉସ ପ୍ରେସ ସେକ୍ରେଟାରୀ କେରାଊିନ ଲାଓ୍ବିନ କହିଥିଲେ, ବାରମ୍ବାର ହାତ ମିଶାଇବା କାରଣରୁ ଟ୍ରମ୍ପ ହାତରେ ଏହି ଚିହ୍ନ ହୋଇଛି । ହେଲେ ଏପରି ସ୍ପଷ୍ଟିକରଣ ସୋସିଆଲ ମିଡ଼ିଆ ୟୁଜରଙ୍କୁ ସନ୍ତୁଷ୍ଠ କରିପାରି ନଥିଲା ଓ ଏବେ କି ଟ୍ରମ୍ପଙ୍କୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଛି । ଅଗଷ୍ଠ ୩୦ ତାରିଖରେ ଟ୍ରମ୍ପଙ୍କୁ ତାଙ୍କ ଗଲ୍ଫ କ୍ଲବରେ ଦେଖିବାକୁ ମିଳିଥିଲା । ହେଲେ ସେତେବେଳେ ବି ସୋସିଆଲ ମିଡିଆରେ ବ୍ୟକ୍ତି ଜଣଙ୍କ ଟ୍ରମ୍ପ ନୁହଁନ୍ତି, ତାଙ୍କ ବଡ଼ି ଡବଲ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ଟିବ ରହିଛନ୍ତି । କିଛି ୟୁଜର୍ସ ମଜାରେ ଲେଖିଛନ୍ତି, ଆଜି ନୂଆ ରାଷ୍ଟ୍ରପତି ଘୋଷଣା ହୋଇପାରେ ।

