ବଲାଙ୍ଗୀର: ବଲାଙ୍ଗୀର ତୁଷୁରାର ଗୁଡ଼ଭେଲା ବ୍ଲକ୍ ପ୍ରୋଜେକ୍ଟ କୋଡ଼ିନେଟର ବା ବିପିସିଙ୍କୁ ମାଡ଼ମରା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ଦୋରା ଗିରଫ। ଅଶୋକ ଦୋରାଙ୍କୁ ଜିଲ୍ଲା ବାହାରୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଅବଶ୍ୟ ଏନେଇ କୌଣସି ଔପଚାରିକ ପ୍ରତିକ୍ରିୟା ରଖିନି ବଲାଙ୍ଗୀର ପୋଲିସ। ହେଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଗିରଫ କରିବା ପରେ ତାଙ୍କର ଡ଼ାକ୍ତରୀ ମାଇନା ହୋଇଛି । ଅଶୋକ ଦୋରା ହେଉଛନ୍ତି ଗୁଡଦ୍ଭେଲା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ। ଗତ ୧୦ ତାରିଖ ଦିନ ଗୁଡଭେଲା ବ୍ଲକ୍ କାର୍ଯ୍ୟାଳୟରେ ଅଶୋକଙ୍କ ସମର୍ଥକ ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ ନିର୍ମଳ ଚନ୍ଦ୍ର ପ୍ରଧାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ଥିଲେ ଟିଟିଲାଗଡ଼ର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଦୋରା। ଏହି ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗୀର ପୋଲିସ। ହେଲେ ଫେରାର ଥିଲେ ମୁଖ୍ୟ ଅଭିଯୁକ୍ତ ଅଶୋକ ଦୋରା । ଘଟଣାର ୧୦ ଦିନ ପରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ।
୨୩ ବର୍ଷରୁ କମ୍ ଷ୍ଟେଟ୍ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ଟିମ୍, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ
କଟକ: ବିସିସିଆଇର ଘରୋଇ ସିଜିନ ୨୦୨୩-୨୪ ଦିନିକିଆ ୨୩ ବର୍ଷରୁ କମ୍ ଷ୍ଟେଟ ଟ୍ରଫି ପାଇଁ ଘୋଷଣା ହେଲା ଓଡ଼ିଶା ଦଳ । ୧୬ ଜଣିଆ ଟିମ ଘୋଷଣା କରିଛି ଓସିଏ। ଅଧିନାୟକ ଅଛନ୍ତି ଅନୀଲ ପରିଡ଼ା । ଟିମ୍ ସଦସ୍ୟମାନେ ହେଲେ ସାଇଦୀପ ମହାପାତ୍ର , ଓମ୍. ଟି. ମୁଣ୍ଡେ, ରଘୁନାଥ ମଲହ, ସାୱନ ପହରିଆ, ସନ୍ତୋଷ ଯାଦବ, ଆଶୁତୋଷ ଛୁରିଆ, ମିଲନ ସାମଲ ,ଶ୍ରେଯାଂଶ ଭରଦ୍ବାଜ, ସମ୍ବିତ ବରାଳ, ରାକେଶ ବିଶ୍ୱାଳ, ରୀତେଶ ପ୍ରିୟନଜନ, ବାଦଲ ବିଶ୍ୱାଳ ଆଶୁତୋଷ ମାରାଣ୍ଡି ଓ ନିରଞ୍ଜନ ଗୌଡ଼ । ଟିମ୍ ଘୋଷଣା ପୂର୍ବରୁ ଅନେକ ଅଭ୍ୟାସ ମ୍ୟାଚ ଖେଳିଛି ଓଡ଼ିଶା। ଆସନ୍ତା ୨୮ ତାରିଖରୁ ଓଡ଼ିଶା ତା’ ଅଭିଯାନ ଆରମ୍ଭ କରିବ । ମୋଟ ୬ଟି ମ୍ୟାଚ୍ ଖେଳିବ ଟିମ ଓଡ଼ିଶା । ତେବେ ଗତ ସିଜିନ ଅପେକ୍ଷା ଚଳିତବର୍ଷ ବେଶ୍ ଭଲ କରିବ ଟିମ । ଏନେଇ ସ୍ୱତନ୍ତ୍ର ଯୋଜନା ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ଟିମ୍ ଓଡ଼ିଶା।
ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଉଛି ସାଇକ୍ଲୋନ ’ତେଜ’
ଭୁବନେଶ୍ବର: ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଉଛି ସାଇକ୍ଲୋନ ତେଜ । ସାଇକ୍ଲୋନ ତେଜ ଘନୀଭୂତ ହୋଇ ଓମାନ ଓ ୟେମେନର ଦକ୍ଷିଣ ଉପକୂଳ ଦିଗରେ ଗତି କରିବ ବୋଲି କହିଛି ଆଇଏମଡି । ଦକ୍ଷିଣ-ପଶ୍ଚିମ ଆରବ ସାଗର ଦେଇ ଗତି କରୁଥିବା ସାଇକ୍ଲୋନ ତେଜ ଗୁଜରାଟ ଉପରେ ପ୍ରଭାବ ପକାଇବା ସମ୍ଭାବନା ନାହିଁ । ଆଇଏମଡି କହିଛି ଦକ୍ଷିଣ ପୂ୍ର୍ବ ଓ ଦକ୍ଷିଣ ପଶ୍ଚିମ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ତେଜ ଅଧିକ ଘନୀଭୂତ ହୋଇ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେ । ଘଣ୍ଟା ପ୍ରତି ପବନର ବେଗ ୧୫୦ରୁ ୧୬୦ କିଲୋମିଟର ଓ ଝଟକା ପବନର ବେଗ ୧୭୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଆକଳନ କରିଛି ଆଇଏମଡି । ଆସନ୍ତା ୨୫ ତାରିଖ ବେଳକୁ ଏହା ୟେମେନରେ ସ୍ଥଳଭାଗ ଅତିକ୍ରମ କରିପାରେ ।
ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ସୃଷ୍ଟ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୁଦୃଶଃ- ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୨ ତାରିଖ ସୁଦ୍ଧା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୩ ଦିନ ଯାଏଁ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ଏହା ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ଅର୍ଥାତ ଦୁଇ ଦିନ ପରେ ରାଜ୍ୟରେ ବଦଳିବ ପାଗ । ଉପକୂଳ ଓଡ଼ିଶାରେ ବଡ ବର୍ଷା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଏବଂ ଗଜପତିରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଏଣୁ ଶନିବାରଠୁ ମତ୍ସଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ସିଷ୍ଟମ ଉପରେ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଛି। ଯଦି ଏହା ହୁଏ ୨୪ ତାରିଖରେ କଟକ ଏବଂ ଭୁବନେଶ୍ବର ସାଙ୍ଗକୁ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହେବ । ୨୫ରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ। ଲଘୁଚାପ ଏବେ ଓଡ଼ିଶା ଠାରୁ ପାଖାପାଖି ଏକ ହଜାର କିଲୋମିଟର ଦୂରରେ ଥିବାରୁ ଓଡ଼ିଶାରେ ପାଗ ଶୁଖିଲା ରହିଛି ।
ମହାଦେବ ଆପ୍ ଅନଲାଇନ ବେଟିଂ ମାମଲା, ପ୍ରଥମ ପର୍ଯ୍ୟାୟ ଚାର୍ଜସିଟରେ ୧୪ ଅଭିଯୁକ୍ତ ସାମିଲ
ଭୁବନେଶ୍ବର: ମହାଦେବ ଆପ୍ ଅନଲାଇନ ବେଟିଂ ମାମଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଛି ପ୍ରଥମ ଚାର୍ଜସିଟ । ପ୍ରଥମ ପର୍ଯ୍ୟାୟରେ ଚାର୍ଜସିଟରେ ସାମିଲ ହୋଇଛନ୍ତି ୧୪ ଜଣ ଅଭିଯୁକ୍ତ । ବେଆଇନ ଅର୍ଥ ଚାଲାଣ ନିରାକରଣ ଆଇନର ଧାରା ୪୪ ଓ ୪୫ ଅନୁସାରେ ମାମଲା ରୁଜୁ ହୋଇଛି । ୧୯୭ ପୃଷ୍ଠା ସମ୍ବଳିତ ଚାର୍ଜସିଟରେ ରହିଛି ସୌରଭ ଚନ୍ଦ୍ରକାର, ରବି ଉପାଇ, ବିକାଶ ଛାପାରିଆ, ଶିବ କୁମାର ବର୍ମା ପ୍ରମୁଖଙ୍କ ନାମ ।
ପ୍ରମାଣ ସ୍ବରୂପ ପ୍ରସ୍ତୁତ ହୋଇଛି ୮ ହଜାର ୮୦୦ ପୃଷ୍ଠାର ଦଲିଲ । ଇଡି କହିଛି ମହାଦେବ ସ୍କାମରେ ପ୍ରାୟ ୬ ହଜାର କୋଟି ଟଙ୍କାର ଜାଲିଆତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪୧ କୋଟି ଟଙ୍କାର ସମ୍ପତ୍ତି ଆଟାଚ ହୋଇଛି । ଏହି ବହୁଚର୍ଚ୍ଚିତ ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସୌରଭ ଚନ୍ଦ୍ରକାର ଓ ରବି ଉପ୍ପଲ । ଏହି ଆପ୍ ଜରିଆରେ ବ୍ୟାପକ ବେନିୟମ କାର୍ଯ୍ୟକଳାପ ଚାଲିଥିଲା ବୋଲି ଇଡି ଅଭିଯୋଗ କରିଥିଲା । ଚନ୍ଦ୍ରଭୂଷଣ ରାୟ ନାମକ ଜଣେ ପୋଲିସ ବି ଏହି ବେଆଇନ କାର୍ଯ୍ୟକଳାପରେ ସାମିଲ ଥିଲେ । ଏହାସହ କେତେକ ବଲିଉଡ ଷ୍ଟାର, ଟିଭି ତାରକା, ଇନଫ୍ଲୁଏନସର ପ୍ରମୁଖ ସାମିଲ ଥିବା ନେଇ ହୋଇଥିଲା ଅଭିଯୋଗ ।
ସମ୍ବଲପୁରରେ ବ୍ୟାପିଲା ଝାଡାବାନ୍ତି, ଜଣେ ମୃତ ୩୯ ଆକ୍ରାନ୍ତ
ସମ୍ବଲପୁର: ମହମ୍ମଦପୁରରେ ବ୍ୟାପିଲା ଝାଡାବାନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆକ୍ରାନ୍ତ ହେଲେଣି । ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଗତ ୧୩ ତାରିଖରୁ ବ୍ୟାପୁଛି ଝାଡାବାନ୍ତି । ଭୀମସାରର ଏକ ଡାକ୍ତର ଦଳ ଗାଁରେ ପହଞ୍ଚି ନମୂନା ସଂଗ୍ରହ କରିଥିଲେ । ଆଜି ପୁଣି ୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି ।

