spot_img
Home Blog Page 2686

ବ୍ରିଜ ତଳକୁ ଓହଳି ରହିଛି ଯାତ୍ରୀବାହୀ ବସ୍ ,୧୦ରୁ ଅଧିକ ଯାତ୍ରୀ ଆହତ

ବାଙ୍କୀ : ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜ ଉପରେ ବସ୍ ଦୁର୍ଘଟଣା । ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରିଜ ତଳକୁ ଓହଳି ରହିଛି ଯାତ୍ରୀବାହୀ ବସ । ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ବସରେ ପାଖାପାଖି ୬୦ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ରାସ୍ତା ଖାଲି କରୁଛି । ଏହାସହ ବ୍ରିଜରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି ।

କ୍ରେନ୍ ସହାୟତାରେ ବସକୁ କଢ଼ାଯାଉଛି । କିପରି ଓ କେଉଁ ପରିସ୍ଥିତିରି ଏହି ଦୁର୍ଘଟଣା ଘଟିଲା, ତାହା ଜାଣିବା ପାଇଁ ଡ୍ରାଇଭରକୁ ପଚରାଉଚରା କରାଯିବ । ବସ ଡ୍ରାଇଭର ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବା ସହ ଗାଡ଼ି ମାଲିକଙ୍କୁ ମଧ୍ୟ ଜେରା କରିବାକୁ ଦାବି କରିଛନ୍ତି ଲୋକେ ।

ଆଜି ବି ଚାଲି ପାରିଲାନି ବିଧାନସଭା, ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା

ଭୁବନେଶ୍ୱର :  ଆଜି ବି ଚାଲି ପାରିଲାନି ବିଧାନସଭା । ଗହକୁ ଜାଣିଶୁଣି ଅଚଳ କରୁଛି ମୁଖ୍ୟ ବିରୋଧୀ ବିଜେପି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ହଟ୍ଟଗୋଳ କରିଥିଲେ । ବିଜେପିର ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ବିଜେପି ସଦସ୍ୟ । ମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ।

ଏହି ସମୟରେ ବିଜେପିର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି । ପ୍ରଶ୍ନକାଳକୁ ବିଜେପି ବିଧାୟକମାନେ ଚଳାଇ ନଦେବା ନେଇ ଶାସକ ବିଜେଡି ଓ କଂଗ୍ରେସ ବିଜେପିକୁ ଘେରିଛନ୍ତି । ଆଜି ଅପରାହ୍ନରେ ବିଧାନସଭାରେ ଅତିରିକ୍ତ ବଜେଟର ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ସେହିପରି ସିଏଜି ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯିବ ।

ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ ପାଇଁ ନୂଆ ପ୍ରୟାସ : ପ୍ରତି ଜିଲ୍ଲା ବୁଲିବ ‘ସ୍ୱକଳ୍ପ ସମ୍ପର୍କ ଅଭିଯାନ’ ରଥ

ଜଗତସିଂହପୁର: ଗାନ୍ଧୀଜୟନ୍ତୀରୁ ‘ଉଦ୍ୟୋଗୀ ସମ୍ପର୍କ ଅଭିଯାନ’  । ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ ‘ଉଦ୍ୟୋଗୀ ସମ୍ପର୍କ ଅଭିଯାନ’ର ଶୁଭାରମ୍ଭ କରାଯାଇଛି । ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର ରଥ ଜଗତସିଂହପୁରରୁ ବାହାରିଛି, ଯାହା ୭ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିକ୍ରମା କରିବ।  ଏହି ସ୍ୱତନ୍ତ୍ର ରଥକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ‘ସ୍ୱକଳ୍ପ’ ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ଶେଷ କରିଥିବା ଜିଲ୍ଲାର ପ୍ରାର୍ଥୀମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଏହାସହ ବ୍ୟବସାୟ ପ୍ରତିଷ୍ଠା ଲାଗି ପ୍ରାର୍ଥୀମାନଙ୍କର ଆବଶ୍ୟକ ହେଉଥିବା ଉଦ୍ୟମ ଆଧାର ପଞ୍ଜୀକରଣ କରାଯାଇଥିଲା। ଜିଲ୍ଲାରୁ ଜିଲ୍ଲାକୁ ଯାଇ ପ୍ରାର୍ଥୀମାନଙ୍କ ଦୁଆର ମୁହଁରେ ପହଞ୍ଚି ବ୍ୟବସାୟ ପ୍ରତିଷ୍ଠା ଲାଗି ଆବଶ୍ୟକ ସହାୟତା ଯୋଗାଇଦେବା ଏହି ଅଭିଯାନର ଲକ୍ଷ୍ୟ।

ଜଗତସିଂହପୁରରୁ ବାହାରିଥିବା ଏହି ରଥ ସପ୍ତାହ ବ୍ୟାପି ବିଭିନ୍ନ ଜିଲ୍ଲାକୁ ଯିବ। ଅକ୍ଟୋବର ୩ ଓ ୪ରେ ଖୋର୍ଦ୍ଧା, ୫ ଓ ୬ ତାରିଖରେ ନୟାଗଡ଼ ଏବଂ ୭ ତାରିଖରେ କଟକ ଜିଲ୍ଲା ଗସ୍ତ କରିବ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ତଥା ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ‘ସ୍ୱକଳ୍ପ’ର ପରିଚାଳନା କରାଯାଉଛି। ସ୍ୱକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ସହଯୋଗୀ ସଂସ୍ଥା ପାଲାଡିୟମ କନସଲ୍ଟିଂ ତଥା ଏହାସହ ଥିବା ଅନ୍ୟତମ ସହଯୋଗୀ ସଂସ୍ଥା ଲର୍ଣ୍ଣେଟ୍ ସ୍କିଲ ‘ଉଦ୍ୟୋଗୀ ସମ୍ପର୍କ ଅଭିଯାନ’ର ପରିଚାଳନା କରୁଛନ୍ତି।

ଏହି ଅବସରରେ ଜଗତସିଂହପୁରର ଐତିହାସିକ ଅଳକା ଆଶ୍ରମ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଫଳରେ ଆଗାମୀ ଦିନରେ ଅଳକା ଆଶ୍ରମ ପରିସରରେ ‘ସ୍ୱକଳ୍ପ’ ଲାଗି ପ୍ରାର୍ଥୀମାନଙ୍କର ତାଲିମ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳନା କରାଯିବ। କାର୍ଯ୍ୟକ୍ରମରେ ଅଳକା ଆଶ୍ରମର ସଭାପତି ଗୌରାଙ୍ଗ ଚରଣ ହୋତା, ଆବାହକ ଦେବେନ୍ଦ୍ର ନାଥ ରାଉତ, କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ, ଇସ୍ରୋର ପୂର୍ବତନ ମହାକାଶ ବିଜ୍ଞାନୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ବିଶ୍ୱ ଦକ୍ଷତା କେନ୍ଦ୍ରର ମ୍ୟାନେଜର ସ୍ୱାଗତିକା ମହାପାତ୍ର, ପାଲାଡିୟମର ସହଯୋଗୀ ନିର୍ଦ୍ଦେଶକ  ସୌମେନ୍ଦ୍ର ଚୌଧୁରୀ, ବିଜନେସ୍ ଡେଭଲପମେଣ୍ଟ ପରାମର୍ଶଦାତା ୠତୁମ୍ବରା ମିଶ୍ର, ବ୍ରାଣ୍ଡିଂ ଆଣ୍ଡ କମ୍ୟୁନିକେସନ ପରାମର୍ଶଦାତା ସୌମ୍ୟରଞ୍ଜନ ସାହୁ ଏବଂ ଲର୍ଣ୍ଣେଟର ଓଡ଼ିଶା ମୁଖ୍ୟ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ୧୦ ହଜାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ଦକ୍ଷତା ବିକାଶ ଲାଗି ୧୦୦ ଘଣ୍ଟାର ତାଲିମ ଦିଆଯିବ। ସେମାନଙ୍କ ମଧ୍ୟରୁ ୧ ହଜାର ବ୍ୟକ୍ତି କିପରି ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠା କରିପାରିବେ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତିଟି ପର୍ଯ୍ୟାୟରେ ୨୫ ପ୍ରତିଶତ ମହିଳାଙ୍କ ଅନ୍ତର୍ଭୁକ୍ତିକୁ ପ୍ରାଥମିକତା ଦିଆଯାଉଛି। ଉଦ୍ୟମୀ ଯୁବକ ଯୁବତୀଙ୍କୁ ବ୍ୟବସାୟ ପ୍ରତିଷ୍ଠା ଲାଗି ବିଭିନ୍ନ ପ୍ରକାର ତାଲିମ ମଧ୍ୟରେ  କାରବାର ପରିଚାଳନା, ଆର୍ଥିକ ପରିଚାଳନା, ବଜାର ସଂଯୋଗ, ବ୍ୟାଙ୍କ ୠଣ ଏବଂ ନେତୃତ୍ୱ ବିକାଶ ଆଦି ବିଷୟ ରହିଛି। ଏହାସହ ମକ୍ ପିଚ୍ ମାଧ୍ୟମରେ ଭବିଷ୍ୟତର ଉଦ୍ୟୋଗୀମାନଙ୍କୁ ପ୍ରତିଷ୍ଠିତ ଉଦ୍ୟୋଗୀ ଏବଂ ବିଶେଷଜ୍ଞଙ୍କ ସହ ଯୋଡ଼ା ଯାଉଛି।  ପ୍ରାଥମିକ ତାଲିମ ଶେଷ ପରେ ପ୍ରାର୍ଥୀମାନଙ୍କୁ ୨୪ ସପ୍ତାହ ଯାଏଁ ବ୍ୟକ୍ତିଗତ ପରାମର୍ଶଭିତ୍ତିକ ବିଶେଷ ସହାୟତା ଦିଆଯାଉଛି।

ଏଏସଆଇ ଆଲିସ୍ ଲୁଗୁନଙ୍କ ମୃତ୍ୟୁ ଘଟଣା : ସାମ୍ନାକୁ ଆସିଲା ଶେଷ ଭିଡିଓ

ରାଉରକେଲା :   ଏଏସଆଇ ଆଲିସ୍ ଲୁଗୁନ ମୃତ୍ୟୁ ନେଇ ବଢୁଛି ସନ୍ଦେହ ।  ଡ୍ୟୁଟି ସମୟରେ ASI ଆଲିସ ଲୁଗୁନଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଗଣ୍ଡଗୋଳ ସମୟର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଗଣ୍ଡଗୋଳ ହୋଇଥିବା ସ୍ଥାନରେ ପହଞ୍ଚିଥିଲେ ଏଏସଆଇ । ତେବେ ଗଣ୍ଡଗୋଳକାରୀ ଏଏସଆଇ ଆଲିସଙ୍କ ସହ ଯୁକ୍ତିତର୍କ କରିଥିଲେ । ସ୍ବାମୀଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ରାଉରକେଲା ସହରର ଉଦିତନଗର ଥାନାରେ କାର୍ଯ୍ୟ କରୁଥିଲେ ଏଏସଆଇ ଆଲିସ୍ ଲୁଗୁନ ।

ବିରଜାପାଲି ନିକଟରେ କାରକୁ ଧକ୍କା ଦେଇ ଆସୁଥିବା ବସର କର୍ମଚାରୀଙ୍କୁ କାରରେ ଥିବା ଲୋକମାନେ ରିଙ୍ଗ ରୋଡରେ ମାରପିଟ କରୁଥିବା ଅଭିଯୋଗ ହୋଇଥିଲା । ସୂଚନା ପାଇ ପିସିଆର ଭ୍ୟାନ ସହ ଗଣ୍ଡଗୋଳ ସ୍ଥଳରେ ପହଞ୍ଚିଥିଲେ ଆଲିସ୍ । ତେବେ ଗଣ୍ଡଗୋଳ ସମୟରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ଆଲିସ । ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଶରୀରର ବିଭିନ୍ନ ସ୍ଥାନରେ ଦାଗ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣା ପଡ଼ିବ ବୋଲି କହିଛି ପୋଲିସ୍ । ଘଟଣାରେ କାହାରର ସଂପୃକ୍ତି ଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ମାରପିଟ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଉଦିତନଗର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।

ବିଶ୍ବକପ ପୂର୍ବରୁ ଓ୍ବାର୍ମଅପ୍ ମ୍ୟାଚ୍ , ଅପରାହ୍ଣ ୨ଟାରେ ନେଦରଲ୍ୟାଣ୍ଡସକୁ ଭେଟିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ଦିନିକିଆ କ୍ରିକେଟ ବିଶ୍ବକପ ପାଇଁ ମଝିରେ ଆଉ ଗୋଟିଏ ଦିନ ବାକି ଥିବାବେଳେ ଜାରି ରହିଛି ଓ୍ବାର୍ମଅପ୍ ମ୍ୟାଚ । ଆଜି ୩ଟି ମ୍ୟାଚ୍ ଖେଳାଯିବ । ଭାରତ ଦ୍ବିତୀୟ ଓ୍ବାର୍ମଅପରେ ନେଦରଲ୍ୟାଣ୍ଡକୁ ଭେଟିବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ-ଶ୍ରୀଲଙ୍କା ଓ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଥିରୁବନନ୍ତପୁରମରେ ନେଦରଲ୍ୟାଣ୍ଡସ- ଭାରତ ମଧ୍ୟରେ ହେବ ମୁକାବିଲା । ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ ।

ଆସନ୍ତା ୫ତାରିଖରୁ ବିଶ୍ବକପର ଲିଗ୍ ମ୍ୟାଚ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ୧୧ ଅକ୍ଟୋବରରେ ଭାରତ ଆଫଗାନିସ୍ତାନକୁ ଭେଟିବାକୁ ଥିବା ବେଳେ ୧୪ ଅକ୍ଟୋବରରେ ପାକିସ୍ତାନ ସହ ଟକ୍କର ହେବ । ନଭେମ୍ବର ୧୯ ତାରିଖରେ ବିଶ୍ବକପ ଫାଇନାଲ ଖେଳାଯିବ ।

ଦୁର୍ବଳ ହେଲା ଓ୍ବେଲମାର୍କ ଲୋପ୍ରେସର , ତିନି ଦିନ ଯାଏଁ ନାହିଁ ନିସ୍ତାର

ଭୁବନେଶ୍ୱର : ଦୁର୍ବଳ ହେଲା ଓ୍ବେଲମାର୍କ ଲୋପ୍ରେସର । ଗାଙ୍ଗେୟ ଉପତ୍ୟକା ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଥିବା ସୁଦୃଶ ଲଘୁଚାପ ଗତକାଲି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ସହ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହା ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଥିବା ବେଳେ ୪ ତାରିଖରେ ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଲଘୁଚାପକ୍ଷେତ୍ରଟି ଦକ୍ଷିଣ ଝାଡଖଣ୍ଡ ଏବଂ ଉତ୍ତର ଛତିଶଗଡ ଉପରେ କେନ୍ଦ୍ରୀଭୁତ ରହିଛି । ଗତ ଦୁଇ ଦିନ ମଧ୍ୟରେ ସ୍ବାଭାବିକ ବର୍ଷା ଠାରୁ ୧୪୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ଗତ ୨୫ ତାରିଖରୁ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଉତ୍ତର-ପଶ୍ଚିମ ଭାଗରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୁଳ ରହିଛି ।

ବହୁଚର୍ଚ୍ଚିତ ଲଖିମପୁରୀ ଖେରି ମାମଲା: ସଂଯୁକ୍ତ କିଷାନ ମୋର୍ଚ୍ଚା ଆଜି ପାଳିବ କଳାଦିବସ

ନୂଆଦିଲ୍ଲୀ : ଲଖିମପୁରୀ ଖେରୀ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଖପ୍ପା ଚାଷୀ । ଆଜି ୩୨ଟି ଚାଷୀ ସଂଗଠନ ପକ୍ଷରୁ ପାଳନ କରାଯିବ କଳାଦିବସ । ସଂଯୁକ୍ତ କିଷାନ ମୋର୍ଚ୍ଚାର ପଞ୍ଜାବ ଶାଖା ପକ୍ଷରୁ ଏହି କଳାଦିବସ ପାଳନ କରାଯିବ । ରଘବୀର ସିଂ ବେନିଓ୍ବାଲ, ନଚ୍ଚତର ସିଂ ଜାଇତୋ ଓ ବଲବିନ୍ଦର ସିଂଙ୍କ ନେତୃତ୍ବରେ ଏହା ପାଳନ ହେବ ।

ଗତ ୨୦୨୧ ଅକ୍ଟୋବର ୩ରେ ଉତ୍ତରପ୍ରଦେଶ ଲଖିମପୁରୀ ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଏସୟୁଭି ଧକ୍କାରେ ୮ଜଣ କୃଷକଙ୍କ ପ୍ରାଣହାନି ଘଟିଥିଲା । ବିବାଦୀୟ ଚାଷୀ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚାଲିଥିବାବେଳେ ଏହି ଘଟଣା ଘଟିଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଅଭାବ, ଆନ୍ଦୋଳନରେ ସାମିଲ ବ୍ୟକ୍ତିଙ୍କ ନାମରେ ମିଥ୍ୟା ମାମଲା, ଚାଷୀଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ପ୍ରତିବାଦରେ ଏହି ଆନ୍ଦୋଳନ ଚାଲିବ । ଏହି ମାମଲାରେ ଗତ ୨୦୨୩ ଜାନୁଆରୀ ୨୫ରେ ଆଶିଷଙ୍କୁ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ ।

୩୭୧ କୋଟି ଟଙ୍କା ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲା :ଆଜି ଚନ୍ଦ୍ରବାବୁଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ :  ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲା । ଆଜି ସୁପ୍ରିମକୋର୍ଟରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଆବେଦନର ହେବ ଶୁଣାଣି । ୩୭୧ କୋଟି ଟଙ୍କାର ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ହୋଇଥିବା ଏଫଆଇଆରକୁ ରଦ୍ଦ କରିବା ଲାଗି ହୋଇଥିବା ଆବେଦନକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଖାରଜ କରିବା ପରେ ନାଇଡୁ ଯାଇଥିଲେ ସୁପ୍ରିମକୋର୍ଟ । ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ବେଲା ଏମ.ତ୍ରିବେଦୀଙ୍କ ଖଣ୍ଡପୀଠ ନାଇଡୁଙ୍କ ଆବେଦନର ଶୁଣାଣିକରିବ ।

ଗତ ସେପ୍ଟେମ୍ବର ୨୭ରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ- ଏଫଆଇଆର ରଦ୍ଦ ଲାଗ ହୋଇଥିବା ଆବେଦନର ଶୁଣାଣି ଏକ ନୂଆ ଖଣ୍ଡପୀଠ କରିବେ । ହାଇକୋର୍ଟରେ ତାଙ୍କ ଆବେଦନ ଖାରଜ ହେବା ପରେ ଗତ ସେପ୍ଟେମ୍ବର ୨୩ରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଟିଡିପି ସୁପ୍ରିମୋ । ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗତ ସେପ୍ଟେମ୍ବର ୯ ତାରିଖରେ ନାଇଡୁଙ୍କୁ ଗିରଫ କରିଥିଲା ସିଆଇଡି ।

ପୂର୍ବରୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବା ଲାଗି ସ୍ଥିରୀକୃତ ହୋଇଥିଲା । ମାତ୍ର ଏଥିରୁ ଜଷ୍ଟିସ ଭଟ୍ଟି ବିରତ ରହିବା ପରେ ନୂଆ ଖଣ୍ଡପୀଠ ଗଠିତ ହୋଇଥିଲା । ଟିଡିପି ନେତା ନାଇଡୁଙ୍କ ଲାଗି ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା । ନାଇଡୁଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ଆସନ୍ତା ଅକ୍ଟୋବର ୫ ଯାଏ ରହିଛି ।

ବିଧାନସଭାରେ ଆଜି ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ଟର :  ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ ଆଗତ କରିଥିଲେ । ସେହିପରି ପଞ୍ଚୟତରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନିର୍ମାଣ ପୌର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷା ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଛି ।

ତେବେ ଆଜି ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୁଖ୍ୟ ବିରୋଧୀ ବିଜେପି ଗୃହରେ ଜାଣିଶୁଣି ଗୃହ କାର୍ଯ୍ୟ ଚଳାଇ ନଦେବାକୁ ବିଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଛି । ଅନ୍ୟପଟେ ଗୃହକୁ ସ୍ବାଭାବିକ ଭାବେ ଚାଲିବାକୁ ଅପିଲ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଯେ ବିଜେପି ବିଧାୟକ ମାନେ ବିଧାନସଭାରେ ଜନବିରୋଧୀ ନୀତି ଆପଣାଇଛନ୍ତି ।

ଗିରଫ ISIS ଆତଙ୍କୀଙ୍କ ଖୁଲାସା, ଅଯୋଧ୍ୟାରେ ରାମ ମନ୍ଦିର ଏବଂ ବଡ଼ ବଡ଼ ନେତା ଥିଲେ ଟାର୍ଗେଟରେ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆଇଏସଆଇଏସର ସନ୍ଦିଗ୍ଧ ଆତଙ୍କବାଦୀ ଶହନୱାଜ ଓରଫ ଶୈଫୀ, ତାର ସାଥୀ ରିଜୱାନ ଏବଂ ଅରସଦକୁ ଗିରଫ କରିଛି । ଆତଙ୍କବାଦୀମାନେ ପଚରାଉଚରା ସମୟରେ ବଡ଼ ଖୁଲାସା କରିଛନ୍ତି । ଆତଙ୍କବାଦୀମାନେ କହିଛନ୍ତି ଯେ ଦେଶର କେତେକ ମନ୍ଦିର ଏବଂ ପ୍ରସିଦ୍ଧ ସ୍ଥାନ ସେମାନଙ୍କ ଟାର୍ଗେଟ ଥିଲା । ଆତଙ୍କବାଦୀମାନେ କହିଛନ୍ତି, ମୁମ୍ବାଇର ମରିନ ଡ୍ରାଇଭ ସ୍ଥିତ ଚାବଡ ହାଉସ୍ ଏବଂ ଅଯୋଧ୍ୟାର ରାମମନ୍ଦିର ସେମାନଙ୍କ ଟାର୍ଗେଟରେ ଥଲା । ଉଲ୍ଲେଖଯୋଗ୍ୟ, କୋଲାବା ସ୍ଥିତ ଚାବଡ ହାଉସ, ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ  ଆକ୍ରମଣର ଶିକାର ହୋଇଥିଲା । କେବଳ ଏତିକି ନୁହେଁ ଦେଶର କିଛି ବଡ଼ ନେତାଙ୍କୁ ଟାର୍ଗେଟ କରିବା ପାଇଁ ସେମାନଙ୍କୁ ମିଶନ ମିଳିଥିଲା ।

ଆତଙ୍କବାଦୀମାନେ ପୁଣେର ନିକଟବର୍ତ୍ତୀ ୱେଷ୍ଟର୍ଣ୍ଣ ଘାଟରେ ଆକ୍ରମଣ କରିବା ନେଇ ପ୍ରସ୍ତୁତି କରିସାରିଥିଲେ । ଅବଶ୍ୟ ଆକ୍ରମଣର ଦିନ ନିର୍ଦ୍ଧାରିତ ହୋଇନଥିଲା । କୌଣସି ଏକ ଖାସ୍ ଦିନରେ ଆକ୍ରମଣର ପ୍ଲାନିଂ କରୁଥିଲେ । କୁହାଯାଉଛି ଯେ, ଆତଙ୍କବାଦୀମାନେ ୨୬/୧୧ଠାରୁ ମଧ୍ୟ ବଡ଼ଧରଣର ଆକ୍ରମଣ କରିବା ନେଇ ଷଡ଼ଯନ୍ତ୍ର କରୁଥିଲେ । ତେବେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲକୁ ଆତଙ୍କବାଦୀ ଶହନୱାଜର ଠିକଣାରୁ ଆଇଇଡି ବନାଇବାର ସାମଗ୍ରୀ ଏବଂ ପିସ୍ତଲ ଜବତ କରିଛି । ଦିଲ୍ଲୀର ହଜାରିବାଗରେ ରହୁଥିବା ଶହନୱାଜ ମାଇନିଂ ଇଞ୍ଜିନିୟରିଂର ପାଠ ପଢ଼ିଥିଲା । ଏହି କାଣରରୁ ଶହନୱାଜକୁ ବିସ୍ଫୋରଣର ଜ୍ଞାନ ଥିଲା । ସେ ବୋମା ତିଆରିର ଅନେକ ପ୍ରୟୋଗ କରିଥିଲା ଏବଂ ପୁଣେର ଜଙ୍ଗଲରେ ପ୍ରାକ୍ଟିସ ମଧ୍ୟ କରିଥିଲା । ତାକୁ ଇଣ୍ଟରନେଟର ମଧ୍ୟ ବହୁତ ଭଲ ଜ୍ଞାନ ଥିଲା । ଏବେ ସ୍ପେଶାଲ ସେଲ୍ ଏହି ମାମଲାରେ ଜଡ଼ିତ ଅନ୍ୟମାନଙ୍କୁ ଟ୍ରେସ କରିବା ପାଇଁ ଉଦ୍ୟମ ଜାରି ରଖିଛି ।