ବ୍ରହ୍ମପୁର: କଥାରେ ଅଛି ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଥିଲେ । ଠିକ ସେହିପରି ଚୋରି ଧନ ଖୋଜୁଖୋଜୁ ପୋଲିସ ହାତରେ ପୁଳାପୁଳା ସୁନା । ବ୍ରହ୍ମପୁର ନିମଖଣ୍ଡି ଥାନା ପୋଲିସକୁ ମିଳିଚି ବଡ଼ ସଫଳତା । ବନ୍ଦ ଘରୁ ଜବତ ହୋଇଛି ପୁଳାପୁଳା ସୁନା ଓ ଟଙ୍କା । ସୁନା ଚୋରି ଅଭିଯୋଗରେ ସନିଆ ଗୌଡ଼କୁ ବିଶାଖାପାଟଣାରୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ପଚରାଉଚରା ପରେ ସୁନା ବିକିଥିବା ଦୋକାନ ଓ ମୁଥୁଟ ଫାଇନାନ୍ସ କାର୍ଯ୍ୟାଳୟରେ ପୋଲିସ ଚଢ଼ାଉ କରିଛି ।ଏହି ସମୟରେ ୨ କେଜି ୭୨୮ ଗ୍ରାମ ସୁନା ସହିତ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜବତ କରାଯାଇଛି । ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ସନିଆ ସହିତ ମୁଥୁଟ ଫାଇନାନ୍ସ ମ୍ୟାନେଜର ମୋହନ ପାଢୀ, ସୁନାରୀ ସନ୍ତୋଷ ଗାଇଓ୍ବାଡା ଓ ସୁରେନ୍ଦ୍ର ମହାପାତ୍ର ଗିରଫ ହୋଇଛନ୍ତି । ମାମଲାରେ ଆଉ କେଉଁମାନେ ସଂପୃକ୍ତ ସେନେଇ ତଦନ୍ତ ଜାରି ରହିଛି ।
ବଢ଼ିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟା ସଂଖ୍ୟା
ଯାଜପୁର : ବଢ଼ିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶର୍ଯ୍ୟାସଂଖ୍ୟା । ୩୩୦ରୁ ୪୨୦କୁ ବଢ଼ିଲା ଶର୍ଯ୍ୟାସଂଖ୍ୟା । ଯାଜପୁରରେ ଖୁବଶୀଘ୍ର ଶହେ ଶର୍ଯ୍ୟାବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଯଯାତୀ କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଭାବେ ଜଣାଶୁଣା ହେବ ଏହି କଲେଜ । ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠପଢା ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହାୟକ ହେବ । ଏହାସହ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ ଏବଂ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଆମ ହସ୍ପିଟାଲ ଯୋଜନାରେ ସାମିଲ କରାଯିବ । ସିଏଚସି ଓ ପିଏଚସିକୁ ସଂପ୍ରସାରିତ ହେବ ଆମ ହସ୍ପିଟାଲ ଯୋଜନା । ଆସନ୍ତା ୪ବର୍ଷରେ ଏହି ଯୋଜନା ସମ୍ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି ।
ଆଜିଠୁ ହବିଷ୍ୟାଳୀ ଯୋଜନାରେ ନାମ ପଞ୍ଜୀକରଣ ଆରମ୍ଭ
ପୁରୀ : ହବିଷ୍ୟାଳୀ ଯୋଜନାରେ ମଙ୍ଠୁଗଳବାରଠାରୁ ନାମ ପଞ୍ଜୀକରଣ ଆରମ୍ଭ ହେବ। ଆଗ୍ରହୀ ମା’ମାନେ ଆଜିଠୁ ୨୦ ତାରିଖ ମଧ୍ୟରେ edistrict.odisha.gov.inରେ ନିଜର ନାମ ପଞ୍ଜୀକରଣ କରିପାରିବେ । ନଚେତ୍ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ । ଯୋଜନା ସମ୍ପର୍କରେ ଅଧିକ ସୂଚନା ପାଇଁ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ପାଖରେ ରହି ହବିଷ କରିବାକୁ ବ୍ରତଧାରୀମାନେ ପୁରୀ ଆସିଥାନ୍ତି । ମାତ୍ର ଅନେକ ହବିଷ୍ୟାଳୀ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବାକୁ ଚାହୁଁଥିଲେ ହେଁ ଆର୍ଥିକ ସ୍ଥିତି ସେମାନଙ୍କୁ ପଛକୁ ଟାଣିଥାଏ । ଏହାକୁ ନଜରରେ ରଖି ରାଜ୍ୟ ସରକାର କିଛି ବର୍ଷ ହେବ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।
ପୁରୀରେ ଅକ୍ଟୋବର ୨୯ରୁ ପାଳନ ହେବ ମହାକାର୍ତ୍ତିକ ବ୍ରତ । ତେବେ ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀମାନଙ୍କ ନିମନ୍ତେ ବ୍ରତ ପାଳନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ 20 ତାରିଖ ପର୍ଯ୍ୟନ୍ତ ଚାଲିବ । ସମ୍ପୂର୍ଣ୍ଣ ମାଗଣାରେ ବ୍ରତ ପାଳନ ନେଇ ହବିଷ୍ୟାଳୀ ମାନଙ୍କର ସୁବିଧାରେ ବ୍ୟବସ୍ଥା ନେଇ ସବୁ ପ୍ରକାର ଆନୁସଙ୍ଗିକ କାର୍ଯ୍ୟ କରାଯାଉଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ପାଖେଇ ଆସିଲାଣି ମହାକାର୍ତ୍ତିକ । ଶ୍ରୀକ୍ଷେତ୍ରରେ ବ୍ରତ ପାଳିବେ ହବିଷ୍ଯାଳୀ । ଶ୍ରୀକ୍ଷେତ୍ରରେ ରହି କରିବେ ରାଇଦାମୋଦର ବ୍ରତ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ହବିଷ୍ୟାଳୀଙ୍କ ପାଇଁ ହେଉଛି ସ୍ବତନ୍ତ୍ର ବ୍ୟବସ୍ଥା । ଚଳିତ ବର୍ଷ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯିବା ସହ ହବିଷ୍ୟାଳୀମାନଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବୃନ୍ଦାବତୀ ସ୍ଥାୟୀ ଶିବିର, ସମେତ ମୋଚିସାହି ଛକ, ବଗଲା ଧର୍ମଶାଳା ଆଦି ସ୍ଥାନରେ ହବିଷ୍ୟାଳୀଙ୍କ ରହିବା ବ୍ୟବସ୍ଥା ସହ ସେଠାରେ ପ୍ରତ୍ୟହ ମହାପ୍ରସାଦ ସେବନ ପାଇଁ ପଦକ୍ଷେପ ନିଆଯିବ । ଏ ନେଇ ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ୩ହଜାର ଭିତରେ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ତେବେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ପଞ୍ଜିକରଣ କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଅନଲାଇନ ଓ ଅଫଳାଇନ ମାଧ୍ୟମରେ ପଞ୍ଜିକରଣ ନେଇ ସ୍ୱତନ୍ତ୍ର ଫର୍ମ ରହିଛି । ବିଶେଷ କରି ଅନଲାଇନ ମାଧ୍ୟମରେ ଘରେ ବସି ପରିଚୟପତ୍ର ପ୍ରଦାନ କରି ରେଜିଷ୍ଟ୍ରେସନ କରିପାରିବେ ହବିଷ୍ୟାଳୀ । ସବୁ ଜିଲ୍ଲାରେ ମଧ୍ୟ ଅଫଳାଇନ ମାଧ୍ୟମରେ ଆବେଦନ ଫର୍ମ ଦ୍ବାରା ପଞ୍ଜିକରଣ କରାଯାଇ ପାରିବ । ପଞ୍ଜିକରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳି ମାନଙ୍କ ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ନୋଡାଲ ଅଧିକାରୀ କହିଛନ୍ତି ।
୨୯ରୁ ପାଳନ ହେବ ମହାକାର୍ତ୍ତିକ ବ୍ରତ । ତେଣୁ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ହବିଷ୍ୟାଳୀଙ୍କ ପାଇଁ ପୂଜା ସାମଗ୍ରୀ, ଚଉଁରା, ଆକାଶଦୀପ, ବ୍ରାହ୍ମଣ, ବ୍ରତ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସମେତ ପ୍ରବଚନ, ପୁରାଣ ପାଠ, ମାଗଣା ଚିକିତ୍ସା ସୁବଧା ଓ ମହାପ୍ରସାଦ ସେବନ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।
ଏସିଆନ ଗେମ୍ସ ଦଶମ ଦିବସ: ଟି-ଟ୍ବେଣ୍ଟି କ୍ରିକେଟରେ ସେମିରେ ପ୍ରବେଶ କଲା ଭାରତ
ନୂଆଦିଲ୍ଲୀ : ଯଶସ୍ବୀ ଜୟସ୍ବାଲଙ୍କ ଶତକୀୟ ପାଳି । ସ୍ପିନରଙ୍କ ଧମାକା ବଳରେ ଭାରତର ବଡ଼ ବିଜୟ । ଏସିଆନ ଗେମସରେ ଟି-ଟ୍ବେଣ୍ଟି କ୍ରିକେଟରେ ନେପାଳକୁ ହରାଇ ସେମିଫାଇନଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ୨୩ ରନରେ ପରାସ୍ତ ହୋଇଛି ନେପାଳ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୨୦୨ ରନ କରିଥିବାବେଳେ ନେପାଳ ଟାର୍ଗେଟକୁ ପିଛା କରି ନ ୱିକେଟ ହରାଇ ୧୭୯ ରନରେ ଅଟକି ଯାଇଥିଲା ।
ଜୟସ୍ବାଲ ୪୯ ବଲରେ ସେଞ୍ଚୁରୀ ମାରିଥିବାବେଳେ ଏଥିରେ ସାତଟି ଛକା ଓ ଆଠଟି ଚୌକା ସାମିଲ ଥିଲା । ଓପନିଂ ଯୋଡି ଭାବେ କ୍ୟାପଟେନ ଋତୁରାଜ ଗାଏକୱାଡଙ୍କ ସହ ଜୟସ୍ବାଲ ପଡିଆକୁ ଓହ୍ଲାଇ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଖେଳି ମାତ୍ର ୫୯ ବଲରେ ୧୦୩ରନ କରି ଶକ୍ତିଶାଳୀ ମୂଳଦୁଆ ପକାଇଥିଲେ । ସେହିପରି ଶିବମ ଦୁବେ ୧୯ ବଲରେ ୨୫ ରନ, ରିଙ୍କୁ ସିଂହ ୧୫ ବଲରେ ୩୭ ରନ ବଳରେ ଭାରତ ୨ଶହ ପାର କରିଥିଲା ।
ଏହାପରେ ନେପାଳ ୨୦୨ରନର ପିଛା କରି ୧୩ ଓଭର ସୁଦ୍ଧା ୪ ୱିକେଟ ହରାଇ ୧୨୦ ରନ କରି ଭଲ ସ୍ଥିତିରେ ଥିଲା । ହେଲେ ପରେ କିନ୍ତୁ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ୧୭୯ ରନରେ ସୀମିତ ରହିଯାଇଥିଲା । ଭାରତ ପକ୍ଷରୁ ବିଷ୍ଣୋୟୀ ୩ ୱିକେଟ ନେଇଥିଲେ । କେନୋୟିଙ୍ଗ ପୁରୁଷ ମିଳିତ ବର୍ଗରେ ଭାରତକୁ ବ୍ରୋଞ୍ଜ ମେଡାଲ ମିଳିଥିବାବେଳେ ବକ୍ସିଂର ୫୪ କିଲୋ ମହିଳା ବର୍ଗରେ ବ୍ରୋଞ୍ଜ ଆଣିଛନ୍ତି ପ୍ରୀତି ପାୱାର । ଏହାକୁ ମିଶାଇ ଏବେ ସୁଦ୍ଧା ୬୨ଟି ପଦକ ଭାରତ ଖାତାକୁ ଆସିଲାଣି । ଯେଉଁଥିରେ ୧୩ ସ୍ବର୍ଣ୍ଣ, ୨୪ ରୌପ୍ୟ ଓ ୨୫ ବ୍ରୋଞ୍ଜ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ପୋଜିସନରେ ଅଛି ଭାରତ ।

