କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ଦାଦନ ସମସ୍ୟା ରୋକିବା ପାଇଁ ଜାତୀୟ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିଥିଲେ। ତେଵେ ନୂଆପଡା ଜିଲ୍ଲାରେ ଉକ୍ତ ଯୋଜନାର ସୁଫଳ ମିଳୁନଥିବା ବେଳେ ରାଜ୍ୟ ସରକାର ଏହାର ନିରାକରଣ କରିବା ପରିବର୍ତ୍ତେ ବିଜେପି ଦଳ ନିଜ ଦଳର ନେତା ଏବଂ କର୍ମୀ ରାଜ୍ୟ ସରକାରଙ୍କ ସହାୟତାରେ ନୂଆପଡା ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଚାଲାଣ କରୁଛନ୍ତି। ଏହିପରି ସଂଗୀନ ଅଭିଯୋଗ କରିଛନ୍ତି କଂଗ୍ରେସ ଦଳର ମୁଖପାତ୍ର ସୋନାଲି ସାହୁ। କହିଛନ୍ତି ଯେ ଏହାଦ୍ୱାରା ନୂଆପଡା ଜିଲ୍ଲାର ଅନେକ ଲୋକ କାମ ନ ପାଇଁ ବେରୋଜଗାର ହୋଇ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ମନରେଗା ଯୋଜନାରେ 2023-24 ଆର୍ଥିକ ବର୍ଷରେ ନୂଆପଡା ଜିଲ୍ଲା ପାଇଁ 1750 କୋଟି ଟଙ୍କାର ବଜେଟ ଥିବା ବେଳେ ବର୍ତ୍ତମାନ 2024-25 ରେ 1250 କୋଟି ଟଙ୍କା ବଜେଟରେ ଦିଆଯାଇଛି। ଫଳରେ ନୂଆପଡା ଜିଲ୍ଲାରୁ ଅନେକ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଏଥିସହ କିଛି ଦିନ ତଳେ ଦାଦନ ସମସ୍ୟାକୁ ନେଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଦେଇଥିବା ମନ୍ତବ୍ୟ ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର
ଜୟ ଢୋଲକିଆ ଚାଇନା ବାଣ, ଫସ୍ ଫସ୍ ହୋଇ ଫୁସୁକି ଯିବ: ସୁର ରାଉତରାୟ
ନୂଆପଡ଼ା ଉପନିର୍ବାଚନ। ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ କଂଗ୍ରେସ ନେତା ସୁର ରାଉତରାୟଙ୍କ ସମାଲୋଚନା। ଜୟ ଢୋଲକିଆ ଚାଇନା ବାଣ, ଫସ୍ ଫସ ହୋଇ ଫୁସୁକି ଯିବ କହିଲେ ସୁର ରାଉତରାୟ। ନୂଆପଡ଼ାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ। ଦିନକୁ ଦିନ ବିଜେପି ତଳକୁ ତଳକୁ ଖସିବାରେ ଲାଗିଛି। ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ନାରୀ ନିର୍ଯାତନା ପରି ଅନେକ କ୍ଷେତ୍ରରେ ବିଜେପି ସରକାର ବିଫଳ ହୋଇଛି। ତେଣୁ ବିଜେପି ଠାରୁ ଲୋକେ ଦୂରେଇବାରେ ଲାଗିଛନ୍ତି। ବିଜେପି ନୂଆପଡ଼ାରେ ପ୍ରାର୍ଥୀ ଚୋରି କରିଛି। ଜୟ ଢୋଲକିଆ ହେଉଛନ୍ତି ଜଣେ ବେପାରୀ ବୋଲି କହିଛନ୍ତି ସୁରେଶ ରାଉତରାୟ। ସେ ଗୁଜୁରାଟ ଲୋକ। ତେଣୁ ନୂଆପଡ଼ାବାସୀ ତାଙ୍କୁ ପ୍ରତ୍ୟାଖାନ କରିବେ।
ବାତ୍ୟା ମୋନ୍ଥା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ
ବାତ୍ୟା ମୋନ୍ଥା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ। ବୈଠକରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋନଚା କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି-ଆସନ୍ତାକାଲିଠାରୁ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଦିଆଯାଇଛି ନିର୍ଦ୍ଦେଶ। ୭୨ ଘଣ୍ଟା ଭିତରେ ଆସିବ ରିପୋର୍ଟ। ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ କର୍ମଚାରୀଙ୍କୁ ଅଣାଯିବ। ବହୁଜାଗାରେ ଘର କାନ୍ଥ ପଡିଛି। ସେମାନଙ୍କୁ ପଲିଥିନ ଦିଆଯାଇଛି | ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତିପୂରଣ ଦିଆଯିବ | ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନମ୍ବର ମାଗିବେ ଅଧିକାରୀ | ଅନଲାଇନରେ ତୁରନ୍ତ ଦିଆଯିବ କ୍ଷତିପୂରଣ। ମହାପ୍ରଭୁଙ୍କ ଆଶୀର୍ବାଦରେ ବାତ୍ୟାରୁ ରକ୍ଷା ପାଇଲେ ରାଜ୍ୟବାସୀ ।
ଆଇଏମଡି ଆକଳନ ଅନୁସାରେ ସୂଚନା ଆଗୁଆ ମିଳୁଥିଲା। କାକିନାଡ଼ାରେ ବାତ୍ୟା ଲ୍ୟାଣ୍ଡଫଲ ନ କରି ଦିଗ ପରିବର୍ତ୍ତନ କଲା। ଓଡ଼ିଶାର ସୀମା ଛୁଇଁ ଅନ୍ୟ ଅଞ୍ଚଳକୁ ଚାଲିଗଲା ମୋନ୍ଥା। ଓଡ଼ିଶା ସରକାର ଆଗୁଆ ପ୍ରସ୍ତୁତି କରିଥିଲେ। ସତର୍କ ନଜର ରଖିବା ଲାଗି ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଥିଲା। ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନପୁଟ ସବସିଡି। ବାତ୍ୟାବେଳେ ୨, ୧୮୯ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୬୧ ଟି ଟିମ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଥିଲେ | 2164 ଟି ବାତ୍ୟା ଆଶ୍ରୟ ସ୍ଥଳୀ ରେ 19 ହଜାର ଲୋକଙ୍କୁ ସ୍ଥାନାନ୍ତିର କରାଯାଇଥିଲା | 362 ଟି ଜାଗାରେ 18 ହଜାର 762 ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି |
ବାତ୍ୟା ମୋନ୍ଥା ପାଇଁ ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ ଘୁଞ୍ଚିଲା
ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ଫିଲଅପ୍ ତାରିଖ। ବାତ୍ୟା ମୋନ୍ଥା ପାଇଁ ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ ଘୁଞ୍ଚିଲା। ଅକ୍ଟୋବର ୨୮ରେ ଶେଷ ହେଉଥିଲା ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ। କିନ୍ତୁ ବାତ୍ୟା ପାଇଁ ଅନେକ କଲେଜରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିନାହାନ୍ତି। ଏନେଇ କଲେଜ ଗୁଡିକ ଠାରୁ ନିବେଦନ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଆସନ୍ତା ନଭେମ୍ବର ୩ ତାରିଖକୁ ଘୁଞ୍ଚିଛି ଯୁକ୍ତ ଦୁଇ ଫର୍ମ ଫିଲଅପ ତାରିଖ ।
BARCରେ ପ୍ରବେଶ ପାଇଁ ଯୋଜନା ପଣ୍ଡ ! ନକଲି ବୈଜ୍ଞାନିକ ହୋଇ ବିଦେଶକୁ ପଠାଇଥାନ୍ତେ ଗୁରୁତ୍ବପୂର୍ଣ୍ଣ ତଥ୍ୟ
ଦିଲ୍ଲୀ ପୋଲିସ ଏକ ଅନ୍ତରାଷ୍ଟ୍ରୀୟ ଜାସୁସୀ ନେଟଓ୍ବର୍କର ପର୍ଦ୍ଦାଫାସ କରିଛି । ପୋଲିସ ଆଦିଲ ହୁସୈନ ଓ ଅଖତର ହୁସୈନଙ୍କୁ ଗିରଫ କରିଛି । ସେମାନେ BARCର ନକଲି ବୈଜ୍ଞାନିକ ହୋଇ ବୁଲୁଥୁଲେ । ସେମାନେ ଫର୍ଜି ପରିଚୟ ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରି ବିଦେଶ ଏଜେନ୍ସିଙ୍କୁ ପଠାଇବାକୁ ଷଡ଼ଯନ୍ତ୍ର ରଚିଥିଲେ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏହି ଜାସୁସୀ ନେଟଓ୍ବର୍କର ଖୁଲାସା କରିଛି । ଅଭିଯୁକ୍ତ ଆଦିଲ ଓ ତା’ ଭାଇ ଅଖତର ନିଜକୁ ମୁମ୍ବାଇ ସ୍ଥିତ ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ରର (BARC)ର ବୈଜ୍ଞାନିକ କହୁଥିଲେ । ଇରାନର ପରମାଣୁ ଏଜେନ୍ସି ଓ ଆଇଏସଆଇ ପର୍ଯ୍ୟନ୍ତ ସେମାନଙ୍କର ନେଟଓ୍ବର୍କ ରହିଥିଲା ।
ସେମାନଙ୍କ ପାଖରୁ ନକଲି ପାସପୋର୍ଟ, ନକଲି ପରିଚୟପତ୍ର ଓ ବହୁ ସମ୍ବେଦନଶୀଳ ଡକ୍ୟୁମେଣ୍ଟ ଜବତ କରାଯାଇଛି । ସେମାନେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରର ୩ ଫର୍ଜି ଆଇଡି କାର୍ଡ ତିଆରି କରିଥିଲେ । ସେହି ଆଇଡି ମାଧ୍ୟମରେ ସେମାନେ ସେଣ୍ଟରକୁ ପ୍ରବେଶ କରିବାକୁ ଯୋଜନା କରୁଥିଲେ । ମାତ୍ର ତା’ ପୂର୍ବରୁ ସେମାନଙ୍କୁ ପୋଲିସ ଗିରଫ କରିଛି । ସୂତ୍ର ମୁତାବକ, ଅଭିଯୁକ୍ତମାନେ ଭାବା ସେଣ୍ଟରର ଲୋକ ଓ ଅନ୍ୟ ଅଧିକାରୀଙ୍କ ଡକ୍ୟୁମେଣ୍ଟର ନକଲ କପି ପ୍ରସ୍ତୁତ କରୁଥିଲେ । ନିଜକୁ ସେମାନେ ବୈଜ୍ଞାନିକ ଭାବେ ପ୍ରମାଣିତ କରିବାକୁ ଲାଗି ପଡ଼ିଥିଲେ । ଏହି ମାମଲା ଦେଶର ସୁରକ୍ଷା ସହ ଜଡ଼ିତ ଗମ୍ଭୀର ଜାସୁସୀ ନେଟଓ୍ବର୍କ ହୋଇପାରେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ପୋଲିସ ଏସଆଇ ନିଯୁକ୍ତି ମହାକେଳେଙ୍କାରୀ ଘଟଣା: ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ପୋଲିସ ଏସଆଇ ନିଯୁକ୍ତି ମହାକେଳେଙ୍କାରୀ ଘଟଣା। ଜାଲିଆତି ମାମଲାରେ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ। ୫୦ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। ତେବେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ୯ ଦଲାଲଙ୍କୁ ମିଳିନି ଜାମିନ। ଜାମିନ ମିଳିବା ପରେ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିବେ ପରୀକ୍ଷାର୍ଥୀ। ନିଯୁକ୍ତି କେଳେଙ୍କାରୀ ଘଟଣାରେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୩ ଦଲାଲଙ୍କୁ ଗିରଫ କରିଥିଲା ପୋଲିସ। ଭୁବନେଶ୍ଵରରୁ ୩ଟି ବସ ଯୋଗେ ବିଜୟୱାଡା ଯିବାବେଳେ ଶ୍ରୀକାକୁଲମରୁ ଧରିଥିଲା ବ୍ରହ୍ମପୁର ପୋଲିସ। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ।
ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ପୂର୍ବରୁ କରିଥିବାବେଳେ ଏବେ ଏହି ମାମଲାର ତଦନ୍ତ ସିବିଆଇ କରିବ। ମାମଲାରେ ଏଯାଏଁ ଗିରଫ ହୋଇଛନ୍ତି ୧୨୩ ଜଣ। ୧୧୪ ଆଶାୟୀ ଓ ୯ ଦଲାଲ ଗିରଫ ହୋଇଛନ୍ତି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ହାଇକୋର୍ଟରେ ଖାରଜ ହୋଇଛି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ପତ୍ନୀ ଦିପ୍ତିମୟୀ ସାହୁଙ୍କ ଆଗୁଆ ଜାମିନ ଆବେଦନ। ଏଭଳି ସଙ୍ଗୀନ ମାମଲାରେ ଆଗୁଆ ଜାମିନ ଦେବାକୁ ମନା କରିଥିଲେ ହାଇକୋର୍ଟ। ପୋଲିସ ଏସଆଇ ଚାକିରି ଲାଗି କୋଟି କୋଟି ଟଙ୍କାର ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଉଛି। ପ୍ରତି ଆଶାୟୀ ପରୀକ୍ଷାଙ୍କ ପିଛା ୨୫ ଲକ୍ଷ ନେବାକୁ ହୋଇଥିଲା ଡିଲ। ପ୍ରତି ଆଶାୟୀ ୧୦ ଲକ୍ଷ ଲେଖାଏଁ ଅଗ୍ରୀମ ଦେଇଥିଲେ। ସେମାନଙ୍କୁ ପରୀକ୍ଷା ପୂର୍ବରୁ ଉତ୍ତର ପୁସ୍ତିକା ସହ ଅଭ୍ଯାସ କରିବାକୁ ଆନ୍ଧ୍ରପ୍ରଦେଶ ନିଆଯାଉଥିଲା।
ବାତ୍ୟା ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା: ବିଲରେ ଲହଡି ଭାଙ୍ଗୁଛି ବର୍ଷା ପାଣି, ଚିନ୍ତାରେ ଚାଷୀ
ବାତ୍ୟା ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା । ଏହି ବର୍ଷା ଏବେ କାମାକ୍ଷାନଗର ଅଞ୍ଚଳର ଚାଷୀଙ୍କ ପାଇଁ କାଳ ସାଜିଛି । ବର୍ଷସାରା ବାରହା, ହାତୀ ତଥା ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବରେ ଚାଷୀମାନେ କ୍ଷତି ସହୁଥିଲେ । ଏବେ ପ୍ରବଳ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । କାମାକ୍ଷାନଗର ବ୍ଲକ କଂଗେଇଲ ଗାଁରେ ଏକର ଏକର ଧାନ ଫସଲ ବର୍ଷା ଯୋଗୁଁ ଶୋଇ ପଡ଼ିଥିବା ବେଳେ ବିଲରେ ଲହରୀ ଭାଙ୍ଗୁଛି ବର୍ଷା ପାଣି l
ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ୨ ବର୍ଷ ୭ମାସର କୁନି ଝିଅ
ପ୍ରତିଭା ପ୍ରସ୍ଫୁଟିତ ହେବାପାଇଁ କୌଣସି ବାଧା କେବେ ଅଟକାଇ ପାରେ ନାହିଁ କିମ୍ବା ବୟସ ଏଥିରେ ବାଧକ ସାଜିପାରେ ନାହିଁ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୨ ବର୍ଷ ୭ମାସର କୁନି ଝିଅ । ପୁରୀ ଚକରତୀର୍ଥ ରୋଡ ନୂଆସାହିର ଶିବପ୍ରସାଦ ଦାସ ଓ ମନସ୍ମିତା ମହାନ୍ତିଙ୍କ ଝିଅ ସମନ୍ୱିତା ଦାସ । ଏବେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସମନ୍ୱିତା ୮୫ଟି ଇଂରାଜୀ ବିପରୀତ ଶବ୍ଦ, ଭାରତର ରାଜ୍ୟର ରାଜଧାନୀ ନାମ, ଭାରତର ୯ଟି ପଡୋଶୀ ଦେଶର ନାମ, ୭ଟି ମହାଦେଶ, ୫ଟି ମହାସାଗର, ୮ଟି ଗ୍ରହ, ଭାରତର ଜାତୀୟ ସଙ୍ଗୀତ, ୨୦ଟି ଜାତୀୟ ସଂକେତ, ଭାରତର ବିଭିନ୍ନ ରାଜ୍ୟର ନୃତ୍ୟର ନାମ ପରି ବହୁତ କିଛି ମନେ ରଖି ଅନର୍ଗଳ କହି ପାରୁଛନ୍ତି । ଝିଅର ଏମିତି ପ୍ରତିଭା ଦେଖି ବାପା ଶିବପ୍ରସାଦ ଦାସ ଗତ ସେପ୍ଟେମ୍ବର ମାସ ୩ ତାରିଖରେ ଅନଲାଇନ ଜରିଆରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ନିଜ ଝିଅର ଦକ୍ଷତାକୁ ନେଇ ୨୦ଟି ଭିଡିଓ ଅପଲୋଡ଼ କରି ଆବେଦନ କରିଥିଲେ ।
ଏହି ସମୟରେ ବଛାଯାଇଥିବା ୧୨୦ଟି ସାଧାରଣ ଜ୍ଞାନ, ମଣିଷ ଶରୀରର ୩୨ଟି ଅଙ୍ଗ , ଆଠଟି ଗ୍ରହ, ରାଜ୍ୟ ରାଜଧାନୀ ନାମ, ଜିଲ୍ଲାର ନାମ ସହ, ୨ମିନିଟ ରୁ କମ ସମୟରେ ୮୫ ଟି ଇଂରାଜୀର ବିପରୀତ ଶବ୍ଦ, ଇଂରାଜୀକୁ ନାମ ସହିତ ଋତୁ, ବର୍ଷ, ମାସ, ସପ୍ତାହ, ମହାଦେଶ, ମହାସାଗର ଆଦି ପ୍ରଶ୍ନର ସଠିକ ଉତ୍ତର ରଖିଥିବାରୁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ମନୋନୀତ କରାଯାଇଥିଲା । ପରେ ତାଙ୍କ ଘର ଠିକଣାରେ ଇଣ୍ଡିଆ ବୁକ ଅଫ ରେକର୍ଡର ମାନପତ୍ର, ପରିଚୟ ପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା ।
EPF ବକେୟା ପାଇଁ ସାହାରା ଇଣ୍ଡିଆକୁ ସମ୍ପତି ଜବତ ନୋଟିସ ଦେଲା EPFO
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ସାହାରା ଇଣ୍ଡିଆ ଗ୍ରୁପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି । କମ୍ପାନୀ ଦ୍ବାରା ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଜମା କରାଯାଇଥିବା ୧୧୮୦ କୋଟି ଟଙ୍କା ଭବିଷ୍ୟ ନିଧି (ପିଏଫ) ଓ ପେନସନ ବକେୟା ବିରୋଧରେ ଇପିଏଫଓ ସାହାରାର ସମ୍ପତି ଜବତ କରିବାକୁ ନୋଟିସ ଜାରି କରିଛି । ସାହାରାରେ ଦୀର୍ଘ ସମୟ ଧରି ଆର୍ଥିକ ଅନିୟମିତତା ମଧ୍ୟରେ ଏହି ଖବର ସାମ୍ନାକୁ ଆସିଛି । ଏଜେଣ୍ଟମାନଙ୍କୁ କର୍ମଚାରୀ ଭାବେ ଗ୍ରହଣ କରି ସେମାନଙ୍କର ପିଏଫ ଯୋଗଦାନ ବାଧ୍ୟତାମୂଳକ କରାଯାଇଛି । ଯଦି ବାକି ଅର୍ଥ ଠିକ୍ ସମୟରେ ଜମା କରାନଯାଏ, ତେବେ ଇପିଏଫଓ ଆଇନ ଅନୁଯାୟୀ ଜବତ ଓ ସୁଧ ସହିତ ଦଣ୍ଡ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ।
ଇପିଏଫଓର ଲକ୍ଷ୍ନୌ କ୍ଷେତ୍ରୀୟ କାର୍ଯ୍ୟାଳୟ ସାହାରା ଇଣ୍ଡିଆକୁ ନୋଟସ ଜାରି କରି ନିର୍ଦ୍ଦେଶ ଦେଇଛି ଯେ, ୧୫ ଦିନ ଭିତରେ ୧୧୮୦ କୋଟି ଟଙ୍କା ଜମା କରନ୍ତୁ । ଏଜେଣ୍ଟମାନେ ବାସ୍ତବରେ କମ୍ପାନୀର କର୍ମଚାରୀ ଥିଲେ, ଯେଉଁମାନଙ୍କ ପାଇଁ ପିଏଫ ଯୋଗଦାନ ବାଧ୍ୟତାମୂଳକ ଥିଲା ବୋଲି ଇପିଏଫଓ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ଯଦି ବିଳମ୍ବ ହୁଏ, ତେବେ ଧାରା ୮ବି ରୁ ୮ଜି ଅଧୀନରେ ବିନା ଅତିରିକ୍ତ ନୋଟିସରେ ବକେୟା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ । ସେଥିରେ ସୁଧ ଓ ଜରିମାନାକୁ ସାମିଲ କରାଯିବ । ମୋଟ ବକେୟା ସୁଧ ସହିତ ୩୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ପାରେ ବୋଲି ଅନୁମାନ କରାଯାଉଛି । ୨୦୧୩ ମସିହାରୁ ଜାରି ରହିଥିବା ଯାଞ୍ଚ ପରେ ସାହାରା ଇଣ୍ଡିଆ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ସଂଖ୍ୟା ୧୪କୁ ବୃଦ୍ଧି
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୪ ଭଡ଼ାଟିଆ ସାର୍ପସୁଟର୍ଙ୍କୁ ନିଜ ଘରେ ଆଶ୍ରୟ ଦେବା ଅଭିଯୋଗରେ ଅଳକାପୁରୀ ଅଞ୍ଚଳର ଶୂନ୍ୟଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସେହିଭଳି ଘଟଣାରେ ଆଉ ଜଣଙ୍କୁ ଅଟକ ରଖ୍ ପୋଲିସ ଜେରା କରୁଥିବା ଜଣାପଡ଼ିଛି। ବ୍ରହ୍ମପୁର ଅଳକାପୁରୀ ସ୍ଥିତ ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ଆଶ୍ରୟ ଦିଆଯାଇଥିଲା। ଗିରଫ କର୍ପୋରେଟର ମଳୟ ବିଶୋୟୀଙ୍କ ଅନୁରୋଧ ରକ୍ଷା କରି ଶୂନ୍ୟ ଦାସ ୪ଜଣ ଅପରିଚିତ ବ୍ୟକ୍ତିଙ୍କୁ ଅଜାଣତରେ ନିଜ ଘରେ ଆଶ୍ରୟ ଦେଇଥିବା ନେଇ ଏସପି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ସେପଟେ ଗିରଫ ପୂର୍ବତନ ମେୟର ପିଣ୍ଡୁ ଦାଶଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ବ୍ରହ୍ମପୁରରୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯିବ। ତେବେ ଫୁଲବାଣୀ ସ୍ଥାନାନ୍ତର ବେଳେ ଖୋଦ୍ ସୁରକ୍ଷା କର୍ମୀଙ୍କଠାରୁ ପିଣ୍ଡୁଙ୍କ ଜୀବନ ପ୍ରତି ବିପଦ ଥୂବା ଆଶଙ୍କା କରିଛନ୍ତି ପିଣ୍ଡୁଙ୍କ ପତ୍ନୀ ଆଶାଲତା ଦାଶ । ଯାହାର ଶୁଣାଣି କରି କୋର୍ଟ ପିଣ୍ଡୁଙ୍କୁ କଡା ସୁରକ୍ଷାବଳୟ ମଧ୍ୟରେ ସ୍ଥାନାନ୍ତର ସୁରକ୍ଷିତ ଫୁଲବାଣୀ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

