spot_img
Home Blog Page 2727

ପ୍ରଥମ ଓଡିଆ ବୈଜ୍ଞାନିକ ପାଇବେ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩ ସମ୍ମାନ

ଭୁବନେଶ୍ବର: ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷି ଏବଂ ଖାଦ୍ୟ ଉତ୍ପାଦନରେ ଅବଦାନ ପାଇଁ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩ ପାଇଁ ମନୋନୀତ ହୋଇଛନ୍ତି ସ୍ବାତୀ ନାୟକ । ସ୍ବାତୀଙ୍କ ଅବଦାନ ବିଶ୍ବର ଯୁବ ବୈଜ୍ଞାନିକଙ୍କୁ ପ୍ରେରଣା ଦେବ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓ୍ବାର୍ଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ ପକ୍ଷରୁ ଏହି ସମ୍ମାନ ଘୋଷଣା କରାଯାଇଛି ।

ଏହି ସମ୍ମାନ ବିଶ୍ବର ସବୁଠାରୁ ମର୍ଯ୍ୟାଦା ସମ୍ପନ୍ନ ସମ୍ମାନ । କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪୦ ବର୍ଷ ବୟସ ତଳେ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଦିଆଯାଏ । ସ୍ବାତୀ ନାୟକ ଏବେ ମନିଲା ସ୍ଥିତ ଇଣ୍ଟରନ୍ୟାସନାଲ ରାଇସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ କାର୍ଯ୍ୟରତ ଅଛନ୍ତି । ଏହି ସମ୍ମାନ ପାଇଁ ମନୋନିତ ହେବା ପରେ ସ୍ବାତୀ ଗର୍ବିତ ହେବା ସହ କୃଷି ଓ କୃଷକଙ୍କ ଜୀବନର ମାନର ବିକାଶ କରିବାରେ କାର୍ଯ୍ୟରତ ଲୋକଙ୍କୁ ଉତ୍ସର୍ଗୀକୃତ କରିଛନ୍ତି ।

ଆମେରିକାରେ ଅକ୍ଟୋବର ୨୨ରୁ ୨୮ ମଧ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି ସମ୍ମାନ ଗ୍ରହଣ କରିବେ । ସ୍ବାତୀ ଏବେ ସ୍ବାମୀ ପ୍ରିୟଦର୍ଶୀ ବଳଙ୍କ ସହ ନୂଆଦିଲ୍ଲୀରେ ରହୁଛନ୍ତି  । ତାଙ୍କ ବାପା ଲକ୍ଷ୍ମୀଧର ନାୟକ ଓ ମା ବିଜୟଲକ୍ଷ୍ମୀ ନାୟକ ଭୁବନେଶ୍ବରରେ ରହୁଛନ୍ତି ।

ନୂଆଁଖାଇରେ ଉପହାର ଦେଲେ ନବୀନ, ୪୫ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଉପକୃତ

ଭୁବନେଶ୍ବର: ନୂଆଁଖାଇ ପାଇଁ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ ଉପହାର । ୨୦୨୩ ରବି ଫସଲ ପାଇଁ କୃଷକଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହାୟତା ପାଇଁ ୯୦୦ କୋଟି ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ଏହାଦ୍ବାରା ୪୫ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ଉପକୃତ ହୋଇଛନ୍ତି ।

ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି।

ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି। ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି।

ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ। ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ ବୋଲି ସେ ଚାହାନ୍ତି। ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆ ଯାଇଛି।

ସେ ପୁଣି କହିଲେ ଯେ ଚାଷୀ ପରିବାର ର ପିଲାମାନେ doctor, engineer ହୋଇ, ଭଲ ଭଲ profession ରେ ଯୋଗ ଦିଅନ୍ତୁ ବୋଲି ସେ ଚାହାନ୍ତି। ଏହାଦ୍ବାରା ସେମାନେ ନିଜ ପରିବାର ପାଇଁ, ସାରା ରାଜ୍ୟ ପାଇଁ ସୁନାମ ଆଣି ପାରିବେ ବୋଲି ମୁଖ୍ୟ ମନ୍ତ୍ରୀ କହୁଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲା ମାନଙ୍କୁ ରାଜ୍ୟ ସରକାର କାଳିଆ scholarship ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଫସଲ ବୀମା ର premium ଦେଉଛନ୍ତି। ଏ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ବୀମା ପାଇଁ ପଞ୍ଜିକରଣ କରି ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୃଷି ପାଇଁ ରାଜ୍ୟ ସରକାର ବହୁତ୍ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚାଷୀ ମାନେ ଏହାର ସୁଯୋଗ ନେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧା ସଳଖ ସହାୟତା ଦିଆଯାଉଛି। ଏହା ଦ୍ବାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ।

ଏହା ସହିତ ଭୂମି ହୀନ ଚାଷୀ ମାନଙ୍କୁ ବିଭିନ୍ନ ଜୀବିକା ପାଇଁ ଯଥା ଛେଳି, କୁକୁଡ଼ା, ବତକ ପାଳନ, ମହୁ ଚାଷ, ଛତୁ ଚାଷ ଆଦି ପାଇଁ ମଧ୍ଯ ଏହି ସହାୟତା ଦିଆଯାଉଛି।

ଏହି ଅବସରରେ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ ମୁଖ୍ୟ ମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ରାଜ୍ୟରେ ଅନେକ କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି। ସେଥି ମଧ୍ୟରୁ କାଳିଆ ଯୋଜନା ସ୍ବତନ୍ତ୍ର। ଏହା ଯୋଗୁ ଚାଷୀ ମାନେ ଆଉ ବେସରକାରୀ ଅର୍ଥ ଲଗାଣ କାରି ସଂସ୍ଥା କିମ୍ବା ଗାଁ ସାହୁକାର ଉପରେ ନିର୍ଭର କରୁ ନାହାନ୍ତି। ନିଜ ଉପରେ ଚାଷୀ ମାନଙ୍କ ଆସ୍ଥା ବଢ଼ିଛି। ଗତ ଚାରି ବର୍ଷରେ ରାଜ୍ୟରେ କ୍ରମାଗତ ଭାବେ ରେକର୍ଡ ଉତ୍ପାଦନ ହେଉଛି ବୋଲି ସେ କହିଥିଲେ।

ରାଜ୍ୟ ସରକାର କିଛି ବର୍ଷ ହେବ gender budgeting କରୁଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଯୋଜନାର ଅତି କମରେ ୩୦-୩୫ ପ୍ରତିଶତ ଅର୍ଥ ମହିଳା ମାନଙ୍କ ପାଇଁ ଖର୍ଚ୍ଚ ହେଉଛି।

ଏହି ଅବସରରେ କେତେକ କାଳିଆ ହିତାଧିକାରୀ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଢେଙ୍କାନାଳ IGIT ସରାଙ୍ଗରେ ପଢୁଥିବା ଛାତ୍ରୀ ରାଣୀ ସାହୁ କହିଲେ ଯେ କାଳିଆ ଛାତ୍ର ବୃତ୍ତି ଯୋଗୁ ସେ ଆଜି engineering ପଢ଼ି ପାରୁଛନ୍ତି। ନ ହେଲେ ହୁଏତ ତାଙ୍କ ସ୍ବପ୍ନ ପୁରଣ ହୋଇ ପାରି ନ ଥାନ୍ତା। ତାଙ୍କ ବାପାଙ୍କୁ କରଜ କରିବାକୁ ପଡ଼ି ଥାନ୍ତା। ତେଣୁ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ସେହିପରି ବଲାଙ୍ଗୀରର ଚାଷୀ ବିନୋଦ ପ୍ରଧାନ, ନବରଙ୍ଗପୁରର ଲଛମା ଭତରା ଓ ବାଲେଶ୍ଵରର ଚାଷୀ ଗିରିଧାରୀ ଗିରି ପ୍ରମୁଖ କାଳିଆ ସହାୟତା ପାଇଁ ସେମାନଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ। କାଳିଆ ଯୋଗୁ ସେମାନଙ୍କୁ ଋଣ କରିବାକୁ ପଡୁ ନାହିଁ। ସେମାନେ ସମସ୍ତେ ଈଶ୍ବରଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ( 5T) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉନ୍ନୟନ କମିଶନର ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରେ ଅଧିକାରୀ ଓ ହିତାଧିକାରୀ ମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ କଲ୍ୟାଣ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରଥିଲେ।

୬୮ହଜାର ଭୂମିହୀନ ଚାଷୀଙ୍କୁ ମିଳିଛି ଜୀବିକା ସହାୟତା । ଗତ ଏପ୍ରିଲ ଏକ ତାରିଖରେ ଉତ୍କଳ ଦିବସରେ ଚାଷୀଙ୍କୁ ଖରିଫ ଚାଷ ପାଇଁ କାଳିଆ ସହୟତା ପ୍ରଦାନ କରାଯାଇଥିଲା । ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କଖାତାକୁ ୮୭୭ କୋଟି ପ୍ରଦାନ କରାଯାଇଥିଲା । ଚାଷୀଙ୍କୁ ସହଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋକସ୍ କରିଛନ୍ତି । ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ମଜଭୁତ କରିବା ପାଇଁ ‘କାଳିଆ’ ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି । ବର୍ଷକୁ ଦୁଇଟି କିସ୍ତରେ ୨ ହଜାର ଟଙ୍କା ଲେଖାଏ ଦିଆଯାଉଛି ।

ଲୋକସଭାରେ ପାସ୍‌ ହୋଇଛି ନାରୀ ଶକ୍ତି ବନ୍ଦନ ବିଧେୟକ, ସପକ୍ଷରେ ୪୫୪ ଖଣ୍ଡ ଭୋଟ

ନୂଆଦିଲ୍ଲୀ: ଲୋକସଭାରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) । ବିଲ୍ ସପକ୍ଷରେ ୪୫୪ଖଣ୍ଡ ଭୋଟ୍ ପଡିଥିବା ବେଳେ
ବିଲ୍ ବିରୋଧରେ ପଡ଼ିଛି ମାତ୍ର ୨ଟି ଭୋଟ୍ । ଏହା ପୂର୍ବରୁ ବିଲ୍ ନେଇ ଲୋକସଭାରେ ଭରପୂର ଆଲୋଚନା ହୋଇଥିଲା। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମେତ ଅଧିକାଂଶ ଦଳର ସାଂସଦ ବିଲକୁ ସମର୍ଥନ କରିଥିଲେ । ଓବିସି, ଏସସି, ଏସଟି ବର୍ଗର ମହିଳାଙ୍କୁ ଏଥିରେ ସାମିଲ କରିବା ଲାଗି ସୋନିଆ ଦାବି କରିଥିଲେ।

ରାହୁଲ ଗାନ୍ଧୀ ବିଲକୁ ସମର୍ଥନ କରିଥିଲେ । ତେବେ ୯୦ ଜଣ ସଚିବଙ୍କ ମଧ୍ୟରୁ ମାତ୍ର ୩ଜଣ ଓବିସି ବର୍ଗର ରହିଥିବା କହି କଟାକ୍ଷ କରିଥିଲେ। ସେପଟେ ମହିଳା ବିଲ୍ ଲାଗି ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଥିଲେ ବିଜେଡି ସାଂସଦ।

କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ବିଧେୟକ ବିଷୟରେ ଆଲୋଚନା କରି ମହିଳାଙ୍କ ପ୍ରଗତି ପାଇଁ ବିଲ୍‌ ଆଗତ କରାଯାଇଥିବା କହିଥିଲେ  । ବିଲ୍‌ ପାସ୍‌ ହେବା ପରେ ସିଟ୍‌ରେ ଅଂଶୀଦାର ବଢିବ  । ମହିଳାଙ୍କୁ ସମାନତା ମିଳିବ  । ସେପଟେ ଲୋକସଭାରେ ପ୍ରଥମେ ଆଲୋଚନାରେ ଭାଗ ନେଇ ସୋନିଆ କହିଛନ୍ତି- ତାଙ୍କ ଜୀବନ ସାଥୀ ରାଜୀବ ଗାନ୍ଧୀ ପ୍ରଥମେ ସମ୍ବିଧାନ ସଂଶୋଧନ କରିଥିଲେ । ବିଲ ଲାଗୁ କରିବାରେ ଡେରି କରିବା ମହିଳାଙ୍କ ପ୍ରତି ଅନ୍ୟାୟ ହେବ । ୧୩ ବର୍ଷ ତଳୁ ମହିଳାମାନେ ଏହି ବିଲ ପାଇଁ ଅପେକ୍ଷା କରିଛନ୍ତି ।

ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା, କୋରାପୁଟରେ ସର୍ବାଧିକ ୧୬୮ ମିଲିମିଟର ରେକର୍ଡ

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ନିର୍ଧୁମ କାଚିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ବର୍ଷାର ପରିମାଣ କମିବ । କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ସେପ୍ଟେମ୍ବର ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୪୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ସେପଟେ ପ୍ରବଳ ବର୍ଷା ସତ୍ତ୍ବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ୧୨୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । ତଳିଆ ଅଞ୍ଚଳରେ ସୃଷ୍ଟିହେବ ଜଳମଗ୍ନ ପରିସ୍ଥିତି । ଆକସ୍ମିକ ବନ୍ୟା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଝାଡଖଣ୍ଡ ମୁହାଁ ହେବ । ପ୍ରଭାବରେ ଆହୁରି ଦୁଇଦିନ ନିର୍ଧୁମ କାଚିବ ।

ବୁଧବାର ପାଇଁ ପୁରା ଓଡ଼ିଶାକୁ ସତର୍କତା ଜାରି କରାଯାଇଥିବା ବେଳେ ଗୁରବାର ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲା ନୂଆପଡା, ବରଗଡ, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଲଘୁଚାପର ପ୍ରଭାବ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପଡିବ । ଫଳରେ ନଦୀ ଗୁଡିକ ପୁଣି ଫୁଲିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । ମହାନଦୀରେ ମୁଣ୍ଡଳି ଠାରେ ୩ ଲକ୍ଷ ୭୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ଜଳ ସ୍ତର ଖସିବାରେ ଲାଗିଛି । ହୀରାକୁଦ ସ୍ଥିତି ସ୍ବାଭାବିକ ଅଛି । ହୀରାକୁଦ ଜଳଭଣ୍ଡାରରେ ୬୨୮ ଫୁଟ ପାଣି ଅଛି । ଜଳଭଣ୍ଡାରରେ ଆହୁରି ପାଣି ରହିବାର କ୍ଷମତା ଅଛି । ଫଳରେ ଆଜି ସମସ୍ତ ଗେଟ ବନ୍ଦ କରି ଦିଆଯାଇଛି । ଆସନ୍ତାକାଲି ଉପରମୁଣ୍ଡରେ ଆଉ ତଳମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ସେପ୍ଟେମ୍ବର ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୪୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୧୬୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ନନ୍ଦପୁରରେ ୧୩୭ ଏବଂ କଳାହାଣ୍ଡିର ନର୍ଲାରେ ୯୬ ମିଲିମିଟର ବର୍ଷା ରେକର୍ଡ ରେକର୍ଡ ହୋଇଛି ।

ନୂଆପଡାରେ ଉନ୍ନତ ହେବ ସ୍ବାସ୍ଥ୍ୟସେବା, ଖୁବଶୀଘ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିବ ଡାଏଲସିସ ମେସିନ

ନୂଆପଡା: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୁଦୃଢ଼ ହେଉଛି ନୂଆପଡା ଜିଲ୍ଲା। ଚିକିତ୍ସା କ୍ଷେତ୍ରରେ ପୁର୍ବରୁ ଥିବା ସମସ୍ୟା ଏବେ ଦୂର ହେବାରେ ଲାଗିଛି। ରାଜ୍ୟ ସରକାର ଜିଲ୍ଲା ପାଇଁ ୨୨ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ଫଳରେ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ଓ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ସହ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ରୋଗୀ ଚିକିତ୍ସାରେ ଉନ୍ନତି ହୋଇପାରଛି  । ସହଜ ଏବଂ ସୁବିଧାରେ ଚିକିତ୍ସା ପାଇ ପାରୁଛନ୍ତି ରୋଗୀ ।

ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ପାଇଁ ରାଜ୍ୟ ସରକାର ଲୋକଙ୍କ ସ୍ବାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି। ଜିଲ୍ଲାରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ଭିତ୍ତି ଭୂମିକୁ ସୁଦୃଢ କରାଯାଉଛି। ନୂଆପଡା ଜିଲ୍ଲାରେ କିଡନୀ ରୋଗରେ ଲୋକେ ଅଧିକ ଆକ୍ରାନ୍ତ ହେଉଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ୬ଟି ଡାଇଲେଶିସ ମେସିନ ରହିଥିବା ବେଳେ ଆହୁରି ୨ ଗୋଟି ଡାଇଲେଶିସ ମେସିନ ଶହ ଗୋଟିଏ ସିଟିସ୍କାନ ଓ ଖଡିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ୪ଟି ଡ଼ାଇଲେଶିସ ମେସିନ ବସାଇବା ପାଇଁ ପ୍ରସ୍ତୁତି ଚାଲିଛି  ।

 

ମାଆ ସାମ୍ନାରେ ନାଗାବଳୀରେ ଭାସିଗଲା ପୁଅ, ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ

ରାୟଗଡା: ମାଆ ସାମ୍ନାରେ ନଦୀରେ ଭାସିଗଲା ପୁଅ । ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନାଗାବଳୀ ନଦୀରେ ବୁଡ଼ି ଜଣେ ନିଖୋଜ । ରାୟଗଡ଼ା ସହର ଉପକଣ୍ଠ ଝୁଲା ପୋଲରେ ଘଟିଛି ଅଘଟଣ। ପୋଲ ତଳେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଏହି ଘଟଣା ଘଟିଛି। ନିଖୋଜ ଯୁବକ ହେଲେ ମାଙ୍କଡଝୋଲା ବସ୍ତିର ଶ୍ରୀନିବାସ ଅଶୋକ କୁମାର।

ଅପରାହ୍ନ ପ୍ରାୟ ୩ ଟା ସମୟରେ ଏହି ଘଟଣା ଘଟିଛି। ଆଜି ଅପରାହ୍ନରେ ଅଶୋକ ନିଜ ମା’ଙ୍କୁ ଧରି ନାଗାବଳୀ ନଦୀରେ ଗଣେଶ ମୂର୍ତି ବିସର୍ଜନ ପାଇଁ ଆସିଥିଲେ। ଝୁଲା ପୋଲ ନିକଟରେ ଥିବା କଂକ୍ରିଟ ପୋଲ ଠାରେ ମା ଠିଆ ହୋଇଥିବା ବେଳେ ଅଶୋକ ନଦୀକୁ ଯାଇ ମୂର୍ତ୍ତି ବିସର୍ଜନ କରୁଥିଲେ। ତେବେ ପ୍ରବଳ ବର୍ଷାରେ ନଦୀ କୂଳରେ ମାଟି ଖସଡ଼ା ହୋଇଥିବାରୁ ସେ ଖସି ପଡିଥିଲେ। ଏହା ଦେଖି ତାଙ୍କ ମା ପାଟି କରିଥିଲେ।

ପାଟି ଶୁଣି କିଛି ଯୁବକ ପହଞ୍ଚି ତୁରନ୍ତ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ। ଖବରପାଇ ଦମକଳବାହିନୀ ପହଞ୍ଚି ନଦୀ ଭିତରେ ଖୋଜାଖୋଜି କରିଥିଲେ। ତେବେ ଏଯାଏଁ ଅଶୋକଙ୍କ ପତ୍ତା ମିଳିନାହିଁ।

ଚନ୍ଦ୍ରଯାନ-୩: ଶିବ ଶକ୍ତି ପଏଣ୍ଟରେ ହେଉଛି ସକାଳ, ସ୍ଲିପ ମୋଡରୁ ଉଠିପାରିବେ କି ବିକ୍ରମ-ପ୍ରଜ୍ଞାନ?

ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁଠାରୁ ୬୦୦ କିମି. ଦୂରରେ ଅବସ୍ଥିତ ଶିବ ଶକ୍ତି ପଏଣ୍ଟରେ ସକାଳ ହେବାକୁ ଯାଉଛି। ଏହି ସୌର ରଶ୍ମି ଯୋଗୁଁ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠକୁ ଆଲୋକିତ କରିବ । ତେବେ ଏହି ସକାଳକୁ ନେଇ ଭାରତ ମନରେ ଭରି ରହିଛି ଅନେକ ଆଶା। ଶୁକ୍ରବାର ଦିନ ଚନ୍ଦ୍ରପୃଷ୍ଠ ସମ୍ପୂର୍ଣ୍ଣ ଆଲୋକିତ ହେବାକୁ ଥିବା ବେଳେ ସୂର୍ଯ୍ୟକିରଣ ପ୍ରଭାବରେ ସ୍ଲିପ ମୋଡରୁ ବିକ୍ରମ ଓ ପ୍ରଜ୍ଞାନ ଉଠିବେ ବୋଲି ଆଶା କରାଯାଉଛି।

ଯଦିଓ ବିକ୍ରମ ଲାଣ୍ଡରର ରିସିଭର୍ ଅନ୍ ଅଛି କିନ୍ତୁ ତାର ସବୁ ଯନ୍ତ୍ରାଂଶ ବନ୍ଦ ରହିଛି । ପ୍ରଜ୍ଞାନ୍ ରୋଭରର ମଧ୍ୟ ସମାନ ଅବସ୍ଥା । ସେପ୍ଟେମ୍ବର ୨୨ରେ  ISRO ପକ୍ଷରୁ ପୁନର୍ବାର ବିକ୍ରମ ଲାଣ୍ଡର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବ । ସେତେବେଳକୁ ଲ୍ୟାଣ୍ଡର ଭିତରେ ଥିବା ବ୍ୟାଟେରୀ ଚାର୍ଜ ହୋଇସାରିଥିବ।

ବିକ୍ରମ ଲାଣ୍ଡରଙ୍କୁ ସେପ୍ଟେମ୍ବର ୪ ତାରିଖରେ ସ୍ଲିପ ମୋଡ କରିଦିଆଯାଇଥିଲା । ପରେ ଏହାର ସମସ୍ତ ପେଲୋଡ୍ସକୁ ବନ୍ଦ କରାଯାଇଥିଲା ବେଳେ କେବଳ ରିସିଭର୍ ଅନ୍ ଥିଲା । ସେ ସମୟରେ ବେଙ୍ଗାଲୁରୁ ସ୍ଥିତ ISTRAC ଦ୍ୱାରା ସମସ୍ତ ତଥ୍ୟ ସଂଗ୍ରହ କରିନିଆଯାଇଥିଲା ।

ଚନ୍ଦ୍ରପୃଷ୍ଠ ଆଲୋକିତ ହେବା ପରେ କ’ଣ ହେବ?

ଲ୍ୟାଣ୍ଡର ଏବଂ ରୋଭରରେ ସୋଲାର ପ୍ୟାନେଲ ଲାଗିଛି । ଯେପର୍ଯ୍ୟନ୍ତ ସେମାନେ ସୂର୍ଯ୍ୟ କିରଣ ପାଇବେ ସେଯାଏଁ ବ୍ୟାଟେରୀ ଚାର୍ଜ ହୋଇ ରହିବ । ତେବେ ସୂର୍ଯ୍ୟ ଉଦୟ ହେବା ପରେ ଦୁହେଁ ପୁନର୍ବାର ସକ୍ରିୟ ହେବା ନେଇ ଆଶା ରଖିଛନ୍ତି ଇସ୍ରୋ ବୈଜ୍ଞାନିକ। | କିନ୍ତୁ ମାଇନସ୍ ୨୫୦ ଡିଗ୍ରୀ ତଳେ ଥିବା ତାପମାତ୍ରା ରହିବା ପରେ ବିକ୍ରମ ଓ ପ୍ରଜ୍ଞାନ ପୁଣିଥରେ ସକ୍ରିୟ ହେବା ଏତେଟା ସହଜ ହେବ ନାହିଁ ।

ନିଦରୁ ଉଠିବା ପରେ ପୁଣି ଚନ୍ଦ୍ରପୃଷ୍ଠରୁ ନୂଆ କିଛି ତଥ୍ୟ ଆସିବା ନେଇ ଆଶା କରାଯାଉଛି। ଏହା ସହ ପୁନର୍ବାର ଚନ୍ଦ୍ରପୃଷ୍ଠର ରହସ୍ୟ ଭେଦିବାରେ ସ୍ପେସ୍ ଏଜେନ୍ସି ଇସ୍ରୋକୁ ଅଧିକ ସୁଯୋଗ ମିଳିବ ବୋଲି ବୈଜ୍ଞାନିକ ମାନେ ଆଶାବାଦୀ ରହିଛନ୍ତି।

ଆଜିଠୁ ବାଲେଶ୍ବର ଭଦ୍ରକ ମଧ୍ୟରେ ଗଡିଲା ବ୍ୟାଟେରୀ ଚାଳିତ ଶୀତତାପ ନିୟନ୍ତ୍ରିତ ବସ

ବାଲେଶ୍ବର: ଗଡ଼ିଲା ବ୍ୟାଟେରୀ ଚାଳିତ ବସ୍‌ । ଆଜି ଠାରୁ ବାଲେଶ୍ବର-ଭଦ୍ରକ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ତରଫରୁ ବାଲେଶ୍ବର ଜିଲ୍ଲାରେ ପ୍ରଥମ ଥର ବ୍ୟାଟେରୀ ଚାଳିତ ଶୀତତାପ ନିୟନ୍ତ୍ରିତ ବସ ଚାଲିଛି । ବିଧାୟକ ସ୍ବରୂପ ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ଜିଲ୍ଲାପାଳ ପତାକା ଦେଖାଇ ବସ୍‌ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ବସ୍‌ କ୍ଷୀରଚୋରା ମନ୍ଦିର ଠାରୁ ଚାନ୍ଦିପୁର ରୁଟ୍‌ରେ ଯିବା ଆସିବା କରିବ ।

ପରବର୍ତ୍ତୀ ସମୟରେ ଅନ୍ୟ ୪ଟି ବସ୍‌କୁ ମଧ୍ୟ ବିଭିନ୍ନ ରୁଟ୍‌ରେ ଘରୋଇ ସଂସ୍ଥା ଦ୍ବାରା ପରିଚାଳନା କରାଯିବ ବୋଲି ସ୍ଥିର ହୋଇଛି । ଏହି ବସ୍‌ ଶୀତତାପ ନିୟନ୍ତ୍ରିତ ଥିବାବେଳେ କମ୍‌ ଟିକେଟ୍‌ ଖର୍ଚ୍ଚରେ ଯାତ୍ରୀମାନେ ଏହି ସେବା ପାଇପାରିବେ ବୋଲି କୁହାଯାଇଛି । 5T କାର୍ଯ୍ୟକ୍ରମ ମାଧ୍ୟରେ ବାଲେଶ୍ବର-ଭଦ୍ରକ ଜିଲ୍ଲା ମଧ୍ୟରେ ଏହି ସେବା ଆରମ୍ଭ କରାଯିବାକୁ ଟ୍ରଷ୍ଟ ତରଫରୁ ଯୋଜନା କରାଯାଇଛି  ।

ମୋଦିଙ୍କୁ ଭେଟିଲେ ଜୟଶଙ୍କର, କାନାଡା ବିରୋଧରେ ହୋଇପାରେ…

ନୂଆଦିଲ୍ଲୀ: ଭାରତ ଉପରେ କାନାଡା ଗମ୍ଭୀର ଅଭିଯୋଗ ଲଗାଇବାର ୨୪ ଘଣ୍ଟା ପରେ ଆଜି ଦିଲ୍ଲୀରେ ହେଭିୱେଟ ଏକାଠି ହୋଇଛନ୍ତି। ସଂସଦ ଭବନରେ ବୈଦେଶିକ ମନ୍ତ୍ରୀ ଏସ. ଜୟ ଶଙ୍କର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ହୋଇଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ, ଦୁହିଁଙ୍କ ମଧ୍ୟରେ କାନାଡା ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା । ତେବେ ଏହି ମାମଲାରେ ଭାରତ ସରକାରଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ସେନେଇ ଚର୍ଚ୍ଚା ଜୋର୍ ଧରିଛି ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରର ହତ୍ଯା ଘଟଣାରେ ଭାରତର ସମ୍ପୃକ୍ତି ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ବୟାନ ଦେବା ପରେ ଭାରତ ଓ କାନାଡା ମଧ୍ଯରେ ସମ୍ପର୍କ ତିକ୍ତ ହେଉଥିଲା। ଯାହାକୁ ଦୃଢତାର ସହ ପ୍ରତ୍ୟାଖ୍ୟାନ କରିଥିଲା ଭାରତ। ତେବେ ଏହି ତିକ୍ତତା ମଧ୍ୟରେ କାନାଡା ପକ୍ଷରୁ ନିଜ ଦେଶର ଲୋକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରାଯାଇଛି । ଦେଶବ୍ଯାପୀ ଆତଙ୍କବାଦୀ ଆକ୍ରମଣ  ଆଶଙ୍କା ଥିବାରୁ ଏଥିପ୍ରତି ସମ୍ପୂର୍ଣ୍ଣ ସଜାଗ ରହିବା ଲାଗି ପରାମର୍ଶ ଦିଆଯାଇଛି । ବିନା କାରଣରେ ଯାତ୍ରା ନ କରିବାକୁ କୁହାଯାଇଛି । ଏହା ସହ ଆତଙ୍କବାଦ ଘଟଣାବହୁଳ ଜାମ୍ମୁ ଓ କାଶ୍ମୀର ଓ ଲଦାଖକୁ ନ ଯିବା ଲାଗି ବି ଆଡଭାଇଜରୀରେ ଦର୍ଶାଯାଇଛି ।

ଗତ 19 ତାରିଖରେ କାନାଡା ସରକାର ସେଠାରେ ଅବସ୍ଥାପିତ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ଓ୍ବିଙ୍ଗର ମୁଖ୍ଯ ପବନ କୁମାର ରାଏଙ୍କୁ ବହିଷ୍କାର କରିଥିଲେ ।  ଯାହାର ଜବାବରେ ଯେସାକୁ ତେସା ନୀତି ଆପଣାଇ ଭାରତ ପକ୍ଷରୁ ଦେଶରେ ଅବସ୍ଥାପିତ କାନାଡାର ବରିଷ୍ଠ କୂଟନୀତିଜ୍ଞ ଓଲିଭର ସିଲଭେଷ୍ଟରଙ୍କୁ ବହିଷ୍କାର କରାଯାଇଥିଲା।

ତେବେ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ NSA ଅଜିତ ଡୋଭାଲଙ୍କ ଭେଟଘାଟକୁ ନେଇ ଭିନ୍ନଭିନ୍ନ ଆକଳନ କରାଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ ଦେଶର ଅନ୍ତରୀଣ ସୁରକ୍ଷା ପ୍ରସଙ୍ଗକୁ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା କରାଯାଇଛି । ନିକଟରେ କାଶ୍ମୀରର ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟରରେ ଖଲିସ୍ତାନ କନେକ୍ସନ ଥିବା ଜଣାପଡିଥିଲା । ଯାହାର ଯାଞ୍ଚ ଏନଆଇଏ କରୁଛି ।

 

ICC ODI Rankingରେ ସିରାଜ ରାଜ୍; ବନିଲେ ବିଶ୍ୱର ନଂ1 ବୋଲର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତତମ ବୋଲର ମହମ୍ମଦ ସିରାଜ ଏସିଆ କପ୍ ଫାଇନାଲରେ ଧମାକାଦାର ପ୍ରଦର୍ଶନ କରିଥିଲେ। ନିଜର ଦମଦାର୍ ବୋଲିଂ ବଳରେ ଶ୍ରୀଲଙ୍କାର ବ୍ୟାଟ୍ସ ମାନଙ୍କ ଧୂଆଁ ବାହାର କରିଦେଇଥିଲେ । କେବଳ  ଗୋଟିଏ  ଓଭରରେ ହିଁ ୪ ୱିକେଟ୍ ହାତେଇଥିବା ସିରାଜ ଏବେ ବନିଯାଇଛନ୍ତି ଆଇସିସିର ଦିନିକିଆ ରାଙ୍କିଂରେ ନଂ ୧ । ସେହିପରି ଟପ୍ ୧୦ ରାଙ୍କିଂରେ ସ୍ଥାନ ବନାଇପାରିଛନ୍ତି ଭାରତୀୟ ସ୍ପିନର କୁଳଦୀପ ଯାଦବ ।

ଆଇସିସି ପକ୍ଷରୁ ଜାରି ହୋଇଥିବା ଦିନିକିଆ ବୋଲିଂ ରାଙ୍କିଂରେ ମହମ୍ମଦ ସିରାଜ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି । ୨ୟ ସ୍ଥାନରେ ରହିଛନ୍ତି କାବିଜ ଅଷ୍ଟ୍ରେଲିଆର ଜୋସ ହେଜଲଉଡ ରହିଛନ୍ତି । ହେଜଲଉଡ ୬୭୮ ଅଙ୍କ ପାଇଥିବା ବେଳେ ୬୯୪ ଅଙ୍କ ସହ ନଂ1 ବନିଯାଇଛନ୍ତି ସିରାଜ । ସେହିପରି ହେଜଲଉଡଙ୍କ ଠାରୁ ୧ ଅଙ୍କ ପଛରେ ରହି ତୃତୀୟ ସ୍ଥାନ ହାସଲ କରିଛନ୍ତି ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ।

୪ର୍ଥ ସ୍ଥାନରେ ଆଫଗାନିସ୍ତାନର ସ୍ପିନର ମୁଜିବ ଉର ରହମାନ ରହିଥିବା ବେଳେ ୫ମ ସ୍ଥାନରେ ରହିଛନ୍ତି ରସିଦ ଖାନ୍ । ୯ମ ସ୍ଥାନ ଭାରତୀୟ ସ୍ପିନର କୁଳଦୀପ ଯାଦବ ହାସିଲ କରିଥିବାବେଳେ ୧୦ ସ୍ଥାନରେ ପାକିସ୍ତାନର ଶାହିନ ଶାହ ଅଫରିଦି ରହିଛନ୍ତି ।

ବିଶେଷ କରି ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ମିଆଁ ମ୍ୟାଜିକ ଦେଖିବାକୁ ମିଳିଥିଲା। ସେ ୨୧ ରନ ଦେଇ ୬ ୱିକେଟ ଦଖଲ କରିବାରୁ ଶ୍ରୀଲଙ୍କା ୫୦ ରନରେ ଅଲଆଉଟ ହୋଇ ଯାଇଥିଲା। ତେବେ ଏସିଆ କପରେ ସିରାଜ ମୋଟ୍ ୧୦ ୱିକେଟ୍ ହାତେଇଥିଲେ ।