spot_img
Home Blog Page 2730

ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ପୋଲିସକୁ ବଡ ସଫଳତା

ଅନୁଗୁଳ: ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ପୋଲିସକୁ ବଡ ସଫଳତା । ମାସେ ଭିତରେ ୧୦ରୁ ଅଧିକ ଲୁଟ ଘଟଣାରେ ସଂପୃକ୍ତ ଥିବା ଆଉ ପୁଲିସର ନିଦ ହଜେଇ ଦେଇଥିବା ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ଅନୁଗୁଳ ପୁଲିସ । ଯେଉଁମାନଙ୍କ ଟାର୍ଗେଟରେ ଅଧିକାଂଶ ସମୟରେ ରହୁଥିଲେ ଫାଇନାନ୍ସ କର୍ମଚାରୀ । ପାର୍ବଣ ପାଇଁ ଆକ୍ଟିଭ୍ ଅନୁଗୁଳ ପୋଲିସ । ସହର ସହ ଉପଖଣ୍ଡ ଅଞ୍ଚଳରେ ରାତିଦିନ ମାରୁଛି ପଇଁତରା । ପୂରୂଣା ଅପରାଧୀଙ୍କ ଉପରେ ରହିଛି ତୀକ୍ଷ୍ଣ ନଜର । ମାସେ ଭିତରେ ୧୦ଟି ଲୁଟ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ। ଏହି ଲୁଟେରାଙ୍କ ଟାର୍ଗେଟରେ ଥିଲେ ଫାଇନାନ୍ସ ସଂସ୍ଥାର କର୍ମଚାରୀ ।

କିଛି ଦିନ ତଳେ ଗ୍ରାହକ ସେବା କେନ୍ଦ୍ରର ମାଲିକ ଓ ମେଡ଼ିସିନ ହୋଲସେଲରଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଲୁଟ କରିଥିଲେ ଅଭିଯୁକ୍ତ । ଲଗାତାର ଜିଲ୍ଲାରେ ଏଭଳି ଲୁଟ ଅଭିଯୋଗ ପୁଲିସର ଚିନ୍ତା ବଢ଼ାଇ ଦେଇଥିଲା । ଏଥିପାଇଁ ଦକ୍ଷ ଅଫିସରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ କରା ଯାଇଥିଲା । ତଦନ୍ତ ପରେ ମାମାଲରେ ସମ୍ପୃକ୍ତ ୮ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ଅଭିଯୁକ୍ତଙ୍କ ଠାରୁ ୬ ଟି ମୋଟରସାଇକେଲ , ୪୩ ହଜାର ଟଙ୍କା , ମୋବାଇଲ , ଭୁଜାଲି ଓ ପଞ୍ଚ ଭଳି ଅସ୍ତ୍ର ଜବତ ହୋଇଛି । ଫାଇନାନ୍ସ କର୍ମଚାରୀ ମାନେ କେଉଁଦିନ କେଉଁ ବାଟ ଦେଇ ଯିବେ ତାହାର ଟିକ ନିଖ ଖବର ରଖୁଥିଲେ ଲୁଟେରା । ପରେ ନିଛାଟିଆ ରାସ୍ତା ଦେଖି ଲୁଟତରାଜ କରୁଥିଲେ  । ମାରଣାସ୍ତ୍ରରେ ଆକ୍ରମଣ କରି ସବୁ ଟଙ୍କା , ସୁନା ଛଡାଇ ନେଉଥିଲେ । ଧରାପଡିଯିବା ଭୟରେ ଲୁଟ ହୋଇଥିବା ମୋବାଇଲ ଓ ଟ୍ୟାବ ସବୁ ନଦୀ ନାଳରେ ଫୋପାଡି ଦେଉଥିଲେ ଅଭିଯୁକ୍ତ ।

ବାତ୍ୟା ମୁକାବିଲା ପାଇଁ ଓଡ଼ିଶାର ସ୍ବତନ୍ତ୍ର ପ୍ଲାନ୍

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ସାମର୍ଥ୍ୟ ହାସଲ କରିଥିବା ଓଡ଼ିଶା, ବାତ୍ୟା ମୁକାବିଲା ପାଇଁ ଆଉ ଏକ କୌଶଳ ଆପଣାଇବାକୁ ଯାଉଛି । ଉପକୂଳ ଅଞ୍ଚଳରେ ବାତ୍ୟାର ପ୍ରକୋପ ରୋକିବାକୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ରେଜିଲିଆଣ୍ଟ ସାଲାଇନ୍ ଏମ୍ବାକମେଣ୍ଟ ପ୍ରୋଜେକ୍ଟ । ଏଥିରେ ବ୍ୟାପକ ଭାବେ ଲୁଣାବନ୍ଧ ନିର୍ମାଣ କରାଯିବ । ଯାହା ସମୁଦ୍ର ଜୁଆରକୁ ପ୍ରତିରୋଧ କରିବା ସହ ବାତ୍ୟା ପରବର୍ତ୍ତୀ ବନ୍ୟା ଦାଉରୁ ଗାଁଗୁଡ଼ିକୁ ରକ୍ଷା କରିବ ।

ନିର୍ମାଣ ହେବ ବହୁ ଲୁଣାବନ୍ଧ । ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବ କାମ । ପୁରୁଣା ଲୁଣାବନ୍ଧକୁ ସୁଦୃଢ଼ କରାଯିବ । ଏହାର ଟେଣ୍ଡର ସରିଛି । ବର୍ଷାଋତୁ ପରେ ନଭେମ୍ବର ମାସରୁ ଲୁଣାବନ୍ଧ ନିର୍ମାଣ ଆରମ୍ଭ ହେବ । ୨୦୦ କିଲୋମିଟର ଲୁଣାବନ୍ଧକୁ ସୁଦୃଢ଼ କରାଯିବ । ସମୁଦ୍ର କୂଳରୁ ୧୦ରୁ ୧୨ କିଲୋମିଟର ମଧ୍ୟରେ ନିର୍ମାଣ କରାଯିବ ଲୁଣାବନ୍ଧ । ଏଥିପାଇଁ ଜଳସମ୍ପଦ ବିଭାଗ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବ । ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ରେଜିଲିଆଣ୍ଟ ସାଲାଇନ୍ ଏମ୍ବାକମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଲୁଣାବନ୍ଧ ନିର୍ମାଣ ଓ ସୁଦୃଢ଼ୀକରଣ ପାଇଁ ୩୬ଟି କ୍ଷେତ୍ରରେ କାମ ହେବ । ଏହି ଯୋଜନା ସାରିବାକୁ ପାଞ୍ଚ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି । ତେବେ ଧାର୍ଯ୍ୟ ସମୟ ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖିଛି ଜଳସମ୍ପଦ ବିଭାଗ । ଲୁଣାବନ୍ଧ ଦ୍ବାରା ବାତ୍ୟା ପ୍ରତିରୋଧ ସହ ଗାଁକୁ ସମୁଦ୍ର ଜୁଆର ପ୍ରବେଶ କରିପାରିବ ନାହିଁ ।

୧୯୯୯ ମହାବାତ୍ୟା ସମୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସେତେଟା ବ୍ୟବସ୍ଥା ନଥିଲା । ହେଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବିଭିନ୍ନ କୌଶଳ ପ୍ରସ୍ତୁତ କରୁଛନ୍ତି । ଗୋପାଳପୁରଠାରୁ ପାରାଦୀପ ଯାଏ ଲୁଣାବନ୍ଧ ଆବଶ୍ୟକ । ଲୁଣାବନ୍ଧର ଉଚ୍ଚତା ଅତି କମରେ ୧୫ ଫୁଟ୍‌ ରହିବ । କାରଣ ଓଡ଼ିଶାରେ ବାତ୍ୟା ସମୟରେ ସମୁଦ୍ର ଜୁଆର ୬ରୁ ୯ ମିଟର ବା ତା’ଠାରୁ ଅଧିକ ଉଚ୍ଚ ରହିଥାଏ । ଲୁଣାପାଣି ଗାଁ ଓ ବିଲରେ ମାଡ଼ି ଫସଲ ଓ ଜନଜୀବନକୁ ପ୍ରଭାବିତ କରେ । ଏପରିକି ଭୂତଳ ଜଳରେ ବି ଲୁଣାପାଣି ମିଶିଯାଏ । ଏଭଳି ସ୍ଥିତିରେ ଲୁଣାବନ୍ଧ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଧନ ଓ ଜୀବନକୁ ବାତ୍ୟା ଦାଉରୁ ରକ୍ଷା କରିବାରେ ସହାୟକ ହେବ ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ୍‌ ମଡେଲ୍‌ ପାଲଟିଛି । କିଛିଦିନ ତଳେ ବଜ୍ରାଘାତରୁ ରକ୍ଷା ପାଇଁ ବ୍ୟାପକ ଭାବେ ତାଳଗଛ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ବିନା ସହଯୋଗରେ ପ୍ରକୃତିର ତାଣ୍ଡବରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ଏକାକୀ ଠିଆ ହୋଇ ସଫଳତା ହାସଲ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ନବୀନଙ୍କ ପାଇଁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ୩ ଜଣଙ୍କ ମୃତ୍ୟୁ

କଳାହାଣ୍ଡି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ୩ ମୃତ, ୬ ଜଣ ଗୁରୁତର ମେଡିକାଲରେ ଭର୍ତ୍ତି । ବାପାପୁଅ ଓ ପୁତୁରା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ନୂଆଁଖାଇ ପୂର୍ବରୁ ଆଜି ଏହି ଦୁଃଖଦ ଘଟଣା ଘଟିଛି । ହସଖୁସିରେ ପରିବାର ସହ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ରାସ୍ତାରେ ଯେମିତି କାଳ ଜଗି ବସିଥିଲା । ଅଟୋ -ଟ୍ରକ୍ ମୁହାଁମୁହିଁ ଧକ୍କାରେ ପରିବାର ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଥୁଆମୁଳ- ରାମପୁର ଥାନା ଅନ୍ତର୍ଗତ କାଠକୁରା ଗାଁର ପଦୁସର ନାଏକ ତାଙ୍କ ପରିବାର ଲୋକଙ୍କ ସହ ଧର୍ମଗଡ଼ ଥାନା ଛିଲପା ଗାଁରେ ଥିବା ସମ୍ପର୍କୀୟଙ୍କ ଘରକୁ ଏକ ଅଟୋରେ ଯାଉଥିଲେ । ଜୁନାଗଡ଼ ଥାନା ଅନ୍ତର୍ଗତ ଦାସୀଗାଁ ନିକଟ ବୁଲାଣିରେ ଅଟୋକୁ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ଅଟୋଟି ଓଲଟି ପଡ଼ିଥିବା ବେଳେ ପଦୁସର ନାଏକ, ପୁଅ କୃଷ୍ଣ ନାଏକ ଓ ପୁତୁରା ଅମୃତସର ନାଏକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ୬ ଜଣ ଆହତଙ୍କୁ ଓଡ୍ରାଫ ଓ ପୋଲିସ କର୍ମଚାରୀ ଉଦ୍ଧାର କରି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ନବୀନଙ୍କ ଉଦ୍ୟମକୁ ମୋହର ମାରିବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର

ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲ୍, ନବୀନ ହିରୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ଯୁକ୍ତିକୁ ସମ୍ମାନ ଦେଲେ କେନ୍ଦ୍ର ସରକାର । ଆଗରୁ ୪ ଥର ମହିଳା ସଂରକ୍ଷଣ ବିଲ୍ ସଂସଦରେ ଆସିଥିଲା ସତ, କିନ୍ତୁ କେନ୍ଦ୍ରର ଆନ୍ତରିକତା ଅଭାବରୁ ସଂସଦରେ ପାରିତ ହୋଇପାରିନଥିଲା । ୨୦୧୮ରୁ ବିଧାନସଭାରେ ସଂକଳ୍ପ ପାରିତ କରାଇ ଜାତୀୟ ସ୍ତରରେ ସବୁ ଦଳର ସହମତି ଆଣିବାରେ ନବୀନ ସାଜିଥିଲେ ପ୍ରଥମ ପୁରୋଧା । ଖାଲି ସେତିକି ନୁହେଁ, ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ପାଇଁ ଏକ ତୃତୀୟାଂଶ ପ୍ରାର୍ଥୀ ଦେଇ ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଥିଲେ ନୂଆ ଇତିହାସ ।

ମହିଳାଙ୍କୁ ହକ ଦେବ ମହିଳା ସଂରକ୍ଷଣ ବିଲ୍ । ଚାମ୍ପିୟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଉଦ୍ୟମକୁ ମୋହର ମାରିବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ରହିବ ଏକ ତୃତୀୟାଂଶ ଆସନ ସଂରକ୍ଷଣ । ବିଲ୍ ପାଇଁ ହେବ ସମ୍ବିଧାନ ସଂଶୋଧନ । ଯାହାର ବିନ୍ଧାଣି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୯୬, ୧୯୯୮, ୧୯୯୯ ଓ ୨୦୧୦ରେ ସଂସଦରେ ଆସିଥିଲା ମହିଳା ସଂରକ୍ଷଣ ବିଲ୍ । କିନ୍ତୁ ଆନ୍ତରିକତା ଅଭାବରୁ କେତେବେଳେ ଲୋକସଭା ତ କେତେବେଳେ ରାଜ୍ୟସଭାରେ ବିଲ୍ର ଭାଗ୍ୟ ନାଲିଫିତା ତଳେ ଚାପି ହୋଇ ରହିଗଲା।

ହେଲେ ମହିଳାଙ୍କୁ ହକ୍ ଦେବା ପାଇଁ ନବୀନଙ୍କ ହୃଦୟ କିନ୍ତୁ ବୁଝୁନଥିଲା । କେନ୍ଦ୍ରାପଡାରେ ଏକ ମିଶନଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଘୋଷଣା କଲେ ମହିଳାଙ୍କୁ ୨୦୧୯ ନିର୍ବାଚନରେ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ବ ପାଇଁ ବିଜେଡି ୩୩ ପ୍ରତିଶତ ପ୍ରାର୍ଥୀ ଦେବ। ଏହାପରେ ୨୦୧୮ରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାରେ ପାରିତ କରାଇଲେ ସଂକଳ୍ପ । ଖାଲି ସେତିକି ନୁହେଁ, ଜାତୀୟ ସ୍ତରରେ ସହମତି ପାଇଁ ୨୨ଟି ରାଜନୈତିକ ଦଳର ମୁଖ୍ୟଙ୍କ ସହଯୋଗ ଲୋଡିଥିଲେ। ଏତିକିରେ ଚୁପ ବସିଲେନି ନବୀନ । ଲଗାତର କେନ୍ଦ୍ର ଆଗରେ ଦାବି କରିବା ସହ ସଂସଦର ପ୍ରତି ଅଧିବେଶନରେ ବିଜେଡି ସାଂସଦମାନେ ଜୋରଦାର ଦାବି କରିଆସୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଲଗାତାର ସଂଗ୍ରାମର ଫଳ ଏବେ ଦେଶର ମହିଳାଙ୍କ ପାଇଁ ଲେଖିବ ଗୌରବ ନୂଆ ଇତିହାସ ।

ତୃଣମୂଳ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ବ ପାଇଁ ୧୯୯୨ରେ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରି ଦେଶରେ ନୂଆ ଇତିହାସ ସୃଷ୍ଟି କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ନବୀନ ଆଉ ପାଦେ ଆଗେଇ ୨୦୧୧ ଓ ୨୦୧୨ରେ ପଞ୍ଚାୟତ ଓ ପୌର ପରିଷଦରେ ମହିଳାଙ୍କ ପାଇଁ ସଂରକ୍ଷଣ ହାର ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ମହିଳା ସଶକ୍ତିକରଣରେ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ବିରୋଧୀ ବି ପ୍ରଶଂସା କରିବାକୁ ବାଧ୍ୟ ହୋଇଛନ୍ତି ।

ମହିଳାମାନେ ଗଣତନ୍ତ୍ରର ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର ପାଇବାକୁ ଯାଉଛନ୍ତି। ଦେଶର ସମ୍ବିଧାନରେ ମହିଳା ସଶକ୍ତିକରଣର ନୂଆ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖା ହେବ । ଯାହା ନବୀନଙ୍କ ବଳିଷ୍ଠ ଉଦ୍ୟମ ଯୋଗୁଁ ସମ୍ଭବ ହେବାକୁ ଯାଉଛି ।

ପ୍ରକୃତ ଦରମା ଠାରୁ ଦୁଇଗୁଣାରୁ ଅଧିକ ଦର୍ଶାଇ ସାଲାରୀ ସ୍ଲିପ ଦାଖଲ କରିଛି ଇଷ୍ଟର୍ଣ୍ଣ ମିଡିଆ

ଭୁବନେଶ୍ବର: ସମ୍ବାଦ ବ୍ୟାଙ୍କ ସ୍କାମର ଦ୍ବିତୀୟ ଦିନ ଜେରାରେ ମହା ଖୁଲାସା କଲା ଇଓଡବ୍ଲୁ । ସୁଚିନ୍ତିତ ଓ ସଂଗଠିତ ବ୍ୟାଙ୍କ ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ବର୍ଷ ବର୍ଷ ଧରି ଏହି ସ୍କାମ ଚାଲିଛି । ଜେରା ସମୟରେ ସମ୍ବାଦ ଭବନରୁ ମିଳିଛି ଅନେକ ସନ୍ଦେହଜନକ ଦସ୍ତାବିଜ । ଯୋଜନାବଦ୍ଧ ଭାବେ ଏହି ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ପକ୍ଷରୁ ଅପରାଧିକ ମନୋବୃଦ୍ଧି ନେଇ କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଠକାଯାଇଛି । ସୋମବାର ସମ୍ବାଦ କାର୍ଯ୍ୟାଳୟରେ ଇଓଡବ୍ଲୁ ଚଢାଉ କରି ପ୍ରାୟ ୭ ଘଣ୍ଟା ଧରି ତନାଘନା କରିଥିଲା ।

ଏଭିତରେ ସମ୍ବାଦ ସମ୍ପାଦକ ଓ ଏଚଆର ମୁଖ୍ୟଙ୍କ ବିରୋଧରେ ବହୁ ସାକ୍ଷୀଙ୍କୁ ଜେରା କରାଯାଇଛି । ସେମାନେ ନିଜ ଅଭିଯୋଗ ସମ୍ପର୍କିତ ସମସ୍ତ ପ୍ରମାଣ ଦାଖଲ କରିବା ସହ କିଭଳି କର୍ମଚାରୀଙ୍କୁ ଚାକିରି ଧମକ ଦେଇ ବେଆଇନ ଭାବେ ସେମାନଙ୍କ ନାଁରେ ଋଣ କରାଯାଇଥିଲା ସେ ସମ୍ପର୍କରେ ସବୁ ତଥ୍ୟ ରଖିଛନ୍ତି । ସମ୍ବାଦ ଭବନରୁ ଇଓଡବ୍ଲୁ ଏହି ବ୍ୟାଙ୍କ ସ୍କାମ ସମ୍ପର୍କିତ ଅନେକ ପ୍ରାମାଣଯୋଗ୍ୟ ଦସ୍ତାବେଜ ଜବତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ୩୫୦ରୁ ଅଧିକ ସମ୍ବାଦ ଓ ଇଷ୍ଟର୍ଣ୍ଣ ମିଡିଆ କର୍ମଚାରୀଙ୍କ ନାଁରେ ଋଣ ଉଠାଯାଇଛି । ଓଡିଶା ଗ୍ରାମ୍ୟ ବ୍ୟାଙ୍କର ନୟାପଲ୍ଲୀ ଶାଖାରୁ ଏହି ଋଣ ଉଠାଯାଇଛି । ଏସବିଆଇ ଓ ଅନାନ୍ୟ ବ୍ୟାଙ୍କରୁ ହୋଇଥିବା ବେଆଇନ ଋଣ ବାବଦରେ ଏଯାଏଁ ତଦନ୍ତ ଆରମ୍ଭ ହୋଇନି ।

ତେଣୁ ଠକେଇର ଶିକାର ହୋଇଥିବା କର୍ମଚାରୀଙ୍କ ସଂଖ୍ୟା ଓ ଠକେଇର ପରିମାଣ ଆଶାଠାରୁ ଢେର ଅଧିକ ବୋଲି ସନ୍ଦେହ ହେଉଛି । ପ୍ରାୟ ସବୁ କର୍ମଚାରୀଙ୍କୁ ସମାନ ଢଙ୍ଗରେ ଋଣଜାଲରେ ଛନ୍ଦିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ସବୁ କର୍ମଚାରୀଙ୍କ ନାଁରେ ୫ଲକ୍ଷ ଟଙ୍କାର ଋଣ କରାଯାଇଛି । ଘର ତିଆରି କିମ୍ବା ଘର ମରାମତି ନାଁରେ ଏହି ଋଣ ଉଠାଯାଇଛି । ଏଥିପାଇଁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ବ୍ୟାଙ୍କରେ କର୍ମଚାରୀଙ୍କ ଜାଲ ସାଲାରୀ ସ୍ଲିପ ଦାଖଲ କରିଛନ୍ତି । ପ୍ରକୃତ ଦରମା ଠାରୁ ଦୁଇଗୁଣା କିମ୍ବା ତାଠାରୁ ଅଧିକ ଦର୍ଶାଇ ସାଲାରୀ ସ୍ଲିପ ଦାଖଲ ହୋଇଛି । ସମ୍ବାଦ କର୍ମଚାରୀ କେବଳ ଋଣ ଆବେଦନପତ୍ରରେ ଦସ୍ତଖତ କରିଛନ୍ତି । ଋଣ ନେଇ କର୍ମଚାରୀଙ୍କ ବଦଳରେ ଅନ୍ୟକେହି ଆବେଦନପତ୍ର ପ୍ରସ୍ତୁତ କରିଛନ୍ତି ଓ ପୂରଣ କରିଛନ୍ତି ।

କୌଣସି କର୍ମଚାରୀ କିନ୍ତୁ ଋଣ ଅର୍ଥରୁ ଟଙ୍କାଟିଏ ବି ପାଇନାହାଁନ୍ତି । ଲୋନ ମିଳିବା ପରେ ସମ୍ପୁର୍ଣ୍ଣ ରାଶିକୁ ବ୍ୟାଙ୍କରୁ କ୍ୟାସରେ ୱିଡ୍ର କରାଯାଇଛି । ଦରମା ଯେତିକି  ସେତିକି ଅର୍ଥ ଋଣ ବାବଦରେ ମାସିକ ଇଏମଆଇ ଦାଖଲ କରୁଥିଲେ ସମ୍ବାଦ କର୍ମଚାରୀ । କିଛି କର୍ମଚାରୀଙ୍କୁ ଦୁଇରୁ ତିନି ଥର ଋଣ କରିବାକୁ ବାଧ୍ୟ କରାଯାଇଥିଲା । କୌଣସି କର୍ମଚାରୀଙ୍କୁ ମାସିକ ସାଲାରୀ ସ୍ଲିପ ଦିଆଯାଉନଥିଲା । କର୍ମଚାରୀଙ୍କ ପାଇଁ ଇଷ୍ଟର୍ଣ୍ଣ ମିଡିଆ ଋଣ ବାବଦ ଇଏମଆଇ ଦାଖଲ କରୁଥିଲା । ପ୍ରତ୍ୟେକଟି ଋଣ ୬୦ଟି ଇନଷ୍ଟାଲମେଣ୍ଟରେ ଶୁଝାଯାଉଥିଲା । ସମ୍ବାଦ ଛାଡିବା ପରେ ମଧ୍ୟ କର୍ମଚାରୀଙ୍କ ନାଁରେ ଉଠାଯାଇଥିବା ଋଣ ଉପରେ ସମ୍ବାଦ ଇଏମଆଇ ଦାଖଲ କରିଛି । ସମ୍ବାଦରେ ଏଭଳି ବ୍ୟାଙ୍କ ସ୍କାମ ବର୍ଷ ବର୍ଷ ଧରି ଚାଲୁଛି । ଏହା ଏକ ସୁଚିନ୍ତିତ ଓ ସଂଗଠିତ ବ୍ୟାଙ୍କ ସ୍କାମ ବୋଲି କହିଛି ଇଓଡବ୍ଲୁ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

EOWର ମହାଖୁଲାସା, ଘର ବା ଘର ମରାମତି ନାଁରେ ୫ ଲକ୍ଷ ଯାଏଁ ଋଣ ଉଠା ଯାଇଛି

ଭୁବନେଶ୍ବର: ଖୋଲୁଛି ସୌମ୍ୟଙ୍କ କଳା ସାମ୍ରାଜ୍ୟର ଗୁମର । ଲୋନ ସ୍କାମକୁ ନେଇ ଆସିଥିବା ଅଭିଯୋଗ ପାଇଁ ଦ୍ବିତୀୟ ଦିନରେ EOW ଜେରା କରିଥିବାବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ପ୍ରେସ ରିଲିଜ ଜରିଆରେ EOW ପକ୍ଷରୁ ବହୁ ତଥ୍ୟ ଦିଆଯାଇଛି । କୁହାଯାଇଛି କି, ପ୍ରାୟତଃ ଗୋଟିଏ ଶୈଳୀରେ ସବୁ ଲୋନ ଉଠାଯାଇଛି । ନୂଆ ଘର ବା ଘର ମରାମତି ନାଁରେ ୫ ଲକ୍ଷ ଯାଏଁ ଋଣ ଉଠାଯାଇଛି । ତେବେ ଏହି ଋଣ ଉଠାଣରେ ସମ୍ବାଦ/ EML ପକ୍ଷରୁ ନକଲି ସାଲାରି ସ୍ଲିପର ବ୍ୟବହାର କରାଯାଇଛି । ପ୍ରକୃତ ସାଲାରି ସ୍ଲିପ୍ ଓ ବ୍ୟାଙ୍କକୁ ଦିଆଯାଇଥିବା ସ୍ଲିପ ମଧ୍ୟରେ ଫରକ୍ ରହିଥିବା କୁହାଯାଇଛି । ତେବେ ଲୋନ୍ ଫର୍ମ ଅନ୍ୟ କାହା ଦ୍ବାରା ପ୍ରସ୍ତୁତ କରାଯାଇଥିବାବେଳେ ଫର୍ମରେ ଋଣ ଗ୍ରହିତା ନାମକୁ ମାତ୍ର ଦସ୍ତଖତ କରିଥିବା ଜଣାପଡ଼ିଛି । ପ୍ରକୃତ ଋଣ ଗ୍ରହିତା ଋଣ ଟଙ୍କାରୁ ଟଙ୍କାଟିଏ ମଧ୍ୟ ପାଇନାହାନ୍ତି । ଏଭଳି ଅନେକ ତଥ୍ୟ EOW ପକ୍ଷରୁ ପ୍ରେସ ରିଲିଜ ଜରିଆରେ ପ୍ରକାଶ କରାଯାଇଛି ।

ବ୍ୟାଙ୍କ ଲୋନ୍ ସ୍କାମରେ ଫସିବା ପରେ ଏବେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆସୁଛି ଗଦା ଗଦା ଅଭିଯୋଗ । ଅଭିଯୋଗକୁ ସାମ୍ନା କରିବାର ସତସାହସ ନ ଦେଖାଇ ଖେଳୁଛନ୍ତି ଭିକ୍ଟିମ୍ କାର୍ଡ । ନିଜ ଗଣମାଧ୍ୟମକୁ ଆଳ କରି ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଚାଲିଛି ଜୋରଦାର ପ୍ରୟାସ । ହେଲେ ଅନ୍ୟକୁ ବୁଦ୍ଧି ଦେଉଥିବା ସୌମ୍ୟ ପଟ୍ଟନାୟକ ଆଇନ ସମସ୍ତଙ୍କ ପାଇଁ ଗୋଟିଏ ବୋଲି ବୁଝୁନାହାନ୍ତି କାହିଁକି ? ଗଣମାଧ୍ୟମ ସଂସ୍ଥାର ମାଲିକ ହେଲେ କ’ଣ ସାତ ଖୁନ ମାଫ୍ ହୋଇଯାଏ ? ଗଣମାଧ୍ୟମ ସଂସ୍ଥା ପାଇଁ କ’ଣ ଆଇନର ଦିଗ ଅଲଗା ? ବ୍ୟାଙ୍କ ଋଣ ସ୍କାମର ଅଭିଯୋଗ ହୋଇଛି ଇଓଡବ୍ଲୁରେ । ନିଜ ସ୍ବାର୍ଥ ପାଇଁ କମର୍ଚାରୀଙ୍କ ଅଗୋଚରରେ ଡକୁମେଣ୍ଟ ଜାଲିଆତି କରିବା ଏବଂ ଏହାକୁ ସରକାରୀ ଭାବେ ବ୍ୟବହାର କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏହାକୁ ସୌମ୍ୟ କିମ୍ବା ତାଙ୍କ ସଂସ୍ଥାର କେହି ଖଣ୍ଡନ ନକରି ଶୁଖିଲା ସିମ୍ପାଥି ପାଇବା ପାଇଁ ମିଡ଼ିଆକୁ ଢାଲ କରିବା ଉଚିତ ନୁହେଁ ବୋଲି ବରିଷ୍ଠ ସାମ୍ବାଦିକ କହିଛନ୍ତି । ନିଜ ଦୋଷ ଲୁଚାଇବାକୁ ପୂରା ଗଣମାଧ୍ୟମ ସମାଜକୁ ବଦନାମ କରିବାର ଅଧିକାର ଦେଲା କିଏ ? ଏପରିକି ସୌମ୍ୟଙ୍କ ପାଇଁ ଓକିଲାତି କରୁଥିବା ସାମ୍ବାଦିକମାନେ ବି ପ୍ରକୃତ ସତ୍ୟକୁ ତର୍ଜମା କରିବା ଉଚିତ ବୋଲି ବରିଷ୍ଠ ସାମ୍ବାଦିକମାନେ କହିଛନ୍ତି ।

ଲୋକସଭାରେ ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ କ’ଣ?

ନନ୍ଦିଘୋଷ ବ୍ୟୁରୋ: ବିରୋଧୀ ହଟ୍ଟେଗାଳ ମଧ୍ୟରେ ଲୋକସଭାରେ ଆଗତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ଏହି ବିଲ ଉପସ୍ଥାପନ କରିବା ବେଳେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ କହିଛନ୍ତି କି, ଏହା ହେଉଛି ନାରୀଶକ୍ତି ବନ୍ଦନ ଅଧିନିୟମ ବିଲ୍ । ତେବେ ଏହି ବିଲ ଆଗତ ହେବା ପୂର୍ବରୁ ଅନେକ ବିବାଦମାନ ମଧ୍ୟ ଦେଖିବାକୁ ମିଳିଥିଲା ।

ଏହି ବିଲରେ କ’ଣ ଅଛି

ଏହି ବିଲ୍ ଉପସ୍ଥାପନ କରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ସମ୍ବିଧାନ ବିଧେୟକ ୨୦୨୩ ଏକ ଗୁରୁତ୍ବପୂର୍ଣ୍ଣ ବିଲ୍ । ଏହାଦ୍ବାରା ୩୩ ପ୍ରତିଶତ ମହିଳା ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ (ଏନସିଟି)ରେ ସଂରକ୍ଷଣ ପାଇବେ । ସେପଟେ ଧାରା ୩୩୦ A କୁ ସଂଶୋଧନ କରାଯାଇଛି । ଯାହାଦ୍ବାରା ବିଧାନସଭାରେ ମଧ୍ୟ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ଏହି ସଂରକ୍ଷଣ ୧୫ ବର୍ଷ ପାଇଁ ମହିଳାଙ୍କ ପାଇଁ ରହିବ । ଏହାଦ୍ବରା ବହୁ ମହିଳା ନେତା ହେବାର ସୁଯୋଗ ପାଇବେ । କିନ୍ତୁ ପୂର୍ବରୁ ଓଡ଼ିଶାରେ ବିଜେଡି ସରକାର ଏହା ଉପରେ ଧ୍ୟାନ ଦେବ ସହ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ।

ବଦଳିଲା ସଂସଦ ଭବନ । ବଦଳିବ କି ସାଂସଦଙ୍କ ଭାବ ଓ ଭାବନା ? ନୂଆ ସଂସଦର ପ୍ରଥମ ଦିନରେ ମହିଳା ସଂରକ୍ଷଣ ନେଇ ଆଲୋଚନା । ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ଆଇନରେ ପରିଣତ ହେଲେ ୨୦୨୯ରେ ମିଳିବ ଫାଇଦା । ନାରୀଶକ୍ତି ବନ୍ଦନ ଅଧିନିୟମ ଭାବେ ନାମିତ କଲେ ପିଏମ୍  । ଲୋକସଭାରେ ୧୮୧ ଜଣ ରହିବେ  ମହିଳା ସାଂସଦ । ବିଲ୍ରେ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇ ରହିବ । ଏହି ସଂରକ୍ଷଣ ୧୫ ବର୍ଷ ପାଇଁ ମହିଳାଙ୍କ ପାଇଁ ରହିବ । ପୁଣି ସଂରକ୍ଷଣ ପାଇଁ ଆଉ ଥରେ ନୂଆ କରି ବିଲ୍ ଆଣିବାକୁ ପଡ଼ିବ । ତେବେ ରାଜ୍ୟ ସଭା ଓ ଯେଉଁ ରାଜ୍ୟରେ ବିଧାନପରିଷଦ ରହିଛି, ସେଠାରେ ଏହି ସଂରକ୍ଷଣ ଲାଗୁ ହେବ ନାହିଁ । ନୂଆ ବିଧେୟକରେ ଗୋଟିଏ ବଡ଼ କଣ୍ଟା ରହିଛି । ଲୋକସଭାରେ ପରିସିମନ ପରେ ହିଁ ଏହି ବ୍ୟବସ୍ଥା ଲାଗୁ ହୋଇପାରିବ । ତେବେ ଜନଗଣନା ନହେଲା ପର୍ଯ୍ୟନ୍ତ ଲୋକସଭାରେ ପରିସିମନ ହୋଇପାରିବ ନାହିଁ । ୨୦୨୧ରେ ଜନଗଣନା ହେବାର ଥିଲେ ମଧ୍ୟ ହୋଇପାରିନଥିଲା । ତେଣୁ ୨୦୨୬ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ । ୨୦୨୯ ଲୋକସଭା ନିର୍ବାଚନ ବେଳକୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବ ବୋଲି ଆଶା କରାଯାଉଛି  ।

ମହିଳା ସଂରକ୍ଷଣ ବିଲ୍ ପୂର୍ବରୁ ମଧ୍ୟ ଅଣାଯାଇଥିଲା ବୋଲି କହି କଂଗ୍ରେସ କ୍ରେଡିଟ ନେବାକୁ ଚେଷ୍ଟା କରିଥିଲା  । ଯାହାକୁ ନେଇ ଗୃହରେ ପ୍ରବଳ ହଙ୍ଗାମା ମଧ୍ୟ ହୋଇଥିଲା । ୨୦୧୦ରେ କଂଗ୍ରେସ ସରକାର ୩୩ ପ୍ରତିଶତ ସଂରକ୍ଷଣ ବିଲକୁ ରାଜ୍ୟସଭାରେ ଆଗତ କରାଇଥିଲେ । ସେତେବେଳେ ପ୍ରବଳ ବିରୋଧ ଯୋଗୁଁ ଏହାକୁ ଲୋକସଭାରେ ଆଗତ କରାଯାଇପାରିନଥିଲା । ସମାଜବାଦୀ ପାର୍ଟି ଓ ରାଷ୍ଟ୍ରିୟ ଜନତା ଦଳ ଏହାକୁ ବିରୋଧ କରିଥିଲେ  । ସେମାନଙ୍କ ତର୍କ ହେଲା ଏହି ବିଲ୍ ଦ୍ବାରା କେବଳ ସହରୀ ମହିଳାଙ୍କୁ ଫାଇଦା ମିଳିବ  । ତେଣୁ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କୁ ମଧ୍ୟ ସଂରକ୍ଷଣ ଦେବା ଦରକାର  । ଯାହା ଦ୍ବାରା ଗ୍ରାମାଞ୍ଚଳରେ ଥିବା ମହିଳା ନେତୃତ୍ବ ମାନେ ମଧ୍ୟ ସଂରକ୍ଷଣ ବିଲ୍ର ଫାଇଦା ଉଠାଇପାରିବେ ।

ମହିଳା ସଂରକ୍ଷଣ ବିଲ ଲୋକସଭାରେ ଆଗତ ହେବା ପରେ ବିଜେଡି ସାଂସଦ ଶର୍ମିଷ୍ଠା ସେଠି ପ୍ରତିକ୍ରିୟା ରଖିଛନ୍ତି । ବିଜୁ ଜନତା ଦଳର ଏହା ବହୁ ପୁରୁଣା ଦାବି । ବିଜୁ ଜନତା ଦଳ ଏକ ମାତ୍ର ଆଞ୍ଚଳିକ ଦଳ ଯିଏ ଏହି ଦାବି ନେଇ ୨୨ଟି ଦଳ ପାଖକୁ ସମର୍ଥନ ପାଇଁ ଯାଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରଖିଥିଲା । ମୁଖ୍ୟମନ୍ତ୍ରୀ ପ୍ରୟାସ  ଆଜି ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ବିଲ ପାରିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ୨୦୧୮ରୁ ଚିଠି ଲେଖିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଦାବି ପୂରଣ ହେବାକୁ ଯାଉଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ । ତାଙ୍କ ନେତୃତ୍ବରେ ବିଜୁ ଜନତା ଦଳର ସାଂସଦ ମାନେ ବାରମ୍ବାର ଏହି ଦାବିକୁ ସଂସଦର ଉଭୟ ଗୃହରେ ଉଠାଇଛନ୍ତି ।

ନୂଆ ସଂସଦ ଭବନରେ ଗୃହକାର୍ଯ୍ୟ ଆରମ୍ଭ ହେବା ସହ ଇତିହାସ ହୋଇଗଲା ପୁରୁଣା ସଂସଦ ଭବନ  । ଏଥିସହ ପୁରୁଣା ସଂସଦ ଭବନକୁ ସମ୍ବିଧାନ ଭବନ କୁହାଯିବ ବୋଲି ସରକାର କହିଛନ୍ତି  । ଏହି ଅବସରରେ କଂଗ୍ରେସ ପକ୍ଷରୁ ସମ୍ବିଧାନ ଧରି ନୂଆ ସଂସଦ ଭବନରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା  ।

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଲେନିନ ମହାନ୍ତିଙ୍କ ଟାର୍ଗେଟ୍

ଭୁବନେଶ୍ବର: ଲୋନସ୍କାମକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସୁଥିବାବେଳେ ସୌମ୍ୟଙ୍କ ଗୁମର ଖୋଲୁଛି । ତେବେ ଏହାରି ଭିତରେ ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି କି,  ଗଣମାଧ୍ୟମ ସଂସ୍ଥାର ମାଲିକ କ’ଣ ଆଇନର ଊର୍ଦ୍ଧରେ ? କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି ସୌମ୍ୟଙ୍କ କମ୍ପାନୀ ବିରୋଧରେ ଅଭିଯୋଗ ହୋଇଛି । ଏଭଳି ଗଣମାଧ୍ୟମ ଅନୁଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି ?  କିଛିମାସ ତଳେ ଦୈନିକ ଭାସ୍କର ଏନଡିଟିଭିରେ ଆୟକର ଚଢ଼ାଉ ହୋଇଥିଲା

ଜିଏସଟି ବିଭାଗ ପକ୍ଷରୁ ମଧ୍ୟ  କିଛି ସଂସ୍ଥା ଉପରେ ଚଢ଼ାଉ କରାଯାଇଥିଲା ।  ସେମାନେ ଆଇନ ଅନୁଯାୟୀ ଏହାକୁ ସାମ୍ନା କରିଥିଲେ । ସେତେବେଳେ ସେମାନେ ତ ଏହାକୁ ଆକ୍ରୋଶମୂଳକ କହିନଥିଲେ । କିନ୍ତୁ ସୌମ୍ୟ ଏବେ କାହିଁକି ଆକ୍ରୋଶ କଥା କହୁଛନ୍ତି ବୋଲି ଲେନିନ ପ୍ରଶ୍ନ ଉଠାଇଛନ୍ତି । ୪/୫ଦିନ ତଳେ ନନ୍ଦିଘୋଷ ଟିଭି କାର୍ଯ୍ୟାଳୟରେ ଚଢ଼ାଉ ହୋଇଥିଲା । ସେଣ୍ଟ୍ରାଲ ଜିଏସଟି ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା । ଏହା ଅପ୍ରତ୍ୟାଶିତ ଥିଲେ ହେଁ ଆକ୍ରୋଶମୂଳକ କହି ବିରୋଧ କରିନଥିଲେ । ଏହାକୁ ବିରୋଧ କରି ଖବର ପ୍ରସାରଣ କରି ନଥିଲା ନନ୍ଦିଘୋଷ ଟିଭି । ସେପଟେ ସେଣ୍ଟ୍ରାଲ ଜିଏସଟି ଟିମକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲା ନନ୍ଦିଘୋଷ ଟିଭି । ନନ୍ଦିଘୋଷ ଟିଭି ହେଉ କି ସମ୍ବାଦ କେହି ଆଇନର ଊର୍ଦ୍ଧ୍ୱରେ ନୁହଁନ୍ତି  । ସମ୍ବାଦ ବିରୋଧରେ ତାଙ୍କ କର୍ମଚାରୀ ଋଣ ଜାଲିଆତି ଅଭିଯୋଗ କରିଛନ୍ତି । ଠକାମୀର ଶିକାର ଏଭଳି କର୍ମଚାରୀଙ୍କ ସଂଖ୍ୟା ୩୦୦ବୋଲି କୁହାଯାଉଛି  ପ୍ରାୟ ୧୦୦କୋଟିର ଜାଲିଆତିର ତଦନ୍ତ ହେବାରେ ଅସୁବିଧା କେଉଁଠି ?

ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଘରେ ଘରେ ଚାଲିଛି ପ୍ରସ୍ତୁତି । ଚାଷୀ ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ସମସ୍ତେ ନିଜ ନିଜ ଘରେ ନୂଆ ଖାଇବେ । ଏହାପରେ ଜୁହାର ଭେଟ୍ ଅନୁଷ୍ଠିତ ହେବ । ଢୋଲ ନିଶାନର ତାଳେ ତାଳେ ଝୁମିବ ସାରା ପଶ୍ଚିମ ଓଡିଶା  । ନୂଆଁଖାଇ  ପାଇଁ ମହିଳାମାନେ ଘର ସଫା ସୁତରା କରିବା ସହିତ ଗୋବର ମାଟି ଲେପ ଦେଇଛନ୍ତି । ଘରର ଆସବାବ ପତ୍ର, କୁଲା, ଡାଲା ମଜାମଜି କରି ପ୍ରସ୍ତୁତି ଚଳାଇଛନ୍ତି ଘରର ମହିଳା । ଜଙ୍ଗଲରୁ କୁରେଇ, ଭେଲୁଆ ଓ ସରଗୀ ପତ୍ର ତୋଳି ଆଣି ଖଲିଦନା ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

ବସଷ୍ଟାଣ୍ଡଠୁ ରେଳ ଷ୍ଟେସନ, ସବୁଠି  ଦେଖିବାକୁ ମିଳୁଛି ଲୋକଙ୍କ ଘରବାହୁଡ଼ା । ଘରେ ପହଞ୍ଚିବାକୁ ସମସ୍ତଙ୍କ ମନରେ ଦେଖିବାକୁ ମିଳୁଛି ଉତ୍ସାହ । ଅନ୍ୟଦିନରେ ଘରକୁ ଫେରୁଥିଲେ ବି ନୂଆଁଖାଇ ପାଇଁ ଘରକୁ ଫେରିବାର ମଜା କିଛି ଅଲଗା ଥାଏ  । ଯେଉଁଥି ପାଇଁ ଯିଏ ଯେଉଁଠି ରହିଥିଲେ ସୁଦ୍ଧା ଘରକୁ ବାହୁଡ଼ୁଛନ୍ତି । ଉତ୍ସାହର ସହ ବୁଧବାର ପାଳନ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ।  ଘରେ ଘରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିବା ନୂଆ ପିନ୍ଧିବା ପାଇଁ ବଜାରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି ।

 

ଦଳରେ ସ୍ଥାନ ନମିଳିବା ପରେ ଏମିତି ପୋଷ୍ଟ କଲେ ସଞ୍ଜୁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା ହୋଇଛି । ଅଲରାଉଣ୍ଡର ଆ.ର ଅଶ୍ବିନୀ ଦଳକୁ ଫେରିଥିବାବେଳେ ଯୁବ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ସ୍ଥାନ ମିଳିନାହିଁ । କିଛିଦିନ ହେବ ସେ ଦଳରେ ସ୍ଥାନ ପାଉନଥିବାବେଳେ ତାଙ୍କୁ ଅବହେଳା କରାଯାଉଥିବା ମଧ୍ୟ ତାଙ୍କ ପ୍ରଂଶସକମାନେ ପ୍ରଶ୍ନ ଉଠାଇଛନ୍ତି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କୁ ସ୍ଥାନ ନମିଳିବା ପରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯାହାକି ତାଙ୍କ ଯନ୍ତ୍ରଣାଭରା କଥାକୁ ସୂଚାଉଥିବା ଜଣାପଡ଼ିଛି । ଫେସବୁକରେ ସେ ହସିବାର ଏକ ଇମୋଜି ସେୟାର କରିଥିବାବେଳେ ୟୁଜର୍ସମାନେ ବହୁ କମେଣ୍ଟମାନ ଦେଉଛନ୍ତି । କେହି କେହି କହୁଛନ୍ତି କି, ନିଜର ଦୁଃଖ ଲୁଚାଇବାକୁ ସେ ଏଭଳି ହସ ଇମୋଜି ପୋଷ୍ଟ କରିଛନ୍ତି ।

ସୂଚନା ଥାଉକି, ଚଳିତ ମାସ ୨୨, ୨୪, ୨୭ ତାରିଖରେ ଖେଳାଯିବାକୁ ଥିବା ଏହି ୩ ମ୍ୟାଚ୍‌ ଲାଗି ଘୋଷିତ ଦଳକୁ ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଫେରିଛନ୍ତି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଅନ୍ୟ ବରିଷ୍ଠ ଖେଳାଳି ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବଙ୍କୁ ପ୍ରଥମ ୨ ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଛି। ରୋହିତଙ୍କ ଅନୁପସ୍ଥିତରେ କେଏଲ୍‌ ରାହୁଲ ପ୍ରଥମ ଦୁଇ ମ୍ୟାଚ୍‌ର ନେତୃତ୍ବ ନେବେ। ଶେଷ ମ୍ୟାଚ୍‌ରେ ‌ରୋହିତ ଫେରିବା ସହ ଦଳର ନେତୃତ୍ବ ନେବେ। ପ୍ରଥମ ଦୁଇ ମ୍ୟାଚ୍‌ ଲାଗି ଭାରତୀୟ ଦଳ: କେଏଲ୍‌ ରାହୁଲ (ଅଧିନାୟକ), ଶୁବମନ ଗିଲ, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ମହମ୍ମଦ ସାମି, ତିଳକ ବର୍ମା, ପ୍ରସିଦ୍ଧ କୃଷ୍ଣ, ରବିଚନ୍ଦ୍ରନ ଅଶ୍ବିନ, ୱାସିଂଟନ ସୁନ୍ଦର।

ତୃତୀୟ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ମହମ୍ମଦ ସାମି, ହାର୍ଦିକ ପାଣ୍ଡ୍ୟା, ବିରାଟ କୋହଲି, କୁଲଦୀପ ଯାଦବ, ଅକ୍ଷର ପଟେଲ (ଫିଟ୍‌ ହେଲେ), ରବିଚନ୍ଦ୍ରନ ଅଶ୍ବିନ, ୱାସିଂଟନ ସୁନ୍ଦର।