ଭୁବନେଶ୍ୱର: ସମ୍ବାଦ ଋଣ ଘୋଟାଲା ମାମଲା ଇଓଡବ୍ଲୁର ତନାଘନା । EOWରେ ହାଜର ହେଲେ ସମ୍ବାଦ ଏଚଆର ମୁଖ୍ୟ ବୈଜୟନ୍ତୀ କର । କର୍ମଚାରୀଙ୍କ ନାଁରେ ବେଆଇନ ଋଣ ଉଠାଣ ମାମଲାରେ ହାଜର ହୋଇଛନ୍ତି । ତେବେ ସାମ୍ବାଦିକଙ୍କ ପ୍ରଶ୍ନ ବେଳେ କର୍ମଚାରୀଙ୍କ ପାଁରେ ଋଣ ନେଇଥିବା କଥାକୁ ମାନିଛନ୍ତି ବୈଜୟନ୍ତୀ । ଗତକାଲି ସମ୍ବାଦ ଭବନରେ ମାରାଥନ ୭ ଘଣ୍ଟା ଜେରା କରିଥିଲା EOW । ଆଜି EOWରେ ହାଜର ପରେ ଗୁଡେଇ ତୁଡେଇ ଜେରା କରାଯାଉଛି ।
ଗଶେଶ ଚତୁର୍ଥୀରେ ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ
ନୂଆଦିଲ୍ଲୀ: ଅତୀତର ତିକ୍ତତାକୁ ଭୁଲି ଏବେ ଆଗକୁ ବଢିବାର ବେଳ । ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ଏହି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଶେଶ ଚତୁର୍ଥୀରେ ଆଜି ନୂଆ ସଂସଦ ଭବନର ଶ୍ରୀଗଶେଶ କରି ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ନୂଆ ସଂସଦ ଭବନ ୧୪୦ କୋଟି ଭାରତୀୟଙ୍କର ଆଶାର ପ୍ରତୀକ ।
ଏହାସହ ନୂଆ ସଂସଦରେ ମହିଳା ସଂରକ୍ଷଣ ବିଲ ଆଣିବାକୁ ସେ ଶପଥ ନେଇଥିବା ଘୋଷଣା କରିଛନ୍ତି । ଯାହାକୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ନାମକରଣ କରାଯାଇଛି । ଏଥିରେ ବିଧାନସଭା ଓ ଲୋକସଭା ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ବ୍ୟବସ୍ଥା ଅଣାଯାଇଛି । ଯାହା ପୂର୍ବରୁ ରାଜ୍ୟସଭାରେ ପାରିତ ହୋଇଯାଇଛି । ଗତକାଲିଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆଜି ନୂଆ ସଂସଦ ଭବନରେ ଏହାର ଶୁଭାରମ୍ଭ ହୋଇଛି । ଏହି ସ୍ବତନ୍ତ୍ର ଅଧିବେଶନ ୫ଦିନ ଧରି ଚାଲିବ ।
ହନିଟ୍ରାପ୍ ଓ ଠକେଇ ମାମଲା, ୨ଦିନିଆ ରିମାଣ୍ଡରେ ଗଲା ଇରାନୀ ପାତ୍ରର ସ୍ବାମୀ ନିଶିକାନ୍ତ
ଭୁବନେଶ୍ୱର: ଖୋଲିବ ଇରାନୀ ଗ୍ୟାଙ୍ଗର ହନିଟ୍ରାପ୍ ଓ ଠକେଇ ଗୁମର । ରିମାଣ୍ଡରେ ଗଲା ଇରାନୀ ପାତ୍ରର ସ୍ବାମୀ ବାପି ଓରଫ ନିଶିକାନ୍ତ ପାତ୍ର । ନିଶିକାନ୍ତକୁ ୨ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ନିଶିକାନ୍ତକୁ ଦୁଇଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଭୁବନେଶ୍ବର ଜେଏମଏଫସି-୧ କୋର୍ଟ । ଘଟଣାରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ୫ ଜଣ ଗିରଫ ହୋଇଛନ୍ତି । ଆଗକୁ ରିମାଣ୍ଡରେ ଆସିବ ଇରାନୀ ପାତ୍ର ।
ସୁନ୍ଦରଗଡ଼ରେ କାୟା ମେଲାଉଛି ସ୍କ୍ରବ ଟାଇଫସ, ୨୪ ଘଣ୍ଟାରେ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ କାୟା ମେଲାଉଛି ସ୍କ୍ରବ ଟାଇଫସ । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୦ ଆକ୍ରାନ୍ତ । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି । ପୂର୍ବରୁ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ମହଜୁଦ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏହାସହ ଲୋକଙ୍କୁ ସଚେତନ କରାଯିବା ସହ ଟେଷ୍ଟିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗଣେଶ ମୂର୍ତ୍ତି ନେବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଛାତ୍ର ମୃତ
କଟକ: ଗଣେଶ ପୂଜାରେ ଅଘଟଣ । କଟକ ନରାଜ ପାଖ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଅଘଟଣ । ଗଣେଶ ପୂଜା ପାଇଁ ଗଣେଶ ମୂର୍ତ୍ତି ନେବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୩ ଜଣ ଛାତ୍ର । ଜଣଙ୍କର ମୃତ୍ୟୁ ହେଇଥିବା ବେଳେ, ଅନ୍ୟ ୨ ଜଣ ଆହତ ହୋଇଛି । ୨ ଜଣଙ୍କ ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଣ୍ଡରେ ଆଘାତ ଲାଗିଥିବାରୁ ଦୁଇ ଜଣ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି ।

