ନନ୍ଦିଘୋଷ ବ୍ୟୁରୋ : ମୋନ୍ଥା ପାଇଁ ଅନେକ ଟ୍ରେନ ବାତିଲ ହୋଇଥିବାବେଳେ ଏକାଧିକ ଟ୍ରେନର ଗତିପଥ ବଦଳିଛି । ଟ୍ରେନ ଯାତ୍ରାକୁ ସୁରକ୍ଷିତ କରିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି । ୩୨ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି । ସେହିପରି ଗୋଟିଏ ଟ୍ରେନର ଗତିପଥ ବଦଳାଯାଇଛି । ଦୁଇଟି ଟ୍ରେନକୁ ସାମୟିକ ବାତିଲ କରାଯାଇଛି । ଏହି ଘୋଷଣା କେବଳ ୨୭ ଓ ୨୮ ତାରିଖ ପାଇଁ କରାଯାଇଛି । ସେଥିପାଇଁ ଯାତ୍ରୀଙ୍କୁ ନିଜ ନିଜର ଟ୍ରେନ ଚଳାଚଳର ଅପଡେଟ କରିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ସମୟରେ ଯାତ୍ରା ନକରିବାକୁ ରେଳବାଇ ପରାମର୍ଶ ଦେଇଛି।
ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମୋନ୍ଥା, ଆଜି କାକିନାଡ଼ାରେ କରିବ ଲ୍ୟାଣ୍ଡଫଲ
ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା ମୋନ୍ଥା। ଆଜି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟା ବା ଭୟଙ୍କର ଘୁର୍ଣ୍ଣିଝଡ଼ର ରୂପ ନେଇ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପଟନମ ଏବଂ କଳିଙ୍ଗପଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ୯୦ରୁ ଶହେ କିଲୋମିଟର ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବା ସମ୍ଭାବନା ରହିଛି। ଘଣ୍ଟାପ୍ରତି ୧୫ କିଲୋମିଟର ରହିଛି ବାତ୍ୟାର ବେଗ ।
କାକିନାଡାଠାରୁ ୩୧୦, ବିଶାଖାପାଟଣାଠାରୁ ୩୭୦ କିଲୋମିଟର ଓ ଗୋପାଳପୁର ଠାରୁ ୫୭୦ କିଲୋମିଟର ଦକ୍ଷିଣରେ ରହିଛି ସାମୁଦ୍ରିକ ଝଡ଼ । ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଏହାର ପରିମାଣ ଆହୁରି ବଢ଼ିବ । ବିଶେଷ କରି ଗଜପତି, ରାୟଗଡ଼ା, କୋରାପୁଟ ,କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିରେ ରହିବ ସର୍ବାଧିକ ପବନର ପ୍ରଭାବ । ସେଥିପାଇଁ ଏହି ସବୁ ଜିଲ୍ଲା କୁ ରେଡ ଆଲର୍ଟ ଜାରି କରିଛି ବିଭାଗ । ଗଞ୍ଜାମ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦେଇଛି ବିଭାଗ । ଏଠାରେ ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୭୦ କିଲୋମିଟର ହେବାକୁ ଥିବା ବେଳେ ୮୦ କିମି ପ୍ରତି ଘଣ୍ଟାରେ ରହିବ ଝଟକା ପବନ ।
ସେହିପରି କାଲି ପାଇଁ ସାରା ଓଡ଼ିଶାରେ ବର୍ଷା ସହ ଅତ୍ୟନ୍ତ ବର୍ଷା ସମ୍ଭାବନାକୁ ନେଇ ମାଲକାନଗିରି କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଅରେଞ୍ଜ ସହ ୧୯ ଜିଲ୍ଲାକୁ ପ୍ରବଳ ଵର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ୩୦ ପରେ ବଦଳିବ ପାଗ । ସେପଟେ ସାରା ରାଜ୍ୟରେ ଆଜି ଠାରୁ ବର୍ଷା ସହିତ କିଛି କିଛି ସ୍ଥାନ ମାନଙ୍କରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରାଯାଇଛି । ବନ୍ଦର ଗୁଡିକ ପାଇଁ ରହିଛି ୨ ନମ୍ବର ବିପଦ ସଂକେତ । ବିଶେଷ ଭାବେ ମାଲକାନଗିରି, ଗଜପତି ଗଂଜାମ, କୋରାପୁଟ କଳାହାଣ୍ଡି ଓ ନବରଙ୍ଗପୁର ଏହି ୬ ଜିଜିଲ୍ଲା ବାତ୍ୟାର ଅଧିକ ପ୍ରଭାବିତ ହେବାକୁ ଥିବା ବେଳେ, ଭୁସ୍ଖଳନ ସହ କଚ୍ଚା ଘର ଭାଙ୍ଗିବା ,ଗଛ ପଡିବା ଓ କୁତ୍ରିମ ବନ୍ୟା ସ୍ଥିତି ଭୟ ରହିଥିବାରୁ ତଳୁଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ।
ନଭେମ୍ବର ୧୧ ତାରିଖରେ ପଡିବ ନୂଆପଡା ଭୋଟ: ପ୍ରଚାରରେ କମ୍ପିଲାଣି ମଇଦାନ
ନଭେମ୍ବର ୧୧ ତାରିଖରେ ପଡିବ ନୂଆପଡା ଭୋଟ । ପ୍ରଚାରରେ କମ୍ପିଲାଣି ମଇଦାନ । ଭୋଟରଙ୍କ ହୃଦୟ ଜିଣିବାକୁ ପ୍ରାର୍ଥୀଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ । ଗାଁ, ସାହି ଗଳି ବୁଲି ଲୋକଙ୍କ ନିକଟତର ହେଉଛନ୍ତି ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ । ପୂର୍ବ ସରକାର କରିଥିବା ବିକାଶ ମୂଳକ କାମକୁ ମୁଦ୍ଦା କରିଛି ବିଜୁ ଜନତା ଦଳ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନୂଆପଡା ପାଇଁ ଯେଉଁ ବିକାଶ ମୂଳକ କାମ କରିଛନ୍ତି ତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ବିଶେଷ କରି ନୂଆପଡାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ପୂର୍ବ ସରକାର ସମୟରେ ଯଥେଷ୍ଟ ବିକାଶ ହୋଇପାରିଛି । ତାହାକୁ କେହି ଭୁଲି ପାରୁନଥିବା ସ୍ପଷ୍ଟ ଭାବରେ ବାରି ହେଉଛି । ତେବେ ସବୁଠାରୁ ବଡ଼କଥା ହେଲା ଯେତେବେଳେ ନିର୍ବାଚନ ପ୍ରଚାର ଚାଲିଛି ସେତେବେଳ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ବିପୁଳ ଜନ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି ।
ସେପଟେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିଜ ସମର୍ଥକ ଓ ଦଳୀୟ ନେତାଙ୍କୁ ନେଇ କୋମନା ବ୍ଲକର ବିଭିନ୍ନ ଗାଁକୁ ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଦଳର ବିକାଶ ମୁଖୀ କାର୍ଯ୍ୟ ସହ ନିଜ ବାପା ସ୍ୱର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ନାଁ ନେଇ ପ୍ରଚାରକୁ ଜୋରଦାର କରିଛନ୍ତି । ଅନ୍ୟପଟେ କଂଗ୍ରେସ ନିଜ ପ୍ରାର୍ଥୀଙ୍କ ପାଇଁ ଆଦିବାସୀ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି । କଂଗ୍ରେସ ଆଦିବାସୀ ଭୋଟ ହାତେଇବା ପାଇଁ ଜୋର ସୋର ଉଦ୍ୟମ ଜାରି ରଖିଛି । ନୂଆପଡା ନିର୍ବାଚନରେ ଆଦିବାସୀ ଭୋଟର ନିର୍ଣ୍ଣାୟକ ଭୂମିକା ନେବାକୁ ଥିବା ବେଳେ ସମସ୍ତ ଦଳ ଆଦିବାସୀ ଭୋଟ ଉପରେ ଅଧିକ ନଜର ରଖିଛନ୍ତି।
୨୪ ବର୍ଷ ଧରି ବାତ୍ୟାର ସଫଳ ମୁକାବିଲା କରିଥିଲେ ନବୀନ, ସାଜିଥିଲେ ବିପର୍ଯ୍ୟୟର ବିନ୍ଧାଣୀ
୧୯୯୯ ମହାବାତ୍ୟା । ତା ପଛକୁ ପଛକୁ ଆସିଲାଣି ଅନେକ ବାତ୍ୟା । ଓଡ଼ିଶା କିନ୍ତୁ ସାହସର ସହିତ କରିଛି ମୁକାବିଲା । ତା ପଛରେ ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ମୁକାବିଲା ଫର୍ମୁଲା । ୨୪ ବର୍ଷ ଧରି ବିପର୍ଯ୍ୟୟ ମୁକାବିଲା ପାଇଁ ନବୀନ ଓଡିଶାବାସୀଙ୍କ ମନରେ ଭୟ ଦୂର କରି ସାହସ ଜୁଟାଇ ପାରିଛନ୍ତି । ମିଶନ ମୋଡରେ ବିପର୍ଯ୍ୟୟର ସଫଳ ବିନ୍ଧାଣୀ ସାଜିଥିଲେ ନବୀନ । ତେଣୁ ଏବେ ନବୀନଙ୍କ ମଡେଲକୁ ଅନୁକରଣ କରୁଛି । ନବୀନଙ୍କୁ ସେଥିଲାଗି ଜାତିସଂଘରେ ମଧ୍ୟ ପ୍ରଶଂସା ମିଳିଥିଲା । ଜିରୋ କାଜୁଆଲଟି ସହ ଧନ ସମ୍ପତ୍ତି ରକ୍ଷା କରିବା ନବୀନଙ୍କ ବାତ୍ୟା ମୁକାବିଲାର ମୁଳମନ୍ତ୍ର ଥିଲା । ଓଡିଶାର ଶାସନ ମଙ୍ଗ ଧରିବା ପରେ ନବୀନ ୨୦୦୦ ମସିହାରେ ବାତ୍ୟା ମୁକାବିଲା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ । ସେହିଦିନ ଠାରୁ ଓଡିଶା ଆଉ ପଛକୁ ଚାହିଁନାହିଁ । ଏହାରି ଭିତରେ ଫନି, ହୁଡହୁଡ, ତିତିଲି, ଦାନା, ୟାସ ପରି ବହୁ ବାତ୍ଯା ଲଗାତର ସାମ୍ନା କରିଛି ଓଡିଶା । ଯାହାକୁ ସଫଳତାର ସହ ମଧ୍ୟ ଓଡିଶା ମୁକାବିଲା କରିଛି । ଏବେ ବାତ୍ୟା ମୋନ୍ଥା ଆସୁଛି । ତେଣୁ ସ୍ବତଃ ସଭିଁଙ୍କର ନବୀନଙ୍କ ମୁକାବିଲା ଫର୍ମୁଲା ମନେପଡିଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି, ଓଡିଶା ମହାବାତ୍ୟାରେ ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୂ ହୋଇଥିଲା । ବହୁ ଧନ ଜୀବନ କ୍ଷୟକ୍ଷତି ହୋଇଥିଲା । ତାପରେ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ମୁକାବିଲା ପାଇଁ ଯେଉଁ ଦୀର୍ଘମିଆଦୀ ଯୋଜନା କରିଥିଲେ ତାହା ସୁଫଳ ଆଜି ଓଡିଶା ପାଉଛି ।
ବାତ୍ୟାକୁ ଅତି ନିକଟରୁ ଦେଖିଛନ୍ତି ନବୀନ । ପ୍ରତ୍ୟେକ ବାତ୍ୟାରେ ଓଡିଶାବାସୀଙ୍କ ଜୀବନ ରକ୍ଷା ଉପରେ ଗୁରୁତ୍ବ ଦେଇ ମିଶନ ମୋଡରେ କାମ କରନ୍ତି । ବାତ୍ୟା ପାଇଁ ଆଗୁଆ ସଜାଗ ରହିବା ସହ ବାତ୍ୟା ଆଶ୍ରୟସ୍ଥଳୀ , ଭିତ୍ତିଭୂମି ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲେ ନବୀନ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ୧୯୯୯ ମହାବାତ୍ୟା ପରେ ଓଡିଶା ଅନେକ କିଛି ଶିକ୍ଷା ପାଇଛି । ପ୍ରତିବର୍ଷ ଓଡିଶା ବାତ୍ୟାକୁ ସଫଳତାର ସହ ମୁକାବିଲା କରିଛି । ତେଣୁ ଆଜି ବି ସେ ଧାରା ଜାରି ରହିଛି । ମୋନ୍ଥା ବାତ୍ୟା ମଧ୍ୟ ଆନ୍ଧ୍ର ଓ ଓଡିଶା ମୁହାଁ ହୋଇଛି । ଆଉ ଠିକ ଏମିତି ବେଳେ ମନେ ପଡିଛି ନବୀନଙ୍କ ବିପର୍ଯ୍ୟୟ ମୁକାବିଲାର ସଫଳ ଫର୍ମୁଲା ।
ସଂଭ୍ରାନ୍ତ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ
ସଂଭ୍ରାନ୍ତ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ । ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗରୁ ଆସୁଥିଲେ ଯୁବତୀ । ପାର୍ବଣରେ ଲାଗିଥିଲା ଗ୍ରାହକଙ୍କ ଲମ୍ବା ଲାଇନ । ଚଢ଼ାଉ କରି ଭାଣ୍ଡାଫୋଡ଼ କଲା ପୋଲିସ । ରାଉରକେଲା ସହରର ସଂଭ୍ରାନ୍ତ ଅଞ୍ଚଳ ଭାବେ ପରିଚିତ ସିଭିଲ ଟାଉନସିପ ଅଞ୍ଚଳରୁ ଠାବ ହୋଇଛି ଏହି ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ । ଘର ଭଡ଼ା ନେଇ ଚାଲିଥିଲା ଦେହ ବ୍ଯବସାୟ । ଯାହାର କିଙ୍ଗପିନ ଥିଲେ ମୁକେଶ ଗୁପ୍ତା । ରଘୁନାଥପାଲୀ ପୋଲିସ ଚଢ଼ାଉ କରି ରାଣୀ ମହୁମାଛିଙ୍କ ସହ ୫ ଜଣଙ୍କୁ କାବୁ କରିଛି । ଘରୁ ବିଭିନ୍ନ ଆପତ୍ତିଜନକ ଜିନିଷ ସହ ୭ଟି ମୋବାଇଲ ଓ ଡାଏରୀ ଜବତ କରିଛି ପୋଲିସ ।
ରାଉରକେଲାର ସଂଭ୍ରାନ୍ତ ଅଞ୍ଚଳରେ ଚାଲିଥିଲା ଦେହ ବେପାରର ଗୋଲକ ଧନ୍ଦା । ଛତିଶଗଡ଼, ପଶ୍ଚମବଙ୍ଗ, ଝାଡ଼ଖଣ୍ଡ ସହ ବାହାର ରାଜ୍ଯର ଯୁବତୀ ମାନଙ୍କୁ ଆଣି ଏହି ରାକେଟରେ ସାମିଲ କରାଯାଉଥିଲା । ପାର୍ବଣ ଋତୁରେ ଜୋରଦାର ଜମିଥିଲା ବେପାର । ପ୍ରତି ଗ୍ରାହକଙ୍କ ଠାରୁ ୧୫ ଶହରୁ ଦୁଇ ହଜାର ଟଙ୍କା ନିଆଯାଉଥିବା ବେଳେ ଯୁବତୀମାନଙ୍କୁ ୫ ରୁ ୬ ଶହ ଟଙ୍କା ଦିଆଯାଉଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଗ୍ରାହକମାନଙ୍କ ନିକଟକୁ ହ୍ବାଟସଆପରେ ପଠାଯାଉଥିଲା ଯୁବତୀଙ୍କ ଫଟୋ ।
ସେକ୍ସ ରାକେଟ ଚଳାଇଥିବା ଅଭିଯୋଗରେ ମୁକେଶ ଗୁପ୍ତାଙ୍କ ସହ ଜଣେ ସହଯୋଗୀ ଓ ଅନ୍ୟ ଜଣେ ରାଣି ମହୁମାଛି ଗିରଫ ହୋଇଥିବାବେଳେ ଉଦ୍ଧାର ଦୁଇଜଣ ଯୁବତୀଙ୍କୁ ସଖି କେନ୍ଦ୍ରରେ ରଖାଯାଇଛି । ଡାଏରୀର ତଥ୍ୟ ଅନୁସାରେ ପୋଲିସ ତଦନ୍ତ ଜାରି ରଖିଛି ।
ନୂଆପଡା ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ କଲା ବିଜେଡି
ନୂଆପଡା ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ କଲା ବିଜେଡି । ଉପନିର୍ବାଚନ ସମୟରେ ଜିଲ୍ଲାପାଳ ଓ ଏସପି ନିଜ ପଦର ଅପବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜେଡି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଏକ ପ୍ରତିନିଧି ଦଳ ଭେଟି ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ ସ୍ମାରକ ପତ୍ର ଦେଇଛନ୍ତି । ନିର୍ବାଚନ ସମୟରେ ଜିଲ୍ଲାର ଦୁଇ ପ୍ରଶାସନିକ ମୁଖ୍ୟ ବିଜେଡି କର୍ମୀଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ପ୍ରଶାସନିକ କଳର ଅପବ୍ୟବହାରକୁ ରୋକିବା ସହ ସୁସ୍ଥ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବାକୁ ବିଜେଡି ଦାବି କରିଛି । ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ମଧ୍ୟ ଚେଷ୍ଟା କରାଯାଉଥିବା ବିଜେଡି ଅଭିଯୋଗ କରିଛି ।
ବାଟ ହୁଡିଛି ବିକାଶ: ବିଦ୍ୟୁତ ତାର ସାହାଯ୍ୟରେ ଭରା ନଦୀ ପାର ହେଉଛନ୍ତି ଲୋକେ
ଉଛୁଳା ନଦୀ । ତା ଭିତରେ ମାଆଟିଏ ପୁଅକୁ କୋଳରେ ବାନ୍ଧି ହେଉଛି ନଦୀ ପାର । ଖାଲି ସିଏ କାହିଁକି ଏମିତି ଅନେକ ଲୋକେ ଜୀବନକୁ ବାଜି ଲଗାଇ ବିଦ୍ୟୁତ ତାର ଯୋଗେ ନଦୀ ପାର ହେଉଛନ୍ତି । ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିଥାଇପାରେ । ହେଲେ ଏଠାକାର ଲୋକେ ନିତି ଏଭଳି ନଦୀ ପାର ହେଉଛନ୍ତି । ନଦୀର ପ୍ରଖର ସ୍ରୋତରେ ଭାସିଯାଉଛି ଅନେକ ନୀରିହ ଜୀବନ । ହେଲେ ଦୁଃଖ ଶୁଣୁନି ସ୍ଥାନୀୟ ପ୍ରଶାସନ ।… କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତର ସୁନାପାଙ୍ଗ ଗାଁ ନିକଟରେ ବୋହିଯାଇଥିବା ଡିମ୍ବୁଲି ନଦୀ ଉପରେ ପୋଲଟିଏ ନାହିଁ । ଫଳରେ ଦୀର୍ଘ ବର୍ଷ ଧରି ଯମ ଯନ୍ତ୍ରଣା ଭୋଗୁଛନ୍ତି ସୁନାପାଙ୍ଗ ଗାଁ ସମେତ କୋଟଗଡ ବ୍ଲକର ୫ ଗୋଟି ଗାଁ ଲୋକେ । ଏଠାକାର ଲୋକମାନେ ଦାରିଙ୍ଗବାଡି ମାର୍କେଟ କି ମେଡିକାଲ ଯିବାକୁ ହେଲେ ଡିମ୍ବୁଲି ନଦୀରେ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି । ବର୍ଷା ଦିନେ ନଦୀର ସ୍ରୋତ ଅଧିକ ଥିବାରୁ ବୃଦ୍ଧବୃଦ୍ଧାଙ୍କ ସମେତ ଗର୍ଭବତୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସୁନାପାଙ୍ଗ ଗାଁରେ ଦୀର୍ଘ ବର୍ଷ ଧରି ୧୫ ପରିବାର ବସବାସ କରିଆସୁଛନ୍ତି । ହେଲେ ଗାଁକୁ ରାସ୍ତା ସଂଯୋଗୀ କରଣ ହୋଇନଥିବାରୁ କୋମଳମତି ଶିଶୁ ମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର କେମିତିକା ପିଲା ଦେଖି ନାହାନ୍ତି । ଅନ୍ୟପଟେ ଗାଁକୁ ରାସ୍ତା ,ପାନୀୟଜଳ ଓ ବିଦ୍ୟୁତ ସଂଯୋଗୀକରଣ ବ୍ୟବସ୍ଥା ନକହିବା ଭଲ । ଗାଁରେ ଲାଗିରହିଥିବା ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ବ୍ଲକ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ନାପାଙ୍ଗ ଗାଁକୁ ମୌଳିକ ସୁବିଧା ସୁଯୋଗ କେବେ ପହଞ୍ଚିବ ? କୋମଳମତି ଶିଶୁ କେବେ ପାଇବେ ପ୍ରାକ ଶିକ୍ଷା ? ନା ଅନ୍ଧାରୀମୂଲକରେ ପେଷି ହୋଇଯିବ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ?
ମୋନ୍ଥା ପାଇଁ ଦୁଇଦିନ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡ଼ି
ମୋନ୍ଥା ପାଇଁ ଖୋର୍ଦ୍ଧା ଜିଲାରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡ଼ି । ୨୮ ଓ ୨୯ ତାରିଖରେ ବନ୍ଦ ରହିବ । ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ।
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶିଶୁ ମହୋତ୍ସବ ‘ସୁରଭି’ କୁ ସମର୍ଥନ: ଗ୍ରାମାଞ୍ଚଳରେ ଯୁବ ପ୍ରତିଭାର ବିକାଶ
ଭୁବନେଶ୍ୱର: : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାରେ ‘ସୁରଭି’ ଶିଶୁ ମହୋତ୍ସବକୁ ସମର୍ଥନ କରିଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୃଜନଶୀଳତା ଏବଂ ପ୍ରତିଭା ଚିହ୍ନଟ କରିବା ପାଇଁ ଏକ ପୋଷଣ ପ୍ଲାଟଫର୍ମ ଭାବରେ ପରିକଳ୍ପନା କରାଯାଇଛି। ହେମଗିରି ଏବଂ ଲଖନପୁର ବ୍ଲକ ଅନ୍ତର୍ଗତ ଛଅଟି ଗ୍ରାମ ପଞ୍ଚାୟତକୁ ପ୍ରତିନିଧିତ୍ୱ କରୁଥିବା ୪୨ଟି ବିଦ୍ୟାଳୟର ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମ ସୃଜନଶୀଳତା, କଳ୍ପନା ଏବଂ ଶିକ୍ଷଣର ଏକ ଉତ୍ସବ ଭାବରେ କାର୍ଯ୍ୟ କରିଥିଲା, ଯେଉଁଥିରେ କଳା ଏବଂ ଶିଳ୍ପ, ସଂଗୀତ ଏବଂ ନୃତ୍ୟ, ବିତର୍କ, ବକ୍ତବ୍ୟ ଏବଂ ସୃଜନଶୀଳ ଲେଖାକୁ ଅନ୍ତର୍ଭୁକ୍ତ କରି ୩୦ ଟି ବିବିଧ ପ୍ରତିଯୋଗିତା ପ୍ରଦର୍ଶିତ ହୋଇଥିଲା । ଏହି ସ୍ତରର ବିଜେତାମାନେ ଏବେ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ସେମାନଙ୍କ ବିଦ୍ୟାଳୟଗୁଡ଼ିକର ପ୍ରତିନିଧିତ୍ୱ କରିବେ। ‘ସୁରଭି’ କୁ ବେଦାନ୍ତର ସମର୍ଥନ ଗୋଷ୍ଠୀ ବିକାଶ ପ୍ରତି କମ୍ପାନୀର ପ୍ରତିବଦ୍ଧତାର ଉଦାହରଣ।
ଏହି ଉତ୍ସବରେ କ୍ଲଷ୍ଟର ରିସୋର୍ସ ସେଣ୍ଟର (ସିଆରସିସି) ର ସଂଯୋଜକ ଆଶିଷ ପଟେଲ, ଅନ୍ୟ ବିଶିଷ୍ଟ ଅତିଥି, ଶିକ୍ଷକ ଏବଂ ଗୋଷ୍ଠି ସଦସ୍ୟମାନେ ଯୋଗ ଦେଇଥିଲେ। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା ଏବଂ ଶିକ୍ଷା ବାହାରେ ଆତ୍ମବିଶ୍ୱାସ ହାସଲ କରିବା ପାଇଁ ଏକ ମୂଲ୍ୟବାନ ମଞ୍ଚ ପ୍ରଦାନ କରିଥିବାରୁ ଅତିଥିମାନେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।
ଏହି ଅବସରରେ ଲଖନପୁର ବ୍ଲକର ସିଆରସିସି ଆଶିଷ ପଟେଲ କହିଥିଲେ, ‘ସୁରଭି’ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ପିଲାମାନଙ୍କ ସୃଜନଶୀଳତା ଏବଂ ସାମର୍ଥ୍ୟର ଏକ ଉତ୍ସବ। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାରେ ସାହାଯ୍ୟ କରିବାରେ ବେଦାନ୍ତର ସମର୍ଥନକୁ ଆମେ ପ୍ରଶଂସା କରୁଛୁ ।
ଶିକ୍ଷା ଏବଂ ଗୋଷ୍ଠୀ ବିକାଶ ପ୍ରତି ବେଦାନ୍ତର ପ୍ରତିବଦ୍ଧତା ଉପରେ ଆଲୋକପାତ କରି ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ବେଦାନ୍ତରେ, ଆମେ ବିଶ୍ୱାସ କରୁ ଯେ ପରବର୍ତ୍ତୀ ପିଢ଼ିକୁ ସଶକ୍ତ କରିବା ସହିତ ପ୍ରକୃତ ପ୍ରଗତି ଆରମ୍ଭ ହୁଏ। ‘ସୁରଭି’ ଶିଶୁ ମହୋତ୍ସବ ଭଳି ପଦକ୍ଷେପ ପିଲାମାନଙ୍କୁ ସେମାନଙ୍କ ପ୍ରତିଭାର ଅନ୍ୱେଷଣ କରିବା, ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ପରିପୂର୍ଣ୍ଣ ବ୍ୟକ୍ତିତ୍ୱରେ ବିକଶିତ ହେବାର ସୁଯୋଗ ପ୍ରଦାନ କରିଥାଏ ।
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡା ଏବଂ ସଂସ୍କୃତି ମାଧ୍ୟମରେ ସାମାଜିକ ପ୍ରଭାବ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ଏହାର କାର୍ଯ୍ୟ କ୍ଷେତ୍ରରେ ବାସ୍ତବ ସାମାଜିକ-ଅର୍ଥନୈତିକ ପ୍ରଗତି ଦିଗରେ ଆଗେଇ ନେବ।
ବେଙ୍ଗଲୁରୁରେ ସବୁଠାରୁ ବଡ଼ ସାଇବର ଚୋରି! ମନିଭ୍ୟୁ ଆପରୁ ୩ ଘଣ୍ଟାରେ ୪୯ କୋଟି ଟଙ୍କା ଲୁଟ୍
ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗଲୁରୁରୁ ଦେଶର ସବୁଠାରୁ ବଡ଼ ସାଇବର ଚୋରିର ମାମଲା ସାମ୍ନାକୁ ଆସିଛି । ବେଙ୍ଗଲୁରୁରେ ଏକ ବଡ଼ ସାଇବର ଆକ୍ରମଣରେ ହ୍ୟାକରମାନେ କେବଳ ୩ ଘଣ୍ଟାରେ ମନିଭ୍ୟୁ ଆପ୍ (ମନିଭ୍ୟୁ) ଆପ୍ରୁ ୪୯ କୋଟି ଟଙ୍କା ଲୁଟି ନେଇଛନ୍ତି । ଏହି ଲୁଟ ଆପର API ସିଷ୍ଟମରେ ସେନ୍ଧମାରି କରାଯାଇଛି।
ଏପିଆଇ ଏକ ଡିଜିଟାଲ୍ ଇଣ୍ଟରଫେସ୍ ଅଟେ ଯାହା ଆପଗୁଡ଼ିକୁ ବ୍ୟାଙ୍କ ଏବଂ ସର୍ଭରଗୁଡ଼ିକ ସହିତ ସମ୍ପର୍କ ରଖିବାକୁ ଅନୁମତି ଦିଏ। ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଞ୍ଚ୍ (CCB) ଅନୁଯାୟୀ, ଏହି ସାଇବର ଆକ୍ରମଣ ଦୁବାଇ, ଚୀନ, ହଙ୍କଙ୍ଗ ଏବଂ ଫିଲିପାଇନ୍ସରୁ ଗୋଟିଏ ଆନ୍ତର୍ଜାତୀୟ ଗ୍ୟାଙ୍ଗ୍ ଦ୍ୱାରା କରାଯାଇଛି। ହ୍ୟାକରମାନେ ଆପ୍ର APIର ବ୍ୟବହାର କରି ୬୫୩ ନକଲି ଖାତାକୁ ଟଙ୍କା ସ୍ଥାନାନ୍ତର କରିଛନ୍ତି।
କିଏ ମାଷ୍ଟରମାଇଣ୍ଡ୍?
ଏହି ପୂରା ଅପରେସନକୁ ଦୁବାଇରେ ବସିଥିବା ଜଣେ ଭାରତୀୟ ମୂଳର ଲୋକ ଚଳାଉଥିଲେ। ସେ ଏହି ହ୍ୟାକିଂକୁ ଭର୍ଚୁଅଲ୍ ପ୍ରାଇଭେଟ୍ ସର୍ଭର (VPS)ର ବ୍ୟବହାର କରି କରିଥିଲେ। ଏହି ସର୍ଭରଗୁଡ଼ିକୁ ସେ ବେଲଗାଭିର ଇସ୍ମାଇଲ୍ ଆତ୍ତାରଙ୍କଠାରୁ କିଣିଥିଲେ। ପରେ ଏହି ସର୍ଭରଗୁଡ଼ିକୁ ଫ୍ରାନ୍ସର IP ଠିକଣାରୁ ହ୍ୟାକିଂକୁ ସମ୍ପନ୍ନ କରିବା ପାଇଁ ଯୋଡ଼ାଯାଇଥିଲା ।
ଦୁଇଜଣଙ୍କୁ ଧରାପଡ଼ିଲେ
ବେଙ୍ଗଲୁରୁର CCB ସାଇବର କ୍ରାଇମ୍ ପୋଲିସ୍ ଏହି ମାମଲାରେ ଦୁଇଜଣଙ୍କୁ ଧରିଛି। ସେମାନଙ୍କରେ ବେଲଗାଭିର ଇସ୍ମାଇଲ୍ ଆତ୍ତାର ଏବଂ ମହାରାଷ୍ଟ୍ରର ପଟେଲ୍ ଅଟନ୍ତି। ପଟେଲ୍ ନକଲି ଖାତାର ମାଲିକ, ଯାହାର ବ୍ୟବହାର ଧୋକାବାଜିରେ ହୋଇଥିଲା। ପୋଲିସ୍ ଏହି ଦୁଇଜଣଙ୍କଠାରୁ ପ୍ରାୟ ୧୦ କୋଟି ଟଙ୍କା ଫ୍ରିଜ୍ କରିଛି ଏବଂ ସେମାନଙ୍କର ଲ୍ୟାପଟପ୍ ଏବଂ ପେନ୍ ଡ୍ରାଇଭ୍ ଜବତ କରିଛି।
ପୋଲିସ୍ କଣ କହିଛି?
ପୋଲିସ୍ ଅଧିକାରୀମାନଙ୍କ କହିବା ଅନୁଯାୟୀ, ହ୍ୟାକରମାନେ ନକଲି ଖାତାଗୁଡ଼ିକୁ ଅସଲୀ ଖାତାଗୁଡ଼ିକ ସହିତ ମିଶାଇଦେଇଥିଲେ। ସେମାନେ କିଛି ଲୋକମାନଙ୍କୁ ଛୋଟ କମିସନ୍ ଦେଇ ଟଙ୍କା ଉଠାଇବାକୁ କହିଥିଲେ। ସେମାନଙ୍କର ଡିଜିଟାଲ୍ ପଦଚିହ୍ନ ଲୁଚାଇବା ପାଇଁ ସେମାନେ ଏପରି କରିଥିବା ପୋଲିସ କହୁଛି।
ଦୁବାଇରେ ତିନିଜଣ ଏବଂ ହଙ୍କଙ୍ଗରେ ଦୁଇଜଣ ସନ୍ଦିଗ୍ଧ
ପୋଲିସ୍ ଦୁବାଇରେ ତିନିଜଣ ଏବଂ ହଙ୍କଙ୍ଗରେ ଦୁଇଜଣ ସନ୍ଦେହ୍ୟଙ୍କୁ ଚିହ୍ନଟ କରିଛି। ସେମାନେ ଏହି ଲୋକମାନଙ୍କୁ ଧରିବା ପାଇଁ ଆନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକ ସହିତ ମିଶି କାମ କରୁଛନ୍ତି। ଧରାପଡ଼ିଥିବା ଦୁଇଜଣ ବର୍ତ୍ତମାନ ନ୍ୟାୟିକ ହିରାସତରେ ଅଛନ୍ତି ଏବଂ ପୋଲିସ୍ ଏହି ବଡ଼ ନେଟୱର୍କର ଯାଞ୍ଚ୍ କରୁଛି।

