spot_img
Home Blog Page 2759

ଋଷ ଅଧିକୃତ ୟୁକ୍ରେନରେ ପୌରପରିଷଦ ନିର୍ବାଚନ, ୟୁନାଇଟେଡ ଋଷିଆ ପାର୍ଟିକୁ ବହୁମତ

ମସ୍କୋ: ଋଷ ଅଧିକୃତ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ହୋଇଥିବା ଆଞ୍ଚଳିକ ଓ ପୌରପରିଷଦ ନିର୍ବାଚନରେ ୟୁନାଇଟେଡ ଋଷିଆ ପାର୍ଟିକୁ ବହୁମତ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମର୍ଥନ କରୁଥିବା ୟୁଆରପି ଏହି ନିର୍ବାଚନରେ ବ୍ୟାପକ ସଫଳଦା ହାସଲ କରିଥିବା ଦାବି କରାଯାଇଛି । ୟୁକ୍ରେନର ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳ ବର୍ତ୍ତମାନ ଋଷ କବଜାରେ ଥିବାବେଳେ ଏହି ନିର୍ବାଚନ ୟୁକ୍ରେନର ଦାବିକୁ ଜବରଦସ୍ତ ଝଟକା ଦେଇଛି ।

ଋଷ ଅଧିକୃତ ଅଞ୍ଚଳରେ ୭୦ ପ୍ରତିଶତ ଭୋଟ ୟୁନାଇଟେଡ ଋଷିଆ ପାର୍ଟିକୁ ମିଳିଥିବା କୁହାଯାଇଛି । ଆସନ୍ତା ବର୍ଷ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯିବା ପୂର୍ବରୁ ଏହି ନିର୍ବାଚନ ଗୁରୁତ୍ବ ବହନ କରୁଛି । ୟୁକ୍ରେନ ଅନ୍ତର୍ଗତ ତଥା ଋଷ ଅଧିକୃତ ଦୋନେସ୍କ, ଲୁଗାନସ୍କ, ଖେରସନ ଓ ଜାପୋରଜିୟାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି । ତେବେ ନିର୍ବାଚନକୁ ଭଣ୍ଡୁର କରିବା ଲାଗି ୟୁକ୍ରେନ ବାହିନୀ ପକ୍ଷରୁ କେତେକ ସ୍ଥାନରେ ଡ୍ରୋନ ଆକ୍ରମଣ କରାଯାଇଥିବା ଦେଖାଯାଇଥିଲା । ୨୦୧୪ରୁ ଋଷ ଅଧୀନରେ ଥିବା କ୍ରିମିଆରେ ବି ଏହି ନିର୍ବାଚନ ହୋଇଛି । ସେପଟେ ଏହି ନିର୍ବାଚନକୁ ବିରୋଧ କରିଛି ୟୁରୋପର ପ୍ରମୁଖ ଅଧିକାର ସଂଗଠନ କାଉନସିଲ ଅଫ ୟୁରୋପ ।

ଆନ୍ତର୍ଜାତିକ ନିୟମକୁ ଉଲ୍ଲଂଘନ କରି ଏହି ନିର୍ବାଚନ ହୋଇଥିବା କହିଛି ସଂଗଠନ । ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବାରୁ ଭୋଟରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବ ।

ନୀରବ ନୁହେଁ ଚନ୍ଦ୍ରପୃଷ୍ଠ, ତାପମାତ୍ରାରେ ଅସମାନତା କାରଣରୁ ନିୟମିତ ଘଟିଚାଲିଛି କମ୍ପନ

0

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରପୃଷ୍ଠ ନିସ୍ତବ୍ଧ ନୁହେଁ । ସେଠାରେ ନିୟମିତ ଘଟିଚାଲିଛି କମ୍ପନ । ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର କିଛି ଦିନ ତଳେ ପ୍ରାକୃତିକ ସେସିମିକ କମ୍ପନ ସମ୍ପର୍କରେ ସୂଚନା ଦେଇଥିଲା । ମାତ୍ର ଗବେଷକ ବର୍ତ୍ତମାନ କହିଛନ୍ତି ଚନ୍ଦ୍ରପୃଷ୍ଠ ନୀରବ ନୁହେଁ । ସେଠାରେ ତାପଜ ଚନ୍ଦ୍ରକମ୍ପନ ବା ଥର୍ମାଲ ମୁନକ୍ବାକ୍‌ ଘଟିଚାଲିଛି । ଚନ୍ଦ୍ରପୃଷ୍ଠରେ ତାପମାତ୍ରାରେ ବ୍ୟାପକ ଅସମାନତା କାରଣରୁ ଏହା ସୃଷ୍ଟି ହୋଇଛି ବୋଲି କହିଛନ୍ତି ଆମେରିକାର ଗବେଷକ ଫ୍ରାନସେସ୍କୋ ସିଭିଲିନ ନେତୃତ୍ବାଧୀନ ଟିମ ।

ଜର୍ଣ୍ଣାଲ ଅଫ ଜିଓଫିଜିକାଲ ରିସର୍ଚ୍ଚରେ ପ୍ରକାଶିତ ତଥ୍ୟ ଅନୁସାରେ ଚନ୍ଦ୍ରରେ ଜଳବାୟୁ ନାହିଁ । ଫଳରେ ଏହାର ତାପମାତ୍ରା ନିୟନ୍ତ୍ରିତ ହୋଇପାରୁନାହିଁ । ଦିନରେ ଏହାର ତାପମାତ୍ରା ୧୨୦ ଡିଗ୍ରୀ ସେଲସିୟସ ହେଉଥିବାବେଳେ ରାତିରେ ମାଇନସ ୧୩୦ ଡିଗ୍ରୀ ସେଲସିୟସ ହୋଇଯାଉଛି । ଏହି ବ୍ୟାପକ ଅସମାନତା କାରଣରୁ ଚନ୍ଦ୍ରପୃଷ୍ଠ ସଙ୍କୁଚିତ ଓ ସମ୍ପ୍ରସାରିତ ହେଉଛି । ଫଳରେ ଥର୍ମାଲ ମୁନକ୍ବାକ୍‌ ଘଟୁଛି ।

୧୯୭୦ ଦଶକରେ ଆପୋଲୋ ୧୭ ମିଶନରେ ଚନ୍ଦ୍ରପୃଷ୍ଠରେ ରଖାଯାଇଥିବା ସିସମୋମିଟରରୁ ମିଳିଥିବା ତଥ୍ୟ ଆଧାରରେ ଗବେଷକମାନେ ଏହା କହିଛନ୍ତି । ଅନ୍ୟତମ ଗବେଷକ ଆଲେନ ହୁସ୍କର କହିଛନ୍ତି- ପ୍ରତିଟି ସକାଳେ ଯେତେବେଳେ ଲ୍ୟାଣ୍ଡର ସୌରତାପରେ ତାତିଥାଏ ଏବଂ ଏହା ସକ୍ରିୟ ହୋଇଥାଏ । ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ଲାଗି ମହାକାଶ ଗବେଷଣା ସଂସ୍ଥା ଯୋଜନା କରୁଥିବାବେଳେ ଗବେଷକଙ୍କ ଏହି ତଥ୍ୟ ଚିନ୍ତାର କାରଣ ହୋଇଛି । ତାପଜନିତ ସମ୍ପ୍ରସାରଣ ଓ ସଂକୋଚନକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଲ୍ୟାଣ୍ଡର ଓ ଯନ୍ତ୍ରପାତିଗୁଡିକର ଡିଜାଇନ କରାଯିବ ବୋଲି ସୂଚନା ମିଳିଛି ।

ଆଜିଠୁ ୧୦୬୫ ଅଧ୍ୟାପକ ପଦବୀ ନିଯୁକ୍ତି ପାଇଁ ଆବେଦନ

0

ଭୁବନେଶ୍ବର: ୧୦୬୫ ଅଧ୍ୟାପକ ପଦ ପାଇଁ ବିଜ୍ଞପ୍ତି । ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ପୂରଣ ହେବ ପଦବୀ । ଆଜିଠୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଆବେଦନ ।

ଅନୁସୂଚିତ ଜାତି ୧୭୦ ଓ ଅନୁସୂଚିତ ଜନଜାତି ପାଇଁ ୨୩୬ ପଦବୀ ସଂରକ୍ଷିତ ।

’ଯବାନ’ରେ ଏତେ ଝିଅ କାହିଁକି? ଫ୍ୟାନ୍ସଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏମିତି କହିଲେ କିଙ୍ଗ ଖାନ୍

ମୁମ୍ବାଇ: ବକ୍ସ ଅଫିସରେ ଭଲ ରୋଜଗାର କରିବା ସହ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି ବଲିଉଡର କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ ’ଯବାନ’ । ଦର୍ଶକଙ୍କ ମହଲରେ ଏହା ଆଦୃତ ହୋଇଥିବାବେଳେ ସାରା ବିଶ୍ବରୁ ଛୁଟୁଛି ପ୍ରଂଶସାର ସୁଅ । ଫ୍ୟାନ୍ସମାନେ ଶହାରୁଖଙ୍କୁ ଅେନକ ପ୍ରଶ୍ନମାନ ପଚାରିଥିବାବେଳେ ସେ ନିଜର ଉତ୍ତର ରଖିଛନ୍ତି । ଏହିକ୍ରମରେ ଜଣେ ପ୍ରଶଂସକ ପଚାରିଛନ୍ତି କି ’ଯବାନ’ରେ ଏତେ ଝିଅ କାହିଁକି? ଏହି ଫିଲ୍ମରେ ନୟନ ତାରାଙ୍କ ସହ ରିଦ୍ଧି ଡୋଗରା, ପ୍ରିୟା ମଣି, ସାନ୍ୟା ମାଲହୋତ୍ରା, ଲହର ଖାନ ଏବଂ ସଞ୍ଜିତାଙ୍କ ଭଳି ହିରୋଇନ ନଜର ଆସିଛନ୍ତି । ଅନ୍ୟପଟେ ଦୀପିକା ପାଦୁକୋନ ମଧ୍ୟ ନଜର ଆସିଛନ୍ତି ।

ଯାହାକୁ ନେଇ ପ୍ରଂଶସକ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ରଖିଛନ୍ତି ଶାହାରୁଖ ଖାନ । ସେ କହିଛନ୍ତି କି, ମୁଁ ଫିଲ୍ମରେ କେତେଟା ଅବତାରରେ ଆସିଛି ତାକୁ ଲକ୍ଷ୍ୟ କରନ୍ତୁ । ଅଯଥାରେ କାହିଁକି ହିରୋଇନଙ୍କ ଉପରେ ହିସାବ କରୁଛନ୍ତି । ମହିଳାଙ୍କୁ ସମ୍ମାନ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ ।

ମହଙ୍ଗା ପଡ଼ିଲା ଥାନାରେ ପୋଲିସ ଅଫିସରଙ୍କ ଦାଦାଗିରି, SI ନିଲମ୍ବିତ

ଖୋର୍ଦ୍ଧା: ମହଙ୍ଗା ପଡ଼ିଲା ଥାନାରେ ପୋଲିସ ଅଫିସରଙ୍କ ଦାଦାଗିରି। ନିଲମ୍ବିତ ହେଲେ ଜଙ୍କିଆ ଥାନା ଏସଆଇ ନିରଞ୍ଜନ ମହାନ୍ତି। ମଦ ନିଶାରେ ଚୁର୍ ଖାକି ବାବୁଙ୍କ କାରନାମାର ଭିଡିଓ ଭାଇରାଲ୍ ହୋଇଛି। ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଖୋର୍ଦ୍ଧା ଏସପି। ଥାନାରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଲୋକଙ୍କ ମୁଣ୍ଡକୁ ଟେକା ମାରି ଫଟାଇ ଦେଇଥିଲେ ଏସଆଇ।

ଜଙ୍କିଆ ଥାନାରେ କାର୍ଯ୍ୟରତ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଅତ୍ୟଧିକ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇଥିବା ଥାନାରେ ଅଭିଯୋଗ ହୋଇଥିଲା। ବାଲିଗାଡିଆ ଗାଁର ନବକିଶୋର ହରିଚନ୍ଦନ ନିଜର ଜଣେ ସଂମ୍ପର୍କୀୟଙ୍କ ସହିତ ଥାନାକୁ ଯାଇଥିବା ବେଳେ ସବ୍ଇନ୍ସପେକ୍ଟରଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାପରେ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଉତକ୍ଷିପ୍ତ ହୋଇ ନବକିଶୋରଙ୍କ ମୁଣ୍ଡକୁ ଟେକା ଫିଙ୍ଗି ଦେଇଥିଲେ।

ଏନେଇ ଜଂକିଆ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଥାନାକୁ ଯାଇ ପଚରାଉଚରା କରି ବୁଝାବୁଝି କରୁଥିବା ବେଳେ ନିରଞ୍ଜନ ସମିତି ସଭ୍ୟଙ୍କୁ ମଧ୍ୟ ମାଡ ମାରିଥିଲେ। ଘଟଣା ନେଇ ସ୍ଥାନୀୟ ଜଂକିଆ ବାଲିଗାଡିଆ ଲୋକେ ଥାନା ସମ୍ମୁଖରେ ତାଲା ପକାଇ ସବ୍ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ  ।

ରବିନା କହିଲେ ’ଟିପ୍ ଟିପ୍  ବର୍ଷା ପାନି’ ଗୀତର ସଫଳତା ପଛର କାହାଣୀ

ମୁମ୍ବାଇ: ’ଟିପ୍ ଟିପ୍ ବର୍ଷା ପାନି’ ଏହି ଗୀତଟି ବେଶ ହିଟ୍ ହୋଇଛି। ଯାତ୍ରା ପେଣ୍ଡାଲରୁ ଆରମ୍ଭ କରି ମୋଲୋଡି ଆଜି ମଧ୍ୟ ଏହି ଗୀତର ବେଶ ଚାହିଦା ରହିଛି। ତେବେ ଏହି ଗୀତଟି ଦର୍ଶକଙ୍କ ମହଲରେ ଆଦୃତ ହୋଇଥିବାବେଳେ ସଫଳତା ପଛର କାହାଣୀ କହିଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ। ’ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ ଶୋର ସ୍ପେଶାଲ ଏପିସୋଡରେ କୁନି କୁନି ପିଲାମାନେ ଏହି ଗୀତରେ ଠୁମକା ଲଗାଇଥିବାବେଳେ ବେଶ ଖୁସି ହୋଇଥିଲେ ରବିନା। ଏହାସହ ସେ ସଫଳତା ପଛର କଷ୍ଟ କହିଥିଲେ । ଏହି ଗୀତର ସୁଟିଂ କରିବା ପାଇଁ ସେ କେତେ କଷ୍ଟ ସହିଛନ୍ତି ସେ ସମ୍ପର୍କରେ ଜଣାଇଥିଲେ ।

ଗୀତଟି ଏକ ନିର୍ମାଣାଧିନ ବିଲ୍ଡିଂରେ ହୋଇଥିଲା । ସମ୍ପୂର୍ଣ୍ଣ ଗୀତରେ ରବିନା ବର୍ଷାରେ ଭିଜିଥିବାବେଳେ ତାଙ୍କ ପାଦରୋ ଜୋତା କିମ୍ବା ଚପଲ ଦେଖିବାକୁ ମିଳିନାହିଁ । ମାତ୍ର କାମ ଚାଲିଥିବାରୁ ଅନେକ ସ୍ଥାନରେ କଣ୍ଟାସବୁ ପଡ଼ିଥିଲା । ଯାହାକି ମୋ ପାଦରେ ଗଳିଯାଇଥିଲା । ଦୁଇଦିନ ଧରି ସୁଟିଂ ହୋଇଥିବାବେଳେ ବହୁତ କଷ୍ଟ ସହିବାକୁ ପଡ଼ିଛି । ମୁଁ ଟିଟାନସ ଇଞ୍ଜେକ୍ସନ ନେଇ ସୁଟଂ କରିଛି ।

 

 

ଭାରତର ବିଦେଶୀ ଋଣ ୫୦ ଲକ୍ଷ କୋଟିରେ ପହଞ୍ଚିଲା, କେତେ ପ୍ରଭାବିତ ହେବେ ସାଧାରଣ ଲୋକ ?

ନୂଆଦିଲ୍ଲୀ: ଗତବର୍ଷ ଦେଶ ଉପରେ ବିଦେଶୀ ଋଣ ଭାର ବୃଦ୍ଧି ପାଇଥିବା ନେଇ କହିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ  । ଏବେ ପ୍ରଶ୍ନ ଉଠୁଛି ଯେ ବିଦେଶୀ ଲୋନ ବଢିବା ଯୋଗୁଁ ଦେଶର ଅର୍ଥନୀତି ଉପରେ ଏହା ପ୍ରଭାବ ପକାଇଥାଏ କି ? ସାଧାରଣ ଲୋକ ସହ ଏହାର କଣ ସମ୍ପର୍କ ? ଯାହାର ଉତ୍ତକ ଦେବାକୁ ଯାଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆମର ବିଦେଶୀ ଲୋନ ଏବେ ଆୟତ୍ତରେ ଅଛି  । ଅର୍ଥନୀତିକୁ ନେଇ କୌଣସି ଚିନ୍ତାଜନକ ସ୍ଥିତି ଆସିନାହିଁ  ।

ଗତ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବିଦେଶୀ ଋଣ ବଢି ୬୨୪ ଡଲାର ଅର୍ଥାତ୍‌ ୫୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା  । ଏହା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଠାରୁ ଅଧିକ  । ସେପଟେ ଅର୍ଥନୀତି ଅନୁପାତରେ ଦେଖିଲେ ବିଦେଶୀ ଋଣ ୫.୪ ପ୍ରତିଶତରେ ପହଞ୍ଚିଛି  । ୨୦୨୧-୨୨ ମୁକାବଲାରେ ୨୦୨୨-୨୩ରେ ବାହାର ଋଣ ୦.୯ ପ୍ରତିଶତରେ ପହଞ୍ଚିଛି  । ଯାହାକି ପାଖାପାଖି ୫.୬ ଆରବ ଡଲାର  । ଯଦି ମାର୍ଚ୍ଚରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁପାତ ଦେଖାଯାଏ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବମୋଟ ଋଣର ୯୨.୬ ପ୍ରତିଶତ ଥିଲା  ।

ରିପୋର୍ଟ ମୁତାବକ ମହାମାରୀ ପରେ ସମଗ୍ର ଦୁନିଆରେ ଋଣର ସୁଧ ବଢିଯାଇଛି  । ଯାହାର ପ୍ରଭାବ ଭାରତ ଉପରେ ବି ପଡିଛି  । ଋଣ ସୁଝିବା ପାଇଁ ସୁଧ ଦର ଯାହା ଗତବର୍ଷ ୫.୨ ପ୍ରତିଶତ ଥିଲା ତାହା ଏବେ ୫.୩ ପ୍ରତିଶତରେ ପହଞ୍ଚିଛି  ।

ସେହିପରି ଅର୍ଥବ୍ୟବସ୍ଥାରେ ଯଦି ବିଦେଶୀ ଋଣ ଭାର ବଢିଥାଏ ଏହା ଦେଶର ସଭରେନ ରେଟିଂ ଉପରେ ପ୍ରଭାବ ପକାଇଥାଏ  । ଖାସ କରି ବିକାଶଶୀଳ ଅର୍ଥବ୍ୟବସ୍ଥା ଉପରେ ଏହାର ସର୍ବାଧିକ ପ୍ରଭାବ ପଡିଥାଏ । ଯଦି ବିଦେଶୀ ଋଣ ଡିଫଲ୍ଟ ହୋଇଯାଏ ସଭରେନ ରେଟିଂ ସହ ଋଣ ମିଳିବାର ରାସ୍ତା ବନ୍ଦ ହୋଇଯାଏ  । ଏହାଦ୍ବାରା ଦେଶର ବିକାଶ ଦର ପ୍ରଭାବିତ ହୋଇଥାଏ  ।

ସେହିପରି ବିଦେଶୀ ନିବେଶକଙ୍କ ପାଖକୁ ନକରାତ୍ମକ ବାର୍ତ୍ତା ଯାଇଥାଏ  । ଏହାର ପ୍ରଭାବ ଉଦ୍ଦ୍ୟୋଗୀ ଓ ପ୍ରୋଜେକ୍ଟ ଉପରେ ପଡିଥାଏ  । ଫଳରେ ରୋଜଗାରର ସୁଯୋଗ କମ ହୋଇଯାଏ । ଋଣ ଡିଫଲ୍ଟ ହେବା ଯୋଗୁଁ ଏହାକୁ ସୁଝିବା ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥାଏ  । ଯେଉଁଥିପାଇଁ ସରକାରଙ୍କ ରାଜସ୍ବ ପ୍ରଭାବିତ ହୋଇଥାଏ  । ଏଣୁ ସରକାର ସାଧାରଣ ଲୋକଙ୍କ ପାଇଁ ଥିବା ଯୋଜନାରେ କାଟ୍‌ଛାଟ୍‌ କରିବା ପାଇଁ ବାଧ୍ୟ ହୋଇଥାନ୍ତି  ।

 

ମାଲକାନଗିରିରେ ମୂଳପୋଛ ହେବ ମିଳିମିଳା ଓ ରୁବେଲା, ୧୨୬୦ ଶିଶୁଙ୍କ ହେବା ଟୀକାକରଣ

ମାଲକାନଗିରି: ଜିଲ୍ଲାରେ ଆରମ୍ଭ ହେଲା ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ । ମିଳିମିଳା ଓ ରୁବେଲା ଭଳି ରୋଗକୁ ଦେଶରୁ ମୂଳପୋଛ କରିବା ପାଇଁ ରାଜ୍ୟ ବ୍ୟାପୀ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। ଆଜି ମାଲକାନଗିରିରେ ମଧ୍ୟ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହେଇଥିବା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ। ଏହି ଟୀକାକରଣ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାରେ ୪୪୫ ଗର୍ଭବତୀ ଓ ୧୨୬୦ ଶିଶୁଙ୍କୁ ଟୀକାକରଣ କରିବାର ଲକ୍ଷ୍ୟ ରହିଛି । କାର୍ଯ୍ୟକ୍ରମରେ ସମସ୍ତେ ସହୋଯୋଗ କରି ଟୀକାକରଣକୁ ସଫଳ କରିବାକୁ ସିଡିଏମଓ ଅନୁରୋଧ କରିଛନ୍ତି ।

 ଭାରତ ପାକିସ୍ତାନ ମ୍ୟାଚ୍ ବାତିଲ ହେଲେ କାହାକୁ ମିଳିବ ଫାଇଦା ?

ନନ୍ଦିଘୋଷ ବ୍ୟୁରୋ: ରିଜର୍ଭ ଡେରେ ଖେଳାଯିବାକୁ ଯାଉଛି ଭାରତ-ପାକିସ୍ତାନ ମ୍ୟାଚ । ସୋମବାର ଏହି ହାଇଭୋଲଟେଜ ମ୍ୟାଚ ଅନୁଷ୍ଠିତ ହେବ । ରବିବାର ଭାରତ ପ୍ରଥମ ବ୍ୟାଟିଂ କରିଥିବାବେଳେ ବର୍ଷା ବାଧକ ସାଜିଥିଲା । ବାକି ବାକି ସୋମବାର ଖେଳଯିବ । ସେପଟେ କିନ୍ତୁ ସୋମବାର ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ପୁଣି ବର୍ଷା ହୁଏ ଏବଂ ମ୍ୟାଚ ବାତିଲ ହୁଏ ତାହେଲେ କଣ ହେବ?

ପାକିସ୍ତାନ ସୁପର-୪ ପର୍ଯ୍ୟାୟ ପ୍ରଥମ ମ୍ୟାଚ ବାଲାଂଦେଶ ବିପକ୍ଷରେ ବିଜୟ ହାସଲ କରିଥିବାବେଳେ ଭାରତ ବିପକ୍ଷରେ ନିଜର ଦ୍ବିତୀୟ ମ୍ୟାଚ ଖେଳୁଛି । ସୋମବାର ବର୍ଷା ହେବାର ୯୦ ପ୍ରତିଶତ ରହିଥିବାବେଳେ ଯଦି ମ୍ୟାଚ ଶେଷ ପର୍ଯ୍ୟାୟରେ ଖେଳାଯାଏ ତାହେଲେ ପାକିସ୍ତାନ ୨୦ ଓଭରରେ ୧୮୧ ରନର ବିଜୟ ଲକ୍ଷ୍ୟ ରହିବ । ସବୁଠାରୁ ବଡ଼ କଥା ହେଉଛି କି, ଯେଉଁଦଳ ହାରିବ ସେହି ଦଳ ଫାଇନାଲରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଯିବ ।

ପାକିସ୍ତାନ ଏବଂ ଶ୍ରୀଲଙ୍କା ଗୋଟିଏ ଲେଖାଏଁ ମ୍ୟାଚ ଖେଳିଥିବାବେଳେ ୨ ପଏଣ୍ଟ ପାଇଛନ୍ତି । ଯଦି ଆଜି ଭାରତ ହାରିଯାଏ ତାହେଲେ ଫାଇନାଲକୁ ଯିବା କଷ୍ଟସାଧ୍ୟ ହୋଇଯିବ ।

କଲମ୍ବୋରେ ଏବେ ପ୍ରତିଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଯଦି ସମସ୍ତ ମ୍ୟାଚ ବାତିଲ ହୁଏ ତାହେଲେ ପାକିସ୍ତାନ ୫ ପଏଣ୍ଟ ପାଇବ । ଶ୍ରୀଲଙ୍କା ୪ ପଏଣ୍ଟ ପାଇବ । ଏବଂ ଭାରତ ୩ ପଏଣ୍ଟ ପାଇବ । ସୁପର-୪ ପର୍ଯ୍ୟାୟରେ ପ୍ରତି ଦଳ ୩ଟି ଲେଖାଏଁ ମ୍ୟାଚ ଖେଳିବାକୁ ଥିବାବେଳେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଲେଣି । ଏଣୁ ଭାରତର ସମସ୍ତ ମ୍ୟାଚ ବାତିଲ ହେଲେ ୩ ପଏଣ୍ଟ ସହ ଫାଇନାଲ ଆଶା ହରାଇବାକୁ ପଡ଼ିବ । ଶ୍ରୀଲଙ୍କା ଏବଂ ପାକିସ୍ତାନ ଫାଇନାଲରେ ପ୍ରବେଶ କରିବେ ।

 

 

ଆଣ୍ଡ୍ରଏଡ ୟୁଜରଙ୍କ ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର, ହାଇରିସ୍କରେ ଏହି ଡିଭାଇସ

0

ନୂଆଦିଲ୍ଲୀ: ଆଣ୍ଡ୍ରଏଡ ଫୋନ ବ୍ୟବହାରୀକାରୀ ସାବଧାନ । ହ୍ୟାକ୍‌ ହୋଇପାରେ ଆପଣଙ୍କ ସମ୍ପୂର୍ଣ୍ଣ ତଥ୍ୟ । ଏନେଇ କେନ୍ଦ୍ର ସରକାରଙ୍କ ସାଇବର ନିରାପତ୍ତା ସଂସ୍ଥା କମ୍ପ୍ୟୁଟର ଏମର୍ଜେନସି ରେସପନ୍ସ ଟିମ୍ ବା CERT-In ପକ୍ଷରୁ ଜାରି କରାଯାଇଛି ସତର୍କତା । ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମରେ ତଥ୍ଯ ହ୍ଯାକ ଲାଗି ବ୍ୟାପକ ଦୁର୍ବଳତା ରହିଛି ବୋଲି କହିଛି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଅଧୀନସ୍ଥ ସିଇଆରଟି ।

ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି- ଆଣ୍ଡ୍ରଏଡ ଫୋନରେ ୟୁଜରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା, ରିମୋଟ କୋଡ କିମ୍ବା ଅନ୍ଯାନ୍ୟ କ୍ଷେତ୍ରରେ ବହୁଳ ବିପଦ ରହିଛି । ଏସବୁକୁ ହାଇରିସ୍କ ବୋଲି ଦର୍ଶାଇଛି ସିଇଆରଟି । ଆଣ୍ଡ୍ରଏଡ 11, ଆଣ୍ଡ୍ରଏଡ 12 ଓ ଆଣ୍ଡ୍ରଏଡ 13ରେ ପରିଚାଳିତ ଆଣ୍ଡ୍ରଏଡ ଡିଭାଇସ ଉପରେ ବିଶେଷ ବିପଦ ରହିଛି । ଫ୍ରେମଓ୍ବର୍କ, ସିଷ୍ଟମ, ଗୁଗଲ ପ୍ଲେ ସିଷ୍ଟମ, କ୍ବାଲକମ୍ କମ୍ପୋନେଣ୍ଟ ଓ କ୍ବାଲକମ କ୍ଲୋଜଡ ସୋର୍ସ କମ୍ପୋନେଣ୍ଟ କ୍ଷେତ୍ରରେ ବି ବିଶେଷ ଦୁର୍ବଳ ଥିବାରୁ ତଥ୍ଯ ହ୍ଯାକ ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଇଛି ।

ଏହି ଅପରେଟିଂ ସିଷ୍ଟମରେ ବିଶେଷ ଦୁର୍ବଳ ରହିଥିବା କମ୍ପୋନେଣ୍ଟ ମଧ୍ଯରେ ରହିଛି CVE-2022-40534, CVE-2023-21646, CVE-2023-21653 ସମେତ ପ୍ରାୟ 32ଟି କମ୍ପୋନେଣ୍ଟ । ତେବେ ହ୍ୟାକର ମାନଙ୍କଠାରୁ କିପରି ସୁରକ୍ଷିତ ରହିବେ ସେଥିଲାଗି ଗାଇଡ ଲାଇନ ଜାରି କରିଛି ସିଇଆରଟି । ତାହା ହେଲା- ଡିଭାଇସକୁ ଅପଡେଟ କରିବେ । ଡିଭାଇସ ପ୍ରସ୍ତୁତକାରୀ ବା ଓଇଏମ ଦ୍ବାରା ଉପଲବ୍ଧ ସିକ୍ଯୁରିଟି ଅପଡେଟ ଓ ପ୍ଯାଚଗୁଡିକ ଲାଗି ଆବେଦନ କରିବେ । ଆଣ୍ଡ୍ରଏଡ ଫୋନରେ କଣ କଣ ଦୁର୍ବଳତା ରହିଛି ତାହା ଜାଣିବା ଲାଗି ଏହି ଅପଡେଟ ସହାୟକ ହେବ ।