ଢ଼େଙ୍କାନାଳ: ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ଅସଦାଚରଣ । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବିତ ହେଲେ ଶିକ୍ଷକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଖଇରପଶି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତ୍ରିନାଥ ବିଶ୍ବାଳ ନିଲମ୍ବିତ ହୋଇଛନ୍ତି । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ହିନ୍ଦୋଳ ଏସଡିପିଓ ମାମଲାର ତଦନ୍ତ କରିଥିଲେ । ସ୍କୁଲ ପରିସରରେ ତଦନ୍ତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଥିଲେ । ଶିକ୍ଷକଙ୍କ ଏଭଳି ଆଚରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି ତ୍ରିନାଥଙ୍କୁ ସସପେଣ୍ଡ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିବା ସହ ମିଥ୍ୟା ଆରୋପ ଲଗାଯାଇଥିବା ନିଲମ୍ବିତ ଶିକ୍ଷକ କହିଛନ୍ତି ।
ବାବା ଆଖଣ୍ଡଳମଣୀଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଭାସୁଛନ୍ତି ବଡ଼ ମଲା ମାଛ
ଭଦ୍ରକ: ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଭାସୁଛନ୍ତି ବଡ଼ବଡ଼ ମାଛ । ଗୋଟିଏ ଗୋଟିଏ ମାଛର ଓଜନ ୫ରୁ ୬କିଲୋଗ୍ରାମ । ଭାସୁଥିବା ମାଛକୁ ଧରିନେଉଛନ୍ତି ସ୍ଥାନୀୟ ଲୋକ । କେହି ଦୁର୍ବୁତ୍ତ ପୋଖରୀରେ ବିଷ ପକାଇବା ବା ଚିଙ୍ଗୁଡ଼ିଘେରିରର ରସାୟନିକ ପାଣି ଜୁଆର ସମୟରେ ପ୍ରବେଶ କରି ଏଭଳି ହୋଇଥିବା ଆଶଙ୍କା କରାଯାଉଛି । ବିଷକ୍ରିୟା ଯୋଗୁ ମାଛ ଗୁଡ଼ିକ ସଜ୍ଞାହୀନ ହୋଇ ଭାସୁଥିବା ଜଣାପଡ଼ିଛି । ଏନେଇ ଆରଡି ଫାଣ୍ଡିରେ ଅଭିଯୋଗ କରିଛି ମନ୍ଦିର ପ୍ରଶାସନ । ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ମାଛ ଧରିବାକୁ ବାରଣ କରାଯାଇଛି ।
ପଣ୍ଡ ହେଲା ମାଓ ଷଡ଼ଯନ୍ତ୍ର , ରେଳଧାରଣା ନିକଟରୁ ଜବତ ହଲା ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍
ସୁନ୍ଦରଗଡ଼: ପଣ୍ଡ ହେଲା ମାଓ ଷଡ଼ଯନ୍ତ୍ର । ଟଳିଗଲା ବଡ଼ ଧରଣର ବିପଦ । ରେଳଧାରଣା ନିକଟରୁ ଜବତ ହୋଇଛି ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ । ସୁନ୍ଦରଗଡ଼ ଜିଲ୍ଲା ତଥା କୋଇଡା ଥାନା ଟୋପାଡିହି ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ ଜବତ କରିଛନ୍ତି ଡିଭିଏଫ ଯବାନ । ସ୍ଥାନୀୟ ପୋଲିସ ଓ ଡିଭିଏଫ୍ ଯବାନ ମିଳିତ ସର୍ଚ୍ଚ ଅପରେସନ୍ବେଳେ ଲ୍ୟାଣ୍ଡମାଇନ୍କୁ ଠାବ କରାଯାଇଥିଲା । ପରେ ବୋମା ନିଷ୍କ୍ରିୟ ଟିମ୍ ନିକଟସ୍ଥ ଜଙ୍ଗଲରେ ଏହାକୁ ନିଷ୍କ୍ରିୟ କରିଦେଇଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସିଆରଏଫ୍ ଓ ଆରପିଏଫ୍ ଯବାନ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି । ଗତ ସପ୍ତାହେ ମଧ୍ୟରେ ନକ୍ସଲମାନଙ୍କ ଗୁଳିରେ ତିନି ଯବାନ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ । ଅନ୍ୟ ଦୁଇଜଣ ବିହାର ଓ ଝାଡ଼ଖଣ୍ଡର । ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି । ଯବାନମାନେ ୧୧ରୁ ଅଧିକ ନକ୍ସଲ ବଙ୍କର ଧ୍ବଂସ କରିଛନ୍ତି । ଭଉୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୋଲିସ ମୋଷ୍ଟଓ୍ବାଣ୍ଟେଡ୍ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ମିସରି ବେସ୍ରାକୁ ଧରିବାକୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର
ମାଲକାନଗିରି: ମାଲକାନଗିରିରେ ଡ୍ରଗ୍ସ ରାକେଟ୍ । ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର । କାଲିମେଳା NH 326ରେ ଯାଞ୍ଚବେଳେ ଡ୍ରଗ୍ସ କାରବାରରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ପ୍ରଥମେ ୫୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଅଧିକ ପଚରାଉଚରା କରିବାପରେ ସେମାନେ ଡ୍ରଗ୍ସ କାରବାରରେ ମଧ୍ୟ ସଂପୃକ୍ତ ଥିବା ଜଣାପଡ଼ିଥିଲା । ଅଭିଯୁକ୍ତଙ୍କ ନିକଟରୁ ୧ ଦଶମିକ ୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ୫ ଅଭିଯୁକ୍ତ ରାଜ୍ୟ ବାହାରର ହୋଇଥିବାବେଳେ ଜଣେ ମାଲକାନଗିରିର ହୋଇଥିବା ସୂଚନା ମିଳିଛି । ଦୁଇଟି କାର ସହିତ ନଗଦ ୧ଲକ୍ଷ ୪୬ହଜାର ଟଙ୍କା ଜବତ ପୋଲିସ ତଦନ୍ତ ଜାରି ରଖିଛି । କେଉଁକେଉଁ ଅଞ୍ଚଳରେ ଅଭିଯୁକ୍ତମାନେ ଗଞ୍ଜେଇ ଓ ଡ୍ରଗ୍ସ କାରବାର ଚଳାଇଥିଲେ ସେନେଇ ଅଧିକ ତଦନ୍ତ କରାଯାଉଛି । ରାଜ୍ୟ ବାହାରର ଅଭିଯୁକ୍ତ ଏଥିରେ ସଂପୃକ୍ତ ଥିବାରୁ ଏକ ଆନ୍ତଃରାଜ୍ୟ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି ।
ଡୋପ୍ ଟେଷ୍ଟରେ ବିଫଳ ପରେ ୪ ବର୍ଷ ବାସନ୍ଦ ହେଲେ ଧାବିକା ଦୂତି ଚାନ୍ଦ
ଭୁବନେଶ୍ବର: ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦଙ୍କୁ ବଡ଼ ଝଟକା । ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଦୂତି ଚାନ୍ଦ । ଫଳରେ ୪ ବର୍ଷ ପାଇଁ ସେ ବାସନ୍ଦ ହୋଇଛନ୍ତି । ଗତ ଜାନୁଆରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଅବଧି ଲାଗୁ ହେବ । ଏହି ତାରିଖଠୁ ବର୍ତ୍ତମାନ ମଧ୍ୟରେ ଦୂତି ଯେଉଁ ଇଭେଣ୍ଟ ଗୁଡ଼ିକରେ ଅଂଶଗ୍ରହଣ କରିଥିବେ, ତାହାର ପ୍ରଦର୍ଶନ ଗୁଡ଼ିକୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି କହିଛି ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ । ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ୍ ଆଗରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି। ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତି ନିଷିଧ ଔଷଧ ସେବନକୁ ଅସ୍ବୀକାର କରିଥିଲେ ତଥାପି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରି ପାରିନଥିଲେ । ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସିର ଧାରା ୨.୧, ୨.୨କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ୪ ବର୍ଷ ବାସନ୍ଦ କରାଯାଇଛି ।
ବିଶ୍ବବ୍ୟାପି କଲେକ୍ସନ, ’ଗଦର-୨’ଠାରୁ ଆଗରେ ରହିଛି ’ଜେଲର’
ନନ୍ଦିଘୋଷ ବ୍ୟୁରୋ: ବକ୍ସ ଅଫିସରେ ରାଜ କରୁଛି ’ଗଦର-୨’ । ସନ୍ନି ଦେଓ୍ବଲଙ୍କ ଅଭିନୀତ ଏହି ଫିଲ୍ମକୁ ସଫଳତା ମିଳିଥିବା ସହ ଭଲ ରୋଜଗାର ମଧ୍ୟ କରୁଛି । ଭାରତରେ ଏହି ଫିଲ୍ମ ବ୍ୟବସାୟ ଭଲ କରିଛି । କିନ୍ତୁ ବିଶ୍ବବ୍ୟାପୀ କଲେକ୍ସନରେ ରଜନୀକାନ୍ତଙ୍କ ଫିଲ୍ମ ’ଜେଲର’ଠାରୁ ପଛରେ ରହିଛି ’ଗଦର-୨’ । ଜେଲର ରିଲିଜର ଅଷ୍ଟମ ଦିନ ସୁଦ୍ଧା ବିଶ୍ବବ୍ୟାପି ୪୧୬ କୋଟି ଟଙ୍କା ରୋଜଗାର କରିପାରିଛି । କିନ୍ତୁ ଏଯାବତ ’ଗଦର-୨’ ୩୩୮.୫ କୋଟି ଟଙ୍କା ଆୟ କରିପାରିଛି । ରିଲିଜର ଅଷ୍ଟମ ଦିନରେ ଅଥବା ଗୁରୁବାର ଭାରତରେ ଜେଲର ୧୦ କୋଟି ଟଙ୍କା ଆୟ କରିପାରିଛି । ସେପଟେ ବିଶ୍ବବ୍ୟାପୀ କଲେକ୍ସନରେ କମଲ ହାସନଙ୍କ ଫିଲ୍ମ ’ବିକ୍ରମ’କୁ ପଛରେ ପକାଇଛି ଜେଲର । ବିକ୍ରମ ୪୧୦ କୋଟି ରୋଜଗାର କରିଥିବାବେଳେ ଜେଲର ଏଯାବତ ୪୧୬ କୋଟି ସଂଗ୍ରହ କରିପାରିଛି ।
ଆଜି ଭାରତ- ଆୟାରଲ୍ୟାଣ୍ଡ ପ୍ରଥମ ଟି-୨୦
ନନ୍ଦିଘୋଷ ବ୍ୟୁରୋ: ଆାଜି ଆୟାରଲ୍ୟାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବ ବୁମରା ବାହିନୀ । ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବହୁ ଯୁବ ଖେଳାଳି ଡେବ୍ୟୁ କରିବାକୁ ଯାଉଛନ୍ତି । ଦୀର୍ଘ ୧୧ ମାସ ପରେ ମଇଦାନକୁ ଫେରିଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରିଶ ବୁମରା । ଦିନିକିଆ ବିଶ୍ବକପ୍ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟ୍ନେସ୍ ଓ ଲୟର ବଡ଼ ପରୀକ୍ଷା ନେବ। ଆଇପିଏଲ୍ ପ୍ରଦର୍ଶନ ପରେ ଏହି ପରବର୍ତୀ ପିଢ଼ିର କ୍ରିକେଟ୍ରଙ୍କ ମଧ୍ୟରେ ରହିଛନ୍ତି ଋତୁରାଜ ଗାଏକ୍ବାଡ୍, ରିଙ୍କୁ ସିଂହ, ଜିତେଶ ଶର୍ମା। ବୁମରାଙ୍କ ରଣ କୌଶଳ ଓ ନେତୃତ୍ବ ମଧ୍ୟ କିଭଳି ରହୁଛି ତାହା ଅନ୍ୟତମ ଆଲୋଚନା ପରିସରଭୁକ୍ତ ରହିଛି।
ଦେବଭୂମିରେ ପ୍ରକୃତିର ତାଣ୍ଡବ, ୫ ଦିନର ପ୍ରଳୟରେ ସବୁ ଛାରଖାର
ନନ୍ଦିଘୋଷ ବ୍ୟୁରୋ: ଦେବ ଭୂମିରେ ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶରେ ହାହାକାର । ୫ ଦିନର ପ୍ରଳୟରେ ନିଜ ଆତ୍ମିୟସ୍ବଜନଙ୍କ ମୃତଦେହ ଖୋଜୁଛନ୍ତି ସମ୍ପର୍କୀୟ । ସିମଲାର ସମରହିଲ ଅଞ୍ଚଳରେ ୧୪ ଅଗଷ୍ଟରେ ଘଟିଥିବା ଭୂସ୍ଖଳନ ଅନେକଙ୍କୁ କରିଦେଇଛି ଅନାଥ । ଉଜାଡି ଦେଇଛି ଅନେକଙ୍କ ପରିବାର । ଏହାପରେ ବି ଶାନ୍ତ ପଡିନି ପ୍ରକୃତିର ତାଣ୍ଡବ । ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘଟୁଛି ଅଘଟଣ । ୧ ହଜାରରୁ ଅଧିକ ଘର ଧସିଯାଇଛି । ମୃତ୍ୟୁ ସଂଖ୍ୟା ୮୦ରୁ ଅଧିକ ହୋଇଥିବାବେଳେ ଆହୁରି ଅନେକ ଶବ ମାଟିତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି । ମହାବିପତ୍ତି ପରେ ଚାଲିଛି ରେସ୍କ୍ୟୁ ଅପରେସନ । ସିମଲାର ସମରହିଲ, କାଙ୍ଗ୍ରା ଜିଲ୍ଲାର ଇନ୍ଦୋରା ଓ ଫତେପୁରରେ ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟାନ୍ୟ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଳୟର କରାଳ ରୂପରେ ଉତ୍ତରାଖଣ୍ଡ ବି ଥରହର ହୋଇଉଠିଛି । ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଡେରାଡୁନର ଲାଙ୍ଘା ଲଖନରେ ଜାରି ରହିଛି ରେସ୍କ୍ୟୁ ଅପରେସନ । ଋଷିକେଶସ୍ଥିତ ରାମ ଝୁଲାରେ ଫାଟ ଦେଖାଦେବାରୁ ରାମ ଝୁଲାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ଡେରାଡୁନର ଜଖନରେ ବି ଧସିଯାଇଛି ବହୁ ଘର ।
ମିଶନ ଚନ୍ଦ୍ରଯାନ, ଆଜି ଆଉ ଏକ ସଫଳତାର ପାହାଚ ଅତିକ୍ରମ କରିବ ଇସ୍ରୋ
ନନ୍ଦିଘୋଷ ବ୍ୟୁରୋ: ମିଶନ ଚନ୍ଦ୍ରଯାନ । ଆଉ ଏକ ପାହାଚ ଚଢିବ ଇସ୍ତ୍ରୋ । ଆଜି ଅପରାହ୍ନ ୪ଟାରେ ଲୋୟର ଅର୍ବିଟରେ କରାଯିବ ଡିବୁଷ୍ଟିଂ । ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । ସେଥିରୁ ପ୍ରଜ୍ଞାନ ବାହାରକୁ ଆସି ଚନ୍ଦ୍ର ପୃଷ୍ଟରୁ ପଠାଇବ ଆବଶ୍ୟକୀୟ ସୂଚନା । ଚନ୍ଦ୍ରପୃଷ୍ଠରେ ବୁଲି କରିବ ଗବେଷଣା । ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏ କ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ । ସେପଟେ ଚନ୍ଦ୍ର ଚାରିପାଖେ ଘୂରି ପୃଥିବୀର ଜଳବାୟୁ ଗବେଷଣା କରିବ ପ୍ରପଲସନ ମଡ୍ୟୁଲ ।
ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା, ୧୦ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ
ଭୁବନେଶ୍ବର: ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଜି ବି ୧୦ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି । ନୂଆପଡା, ବଲାଙ୍ଗୀର, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କନାଳ, ଦେବଗଡ, ନୟାଗଡ଼, ପୁରୀ ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହୋଇପାରେ । ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା, ମିବା ସହିତ ଟ୍ରାଫିକ ସମସ୍ୟା ସୃଷ୍ଟିହେବ । ଘଣ୍ଟା ପ୍ରତି ୪୦ରୁ କିଲୋମିଟର ବେଗରେ ପବନ ବହିବ । ସେହିପରି ଯାଜପୁର, ଭଦ୍ରକ, କୋରାପୁଟ, ମାଲକାନଗିରି, ଗଞ୍ଜାମ, କେନ୍ଦ୍ରାପଡ଼ା, କେନ୍ଦୁଝର ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ବରର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ଲଗୁଚାପକୁ ନଜରରେ ରଖି ସମୁଦ୍ର ମଧ୍ୟକୁ ମାତ୍ସଜୀବିଙ୍କୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଶନିବାର ଠାରୁ ବର୍ଷା ପରିମାଣ କମିପାରେ ବୋଲି କହିଛି ପାଣିପାଗ ବିଭାଗ ।

