spot_img
Home Blog Page 2777

ବିବାହ ପ୍ରସ୍ତାବ ପଡିଲେ ସିକିଲ ସେଲ ପରୀକ୍ଷା ବାଧ୍ୟତାମୂଳକ, ୨୦ ଜିଲ୍ଲାରେ ପ୍ରଥମେ ଆରମ୍ଭ

ଭୁବନେଶ୍ବର: ୨୦୪୭ ସୁଦ୍ଧା ଦେଶ ହେବ ସିକଲ ସେଲ ମୁକ୍ତ । ଏ ନେଇ କେନ୍ଦ୍ର ସରକାର ଓଡ଼ିଶାର ୨୦ ଜିଲ୍ଲାରେ ରାଜ୍ୟ ସହାଭାଗିତାରେ ଆରମ୍ଭ କରିବେ ସିକଲ ସେଲ ପରୀକ୍ଷା । ତେବେ ଅନ୍ୟ ୧୦ ଜିଲ୍ଲାରେ ନିଜସ୍ୱ ଅର୍ଥରୁ ରାଜ୍ୟ ସରକାର ପରୀକ୍ଷା କରିବେ ।

୨୫ ବର୍ଷ ବୟସ୍କ ପିଲାଙ୍କ ହେବ ସିକିଲ ସେଲ ପରୀକ୍ଷା । ଏହି ରୋଗ ଯେପରି ଆଗାମୀ ପିଢ଼ିକୁ ନ ବ୍ୟାପେ, ସେଥିପାଇଁ ମ୍ୟାଚ ମେକିଙ୍ଗ କରାଯିବ । ସିକଲ ସେଲ ଥିବା ଲୋକଙ୍କୁ ଜାରି ହେବ କାର୍ଡ । ଯେବେ ସେମାନଙ୍କ ବିବାହ ପ୍ରସ୍ତାବ ପଡିବ, ଆଗ ଏହି କାର୍ଡକୁ ମ୍ୟାଚ କରାଯିବ । ଯଦି ଉଭୟଙ୍କ ସିକଲ ସେଲ ରୋଗ ଥିବ ତେବେ ବିବାହ ନ କରିବାକୁ ପରାମର୍ଶ ଦିଆଯିବ ।

ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଖୁସି ଖବର, ଘୁଞ୍ଚିଲା ‘ଗୁରୁବ୍ରହ୍ମା ସମ୍ମାନ’ ଆବେଦନର ଶେଷ ତାରିଖ  

ଭୁବନେଶ୍ବର: ଗୁରୁମାନଙ୍କୁ ସମ୍ମାନ ଜଣାଇବାକୁ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛି  । ଗୁରୁ ଦିବସ ଉପଲକ୍ଷେ ଗୁରୁ ମାନଙ୍କୁ ଗୁରୁବ୍ରହ୍ମା ସମ୍ମାନ ପ୍ରଦାନ କରିବେ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି । ଆଗ୍ରହୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ nandighoshatv.com ରେ login କରନ୍ତୁ  ।

ଅଥବା offline ରେ ବି ଆବେଦନ କରିପାରିବେ  । ଆବେଦନ କରିବାର ଶେଷ ତାରିଖ ହେଉଛି ୨୦ ଅଗଷ୍ଟ ୨୦୨୩ । ଉପଯୁକ୍ତ ଆଶାୟୀଙ୍କୁ ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯିବ  ।

ଆଈକୁ ବୀଭତ୍ସ ହତ୍ୟା କଲା ଫେରାର କଏଦୀ, ଦୁଷ୍କର୍ମ ଅଭିଯୋଗରେ ସଜା କାଟୁଥିଲା

ଜଗତସିଂହପୁର: ଗଦେଇଗିରି ଗାଁରେ ଫେରାର କଏଦୀର ନାରକୀୟ କାଣ୍ଡ । ନିଜ ଆଈ ମା’ଙ୍କୁ ବୀଭତ୍ସ ହତ୍ୟା କରିଛି ଅଭିଯୁକ୍ତ । ଶରୀରରୁ ମୁଣ୍ଡ ଗଣ୍ଡି ଅଲଗା କରିଦେଇଛି ହତ୍ୟାକାରୀ । ଏହାକୁ ବିରୋଧ କରିବାରୁ ଦୁଷ୍କର୍ମରେ ଶିକାର ହୋଇଥିବା ପିଡୀତାର ମା’ ସନ୍ଧ୍ୟାରାଣୀ ଦାସ ଓ ପଡୋଶୀ ହେମଲତା ଦାସ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଗୁରୁତରଙ୍କୁ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁକ୍ତ ଜୀବନଜ୍ୟୋତି ସାହୁ ଓରଫ ସମୀରକୁ ଗିରଫ କରିଛି । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଜବତ କରିଛି । ଅଭିଯୁକ୍ତ ଜୀବନଜ୍ୟୋତି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇ ଜେଲରୁ ଫେରାର ହୋଇଯାଇଥିଲା । ଜେଲରୁ ଫେରିବା ପରେ ଏଭଳି କାଣ୍ଡ ଭିଆଇଛି ଅଭିଯୁକ୍ତ ।

ବାଲେଶ୍ବରରେ ସ୍ବାମୀ ସ୍ତ୍ରୀକୁ ଉଠାଇ ନେଲା ବନ ବିଭାଗ, ସାପ ବିଷ ରାକେଟ ଚଳାଇଥିଲେ !

ବାଲେଶ୍ବର: ପଞ୍ଚୁପାଲୀରେ ବାଲେଶ୍ବର ବନଖଣ୍ଡର ଚଢ଼ାଉ । ବନଖଣ୍ଡ ଓ ସ୍ନେକ ହେଲପଲାଇନର ମିଳିତ ଚଢ଼ାଉରେ ଜବତ ହୋଇଛି ୨୬ଟି ନାଗ ସାପ । ସ୍ବାମୀ ଓ ସ୍ତ୍ରୀକୁ ଉଠେଇ ନେଲା ବନ ବିଭାଗ । ବାଲେଶ୍ବର ଏସିଏଫଙ୍କ ନେତୃତ୍ବରେ ରେଡ୍ ହୋଇଛି । ସ୍ବାମୀ ସ୍ତ୍ରୀ ସାପ ବିଷ ରାକେଟ ଚଳାଇ ଥିବା ସନ୍ଦେହ କରାଯାଉଛି ।

 

 

ଛାଡପତ୍ର ପରେ ବି ପତ୍ନୀ ପ୍ରେମିକଙ୍କୁ ଛାଡିଲାନି ପୂର୍ବତନ ସ୍ବାମୀ

ସମ୍ବଲପୁର: ଚାରମାଳ ଥାନା କ୍ଷେତିନାଳି ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ବାମୀ । ଦୁଇ ବର୍ଷ ହେଲା ଘର ଛାଡି ପ୍ରେମିକ ସହ ରହୁଥିଲେ ସଂପୃକ୍ତ ମହିଳା ।

ହେଲେ ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କୁ ଗାଁରେ ଦେଖି ମହିଳାଙ୍କ ସ୍ବାମୀ ଗୁଳି କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପ୍ରେମିକ ପଙ୍କଜ ଦେହୁରୀଙ୍କୁ ପ୍ରଥମେ ଭୀମସାର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗାଧୋଉଥିବା ବେଳେ ମହିଳାଙ୍କୁ ଝାମ୍ପି ମାରିଲା କୁମ୍ଭୀର

ଯାଜପୁର: ବରୀ ବ୍ଲକ ପାଲଟପୁର ଗାଁରେ ଅଭାବନୀୟ ଘଟଣା। ମହିଳାଙ୍କୁ ଟାଣିନେଲା କୁମ୍ଭୀର । ବିରୂପା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଲଟପୁର ଗାଁର ୩୫ ବର୍ଷୀୟ ମହିଳା ଜ୍ୟୋସ୍ନାରାଣୀ ଜେନାଙ୍କୁ କୁମ୍ଭୀର ଟାଣି ଖାଇଦେଇଥିଲା ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି l ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ।

ଚାନ୍ଦବାଲି ଧାମରାରେ ଜାଲରେ ପଡିଲା ବିରଳ ତେଲିଆ ମାଛ

ଭଦ୍ରକ: ଗୋଟିଏ ମାଛର ମୂଲ୍ୟ 5 ଲକ୍ଷ 33 ହଜାର ଟଙ୍କା । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫ କିଲୋମିଟର ଦୂର ସମୁଦ୍ରରୁ ଧୀବର ମଣ୍ଟୁ ମଣ୍ଡଳ ଏହି ବିରଳ ତେଲିଆ ମାଛ ଧରିଥିଲେ ।

ମାଛଟିର ଓଜନ ୨୬ କିଲୋଗ୍ରାମ ହୋଇଥିବା ବେଳେ କେଜି ପ୍ରତି ମାଛର ମୂଲ୍ୟ ୨୦ ହଜାର ୫୦୦ ଟଙ୍କା ରହିଛି । ମୋଟ ୫ ଲକ୍ଷ ୩୩ ହଜାରେ ଟଙ୍କାରେ ମାଛଟିକୁ ନିଲାମ କରାଯାଇଛି  । ଏହି ମାଛକୁ ଧାମରା ଚନ୍ଦିନୀପାଳ କଣ୍ଟାରେ ମସ୍ୟଜୀବୀ ଶଙ୍କର ଗିରି ନିଲାମ ନେଇ ବିଦେଶୀ କମ୍ପାନୀକୁ ବିକ୍ରି କରିଛନ୍ତି  ।

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ଦୁଇଥର ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ । ସୋମବାର ବ୍ୟତୀତ ସେପ୍ଟେମ୍ବର ୧୭ ତାରିଖ ଯାଏଁ ଉଦ୍ୟାନ ଲୋକଙ୍କ ପାଇଁ ଖୋଲାରହିବ । ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ଏହାକୁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇଥର ଖୋଲାଯାଉଛି।

ଏଥିପାଇଁ ଅଗଷ୍ଟ ୭ରୁ ଅନଲାଇନ ବୁକିଂ ଆରମ୍ଭ ହୋଇଛି । ପର୍ଯ୍ୟଟକମାନେ ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ । ମୋଗଲ ଗାର୍ଡେନରୁ ଅମୃତ ଉଦ୍ୟାନକୁ ପରିବର୍ତ୍ତିତ ହୋଇଥିବା ଏହି ଉଦ୍ୟାନରେ ୧୨ ପ୍ରକାରର ୧୦ ହଜାରୁ ଅଧିକ ଟ୍ୟୁଲିପ ଫୁଲ ରହିଛି ।

୧୩୮ରୁ ଅଧିକ ପ୍ରକାରର ଗୋଲାପ, ୭୦ରୁ ଅଧିକ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି । ଉଦ୍ୟାନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ । ରାଷ୍ଟ୍ରପତି ଭବନକୁ ନିମନ୍ତ୍ରିତ ଅତିଥି ଏବଂ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥାଏ ଏହି ଅମୃତ ଉଦ୍ୟାନ ।

ଆଉ ମାତ୍ର ସପ୍ତାହେ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩, ଆଜି କକ୍ଷ ପରିବର୍ତ୍ତନ

ବେଙ୍ଗାଲୁରୁ: ସଫଳତାର ପାହାଚ ଚଢୁଛି ଇସ୍ରୋ । ଆଉ ମାତ୍ର ସପ୍ତାହେ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଦିନକୁ ଦିନ ଚନ୍ଦ୍ରର ଖୁବ ନିକଟତର ହେବାରେ ଲାଗିଛି ଚନ୍ଦ୍ରଯାନ-୩ । ଆଜି ହେବ ପଞ୍ଚମ ଲୁନାର ମାନୋଭର ବା କକ୍ଷ ପରିବର୍ତ୍ତନ । କାଲି ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ ।

୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି ।ଗତି ସମୟରେ ଚନ୍ଦ୍ରଯାନର ହରିଜଣ୍ଟାଲ ସ୍ପିଡ ହାରାହାରି ୧ ଦଶମିକ ୬୮ କିଲୋମିଟର ପ୍ରତି ସେକଣ୍ଡ ଅର୍ଥାତ ଘଣ୍ଟାପ୍ରତି ୬ ହଜାର ୪୮ କିଲୋମିଟରକୁ ହ୍ରାସ କରାଯାଇଛି । ସଫ୍ଟ ଲ୍ୟାଣ୍ଡିଂ ସମୟରେ ଏହାର ଗତି ଶୂନକୁ ହ୍ରାସ କରିବା ଲାଗି ବ୍ୟବସ୍ଥା କରାଯାଉଛି ।

ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ ।

ଆଜି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଲର୍ଟ, ୭୦ରୁ ୧୧୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ବର: ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ବାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ ନିମ୍ନ ଚାପରେଖା। ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଏସବୁ ଜିଲ୍ଲାରେ ୭୦ରୁ ୧୧୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି। କାଲି ଏବଂ ୧୮ତାରିଖରେ ବର୍ଷାର ସର୍ବାଧିକ ପ୍ରଭାବ ପଡିବ। କାଲି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, ନରବଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ବଲାଙ୍ଗୀର ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।