ନୂଆଦିଲ୍ଲୀ: ପାକିସ୍ତାନୀ ଦୃତ ବୋଲର ଶାହିନ ଆଫ୍ରିଦ ବିଶ୍ବର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ଅନ୍ୟତମ । ତାଙ୍କ ସ୍ପିଡ ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଧରାଶାୟୀ ହୋଇଥାନ୍ତି । ଶନିବାର ଭାରତ ବିପକ୍ଷରେ ପାକିସ୍ତାନ ମଇଦାନକୁ ଓହ୍ଲାଇଥିବାବେଳେ ପାକିସ୍ତାନ ପରାସ୍ତ ହୋଇଛି । ଭାରତର ତିନୋଟି ଓ୍ବିକେଟ ଯାଇଥିବାବେଳେ ଶାହିନ ଆଫ୍ରିଦ ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଭାରତ ୭ ଓ୍ବିକେଟରେ ଜିତିଥିବାବେଳେ ବିଶ୍ବକପରେ ଅଷ୍ଟମଥର ଲାଗି ପରାସ୍ତ ହୋଇଛି ପାକିସ୍ତାନ । ତେବେ ଏହି ମ୍ୟାଚରେ ହିନ୍ଦୀ କମେଟ୍ରି କରୁଥିବା ରବି ଶାସ୍ତ୍ରୀ ଶାହିନଙ୍କୁ ନେଇ କହିଥିଲେ ସେ ଓ୍ବାସିମ ଆକ୍ରାମ ନୁହଁନ୍ତି । ତାଙ୍କୁ ଏତେ ଭୟ କରିବା ଦରକାର ନାହିଁ । ତଥାପି ସେ ଜଣେ ଅବିଶ୍ବାସନୀୟ ବୋଲର । ଲୋକେ ମୋତେ କହୁଛନ୍ତି ପାକିସ୍ତାନ ପାଖରେ ଶକ୍ତିଶାଳୀ ବୋଲିଂ ଆଟାକ ରହିଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ । ପାକିସ୍ତାନର ବୋଲିଂ ବିଭାଗ ସେତେଟା ଶକ୍ତିଶାଳୀ ନୁହେଁ । ନସିମ ଶାହା ବିଶ୍ୱକପ ଖେଳୁନାହାନ୍ତି । ପାକିସ୍ତାନର ସ୍ପିନ ବିଭାଗ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ । ରବି ଶାସ୍ତ୍ରୀଙ୍କ ଏହି କଥା ଶୁଣିବା ପରେ ଇରଫାନ ପଠାନ ହସିଥିଲେ । ଥଟ୍ଟା ମଜାରେ ଏଭଳି ଚାଲିଥିଲା । ଏସିଆ କପ ସମୟରେ କୁହାଯାଉଥିଲା କି, ଶାହିନଙ୍କ ବଲକୁ ସାମନା କରିପାରିବେ ନାହିଁ ରୋହିତ କୋହଲି । କିନ୍ତୁ ଏଭଳି କିଛି ହୋଇ ନଥିଲା । ସେମାନେ ଭଲ ପ୍ରଦର୍ଶନ କରିଥିଲେ । ଏପରିକି ଶନିବାର ମ୍ୟାଚରେ ମଧ୍ୟ ଶାହିନଙ୍କ ବଲକୁ ସାମନା କରିବା କରିବା ସହ ବଡ଼ ସଟ ମଧ୍ୟ ମାରିଥିଲେ ।
ଡାକ୍ତରଙ୍କ ଭିଡିଓ ଭାଇରାଲ
ପାରାଦ୍ବୀପ: ଲାଞ୍ଚ ନେଇ ସିବିଆଇ ଦ୍ବାରା ଗିରଫ ହୋଇଥିବା ଡାକ୍ତରଙ୍କ ଡିଲ୍ ବେଳର ଭିଡିଓ ଭାଇରାଲ୍ । ପାରାଦୀପରେ ଜାହାଜ କ୍ୟାପଟେନଙ୍କ ସହିତ ବନ୍ଦର ପବ୍ଲିକ ହେଲଥ ଅଫିସର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଡିଲ୍ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ ଜାହାଜର କ୍ୟାପଟେନ ବସିଛନ୍ତି ଏବଂ ଡାକ୍ତର ପାଣିଗ୍ରାହୀ ନିଜର ସହଯୋଗୀଙ୍କ ଦ୍ବାରା ଦାମୀ ବିଦେଶୀ ମଦ, ବିଦେଶୀ ସିଗାରେଟ ସହିତ ଟଙ୍କା ଡିଲ୍ କରୁଛନ୍ତି । ଗତ ଗୁରୁବାର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ୫୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରା ପଡ଼ିଥିଲେ। ଏହା ପରେ ତାଙ୍କ କ୍ବାର୍ଟର୍ସ ଓ ଭଡାଘରୁ ୨୦ ହଜାର ୫୫୮ ଡଲାର ବା ପାଖାପାଖି ୧୭ ଲକ୍ଷ ଟଙ୍କା, ବିପୁଳ ପରିମାଣର ବିଦେଶୀ ମଦ, ବିଦେଶୀ ସିଗାରେଟ ମଧ୍ୟ ଜବତ ହୋଇଥିଲା। ଏବେ ଡିଲ୍ ବେଳର ଭିଡିଓ ଭାଇରାଲ ହେବା ପରେ ଏହା ଏଠାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଯୁଦ୍ଧ ବନ୍ଦ କଲା ଇସ୍ରାଏଲ: ଗାଜା ଛାଡ଼ିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ
ନୂଆଦିଲ୍ଲୀ: ଶାନ୍ତ ହେଲା ଗାଜା ପଟି ଆକାଶରୁ ରକେଟ ମାଡ଼ । ଆକ୍ରମଣ ବନ୍ଦ କଲା ଇସ୍ରାଏଲ । ଗାଜାରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ । ଇସ୍ରାଏଲ ସେନା ଆଇଡିଏଫ ଗାଜା ନାଗରିକଙ୍କୁ ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ ଦେଇଛି ୩ ଘଣ୍ଟା ସମୟ । ଅର୍ଥାତ ଏହି ୩ ଘଣ୍ଟାର କଣ୍ଟ ପୂରଣ ହେବା ପରେ ହମାସକୁ ସମୂଳେ ନିପାତ କରିବାକୁ ଫାଇନାଲ ଷ୍ଟ୍ରାଇକ ଆରମ୍ଭ କରିବ ଇସ୍ରାଏଲ ।
ଆଇଡିଏଫ ପକ୍ଷରୁ ସକାଳ ୧୦ଟାରୁ ଅପରାହ୍ଣ ଗୋଟାଏ ଯାଏଁ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସମୟ ଦେଇଥିଲା । ଏହି ସମୟରେ ଇସ୍ରାଏଲ ପକ୍ଷରୁ କୌଣସି ପ୍ରକାର ଆକ୍ରମଣ କରାଯିବ ନାହିଁ ବୋଲି ଆଇଡିଏଫ ପ୍ରତିଶ୍ରୁତି ଦେଇଥିଲା । ଆଇଡିଏଫ ପକ୍ଷରୁ କୁହାଯାଇଥିଲା, ‘ଆପଣ ଓ ଆପଣଙ୍କ ପରିବାର ସୁରକ୍ଷା ମହତ୍ବ ରଖୁଛି । ଦୟାକରି ଆମ ନିର୍ଦ୍ଦେଶକୁ ପାଳନ କରନ୍ତୁ ଓ ଦକ୍ଷିଣ ଗାଜାକୁ ପଳାଇ ଯାଆନ୍ତୁ ।’
ଗାଜା ନାଗରିକଙ୍କୁ ସମୟ ଦେବା ଇସ୍ରାଏଲର ଗ୍ରାଉଣ୍ଡ ଆଟାକ ପୂର୍ବରୁ ବଡ଼ ପଦକ୍ଷେପ ବୋଲି କହିଛନ୍ତି ବିଶେଷଜ୍ଞ ।
ସଚିନଙ୍କ ସହ ପଙ୍ଗା ସୋଏବଙ୍କୁ ପଡ଼ିଲା ଭାରି, ସେହଓ୍ବାଗ ପଢ଼ାଇଲେ ବନ୍ଧୁ ଚର୍ଚ୍ଚାର ପାଠ
ନୂଆଦିଲ୍ଲୀ: ବିଶ୍ବକପରେ ପାକିସ୍ତାନକୁ ଭାରତ ୭ ଓ୍ବିକେଟରେ ହରାଇବା ପରେ ସାରା ଦେଶରେ ଉତ୍ସବର ମାହୋଲ । ପିଲାଠୁ ବୟସ୍କ ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକେ ଭାରତ ବିଜୟର ଉତ୍ସବ ମନାଉଛନ୍ତି । ଆଉ ଏଥିରୁ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର କେମିତି ବା ବାଦ ପଡ଼ିବେ । ଭାରତ ବିଜୟରେ ଆତ୍ମ ବିଭୋର ସଚିନ୍ ରାଓଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖତାରଙ୍କୁ ମୁହଁତୋଡ ଜବାବ ଦେବା ସହ ଖୁସି ମନାଇଛନ୍ତି । କେବଳ ସେତିକି ନୁହେଁ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ ସୋଏବଙ୍କୁ ଅତିଥ୍ୟର ପାଠ ପଢ଼ାଇଛନ୍ତି ।
ସୂଚନାଯୋଗ୍ୟ, ମ୍ୟାଚର ଗୋଟିଏ ଦିନ ପୂର୍ବରୁ ସୋଏବ ଭାରତ-ପାକିସ୍ତାନ ମଧ୍ୟରେ ୧୯୯୯ରେ ହେଳା ଯାଇଥିବା ଏକ ମ୍ୟାଚର ଫଟୋ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଥିଲେ । ଫଟୋଟି ସୋଏବ ସଚିନଙ୍କୁ ଶୂନ୍ୟରେ ଆଉଟ କରିବା ପରେ ସେଲିବ୍ରେସନ ବେଳର ଥିଲା । ସୋଏବ କ୍ୟାପସନରେ ଲେଖିଥିଲେ, ‘କାଲି ଏମିତି କିଛି କରିବାର ଅଛି ତ ଶାନ୍ତ ରୁହ (ଥଣ୍ଡ ରଖ୍) ।’
ଭାରତୀୟ ଟିମର ବିଜୟ ପରେ ସଚିନ ସୋଏବଙ୍କୁ ଏହାର ଜବାବ ଦେଇଛନ୍ତି । ସେ ଲେଖିଛନ୍ତି, ‘ସାଙ୍ଗ, ତୁମ ପରାମର୍ଶ ପାଳନ କଲି, ସବୁକିଛି ଶାନ୍ତ ରଖିଲି ।‘
ଭାରତର ବିଜୟ ଓ ସଚିନଙ୍କ ଏହି ଟ୍ବିଟ ପରେ ସୋଏବ ବ୍ୟାକଫୁଟକୁ ଚାଲି ଆସିଥିଲେ । ସୋଏବ ସଚିନଙ୍କ ଟ୍ବିଟର ପ୍ରତି ଉତ୍ତର ଦେଇ ଲେଖିଥିଲେ, ‘ ସାଙ୍ଗ, ଆପଣ ଏହି ଖେଳର ଶୋଭା ବଢ଼ାଉଥିବା ସର୍ବକାଳୀନ ଖେଳାଳି ଓ ଏହାର ସବୁଠାରୁ ବଡ଼ ବ୍ରାଣ୍ଡ ଆମ୍ବାସଡର । ଆମ ବନ୍ଧୁତ୍ବପୂର୍ଣ୍ଣ ମଜା କେବେ ବି ବଦଳିବନି ।’
ପାକିସ୍ତାନୀ ଖେଳାଳିଙ୍କ ଖରାପ ପ୍ରଦର୍ଶନକୁ ନେଇ ସେହଓ୍ବାଗ ବି ସମାଲୋଚନା କରିବାକୁ ପଛାଇ ନାହାନ୍ତି । ସେହଓ୍ବାଗ ଟ୍ବିଟ କରି ଲେଖିଛନ୍ତି, ‘ଆମ ଆତିଥ୍ୟର କଥା ଅଲଗା । ସବୁ ପାକିସ୍ତାନ ଖେଳାଳିଙ୍କୁ ବ୍ୟାଟିଂ କରିବାକୁ ଦିଆଗଲା । ଏଠି ସମସ୍ତଙ୍କ ଯତ୍ନ ନିଆଯାଏ ।’
ଉଦୟନିଧି ଷ୍ଟାଲିନଙ୍କୁ ବାଧିଲା ପାକିସ୍ତାନ ଖେଳାଳିଙ୍କ ଆଗରେ ଭାରତୀୟ ପ୍ରଶଂସକଙ୍କ ଜୟ ଶ୍ରୀରାମ ନାରା, ଘୃଣ୍ୟ କାମ କହି ହେଲେ ଟ୍ରୋଲ୍
ଚେନ୍ନାଇ: ବିଶ୍ବକପ୍ ମହାମୁକାବିଲାରେ ଗତକାଲି ଭାରତ ୭ ଓ୍ବିକେଟରେ ପାକିସ୍ତାନକୁ ହରାଇଛି । ଏହା ବିଶ୍ବକପରେ ଭାରତର ପାକିସ୍ତାନ ବିପକ୍ଷରେ ଲଗାତାର ୮ମ ବିଜୟ । ବିଶ୍ବକପର ଏହି ହାଇଭୋଲଟେଜ୍ ମ୍ୟାଚ ସମୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା । ପାକିସ୍ତାନୀ ଖେଳାଳିଙ୍କ ଆଗରେ ବି ଭାରତୀୟ କ୍ରିକେଟ୍ ଟିମ ପ୍ରଶଂସକ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ଭାରତର ଦମଦାର ବିଜୟରେ କ୍ରିକେଟ ପ୍ରେମୀଙ୍କ ଏହି ଖୁସି ଉତ୍ସବ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ଖେଳମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ବହୁତ ବାଧିଥିଲା । ଉତ୍ତେଜିତ ଉଦୟନିଧି କ୍ରିକେଟ୍ ଫ୍ୟାନଙ୍କ ଏହି ନାରାକୁ ଘୃଣ୍ୟ କାମ କହିବାକୁ ପଛାଇ ନଥିଲେ । ଏନେଇ ଉଦୟନିଧି ଟ୍ବିଟ୍ କରିବା ପରେ ଟ୍ରୋଲ ହେବା ଆରମ୍ଭ ହୋଇଯାଇଛି ।
ମ୍ୟାଚ୍କୁ ନେଇ ଉଦୟନିଧି ଏକ ଭିଡିଓ ଟ୍ବିଟରରେ ପୋଷ୍ଟ କରିଥିଲେ । ଏଥିରେ କ୍ରିକେଟ ପ୍ରଶଂସକ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳୁଛି । ହେଲେ ଉଦୟନିଧି କ୍ୟାପସନରେ ଯାହା ଲେଖିଲେ, ତାହା ପ୍ରିକେଟ୍ ପ୍ରେମୀଙ୍କ ହଜମ ହୋଇ ନଥିଲା ଓ ସେ ଟ୍ରୋଲ ହେବା ଆରମ୍ଭ ହୋଇଯାଇଥିଲା ।
ସେ ତାଙ୍କ କ୍ୟାପସନରେ ଲେଖିଥିଲା, ‘’ଭାରତ ନିଜ ଖେଳ ଭାବନା ଓ ଆତିଥ୍ୟ ପାଇଁ ପରିଚିତ । ହେଲେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାକିସ୍ତାନୀ ଖେଳାଳିଙ୍କ ସହ ଯେଉଁ ପରି ବ୍ୟବହାର କରାଗଲା ତାହା ନିମ୍ନ ସ୍ତରର । ଖେଳ ଦେଶକୁ ଏକାଠି କରିବାର ଶକ୍ତି ହେବା ଦରକାର । ଏହାଦ୍ବାରା ଭାଇଚାରା ବଢ଼ିଥାଏ । ଘୃଣା ବାଣ୍ଟିବାକୁ ଏହାକୁ ଉପକରଣ ଭାବେ ବ୍ୟବହାର କରିବ ନିନ୍ଦନୀୟ ।’
ଉଦୟନିଧି ହିନ୍ଦୁ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ନିଜ ବୟାନ ଓ ପୋଷ୍ଟକୁ ନେଇ ସେ ବିବାଦରେ ରହିଛନ୍ତି । ସନାତନ ଧର୍ମକୁ ଡେଙ୍ଗୁ ମ୍ୟାଲେରିଆ ରୋଗ କହି ବିବାଦରେ ଫସିଥିଲେ ଉଦୟନିଧି ।
ହମାସର ଟପ୍ କମାଣ୍ଡର ବିଲାଲ ମୃତ, ଧ୍ବଂସ ହେଲା ଇସଲାମିକ ଜେହାଦର ହେଡକ୍ବାର୍ଟର
ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ବଡ଼ ଅପଡେଟ୍ । ଇସ୍ରାଏଲ ରକେଟ୍ ମାଡରେ ହମାସର ଆଉ ଜଣେ ବରିଷ୍ଠ କମାଣ୍ଡାରର ମୃତ୍ୟୁ । ଶନିବାର ରାତିରେ ଏୟାରଷ୍ଟ୍ରାଇକ କରି ଇସ୍ରାଏଲ ସେନା ଦକ୍ଷିଣ ଖାନ ୟୁନିସ ବାଟାଲିୟନର ୯ମ ୟୁନିଟ ଟପ୍ କମାଣ୍ଡର ବିଲାଲ ଅଲ-କଦରାକୁ ମାରିଛି ।
ଇସ୍ରାଏଲ ବାୟୁସେନା ଶନିବାର ରାତିରେ ଗାଜା ପଟିରେ ଥିବା ହମାସ ଆତଙ୍କବାଦୀ ସଙ୍ଗଠନର ଦକ୍ଷିଣ ଖାନ ୟୁନିସ ବାଟାଲିୟନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା । ମୃତ ବିଲାଲ ଇସ୍ରାଏଲର ବହୁ ଲୋକଙ୍କୁ ହତ୍ୟା କରିବାରେ ଅଭିଯୁକ୍ତ ଥିଲା । ବିଲାଲ ଦକ୍ଷିଣ ଇସ୍ରାଏଲର କିବୁତଜ ନିରିମ ଓ ନିରଓଜ ଅଞ୍ଚଳରେ ପଶି ଖୋଜି ଖୋଜି ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିଥିଲା । ହମାସ ସହ କାମ କରିବା ସହିତ ପାଲେଷ୍ଟାଇନ ଇସଲାମିକ ଜେହାଦ ସଙ୍ଗଠନର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିଲା ।
ଇସଲାମିକ ଜେହାଦର ହେଡକ୍ବାର୍ଟର ଧ୍ବଂସ
ଇସ୍ରାଏଲ ଡିଫେନ୍ସ ଫୋର୍ସ ଅନୁସାରେ ଆଇଡିଏଫ ଜେୟତୁନ, ଖାନ ୟୁନିସ ଓ ପଶ୍ଚିମ ଜାବଲିୟାର ଆଖପାଖରେ ଶହେରୁ ଅଧିକ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଏହାସହ ହମାସର ଉକ୍ତ ଅପରେସନାଲ ସ୍ଥାନକୁ ବି ଟାର୍ଗେଟ କରାଯାଇଥିଲା, ଯେଉଁଠୁ ଆତଙ୍କବାଦୀ ଇସ୍ରାଏଲ ଉପରେ ଆକ୍ରମଣ କରୁଥିଲେ ।
ଇସ୍ରାଏଲ ଏୟାର ଫୋର୍ସ ହମାସର ଇସଲାମିକ ଜେହାଦ ପରିଷଦ ମୁଖ୍ୟାଳୟ, କମାଣ୍ଡ ସେଣ୍ଟର, ମିଲେଟାରୀ କମ୍ପଲେକ୍ସ, ୧୨ରୁ ଅଧିକ ଲଞ୍ଚିଂ ପ୍ୟାଡ, ,ଆଣ୍ଟି ଟ୍ୟାଙ୍କ ପୋଷ୍ଟ ଓ ଓ୍ବାଚ ଟାଓ୍ବାରକୁ ଧ୍ବଂସ କରି ଦେଇଛି । ଏହି ଆକ୍ରମଣରେ ପାଲେଷ୍ଟାଇନ ଇସଲାମିକ ଜେହାଦ ଆତଙ୍କବାସୀ ସଙ୍ଗଠନର ସୈନ୍ୟ ମୁଖ୍ୟାଳୟକୁ ବି ଇସ୍ରାଏଲ ଧ୍ବଂସ କରିଦେଇଛି ।

