spot_img
Home Blog Page 2784

ପୂଜା ମଣ୍ଡପ ନିକଟରେ ବିକ୍ରି ହେବନି ଆମିଷ, ଆଖପାଖ ଫାଷ୍ଟଫୁଡ୍ ଦୋକାନ ଉପରେ ଲାଗିବ କଟକଣା

ଭୁବନେଶ୍ବର: ଆସୁଛନ୍ତି ମାଆ ଜଗତଜନନୀ । ସବୁଠି ପାର୍ବଣର ମାହୋଲ । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଶାନ୍ତି କମିଟି ବୈଠକରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ବିଭିନ୍ନ ପୂଜା କମିଟିର ସଦସ୍ୟମାନଙ୍କ ସହ ବିଧାୟକ ଏବଂ ମେୟର ଯୋଗ ଦେଇଥିଲେ । ନବରାତ୍ର ଠାରୁ ଭସାଣି ପର୍ଯ୍ୟନ୍ତ କିଭଳି ପୂଜା ଶୃଙ୍ଖଳିତ ଭାବରେ ଶେଷ ହେବ ସେ ନେଇ ହୋଇଛି ବିସ୍ତୃତ ଆଲୋଚନା ।

ପୂଜା ମଣ୍ଡପ ନିକଟରେ ବିକ୍ରି ହେବନି ଆମିଷ । ଆଖପାଖ ଫାଷ୍ଟଫୁଡ୍ ଦୋକାନ ଉପରେ ଲାଗିବ କଟକଣା । ମୂର୍ତ୍ତିରେ ବ୍ୟବହାର ହେବନି କେମିକାଲ ରଙ୍ଗ । ପ୍ଳାଷ୍ଟର ପ୍ୟାରିସରେ ନିର୍ମାଣ ହେବନି ମୂର୍ତ୍ତି । ପଲିଥିନରେ ଭୋଗ ଆଣିଲେ ପୂଜା କରିବେନି ପୂଜାରୀ । ରାବଣ ପୋଡ଼ିରେ ଫୁଟିବନି ଶଦ୍ଦ ପ୍ରଦୂଷଣ କରୁଥିବା ବାଣ । ଭସାଣରେ ବାଜିବନି ଡିଜେ । ପାରମ୍ପରିକ ବାଦ୍ୟରେ ବିଦାୟନେବେ ମାଆ ।

ଦଶହରା ଏବଂ ଭସାଣି ନେଇ ଭୁବନେଶ୍ବରରେ ବସିଥିବା ଶାନ୍ତି କମିଟି ବୈଠକରେ ଏଭଳି ବଡ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଏମସିକୁ କଡା କଟକଣା କରିବା ପାଇଁ ଶାନ୍ତି କମିଟି ଅନୁରୋଧ କରିଛି । ଏସବୁର ତଦାରଖ କରିବା ପାଇଁ ଶାନ୍ତି କମିଟି ପକ୍ଷରୁ ଏକ ଟିମ୍ ଗଠନ କରାଯିବ । ମେଲୋଡି ସମୟରେ କମ୍ ସାଉଣ୍ଡ ବ୍ୟବହାର କରିବା ସହ ମଦ ଉପରେ କଟକଣା ଜାରି କରାଯାଇଛି ।

ପ୍ରତି ପୂଜା ମଣ୍ଡପରେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ମଣ୍ଡପରେ ପର୍ଯ୍ୟାପ୍ତ ପରିମାଣର ପାଣି ରଖିବା ସହ ସ୍ବେଚ୍ଛାସେବୀ ନିଯୁକ୍ତ ରହିବେ । ଚଳିତବର୍ଷ ଭୁବନେଶ୍ବରରେ ପାଖାପାଖି ୧୯୦ ପୂଜାମଣ୍ଡପରେ ପୂଜା ପାଇବେ ମାଆ । ଏହା ପୂର୍ବରୁ ରାସ୍ତା କାମ, ଅବରୋଧ କରିଥିବା ଗଛକୁ କାଟିବା, ଆଲୋକୀକରଣ, ମୋବାଇଲ ଟଇଲେଟ ବ୍ୟବସ୍ଥା ନେଇ ବିଏମସି ପ୍ରତିଶୃତି ଦେଇଛି ।

ଦୁଇଦିନ ମଧ୍ୟରେ ଏସବୁ କାମ ସାରିବା ସହ ଟ୍ରାଫିକ୍ ମ୍ୟାନେଜମେଣ୍ଟ କରିବା ଦିଗରେ କମିଶନରେଟ ପୋଲିସ ସହ ପୂଜା କମିଟି ସଦସ୍ୟମାନେ ସମନ୍ବୟ ରଖି କାମ କରିବାକୁ ମେୟର ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ଅଷ୍ଟମୀ ଠାରୁ ଭସାଣି ପର୍ଯ୍ୟନ୍ତ ସବୁ ଶାନ୍ତି ଶୃଙ୍ଖଳାର ସହ ସାରିବା ପାଇଁ ଶାନ୍ତି କମିଟି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ବିଶେଷ କରି ଭସାଣି ସମୟରେ ନଦୀରେ ନ ବୁଡି ଅସ୍ଥାୟୀ ପୋଖରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମିଶନ ଶକ୍ତି ମହିଳାଙ୍କୁ ଆତ୍ମନିର୍ଭର କରିଛି ଛତୁଆ

କଳାହାଣ୍ଡି: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଗ୍ରାମାଞ୍ଚଳ ମହିଳାଙ୍କୁ ଯୋଗାଇଛି ରୋଜଗାର l ଉନ୍ନତ ମାନର ଛତୁଆ ପ୍ରସ୍ତୁତ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ବି ଯୋଗାଇପାରିଛନ୍ତି  ନିଯୁକ୍ତି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କୁଲିହାରି ଗାଁର ମିଶନ ଶକ୍ତି ମହିଳାଙ୍କୁ ସ୍ବାବଲମ୍ବୀ କରିଛି ଛତୁଆ ତିଆାରି ।

ଶସକ୍ତ ମହିଳା, ପ୍ରଗତିଶୀଳ ଓଡ଼ିଶା । ମା’ଙ୍କୁ ଏବେ ସ୍ବାବଲମ୍ବୀ କରିଛନ୍ତି ରାଜ୍ୟସରକାର । ମିଶନ ଶକ୍ତି ସହାୟତାରେ ଏବେ ରୋଜଗାରକ୍ଷମ ହୋଇଛନ୍ତି ମହିଳା । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଉପାନ୍ତ ଗାଁ କୁଲିହରି l ଏହି ଗାଁରେ ରହିଛି ମା ସର୍ବ ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ l 10ଜଣ ମହିଳାକୁ ନେଇ 2010 ମସିହାରେ ଗଠିତ ହୋଇଥିଲା ଏହି ଏସଏଚଜି । ଏହି ଏସଏଚଜି ମହିଳା ମାନେ ଛତୁଆ ପ୍ରସ୍ତୁତ ପ୍ଲାଣ୍ଟ ବସାଇ ଭଲ ରୋଜଗାର କରୁଛନ୍ତି । ଏହି ପ୍ଲାଣ୍ଟ ପାଇଁ ରାଜ୍ୟ ସରକାର ଦୁଇ ଲକ୍ଷ ଟଙ୍କା ଋଣ ମଧ୍ୟ ଯୋଗାଇ ଦେଇଛନ୍ତି । ଏବେ ଏସଏଚଜି ମହିଳା ଛତୁଆ ପ୍ରସ୍ତୁତ କରି ନିଜେ ସ୍ବାବଲମ୍ବୀ ହେବା ସହ 10ରୁ ଅଧିକ ଲୋକଙ୍କୁ ଦେଇଛନ୍ତି ନିଯୁକ୍ତି ।

ଦିନ ଥିଲା ଏହି ଗାଁର ମହିଳା ମାନେ ଘରେ ବସି ରହୁଥିଲେ l ଏବେ ଏହି ମହିଳା ମାନେ ମିଶନ ଶକ୍ତିରେ ସାମିଲ ହୋଇ ଉନ୍ନତ ମାନର ଛତୁଆ ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଜୁନାଗଡ଼ ବ୍ଲକର 7ଟି ସେକ୍ଟରର 182 ଅଙ୍ଗନବାଡି କେନ୍ଦ୍ରକୁ ଛତୁଆ ଯୋଗାଉଛନ୍ତି । ଉନ୍ନତ ମାନର ଛତୁଆ ପ୍ରସ୍ତୁତ କରୁଥିବା ଯୋଗୁଁ ରାଜ୍ୟ ସରକାରଙ୍କ ଠାରୁ ଏହି ଏସଏଚଜି ପୁରସ୍କାର ମଧ୍ୟ ପାଇଛି ।

ଚାଷୀଙ୍କ ନିଦ ହଜାଇ ଦେଲାଣି ଚକଡା ପୋକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଚାଷୀଙ୍କ ନିଦ ହଜାଇ ଦେଲାଣି ଚକଡା ପୋକ। ଶହ ଶହ ହେକ୍ଟର ଧାନ ଫସଲରେ  ମାଡି ଗଲେଣି ଚକଡା ପୋକ। ଅମଳ ପୂର୍ବରୁ ଚକଡ଼ା ପୋକ ଲାଗିଯିବାରୁ ଏବେ ଧାନ ବଦଳରେ ଜମିରେ ପଡିରହିଛି କୁଟା ପାଳ। ଫଳରେ ଚାଷୀ ହତାଶ ହୋଇପଡିବା ସହ  ଅର୍ଥ ହାନିକୁ ନେଇ ଏବେ ଚିନ୍ତାରେ ରହିଛନ୍ତି।

ଚାଷୀଙ୍କୁ ନୟାନ୍ତ କଲାଣି ଚକଡା ପୋକ। ଚାଷ ଜମିରେ ଏବେ ପଡି ରହିଛି କୁଟା ପାଳ। ସମସ୍ତ ଫସଲ ନଷ୍ଟ । ଏବେ ଧାର କରଜ ସୁଝିବା ଚିନ୍ତାରେ ଚାଷୀକୁଳ। ଚଳିତବର୍ଷ କେନ୍ଦୁଝର ଜିଲ୍ଲାରେ ଭଲ ବର୍ଷା ହୋଇଥିବାରୁ ଧାନ ଫସଲ ଓ ଅମଳ ଭଲ ହେବ ବୋଲି ଅଶା କରାଯାଉଥିଲା । ଜିଲ୍ଲାରେ ଏବର୍ଷ ମୋଟ ୧ଲକ୍ଷ ୫୬ ହଜାର ହେକ୍ଟରରୁ ଅଧିକା ଜମିରେ ଧାନଫସଲ କରାଯାଇଛି। ଆଉ ଅଳ୍ପଦିନ ପରେ ଚାଷୀ ତାର ପରିଶ୍ରମର ଫଳ ପାଇଥାନ୍ତା । ହେଲେ ଜିଲ୍ଲାର ୧୧ ଗୋଟି ବ୍ଲକର ୨୦୮ ହେକ୍ଟର ଧାନ କ୍ଷେତରେ ଚକଡ଼ା ପୋକ ବା ମାଟିଆଗୁଣ୍ଡି ପୋକ ମାଡିଯାଇଛି । ପୋକ ପ୍ରଭାବରୁ ଧାନ କ୍ଷେତରେ ଏବେ ନଡା କୁଟା ଭର୍ତ୍ତି ହୋଇ ରହିଛି। ଫଳରେ ଚାଷି ଏବେ ଚିନ୍ତାରେ ପଡ଼ିଛି।  କୃଷି ବିଭାଗ ପାଖରେ ବି ଚାଷ କ୍ଷୟକ୍ଷତି ନେଇ ସୂଚନା ରହିଛି ।

ଚକଡା ପୋକ ସମ୍ପର୍କରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ମିହିର ରଞ୍ଜନ ସାହୁ ପ୍ରତିଦିନ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି। ଏହି ସମୟରେ ଚକଡା ପୋକ ପାଇଁ ପାଗ ଅନୁକୂଳ ହୋଇଥାଏ । ତେଣୁ ଚାଷୀ ମାନଙ୍କୁ ଚକଡା ପୋକ ସମ୍ପର୍କରେ ସଚେତନ କରାଯାଉଛି। ଏବଂ ସରକାରଙ୍କ ପକ୍ଷରୁ ୫୦ ପ୍ରତିଶତ ରିହାତି ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଥିବା କହିଛନ୍ତି  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ।

ବଢ଼ି ଚାଲିଛି ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କ’ଣ ରହିଛି ଦାମ?

ଭୁବନେଶ୍ବର: ବଢ଼ି ଚାଲିଛି ସୁନା ଦର। ଶନିବାର ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଗ୍ରାମ ପ୍ରତି ଦର ୬ ହଜାର ୪୪ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନା ଗ୍ରାମ ପ୍ରତି ଦର ୫୦ ହଜାର ୫୪୦ ଟଙ୍କାରେ ପହଞ୍ଚିଛି । ଗତ ଶୁକ୍ରବାର ସୁନା ବଜାରରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା । ଗତ ଶନିବାରଠାରୁ ସୁନା ଦର କ୍ରମାଗତ ଭାବେ ବଢିଚାଲିଛି । ୧୦ ଦିନ ପୂର୍ବରୁ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଗ୍ରାମ ପ୍ରତି ଦର ୫ ହଜାର ୮୨୫ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ସୁନା ଗ୍ରାମ ପ୍ରତି ଦର ୫ ହଜାର ୩୪୦ ଟଙ୍କା ଥିଲା । ଗତ ଅକ୍ଟୋବର ୫ ତାରିଖ ତୁଳନାରେ ୨୪ କ୍ୟାରେଟ ସୁନା ଗ୍ରାମ ପ୍ରତି ୩୨୮ ଟଙ୍କା ବୃଦ୍ଧି ପାଇଛି ।

ସେହିପରିୁ ୨୨ କ୍ୟାରେଟ ସୁନା ଗ୍ରାମ ପ୍ରତି ଦର ୩ ୦୦ ଟଙ୍କା ବୃଦ୍ଧି ପାଇଛି । ଗତ ଶନିବାର ଆରମ୍ଭ ହୋଇଥିଲା ଗାଜା ଇସ୍ରାଏଲ ଯୁଦ୍ଧ । ଯୁଦ୍ଧ ଆରମ୍ଭ ହେବା ପରଠାରୁ ସାରା ବିଶ୍ବର ଅର୍ଥନୀତି ପ୍ରଭାବିତ ହୋଇଛି । ବିଶ୍ବର ଅନେକ ପ୍ରମୁଖ ସେୟାର ମାର୍କେଟ୍ ସୂଚକାଙ୍କ ତଳକୁ ଖସିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି। ସେୟାର ବଜାରରେ ସେନସେକ୍ସ ଓ ନିଫଟି ସୂଚକାଙ୍କ ହ୍ରାସ ପାଇଛି ।ଆନ୍ତର୍ଜାତିକ ବଜାରରେ ଡଲାର ମୂଲ୍ୟ ବୃଦ୍ଧି ପାଉଥିବାରୁ ସାରା ବିଶ୍ବ ବଜାରରେ ସୁନାର ଦର ବଢ଼ିବାରେ ଲାଗିଛି ।ଇସ୍ରାଏଲ-ଗାଜା ଯୁଦ୍ଧ ପ୍ରଭାବରୁ ସୁନାଦର ବଢୁଥିବା କୁହାଯାଉଛି।

ଭାରତ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ: ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହେଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ । ରନରେ ଅଲଆଉଟ ହେଲା ପାକିସ୍ତାନ ଟିମ୍ । ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନ ଦମଦାର ବ୍ୟାଟିଂ କରି ଦଳ ପାଇଁ ଏକ ସମ୍ମାନ ଜନକ ସ୍କୋର କରୁଥିବାବେଳେ ଝଟକା ଦେଇଥିଲେ ଭାରତୀୟ ବୋଲର । ପ୍ରଥମ ବାବର ଆଉଟ ହେବା ପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇଥିଲେ । କୁଲଦୀପ ଯାଦବ ଗୋଟିଏ ଓଭରରେ ଦୁଇଟି ଓ୍ବିକେଟ ନେଇଥିବାବେଳେ ବୁମରାଙ୍କ ବୋଲକୁ ବୁଝିବା ପୂର୍ବରୁ ଆଉଟ ହୋଇଥିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ । ବୁମରା, ସିରାଜ, କୁଲଦୀପ ଯାଦବ, ଜାଡେଜା ଏବଂ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

 

ଭାରତର ଘାତକ ବୋଲିଂ ଆଗରେ ଧରାଶାୟୀ ପାକିସ୍ତାନୀ ବ୍ୟାଟ୍ସମ୍ୟାନ

ଅହମ୍ମଦାବାଦ: ଭାରତୀୟ ବୋଲରଙ୍କ କମାଲ । ପାକିସ୍ତାନର ଦୟନୀୟ ସ୍ଥିତି । ଘାତକ ବୋଲିଂ ଆଗରେ ଦରାଶାୟୀ ପାକିସ୍ତାନୀ ବ୍ୟାଟ୍ସମ୍ୟାନ । ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନ ଦମଦାର ବ୍ୟାଟିଂ କରି ଦଳ ପାଇଁ ଏକ ସମ୍ମାନ ଜନକ ସ୍କୋର କରୁଥିବାବେଳେ ଝଟକା ଦେଇଥିଲେ ଭାରତୀୟ ବୋଲର । ପ୍ରଥମ ବାବର ଆଉଟ ହେବା ପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇଥିଲେ । କୁଲଦୀପ ଯାଦବ ଗୋଟିଏ ଓଭରରେ ଦୁଇଟି ଓ୍ବିକେଟ ନେଇଥିବାବେଳେ ବୁମରାଙ୍କ ବୋଲକୁ ବୁଝିବା ପୂର୍ବରୁ ଆଉଟ ହୋଇଥିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ । ବୁମରା, ସିରାଜ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବାବେଳେ ପାଣ୍ଡ୍ୟା ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । ଶେଷ ଖବର ସୁଦ୍ଧା ପାକିସ୍ତାନର ୭ ଓ୍ବିକେଟର ପତନ ଘଟିଥିଲା ।

 

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ

ବାଙ୍କୀ:  ବାଙ୍କୀ – କଟକ ରାସ୍ତାର ରଣଶଙ୍ଖ ନିକଟରେ ଦୁର୍ଘଟଣା । ବାଇକ ଓ ପିକଅପ୍‌ ଭ୍ୟାନ ଧକ୍କାରେ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୨ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ, ମେଡିକାଲରେ ଅନ୍ୟ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ପ୍ରକାଶ ପାଇଛି ଉତ୍ତେଜନା । ହରିରାଜପୁର ହାଇସ୍କୁଲର ତିନିଜଣ ଛାତ୍ର ସକାଳୁ ଚକୁଳେଶ୍ବର ଗାଁରୁ ଟ୍ୟୁସନ ସାରି ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ମୃତ ୩ ଜଣ ଛାତ୍ର ହେଲେ ହରିରାଜପୁର ଗାଁର ଶୋହନ ନାୟକ, ଗୁଡୁ ପିରୋହୀ ଓ ଅବିନାଶ ଧଳ । ପିକଅପ ଭ୍ୟାନ୍ ଡ୍ରାଇଭର ଫେରାର ହୋଇ ଯାଇଛି । ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେତେ ଦରମା ପାଆନ୍ତି ପାକିସ୍ତାନୀ କ୍ରିକେଟର ?

ନନ୍ଦିଘୋଷ ବ୍ୟୁରୋ: ସାରା ବିଶ୍ବରେ ଏବେ କ୍ରିକେଟ କ୍ରେଜ୍ । ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କର ପ୍ରିୟ ଖେଳ ହେଉଛି କ୍ରିକେଟ । ଏବେ ଭାରତରେ ବିଶ୍ବକପ ମହାଯୁଦ୍ଧ ଚାଲିଛି । ବିଶ୍ବର ସବୁଠାରୁ ଧନୀ ଟିମ କହିଲେ ଭାରତକୁ ବୁଝାଏ । ଭାରତୀୟ କ୍ରିକେଟରମାନେ ଭଲ ରୋଜଗାର କରୁଛନ୍ତି । ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କୁ କେତେ ଟଙ୍କା ଦେଇଥାଏ? କିଛିଦିନ ପୂର୍ବରୁ ପିସିବି ପୁରୁଷ କ୍ରିକେଟ ଟିମ ସହ ଏକ ନୂଆ ଚକ୍ତି କରିବାକୁ ରାଜି ହୋଇଛି । ଖେଳାଳିଙ୍କ ଦରମା ବୃଦ୍ଧି ଏହାର ଏକ ଅଂଶ । ଭାରତ ଭଳି ପାକିସ୍ତାନୀ କ୍ରିକେଟରଙ୍କୁ ତିନୋଟି ଗ୍ରେଡ ବିଭକ୍ତ କରାଯାଇଛି । ଏହି ଗ୍ରେଡ୍ ଅନୁଯାୟୀ ଦରମା ଦିଆଯାଏ ।

ଏ ଗ୍ରେଡର ଖେଳାଳିମାନେ ପ୍ରତି ମାସରେ ୧୩.୧୪ ଲକ୍ଷ ଟଙ୍କା ପାଇଥାନ୍ତି । ପାକିସ୍ତାନ ହିସାବରେ ଏହା ୪.୫ ମିଲିୟନ ଡଲାରା । ବି ଗ୍ରେଡର ଖେଳାଳିମାନେ ୩ ମିଲିୟନ ଦରମା ନେଇଥାନ୍ତି । ଯାହାକି ଭାରତୀୟ ମୁଦ୍ରା ହିସାବରେ ୮.୭୬ ଲକ୍ଷ । ଯେଉଁମାନେ ସି ଏବଂ ଡି ଗ୍ରେଡରେ ଅନ୍ତର୍ଭୁକ୍ତ ଥାଆନ୍ତି ସେମାନେ ୪.୩୮ ଲକ୍ଷ ଦରମା ପାଇଥାନ୍ତି ।

ଛୋଟ ଟଙ୍କିକିଆ କଏନ୍‌ ନିଷିଦ୍ଧ ହୋଇନି, ସବୁ ଜାଗାରେ ଏହା ଚଳାଇ ହେବ  

ଭୁବନେଶ୍ବର: ଛୋଟ ଟଙ୍କିକିଆ କଏନ୍‌ ନିଷିଦ୍ଧ ହୋଇନି । ସବୁ ଜାଗାରେ ଏହା ଚଳାଇ ହେବ । ଛୋଟ ଟଙ୍କିକିଆ କଏନ ବନ୍ଦ ହୋଇନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ୍ନ ମହାନ୍ତି ସୂଚନା ଦେଇଛନ୍ତି ।  ଏହି କଏନ ଚାଲୁ ନଥିବା ନେଇ ଯେଉଁ ଗୁଜବ ଉଠୁଛି ଏଥିରେ କୌଣସି ସତ୍ୟତା ନାହିଁ । ଏଥିପାଇଁ ଗ୍ରାହକ ଓ ଦୋକାନୀମାନଙ୍କୁ ସଚେତନ କରିବା ପାଇଁ ସବୁ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି । ଭୁବନେଶ୍ୱର ରୁଚିକା ମାର୍କେଟରେ ୟୁନିଅନ ବ୍ୟାଙ୍କ ପକ୍ଷରୁ ଆୟୋଜିତ ନୋଟ୍‌ ଓ କଏନ ଏକ୍ସଚେଞ୍ଜ୍‌ ମେଳାକୁ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ୍ନ ମହାନ୍ତି ଉଦଘାଟନ କରିଥିଲେ ।

ଏହି ଅବସରରେ ସେ ଏହି ସୂଚନା ଦେଇଛନ୍ତି । ପୂଜାଋତୁ ଚାଲୁଥିବାରୁ ବ୍ୟବସାୟୀ ଓ ଦୋକାନୀମାନେ ବ୍ୟାଙ୍କ ଯିବାକୁ ସମୟ ପାଉ ନାହାନ୍ତି । ସେମାନଙ୍କ ସୁବିଧା ପାଇଁ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ମାର୍କେଟରେ ଏଭଳି ମେଳା ଆୟୋଜନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ମେଳାରେ ଲୋକମାନେ ଚିରା, ଫଟା, ପୋଡ଼ା, ପାଣିରେ ନଷ୍ଟ ହୋଇଥିବା କିମ୍ବା ଉଈ ଖାଇଥିବା ନୋଟ ବଦଳାଇ ନୂଆ ନୋଟ୍‌ କିମ୍ବା କଏନ ନେଇ ପାରିବେ ।  ଏହି କାର୍ଯ୍ୟକ୍ରମରେ ୟୁନିଅନ ବ୍ୟାଙ୍କ ଜୋନାଲ ହେଡ୍‌ ସର୍ବେଶ ରଞ୍ଜନ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ମେଳାରେ ବହୁ ସଂଖ୍ୟକ ବ୍ୟବସାୟୀ ଓ ଗ୍ରାହକ ଚିରାଫଟା ନୋଟ୍‌ ବଦଳାଇ ନୂଆ ନୋଟ ନେଇଛନ୍ତି ।

ଅହମ୍ମଦାବାଦରେ ମୁହାଁମୁହିଁ ଭାରତ-ପାକିସ୍ତାନ, ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଟିମ ଇଣ୍ଡିଆ

ଅହମ୍ମଦାବାଦ: ଆଇସିସି କ୍ରିକେଟ ବିଶ୍ବକପରେ ଆଜି ହାଇଭୋଲଟେଜ ଟକ୍କର । ଚାଲିଛି ଭାରତ-ପାକିସ୍ତାନ ମୁକାବିଲା। ଅହମ୍ମଦାବାଦରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଟିମ୍ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଟିମ ଇଣ୍ଡିଆ । ଟିମ ଇଣ୍ଡିଆର ପ୍ଲେଇଁ ଲଲେଭେନରେ ସ୍ଥାନ ପାଇଛନ୍ତି ଶୁବମନ ଗିଲ। କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଶ୍ରେୟାସ ଆୟ୍ରରଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ମିଡିଲ ଅର୍ଡରରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ଅନେକ ଗୁରୁତ୍ବ ରଖୁଛି । ବ୍ୟାଟିଂ ସାଙ୍ଗକୁ ନିଜର ଘାତକ ବୋଲିଂରେ ପାକ୍ ଖେଳାଳିଙ୍କୁ ଘାଇଲା କରିବେ ଆମ ଖେଳାଳି । ଭାରତ ପାଖରେ ୪ ସ୍ପେଶାଲିଷ୍ଟ ବୋଲର ରହିଛନ୍ତି । ଶାର୍ଦୁଲ ଠାକୁର, ଯଶପ୍ରୀତ ବୁମରା, କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜଙ୍କ ଉପରେ ଦଳର ଅନେକ ଆଶା ରହିଛି ।