ଭୁବନେଶ୍ବର : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ବସିବ ଗୋଲ ଟେବୁଲ ବୈଠକ। ମହାନଦୀ ବଞ୍ଚାଅ ଆନ୍ଦୋଳନ ଛତିଶଗଡ଼ର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହ ଆଲୋଚନା କରିବ। ଆସନ୍ତାକାଲି ଛତିଶଗଡ ସରକାର ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ହକ ପାଇଁ ୮ ବର୍ଷ ଧରି ଓଡ଼ିଶା ଲଢ଼ୁଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଯୁକ୍ତି ଅନୁସାରେ ଦୁଇ ସରକାର ଭିତରେ ଜଳ ସମାଧାନ ସମ୍ଭବ ନୁହେଁ। ମହାନଦୀ ସହ ଜଡ଼ିତ ପ୍ରତ୍ୟେକ ଅଂଶୀଦାର ବା ଷ୍ଟେକ୍ ହୋଲାଡରଙ୍କ ସହ ଆଲୋଚନା କରାଯାଇ ସମାଧାନର ବାଟ କଢ଼ାଯିବ। ମହାନଦୀର ୧ ଲକ୍ଷ ୪୧ ହଜାର ବେସିନ ଏରିଆ ରହିଛି। ଏହା କିପରି ସୁରକ୍ଷିତ ରହିବ, ସେନେଇ ମଧ୍ୟ ସର୍ବସମ୍ମତି କ୍ରମେ ଆଲୋଚନା ପାଇଁ ଏହି ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ କହିଛନ୍ତି ।
ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ
ନନ୍ଦିଘୋଷ ବ୍ୟୁରୋ ; ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୀତି ନିର୍ଘଣ୍ଟ ଅନୁସାରେ ମା’ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ । ଏହା ପରେ ମାଆଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ମୁଖ୍ୟ ପୂଜକ ସହ ୪ ପୂଜକଙ୍କ ଘରୁ ନୂଆଁ ଆସିଲା ପରେ ଲାଗି ହେବ ନବାନ୍ନ। ଏହାପରେ ଘରେ ଘରେ ନୂଆ ଖାଇବେ ପଶ୍ଚିମ ଓଡିଶା ବାସୀ । ପ୍ରଥମେ ମା ସମଲେଶ୍ବରୀଙ୍କ ମନ୍ଦିରରୁ ମାଙ୍କ ଭୋଗ ନେବା ପରେ ସପରିବାର ଖାଇବେ ନୂଆଁ ।ପରେ ବଡଙ୍କ ଆଶୀର୍ବାଦ ନେବେ ସାନ। ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ଭେଟଘାଟ କାର୍ଯ୍ୟକ୍ରମ। ର୍ପୂବରୁ ଦୂରଦୁରାନ୍ତରେ ରହିଥିବା ପରିବାର ସଦସ୍ୟ ଓ ସମ୍ପର୍କୀୟ ନୂଆଖାଇ ପାଇଁ ଘରେ ପହଞ୍ଚିସାରିଛନ୍ତି। ସେପଟେ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆ ଖାଇ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଲାଞ୍ଚଖୋର ଆସିଷ୍ଟାଣ୍ଟ ଟାକ୍ସ କମିସନର ସରିତା ବାରିକ ଗିରଫ
ନନ୍ଦିଘୋଷ ବ୍ୟୁରୋ : ଲାଞ୍ଚଖୋର ଆସିଷ୍ଟାଣ୍ଟ ଟାକ୍ସ କମିସନର ସରିତା ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଚଢ଼ାଉ ବେଳେ ସରିତା ବାରିକଙ୍କ ଘରୁ ଭିଜିଲାନ୍ସ ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା, ୬୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଏବଂ ୨୨୨ ଗ୍ରାମ୍ ସୁନା ଜବତ କରିଛି ଭିଜିଲାନ୍ସ ଟିମ୍। ଗତକାଲି ରାତିରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜଣେ ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ ଧରିଥିଲା । ୟୁନିଟ ୪ ମଧୁସୂଦନ ନଗର ସ୍ଥିତ ଭଡାଘରେ ଏହି କାରବାର ବେଳେ ଧରିଥିଲା ଭିଜିଲାନ୍ସ । ଜଣେ ବେକେରି ମାଲିକଙ୍କ ଉପରେ ଲାଗିଥିବା ଜରିମାନା ରଫାଦଫା କରିବା ପାଇଁ ସରିତା ବାରିକ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏ ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ଏସପି ସରୋଜ ସାମଲ ।
ବନ୍ୟାଜଳରେ ଭାସିଗଲା କାର୍ ; ସ୍ବାମୀ, ସ୍ତ୍ରୀ ଓ ଦୁଇ ସନ୍ତାନଙ୍କ ସଲିଳ ସମାଧି
ନନ୍ଦିଘୋଷ ବ୍ୟୁରୋ : ଛତିଶଗଡ଼ର କାଙ୍ଗର ଭ୍ୟାଲି ଜାତୀୟ ଉଦ୍ୟାନ ଅଞ୍ଚଳର NH-30 ରେ ଅଘଟଣ। ଦରଭା ନିକଟରେ ହୃଦୟ ବିଦାରକ ଘଟଣା। ବନ୍ୟା ଜଳରେ ଭାସିଗଲା କାର। କାରରେ ଥିବା ଗୋଟିଏ ପରିବାରର ୪ ସଦସ୍ୟଙ୍କ ହୋଇଛି ମୃତ୍ୟୁ। ମୃତକଙ୍କ ମଧ୍ୟରେ ଅଛନ୍ତି ସ୍ୱାମୀ-ସ୍ତ୍ରୀ ଏବଂ ୨ ସନ୍ତାନ। ତାମିଲନାଡୁର ଏକ ପରିବାର କାରରେ ବସ୍ତର ବୁଲିବାକୁ ଆସିଥିଲେ। ତେବେ ଦୁର୍ଭାଗ୍ୟବଶତଃ ଭରା ନଈରେ କାରଟି ଭାସିଯାଇଥିଲା। ଡ୍ରାଇଭର ପହଁରି ନିଜ ଜୀବନ ବଞ୍ଚାଇଥିଲେ। କିନ୍ତୁ ପରିବାରର ଚାରି ଜଣ ସଦସ୍ୟଙ୍କ ପ୍ରାଣହାନି ଘଟିଥିଲା। ASP ମହେଶ୍ୱର ନାଗ କହିଛନ୍ତି- ବିଳମ୍ବିତ ରାତିରେ ବହୁ ପରିଶ୍ରମ ପରେ SDRF କାରରେ ଫସି ରହିଥିବା ମୃତଦେହଗୁଡ଼ିକୁ ବାହାର କରିଛି। ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜଗଦଲପୁର ମେଡିକାଲ କଲେଜକୁ ପଠାଯାଇଛି।
ଚାଷୀଙ୍କୁ ମିଳିଲା ସିଏମ୍ କିଷାନ ଯୋଜନାର ତୃତୀୟ କିସ୍ତି
ନନ୍ଦିଘୋଷ ବ୍ୟୁରୋ : ୨୦୨୫-୨୬ ରବି ଋତୁ ପାଇଁ ଚାଷୀମାନଙ୍କୁ ସିଏମ-କିଷାନ ସହାୟତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୫୧ ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ରାଶି ଡିବିଟି ଜରିଆରେ ପ୍ରଦାନ କରିଛନ୍ତି । ସିଏମ କିଷାନର ତୃତୀୟ କିସ୍ତି ଭାବେ ପ୍ରତି ଚାଷୀଙ୍କୁ ୨ ହଜାର ଟଙ୍କାର ସହାୟତା ମିଳିଛି। ଏଥିପାଇଁ ଖର୍ଚ୍ଚ ହେବ ୧୦୪୧ କୋଟି ଟଙ୍କା। ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ।
୪ ମହଲା କୋଠା ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ, ୮ ଆହତ; ଅନେକ ଫସି ରହିଥିବା ଆଶଙ୍କା
ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରର ଭାସାଇ-ଭିରାରରେ ଘଟିଛି ଏକ ବଡ଼ ଅଘଟଣ । ବିଜୟ ନଗର ଭିରାର ପୂର୍ବରେ ଗଣପତି ମନ୍ଦିର ନିକଟରେ ଭୁଶୁଡ଼ି ପଡିଲା ଏକ ଚାରି ମହଲା କୋଠା । ବିଳମ୍ବିତ ରାତି ପ୍ରାୟ ୧ ଟା ସମୟରେ କୋଠାଭୁଶୁଡ଼ି ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି, ଆହୁରି ୧୫ରୁ ୨୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି।
ସୂଚନା ମୁତାବକ ଭିରାର ରମାବାଇ ଆପାର୍ଟମେଣ୍ଟ ଚାରି ମହଲା କୋଠାର ଚତୁର୍ଥ ମହଲାର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ, NDRF ଦଳ ଘଟଣାସ୍ଥଳରେ ପହଞ୍ଚିଛି ରେସ୍କ୍ୟୁ ଅପରେଜନ ଜାରି କରିଥିଲେ । ତେବେ କୋଠାର ଭଗ୍ନାବଶେଷରେ ଏବେ ବି ୧୫ ରୁ ୨୦ ଜଣ ନାଗରିକ ଫସି ରହିଥିବା ଆଶଙ୍କା କରାଯାଉଛି।
ଏହି କୋଠା ଦଶ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା ଏବଂ ନଗର ନିଗମ ଏହାକୁ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ କୋଠା ଘୋଷଣା କରିଥିଲା। ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ JCBର ଆବଶ୍ୟକ ହେବ ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ୮ଜଣଙ୍କୁ ଉଦ୍ଧାର କରି VVCMC ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ମୃତାହତକୁ ଏଡାଇବା ପାଇଁ କର୍ତ୍ତୃପକ୍ଷ କୋଠାର ଅନ୍ୟ ଅଂଶକୁ ଖାଲି କରାଇଦେଇଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଥିବାରୁ କ୍ଷୟକ୍ଷତିର ପରିମାଣ ଆକଳନ କରାଯାଇନାହିଁ ।

