ଭୁବନେଶ୍ୱର: ମୌସୁମୀ ଦୁର୍ବଳ ହେବା ପରେ ତାତୁଛି ଓଡ଼ିଶା । ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ୧୨୬ ବର୍ଷ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ପୁରୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଛି । ୧ ଅଗଷ୍ଟ ୧୯୭୨ରେ ସର୍ବକାଳୀନ ତାପମାତ୍ରା ଥିଲା ୩୬.୮ ଡିଗ୍ରୀ । ଗତ ୨୪ ଘଣ୍ଟାରେ ଦ୍ୱିତୀୟ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର । ଜୁଲାଇରେ ବି ହୋଇଥିଲା ଅସମ୍ଭାଳ ତାତି । ୧୦୦ ବର୍ଷ ମଧ୍ୟରେ ଜୁଲାଇ ହୋଇଥିଲା ବିଶ୍ବର ଉତ୍ତପ୍ତ ମାସ ।
୧୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର, ବିଭିନ୍ନ ପ୍ରସଙ୍ଗକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ୍ ୧୯ଟି ପ୍ରସ୍ତାବରେ ମୋହର ବାଜିଛି । ଆହୁରି ଆଗେଇବ ମିଲେଟ ମିଶନ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ପାଇଁ ପାଣ୍ଠି ଅନୁଦାନ ମଂଜୁର ହୋଇଛି । ସେହିପରି ଓଡ଼ିଶା ମୋବାଇଲ୍ ଟାଓ୍ବାର ଓ ଟେଲିଗ୍ରାଫ ଲାଇନ୍ ଓଏଫସି ଏବଂ ଏହି ସଂପର୍କିତ ଭିତ୍ତିଭୂମି ସଂଶୋଧନ ପଲିସିକୁ ଅନୁମୋଦନ ମିଳିଛି । ନାଇଜର ପରିସରରେ ହେବାକୁ ଥିବା ଟାଟା କ୍ୟାନସର ହସ୍ପିଟାଲ ପାଇଁ ଜଟଣୀରେ ୪୮ ଏକରରୁ ଅଧିକ ଜମି ଲିଜ୍ ସୂତ୍ରରେ ଦିଆଯାଇଛି । ରାଜ୍ୟର ୪ ହଜାର ୩୩୭ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ସରକାର ବ୍ୟାଙ୍କିଂ ସେବା ଯୋଗାଇ ଦେବେ । ସିଏସପି ପ୍ଲସ୍ ବ୍ୟାଙ୍କିଂ ଆଉଟଲେଟ୍ ଦ୍ବାରା ସରକାର ଏହି ସେବା ଯୋଗାଇ ଦେବେ । ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ । ସେହିପରି ରାଜ୍ୟରେ ଖାଲି ପଡ଼ିଥିବା ପଦବୀରେ ଅନୁସୂଚିତ ଜାତି ଜନଜାତିଙ୍କ ନିଯୁକ୍ତି ସଂପର୍କିତ ଅଧ୍ୟାଦେଶକୁ କ୍ୟାବିନେଟ୍ ମଂଜୁରୀ ।
ମୟୂରଭଞ୍ଜରେ ବିକାଶର ଅନୁଧ୍ୟାନ, ଗ୍ରାଉଣ୍ଡରେ 5T ସଚିବଙ୍କ ମାରାଥନ ସମୀକ୍ଷା
ମୟୂରଭଞ୍ଜ: ମୟୂରଭଞ୍ଜରେ ବିକାଶର ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଜଶିପୁର ନିର୍ବାଚନମଣ୍ଡଳୀର ମାହାରଦାପଳସା ମିନି ଷ୍ଟାଡିଅମରେ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି 5T ସଚିବ । ୧୦ ହଜାରରୁ ଅଧିକ ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରିଛନ୍ତି । ଏସଏଚଜି ମାଆ, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି । ଏହି ସମୟରେ 5T ସଚିବଙ୍କୁ ଉତ୍ସାହର ସହିତ ସ୍ବାଗତ କରିଥିଲେ ଜନସାଧାରଣ । ଚାଷୀଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେବା ସହିତ ସପ୍ତାହକରେ ଧାର୍ମିକ ଅନୁଷ୍ଠାନ ପାଇଁ ହୋଇଥିବା ଦାବି ପୂରଣ ହେବ ବୋଲି 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।
ମଶା ମାରିବ ଡ୍ରୋନ୍, ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନ୍ ବ୍ୟବହାର କରିବ ବିଏମସି
ଭୁବନେଶ୍ୱର: ମଶା ମାରିବ ଡ୍ରୋନ୍ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଏମସି ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନ୍ ବ୍ୟବହାର କରିବ । ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ରାଜଧାନୀରେ ବଢୁଥିବା ଡେଙ୍ଗୁ ସଂଖ୍ୟାକୁ ନଜରରେ ରଖି ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ୍ ମାଧ୍ୟମରେ ମଶାମରା ରାସାୟନିକ ସ୍ପ୍ରେ କରାଯିବ । ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ। ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା। ସେହିପରି ସାପ୍ତାହିକ ଡ୍ରାଏ ଡେ ପାଳନ କରାଯାଉଛି । ଅଗଷ୍ଟ ୧୫ରୁ ଅମାନିଆଙ୍କଠୁ ଜୋରିମାନା ଆଦାୟ କରିବ ବିଏମସି । ଯେଉଁମାନଙ୍କ ଘରେ କିମ୍ବା ଘର ଆଖପାଖରେ ମଶା ଲାର୍ଭା ଉତ୍ପତ୍ତି ହେଉଛି ତାକୁ ସଫା ନକଲେ ଫାଇନ ଆଦାୟ କରିବ ବିଏମସି । ତେଣୁ ଜନସାଧାରଣ ମଶା ବଂଶ ବୃଦ୍ଧି ରୋକିବାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବିଏମସି ମେୟର ।
ହିଂସାଗ୍ରସ୍ତ ରାଜ୍ୟରେ ସେନାକୁ ନେଇ ବିବାଦ, ମଣିପୁରରୁ ଆସାମ ରାଇଫଲ୍ସ ପ୍ରତ୍ୟାହାର ପାଇଁ ମିତେଇ ବିଧାୟକଙ୍କ ଦାବି
ଇମ୍ଫାଲ: ମଣିପୁରରେ ଆସାମ ରାଇଫଲ୍ସକୁ ନେଇ ପୁଣି ବିବାଦ । ମୁହାଁମୁହିଁ ହୋଇଛନ୍ତି ମିତେଇ-କୁକୀ ସମ୍ପ୍ରଦାୟ । ସାମ୍ପ୍ରଦାୟିକ ହିଂସାକୁ ନେଇ ମଣିପୁର ଜଳୁଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିବା ଆସାମ ରାଇଫଲ୍ସକୁ ନେଇ ଦୁଇ ସମ୍ପ୍ରଦାୟର ବିଧାୟକ ପିଏମଓକୁ ଭିନ୍ନ ଦାବି ଜଣାଇଛନ୍ତି । ୪୦ ବିଧାନସଭା ଆସନ ବିଶିଷ୍ଟ ମଣିପୁରରେ ଅଧିକାଂଶ ମିତେଇ ସମ୍ପ୍ରଦାୟର ହୋଇଥିବା ବେଳେ ରାଜ୍ୟରୁ ଆସାମ ରାଇଫଲ୍ସ ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି । ରାଜ୍ୟରେ ଶାନ୍ତି, ନିରାପତ୍ତା ଓ ସ୍ଥିରତା ଫେରାଇ ଆଣିବା ନିମନ୍ତେ ରାଜ୍ୟ ପୋଲିସ ଫୋର୍ସ ସକ୍ଷମ ବୋଲି ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ମିତେଇ ସମ୍ପ୍ରଦାୟର ବିଧାୟକ । କିନ୍ତୁ କୁକୀ ସମ୍ପ୍ରଦାୟ ଏହାକୁ ବିରୋଧ କରିଛନ୍ତି । କୁକୀ ସମ୍ପ୍ରଦାୟର ୧୦ ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ସ୍ମାରକପତ୍ରରେ କହିଛନ୍ତି ଯେ, ମଣିପୁରରେ ଆସାମ ରାଇଫଲ୍ସ ନିଜ କାମ ଉପରେ ଗୁରୁତ୍ୱ ଦେଉଛି । ତେଣୁ ଆମ ସୁରକ୍ଷା ପାଇଁ ଏହି ଫୋର୍ସକୁ ଆମ ରାଜ୍ୟରୁ ହଟାନ୍ତୁ ନାହିଁ। ଏଥିସହ ରାଜ୍ୟର ପୋଲିସ ଫୋର୍ସର ନିୟନ୍ତ୍ରଣ କ୍ଷମତାକୁ ହ୍ରାସ କରିବାକୁ ସେମାନେ ଦାବି କରିଛନ୍ତି ।
ହିଂସାଗ୍ରସ୍ତ ରାଜ୍ୟରେ ଆଦିବାସୀଙ୍କ ସୁରକ୍ଷା ପାଇଁ ଆସାମ ରାଇଫଲ୍ସ ସେନାଙ୍କ ଉପସ୍ଥିତି ନିହାତି ଆବଶ୍ୟକ । ଏଥିସହ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ରୀୟ ପାରାମିଲିଟାରୀ ଦ୍ୱାରା ହୋଇଥିବା ବଫର୍ ଜୋନ୍ ଉଲ୍ଲଂଘନ ନକରିବାକୁ ନି ରାଜ୍ୟର ପୋଲିସ ଫୋର୍ସକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି କୁକୀ ବିଧାୟକ । ରାଜ୍ୟରୁ ଆସାମ ରାଇଫଲ୍ସକୁ ହଟାଇବାକୁ ସେନା ନାଁରେ ମିଥ୍ୟା ମାମଲା ରୁଜୁ କରୁଛି ପୋଲିସ । ଏଭଳି ମାମଲା ରୁଜୁ କରି ଅଶାନ୍ତ ରାଜ୍ୟରୁ ଆସାମ ରାଇଫଲ୍ସକୁ ହଟାଇବାକୁ ଚେଷ୍ଟା କରାଯାଉଛି । ମେ ମାସ ଆରମ୍ଭରୁ ମଣିପୁରରେ ମିତେଇ ଓ କୁକୀ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ଘଟଣା ଯୋଗୁ ସମଗ୍ର ରାଜ୍ୟ ଜଳି ଉଠିଥିଲା । ବହୁ ସମ୍ପତ୍ତି ଭସ୍ମ ହୋଇଯାଇଥିବା ବେଳେ ଶତାଧିକ ନୀରିହ ଲୋକଙ୍କ ଜୀବନ ଯାଇଛି । ଅଶାନ୍ତ ମଣିପୁରକୁ ନିୟନ୍ତ୍ରଣକୁ ଆଣିବାକୁ ଆସାମ ରାଇଫଲ୍ସ ସମେତ ଦେଶର ଅନ୍ୟ କେନ୍ଦ୍ରୀୟ ସୁରକ୍ଷା ବଳକୁ ମଧ୍ୟ ସେଠାକୁ ପଠା ଯାଇଥିଲା ।
ଆସିଲା ଦୀପିକା ଓ ଦିନେଶଙ୍କ DNA ରିପୋର୍ଟ, ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ୍ସ ହେଉଛନ୍ତି ଦିନେଶ ଓ ଦୀପିକା
ବ୍ରହ୍ମପୁର: ଆସିଲା ଦୀପିକା ଓ ଦିନେଶଙ୍କ DNA ରିପୋର୍ଟ । ରିପୋର୍ଟରେ ସ୍ପଷ୍ଟ ଲେଖା ଅଛି ଯେ, ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ୍ସ ହେଉଛନ୍ତି ଦିନେଶ ଓ ଦୀପିକା। ଗତକାଲି ଥାନାରୁ ସାର୍ଟିଫାଏଡ୍ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ ଲ୍ୟାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିଲା । ୨୦୨୧ରେ ହୋଇଥିବା ମାମଲା ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । ୨୦୨୨ରେ ଏହି ରିପୋର୍ଟକୁ ଏସଡିଜେଏମ, ବ୍ରହ୍ମପୁର ଏସପି ଓ ଟାଉନ ଥାନାକୁ ଏହି ରିପୋର୍ଟ ପ୍ରଦାନ କରିଥିଲା ଏସଏଫଏସଏଲ । ଏପର୍ଯ୍ୟନ୍ତ ଏହି ରିପୋର୍ଟ କୋର୍ଟରେ ଦିଆଯାଇନଥିବା ଅଭିଯୋଗ କରିଥିଲେ ଦୀପିକା । ତେବେ କୋର୍ଟର ଆବଶ୍ୟକତା ଓ ତାଙ୍କ ଓକିଲର ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଥିବା କହିଥିଲେ ବ୍ରହ୍ମପୁର ଏସପି ଶ୍ରବଣ ଏମ୍ ।
ମୁଣ୍ଡଳୀ ବ୍ରିଜ ଉପରୁ ଯୁବକ ନିଖୋଜ ଘଟଣା, ମହାନଦୀକୁ ଡେଇଁଥିବା ସନ୍ଦେହ
କଟକ: ବାରଙ୍ଗଥାନା ଗୋଡ଼ିସାହି ଫାଣ୍ଡି ନିକଟ ମୁଣ୍ଡଳୀ ବ୍ରିଜ ଉପରେ ବାଇକ ଥୋଇ ଯୁବକ ନିଖୋଜ ଘଟଣା । ଯୁବକ ଜଣଙ୍କ ମହାନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି । ଗତକାଲି ବ୍ରିଜ୍ ଉପରୁ ବାଇକ, ହେଲମେଟ୍ ଓ ବ୍ୟାଗ୍ ମିଳିଥିବାବେଳେ ଯୁବକଙ୍କର ପତ୍ତା ମିଳୁଛି । ନିଖୋଜ ଯୁବକ ହେଲେ ନିଆଳି ଅଞ୍ଚଳର ଶାଶ୍ବତ ଷଡ଼ଙ୍ଗୀ । ତାଙ୍କୁ ଖୋଜିବାକୁ ଅଗ୍ନିଶମ ବାହିନୀ ମହନଦୀରେ ସର୍ଚ୍ଚ ଅପରେସନ ଜାରି ରଖିଛି । ଘଟଣାସ୍ଥଳରେ ଯୁବକଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଅଛନ୍ତି । ଗତକାଲି ରାତି ସାଢେ ୯ଟା ବେଳେ ସ୍ଥାନୀୟ ଲୋକ ବ୍ରିଜ୍ ଉପରେ ବାଇକ, ବ୍ୟାଗ୍, ହେଲମେଟ ଦେଖି ପୋଲିସକୁ ଖବର ହେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ନମ୍ବର ଯାଞ୍ଚ କରି ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲା । ସେପଟେ ନିଖୋଜଙ୍କ ପରିବାର ଲୋକ କହିଛନ୍ତି ଟଙ୍କା କଲେକ୍ସନ ପାଇଁ ଶାଶ୍ବତ ଆସି ଆଉ ଫେରିନାହାନ୍ତି ।
ରାଜ୍ୟସଭାରେ ବିଲ୍ ଆଣିଲା କେନ୍ଦ୍ର, ଇସି ନିଯୁକ୍ତି କମିଟିରୁ ବାଦ୍ ପଡ଼ିବେ CJI
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଅନ୍ୟ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ନୂଆ ଆଇନ ପ୍ରଣୟନ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଗୁରୁବାର ରାଜ୍ୟସଭାରେ ଏକ ବିଲ୍ ଆଗତ କରାଯାଇଛି । ଏହି ବିଧେୟକ ଅନୁସାରେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଲାଗି ୩ ସଦସ୍ୟ ବିଶିଷ୍ଟ ଏକ ଚୟନ କମିଟି ଗଠନ କରାଯିବ । ଏହି କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ଜଣେ କ୍ୟାବିନେଟ ମନ୍ତ୍ରୀ ରହିବେ । ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ କେ.ଏମ୍ ଜୋସେଫଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ ଏକ ନିର୍ଦ୍ଦେଶରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି (ସିଜେଆଇ ) ଏବଂ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଏକ କମିଟିର ପରାମର୍ଶ କ୍ରମେ ରାଷ୍ଟ୍ରପତି ସିଇସିଙ୍କୁ ନିଯୁକ୍ତି ଦିଅନ୍ତୁ। ହେଲେ କେନ୍ଦ୍ର ଆଣିଥୁବା ଏହି ବିଲରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇନାହିଁ । କମିଟିରେ ସିଜେଆଇଙ୍କୁ ସାମିଲ କରାଯାଇନାହିଁ । ତେଣୁ ବିରୋଧୀ ରାଜ୍ୟସଭାରେ ଏହି ବିଲକୁ ଜୋରଦାର ବିରୋଧ କରିଥିଲେ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କେନ୍ଦ୍ର ସରକାର ଏପରି ବିଲ୍ ଆଣି ନିର୍ବାଚନ କମିଶନକୁ ଦୁର୍ବଳ କରୁଛନ୍ତି ବୋଲି କଂଗ୍ରେସ ସମେତ ଆପ୍ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଉକ୍ତ ରାୟ ପୂର୍ବରୁ କେନ୍ଦ୍ର ସରକାରଙ୍କ ସୁପାରିସରେ ରାଷ୍ଟ୍ରପତି ସିଇସି ଏବଂ ଇସିଙ୍କୁ ନିଯୁକ୍ତି ଦେଉଥିଲେ । ତେବେ ରାଜ୍ୟସଭାରେ ଆଗତ ହୋଇଥିବା ବିଲକୁ କନା ସମାଲୋଚନା କରିଛି କଂଗ୍ରେସ । ନିର୍ବାଚନ କମିଶନରଙ୍କୁ ପ୍ରଧାନମନ୍ତ୍ରୀ ହାତ କଣ୍ଢେଇ କରିବାକୁ ପ୍ରୟାସ କରାଯାଉଛି ବୋଲି କଂଗ୍ରେସ କହିଛି । ଏନେଇ ବରିଷ୍ଠ କଂଗ୍ରେସ ନେତା କେସି ବେଣୁ ଗୋପଳ କହିଛନ୍ତି ଯେ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମାର କୌଣସି ମହତ୍ୱ ନାହିଁ । ପ୍ରଧାନମନ୍ତ୍ରୀ ଏକତରଫା ଭାବେ କାହିଁକି ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ସେହିପରି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ଏହି ବିଲ୍ ଜରିଆରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଉ ଏକ ନିଷ୍ପତ୍ତିକୁ ବଦଳାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଭାରତର ଗଣତନ୍ତ୍ରକୁ ଦୁର୍ବଳ କରିଚାଲିଛନ୍ତି ବୋଲି କେଜ୍ରିଓ୍ୱାଲ କହିଛନ୍ତି ।
ଡାକ୍ତରଙ୍କ ଅବହେଳାରୁ ରୋଗୀମୃତ୍ୟୁ ଅଭିଯୋଗ, ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଉତ୍ତେଜନା
ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଉତ୍ତେଜନା । ଅପରେସନ ଟେବୁଲରେ ରୋଗୀ ମୃତ୍ୟୁ ହୋଇଥିବାରୁ ଉତ୍ତେଜନା । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କଟସାହି ଗୁହାଳୀପାଳ ଗାଁର ବସନ୍ତପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ପାତ୍ରଙ୍କର ଟ୍ୟୁମର ହୋଇଥିଲା । ହସ୍ପିଟାଲରେ ଅପରେସନ ପାଇଁ ଆଡମିସନ କରିଥିଲେ । ଅପରେସନ ପାଇଁ ଗତ ବୁଧବାର ଦିନ ସେ ସାଳନ୍ଦୀ ହସ୍ପିଟାଲରେ ଆଡମିସନ କରିଥିଲେ । ଗତକାଲି ରାତିରେ ତାଙ୍କର ଅପେରସନ ହୋଇଥିଲା । ଅପରେସନ ବେଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପରିକି ଆଜି ସକାଳୁ ଏହାକୁ ନେଇ ହସ୍ପିଟାଲରେ ତୀବ୍ର ଉତେଜନା ଦେଖାଦେଇଥିଲା । ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି । ତେବେ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ରୋଗୀର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବଲାଙ୍ଗୀରର ବେସରକାରୀ କଲେଜ ଯୁକ୍ତ ଦୁଇ ଛାତ୍ରକୁ ଥାର୍ଡ ଡିଗ୍ରୀ ମାମଲା, ଅଧ୍ୟାପକ ସଚିନ ମାନ ଅଟକ
ବଲାଙ୍ଗୀର: ବଲାଙ୍ଗୀର ସମ୍ବଲପୁର ରାସ୍ତାରେ ଥିବା ଏକ ବେସରକାରୀ କଲେଜରେ ଯୁକ୍ତ ଦୁଇ ଛାତ୍ରକୁ ଥାର୍ଡ ଡିଗ୍ରୀ ମାମଲା । ଅଧ୍ୟାପକ ସଚିନ ମାନଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଅଧ୍ୟାପକଙ୍କୁ ଉଠାଇଆଣି ଥାନାରେ ଅଟକ ରଖାଯାଇଛି । ଅଭିଯୋଗ ଅନୁସାରେ ସାହିଲ ବାରିକଙ୍କୁ ଅଧ୍ୟାପକ ସଚିନ ମାଡମାରି ଲହୁଲୁହାଣ କରିଛନ୍ତି । ଛାତ୍ରଙ୍କ ମୁଣ୍ଡ ଓ ବେକରେ ମାଡ ଚିହ୍ନ ରହିଛି । ଶିକ୍ଷକଙ୍କ ବିରୋଧରେ ପୁଇଁତଳା ଥାନାରେ ଛାତ୍ରଙ୍କ ବାପା ଅଭିଯୋଗ କରିଥିଲେ । ମାମଲା ରୁଜୁ କରିବା ସହିତ ଶିକ୍ଷକଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି ରଖିଛି । ସେପଟେ ଛାତ୍ରଙ୍କୁ ମାଡ଼ ମାରିବାକୁ ଅଭିଯୁକ୍ତ ଅଧ୍ୟାପକ ସ୍ବୀକାର କରିଛନ୍ତି । କଲେଜ କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

