spot_img
Home Blog Page 281

ଆଜିଠୁ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇବେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଭାରତ ଆମଦାନୀ କରୁଥିବା ସାମଗ୍ରୀ ଉପରେ ଆମେରିକା ଲାଗୁ କରିବ ୨୫ ପ୍ରତିଶତ ଶୁଳ୍କ। ଏନେଇ ଟ୍ରମ୍ପ ସରକାର ପୂର୍ବରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିଥିଲା । ନୂତନ ଶୁଳ୍କର ପ୍ରଭାବ ଅଳଙ୍କାର, ସାମୁଦ୍ରିକ ଖାଦ୍ୟ, କାର୍ପେଟ, ଫର୍ଣ୍ଣିଚର, ରାସାୟନିକ ପଦାର୍ଥ ଏବଂ ଅଟୋ ପାର୍ଟସ ଭଳି କ୍ଷେତ୍ର ଉପରେ ରହିବ ନାହିଁ । ମାନବିକ ସହାୟତା, ଖାଦ୍ୟ, ଔଷଧ ଇତ୍ୟାଦି କିଛି କ୍ଷେତ୍ର ବି ଏଥିରୁ ମୁକ୍ତ ରହିଛି । ଯେଉଁ ସାମଗ୍ରୀଗୁଡ଼ିକ ୨୭ ଅଗଷ୍ଟ ୨୦୨୫ ପୂର୍ବରୁ ଜାହାଜରେ ଲୋଡ୍ ହୋଇଛି ଏବଂ ପରିବହନରେ ଅଛି ଏବଂ ୧୭ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଆମେରିକାରେ ପହଞ୍ଚିଛି, ସେଗୁଡ଼ିକୁ ଅତିରିକ୍ତ ଶୁଳ୍କରୁ ମୁକ୍ତ କରାଯିବ ନାହିଁ।

ପୁସ୍ତକ, ଚଳଚ୍ଚିତ୍ର, ପୋଷ୍ଟର, ରେକର୍ଡ, ଫଟୋ, ସିଡି, କଳାକୃତି ଅତିରିକ୍ତ ଶୁଳ୍କରୁ ମୁକ୍ତ ରହିବ । ଲୁହା, ଇସ୍ପାତ, ଆଲୁମିନିୟମ, ଯାତ୍ରୀବାହୀ ଯାନ, ତମ୍ବା ଉତ୍ପାଦ ଭଳି ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ପୂର୍ବରୁ ଅନ୍ତର୍ଭୁକ୍ତ ହୋଇଥିବା କିଛି କ୍ଷେତ୍ରକୁ ଏହି ସାମଗ୍ରୀରୁ ମୁକ୍ତ କରାଯିବ। ତେବେ ଚୀନ୍ ଏବଂ ଭିଏତନାମ ପରେ ଭାରତ ଆମେରିକାକୁ ତୃତୀୟ ସର୍ବବୃହତ ରପ୍ତାନିକାରୀ ଦେଶ । ଯାହାର ଅଂଶ ୯ ପ୍ରତିଶତ। ଗତ ପାଞ୍ଚ ବର୍ଷ ମଧ୍ୟରେ, ଭାରତ ଚୀନ୍ ଖର୍ଚ୍ଚରେ ଆମେରିକାରେ ଏହାର ବଜାର ଅଂଶ ୬ ପ୍ରତିଶତରୁ ୯ ପ୍ରତିଶତକୁ ବୃଦ୍ଧି କରିଛି । ଏହି ସମୟରେ ଚୀନ୍‌ର ଅଂଶ ୩୮ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ ପାଇଛି। ଆମେରିକାର ଶୁଳ୍କ ଆମେରିକାକୁ ଭାରତର 86.5 ବିଲିୟନ ଡଲାର ରପ୍ତାନିର ୬୬ ପ୍ରତିଶତକୁ ପ୍ରଭାବିତ କରିବ। ଏହି ପରିସ୍ଥିତିରେ, ଭାରତର ଆର୍ଥିକ ଅଭିବୃଦ୍ଧି ବଜାୟ ରଖିବା ପାଇଁ ଏକ ଉତ୍ତମ ରଣନୀତି ଆବଶ୍ୟକ।

ଆଜି ପବିତ୍ର ଗଣେଶ ଚତୁର୍ଥୀ; ଚଳଚଞ୍ଚଳ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ : ଆଜି ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ। ଶିକ୍ଷାନୁଷ୍ଠାନର ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପରେ ପୂଜା ଚାଲିଛି। ବେଶ ଧୁମଧାମର ସହ ପାଳନ ହେଉଛି ଗଜାନନଙ୍କ ପୂଜା। ବିଦ୍ୟାଦାତା ଗଣେଶଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିବେ ଛାତ୍ରଛାତ୍ରୀ। ସ୍କୁଲ ଓ କଲେଜରେ ଚାଲିଛି ପୂଜାପାଠ। ସେହିପରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପ ଗୁଡ଼ିକରେ ପୂଜାର ଆୟୋଜନ ହୋଇଛି। ବିରାଟକାୟ ସୁଉଚ୍ଚ ତୋରଣ ପରିବେଶକୁ ଅଧିକ ଆକର୍ଷଣୀୟ କରୁଛି। ବେଶ ସୁନ୍ଦର ଭାବେ ସଜା ହୋଇଛି ସମସ୍ତ ତୋରଣ। ମଣ୍ଡପରେ ପୂଜା ପାଇବେ ଗଜାନନଙ୍କ ପ୍ରତିମୂର୍ତ୍ତି ।ମଣ୍ଡପ ଗୁଡିକୁ ଆଲୋକମାଳାରେ ସଜାଯାଇଛି। ଏଥର କଟକ ଓ ଭୁବନେଶ୍ବରରେ ଶତାଧିକ ଛୋଟବଡ ଗଣେଶ ମୂର୍ତ୍ତି ପୂଜା ପାଇବେ ।

ସାପ କାମୁଡ଼ାର ଅଜବ ଚିକିତ୍ସା: ରୋଗୀ ପିଠିରେ କଂସା ଥାଳି ରଖି ବାହାର କରାଯାଉଛି ବିଷ

ନନ୍ଦିଘୋଷ ବ୍ୟୁରୋ: ସାପ କାମୁଡାର ଅଜବ ଚିକିତ୍ସା । କଂସା ଥାଳି ବାହାର କରୁଛି ବିଷ । ଏଭଳି ଏକ ଚାଞ୍ଚଲ୍ୟ କର ଖବର ଆସିଛି ଖରିଆରରୁ । ଜଣେ କି ଦୁଇ ଜଣ ନୁହନ୍ତି, ଆଜି ପର୍ଯ୍ୟନ୍ତ ୧୦ ହଜାର ଲୋକ ଏହି ଚିକିତ୍ସା ପରେ ସୁସ୍ଥ ହୋଇଥିବା ଦାବି ହେଉଛି । ଗୁଣିଆମାନଙ୍କୁ ବନ ବିଭାଗ ତରଫରୁ ସ୍ନେକ୍ ହ୍ୟାଣ୍ଡଲର୍ ସାର୍ଟିଫିକେଟ ଦିଆଯିବା ଦ୍ଵାରା ସାଧାରଣ ଲୋକେ ସେମାନଙ୍କୁ ବିଶ୍ୱାସ କରିବା ପାଇଁ ବାଧ୍ୟ ହେଉଛନ୍ତି । ତେବେ ଏପରି ଅନ୍ଧବିଶ୍ବାସରୁ ଦୂରେଇ ରହି ହସ୍ପିଟାଲରେ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏକବିଂଶ ଶତାବ୍ଦୀରେ ମଣିଷର ଅଜବ ବିଶ୍ବାସ । ସାପ କାମୁଡ଼ିରେ ତନ୍ତ୍ରମନ୍ତ୍ର, ଝଡ଼ାଫୁଙ୍କା ଭରସା । ମଣିଷ ପିଠିରେ କଂସା ଥାଳି ରଖି ଝାଡି ଦେଲେ ବାହାରୁଛି ବିଷ । ଅନ୍ଧବିଶ୍ବାସ ପଛରେ ଜୀବନ ବାଜି ନଲଗାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ ।  ଖରିଆର ଝିତ୍ରୀଧୋଡ଼ା ଗାଁର ଦେବାର୍ଚ୍ଚନ ସତନାମୀ । ଦେବାର୍ଚ୍ଚନା ଜଣେ ସର୍ପଗାରେଡି । ଷଷ୍ଠ ଶ୍ରେଣୀରୁ ଶିଖିଛନ୍ତି ବିଦ୍ୟା । ସାପ କାମୁଡ଼ା ରୋଗୀଙ୍କୁ ମନ୍ତ୍ରପାଠ କରି ଥାଳି ଲଗାଇ ବିଷ ହରଣ କରିବା ପରେ ଚେତା ଫେରିଲେ ତାକୁ ମନ୍ତ୍ର ପାଣିରେ ଗାଧେଇ ଦିଅନ୍ତି ଦେବାର୍ଚ୍ଚନା । କଥାବାର୍ତ୍ତା କରିବା ପରେ ଛାଡ଼ନ୍ତି । ଜଣେ କି ଦୁଇଜଣ ନୁହେଁ ତାଙ୍କର ଏହି ଚିକିତ୍ସା ଦ୍ବାରା ୧୦ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ସେ କହିଛନ୍ତି ।

ତେବେ ଏସବୁ ଉପରେ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସାପ କାମୁଡ଼ିଲେ ହସ୍ପିଟାଲକୁ ଯାଇ ଆଣ୍ଟି ଭେନମ ନେବାକୁ ସେ ପରାମର୍ଶ ଦେଇଛନ୍ତି । ସାପ କାମୁଡ଼ିଲେ ମନ୍ଦିରରେ ପାଣି ଢାଳିବା, ଝାଡଫୁଙ୍କା, ପାଟିରେ ବିଷ ବାହାର କରିବା, କପଡା ବାନ୍ଧିବା ଓ ଅଙ୍ଗୁଡ଼ି କାଟି ଦେବା ମରଣକୁ ଡାକିଥାଏ । ଗୋଲଡେନ ଆୱରରେ ଡାକ୍ତରଖାନାରେ ରୋଗୀ ନପହଞ୍ଚିଲେ, କିମ୍ବା ଅଧିକ ସମୟ ନଷ୍ଟ କଲେ ବିଷ ସଞ୍ଚରଣ ଅଧିକ ହୋଇଥାଏ । ତେଣୁ ଅନ୍ଧବିଶ୍ବାସ ଦୂରେଇ ରହି ଡାକ୍ତରଖାନା ଯାଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି  ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ।

ଖର୍ଚ୍ଚ ହୋଇପାରୁନି ବିଭିନ୍ନ ସରକାରୀ ଯୋଜନାର ଅର୍ଥ, ଆଗଉନି ଯୋଜନା ହେଉନି କାମ

ନନ୍ଦିଘୋଷ ବ୍ୟୁରୋ: ଖର୍ଚ୍ଚ ହୋଇପାରୁନି ବିଭିନ୍ନ ସରକାରୀ ଯୋଜନାର ଅର୍ଥ । ଯୋଜନା ଆଗଉନି କି କାମ ବି ହେଉନି । ଖୋଦ ସରକାରଙ୍କ ସମୀକ୍ଷାରୁ ଆସିଛି ଏଭଳି ସାଙ୍ଘାତିକ ତଥ୍ୟ । କିଛି ବିଭାଗର ୨ ପ୍ରତିଶତ ବି ଅର୍ଥ ଖର୍ଚ୍ଚ ହୋଇନାହିଁ । ଏଭଳି ସ୍ଥିତିକୁ ନେଇ ବିଭିନ୍ନ ବିଭାଗକୁ ତାଗିଦ କରାଯାଇଛି । ସେପଟେ ରାଜ୍ୟରେ ସବୁ ଠପ ହୋଇପଡିବା ଓ ବିଭାଗକୁ ଏଭଳି ନିର୍ଦ୍ଦେଶ ଦିଆଯିବା ପରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ । ସରକାରଙ୍କ ସ୍ଥାଣୁତା ଉପରେ ପ୍ରଶ୍ନ ଉଠାଇଛନ୍ତି ଗଣ ସଂଗଠନ ଓ ପୂର୍ବତନ ପ୍ରଶାସକ ।

ଅଗଷ୍ଟ ୧୨ ସୁଦ୍ଧା ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ୧୬.୧ ପ୍ରତିଶତ । କ୍ରୀଡା ଯୁବ ସେବା ବିଭାଗରେ ଜୁଲାଇ ୩୧ ସୁଦ୍ଧା ୧୧୨୦ କୋଟି ଖର୍ଚ୍ଚ ବ୍ୟବସ୍ଥା ମଧ୍ୟରୁ ଖର୍ଚ୍ଚ ହୋଇଛି ମାତ୍ର ୧.୭୬ ପ୍ରତିଶତ । ଏ ହେଉଛି କେବଳ ଦୁଇଟି ଉଦାହରଣ ମାତ୍ର । ରାଜ୍ୟରେ ଶାସନ ବ୍ୟବସ୍ଥା କିଭଳି ଚାଲିଛି ତାହା ଏହି ଦୁଇଟି ବିଭାଗର ଖର୍ଚ୍ଚକୁ ଦେଖିଲେ ସ୍ପଷ୍ଟ ହେଉଛି । ସରକାରଙ୍କ ବିଭିନ୍ନ ବିଭାଗର ସ୍କିମ ଓ ପ୍ରୋଗ୍ରାମର ଅର୍ଥ ଖର୍ଚ୍ଚ ନ ହୋଇ ପଡି ରହିଛି । ଯାହାକୁ ନେଇ ଖୋଦ ବିଭାଗ ଗୁଡିକୁ ତାଗିଦ କରାଯାଇଛି । ବିଭାଗ ଗୁଡିକର ପ୍ରମୁଖ ସ୍କିମର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ କେନ୍ଦ୍ରୀୟ ଭାଗ କିଭଳି ମିଳିବ ସେଥିପାଇଁ ସମନ୍ୱୟ ରକ୍ଷା ପାଇଁ ମଧ୍ୟ କୁହାଯାଇଛି । ଏପରିକି କ୍ରୀଡା ଯୁବ ସେବା ବିଭାଗକୁ କେଉଁ ଭିତ୍ତିଭୂମି ପ୍ରକଳ୍ପରେ ଖର୍ଚ୍ଚ କରିହେବ ସେ ନେଇ ତଦାରଖ କରିବାକୁ ତାଗିଦ କରାଯାଇଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ କାମ ସବୁ ଠପ ହୋଇଯାଇଛି ବୋଲି ଯେଉଁ ଅଭିଯୋଗ ହେଉଛି ତାର ସତ୍ୟକୁ ସରକାରଙ୍କ ଏହି ତଥ୍ୟ ପର୍ଦ୍ଦାଫାଶ କରିଛି । ସେପଟେ ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳ ଓ ଗଣ ସଂଗଠନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଓ କଂଗ୍ରେସ । ସେପଟେ ସିଟିଜେନ୍ସ ଫୋରମର କହିବା କଥା ବର୍ଷେ ଶାସନ ମଧ୍ୟରେ ସବୁ ଜଣାପଡିଗଲା । ଏବେ ଅର୍ଥ ଖର୍ଚ୍ଚ କରି ବିକାଶ କର ନଚେତ ଗାଦି ଛାଡ଼ ବୋଲି ଦାବି କରିଛି ଫୋରମ ।

ସେପଟେ ପୂର୍ବତନ ପ୍ରଶାସକମାନେ ମଧ୍ୟ ସରକାରଙ୍କ କାର୍ଯ୍ୟ କରିବା ଶୈଳୀ ଓ କାର୍ଯ୍ୟର ମନ୍ଥରତା ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ପ୍ରଗତିମୂଳକ କାର୍ଯ୍ୟ ଠପ ଓ ଅର୍ଥ ଖର୍ଚ୍ଚ ନ ହେବାର କାରଣ ହେଉଛି ସହଯୋଗ ଓ ସମନ୍ୱୟ ଅଭାବ । ଏପରିକି ଯାହା କାର୍ଯ୍ୟ ହେଉଛି ୟୁସି ଦିଆଯାଇ ନଥିବାରୁ କାର୍ଯ୍ୟ ଆଗେଇ ପାରୁନି । ମନ୍ତ୍ରୀମାନେ ଏ ନେଇ ତତ୍ପର ହେବାକୁ କୁହାଯାଇଛି । ସେପଟେ ଶାସକ ଦଳର କହିବା କଥା ବିଭାଗ କାର୍ଯ୍ୟ ସଠିକ ଢଙ୍ଗରେ ହେଉଛି ।

ରାଜ୍ୟରେ ବିଜେପି ସରକାର ଆସିବା ପରେ ବିକାଶ ମୂଳକ କାର୍ଯ୍ୟ ଠପ ହୋଇଥିବା ଅଭିଯୋଗ ହୋଇ ଆସୁଛି । ଏବେ ଖୋଦ ବିଭାଗ ଗୁଡିକର ଚିତ୍ର ଆସିବା ପରେ ଏ କଥା ସ୍ପଷ୍ଟ ହେଉଥିବା ଚର୍ଚ୍ଚା ହେଉଛି ।

ଅସଜଡା କଂଗ୍ରେସକୁ ସଜାଡ଼ିବ ଏଆଇସିସି: ଦିଲ୍ଲୀ ବାଛିବ ଜିଲ୍ଲା ସଭାପତି, ସେପ୍ଟେମ୍ବର ୨ରୁ ସଙ୍ଗଠନ ସୃଜନ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା କଂଗ୍ରେସକୁ ସଜାଡ଼ିବେ ବାହାର ରାଜ୍ୟର ନେତା । ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ତୃଣମୂଳସ୍ତରୁ ଖୋଜି ସାମ୍ନାକୁ ଆଣିବ ଦଳ । ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ଦ୍ବାରା ନିଯୁକ୍ତ ୩୫ ଜଣ ପର୍ଯ୍ୟବେକ୍ଷକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାହୁଲ ଗାନ୍ଧି । ଯାହାକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି କଂଗ୍ରେସ ଶିବିର । ଏଭଳି ସ୍ଥିତିରେ କଂଗ୍ରେସର ସ୍ବପ୍ନ କେତେ ଦୂର ଫଳପ୍ରଦ ହେଉଛି, ତାକୁ ନେଇ ଆରମ୍ଭ ହୋଇଛି ନାନା ଚର୍ଚ୍ଚା ।

ଅସଜଡା କଂଗ୍ରେସକୁ ସଜାଡିବ ଏଆଇସିସି । ଓଡିଶା କଂଗ୍ରେସରେ ମୂଳପୋଛ ହେବ ଗୋଷ୍ଠୀ । ବ୍ୟକ୍ତି ନୁହେଁ, ଦଳ ବଡ ହେବ ସଙ୍ଗଠନର ମୂଳମନ୍ତ୍ର । ତୃଣମୂଳ ସ୍ତରରୁ କଂଗ୍ରେସ ସଙ୍ଗଠନକୁ ସଶକ୍ତ କରିବାକୁ ସେପ୍ଟେମ୍ବର ୨ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ସଙ୍ଗଠନ ସୃଜନ । ୩୫ଟି ସାଙ୍ଗଠନିକ ଜିଲ୍ଲାକୁ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ଗସ୍ତ କରିବେ । ବ୍ଲକ ଓ ଜିଲ୍ଲାସ୍ତରରେ ନେତା ଓ କର୍ମୀଙ୍କ ସହ ଦଳୀୟ ସଙ୍ଗଠନ ବାବଦରେ ଆଲୋଚନା କରିବେ । ତୃଣମୂଳ ସ୍ତରରେ କଂଗ୍ରେସ କିପରି ମଜବୁତ ହେବ, ସେନେଇ  ବୃଦ୍ଧିଜୀବୀ, ସାଧାରଣ ଜନତା, ବିଭିନ୍ନ ବର୍ଗର ଲୋକଙ୍କ ମତାମତ ଗ୍ରହଣ କରିବ ଦଳ । ତୃଣମୂଳସ୍ତରେ ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ସଂଗଠନ ସୃଜନ ଜରିଆରେ ସାମ୍ନାକୁ ଆଣି ଜିଲ୍ଲା ସଭାପତିର ଗୁରୁଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଇଛି ଏଆଇସିସି । ପର୍ଯ୍ୟବେକ୍ଷକମାନେ ଯାହା ନାଁ ଜିଲ୍ଲା ସଭାପତି ଭାବେ ସୁପାରିଶ କରିବେ, ତାହା ଉପରେ ଏଆଇସିସି ମୋହର ମାରିବ । ପିସିସି ସଭାପତିଙ୍କ କହିବା କଥା, ଓଡ଼ିଶା କଂଗ୍ରେସକୁ ଏବେ ଏଆଇସିସି ଫୋକସ କରିଛି । ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଆଉ ଲବି କି ଗୋଷ୍ଠୀ ନୁହେଁ, ଯିଏ କାମ କରିବ ତାକୁ ଦାୟିତ୍ବ ଦିଆଯିବ ।

୨୦୨୪ ନିର୍ବାଚନରେ ଶାସନର ପଟ ପରିବର୍ତ୍ତନ ପରେ ଓଡ଼ିଶାକୁ ଅଧିକ ଗୁରୁତ୍ବ ଦେଉଛି ଏଆଇସିସି । ୨୫ ବର୍ଷ ଧରି କ୍ଷମତା ବାହାରେ ଥିବା କଂଗ୍ରେସ ପୁଣି ଥରେ କିପରି କ୍ଷମତାକୁ ଫେରିବ, ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । ଏବେ ନେତା ଏକଜୁଟ ହେବା ଦରକାର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ସେହିପରି ରାହୁଲ ଗାନ୍ଧି ରାଜ୍ୟ କଂଗ୍ରେସର ନେତାଙ୍କ ମନରେ ଜୋସ ଭରିବା ସହ ସଙ୍ଗଠନ ସଜାଡିବା ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ଜିଲ୍ଲା ସଭାପତିଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ରାହୁଲଙ୍କ ସଂଗଠନ ସୃଜନ ଓଡ଼ିଶା କଂଗ୍ରେସକୁ ତୃଣମୂଳ ସ୍ତରରେ ନୂଆ ରୂପ ଦେବ ବୋଲି ଆଶା ବାନ୍ଧିଛନ୍ତି ଦଳୀୟ ନେତା ।

ନବୀନଙ୍କୁ ମହିଳା ସଶକ୍ତିକରଣ ଚିନ୍ତା, ହକ ଓ ଅଧିକାର ସହ ସାମାଜିକ ସୁରକ୍ଷା ପାଇଁ ଦେଲେ ଆହ୍ବାନ

ନନ୍ଦିଘୋଷ ବ୍ୟୁରୋ: ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇ ରାଜ୍ୟର ମହିଳାଙ୍କୁ ସଶକ୍ତ କରାଯାଇଥିଲା । ସାମାଜିକ, ରାଜନୈତିକ ଓ ଆର୍ଥକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇ ରାଜ୍ୟର ବିକାଶକୁ ଆଗେଇ ନେଇଥିଲେ ମହିଳା । ନବୀନଙ୍କ ଦୃରଦୃଷ୍ଟି ଯୋଗୁଁ ସ୍ଲୋଗାନ ନୁହେଁ, ମହିଳା ସଶକ୍ତିକରଣ ଏକ ବିପ୍ଳବରେ ପରିଣତ ହୋଇଛି । ମହିଳା ସମାନତା ଦିବସରେ ମହିଳାଙ୍କୁ ଆହୁରି ସଶକ୍ତ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସଶକ୍ତ ହେବେ ମା’, ସଶକ୍ତ ହେବ ଓଡ଼ିଶା । ମା’ମାନେ କିଭଳି ସଶକ୍ତ ହେବେ, ସେନେଇ ସବୁବେଳେ ପ୍ରାଥମିକତା ଦେଇ ଆସୁଛି ବିଜୁ ଜନତା ଦଳ । ମହିଳା ସଶକ୍ତିକରଣ ବିଜେଡି ପାଇଁ କେବଳ ସ୍ଲୋଗାନ ନଥିଲା, ଏହାକୁ ବାସ୍ତବ ରୂପ ମଧ୍ୟ ଦେଇଥିଲା ଦଳ ।  ମିଶନ ଶକ୍ତି ଜରିଆରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରି ସାରା ଦେଶ ପାଇଁ ରୋଲ ମଡେଲ ସାଜିଥିଲା ଓଡ଼ିଶା । ମମତା ହେଉ କି ମିଶନ ଶକ୍ତି, ପୋଷଣ ବଜେଟଠୁ ଆରମ୍ଭ କରି ପଞ୍ଚାୟତ ସ୍ତରରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ । ସବୁଠି ମା’ଙ୍କୁ ମିଳିଛି ହକ ଓ ସମ୍ମାନ । ଲୋକସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାରେ ପ୍ରମୁଖ ଭୂମିକା ନେଇଥିଲା ବିଜେଡି । ମହିଳା ସମାନତା ଦିବସରେ ଏପରି ଏକ ସମାଜ ଗଢ଼ିବା ପାଇଁ ସଂକଳ୍ପକୁ ଦୃଢ଼ କରିଛି ବିଜେଡି । ଯେଉଁଠି ମହିଳାଙ୍କୁ ବିନା କୌଣସି ବାଧାରେ ଆଗକୁ ବଢ଼ିବାକୁ ଓ ସ୍ୱପ୍ନ ଦେଖିବାକୁ ସମାନ ସୁଯୋଗ ମିଳୁଥିବ । ମହିଳା ସମାନତା ଦିବସରେ ଏଭଳି ଆହ୍ବାନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସେପଟେ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ୧୪ ମାସ ହେବ ରାଜ୍ୟରେ ମହିଳା ଅସୁରକ୍ଷିତ । ଦିନକୁ ଦିନ ନିର୍ଯାତନା ବଢ଼ାବା ସହ କର୍ମ କ୍ଷେତ୍ରରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ ସ୍ଥଳୀ ସବୁଠି ତ୍ରାହି ତ୍ରାହି ଡାକିଲେ ମା’ ଭଉଣୀ । ସଶକ୍ତ ହେବେ କ’ଣ ଏବେ ଘରୁ ବାହାରିବାକୁ ଡରୁଛନ୍ତି ମହିଳା । ମହିଳାଙ୍କ ଅଧିକାର ପାଇଁ ବିଜେଡି ଲଢୁଛି ଓ ଆଗକୁ ବି ଲଢ଼େଇ ଜାରି ରଖିବ । ବିରୋଧୀ ଦଳ ଉପନେତା କହିଛନ୍ତି, ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନିଅନ୍ତି, ତାହାକୁ ଦେଶ ଅନୁକରଣ କରେ । ରାଜନୀତିରୁ ଊର୍ଦ୍ଧ୍ବରେ ରହି ନବୀନ ସବୁବେଳେ କାମ କରନ୍ତି ବୋଲି କହିଛି ବିଜେଡି ।

ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ମହିଳାଙ୍କ ବିରୋଧରେ ଅତ୍ୟାଚାର ହୁ ହୁ ହୋଇ ବଢିଚାଲିଛି । ଦେଶ ଓ ବିଦେଶରେ ବଦନାମ ହେଲାଣି ଓଡ଼ିଶା । ତେଣୁ ଏବେ ମହିଳାମାନେ କିପରି ଆଗକୁ ବଢ଼ିବେ ସେନେଇ ସରକାର ସଜାଗ ହେବାକୁ ମହିଳା ସମାନତା ଦିବସରେ ଆହ୍ବାନ ଦେଇଛନ୍ତି ବିରୋଧୀ ଦଳ ନେତା ।

ବନ୍ୟା ବଢ଼ାଇଛି ଦୁର୍ଦ୍ଦଶା: ଯାଜପୁର, ଭଦ୍ରକ ଓ ବାଲେଶ୍ବର ଅଧିକ ପ୍ରଭାବିତ

ନନ୍ଦିଘୋଷ ବ୍ୟୁରୋ: ବୈତରଣୀରୁ ବିପଦ ଟଳିଲାଣି । ହେଲେ ସୁବର୍ଣ୍ଣରେଖା ଯୋଗୁଁ ଏବେ ବି ବାଲେଶ୍ବର ବନ୍ୟା ଘେରରେ ରହିଛି । ଜାମସୋଲା ଘାଟରେ ଆଉ ବର୍ଷା ହେଉ ନଥିବାରୁ, ସୁବର୍ଣ୍ଣରେଖାର ସ୍ଥିତିରେ ସୁଧାର ଆସୁଛି । ଆସନ୍ତାକାଲି ସୁଦ୍ଧା ସ୍ବାଭାବିକ ସ୍ଥିତି ଫେରିବା ନେଇ ସରକାର ଆଶା ରଖିଛନ୍ତି । ଯାଜପୁର, ବାଲେଶ୍ବର ଓ ଭଦ୍ରକ ବନ୍ୟାରେ ଅଧିକ ପ୍ରଭାବିତ ହୋଇଛନ୍ତି । ତେବେ କାଣୀ ନଦୀରେ ଘାଇ ଯୋଗୁଁ ଯାଜପୁର ଜିଲ୍ଲାରେ ହୋଇଛି ସର୍ବାଧିକ କ୍ଷତି ।

ଯାଜପୁର, ଭଦ୍ରକ ଓ ବାଲେଶ୍ବର । ଚଳିତବର୍ଷ ଏକାଧିକ ବନ୍ୟା ଯୋଗୁଁ ଏହି ତିନି ଜିଲ୍ଲାରେ କ୍ଷୟକ୍ଷତି ବଢିବାରେ ଲାଗିଛି । ହେଲେ ଜାମସୋଲା ଘାଟରେ ଆଉ ବର୍ଷା ହୋଇନି । ଯେଉଁଥି ପାଇଁ ରାଜଘାଟରେ ସୁବର୍ଣ୍ଣରେଖା ଖସୁଛି । ଆଜି ଏହା ବିପଦ ସଂକେତ ତଳକୁ ଯାଇ ଆସନ୍ତାକାଲି ଭୋର ସମୟରେ ସତର୍କ ସଂକେତ ତଳକୁ ଆସିଯିବ । ସେପଟେ ଆଖୁଆପଦାରେ ବୈତରଣୀ ବିପଦ ସଂକେତ ତଳକୁ ଆସିଛି । ବଂଶଧରା, ନାଗାବଳି ଓ କୋଲାବରେ ସାମାନ୍ୟ ଅଧିକ ବର୍ଷା ହୋଇଛି । ହେଲେ ଅନ୍ୟ କୌଣସି ବେସିନରେ ବର୍ଷା ହୋଇନି ।

ତେବେ କାଣୀ ନଦୀର କରାଳ ରୂପ ଯୋଗୁଁ ଯାଜପୁର ଜିଲ୍ଲା ଦଶରଥପୁରରେ ବନ୍ୟା ସ୍ଥିତି ସଂଗୀନ ରହିଛି ।  ଗତକାଲି ସୃଷ୍ଟି ହୋଇଥିବା ଘାଇ ଧୀରେ ଧୀରେ ଅତଡ଼ା ଖାଇ ପ୍ରାୟ ୧୫୦ ଫୁଟରେ ପହଁଚିଲାଣି | ବନ୍ୟାଜଳରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପାଣି କମିଲେ ଆସନ୍ତାକାଲିଠାରୁ ମରାମତି କାମ ଆରମ୍ଭ ହେବ । ଅନ୍ୟପଟେ ସବୁଠୁ ଅଧିକା କ୍ଷେତିଗ୍ରସ୍ତ ହୋଇଛି ଚାଷ | ମଲ୍ଲିକାପୁର, କସପା, ଦୁଦୁରାହନ୍ତା, ନିଜାମପୁର ସମେତ ପ୍ରାୟ ୧୫ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟାଜଳ ପ୍ରବେଶ କରି ଧାନଚାଷ ସମ୍ପୂର୍ଣ୍ଣ କ୍ଷେତିଗ୍ରସ୍ତ ହୋଇଛି । ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦାବାଲି ବ୍ଲକର ୮ ପଞ୍ଚାୟତରେ ଦେଖା ଦେଇଛି ବନ୍ୟା ବିତ୍ପାତ । ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ରହଣିଆ, ମାଲଡା ପଞ୍ଚାୟତରେ ବନ୍ୟା ପାଣି କମିବାରେ ଲାଗିଛି । ହେଲେ ଧାମନଗର ବ୍ଲକର ପ୍ରଧାନୀ ପଞ୍ଚାୟତର ଅନେକ ଗାଁ ଜଳମଗ୍ନ ହୋଇଥିବା ବେଳେ ହସନବାଦ ଓ ଅର୍ଜୁନପୁର ପଞ୍ଚାୟତ ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଧୂଷୁରୀ-ଅର୍ଜୁନପୁର ରାସ୍ତାର ବିଭିନ୍ନ ସ୍ଥାନରେ ୪ ଫୁଟ ପାଣି ଲହଡ଼ି ମାରୁଛି । ଏହି ଦୁଇ ପଂଚାୟତର ୮ଟି ଗାଁରେ ବନ୍ୟାଜଳ ପଶିବା ସହିତ ଲୋକଙ୍କ ଘରେ ପାଣି ପଶିଛି । ସେହିପରି ଚାନ୍ଦାବାଲି ଆରଡ଼ି, ଓଲଗ, ସୁନ୍ଦରପୁର, ନାନ୍ଦପୁର ଚାରି ପଂଚାୟତର ୨୪ ଟି ଗାଁ ସଂପୂର୍ଣ୍ଣ ଜଳମଗ୍ନ ରହିଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକର ୧୮ଟି ପଞ୍ଚାୟତ ୪୦ରୁ ଅଧିକ ଗାଁ ଓ ବାଲିଆପାଳ ବ୍ଳକର ୬ଟି ପଞ୍ଚାୟତର ୧୫ରୁ ଅଧିକ ଗାଁ ଜଳବନ୍ଦୀ ଅଛନ୍ତି ।

ଆଜି ଯାଜପୁର ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ, ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଓ ଓସଡମା କର୍ତ୍ତୃପକ୍ଷ । ଯାଜପୁର ଜିଲ୍ଲାରେ ୫ ହଜାର ଲୋକ ରିଲିଫ ସେଣ୍ଟରରେ ଅଛନ୍ତି । କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ହୀରାକୁଦର ୪ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ୮ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଆଗକୁ ଆସୁଥିବା ଲଘୁଚାପର ଗତିବିଧି ବାରମ୍ବାର ବଦଳୁଥିବାରୁ ପ୍ରଶାସିନକ ଚିନ୍ତା ବଢିଛି ।

ଟାରିଫ ଲଗାଇବା ପରେ ଟ୍ରମ୍ପ ଲଗାଇଲେଣି ୪ ଥର ଫୋନ୍, ହେଲେ ମୋଦି ଉଠାଉ ନାହାନ୍ତି

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଆମେରିକା ମଧ୍ୟରେ ଟାରିଫ ଓ୍ବାର୍ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ଋଷର ନାଁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସ୍ତରରେ ପହଞ୍ଚିଛି । ଭାରତ, ଟ୍ରମ୍ପଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇ ଗୋଟିଏ ପରେ ଗୋଟିଏ କ୍ଷେତ୍ରରେ ଜବାବ ଦେବାରେ ଲାଗିଛି । ଏହାସହ ଭାରତ, ଆମେରିକା ବଜାରର ବିକଳ୍ପ ଖୋଜିବାରେ ଲାଗିଛି । ଏହାରି ଭିତରେ ଡେନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦିଙ୍କୁ ନେଇ ଏମିତି ଏକ ଖବର ଆସିଛି, ଯାହା ସାରା ବିଶ୍ବରେ ଚର୍ଚ୍ଚାର କାରଣ ପାଲଟିଛି ।

ସମସ୍ତେ ଜାଣିଛନ୍ତି, ଡେନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦି ଭଲ ବନ୍ଧୁ । ହେଲେ ଟ୍ରମ୍ପଙ୍କ ଟାରିଫ ପରେ ଏହି ସମ୍ପର୍କରେ ଆଗ ଭଳି ମଧୁରତା ନାହିଁ । ସ୍ଥିତି ଏମିତି ହେଲାଣି ଯେ, ଟ୍ରମ୍ପଙ୍କ ସହ ମୋଦି କଥା ହେବାକୁ ବି ଚାହୁଁ ନାହାନ୍ତି । ଏହା ଆମେ କହୁନାହୁଁ । ଏପରି ଦାବି କରିଛି ଜର୍ମାନୀର ଏକ ପ୍ରତିଷ୍ଠିତ ଖବର କାଗଜ । ଉକ୍ତ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟାରିଫ ବିବାଦ ମଧ୍ୟରେ ଟ୍ରମ୍ପ, ମୋଦିଙ୍କୁ ୪ ଥର ଫୋନ କରିଛନ୍ତି । ହେଲେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଫୋନ ଉଠାଇଲେନି କି ପରେ ଫୋନ କରି ତାଙ୍କ ସହ କଥା ହେଲେନି ।  ତେବେ ଏହି ଘଟଣାରେ ଉଭୟ ଆମେରିକା ଓ ଭାରତ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନି ।

ଜେଡି ଭେନ୍ସଙ୍କ ଫୋନ ବି ଉଠାଇ ନଥିଲେ ମୋଦି

ତେବେ ମୋଦି ଆମେରିକାର କୌଣସି ନେତାଙ୍କ ଫୋନ ନଉଠାଇବା ପ୍ରଥମ ଘଟଣା ନୁହେଁ । ଲୋକସଭାରେ ମୋଦି ପାକିସ୍ତାନ ସହ ସଂଘର୍ଷ ଘଟଣାକୁ ନେଇ ସୂଚନା ଦେବା ବେଳେ କହିଥିଲେ ଯୁଦ୍ଧବିରତିର ଦିନକ ପୂର୍ବରୁ ଅର୍ଥାତ ମେ’ ୯ ତାରିଖ ରାତିରେ ଆମେରିକା ଉପରାଷ୍ଟ୍ରପତି ୩ରୁ ୪ ଥର ମୋ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ । ହେଲେ ମୁଁ ସେନା ଅଧିକାରୀଙ୍କ ସହ ବୈଠକରେ ଥିବାରୁ ଫୋନ ଉଠାଇ ନଥିଲି । ମୋଦି ଆଗକୁ କହିଥିଲେ, ମୁଁ ଯେତେବେଳେ ତାଙ୍କୁ ଫୋନ କରିଥିଲି, ପାକିସ୍ତାନ ପକଟରୁ ଏକ ବଡ଼ ଆକ୍ରମଣ କରାଯିବା ନେଇ ଆମେରିକା ଉପରାଷ୍ଟ୍ରପତି ମୋତେ ସୂଚନା ଦେଇଥିଲେ । ମୁଁ ତାଙ୍କୁ କହିଥିଲି ଯଦି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବ, ତେବେ ଆମ ପ୍ରତିଆକ୍ରମଣ ଭୟଙ୍କର ହେବ । କାରଣ ଆମେ ଗୁଳିର ଜବାବ ଗୁଳିରେ ଦେବୁ ।

ବିଜୁ ଛାତ୍ର ଜନତା ଦଳର ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା କଲେ ନବୀନ, ଇପସିତାଙ୍କୁ ଛାତ୍ର ବିଜେଡି ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କଲେ ଛାତ୍ର ଓ ଯୁବ ଜନତା ଦଳର ନୂଆ ମଙ୍ଗୁଆଳଙ୍କ ନାଁ । ବିଜୁ ଛାତ୍ର ଜନତା ଦଳର ନୂଆ ସଭାପତି ହୋଇଛନ୍ତି ଇପସିତା ସାହୁ । ଏହା ସହ ବିଜେଡିର ୪ ନେତାଙ୍କୁ ଛାତ୍ର ବ୍ୟାପାର ଦାୟିତ୍ବ ଦିଆଯାଇଛି । ସେମାନେ ହେଲେ ବରିଷ୍ଠ ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଦେବୀ ରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଏବଂ ସୌଭିକ ବିଶ୍ବାଳ ।

ସେହିପରି ଚିନ୍ମୟ ସାହୁ ହୋଇଛନ୍ତି ବିଜୁ ଯୁବ ଜନତା ଦଳ ସଭାପତି । ଏହାସହ ୪ ଯୁବ ନେତାଙ୍କୁ ଦିଆଯାଇଛି ଯୁବ ବ୍ୟାପାର ଦାୟିତ୍ବ । ସେମାନେ ହେଲେ ବରିଷ୍ଠ ସାଧାରଣ ସମ୍ପାଦକ ବ୍ୟୋମକେଶ ରାୟ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ସାହୁ, ଅମରେଶ ପତ୍ରି ଏବଂ ସଞ୍ଜିତ ମହାନ୍ତି ।

ଅସୀମ ମୁନିରଙ୍କୁ ଆଉ ଏକ ଗିଫ୍ଟ: ୨୦୨୭ ପର୍ଯ୍ୟନ୍ତ ପାକିସ୍ତାନ ଆର୍ମୀ ଚିଫ୍ ପଦରୁ କେହି ହଟାଇ ପାରିବେନି

ନନ୍ଦିଘୋଷ ବ୍ୟୁରୋ: ଆତଙ୍କବାଦୀଙ୍କ ଆକ୍କା ତଥା ପାକିସ୍ତାନର ଆର୍ମୀ ଚିଫ୍ ଜେନେରାଲ ଅସୀମ ମୁନିରଙ୍କୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ମିଳିଛି ଆଉ ଏକ ବଡ଼ ଗିଫ୍ଟ । ୨୦୨୭ ପର୍ଯ୍ୟନ୍ତ ପାକିସ୍ତାନ ସେନା ମୁଖ୍ୟ ପଦରେ ରହିବେ ମୁନିର । ନିକଟରେ ଭାରତ ସହ ହୋଇଥିବା ସଂଘର୍ଷ ପରେ ସରକାର ତାଙ୍କୁ ପଦୋନ୍ନତି ଦେଇ ଫିଲ୍ଡ ମାର୍ସଲ ବନାଇଥିଲା । ଏହି କ୍ରମରେ ଏକଛତ୍ରବାଦୀ ଅୟୁବ ଖାନଙ୍କ ପରେ ପାକିସ୍ତାନର ଦ୍ବିତୀୟ ଫିଲ୍ଡ ମାର୍ଶଲ ହୋଇଛନ୍ତି । ଏବେ ତାଙ୍କ ଆର୍ମୀ ଚିଫ୍ ପଦ ବି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହୋଇଯାଇଛି । ଅର୍ଥାତ ୨୦୨୭ ନଭେମ୍ବର ୨୯ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରୁ କେହି ହଟାଇ ପାରିବେନି । ଏହାସହ ସରକାର ସ୍ପଷ୍ଟ କରିଦେଇଛନ୍ତି ଏବେ ସେନା ମୁଖ୍ୟ (ସ୍ଥଳ, ଜଳ ଓ ଆକାଶ)ଙ୍କ କାର୍ଯ୍ୟକାଳ ତିନି ବର୍ଷ ବଦଳରେ ୫ ବର୍ଷ ରହିବ । ଥରେ ଜଣେ ଏହି ସବୁ ପଦବୀରେ ଅବସ୍ଥାପିତ ହେଲେ ୫ ବର୍ଷ ପର୍ଯ୍ୟନ୍ତ ଉକ୍ତ ପଦବୀରେ ରହିବେ ।

ମିଳିଥିବା ସୂଚନା ଅନୁସାରେ, ଏହି ମାମଲା ପୂର୍ବରୁ ଆଇନ ଜରିଆରେ ସ୍ପଷ୍ଟ ହୋଇ ସାରିଛି ଓ କୌଣସି ନୂଆ ପଦକ୍ଷେପ କି ପରିବର୍ତ୍ତନର ଆବଶ୍ୟକତା ନାହିଁ । ୨୦୨୪ ନଭେମ୍ବର ୪ରେ ସଂସଦରେ ଏହା ପାରିତ ହେବା ପରେ ଲାଗୁ ହୋଇଛି । ନେଜେରାଲ (ଫିଲ୍ଡ ମାର୍ଶଲ) ଅସୀମ ମୁନିର ୨୦୨୨ ନଭେମ୍ବର ୨୯ ତାରିଖରେ ଆର୍ମୀ ଚିଫ୍ ଭାବେ ନିଯୁକ୍ତି ମିଳିଥିଲା । ଏହି ଆଇନ ମୁତାବକ ତାଙ୍କ କାର୍ଯ୍ୟକାଳ ୨୦୨୭ ନଭେମ୍ବର ୨୯ ତାରିଖରେ ପର୍ଯ୍ୟନ୍ତ ରହିବ । ତେବେ ଏମିତି ବି ଚର୍ଚ୍ଚା ହେଉଛି ଯେ, ସେ ଚଳିତବର୍ଷ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି । ହେଲେ ଏହା କେବଳ ଏକ ଗୁଜବ ବୋଲି ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ।