spot_img
Home Blog Page 2815

ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ

ଭୁବନେଶ୍ୱର: ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ। ରାଜ୍ୟରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥ‌ୀବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି।

ୟୁଜି ନାମଲେଖା ଓ ଆବେଦନକାରୀଙ୍କ ଦ୍ବିତୀୟ ପର୍ଯ୍ୟାୟ ଚୟନ ଏବଂ ପିଜି ପ୍ରଥମ ପର୍ଯ୍ୟାୟ ଚୟନକୁ ଆଗାମୀ ୫ ତାରିଖ ଶନିବାରକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ଉପ ନିର୍ଦ୍ଦେଶକ।

ମୁଣ୍ଡଳୀରେ ପିକ୍ ଛୁଇଁଲାଣି ମହାନଦୀ, ୯ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରବାହିତ

କଟକ: ମୁଣ୍ଡଳୀରେ ପିକ୍ ଛୁଇଁଲାଣି ମହାନଦୀ। ଏବେ ୯ ଲକ୍ଷ ୨୦ ହଜାର କ୍ୟୁସେକରେ ପ୍ରବାହିତ ହେଉଛି ନଦୀ ଜଳ। ଏହି ସ୍ତର କିଛି ଘଣ୍ଟା ଧରି ଜାରିରହିବ, ସକାଳକୁ କମିବ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ଏବେ ମହାନଦୀର ତଳମୁଣ୍ଡ ଉପରେ ଆମର ନଜର ରହିଥିବା ବେଳେ ଜେନାପୁର ନିକଟରେ ବ୍ରାହ୍ମଣୀର ଜଳସ୍ତର ଖସୁଛି । ଆଖୁଆପଦାରେ କମୁଛି ବୈତରଣୀ ଜଳସ୍ତର । ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଉପରେ ଏବେ ନଜର । ୧୮ରୁ ୨୪ ଘଣ୍ଟାରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ବନ୍ୟାଜଳ ପାସ କରିବ । ଏଥିପାଇଁ ଲୋକେ ଭୟଭୀତ ହୁଅନ୍ତୁ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

ମହାନଦୀରେ ଧିରେ ଧିରେ ବଢୁଛି ଜଳସ୍ତର, ଚିନ୍ତାରେ ଚାଷୀ

କଟକ: ମହାନଦୀରେ ଧିରେ ଧିରେ ବଢୁଛି ଜଳସ୍ତର। ଆସନ୍ତା ଦୁଇଦିନ ମଧ୍ୟରେ ୯ ହଜାର ୫୦୦ ଶହ କ୍ୟୁସେକ ଜଳ ପ୍ରବାହିତ ହେବ ମହାନଦୀରେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି। ଅନ୍ୟପକ୍ଷରେ କୁଜଙ୍ଗ ବ୍ଲକର ଜିଲ୍ଲାନାସୀ ପଞ୍ଚାୟତ, କୁଜଙ୍ଗ ପଞ୍ଚାୟତ, ବଡବାଲିକଣି ପଞ୍ଚାୟତ, ସାଇଲୋ ପଞ୍ଚାୟତ ପରିବା ଚାଷୀ ଏବେ ହତାଶ ହୋଇପଡିଛନ୍ତି।

ଏହି ପଞ୍ଚାୟତ ଗୁଡିକ ମୁଖ୍ୟତଃ ପରିବା ଚାଷ ଉପରେ ନିର୍ଭର କରୁଥିବା ବେଳେ ପରିବା ଦର ଅଧିକ ଥିବାରୁ ବିଲରେ ପଶିଲେ ଅଧିକ କ୍ଷୟକ୍ଷତି ହେବା ଆଶଙ୍କା ଦେଖାଦେଇଛି। ବନ୍ୟା ପାଣି ବଢିବା ପୂର୍ବରୁ ଫସଲ ସବୁ ବିକଳରେ ତୋଳି ନେଉଛନ୍ତି ଚାଷୀ। ତେବେ ବନ୍ୟା ପାଣିକୁ ନେଇ ଜଳସମ୍ପଦ ବିଭାଗ ସଜାଗ ରହିଛି ଏବଂ ଆବଶ୍ୟକୀୟ ବାଲିବସ୍ତା, ବହ୍ଲା ମହଜୁତ ରହିଛି ବୋଲି କହିଛନ୍ତି ପାରାଦ୍ଵୀପ ଡିଭିଜନ ଜଳସମ୍ପଦ ବିଭାଗ ଏସଡିଓ।

ବରାକୁ ଛୁଇଁଲେ ମାରୁଛି କରେଣ୍ଟ, ଅଳ୍ପକେ ବର୍ତ୍ତିଲେ ଗ୍ରାହକ ଓ ଦୋକାନୀ

ଭୁବନେଶ୍ୱର: ଚାର୍ଜ ହେଇଯାଇଛି ପୂରା ଦୋକାନ, ବରାକୁ ଛୁଇଁଲେ ମାରୁଛି କରେଣ୍ଟ। ଆଉ ଟିକେ ବିଳମ୍ବ ହୋଇଥିଲେ ହୁଏତଃ ଜୀବନ ଚାଲି ଯାଇଥାନ୍ତା  ବିଦ୍ୟୁତ ଆଘାତରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥାନ୍ତା। କିନ୍ତୁ ବଞ୍ଚିଗଲା ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅଶୋକ ନଗର ଠାରେ ଥିବା ଭେଣ୍ଡିଂ ଜୋନରେ। ସର୍ଟସର୍କିଟ କାରଣରୁ ଭେଣ୍ଡିଂ ଜୋନରେ ଥିବା ୨୦ରୁ ଉର୍ଦ୍ଧ୍ବ ଦୋକାନରେ କରେଣ୍ଟ ଚାର୍ଜ ହୋଇଯାଇଥିଲା।

ଦୋକାନରେ ଥିବା ଦୋକାନୀ ଓ ଗରାଖଙ୍କୁ ଲାଗିଥିଲା ହାଇଭୋଲଟେଜ ଝଟକା। କିଛି କହିବା ପୂର୍ବରୁ ଏଣେ ତେଣେ ଛିଟିକି ପଡ଼ିଥିଲେ। ଦୋକାନରେ ଥିବା ପ୍ରତ୍ୟେକ ଖାଦ୍ୟ ପଦାର୍ଥ ଓ ଆସବାବପତ୍ର କରେଣ୍ଟ ଚାର୍ଜ ହୋଇଯାଇଥିଲା । ଦେଖନ୍ତୁ, ଜଳଖିଆ ଦୋକାନରେ ଥିବା ବରା, ପିଆଜିରେ ଟେଷ୍ଟର ମାରିଲେ, ତାହା କେମିତି ଜଳୁଛି । ଆର୍ଥୀଙ୍ଗ ରେ ସମସ୍ୟା ଥିବାରୁ ଏଭଳି ସର୍ଟ ସର୍କିଟ ହେବା କଥା କୁହାଯାଉଛି।

ଏ ସମ୍ପର୍କରେ ବିଦ୍ୟୁତ ବିଭାଗକୁ ଜଣାଇବା ପରେ କର୍ମଚାରୀ ପହଞ୍ଚି ମରାମତି କରିବା ପରେ ଅବସ୍ଥା ସ୍ବାଭାବିକ ହୋଇଥିଲା । କିନ୍ତୁ ଘଟଣାକୁ ପାଖରୁ ଦେଖିଥିବା ପ୍ରତେକଟି ଲୋକ ମୁହଁରେ ଥିଲା ଗୋଟିଏ କଥା ଭଗବାନ ବଞ୍ଚେଇ ଦେଲେ ।

ରାଜ୍ୟସଭାରେ ମହାନଦୀ ଆବର୍ଜନା ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ମହାନଦୀରେ ଆବର୍ଜନା ପକାଇବା ପ୍ରସଙ୍ଗ। ବିଜେଡି ସାଂସଦ ମାନସ ମଙ୍ଗରାଜ, ପ୍ରଶାନ୍ତ ନନ୍ଦ ଓ ସୁଲତା ଦେଓ ମିଳିତ ଭାବେ ଏକ ଅଣତାରକା ପ୍ରଶ୍ନ ଜରିଆରେ ଏହି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ଚୌବେ କହିଛନ୍ତି ଜଳ ପ୍ରଦୂଷଣକୁ ରୋକିବା ବା ନିୟନ୍ତ୍ରଣ କରିବା ରାଜ୍ୟ ବା ଲୋକାଲ୍ ବଡି ଓ ଶିଳ୍ପସଂସ୍ଥା ଗୁଡିକର ଦାୟିତ୍ବ।

ଶିଳ୍ପ ସଂସ୍ଥାରୁ ନିର୍ଗତ ଜଳ ନଦୀକୁ ଯିବା ପୂର୍ବରୁ ତାହା ପ୍ରଦୂଷିତ ନୁହଁ ବୋଲି ସେହି ନିର୍ଦ୍ଦିଷ୍ଟ ସଂସ୍ଥା ସୁନିଶ୍ଚିତ କରିଥାଏ। ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ମିଳିଥିବା ସୂଚନା ଅନୁଯାୟୀ, ମହାନଦୀ କୂଳରେ ଅଳିଆ ଆବର୍ଜନା ପକାଇବାର କୌଣସି ଘଟଣା ଦେଖାଯାଇ ନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ପୃକ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ମିଳିତ ଭାବେ ଜାତୀୟ ଜଳ ଗୁଣବତ୍ତା ମନିଟରିଂ ପ୍ରୋଗ୍ରାମ କମିଟି କାର୍ଯ୍ୟକାରୀ କରିଥାଏ। ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଓଡିଶାରେ ମହାନଦୀର ୪୪୮୪ଟି ଜଳ ଉତ୍ସ ଉପରେ ଏହି କମିଟି ନଜର ରଖିଛି।

NGT ଦୁଇଟି ଯୁଗ୍ମ କମିଟି ଗଠନ କରି ମହାନଦୀ ନଦୀ ଶଯ୍ୟାରେ ବେଆଇନ ନିର୍ମାଣ ଏବଂ ବାଲି ଭରିବା କାର୍ଯ୍ୟର ଅଭିଯୋଗ ଉପରେ ନଜର ରଖିଛି। ଏହି କମିଟି ଗୁଡିକ ମହାନଦୀ ଅବବାହିକାର ଚିହ୍ନିତ ଷ୍ଟ୍ରେଚ୍ ପାଇଁ ବନ୍ୟାଞ୍ଚଳ ଜୋନିଂ ଅଧ୍ୟୟନ କରିଥିଲେ। ଚିହ୍ନଟ ହୋଇଥିବା ବନ୍ୟାଞ୍ଚଳର ପରିବେଶ ଏବଂ ହାଇଡ୍ରୋଲୋଜିକାଲ୍ ଦିଗ ଏବଂ ଦୁର୍ବଳତା ମୂଲ୍ୟାଙ୍କନ ଉପରେ ଅଧ୍ୟୟନ କରିଥିଲେ। ଏହା ପରେ କମିଟି ରିପୋର୍ଟର ସୁପାରିସକୁ ଆଧାର କରି ୨୧.୦୯.୨୦୨୨ ତାରିଖର ଆଦେଶକୁ ପାଳନ କରିବା ପାଇଁ ଟ୍ରିବ୍ୟୁନାଲଙ୍କ ଦ୍ୱାରା ଓଡିଶାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି।

ଭାରତର ପ୍ରଥମ ଲର୍ଣ୍ଣିଂ ବୁକ୍ ନୂଆ ‘ଜିଓବୁକ୍’ ଉନ୍ମୋଚିତ, ଦାମ୍ ମାତ୍ର ୧୬୪୯୯ ଟଙ୍କା

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ ଲର୍ଣ୍ଣିଂ ବୁକ୍ ଭାବରେ ସମ୍ପୂର୍ଣ୍ଣ ନୂଆ ‘ଜିଓବୁକ୍’ ଉନ୍ମୋଚିତ ହୋଇଛି। ସମସ୍ତ ବୟସ ବର୍ଗର ଆବଶ୍ୟକତା ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଥିବା ଏହି ଷ୍ଟାଇଲିସ୍ ଲର୍ଣ୍ଣିଂ ବୁକ୍ ପ୍ରତ୍ୟେକଙ୍କ ଶିକ୍ଷଣୀୟ ଅନୁଭୂତିକୁ ବଦଳାଇବାର ପ୍ରତିଶ୍ରୁତି ଦେଉଛି।

ଅନଲାଇନ୍ ପାଠପଢ଼ାରେ ଭାଗ ନେବାଠାରୁ ଆରମ୍ଭ କରି କୋଡ୍ ଶିକ୍ଷା ଗ୍ରହଣ କରିବା କିମ୍ବା ଏକ ଯୋଗ ଷ୍ଟୁଡିଓର ଶୁଭାରମ୍ଭ କରିବା ଭଳି ନୂତନ ସଂସ୍ଥା ଆରମ୍ଭ କରିବାର ଅନ୍ୱେଷଣ କିମ୍ବା ଅନଲାଇନ୍ ଟ୍ରେଡିଂ କ୍ଷେତ୍ରରେ ପ୍ରବେଶ କରିବା ଆଦି ପର୍ଯ୍ୟନ୍ତ ଜିଓବୁକ୍ ସମସ୍ତ ଶିକ୍ଷଣୀୟ ଉଦ୍ୟମ ପାଇଁ ଉଲ୍ଲେଖନୀୟ ପ୍ଲାଟଫର୍ମ ପ୍ରଦାନ କରିବ ।

ବ୍ୟବହାରକାରୀମାନଙ୍କ ସୁବିଧା ଓ ଆରାମକୁ ଦୃଷ୍ଟିରେ ରଖି ଜିଓ ଓଏସ୍‌କୁ ପ୍ରସ୍ତୁତ କରାଯାଇଛି । ଏଥିରେ ୪ଜି-ଏଲ୍‌ଟିଇ ଓ ଡୁଆଲ୍ ବ୍ୟାଣ୍ଡ୍ ୱାଇ-ଫାଇ ସୁବିଧା ରହିଛି ଯାହା ଜିଓବୁକ୍‌କୁ ସର୍ବଦା ସଂଯୋଗରେ ରଖିବ । ଏହା ବ୍ୟତୀତ ଏଥିରେ ରହିଛି ଆକର୍ଷଣୀୟ ଇଣ୍ଟରଫେସ୍‌, ୭୫ରୁ ଅଧିକ କି’ବୋର୍ଡ ସର୍ଟକର୍ଟ, ଟ୍ରାକ୍‌ପ୍ୟାଡ୍ ଜେଶ୍ଚର, ସ୍କ୍ରିନ୍ ଏକ୍ସଟେନ୍‌ସନ୍‌, ଓୟାରଲେସ୍ ପ୍ରିଣ୍ଟିଂ, ଏକାଧିକ କାର୍ଯ୍ୟ ସମ୍ପାଦନ କରାଯାଇପାରୁଥିବା ସ୍କ୍ରିନ୍‌, ସମନ୍ୱିତ ଚାଟ୍‌ବଟ୍‌, ଜିଓ ଟିଭି ଆପ୍ ଜରିଆରେ ଶିକ୍ଷଣୀୟ ବିଷୟବସ୍ତୁ ହାସଲ ସୁବିଧା, ଜିଓ କ୍ଲାଉଡ୍ ଗେମ୍‌ସ ଜରିଆରେ ପ୍ରମୁଖ ଗେମିଙ୍ଗ ଟାଇଟଲ ହାସଲ ସୁଯୋଗ ଏବଂ ଜିଓବିୟାନ୍ କୋଡିଂ ପରି ବ୍ୟବସ୍ଥା ଯାହା ଜରିଆରେ ଛାତ୍ରଛାତ୍ରୀମାନେ ସି / ସି++, ଜାଭା, ପାଇଥନ୍ ଓ ପର୍ଲ ଆଦି ବିଭିନ୍ନ ଭାଷାର କୋଡ୍ ଶିଖିପାରିବେ।

ଜିଓବୁକ୍‌ର ଅନ୍ୟତମ ଆକର୍ଷଣ ହେଉଛି ଏହାର ମ୍ୟାଟ୍ ଫିନିସ୍‌ର ଷ୍ଟାଇଲିସ୍ ଡିଜାଇନ୍‌, ପତଳା ଗଠନ ଶୈଳୀ ଏବଂ ହାଲୁକା ଓଜନ (ମାତ୍ର ୯୯୦ ଗ୍ରାମ) । ଏହା ପତଳା ହୋଇଥିବା ସତ୍ୱେ ଚମତ୍କାର ପ୍ରଦର୍ଶନ କରିବ କାରଣ ଏଥିରେ ରହିଛି ଶକ୍ତିଶାଳୀ ୨.୦ ଗିଗାହର୍ଜ ଅକ୍ଟା-କୋର୍ ପ୍ରୋସେସର, ୪ ଜିବି ଏଲ୍‌ପିଡିଡିଆର୍୪ ରାମ୍‌, ୬୪ ଜିବି ରମ୍ ଷ୍ଟୋରେଜ୍ (ଏସ୍‌ଡି କାର୍ଡ ଜରିଆରେ ୨୫୬ ଜିବିକୁ ବଢ଼ାଇ ହେବ), ଇନଫିନିଟି କିବୋର୍ଡ, ବଡ଼ ଟ୍ରାକ୍‌ପ୍ୟାଡ୍ ଓ ଇନ୍‌ବିଲ୍‌ଟ ୟୁଏସ୍‌ବି/ ଏଚ୍‌ଡିଏମ୍‌ଆଇ ପୋର୍ଟ ଇତ୍ୟାଦି। ଏଥିରେ ୧୧.୬ ଇଂଚ୍‌ର ଆଣ୍ଟି-ଗ୍ଲେୟର ଏଚଡ଼ି ଡିସପ୍ଲେ ସ୍କ୍ରିନ୍‌, ଏଚଡ଼ି ୱେବକ୍ୟାମ ଓ ଉତ୍ତମ ଅଡିଓ ସୁବିଧା ରହିଛି। ଏଥିସହିତ ୮ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବା ଭଳି ଶକ୍ତିଶାଳୀ ବ୍ୟାଟେରୀ ଏବଂ ଏକବର୍ଷ ପାଇଁ କୁଇକହିଲ ଆଣ୍ଟି ଭାଇରସ ସୁରକ୍ଷା ସୁବିଧା ରହିଛି।

୨୦୨୩ ଅଗଷ୍ଟ ୫ରୁ ୧୬,୪୯୯ ଟଙ୍କାରେ ଜିଓ ବୁକ୍ ବଜାରରେ ଉପଲବ୍ଧ ହେବ। ଗ୍ରାହକମାନେ ରିଲାଏନ୍ସ ଡିଜିଟାଲ୍‌ର ଅନଲାଇନ୍ ଓ ଅଫ୍‌ଲାଇନ୍ ଷ୍ଟୋର୍ କିମ୍ବା ଆମାଜନ୍ ଡଟ୍ ଇନ୍‌ରୁ ଜିଓବୁକ୍‌କୁ କିଣିପାରିବେ। ଅଧିକ ବିବରଣୀ ପାଇଁ ପରିଦର୍ଶନ କରନ୍ତୁ www.jiobook.com।

ମହାନଦୀରେ ମଧ୍ୟମ ଧରଣର ବନ୍ୟା, ୬ ଜିଲ୍ଲାକୁ ଆଲର୍ଟ

କଟକ: ମହାନଦୀରେ ମଧ୍ୟମ ଧରଣର ବନ୍ୟା। ଏବେ ମୁଣ୍ଡଳିରେ ୯ ଲକ୍ଷ କ୍ୟୁସେକ ବନ୍ୟାପାଣି ପ୍ରବାହିତ ହେଉଛି। ସେଥିପାଇଁ ଜଳସମ୍ପଦ ବିଭାଗ ସଜାଗ ରହିଛି। ହୀରାକୁଦ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ମହାନଦୀ ଫୁଲୁଛି। ତେଣୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ହେବ। ଏଥିପାଇଁ ୬ଟି ଜିଲ୍ଲାକୁ ସତର୍କ କରାଯାଇଛି।

କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ମହାନଦୀ ପାଣି ପାସ୍ କରିବ। ସେପଟେ ବୈତରଣୀରେ ବନ୍ୟା ଜଳ ଖସୁଛି। ଆଖୁଆପଦାଠାରେ ପାଣି କମୁଛି। ବ୍ରାହ୍ମଣୀରେ ଜଳସ୍ତର ବଢୁଥିଲେ ବି କିଛି ସମୟ ପରେ ତାହା ସ୍ଥିର ଅବସ୍ଥାକୁ ଆସିବା ସମ୍ଭାବନା ରହିଛି।

ପୁରୀର କଣାସ, ଅସ୍ତରଙ୍ଗ, ଜଗତସିଂହପୁରର ଏରସମା ଓ ଭଦ୍ରକର ଆଖୁଆପଦାଠାରେ କିଛି ସ୍ଥାନରେ ତଳି ଅଞ୍ଚଳରେ ପାଣି ପଶିଛି। ତଳ ମୁଣ୍ଡରେ ପାଣି ପାସ୍ ନକରିବା ଯାଏଁ ହୀରାକୁଦର ଆଉ କୌଣସି ଗେଟ ଖୋଲାଯିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ପୁଣି ଅଡୁଆରେ ସାଂସଦ ବ୍ରିଜ ଭୂଷଣ, ବେଆଇନ ବାଲି ଓ ଖଣିଜ ପଦାର୍ଥ ଉତ୍ତୋଳନ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଅଡୁଆରେ ସାଂସଦ ତଥା ରେସଲର ଫେଡେରେସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂ। ବେଆଇନ ବାଲି ଖନନ ଓ ବେଆଇନ ଖଣିଜ ପଦାର୍ଥ ଉତ୍ତୋଳନ ଅଭିଯୋଗ କ୍ରମେ ବ୍ରିଜ ଭୂଷଣଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ । ଏନଜିଟିର ପ୍ରିନ୍ସିପାଲ ବେଞ୍ଚ ପକ୍ଷରୁ ତଦନ୍ତ ଲାଗି ଏକ ଯୁଗ୍ମ କମିଟି ଗଠନ କରାଯାଇଛି । ଏଥିରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ଗଙ୍ଗା ବିଶୋଧନ ସଂକ୍ରାନ୍ତ ଜାତୀୟ ମିଶନ, ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଗୋଣ୍ଡା ଜିଲ୍ଲା ମାଜିଷ୍ଟ୍ରେଟ ପ୍ରମୁଖ ସଦସ୍ଯ ଅଛନ୍ତି । ଏକ ସପ୍ତାହ ମଧ୍ୟରେ ବୈଠକରେ ଉପନୀତ ହେବା ଲାଗି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ମାସ ତଳେ ରେସଲରମାନଙ୍କୁ ଯୌନ ନିର୍ଯାତନା ଘଟଣାରେ ବିଭିନ୍ନ ବିବାଦରେ ଛନ୍ଦି ହୋଇପଡ଼ିଥିବା ବ୍ରିଜ ଭୂଷଣ ।

ସରଯୁ ନଦୀରେ ବାଲି ଖନନ ଯୋଗୁ ନଦୀରେ କି କି ପ୍ରକାର କ୍ଷତି ଘଟିଛି ତାହାକୁ ଅନୁଧ୍ୟାନ କରିବ କମିଟି । କମିଟିର ସଦସ୍ୟ ଅଛନ୍ତି ଜଷ୍ଟିସ ଅରୁଣ କୁମାର ତ୍ୟାଗୀ ଓ ଡଃ ଏ. ସେନ୍ଥିଲ ଭେଲ୍ । କେଶରଗଞ୍ଜ ଅନ୍ତର୍ଗତ ମଝରଥ, ଜାଇତପୁର, ନବାବଗଞ୍ଜ, ତର୍ବାଗଞ୍ଜ, ଗୋଣ୍ଡାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ ନେଇ ବ୍ରିଜ ଭୂଷଣଙ୍କ ନାଁରେ ବି ଅଭିଯୋଗ ହୋଇଥିଲା । ଯେଉଁ ଯେଉଁ ସ୍ଥାନରେ ବେଆଇନ ଖଣି ଉତ୍ତୋଳନ ହୋଇଛି ସେସବୁ ସ୍ଥାନକୁ ଏହି କମିଟି ପରିଦର୍ଶନ କରିବ । ବ୍ରିଜଭୂଷଣଙ୍କ ନାଁରେ ୩୮ଟି ଅପରାଧିକ ମାମଲା ରହିଥିବା ଜଣାଯାଇଛି ।

ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ % ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ

ଭୁବନେଶ୍ୱର: ଓଡ଼ିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ନିଦାନ ଜରିଆରେ ମାଗଣା ରୋଗ ଚିହ୍ନଟ ନିମନ୍ତେ ପରୀକ୍ଷା, ନିରାମୟ ଜରିଆରେ ମାଗଣା ଔଷଧ ପ୍ରଦାନ, ସହାୟ ଜରିଆରେ ମାଗଣା ଡାଇଲିସିସ୍ ସେବା, ମାଗଣା ରକ୍ତସେବା, ମାଗଣା ଆମ୍ବୁଲାନ୍ସ ସେବା ଇତ୍ୟାଦି ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ ଯୋଗାଇ ଦିଆଯାଉଛି ।

ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ଇନଡୋର ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାଦ୍ୱାର ବାର୍ଷିକ ୬୪ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ । ନିଆଯାଇଥିବା ନୂଆ ନିଷ୍ପତ୍ତି ଅନୁଯାୟୀ ଡାକ୍ତରଖାନାମାନଙ୍କରେ ଶଯ୍ୟା ପିଛା ଦିଆଯାଉଥିବା ସାଧାରଣ ଦୈନିକ ଖାଦ୍ୟ ବାବଦକୁ ୮୫ ଟଙ୍କା ବଦଳରେ ୧୧୦ ଟଙ୍କା, ଶିଶୁମାନଙ୍କ ପାଇଁ ଦିଆଯାଉଥିବା ଦୈନିକ ୭୫ ଟଙ୍କାରୁ ୯୫ ଟଙ୍କା, ଉଚ୍ଚ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୯୫ ଟଙ୍କାରୁ ୧୨୦ ଟଙ୍କା, ଶୁଖିଲା ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୭୫ ଟଙ୍କାରୁ  ୯୫ ଟଙ୍କା ଏବଂ ତରଳ ଖାଦ୍ୟ ବାବଦକୁ ଦିଆଯାଉଥିବା ଦୈନିକ ୮୫ ଟଙ୍କାରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ୬୧୮ଟି ସରକାରୀ ଡାକ୍ତରଖାନାରେ ଏହି ବର୍ଦ୍ଧିତ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ ।

ରାଜସ୍ଥାନରେ ଭିଲଓ୍ବାରାରେ ନାବାଳିକାଙ୍କୁ ବୀଭତ୍ସ ହତ୍ୟା, ଇଟା ଭାଟିରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ଜୟପୁର: ରାଜସ୍ଥାନରେ ଭିଲଓ୍ବାରାରେ ନାବାଳିକାଙ୍କୁ ବୀଭତ୍ସ ହତ୍ୟା । ଇଟା ଭାଟିରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ । ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ନରସିଂହପୁରର ଗ୍ରାମରୁ ନିଖୋଜ ନାବାଳିକାଙ୍କ ମୃତଦେହ ତିନି କିଲୋମିଟର ଦୂରରେ ଥିବା ଏକ ଇଟା ଭାଟିରୁ ମିଳିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ନାବାଳିକା ତାଙ୍କ ମାଆଙ୍କ ସହ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ନାବାଳିକା ମାଆଙ୍କଠାରୁ ଅଲଗା ହୋଇଯାଇଥିଲେ । ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଆଜି ସକାଳୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଜୋତା ଓ ନାବାଳିକା ପିନ୍ଧିଥିବା ରୂପା କଡ଼ାରୁ ମୃତଦେହ ଚିହ୍ନଟ ହୋଇଛି ।

ପୋଲିସ ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରୁ ତିନି ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ପୀଡ଼ିତା ପରିବାରକୁ ନ୍ୟାୟ ଦାବିରେ ଶତାଧିକ ଗ୍ରାମବାସୀ ଧାରଣା ଦେଇଛନ୍ତି । ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ହୋଇଛି । ବିରୋଧୀ ଦଳର କିଛି ନେତା ଧାରଣା ସ୍ଥଳରେ ପହଞ୍ଚି ସରକାର ବିରୋଧରେ ନାରାବାଜି କରିଛନ୍ତି ।