spot_img
Home Blog Page 2819

ପୋଲ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ, ୨୧ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଇଟାଲି ଭେନିସରେ ଭୟଙ୍କର ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ । ଯେଉଁଥିରେ ୨ ଜଣ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୨୦ରୁ ଅଧିକ ଲୋକ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ପର୍ଯ୍ୟଟକଙ୍କୁ ନେଇ ଭେନିସ ସହର ଦେଇ ଯାତ୍ରା କରିଥିଲା ବସ୍ । ଏହି ସମୟରେ ହଠାତ ବସଟି ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡିଥିଲା । ଯାହାପରେ ବସରେ ନିଆଁ ଲାଗି ଯାଇଥିଲା । ବସରେ ନିଆଁ ଲାଗିବା ଦ୍ବାରା ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲା ।

ବଢ଼ୁଛି ବୈତରଣୀ ଏବଂ ଜଳକା ନଦୀର ଜଳସ୍ତର

ନନ୍ଦିଘୋଷ ବ୍ୟୁରୋ : ବଢୁଛି ବୈତରଣୀ ନଦୀର ଜଳସ୍ତର । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢୁଛି ବୈତରଣୀ ନଦୀର ଜଳସ୍ତର । ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର । ନଦୀର ବିପଦ ସଂକେତ 17 ଦଶମିକ 83 ମିଟର ଥିବା ବେଳେ ଏବେ 17 ଦଶମିକ 91 ମିଟର ଉପରେ ବନ୍ୟାଜଳ  ପ୍ରବାହିତ ହେଉଛି । ଦୁଇଦିନ ହେବ ଲଗାଣ ବର୍ଷା ହେବା ଫଳରେ ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ବୈତରଣୀରେ ବନ୍ୟା ଆଶଙ୍କା କରାଯାଉଛି ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳକା ନଦୀର ଜଳସ୍ତର । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ବୃଦ୍ଧି ପାଇ ୬.୩୩ ମିଟର ଉପରେ ପ୍ରବାହିତ ହେଉଛି । ବର୍ଷା ଲାଗି ରହିଥିବା ବେଳେ ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ଯା ଆଶଙ୍କା ପାଇଁ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ । ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଲଘୁଚାପ ସକ୍ରିୟ ଥିବାରୁ ଆହୁରି ଦୁଇଦିନ ବର୍ଷା ହେବ ବୋଲି ସୂଚନା ଥିବାରୁ ବନ୍ୟା ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ, ତେବେ ବସ୍ତା ଏବଂ ସଦର‌ ବ୍ଲକର ପାଖାପାଖି ୧୨ଟି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା କରାଯାଉଛି ।

ତିସ୍ତା ନଦୀରେ ଭାସିଗଲେ ୨୩ ଯବାନ

ସିକିମ: ସିକିମରେ ବାଦଲ ଫଟା ବର୍ଷା । ତିସ୍ତା ନଦୀରେ ଭାସିଗଲେ ୨୩ ଜଣ ଯବାନ। ସେମାନଙ୍କ ଖୋଜ ଖବର ମିଳୁନାହିଁ। ପ୍ରବଳ ବର୍ଷା ଯୋଗୁ ତିସ୍ତା ନଦୀର ଜଳସ୍ତର ବଢ଼ିବା ସହ ଅଚାନକ ବନ୍ୟା ଆସିଥିଲା । ବନ୍ୟା ପ୍ରଖର ସ୍ରୋତରେ ଯବାନମାନେ ଭାସି ଯାଇଥିବା ଜଣାପଡିଛି । ନିଖୋଜ ଯବାନଙ୍କ ଖୋଜିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛି । ପ୍ରଶାସନ ଜାରି କଲା ଫ୍ଲାସ ଫ୍ଲଡ ଆଲର୍ଟ । ଦୁଇ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯାତାୟତ ନକରିବା ସହ ଘରୁ ନବାହାରିବାକୁ କୁହାଯାଇଛି । ବାଦଲ ଫଟା ବର୍ଷା ଯୋଗୁ ବଡ଼ ଧରଣର ବିପର୍ଯ୍ୟୟ ଆଶଙ୍କା କରାଯାଉଛି । ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଜି ରସାୟନ ବିଜ୍ଞାନରେ ମିଳିବ ନୋବେଲ

ନନ୍ଦିଘୋଷ ବ୍ୟୁରୋ: ବୁଧବାର ରସାୟନ ବିଜ୍ଞାନରେ ମିଳିବ ନୋବେଲ ।  ସାରା ବିଶ୍ବରେ ନିଜର ଅବଦାନ ପାଇଁ ପୁରସ୍କାର ପାଇବେ ବୈଜ୍ଞାନିକ । ସେହିପରି ଆସନ୍ତାକାଲି ଲିଟରେଚର ପାଇଁ ମିଳିବ ନୋବେଲ । ଶୁକ୍ରବାର ଶାନ୍ତି ପାଇଁ ନୋବେଲ ପ୍ରଦାନ କରାଯିବ  । ଗତକାଲିର ନୋବେଲ୍ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାଁ ଘୋଷଣା ହୋଇଥିଲା । ୨୦୨୩ ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ । ପିଏରେ ଆଗୋସ୍ତିନି, ଫେରେନ୍ସ  କ୍ରାଉଜ, ଆନୀ ଏଲ’ହୁଇଲିଅରଙ୍କୁ ମିଳିବ ଫିଜିକ୍ସ ନୋବେଲ୍ ପ୍ରାଇଜ୍ । ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍ ଦିଆଯିବ ।

ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି । ସେମାନେ ଆଲୋକର ଅତି କ୍ଷୁଦ୍ର କଣିକାକୁ ସୃଷ୍ଟି କରିବାର ଏକ ଉପାୟ ପ୍ରଦର୍ଶନ କରିଛନ୍ତି ଯାହା ଇଲେକ୍ଟ୍ରୋନ୍ ଗତି ମାପିବା ପାଇଁ ବ୍ୟବହୃତ ହୋଇପାରିବ । ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ପ୍ରତିବର୍ଷ ରୟାଲ ସ୍ବିଡିସ ଏକାଡେମି ନୋବେଲ୍ ପୁରସ୍କାର ଦେଇଥାଏ। ୧୯୦୧ରୁ ଏହି ପରମ୍ପରା ଚାଲିଆସୁଛି। ୧୯୦୧ରୁ ୨୦୨୨ମଧ୍ୟରେ ୧୧୬ ଥର ଫିଜିକ୍ସରେ ନୋବେଲ୍ ପ୍ରାଇଜ୍ ଦିଆଗଲାଣି। ବର୍ତ୍ତମାନ ସୁଦ୍ଧା ୨୨୨ ଜଣ ପୁରସ୍କାର ପାଇଥିବା ବେଳେ ଜନ୍ ବର୍ଡେନ ହେଉଛନ୍ତି ଏକମାତ୍ର ବିଜେତା ଯିଏକି ଦୁଇ ଦୁଇ ଥର ବିଶ୍ୱର ଶ୍ରେଷ୍ଠତମ ସମ୍ମାନ ପାଇଛନ୍ତି । ସେ ୧୯୫୬ ଏବଂ ୧୯୭୨ରେ ଦୁଇଥର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି ।

ଆପ୍ ସାଂସଦ ସଂଞ୍ଜୟ ସିଂଙ୍କ ଘରେ ଇଡି ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀ ଆମ ଆଦମୀ ପାର୍ଟି ନେତା ସଂଞ୍ଜୟ ସିଂଙ୍କ ଘରେ ଇଡିର ତନାଘନା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସାଂସଦ ସଞ୍ଜୟ ସିଂଙ୍କ ବାସଭବନରେ ରେଡ୍ କରୁଛି ଇଡି। ଇଡି ଅଧିକାରୀମାନେ ସଞ୍ଜୟଙ୍କୁ କରୁଛନ୍ତି ପଚରାଉଚରା । ସାଂସଦଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୂର୍ବରୁ ମଧ୍ୟ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା।ତେବେ ଦିଲ୍ଲୀ ମଦ ଦୁର୍ନୀତି ମାସଲାରେ ଇଡି ଏକ ଚାର୍ଜସିଟ ଦାଖଲ କରିଥିଲେ ଯେଉଁଥିରେ ସଞ୍ଜୟ ସିଂଙ୍କ ନାମ ଉଲ୍ଲେଖ କରାଯାଇଥିଲା। ଗତଥର ଯେତେବେଳେ ଟିମ୍‌ ସଞ୍ଜୟ ସିଂଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ସେ  ଇଡି ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ।

ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଚଳିତ ବର୍ଷ ଫେବ୍ରୁୟାରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପର ଅନେକ ନେତା ତଦନ୍ତକାରୀ ସଂସ୍ଥାର ରାଡାରରେ ଅଛନ୍ତି । ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଅସୁସ୍ଥତା କାରଣରୁ ସୁପ୍ରିମକୋର୍ଟରୁ ସତ୍ୟେନ୍ଦ୍ର ଅନ୍ତରୀଣ ଜାମିନ ପାଇଛନ୍ତି ।

ବିଦେଶ ମାଟିରେ ନୂଆଁଖାଇ ଭେଟଘାଟ୍

ନନ୍ଦିଘୋଷ ବ୍ୟୁରୋ: ଦୁବାଇରେ ପାଳନ ହୋଇଛି ନୂଆଁଖାଇ ଭେଟଘାଟ । ୟୁଏଇରେ ରହୁଥିବା ନୂଆଁଖାଇ ପରିବାର  ଦୁବାଇର ଆକ୍ୱିଲା ସ୍କୁଲରେ ଗତ ରବିବାର ନୂଆଁଖାଇ ଭେଟଘାଟ -୨୦୨୩ ଉତ୍ସବ ପାଳନ କରିଛନ୍ତି। ଭାରତ ବାହାରେ ଆୟୋଜିତ ହେଉଥିବା ନୁଆଁଖାଇ ଭେଟଘାଟ ମଧ୍ୟରୁ ୟେ ହେଉଛି ସବୁଠାରୁ ବଡ କାର୍ଯ୍ୟକ୍ରମ। ମା’ ସାମଲେଶ୍ୱରୀଙ୍କର ସ୍ୱତନ୍ତ୍ର ଆଳତୀ ଏବଂ ପୂଜା ସହ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ମା’ ସାମଲେଶ୍ବରୀଙ୍କୁ ନୂଆ ଶସ୍ୟ ଅର୍ପଣ କରିବା ପରେ ସଭିଏଁ ପରସ୍ପରକୁ ନୂଆଁଖାଇ ଅଭିନନ୍ଦନ ଜଣାଇଥିଲେ। ଏଥିପାଇଁ ନୂଆ ଧାନ ଝାରସୁଗୁଡାରୁ ଅଣା ଯାଇଥିଲା ।

ନୂଆଁଖାଇ ଭେଟଘାଟ ଉତ୍ସବରେ ପଶ୍ଚିମ ଓଡ଼ିଶାର ଭାଷା, ସଙ୍ଗୀତ, ନୃତ୍ୟ ଏବଂ ହସ୍ତତନ୍ତ ଆଦିକୁ ନେଇ ସମ୍ବଲପୁରୀ ସଂସ୍କୃତିକୁ ପ୍ରଦର୍ଶନ କରାଯାଇଥିଲା। ସମ୍ବଲପୁରୀ ଗୀତ, ନୃତ୍ୟ ଏବଂ ଏକ ଫ୍ୟାଶନ ସୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଉପସ୍ଥିତ ଦର୍ଶକ ଏହାକୁ ମନ ଭରି ଉପଭୋଗ କରିବା ସହ ସମ୍ବଲପୁରୀ ଗୀତର ତାଳେ ତାଳେ ଝୁମିଥିଲେ। ଏହି ଅବସରରେ ନବ ଦୁର୍ଗାଙ୍କର ଏକ ସ୍ୱତନ୍ତ୍ର ନୃତ୍ୟ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୁବାଇ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ସୁନୀଲ କୁମାର ଏବଂ ୟୁଏଇର ବିଶିଷ୍ଟ ଗାୟକ ୟାସିର ହବିବ ଯୋଗ ଦେଇଥିଲେ ।

ଅଭିଯୁକ୍ତର ବେଆଇନ ଘରକୁ ଭାଙ୍ଗିବ ପ୍ରଶାସନ  

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଉଜ୍ଜୟିନୀରେ ନାବାଳିକାକୁ ଦୁଷ୍କର୍ମ ମାମଲା । ବୁଧବାର ଅଭିଯୁକ୍ତର ବେଆଇନ ଘରକୁ ଭାଙ୍ଗିବ ପ୍ରଶାସନ । ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଅଟୋ ଡ୍ରାଇଭାର ଭରତ ସୋନି ବେଆଇନ ଭାବେ ସରକାରୀ ଜମିରେ ଘର କରିଛି । ଏହି ଘରକୁ ଆଜି ଭାଙ୍ଗିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଉଜ୍ଜୟିନୀଠାରୁ ୧୫ କିଲୋମିଟର ଦୂର ବାଦ ନଗର ରୋଡରେ ଜଣେ ୧୨ ବର୍ଷ ନାବାଳିକା ହୋଇଥିଲେ ଦୁଷ୍କର୍ମର ଶିକାର ।

ସେ ଅର୍ଦ୍ଧନଗ୍ନ ଅବସ୍ଥାରେ ଘର ଘର ବୁଲି ସହାୟତା ମାଗିଥିଲେ ବି ତାକୁ କେହି ସହାୟ ହୋଇ ନଥିଲେ । ଶେଷରେ ନାବାଳିକାଜଣକ ଏକ ଆଶ୍ରମରେ ପହଞ୍ଚିଥିଲେ । ଆଶ୍ରମର ବାବା ଦୟାପରବଶ ହୋଇ ନାବାଳିକାଙ୍କୁ ଏକ ଟାଓ୍ବଲରେ ଆବରଣ କରିବା ସହ ହସ୍ପିଟାଲକୁ ନେଇଥିଲେ । ମାମଲାରେ ଗତ ୨୮ ତାରିଖରେ ଭରତକୁ ଗିରଫ କରିଥିଲା ପୋଲିସ । ସେ ଜେଲରେ ଥିବାବେଳେ  ତା ପରିବାର ସରକାରୀ ଜମିରେ ରହି ଆସୁଛନ୍ତି  । ଆଜି ମଧ୍ୟପ୍ରଦେଶ ପୁଲିସର ସହଯୋଗରେ ଏହି ଘରକୁ ପ୍ରଶାସନ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି  ।

ମ୍ୟାଲେରିଆ ନିରାକରଣ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମଞ୍ଜୁରୀ

ନନ୍ଦିଘୋଷ ବ୍ୟୁରୋ: ମ୍ୟାଲେରିଆ ବିରୋଧୀ ଲଢେଇରେ ଭାରତକୁ ବଡ଼ ସଫଳତା । ମ୍ୟାଲେରିଆ ନିରାକରଣ ପାଇଁ ଟିକାକୁ ମଞ୍ଜୁରୀ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ ଟିକାକୁ ଡବ୍ଲୁଏଚଓ ମଞ୍ଜୁରୀ ପ୍ରଦାନ କରିଛି । ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଭାରତରେ ନିର୍ମିତ ନୂତନ ଟିକା R21 ମାଟ୍ରିକ୍ସ –ଏମ ଅନ୍ୟ ଟିକାଠାରୁ ଅଧିକ ପ୍ରଭାବଶାଳୀ । ପିଲାମାନଙ୍କୁ ମ୍ୟାଲେରିଆରୁ ରକ୍ଷା କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ପାଇବାରେ ଏହା ବିଶ୍ବର ଦ୍ବିତୀୟ ଟିକା । ଏସଏଜିଇ ଓ ଏମପିଏଜିର ଅନୁମୋଦନ ପରେ ଏହାକୁ ଡବ୍ଲୁଏଚଓ ମଞ୍ଜୁରୀ  ଦେଇଛି ।

ଟିକା ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରାଦନ କରାଯାଇଛି । କମ୍ପାନୀ ବାର୍ଷିକ ୧୦ କୋଟି ଡୋଜ ଉତ୍ପାଦନ କରିବାର କ୍ଷମତା ହାସଲ କରିସାରିଛି । ଯାହାକି ଆସନ୍ତା ଦୁଇ ବର୍ଷ ମଧ୍ୟରେ ଦ୍ବିଗୁଣିତ ହେବ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ମ୍ୟାଲେରିଆ ସହ ଲଢିବା ପାଇଁ ଏବେ ୨ଟି ଭ୍ୟାକ୍ସିନ ମହଜୁଦ ରହିଛି । ଭାରତର ସିରମ ଇନଷ୍ଟିଚ୍ୟୁଟ ସାହାଯ୍ୟରେ ଏକ ନୂଆ ଭ୍ୟାକ୍ସିନ ବିକଶିତ କରିଛି ଅକ୍ସଫୋର୍ଡ ୟୁନିଭର୍ସିଟି । ଆକ୍ରାନ୍ତଙ୍କୁ ଏହାର ୩ଟି ଲେଖାଏଁ ଡୋଜ ନେବେ ଆକ୍ରାନ୍ତ ।  ଭ୍ୟାକ୍ସିନର ଗୋଟିଏ ଡୋଜର ମୂଲ୍ୟ ପ୍ରାୟ ୧୬୦ରୁ ୩୨୦ ଟଙ୍କା ହୋଇପାରେ । ତେବେ ଆସନ୍ତାବର୍ଷ ଏହା ଅନ୍ୟ ଦେଶମାନଙ୍କରେ ମଧ୍ୟ ଉପଲବ୍ଧ ହେବ ।ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନେଓ୍ବାଲା କହିଛନ୍ତି, ମ୍ୟାଲେରିଆ ସାରା ବିଶ୍ବରେ କୋଟି କୋଟି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଆସୁଛି । ମ୍ୟାଲେରିଆ ମୁକାବିଲା ପାଇଁ ଏହି ଟିକା ଅନୁମୋଦନ ଏକ ମାଇଲଖୁଣ୍ଟ । ଏହି ଅନୁମୋଦନ ପ୍ରି-କ୍ଲିନିକାଲ୍ ଏବଂ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟ ଉପରେ ଆଧାରିତ । ଯାହାକି ମ୍ୟାଲେରିଆ ମୃତ୍ୟୁକୁ ରୋକିପାରିବ ।

ରସାବଳିକୁ GI ଟ୍ୟାଗ୍, କେନ୍ଦ୍ରାପଡ଼ାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ନେଇ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଓଡ଼ିଶାବାସୀ, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରାପଡ଼ାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ନବୀନ କହିଛନ୍ତି, ଓଡ଼ିଶା ପାଇଁ ଏହା ଗୌରବର ବିଷୟ । ଓଡ଼ିଶାର ଖାଦ୍ୟ ସଂସ୍କୃତି ଏବଂ ପରମ୍ପରାରେ ରସାବଳିର ବିଶେଷ ମହତ୍ଵ ରହିଛି ।

https://x.com/Naveen_Odisha/status/1709229544702616001?s=20

ସୂଚନା ଥାଉକି, କେନ୍ଦ୍ରାପଡା ରସାବଳିକୁ ମିଳିଲା GI ଟ୍ୟାଗ । ୨୦୨୧ରେ GI ଟ୍ୟାଗିଂ ପାଇଁ ଆବେଦନ ହୋଇଥିବାବେଳେ ଏହାକୁ ମାନ୍ୟତା ମିଳିଛି । ପ୍ରଭୁ ଶ୍ରୀବଳଦେବ ଜିଉଙ୍କ ପ୍ରିୟ ପ୍ରସାଦ ରସାବଳି । ଛେନା ଓ ପତାଳା କ୍ଷୀରରେ ରସାବଳୀ ପ୍ରସ୍ତୁତ ହୁଏ । ଏହାକୁ GI ଟ୍ୟାଗ ପାଇଁ ରସାବଳି ମିଷ୍ଟାନ ନିର୍ମାତା ସଂଘ ତରଫରୁ ଆବେଦନ ହୋଇଥିଲା । ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଅନ୍ୟତମ ହେଉଛି ରସାବଳି । ରସାବଳି ଓଡ଼ିଶାର କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଥିବା ଗବେଷକ ମତ ଦିଅନ୍ତି  ।

ଗବେଷକଙ୍କ ମତ ଅନୁଯାୟୀ ରସାବଳି ଆଜି କିମ୍ବା କାଲିର ନୁହେଁ ଏହା ଦୀର୍ଘ ୭ଶହ ବର୍ଷର ଇତିହାସ ସହିତ ଜଡ଼ିତ । ୧୨୨୦ ଖ୍ରୀଷ୍ଟାବ୍ଦରେ କେନ୍ଦ୍ରାପଡା ସହରର ମଧ୍ୟସ୍ଥଳୀରେ ପ୍ରଭୁ ବଳଦେବଜୀଉ ବିଜେ କରିଥିଲେ । ସେହି ସମୟରୁ ତାଙ୍କ ନିକଟରେ ରସାବଳି ଭୋଗ ହେଉଛି । ବିଶ୍ବାସ ରହିଛି ଯେ ତୁଳସୀକ୍ଷେତ୍ରରେ ପ୍ରଭୁ ଶ୍ରୀ ବଳଦେବଜୀଉ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀ ଜଗନ୍ନାଥ ପୂଜା ପାଇବା ଦିନଠାରୁ ହିଁ ତିନି ଦିଅଁଙ୍କ ପାଖରେ ରସାବଳି ଲାଗି କରାଯାଉଛି । ଏଥିରୁ ସ୍ପଷ୍ଟ ଯେ ରସାବଳିର ଇତିହାସ ଶହଶହ ବର୍ଷ ପୁରୁଣା । ରସାବଳିକୁ ଜିଆଇ ଟ୍ୟାଗ ମିଳିବା ପରେ ସାରା କେନ୍ଦ୍ରାପଡ଼ାରେ ଖୁସି ଖେଳିଯାଇଛି ।

ସବୁ ଜାଣିଶୁଣି ଚୁପ୍ ବିରୋଧୀ ଦଳ ନେତା!

ଭୁବନେଶ୍ବର: ଖାଲଖମା ରାସ୍ତା, ଆଖି ଆଗରେ ଯାଉଛି ଅମୂଲ୍ୟ ଜୀବନ। ସବୁ ଜାଣିଶୁଣି ଚୁପ୍ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବର୍ଷ ବର୍ଷ ଧରି ନିର୍ମାଣ ଚାଲିଛି ୫୫ନମ୍ବର ଜାତୀୟ ରାଜପଥ, ହେଲେ କାମ ସରୁନି। କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କରୁଥିବାରୁ ଜୟନାରାୟଣଙ୍କ ତୁଣ୍ଡରେ ଲାଗିଛି ତାଲା। ଏପରି ଡବଲ ଷ୍ଟାଣ୍ଡାର୍ଡ ନୀତି ବିରୋଧରେ ବର୍ଷିଛି ବିଜେଡି। ଏହି ପ୍ରସଙ୍ଗକୁ ଆଜି ଗୃହରେ ଉଠାଇଥାନ୍ତେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ହେଲେ ବିଜେପିର ଚକ୍ରାନ୍ତ ଯୋଗୁଁ ଏହି ବଡ଼ ପ୍ରସଙ୍ଗ ଗୃହକୁ ଆସି ପାରିଲା ନାହିଁ। ଗୃହ ଚାଲିଥିଲେ ୫୫ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗରେ କେନ୍ଦ୍ର ସହ ବିରୋଧୀ ଦଳ ନେତାଙ୍କ ଅସଲ ମୁଖା ପଦାରେ ପଡ଼ି ଯାଇଥାନ୍ତା ।

ଦୁର୍ଦ୍ଦଶା ଦେଖି ବି ଚୁପ୍। ମୁଣ୍ଡ ନେଉଛି ରାସ୍ତା। ବିରୋଧୀ ଦଳ ନେତାଙ୍କ ତୁଣ୍ଡରେ ତାଲା। ରାଜନୈତିକ ସ୍ବାର୍ଥ ପାଇଁ ନା କହୁଛନ୍ତି, ନା କୁହାଇ ଦେଉଛନ୍ତି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଦେଇ ଯାଉଛି ୫୫ନମ୍ବର ଜାତୀୟ ରାଜପଥ। ନିଜେ ଜୟନାରାୟଣ ଏହି ରାସ୍ତା ବ୍ୟବହାର ବି କରନ୍ତି। ହେଲେ ତାଙ୍କୁ ଦିଶୁନି ରାସ୍ତାର ଦୁର୍ଦ୍ଦଶା। କାରଣ ଏହି ଡେଥଟ୍ରାକର ନିର୍ମାଣ କରୁଛି କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଜାତୀୟ ରାଜପଥର ମରାମତି ପଶ୍ଚିମ ଓଡ଼ିଶା ଲୋକଙ୍କ ମୁଖ୍ୟ ଦାବି। ହେଲେ ବିରୋଧୀ ଦଳ ନେତା ବିଧାନସଭାରେ ଏ ପ୍ରସଙ୍ଗ ଉଠାଉ ନାହାନ୍ତି କି ଅନ୍ୟ ଦଳଙ୍କୁ ଉଠାଇବାକୁ ଦେଉନାହାନ୍ତି।

ଜାଣିଶୁଣି ସେ ଗୃହ ଅଚଳ କରୁଥିବା ଅଭିଯୋଗ କରିଛି ବିଜେଡି। ଗୃହରେ ମନଇଚ୍ଛା ଅବାନ୍ତର ପ୍ରଶ୍ନ କରୁଛନ୍ତି। ହେଲେ ୫୫ନମ୍ବର ଜାତୀୟ ରାଜପଥ ନେଇ ପ୍ରଶ୍ନ ପଚାରିବାକୁ ସାହସ ଜୁଟାଇ ପାରୁନାହାନ୍ତି ଜୟନାରାୟଣ। କାରଣ ଏପ୍ରସଙ୍ଗ ଉଠାଇଲେ, କେନ୍ଦ୍ର ସରକାର କାଠଗଡାରେ ପଡିଯିବେ। ହୁଏତ ବହୁ ଅପେକ୍ଷା ପରେ ମିଳିଥିବା ବିରୋଧୀ ଦଳ ନେତା ପଦ ବି ଜୟନାରାୟଣଙ୍କ ହାତରୁ ଯାଇପାରେ। କଟକରୁ ସମ୍ବଲପୁର ଯାଏ ୩ଶହ କିଲୋମିଟରରୁ ଅଧିକ ରାସ୍ତା ଦେଇ ଏହି ଜାତୀୟ ରାଜପଥ ଯାଇଛି। ଲୋକଙ୍କ ଲାଇଫଲାଇନ ତ ହୋଇ ପାରିଲାନି, ପ୍ରତିଦିନ ଦୁର୍ଘଟଣାରେ ଜୀବନ ଯାଉଛି । ୯ବର୍ଷ ହେଲା କାମ ଚାଲିଛି, ନିର୍ମାଣକାରୀ ସଂସ୍ଥା ଵି ବଦଳୁଛି। ହେଲେ କାମ କେବେ ସରିବ, ତାର ନିର୍ଦ୍ଦିଷ୍ଟ ଉତ୍ତର ନାହିଁ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୫୫ନମ୍ବର ଜାତୀୟ ରାଜପଥ ଦେଇ ଭୁବନେଶ୍ୱରରୁ ସମ୍ବଲପୁର ଯାତାୟତ କରନ୍ତି । ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମାନିକୁ ଅଣଦେଖା କରିଦିଅନ୍ତି। ଏଯାଏ ୫ଶହରୁ ଅଧିକଙ୍କ ଜୀବନ ନେଲାଣି ଏହି ବିପଦସଙ୍କୁଳ ଜାତୀୟ ରାଜପଥ। ବିଜେଡି ଵି ବାରମ୍ବାର ରାସ୍ତାର ଦୁର୍ଦ୍ଦଶା ନେଇ ଆନ୍ଦୋଳନ କରିଛି। ଶୀଘ୍ର କାମ ସାରିବାକୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଵି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ କର୍ଣ୍ଣପାତ କରୁନି କେନ୍ଦ୍ର। ଜୟନାରାୟଣ ପାର୍ଟିକୁ ପଛରେ ରଖି ମାଟିର ସ୍ୱାର୍ଥ ପାଇଁ ୫୫ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇବାକୁ ଦାବି ଜୋର ଧରିଛି।