spot_img
Home Blog Page 2824

ହିତାଧିକାରୀଙ୍କ ଟିପ ଚିହ୍ନରେ ଟଙ୍କା ଉଠାଇ ଗ୍ରାହକ ସେବା କେନ୍ଦ୍ର ମାଲିକ ଫେରାର

0

ଭବାନୀପାଟଣା: ଗ୍ରାହକ ସେବା କେନ୍ଦ୍ରରେ ଠକେଇ  । ହିତାଧିକାରୀଙ୍କ ଟିପ ଚିହ୍ନ ନେଇ ଟଙ୍କା ଉଠେଇ ମାଲିକ ଫେରାର । କଳାହାଣ୍ଡି ଜିଲ୍ଲା ଆମ୍ବପାଣିର ଘଟଣା  । ଆମ୍ବପାଣିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ର ଖୋଲି ଥିବା ମାଲିକ ଜଗଦୀଶ ଚନ୍ଦ୍ର ସିଂ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ହିତାଧିକାରୀ, ମନରେଗା ଶ୍ରମିକ, ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ଭତ୍ତା ହିତାଧିକାରୀଙ୍କ ଟଙ୍କା ଉଠେଇ କୁଆଡେ ଫେରାର ହୋଇଯାଇଛନ୍ତି  ।

ପାଖାପାଖି 50ରୁ ଉର୍ଦ୍ଧ୍ବ ଲୋକଙ୍କ ଟଙ୍କା ଠକି ନେଇ ଗ୍ରାହକ ସେବା କେନ୍ଦ୍ରରେ ତାଲା ପକେଇ ଫେରାର ହୋଇ ଯାଇଥିବା ଆମ୍ବ ପାଣି ଥାନାରେ ଅଭିଯୋଗ ହୋଇଛି  । ଏନେଇ ଥାନା ଅଧିକାରୀକୁ ପଚାରି ଵାରୁ ତଦନ୍ତ ପରେ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି  ।

ବାଛୁରୀକୁ ଗୁହାଳରୁ ଟାଣି ଆଣିଲା ବାଘ, ଗତ ଏକ ସପ୍ତାହ ହେବ ଗାଁରେ ଆତଙ୍କ

0

ନୂଆପଡ଼ା: ଜିଲ୍ଲାରେ ପୁଣି ବାଘ ଆତଙ୍କ ।  ବାଛୁରୀକୁ ଗୁହାଳରୁ ଟାଣି ଆଣିଲା ବାଘ । ନୂଆପଡ଼ା ରେଞ୍ଜ ଅଧିନ ଆମାନାରା ପଂଚାୟତ ମୁଷରଙ୍ଗୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ଘଟଣା । ତରିଆମହୁଆଭଟା ଗାଁରେ ପୁଣି ବାଘ ଏକ ବାଛୁରୀକୁ ମାରି ଖାଇଛି । ହୁମନ ନାଏକ ନିଜ ଗାଈ ଓ ବାଛୁରୀକୁ ଗୁହାଲରେ ବାନ୍ଧି ରଖିଥିଲେ । ଆଜି ସକାଳୁ ବାଛୁରୀ ଗୁହାଳରେ ନଥିଲା ।

ପରିବାର ଲୋକେ ଖୋଜା ଖୋଜି କରିବାରୁ ଘର ବାଡ଼ି ପଟେ ବାଛୁରୀର ମୃତଦେହ ପଡିଥିଲା । ଘଟଣାସ୍ଥଳରେ ବାଘର ପଦଚିହ୍ନ ଠାବ କରିବା ସହ ପରିପାଶ୍ବିକ ସ୍ଥିତିରୁ ବାଛୁରୀକୁ କଲରାପତରିଆ ବାଘ ଶିକାର କରିଥିବା ଲୋକେ ଅନୁମାନ କରିଛନ୍ତି । ଗାଁରେ ୫ ମାସ ହେବ ବାଘ ଆତଙ୍କ ଜାରି ରହିଛି । ଗତ ଏକ ସପ୍ତାହ ହେବ ଗାଁରେ ପୁଣି ବାଘ ଉପସ୍ଥିତି ଲୋକେ ବାଛୁରୀ ଶିକାର ପରେ ଅନୁମାନ କରୁଛନ୍ତି ।

ଏବେ ଗାଁ ଲୋକେ ବାଘ ଭୟରେ ରହୁଛନ୍ତି । ଏବେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଛୁରୀର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନରେ ଗୁଳିମାଡ଼, ASIଙ୍କ ସମେତ ୪ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଚଳନ୍ତା ଟ୍ରେନରେ ଫୁଟିଲା ଗୁଳି । ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନରେ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଜଣେ ଆରପିଏଫର ଏଏସଆଇ ଥିବା ବେଳେ, ଅନ୍ୟ ୩ ଜଣ ଯାତ୍ରୀ ଅଛନ୍ତି ।

ଜୟପୁର-ମୁମ୍ବାଇ ଟ୍ରେନ ଗୁଜରାଟରୁ ମୁମ୍ବାଇ ଆସୁଥିଲା । ଟ୍ରେନ୍ ପାଲଘର ଷ୍ଟ୍ରେସନ ଅତିକ୍ରମ‌ କରିବା ପରେ ହଠାତ୍ ଆରପିଏଫର କନଷ୍ଟେବଳ ଚେତନ ଗୁଳି ଚଳାଇଥିଲେ । ପରେ ଦହିସର ଷ୍ଟେସନରେ ଟ୍ରେନରୁ ଡେଇଁ ପଡ଼ିଥିଲେ । ସମ୍ପୃକ୍ତ କନଷ୍ଟେବଳଙ୍କ ଠାରୁ ବନ୍ଧୁକ ଜବତ କରିବା ସହ ଅଟକ ରଖି ପଚରାଉଚରା କରୁଛି ଜିଆରପି । ଗୁଳିମାଡର  କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରି ପୋଲିସ ତଦନ୍ତ ଜାରି ରଖିଛି ।

ଆଜି ଠାରୁ ବର୍ଷାର ପରିମାଣ ବଢିବ, ୪୫ ରୁ ୫୫ କିମି ବେଗରେ ବହିବ ପବନ

ଭୁବନେଶ୍ବର: ଉତ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସମାନ ଅଞ୍ଚଳରେ କେନ୍ଦ୍ରୀଭୁତ ହୋଇଛି । ଏହାସହ ନିଜର ସ୍ବାଭାବିକ ଅବସ୍ଥାକୁ ଫେରିଛି ମୌସୁମୀ ନିମ୍ନ ଚାପରେଖା । ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ପ୍ରଭାବ ପଡିବ ।

ଆଜିଠାରୁ ବର୍ଷାର ବିସ୍ତୃତି ଏବଂ ପରିମାଣ ଆହୁରି ବୃଦ୍ଧି ହେବ । ଆଜି ପୁରୀ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁରରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଏବଂ କନ୍ଧମାଳରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧ ଏବଂ ୨ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବର୍ଷା ସମୟରେ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବ । ସମୁଦ୍ର ଅଶାନ୍ତ ରହିବା କାରଣରୁ ଦୁଇ ଦିନ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାରେ ଆକସ୍ମିକ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଦୃଶ୍ୟମାନ କ୍ଷମତା କମିବା ସହ ଟ୍ରାଫିକ୍ ସମସ୍ୟା ଉପୁଜି ପାରେ । ସହରିଆ ଅଞ୍ଚଳରେ କୃତ୍ରିମ ବନ୍ୟାର ପରିସ୍ଥିତି ଦେଖାଦେଇପାରେ । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସହ କଚ୍ଚା ରାସ୍ତା ପ୍ରଭାବିତ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ଆଜି ସରଗରମ ହେବ ମୌସୁମୀ ଅଧିବେଶନ, ସପ୍ତାହେ ହେଲା ଚାଲିପାରୁନଥିଲା ସଂସଦ

ନୂଆଦିଲ୍ଲୀ: ଆଜି ବି ସରଗରମ ହେବ ସଂସଦର ମୌସୁମୀ ଅଧିବେଶନ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିବେ ବିରୋଧୀ । ଗତ ସପ୍ତାହେ ହେଲା ମଣିପୁର ପ୍ରସଙ୍ଗରେ ସଂସଦ ଚାଲିପାରୁନଥିବା ବେଳେ ଆଜି ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି । ଏପଟେ ଇଣ୍ଡିଆ ମେଣ୍ଟର ୨୧ ସାଂସଦ ଦୁଇ ଦିନିଆ ମଣିପୁର ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ।

ଗ୍ରାଉଣ୍ଡ ଜିରୋରେ କିଭଳି ସ୍ଥିତି ରହିଛି ତାକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତ ବିରୋଧୀ । ମଣିପୁରରେ ଲୋକଙ୍କ ମନରେ ଭୟ, ଅନିଶ୍ଚିତତା ଭରି ରହିଛି । ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଚାଷ ଠପ୍ ପଡିଥିବା ବେଳେ ପିଲାଙ୍କ ସ୍କୁଲ ବନ୍ଦ ରହିଛି । ରିଲିଫ କ୍ୟାମ୍ପରେ ରହୁଥିବା ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ସାମୁହିକ, ବ୍ୟକ୍ତିଗତ ପୀଡ଼ାରେ ହଜାର ହଜାର ଲୋକ ଅଛନ୍ତି । ମଣିପୁରରୁ ଦିଲ୍ଲୀ ଫେରି ଦୁର୍ଦ୍ଦଶା ବଖାଣିଛନ୍ତି ବିରୋଧୀ ଡେଲିଗେସନ ।

ସରକାରଙ୍କ ଅଣଦେଖା ଯୋଗୁଁ ଜଳୁଛି ମଣିପୁର । ମଣିପୁର ଦୁର୍ଦ୍ଦଶା ପ୍ରତି ସରକାର ଆଖି ବୁଜି ଦେଇଛନ୍ତି । ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ରାଜ୍ୟକୁ ବିଭାଜିତ କରିଦେଇଛି । ଘର ଦ୍ବାର ଛାଡ଼ି ୬୦ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ରିଲିଫ କ୍ୟାମ୍ପରେ ସର୍ବନିମ୍ନ ମୌଳିକ ସୁବିଧା ବି ନାହିଁ । ହିଂସା ପ୍ରଭାବିତ କ୍ୟାମ୍ପରୁ ଘରକୁ ଫେରିବାକୁ ଚାହୁଁଥିଲେ ବି ତାହା ଅସମ୍ଭବ ହୋଇପଡ଼ିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଣିପୁର ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଇଣ୍ଡିଆ ସାଂସଦ କହିଛନ୍ତି । ରାଜ୍ୟରେ ତୁରନ୍ତ ଶାନ୍ତି ପ୍ରତିଷ୍ଠା ସହ ହିଂସା ପୀଡ଼ିତଙ୍କୁ ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବିରୋଧୀ ଟିମ୍ । ମଣିପୁର ସଂଘର୍ଷର ସମାଧାନ ନହେଲେ ସାରାଦେଶର ସୁରକ୍ଷା ପ୍ରତି ସମସ୍ୟା ସୃଷ୍ଟି କରିବ ।

ଆଜି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ

ନୂଆଦିଲ୍ଲୀ: ଆଜି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଉର୍ଦ୍ଧ୍ ଲୋକ ଆୟକର ଦାଖଲ କରିଥିଲେ ସୁଦ୍ଧା ଏବେ ବି ଅନେକ ବ୍ୟକ୍ତି ITR ଫାଇଲ କରିନାହାନ୍ତି । ତେଣୁ ଯଦି ଆପଣ ଆୟକର ଦାଖଲ କରିନାହାନ୍ତି ତେବେ ତୁରନ୍ତ କରିନିଅନ୍ତୁ ।

କାରଣ ଡେଡଲାଇନ ବୃଦ୍ଧି କରିବା ନେଇ ସରକାର ଏ ଯାଏଁ କୌଣସି ଘୋଷଣା କରିନଥିବା ବେଳେ ଡେଡଲାଇନ୍ ବୃଦ୍ଧି କରିବା ମୁଡ୍‌ରେ ନାହାନ୍ତି ସରକାର । ଆଜି ଯଦି ITR ଫାଇଲ କରୁନାହାନ୍ତି, ତାହେଲେ ଆପଣଙ୍କ ଆସନ୍ତାକାଲିଠୁ ଫାଇନ ଲାଗିପାରେ । ଏଥର ନୂଆ ଟ୍ୟାକ୍ସ ସିଷ୍ଟମ ଅନୁସାରେ ଲୋକେ ITR ଫାଇଲ କରୁଛନ୍ତି ।

ଅନଲାଇନରେ ଆଇଟିଆର ଫାଇଲ କରିବା ନେଇ ଏଥର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।

ବାପାଙ୍କୁ ଘରକୁ ଆଣିବାକୁ ଯାଇଥିଲା ପୁଅ, ଫେରିଲେନି ବାପା ପୁଅ

ନିଆଳି: ବଜ୍ରପାତରେ ବାପା, ପୁଅ ମୃତ। କଟକ ଜିଲ୍ଲା ନିଆଳି ବ୍ଲକ ସୁନିଦା ନିକଟରେ ଘଟିଛି ଏହି ଅଘଟଣ । ମୃତକ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ମଠକୂଳ ଗାଁର ରାଜକିଶୋର କାଣ୍ଡି ଓ ପୁଅ-ଆଶୁତୋଷ କାଣ୍ଡି । ଉଭୟ ଏକ ବାଇକରେ କାକଟପୁରରୁ ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଛି ।

ବାପାକୁ ଆଣିବାକୁ ଆଶୁତୋଷ ଯାଇଥିବା ବେଳେ ବଜ୍ରପାତ ଯୋଗୁ ଉଭୟଙ୍କ ମୃତ୍ୟୁ ଘଟିଛି ।

ଚତୁର୍ଥ ସୋମବାରରେ ହଜାର ହଜାର କାଉଡିଆଙ୍କ ଭିଡ, ରାତି ୧୨ ଟାରୁ ଚାଲିଛି ଜଳାଭିଷେକ

ଆରଡି: ଯୋଡା ଶ୍ରାବଣ ମାସର ଚତୁର୍ଥ ସୋମବାର । ଆଖଣ୍ଡଳମଣିଙ୍କୁ ଜଳଲାଗି ପାଇଁ ହଜାର ହଜାର କାଉଡିଆ ଭକ୍ତଙ୍କ ଭିଡ । ଜଳପଥରେ ଭକ୍ତଙ୍କ ସୁରକ୍ଷିତ ନଦୀପାର ପାଇଁ ଓଡ୍ରାଫ ଟିମ୍ ସହ ଅଗ୍ନିଶମ ବାହିନୀ ଓ ପୋଲିସ ମୁତୟନ ହୋଇଛନ୍ତି । ଶୃଙ୍ଖଳିତ ଜଳାଭିଷେକ ପାଇଁ ମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

ସେହିପରି ଚଳ ଚଞ୍ଚଳ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର । ପଞ୍ଚଲିଙ୍ଗେଶ୍ଵର ଛକ ନିକଟରୁ ପୀଠ ପର୍ୟ୍ୟନ୍ତ ଲାଗିରହିଛି କାଉଡ଼ିଆଙ୍କ ଭିଡ଼ । ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ । ରାତି ୧୨ ଟାରୁ ମହାଦେବଙ୍କ ଉପରେ ଚାଲିଛି ଜଳାଭିଷେକ । ଶାନ୍ତି ଶୃଂଖଳାର ସହ କିପରି ଭକ୍ତ ବାବାଙ୍କୁ ଦର୍ଶନ କରିବେ ଓ ଜଳାଭିଶେକ କରିବେ ସେଥିପାଇଁ ବ୍ୟବସ୍ଥା ହୋଇଛି ।

ଟ୍ରେନ ଧକ୍କାରେ ଆହତ ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଟ୍ରେନ ଧକ୍କାରେ ଆହତ ହାତୀର ମୃତ୍ୟୁ ହୋଇଛି । ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟ ବାଲିଦାଣ୍ଡ ସାହି ନିକଟରେ ଗତ ୧୦ ତାରିଖରେ ଘଟିଥିଲା ଦୁର୍ଘଟଣା । ଟ୍ରେନ ଧକ୍କାରେ ୨ଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ହାତୀ ଆହତ ହୋଇଥିଲା । ଆହତ ହାତୀଟିର ପିଞ୍ଜରା ହାଡ଼ ଭାଙ୍ଗିଥିବା ବେଳେ ପଛ ଦୁଇଟି ଗୋଡ଼ ମଧ୍ୟ ଭାଙ୍ଗିଯାଇଥିଲା । ଦୁଇଥର ଟ୍ରାଙ୍କୁଲାଇଜ କରାଯାଇ ତାର ଚିକିତ୍ସା କରାଯାଇଥିଲା । ଏଥିସହ ହାତୀର ଗତିବିଧି ଉପରେ ନଜର ରଖିଥିଲା ବନବିଭାଗ । ହେଲେ ଆଜି ଆହତ ହାତୀଟିର ମୃତ୍ୟୁ ଘଟିଛି । ବନବିଭାଗ ଓ ଡାକ୍ତରୀ ଟିମ୍ ମୃତ ହାତୀର ବ୍ୟବଚ୍ଛେଦ କରିବା ପରେ ଜଙ୍ଗଲରେ ପୋତି ଦେଇଛନ୍ତି ।

ଫସଲ ବୀମା ଯୋଜନାରେ କୃଷକମାନଙ୍କ ବୀମା ପଞ୍ଜୀକରଣ ତାରିଖ ୫ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ଫସଲ ବୀମା ଯୋଜନା ଅଧୀନରେ କୃଷକମାନେ ସେମାନଙ୍କର ନାମ ବୀମା ପୋର୍ଟାଲରେ ପଂଜୀକରଣ କରିବାର ସମୟସୀମା ବୃଦ୍ଧି । ଆସନ୍ତା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ ଚାଷୀ । ଏନେଇ କୃଷି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲା କୃଷି ମନ୍ତ୍ରାଳୟ । ପୂର୍ବରୁ ଜୁଲାଇ ୩୧ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । ଏ ବର୍ଷ ମୌସୁମୀ ବିଳମ୍ବିତ ହୋଇଥିବାରୁ ଓ ବୀମା ପୋର୍ଟାଲରେ ବିଭିନ୍ନ କାରଣରୁ ପଞ୍ଜିକରଣ ବିଳମ୍ବିତ ହେଉଥିବାରୁ ସମୟସୀମା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।

ଯାହାକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ୨ ହେକ୍ଟର ଜମି ଥିବା ଚାଷୀଙ୍କ ବୀମା ରାଶି ରାଜ୍ୟ ସରକାର ବହନ କରୁଛନ୍ତି । ଧାନ ପାଇଁ ଗ୍ରାମ ପଂଚାୟତ ଓ ବିଜ୍ଞାପିତ ଅଂଚଳ ବା ମ୍ୟୁନିସିପାଲଟିରେ ଏବଂ ଅଣ ଧାନ ପାଇଁ ବ୍ଳକ ସ୍ତରରେ କୃଷକମାନଙ୍କର ନାମ ପଂଜୀକୃତ ହେଉଛି । ପୂର୍ବରୁ ଋଣ ନେଇଥିବା କୃଷକମାନେ ସଂପୃକ୍ତ ବ୍ୟାଙ୍କ ଶାଖା ବା ପ୍ରାଥମିକ କୃଷି ସମବାୟ ସମିତିର ପଂଜୀକରଣ କରିପାରିବେ । ଋଣ ନେଇଥିବା ଚାଷୀମାନେ ବ୍ୟାଙ୍କ ଶାଖା, ଜନସେବା କେନ୍ଦ୍ର, ବୀମା କଂପାନୀ ମଧ୍ୟସ୍ଥି ସଂସ୍ଥା, ବୀମା କଂପାନୀଗୁଡିକରେ କାର୍ଯ୍ୟକ୍ଷମ କାର୍ଯ୍ୟାଳୟ କିମ୍ବା ବୀମା ଆପ୍ଲିକେସନ ବ୍ୟବହାର କରି ନାମ ପଂଜୀକରଣ କରିପାରିବେ ।