spot_img
Home Blog Page 283

ଆଜି ଶପଥ ନେବେ ନୀତୀଶ କୁମାର ; ପାଟନାର ଗାନ୍ଧୀ ମୈଦାନରେ ଶପଥଗ୍ରହଣ ସମାରୋହ

ନନ୍ଦିଘୋଷ ବ୍ୟୁରୋ : ଦଶମ ଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର। ପାଟନା ଗାନ୍ଧୀ ମଇଦାନରେ ବିଶାଳ ଶପଥ ଗ୍ରହଣ ଉତ୍ସବ ହେବ। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାବିନେଟ ମନ୍ତ୍ରୀ ଶପଥ ନେବେ। ନିର୍ଦ୍ଧାରିତ ଫର୍ମୂଲା ଅନୁସାରେ ନୂଆ ମନ୍ତ୍ରୀ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପାଟନାରେ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କୁ ବିମାନ ବନ୍ଦରରେ କରାଯାଇଥିଲା ଭବ୍ୟ ସ୍ବାଗତ। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏର ୨୦୨ ସଦସ୍ୟ ରହିଛନ୍ତି। ବିଜେପି ସର୍ବାଧିକ ୮୯ ଆସନ ପାଇଥିବାବେଳେ ଜେଡିୟୁ ୮୫, ଏଲଜେପି୍(ଆର) ୧୯, ହାମ ୫ ଓ ଆରଏଲଏମ ୪ ଆସନ ହାସଲ କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ।

ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ପୁଣିଥରେ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ଦଳ ନିଷ୍ପତ୍ତି ନେଇଛି। ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ସେହିପରି ବିଜୟ ସିହ୍ନାଙ୍କୁ ବିଧାୟକ ଦଳ ଉପନେତା ଭାବେ ନିର୍ବାଚିତ କରାଯାଇଛି। ବିହାର ତାରାପୁର ଆସନରୁ ବିଜୟୀ ହୋଇଛନ୍ତି ସମ୍ରାଟ। ମନ୍ତ୍ରୀ ଭାବେ ବହୁ ବିଭାଗ ସମ୍ଭାଳିଛନ୍ତି ସମ୍ରାଟ ଚୌଧୁରୀ। ଗତ ୨୦୨୧ ଉପନିର୍ବାଚନରେ ବିଜୟୀ ହୋଇଥିଲେ ସମ୍ରାଟ। ଲଖିସରାଇ ଆସନରୁ ବିଜୟୀ ହୋଇଛନ୍ତି ବିଜୟ କୁମାର ସିହ୍ନା। ସେ ଲଖିସରାଇରୁ ପଞ୍ଚମ ଥର ଲାଗି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।

୪୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଅବକାରୀ ଏସପି ଗିରଫ

୪୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଅବକାରୀ ଏସପି ଏବଂ ଚମ୍ପୁଆ ଅବକାରୀ କାର୍ଯ୍ୟାଳୟର ASI ଭିଜିଲାନସ୍ ଦ୍ୱାରା ଗିରଫ । ଜଣେ ବିଦେଶୀ ମଦ ଦୋକାନୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଅବକାରୀ ଏସପି ସୀତାରାଣୀ ପଟ୍ଟାୟତ ଓ ଚମ୍ପୁଆ ଅବକାରୀ କାର୍ଯ୍ୟାଳୟର ASI ବିଜୟ କୁମାର ମହାନ୍ତଙ୍କୁ ଗିରଫ କରିଛି ଭିଜିଲାନସ୍ । ଏହାପରେ ସୀତାରାଣୀ ପଟ୍ଟାନାୟଙ୍କର ୩ଟି ଠିକଣା ଓ ବିଜୟ କୁମାର ମହାନ୍ତଙ୍କର ୨ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ ଜାରି ରଖିଛି l ଗତ ୪ମାସ ପୂର୍ବରୁ କେନ୍ଦୁଝର ଅବକାରୀ ଅଧିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ବ୍ୟବସାୟ ସଠିକ୍ ଢ଼ଙ୍ଗରେ ଚଳାଇବା ପାଇଁ ବିଦେଶୀ ମଦ ଦୋକାନୀ ମାଲିକଙ୍କ ଠାରୁ ଲାଞ୍ଚ ମାଗୁଥିଲେ ସୀତାରାଣୀ l ଅନ୍ୟ ଉପାୟ ନପାଇ ଚମ୍ପୁଆର ଜଣେ ବିଦେଶୀ ମଦ ଦୋକାନୀ ଭିଜିଲାନସର ଦ୍ୱାରସ୍ଥ ହୋଇଥିଲେ । ଆଜି ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ଉଭୟଙ୍କୁ ଗିରଫ କରିଥିଲା ଭିଜିଲାନସ । ଏହାପରେ, ଆୟ ବହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୀତାରାଣୀ ପଟ୍ଟାୟତଙ୍କର ୩ଟି ଠିକଣା ଓ ବିଜୟ କୁମାର ମହାନ୍ତଙ୍କର ୨ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ ଜାରି ରଖିଛି l ଏହି ମାମଲାରେ ବାଲେଶ୍ଵର ଭିଜିଲାନସ୍ ବିଭାଗ ତରଫରୁ ଉଭୟଙ୍କ ବିରୋଧରେ କେସ୍ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

ତ୍ରିଶୂଳିଆ ବ୍ରିଜରେ ଟ୍ରାଫିକ ଜାମ୍: ଅଧା ବ୍ରିଜରେ ଖରାପ ହୋଇଗଲା ଆମ ବସ୍

ତ୍ରିଶୂଳିଆ ବ୍ରିଜରେ ଟ୍ରାଫିକ ଜାମ୍ । ଅଧା ବ୍ରିଜରେ ଖରାପ ହୋଇଗଲା ଆମ ବସ୍  । ଆମ ବସ୍ ପାଇଁ କଟକରୁ ଭୁବନେଶ୍ୱର ଯାତାୟାତ ସମ୍ପୂର୍ଣ୍ଣ ଠପ । ଅଟକି ରହିଛି ହଜାର ବାଇକ, କାର, ବସ୍ । ଏହା ମଧ୍ୟରେ ଆମ୍ବୁଲାନ୍ସ ମଧ୍ୟ ଫସି ରହିଛି । ୪୫ ମିନିଟ ହେବ ତ୍ରିଶୂଳିଆରୁ କଟକ ବେଲବ୍ୟୁ ଛକ ପର୍ଯ୍ୟନ୍ତ ଟ୍ରାଫିକ ଜାମ ରହିଛି । ଘଟଣାସ୍ଥଳରେ ପୋଲିସ ପହଁଚି ଟ୍ରାଫିକ କ୍ଲିୟର ଉଦ୍ୟମ ଜାରି ରଖିଛି । ଆମ ବସ୍ କଟକରୁ ଭୁବନେଶ୍ୱର ଯାଉଥିବା ବେଳେ ତ୍ରିଶୂଳିଆ ସୁବାଷ ସେତୁ ଉପରେ ହଠାତ ବସ୍ ଖରାପ ହୋଇ ଯାଇଥିଲା । ଫଳରେ ବସ୍ ଟି ରାସ୍ତା ମଝିରେ ଫସି ରହିଛି । ତେବେ ଆମ ବସ୍ ଟି ଖରାପ ହେଇଯିବା ଫଳରେ ତ୍ରିଶୂଳିଆ ସୁବାଷ ସେତୁ ଉପରେ ଟ୍ରାଫିକ ଜାମ ପରିସ୍ଥିତି ଦେଖାଦେଇଛି। ଘଟଣାସ୍ଥଳରେ ବାରଙ୍ଗ ଓ ମର୍କତନଗର ପୋଲିସ ପକ୍ଷରୁ ଟ୍ରାଫିକ କ୍ଲିୟର କରିବାକୁ ଉଦ୍ୟମ ଜାରି ରହିଛି ।

ରାଜ୍ୟରେ କେତେ ଧାନ ଉତ୍ପାଦନ ହୋଇଛି ? ହିସାବ ମାଗିଲେ ପିସିସି ସଭାପତି

ମଣ୍ଡି ଖୋଲିବା ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତିକ୍ରିୟା । ରାଜ୍ୟରେ କେତେ ଧାନ ଉତ୍ପାଦନ ହୋଇଛି ତାହାର ଆଗ ହିସାବ ମାଗିଛନ୍ତି ଭକ୍ତ । ଗତ ଥର ଭଳି ଭେଣ୍ଡର ସାଙ୍ଗରେ ମିଶି ମଧୁଚନ୍ଦ୍ରିକା ନକରିବାକୁ ସେ ସରକାରଙ୍କୁ ଅପିଲ କରିଛନ୍ତି । ଚାଷୀ କେମିତି ଶୀଘ୍ର ଏବଂ ସଠିକ ମୂଲ୍ୟରେ ଧାନ ଉଠାଇବ ତାହାର ବ୍ୟବସ୍ଥା କରନ୍ତୁ । ମଡେଲ ମଣ୍ଡି ଖୋଲିବା ଭଲ ନିଷ୍ପତ୍ତି । କିନ୍ତୁ ଏହି ମଡେଲ ମଣ୍ଡିରେ ଷ୍ଟୋରେଜ ବ୍ୟବସ୍ଥା ରହିବ କି ନାହିଁ ସରକାର ତାହାର ଉତ୍ତର ଦେବାକୁ ସେ କହିଛନ୍ତି । ଚାଷୀ ମାନଙ୍କୁ ମଣ୍ଡିରେ ରହିବା ଏବଂ ଖାଇବା ବ୍ୟବସ୍ଥା କରିବାକୁ ମଧ୍ୟ ସେ ଦାବି କରିଛନ୍ତି । ସାଂସଦ, ବିଧାୟକ ଏବଂ ଚାଷୀ ପ୍ରତିନିଧିଙ୍କୁ ନେଇ ମିଳିତ ଭାବରେ ଏକ ବୈଠକ ହେବା କଥା । କିନ୍ତୁ ତାହା ସରକାର ଏପର୍ଯ୍ୟନ୍ତ କରିପାରିଲେ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ।.

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ବଣ୍ଟନ: ୯ କୋଟି ଚାଷୀଙ୍କ ଖାତାକୁ ଯାଇଛି ୧୮ ହଜାର କୋଟି ଟଙ୍କା

ଅନ୍ନଦାତା ମାନଙ୍କ ଆୟ ଦୁଇଗୁଣା କରିବାକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଏକ ବରଦାନ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ବଣ୍ଟନ ହୋଇଛି। ସାରା ଦେଶରେ ୯ କୋଟି ଚାଷୀଙ୍କ ଖାତାକୁ ଯାଇଛି ୧୮ ହଜାର କୋଟି ଟଙ୍କା। ଏବେ ସୁଦ୍ଧା ୩ ଲକ୍ଷ ୯୦ ହଜାର କୋଟି ଟଙ୍କା ୨୦୧୯ ପରଠାରୁ ଚାଷୀଙ୍କୁ ଦିଆଯାଇଛି। ଓଡିଶା ସରକାର ପିଏମ କିଷାନ ସହ ସିଏମ କିଷାନ ଫଣ୍ଡ ମଧ୍ୟ ଚାଷୀଙ୍କୁ ଦେଇଛନ୍ତି। ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଧାନ କ୍ୱଣ୍ଟାଲ ପିଛା ୮୦୦ ଟଙ୍କା ସବସିଡ଼ି ଚାଷୀମାନଙ୍କୁ ଅନେକ ସହାୟ ହେଉଛି। ଏଥର ଭଲ ଧାନ ଚାଷ ହେଇଥିବାରୁ ଚାଷୀମାନେ ଅଧିକ ଲାଭବାନ ହେବେ। ରାଜ୍ୟର ଚାଷୀମାନେ ଚାଷ କାମ ପାଇଁ ଉତ୍ସାହିତ ଅଛନ୍ତି। ଚାଷ କାମରେ ବିବିଧତା ଆଣିବାକୁ ପ୍ରୟାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପିଏମ କିଷାନ ଯୋଜନାରେ ରାଜ୍ୟର ୩୪ ଲକ୍ଷ ଚାଷୀଙ୍କୁ ୭୦୦ କୋଟିର ସହାୟତା ଦିଆଯାଇଛି।

ସାରା ରାଜ୍ୟରେ ମିଲରଙ୍କ ମନମାନି: ଚାଷୀ ହସ୍ତସନ୍ତ ହୋଇ କରୁଛନ୍ତି ଆନ୍ଦୋଳନ

କେଉଁଠି ପଞ୍ଜିକରଣ ସମସ୍ୟା ତ ଆଉ କେଉଁଠି କଟନିଛଟନି । ଏପରି ସ୍ଥିତିରେ ଦୁର୍ଦ୍ଦିନରେ ପଡି ରାଜରାସ୍ତାକୁ ଓହ୍ଲାଉଛି ଚାଷୀ। ମିଲରଙ୍କ ମନମାନି ଯୋଗୁ ସବୁ ସମୟରେ ଚାଷୀ ନିଜ ପ୍ରାପ୍ୟ ପାଇବାକୁ ବଞ୍ଚିତ ହେଉଥିବା ଅଭିଯୋଗ ବଢିବାରେ ଲାଗୁଛି । ହେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ମିଲର ପ୍ରେମ ଛାଡ଼ିବାର ନାଁ ନେଉନି । ଅମଳ ସରିଥିବାରୁ ଆସନ୍ତା ୨୫ ତାରିଖରୁ ପଶ୍ଚିମ ଓଡ଼ିଶାରେ ମଣ୍ଡି ଖୋଲିବାକୁ ଯାଉଛନ୍ତି ସରକାର । ହେଲେ ମଣ୍ଡି ଖୋଲିବା ପୂର୍ବରୁ ହିଁ ମିଲରମାନଙ୍କୁ କ୍ଲିନ ଚିଟ ଦେଇଛନ୍ତି ସମବାୟ ମନ୍ତ୍ରୀ । ମିଲର କେଉଁଠି ବି ହଇରାଣ କରୁ ନାହାନ୍ତି ବୋଲି ବୟାନ ଦେଇ ମନ୍ତ୍ରୀ ସାଜିଛନ୍ତି ମିଲରଙ୍କ ଓକିଲ ।

ଏଯାଏଁ କଟନିଛଟନି ବନ୍ଦ ହୋଇପାରିନି । ଧାନ ପଡ଼ି ପଡ଼ି ନଷ୍ଟ ହେଉଛି । ହେଲେ ସମବାୟ ମନ୍ତ୍ରୀ କିପରି ମିଲରଙ୍କ ସପକ୍ଷରେ ବାହାରିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଚାଷୀଙ୍କୁ ମିଲର ହଇରାଣ କରୁଛନ୍ତି । ସମବାୟ ମନ୍ତ୍ରୀ ପ୍ରଥମେ ସବୁ ଜିଲ୍ଲା ବୁଲି ମତାମତ ଦେବାକୁ ବିଜେଡି ଦାବି କରିଛି । ଚାଷୀ ହଇରାଣ ନ ହେଉଥିଲେ କିଛି ଦିନ ତଳେ କାହିଁକି ବରଗଡ଼ରେ ଚାଷୀମାନେ ଜିଲ୍ଲାପାଳଙ୍କ ଘେରିଥିଲେ ବୋଲି ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ଯେଉଁ ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ କଥା କହି ବାହାବା ନେବାକୁ ସରକାର ଚେଷ୍ଟା କରୁଛନ୍ତି, ତାହାର ବାସ୍ତବିକ ସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି କଂଗ୍ରେସ । ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକା ନେଇ ବିରୋଧୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ବିଧାନସଭାରେ ବି ଏ ପ୍ରସଙ୍ଗ ଉଠିଛି । ସମବାୟ ମନ୍ତ୍ରୀ ଯେଉଁ ପରି ଭାବେ ମିଲରଙ୍କ ଓକିଲାତି କରୁଛନ୍ତି, ତାହା ବିରୋଧୀଙ୍କ ଅଭିଯୋଗକୁ ଖୋରାକ ଯୋଗାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ସରକାରଙ୍କ ୟୁ-ଟର୍ଣ୍ଣ: ସରଳ ହେଲା ବିଧାୟକ ପାଣ୍ଠିରେ ସିଲିଂ ବ୍ୟବସ୍ଥା

ସରଳ ହେଲା ବିଧାୟକ ପାଣ୍ଠିରେ ସିଲିଂ ବ୍ୟବସ୍ଥା । ଏଣିକି ୧ଲକ୍ଷ ଉପରେ ପାଣ୍ଠି ଖର୍ଚ୍ଚ ପାଇଁ ମିଳିଲା ଅନୁମତି । ବିଧାୟକଙ୍କ ଦାବି ପରେ ସରକାର ନେଲେ ୟୁ-ଟର୍ଣ୍ଣ । ଚାପ ପଡିଲା। ବଦଳିଲା ନିୟମ। ଏଣିକି ୫ ଲକ୍ଷ ପରିବର୍ତ୍ତେ ୧ଲକ୍ଷ ଟଙ୍କାଠାରୁ ପ୍ରକଳ୍ପ ପାଇଁ ପାଣ୍ଠି ଦେଇପାରିବେ ବିଧାୟକ । ବିଧାୟକ ଆଂଚଳିକ ପାଣ୍ଠି ବା ଏମଏଲଏ ଲ୍ୟାଣ୍ଡ ସିଲିଙ୍ଗ ବ୍ୟବସ୍ଥାକୁ ପୂର୍ବପରି କାର୍ଯ୍ୟକାରି କରାଯିବ । ବିଜେପି ସରକାର ଆସିବା ପରେ ୫ଲକ୍ଷ ଉପରେ କାମ କରିବା ପାଇଁ ବିଧାୟକ ପାଣ୍ଠି ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଥିବାରୁ ବିଧାୟକମାନେ ନାନା ସମସ୍ୟା ଭୋଗୁଥିଲେ । ବିଧାୟକ ପାଣ୍ଠିରେ ସିଲିଂ ନରଖିବା ଲାଗି ଦଳମତ ନିର୍ବିଶେଷରେ ମୌସୁମୀ ଅଧିବେଶନରେ ସମୟରେ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେଇଥିଲେ । ପାଣ୍ଠି ଖର୍ଚ୍ଚ ନେଇ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିବା ପରେ ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିର ପୁନଃବିଚାର କରି ପାଣ୍ଠିଖର୍ଚ୍ଚକୁ ସରଳୀକରଣ କରିଛନ୍ତି । ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ବିଧାୟକ ପାଣ୍ଠି ଖର୍ଚ୍ଚ ପ୍ରକ୍ରିୟା ବହୁ ବିଳମ୍ବ ହେଉଥିବାରୁ ବିଧାୟକମାନେ ଅସୁବିଧା ସମ୍ମୁଖିୀନ ହେଉଛନ୍ତି । ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ ।

ଗାଁ ମନ୍ଦିର ପିଣ୍ଡି, ପୋଖରୀ ହୁଡାର ଘାଟ, ଚଉତରା, ଦୋଳମଣ୍ଡପ ପରି ଛୋଟବଡ ବିକାଶମୂଳକ କାମ ପାଇଁ ବିଧାୟକମାନେ ଗାଁକୁ ଗଲେ ୫୦ ହଜାରରୁ ୫ଲକ୍ଷ ଭିତରେ ନିଜର ବିଧାୟକ ପାଣ୍ଠିରୁ ଅର୍ଥ ଦେଇଥାନ୍ତି । ହେଲେ ବିଜେପି ସରକାର ଆସିବା ପରେ ଏଥିରେ ଅଙ୍କୁଶ ଲଗାଇଥିଲେ । ପୂର୍ବପରି ବିଧାୟକମାନେ ପାଣ୍ଠି ଦେବାର ବ୍ୟବସ୍ଥା ହୋଇଥିବାରୁ କଂଗ୍ରେସ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ବିଧାୟକ ପାଣ୍ଠିଖର୍ଚ୍ଚ ନେଇ ଯେଉଁ ସମସ୍ୟା ରହିଛି ତାହାକୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଧାୟକ ମଙ୍ଗୁ୍ ଖିଲ ଦାବି କରିଛନ୍ତି । ବିଜେପି ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି ସରକାରଙ୍କ ନିଷ୍ପତ୍ତି ସ୍ବାଗତ ଯୋଗ୍ୟ । ବିଧାୟକ ପାଣ୍ଠିରେ ସିଲିଂ ନେଇ ଯେଉଁ ଦ୍ବନ୍ଦ୍ବ ଥିଲା ତାହା ହଟିଥିବାରୁ ଏଣିକି ବିକାଶ କାମ ତ୍ବରାନ୍ବିତ ହୋଇପାରିବ ବୋଲି ସମସ୍ତେ ଆଶା ରଖିଛନ୍ତି ।

ବସ୍ତି, ବିସ୍ଥାପନ ଓ ବୁଲଡୋଜର: ଦ୍ଵିତୀୟ ଦିନରେ ସାଲିଆ ସାହିରେ ବି ଉଚ୍ଛେଦ

ବସ୍ତି, ବିସ୍ଥାପନ ଓ ବୁଲଡୋଜର। ଦ୍ଵିତୀୟ ଦିନରେ ସାଲିଆ ସାହିରେ ବି ଉଚ୍ଛେଦ । ମାଟିରେ ମିଶିଲା ଦୁଇ ଦିନରେ 400 ଘର। ବାସହରା ବସ୍ତି ବାସିନ୍ଦା । ଭଙ୍ଗା ଘରେ ଖୋଜୁଛନ୍ତି ଭବିଷ୍ୟତର ସ୍ୱପ୍ନ । ଖୋଲା ପଡିଆ, ମୁଣ୍ଡ ଉପରେ ଜରି ପାଲ। ଦୁଇ ଦିନ ହେଲାଣି ଜଳିନି ଚୁଲି। ଆମେ ଆଦିବାସୀ ଲୋକ । ଜଙ୍ଗଲ ଜମିରେ ଆମର ରହିବା ପାଇଁ ଅଧିକାର ଅଛି । ବିନା ନୋଟିସରେ ଜବରଦସ୍ତି ଭାଙ୍ଗୁଛନ୍ତି ଘର । ଦୃଶ୍ୟ ନମ୍ବର ୧…. ଛୋଟିଆ ଖାଟିଆ ଉପରେ ମା କୋଳରେ ସୋଇଛି କଅଁଳା ଶିଶୁ । ପୁରା ପରିବାର କେଉଁଟି ରହିବେ ଜାଣି ପାରୁ ନାହାନ୍ତି। ଦୃଶ୍ୟ ନମ୍ବର ୨…ଖୋଲା ପଡିଆ। ମୁଣ୍ଡ ଗୁଞ୍ଜିବା ପାଇଁ ବାଉଁଶ ପୋତି ଜରି ପାଲ ଟାଣୁଛନ୍ତି । ଆଉ ଏପଟେ ଛୋଟ ପିଲା ମାନେ ଖେଳନାରେ ରୋଷେଇ କରି ଖେଳୁଛନ୍ତି। ଆଉ ଏ ଦୃଶ୍ୟ ହେଉଛି ଘର ଭାଙ୍ଗିବା ପୂର୍ବରୁ ନିଜର ଆସବା ପତ୍ର ମୁଣ୍ଡରେ ବୋହି ନେଉଛନ୍ତି ଲୋକ । ଆଉ କିଛି ନିଜର ତଥ୍ୟ ଦେଇ ବିଏମସିର ଟ୍ରାକ୍ଚରରେ ଆସବାବପତ୍ର ବସ୍ତି ଆପାର୍ଟମେଣ୍ଟକୁ ବୋହି ନେଉଛନ୍ତି । ଗତ କାଲି ଖୋଲା ଆକାଶ ତଳେ ଥଣ୍ଡା କାକରରେ ରାତି କାଟିଥିଲେ ବିସ୍ଥାପିତ । ଆଜି ଦିନରେ କଣ ଖାଇବେ, କେଉଁଠି ରହିବେ ନିଜେ ବି ଜାଣି ନାହାନ୍ତି।

ସାଲିଆସାହିରେ ଦ୍ଵିତୀୟ ଦିନରେ ବସ୍ତି ଉଛେଦ ଜାରି ରହିଛି। ବିଏମସି, ବିଡିଏ, ଟିପିସିଓଡିଏଲ, ଫାୟାରା, ପିଡବ୍ଳୁଡି ସେମତ ଲାଇନ ଡିପାର୍ଟେମେଣ୍ଟକୁ ନେଇ ୫ଟି ଟିମ ଗଠନ ହୋଇଛି । ଆଜି ସକାଳୁ ସକାଳୁ ଶାନ୍ତି ଶୃଙ୍ଖଳାରେ ଉଛେଦ ଜାରି ରହିଛି । ୫୫୪ଟି ଘର ଭାଙ୍ଗିବା ଲାଗି ଚିହ୍ନଟ କରିଛି ବିଏମସି। ଗତାକାଲି ୧୧୦ ଘର ଭାଙ୍ଗି ଥିବା ବେଳେ ଆଜି ୯୦ରୁ ଉର୍ଦ୍ଦ ଘର ଭଙ୍ଗା ହୋଇଛି। ଦେଢଶହ ଜଣଙ୍କୁ ବୁଦ୍ଧ ବିହାରରେ ଥିବା ଆପାର୍ଟେମେଣ୍ଟରେ ଥଇଥାନ କରିଛି ବିଏମସି। ପୋଲିସ ଓ ବିଏମସିର କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଯେଉଁ ବସ୍ତିବାସିନ୍ଦାଙ୍କ ସନ୍ଦେହ ହେଉଛି । ସିଧା ସଳଖ କଣ୍ଟ୍ରୋଲର ରୁମ ନିକଟକୁ ଯାଇ ଯୋଗଯୋଗ କରିବାକୁ ବିଏମସି ଅପିଲ କରିଛି । ଆସନ୍ତା ୭ ଦିନ ପଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ପୋଲିସ କହିଛି।

ସାଇମନ୍ଦିରରୁ ଏକାମ୍ରକାନନ ପର୍ଯ୍ୟନ୍ତ ୧୩ କିଲୋମିଟର ଦୁଇଶହ ଫୁଟିଆ ରାସ୍ତା ନିର୍ମାଣ ନେଇ ଯୋଜନା ହୋଇଥିଲା। ସାଲିଆସାହି ରାସ୍ତା ଦେଇ ୧ କିଲୋମିଟର ଉଛେଦ ବାକି ରହିଥିଲା। ସାଲିଆସାହି ଭିତରେ ଏକ କିଲୋମିଟର ରାସ୍ତା ଉଚ୍ଛେଦ ହୋଇଗଲେ ଯୋଗଯୋଗର ବାଟ ଫିଟିବା ସହିତ ଟ୍ରାଫିକ ଯନ୍ତ୍ରାଣ କମିବ ବୋଲି ପ୍ରଶାସନ ସୂଚନା ଦେଇଛି।

କଟକ ଏସସିବିରେ ଢିଲା ସୁରକ୍ଷା ବ୍ୟବସ୍ଥା: ନିଜକୁ ସୁରକ୍ଷିତ ମଣୁନାହାନ୍ତି ରୋଗୀ

ରାଜ୍ୟର ସବୁଠୁ ବଡ଼ ସରକାରୀ ହସ୍ପିଟାଲ କଟକ ଏସସିବି । ସୁରକ୍ଷା ଦାୟିତ୍ବରେ ମାଳ ମାଳ ସୁରକ୍ଷା କର୍ମଚାରୀ । ହେଲେ କ୍ୟାମ୍ପସ ଭିତରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ରୋଗୀ । ଗତ ରବିବାର ହସ୍ପିଟାଲର ନୂଆ ମେଡ଼ିସିନ୍ ICUରେ ରୋଗୀଙ୍କୁ ଅସଦାରଣ ଘଟଣା ପରେ ଏବେ ଚର୍ଚ୍ଚାରେ ଏହି ହସ୍ପିଟାଲ । ନିଶାଶକ୍ତ ଅବସ୍ଥାରେ ଅଭିଯୁକ୍ତ ମାନସ ରଞ୍ଜନ ପତି ଆଉ ଜଣେ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ଯାଇଥିବା ସମୟରେ ଚିକିତ୍ସିତ ହେଉଥିବା ଆଉ ଜଣେ ଯୁବତୀଙ୍କୁ ପାଣି ଦେବା ବାହାନାରେ ଅସଦାଚରଣ କରିଥିଲା । ଏନେଇ ରୋଗୀଙ୍କ ପରିବାର ପକ୍ଷରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଦୀର୍ଘ ବର୍ଷ ଧରି ଏସିବିର ମଞ୍ଜୁଶ୍ରୀ ଆଉଟ ସୋରଶିଙ୍ଗରେ କାର୍ଯ୍ୟରତ ଥିଲା ମାନସ ।ତା ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ କଟକରେ ମାଛୁଆ ବଜାର ଅଞ୍ଚଳରେ ଭଡ଼ାରେ ରହୁଥିଲା । ତେବେ ଏଭଳି ଲଜ୍ଜା ଜନକ ଘଟଣା ଘଟାଇବା ପରେ ଏବେ ମାନସ ଗିରଫ ହୋଇଛି ।

ଏଭଳି ଘଟଣା ଘଟିବା ପରେ ଏସସିବିକୁ ଆସୁଥିବା ହଜାର ହଜାର ରୋଗୀଙ୍କ ସୁରକ୍ଷା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏମିତିକି ଏସସିବି ଓ ଠିକା ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଅଭିଯୋଗ ଆଣିଛନ୍ତି ସମାଜସେବୀ । ଏହି ଘଟଣା ଲୋକ ଲୋଚନକୁ ଆସିଥିବା ବେଳେ ଆହୁରି ଅନେକ ସମ୍ବେଦନଶୀଳ ଘଟଣାକୁ ଲୁକ୍କାୟିତ ରଖାଯାଇଥିବା ଅଭିଯୋଗ ହୋଇଛି । ବିଗତ ବର୍ଷରେ କାର୍ଡ଼ିଓଲୋଜି ବିଭାଗରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ ଜଣେ ଡ଼ାକ୍ତର । ବାରମ୍ବାର ଏଭଳି ଘଟଣା ପରେ କଟକ ଏସସିବି କଳଙ୍କର ମୁକୁଟ ମୁଣ୍ଡାଉଥିବା କୁହାଯାଇଛି । ଏ ସମ୍ପର୍କରେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ଦୂରେଇ ରହିଥିଲେ ଏସସିବି କର୍ତ୍ତୃପକ୍ଷ ।

ପୁଣି ଦୁଲୁକିବ ବାରବାଟି ଷ୍ଟାଡିୟମ: ଡିସେମ୍ବର ୯ ତାରିଖରେ ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ

ପୁଣି ଦୁଲୁକିବ ବାରବାଟି ଷ୍ଟାଡିୟମ । ଡିସେମ୍ବର ୯ ତାରିଖରେ ଖେଳାଯିବ ଅନ୍ତର୍ଜାତିକ କ୍ରିକେଟ ମ୍ୟାଚ । ପ୍ରସ୍ତୁତ ହେଉଛି ପିଚ୍ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ। ମଝିରେ ମାତ୍ର ୨୦ ଦିନ ଥିବାରୁ ପିଚ ଓ ପଡିଆର ପ୍ରସ୍ତୁତିରେ ଲାଗିଛନ୍ତି ଗ୍ରାଉଣ୍ଡ ଷ୍ଟାପ ଓ କ୍ୟୁରେଟର ମାନେ । ସେପଟେ ମର୍ଡର୍ଣ୍ଣ ଗ୍ରାସ କଟର ସାହାର୍ଯ୍ୟରେ ପଡିଆର ଗ୍ରାସ କଟିଂ କରାଯାଇ ଏହାକୁ ଚେସ ବୋର୍ଡ ସେଫ୍ ଦିଆ ଯାଉଛି। ପିଚ ରେ ପାଣି ଓ ରୋଲିଂ କାମ ମଧ୍ଯ ଚାଲିଛି। ଅନ୍ଯ ପକ୍ଷରେ ଗ୍ୟାଲେରୀ ମରାମତି ଓ ରଙ୍ଗକାମ ମଧ୍ଯ ଜୋରସୋରରେ ଚାଲିଛି। ସମସ୍ତଙ୍କର ଆଶା ବାରବାଟୀରେ ଏଥର ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ।

ବାରବାଟୀ ରେକର୍ଡରେ କିନ୍ତୁ ଦକ୍ଷିଣ ଆଫ୍ରିକାର ପଲ୍ଲା ଭାରି ରହିଛି । ଏଠାରେ ଦୁଇଟି ମ୍ୟାଚ ଖେଳି ଦକ୍ଷିଣ ଆଫ୍ରିକା ଏକତରଫା ଭାବେ ଭାରତକୁ ହରାଇଛି। ତେଣୁ ଏହି ମ୍ୟାଚ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସେପଟେ ପ୍ରସ୍ତୁତ ସହିତ ଆସନ୍ତା ୧ ତାରିଖରୁ ଅନଲାଇନ ଟିକେଟ ବିକ୍ରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଓସିଏ । ପରେ ପରେ ୩ ଓ ୪ ତାରିଖରେ ଅନୁବନ୍ଧିତ ସଂଘ, ସ୍କୁଲ ଓ କଲେଜ ପାଇଁ ଅଫ ଲାଇନରେ ଟିକେଟ ବିକ୍ରି ହେବ । ପରେ ୫ ତାରିଖରେ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ହେବ। ଆଉ ୨୦ ଦିନ ପରେ ମ୍ୟାଚ। ତେଣୁ ଦର୍ଶକ ଓ ଓଡିଶାର ଯୁବ ଖେଳାଳିଙ୍କ ମଧ୍ୟରେ ଏବେଠୁ ଉତ୍ସାହ ବଢିବାରେ ଲାଗିଛି।