ନୂଆଦିଲ୍ଲୀ: ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ । ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ । ଟେଷ୍ଟ ଶୃଙ୍ଖଳାକୁ ଜିତିବା ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆଜିଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଉଭୟ ଦଳଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ବି ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ଦଳ ଏହି ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ବାର୍ବାଡୋସ୍ରେ ଏବଂ ଶେଷ ମ୍ୟାଚ୍ ତ୍ରିନିଦାଦରେ ଖେଳାଯିବ। ସମସ୍ତ ମ୍ୟାଚ୍ ସନ୍ଧ୍ୟା ୭ଟା ରେ ଆରମ୍ଭ ହେବ। ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୧-୦ ରେ ଜିତିବା ପରେ ଦିନିକିଆରେ ଭାରତ କ୍ଲିନ୍ ସ୍ୱିପ୍ କରିବାକୁ ଲକ୍ଷ୍ୟ ରଖିଛି । ବିରାଟ, ରୋହିତ ଟେଷ୍ଟରେ ଶତକ ହାସଲ କରି ଭଲ ଫର୍ମରେ ଥିବା ବେଳେ ସୂର୍ଯ୍ୟକୁମାର, ଇଶାନ କିସନ୍ ଓ ଚହଲଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ମହାନଦୀ ବ୍ରିଜରୁ ଡେଇଁଲେ ଯୁବକ, ସମ୍ବଲପୁର ଚାଉଁରପୁର ମହାନଦୀ ବ୍ରିଜ ନିକଟରୁ ଯୁବକ ନିଖୋଜ
ସମ୍ବଲପୁର: ମହାନଦୀ ବ୍ରିଜରୁ ଡେଇଁଲେ ଯୁବକ । ସମ୍ବଲପୁର ଚାଉଁରପୁର ମହାନଦୀ ବ୍ରିଜ ନିକଟରୁ ଯୁବକ ନିଖୋଜ । ମହନଦୀକୁ ଡେଇଁଦେଇଥିବ ସନ୍ଦେହ । ଅଗ୍ନିଶମ ବାହୀନି ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଗତରାତିରୁ ନିଖୋଜ ଅଛନ୍ତି ସମିରନ ପ୍ରଧାନ । ମହାନଦୀରେ ପ୍ରବଳ ପାଣି ଥିବାରୁ ଖୋଜାଖୋଜିରେ ମୁସ୍କିଲ ହେଉଛି । ବ୍ରିଜ୍ ଉପରୁ ସମିରନଙ୍କ ବାଇକ ଉଦ୍ଧାର ହୋଇଛି ।
କେନ୍ଦ୍ର ବିରୋଧରେ ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ଆଜି ଗୃହରେ ଚର୍ଚ୍ଚା ନେଇ କଂଗ୍ରେସର ଦାବି
ନୂଆଦିଲ୍ଲୀ: ସଂସଦରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ହୋଇପାରେ ଆଲୋଚନା । ମଣିପୁର ପ୍ରସଙ୍ଗରେ ୫ ଦିନ ଧରି ପାର୍ଲାମେଣ୍ଟ ଅଚଳ । ଉଭୟ ଗୃହରେ ଗତିରୋଧ ଜାରି ରହିଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ମହାମେଣ୍ଟ ଇଣ୍ଡିଆ । ପ୍ରସ୍ତାବ ମଞ୍ଜୁର ହୋଇଥିବା ବେଳେ ଆଜି ଚର୍ଚ୍ଚା ହେବା ପାଇଁ ଦାବି କରିଛି କଂଗ୍ରେସ । ତେବେ ସଂଖ୍ୟା ଗଣିତରେ ସରକାର ପାସ୍ ହୋଇଥିବା ବେଳେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବିରେ ସଂସଦରେ ଉପସ୍ଥିତ ରହିବାକୁ ବିରୋଧୀ ଚାଲ ଖେଳିଛନ୍ତି । ସାମ୍ବିଧାନିକ ପ୍ରକ୍ରିୟା ଅନୁସାରେ, ଅନାସ୍ଥା ଭୋଟ ପରେ ପ୍ରଧାନମନ୍ତ୍ରୀଙ୍କୁ ଗୃହରେ ଅଭିଭାଷଣ ରଖିବାକୁ ହେବ । ପ୍ରଧାନମନ୍ତ୍ରୀଙ୍କୁ ସଂସଦ ଆସିବାକୁ ବାଧ୍ୟ କରିବାର ଅନ୍ୟ ଉପାୟ ନଥିଲା ବୋଲି କହିଛନ୍ତି ବିରୋଧୀ ସାଂସଦ ।
ଏପଟେ ଆଜି ସଂସଦରେ ସବୁ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ହୁଇପ ଜାରି କରିଛି କଂଗ୍ରେସ । ମୋଟ ଲୋକସଭା ସିଟ୍ ସଂଖ୍ୟା ୫୪୩ । ୫ ସିଟ୍ ଖାଲି ପଡ଼ିଥିବା ବେଳେ ମ୍ୟାଜିକ ନମ୍ବର ୨୬୯ । ବିଜେପି ନେତୃତ୍ବାଧୀନ ଏନଡିଏ ପାଖରେ ରହିଛି ୩୨୯ ସିଟ୍ । କେବଳ ବିଜେପି ପାଖରେ ୩୦୧ ଆସନ ରହିଛି । ବିରୋଧୀ ମେଣ୍ଟ ପାଖରେ ମାତ୍ର ୧୪୨ ସିଟ୍ ରହିଛି ।
ଜ୍ଞାନବାପି ମସଜିଦରେ ଏଏସଆଇ ସର୍ଭେ ଉପରେ ରୋକ୍, ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି କୋର୍ଟ
ବାରାଣସୀ: ବାରାଣସୀରେ ଥିବା ଜ୍ଞାନବାପି ମସଜିଦରେ ଏଏସଆଇ କରିବାକୁ ଥିବା ସର୍ଭେ ଉପରେ ଆଜି ଯାଏ ରୋକ । ଆହ୍ଲାବାଦ କୋର୍ଟ ଏହି ପ୍ରସଙ୍ଗରେ ମାରାଥନ ଶୁଣାଣି କରି ରୋକ୍ ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି । ସୁପ୍ରିମକୋର୍ଟ ଜୁଲାଇ ୨୬ ସନ୍ଧ୍ୟା ଯାଏ ଏଏସଆଇ ସର୍ଭେ ଉପରେ ରୋକ ଲଗାଇଥିଲେ । ଗତକାଲି ସନ୍ଧ୍ୟାରେ ଅବଧି ଶେଷ ହେଉଥିବା ବେଳେ ଆହ୍ଲାବାଦ କୋର୍ଟ ଏବେ ସମାନ ପଦକ୍ଷେପ ନେଇଛନ୍ତି । ସର୍ଭେ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ଏକ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ବାରାଣସୀର ଜିଲ୍ଲା କୋର୍ଟ ଜ୍ଞାନବାପି ମସଜିଦରେ ବିଜ୍ଞାନଭିତ୍ତିକ ସର୍ଭେ ପାଇଁ ଅନୁମିତି ଦେଇଥିଲେ । ଏହାକୁ କମିଟି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ।
ବାରାଣସୀ କୋର୍ଟ ସର୍ଭେ ପାଇଁ ଅନୁମତି ଦେବା ପରେ ସୁପ୍ରିମକୋର୍ଟ ଜୁଲାଇ ୨୪ରେ ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ଏହା ଉପରେ ରୋକ ଲଗାଇଥିଲେ। ଏଥିସହ କମିଟିକୁ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ । ଏହି ଅନୁସାରେ କମିଟି ଆବେଦନ କରିଥିବା ବେଳେ ହାଇକୋର୍ଟ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ। ଶେଷରେ ରୋକ ଅବଧିକୁ ଆଜି ଯାଏ ବୃଦ୍ଧି କରିଛନ୍ତି । ଆଜି ମାମଲା ଉପରେ କୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ।
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି, ଆଜି ୭ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ ଲଘୁଚାପ ଏବେ ଉତ୍ତର-ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି । ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ ଲଘୁଚାପ ଅଧିକ ଘନୀଭୂତ ହୋଇପାରୁନାହିଁ। ତେଣୁ ଏହା ଅବପାତରେ ପରିଣତ ନହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।
ତେବେ ଆସନ୍ତା ୨୯ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରାଯାଇଛି। ଉପକୂଳ ଓଡ଼ିଶାରେ ମୌସୁମୀ ନିମ୍ନ ଚାପରେଖା ସକ୍ରିୟ ଥିବାରୁ ତୁହାକୁ ତୁହା ବର୍ଷା ଲାଗି ରହିବ। ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୫୫କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଆଜି ସମୁଦ୍ର ଯିବାକୁ ବାରଣ କରାଯାଇଛି ।
ଯୁବଶକ୍ତି ପାଇଁ ନୂଆ ସୁଯୋଗ, ୩୨୫ଜଣ ସ୍ନାତକତ୍ତୋର ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ଯୁବଶକ୍ତି ପାଇଁ ନୂଆ ସୁଯୋଗ । ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ୨୧ଟି ବିଷୟରେ ୩୨୫ ଜଣ ସ୍ନାତ୍ତୋକତର ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି । ସେମାନେ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୋଗ ଦେବେ । ଏଥିସହ ମେଧା ସମ୍ବର୍ଧନା ସମାରୋହ ଆୟୋଜିତ ହୋଇଛି । ୨୦୨୩ରେ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନ ପ୍ରଦାନ କରାଯାଇଛି । ଏହି ନିଯୁକ୍ତି ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିଥିଲେ । ପ୍ରଥମ ବ୍ୟାଚ୍ ଭାବେ ସ୍ନାତ୍ତୋକତର ଶିକ୍ଷକଙ୍କୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ନିଯୁକ୍ତି ମିଳିଛି । ସେମାନେ ଶୈକ୍ଷିକ ବାତାବରଣ ସହ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ପାଠ ପଢାଇବେ । ପିଲାଙ୍କ ବିକଶିତ ଭବିଷ୍ୟତ ପାଇଁ ପ୍ରୋତ୍ସାହନ କରିବାକୁ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ଅଭିଭାବକ ନୁହେଁ, ଛାତ୍ରଛାତ୍ରୀ ନିଜ ସ୍ବପ୍ନ ପୂରଣ ପାଇଁ ଅନବରତ ପ୍ରୟାସ କଲେ ସଫଳତା ପାଇବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଶିକ୍ଷା ହିଁ ରାଜ୍ୟ ସରକାରଙ୍କ ସର୍ବାଧିକ ପ୍ରାଥମିକତା ରହିଆସିଛି । 5T ଅଧିନରେ ୬ ହଜାର ୮୦୦ରୁ ଅଧିକ ସ୍କୁଲର ରୂପାନ୍ତରଣ ହୋଇସାରିଲାଣି । ଯାହା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଏକ ନୂଆ ମନୋଭାବ ସୃଷ୍ଟି କରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷାକୁ ଆହୁରି ଗତିଶିଳ କରିବା ପାଇଁ ପୂର୍ବରୁ ୧୧୦ଟି ସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲ ଭାବେ ଉନ୍ନିତ କରାଯାଇଛି । ଏଥିସହ ୯୦୦ରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଛି ।
ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ
ଭୁବନେଶ୍ୱର: ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବୋର୍ଡ ଗଠନ କରାଯାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି ରାଜ୍ୟ ସରକାର । ବୋର୍ଡରେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଦୀପାଳି ଦାସ ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ବୋର୍ଡରେ ପରିବହନ ବିଭାଗର ଅଧିକାରୀ, ଗାଡି ମାଲିକ ସଂଘର ପ୍ରତିନିଧି, ଚାଳକ ସଂଘର ପ୍ରତିନିଧି, କର୍ମଚାରୀ ସଂଘର ପ୍ରତିନିଧି ତଥା ସାମାଜିକ କର୍ମୀ ମଧ୍ୟ ସଦସ୍ୟଭାବେ ରହିବେ । ଗତ ଜୁନ ୧୨ତାରିଖରେ ଏହି ବୋର୍ଡ ଗଠନ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବ ବୋର୍ଡ । ଏହା ମାଧ୍ୟମରେ ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ । କଲ୍ୟାଣ ବୋର୍ଡ ଦ୍ବାରା ରାଜ୍ୟର ପାଞ୍ଚ ଲକ୍ଷରୁ ଅଧିକ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ ।
୩ ଜଣ ଅବକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ
ଭୁବନେଶ୍ୱର: ୩ ଜଣ ଅବକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ । ବହିଷ୍କାର କଲେ ଅବକାରୀ କମିଶନର ନରସିଂହ ଭୋଳ । କନଷ୍ଟେବଳ ଆର.ଭେଙ୍କଟେସ କୁମାର, ASI ଅରୋପାଳକ ଦାସ ଓ କନଷ୍ଟେବଳ ତ୍ରିଲୋଚନ ରାଇଛେତିଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ବେଆଇନ ଭାବେ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଛାଡିବା ଅଭିଯୋଗରେ ବହିଷ୍କୃତ ହୋଇଛନ୍ତି ଏହି ୩ ଅବକାରୀ କର୍ମଚାରୀ । ୩ କର୍ମଚାରୀଙ୍କ ବିରୋଧରେ ପଟ୍ଟାଙ୍ଗୀ ଥାନାରେ ମାମଲା ରୁଜୁ ହୋଇଥିଲା । ୩ ଜଣ ଗିରଫ ହୋଇ ୧୦ମାସ ଧରି ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

