spot_img
Home Blog Page 2838

ଟେକ୍ନୋଲୋଜି କ୍ଷେତ୍ରରେ ଏବେ ଓଡ଼ିଶାର ସମୟ, ଆଇଟି କ୍ଷେତ୍ରରେ ବିଶ୍ବରେ ଚମକୁଛି ଓଡ଼ିଶା

ଭୁବନେଶ୍ୱର: ଟେକ୍ନୋଲୋଜି କ୍ଷେତ୍ରରେ ଏବେ ଓଡ଼ିଶାର ସମୟ । ଅନ୍ୟ ବଡ଼ ବଡ଼ ସହର ଭଳି ଆଇଟି କ୍ଷେତ୍ରରେ ବିଶ୍ବରେ ଚମକୁଛି ଓଡ଼ିଶା । ଭବିଷ୍ୟତର ଟେକ୍ନୋଲୋଜି ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଜାତୀୟ ସ୍ତରରେ ଟେକ୍ନୋଲୋଜି ଆଡଭାଇଜରୀ ଗ୍ରୁପର ବୈଠକ ବସି ଆଗାମୀ ଯୋଜନା ବାବଦରେ ଆଲୋଚନା କରୁଥିବା ବେଳେ ଓଡ଼ିଶା ସରକାର ବିଶ୍ବର ବଡ଼ ବଡ଼ ସଂସ୍ଥା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ଚୁକ୍ତି କଲେଣି । ସ୍ବଚ୍ଛ ଓ ଲୋକାଭିମୁଖୀ ପ୍ରଶାସନ ପାଇଁ ଟିମ୍ ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂର ସହାୟତା ନେବାରେ ଓଡ଼ିଶା ସରକାର ଦେଶରେ ପ୍ରଥମ । ଭୁବନେଶ୍ବରରେ ଡେଲଏଟ, କେପଜେମିନି ଭଳି ଗ୍ଲୋବାଲ ଏମଏନସି ସେମାନଙ୍କ କାର୍ଯ୍ୟାଳୟ ଖୋଲିଥିବା ବେଳେ ଇନଫୋସିସ୍, ଓ୍ବିପ୍ରୋ ଭଳି କମ୍ପାନୀ କଳେବର ବଢାଉଛନ୍ତି । ତା’ ସାଙ୍ଗକୁ ସିଏସଏମ୍, ତତ୍ତ୍ବ ଟେକ୍ନୋଲୋଜି ଭଳି ଓଡ଼ିଶାର କମ୍ପାନୀ ଏବେ ରାଜ୍ୟ ତଥା ଦେଶ ବାହାରେ କମାଲ କରୁଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ, ପରିବର୍ତ୍ତିତ ପାଣିପାଗ ନିୟନ୍ତ୍ରଣ, କୃଷି, ସ୍ବାସ୍ଥ୍ୟ କ୍ଷେତ୍ରରେ ଭବିଷ୍ୟତ ଟେକ୍ନୋଲୋଜି ବ୍ୟବହାର ପାଇଁ ଓଡ଼ିଶା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ହଜାରେରୁ ଅଧିକ ଓଡ଼ିଆଙ୍କୁ ଆମେରିକାରେ ପ୍ରଶିକ୍ଷଣ ଦିଆଯିବ । ଓଡ଼ିଶାରେ ଦକ୍ଷ ମାନବସମ୍ବଳ ସାଙ୍ଗକୁ ବ୍ୟାପକ ଭିତ୍ତିଭୂମି ଓ ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ବିଦେଶୀ କମ୍ପାନୀମାନେ ଏବେ ରାଜ୍ୟ ମୁହାଁ ହୋଇଛନ୍ତି । ରାଜ୍ୟର 5T ନୀତିରେ ଟେକ୍ନୋଲୋଜି ଜରିଆରେ ଟ୍ରାନ୍ସପରେନ୍ସି ଆଣିବାକୁ ଭରପୂର ଉଦ୍ୟମ ମଧ୍ୟ ହେଉଛି । ଏବେ ବେଙ୍ଗାଲୁରୁ, ହାଇଦ୍ରାବାଦ, ନୋଏଡ଼ା ନୁହେଁ ଟେକ୍ନେଲୋଜି କ୍ଷେତ୍ରର ଗ୍ଲୋବାଲ କମ୍ପାନୀଗୁଡ଼ିକ ଏବେ ଓଡ଼ିଶାକୁ ସବୁଠୁ ପ୍ରିୟ ଡେଷ୍ଟିନେସନ ଭାବେ ବାଛିଲେଣି । ଭବିଷ୍ୟତ ଟେକ୍ନୋଲୋଜିକୁ ଆପଣାଇବାରେ ଓଡ଼ିଶା ଅନ୍ୟମାନଙ୍କ ଠାରୁ ଆଗରେ ବୋଲି ଆଇଟି ଏକ୍ସପର୍ଟ ମତ ରଖିଛନ୍ତି ।

ସାରା ଦେଶର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟର ବଜେଟ ୧୬ହଜାର ୫ଶହ କୋଟି ଥିବା ବେଳେ ଓଡ଼ିଶାରେ ଏହି ବିଭାଗର ବଜେଟ ୩ହଜାର କୋଟି ଟଙ୍କା, ଯାହା ଜାତୀୟ ସ୍ତର ବଜେଟର ୧୫ଭାଗ । ଏଥିରୁ ଆଇଟି ଓ ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତା ଦର୍ଶାଉଛି ।

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଟୋନି ବ୍ଲେୟାର, 5T ବ୍ୟବସ୍ଥାକୁ ପ୍ରଶଂସା କଲେ ଟୋନି ବ୍ଲେୟାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟୋନି ବ୍ଲେୟାର । ଏହି ଅବସରରେ ରାଜ୍ୟର ପ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା । ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ ସହ ପୂର୍ବରୁ MoU ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧି ପାଇଁ ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ ମଧ୍ୟରେ ବୁଝାବଣା ପତ୍ର ସ୍ବାକ୍ଷର ହୋଇଛି । ଏହାଦ୍ବାରା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଲାଭଦାୟକ ହେବ । ଓଡ଼ିଶା ସରକାରଙ୍କ ସହିତ ଟି.ବି.ଆଇର ଏହି ଅଣ-ବ୍ୟବସାୟିକ ଅନୁବନ୍ଧନ ସରକାରଙ୍କ ଅନେକ ପ୍ରକଳ୍ପର ସଫଳ ରୂପାୟନ କରିବା ସହିତ, ଅର୍ଥନୈତିକ ନୀତି ସମୀକ୍ଷା ଏବଂ ନୀତି ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟକ୍ଷମ ହେବ ।

ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ଅବସ୍ଥିତ । UKର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ଦ୍ବାରା ସ୍ଥାପିତ ଏହି ଅନୁଷ୍ଠାନ ୪୫ରୁ ଅଧିକ ଦେଶରେ ସଫଳତାର ସହିତ କାର୍ଯ୍ୟ କରୁଛି । ଏହି ପ୍ରତିଷ୍ଠାନ ସଂପୃକ୍ତ ଦେଶଗୁଡ଼ିକର ନୀତି ତର୍ଜମା, ନୀତି ପ୍ରସ୍ତୁତି, ନୀତି ପରିଚାଳନା ଓ ଚୂଡ଼ାନ୍ତ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ବ୍ୟବସ୍ଥାର ଯଥାସମ୍ଭବ ଉନ୍ନତିକରଣରେ ସହାୟକ ହୋଇପାରିଛି । ଆଇଟି ଜ୍ଞାନକୌଶଳର ସଫଳ ରୂପାୟନ କ୍ଷେତ୍ରରେ ମଧ୍ୟ ଏହି ଅନୁବନ୍ଧନ ସହାୟକ ହେବ । ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ରାଜ୍ୟର ନିର୍ଦ୍ଧାରିତ ଲକ୍ଷକୁ ସର୍ବୋତ୍ତମ ସ୍ତରରେ ପହଞ୍ଚାଇବା ପାଇଁ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ତା’ର ଅଭିଜ୍ଞତା, ଉପଲବ୍ଧି, ଜ୍ଞାନ-କୌଶଳକୁ ଆଧାର କରି ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବ । ରାଜ୍ୟ ସରକାରଙ୍କ 5T ବ୍ୟବସ୍ଥାକୁ ଟୋନି ବ୍ଲେୟାର ପ୍ରଶଂସା କରିଛନ୍ତି ।

ନିମାପଡ଼ା ବିଜେପିକୁ ଝଟକା, ଶଙ୍ଖ ଫୁଙ୍କିଲେ କେରୁଣ୍ଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ପୂର୍ବତନ ନାଏବ ସରପଞ୍ଚ

ଭୁବନେଶ୍ୱର: ନିମାପଡ଼ା ବିଜେପିକୁ ଝଟକା । ପଦାରେ ପଡ଼ିଲା ନିମାପଡ଼ା ବିଜେପିର ଦୁର୍ବଳ ନେତୃତ୍ୱ । ଯେଉଁଥିପାଇଁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ ନିମାପଡ଼ା ନିର୍ବାଚନମଣ୍ଡଳୀ କେରୁଣ୍ଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମ ଚନ୍ଦ୍ର ନାୟକ ଓ ପୂର୍ବତନ ନାଏବ ସରପଞ୍ଚ ନୃସିଂହ ମହାରଣା । ସେମାନଙ୍କ ନେତୃତ୍ବରେ ଶତାଧିକ କର୍ମୀ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । କେରୁଣ୍ଡିଆ ହେଉଛି ବିଜେପି ସାଧାରଣ ସମ୍ପାଦକ ପ୍ରଭାତୀ ପରିଡ଼ାଙ୍କ ପଞ୍ଚାୟତ । ଉଭୟ ରାମଚନ୍ଦ୍ର ଓ ନୃସିଂହ ତାଙ୍କ ସଂପର୍କୀୟ । ଆଜି ନିଜ ସଂପର୍କୀୟ ପ୍ରଭାତୀଙ୍କ ହାତ ଛାଡ଼ି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି । ସମସ୍ତଙ୍କୁ ଦଳକୁ ସ୍ବାଗତ ଜଣାଇଛନ୍ତି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଓ ବରିଷ୍ଠ ବିଜେଡି ବିଧାୟକ ପ୍ରତାପ ଜେନା । ସେମାନଙ୍କ ବିଜେଡିରେ ଯୋଗଦାନ ଦ୍ବାରା ନିମାପଡାରେ ସଂଗଠନ ମଜବୁତ ହେବା ସହ ବିକାଶଧାରା ଆହୁରି ତ୍ବରାନ୍ବିତ ହେବ । ବିଜେପିରେ ନେତୃତ୍ୱକୁ ଦାୟୀ କରି ସେମାନେ ଦଳ ଛାଡ଼ିଥିବା କଥା ଗଣମାଧ୍ୟମ ଆଗରେ କହିଛନ୍ତି ।

ଆବାସ ଯୋଜନାକୁ ନେଇ ଷଡ଼ଯନ୍ତ୍ର କରୁଛନ୍ତି ବିଜେପି ସାଂସଦ, ଡାହା ମିଛ ଯୋଗୁ ଓଡ଼ିଶାବାସୀ ବିଜେପିକୁ ତଡ଼ିଦେବେ

ଭୁବନେଶ୍ୱର: ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଥିଲା ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜୁ ଜନତା ଦଳ ଅଭିଯୋଗ କରିଛି । ବିଜେପିର ଷଡ଼ଯନ୍ତ୍ର ଯୋଗୁଁ ୩ ବର୍ଷ ପରେ ଓଡ଼ିଶାକୁ ୧୫ ଲକ୍ଷ ଜାଗାରେ ୮ ଲକ୍ଷ ଘର ମିଳିଲା । ଓଡ଼ିଶା ବିଜେପିର ସେହି ଷଡ଼ଯନ୍ତ୍ରକାରୀ ନେତାମାନେ ପୁଣି ଆବାସ ଯୋଜନା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଆବାସ ଯୋଜନା ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ଗଣମାଧ୍ୟମ ପ୍ରବକ୍ତା ଇପସିତା ସାହୁ କହିଛନ୍ତି । ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମ ଆଗକୁ ଆସି ଡାହା ମିଛ କହୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି । ଓଡ଼ିଶାବାସୀ ତାଙ୍କୁ ଜୋକର ବୋଲି ଭାବୁଛନ୍ତି । ରାଜ୍ୟ ବିଜେପିର ସାଂସଦମାନେ କେନ୍ଦ୍ର ଗ୍ରାମୀଣ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ପିଏମଏଓ୍ବାଇରେ ଘର ନଦେବାକୁ ଚାପ ପକାଇଥିଲେ । ବିଜେପି ସାଂସଦଙ୍କ ଷଡ଼ଯନ୍ତ୍ର ଯୋଗୁଁ ୩ ବର୍ଷ କାଳ କେନ୍ଦ୍ର ସରକାର ଓଡ଼ିଶାକୁ ଆବାସ ଯୋଜନାକୁ ଘର ବନ୍ଦ ରଖିଥିଲେ । ବହୁ ଆନ୍ଦୋଳନ ଓ ଚାପ ପକାଇବା ପରେ ୧୫ ଲକ୍ଷ ଘର ଜାଗାରେ ମାତ୍ର ୮ ଲକ୍ଷ ଘର ମିଳିଛି ବୋଲି ବିଜେଡି ଅଭିଯୋଗ କରିଛି ।

ହତ୍ୟା ଧମକ ଅଭିଯୋଗରେ ବିଜେପି ନେତାଙ୍କ ନାଁରେ ମାମଲା ରୁଜୁ

ରାଉରକେଲା: ହତ୍ୟା ଧମକ ଅଭିଯୋଗରେ ବିଜେପି ନେତା ସଞ୍ଜୀବ ପ୍ରତାପ ସିଂହଦେଓଙ୍କ ନାଁରେ ମାମଲା ରୁଜୁ । ରାଉରକେଲା ଉଦିତନଗର ଥାନାରେ ଆଇପିସିର ଦଫା ୨୯୪ ଓ ୫୦୬ରେ ମାମଲା ରୁଜୁ ହୋଇଛି । ସ୍ୱସ୍ତିକ ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀଙ୍କୁ ଜୀବନରୁ ମାରିଦେବା ପାଇଁ ସଞ୍ଜୀବ ଧମକ ଦେଇଥିବା ଅଭିଯୋଗ ହୋଇଛି । କାରଖାନା କର୍ମଚାରୀଙ୍କ ଦୁଇଟି ବାଇକୁ ମଧ୍ୟ ଜାଳି ଦେଇଥିବା କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଛି । ସ୍ୱସ୍ତିକ ଇସ୍ପାତ କାରଖାନାରେ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ୮ ଜଣ ଠିକା ଶ୍ରମିକଙ୍କ ଅନ୍ୟ ସ୍ଥାନକୁ ବଦଳିକୁ ପ୍ରତିବାଦ କରି କାରଖାନା ସମ୍ମୁଖରେ ଆନ୍ଦୋଳନ କରିବା ସହିତ ସହ ଗତ ୧୪ ତାରିଖଠାରୁ କାରଖାନାକୁ ବନ୍ଦ କରିଥିଲେ । ଗତ ୨୦ ତାରିଖ ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ ସବ୍ କଲେକ୍ଟର, କୁଆଁରମୁଣ୍ଡା ତହସିଲଦାରଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ହତ୍ୟା ଧମକ ଦେଇଥିଲେ ସଞ୍ଜୀବ । ବିଜେପି ନେତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଦାବି କରିଛନ୍ତି ।

ହାଇକୋର୍ଟ ପାଇଁ ଗୌରବମୟ ଅଧ୍ୟାୟ, ଓଡ଼ିଆରେ ଆସିଲା ହାଇକୋର୍ଟଙ୍କ ପ୍ରଥମ ରାୟ

କଟକ: ହାଇକୋର୍ଟ ପାଇଁ ଗୌରବମୟ ଅଧ୍ୟାୟ । ଓଡ଼ିଆରେ ଆସିଲା ହାଇକୋର୍ଟଙ୍କ ପ୍ରଥମ ରାୟ । ୭୫ ବର୍ଷ ପୂର୍ତ୍ତି ଅବସରରେ ହାଇକୋର୍ଟ ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି । ଓଡ଼ିଆ ଭାଷାରେ ହାଇକୋର୍ଟ ପକ୍ଷରୁ ଏକ ରାୟ ପ୍ରକାଶ ପାଇଛି। ଯାହା ହାଇକୋର୍ଟର ଆଞ୍ଚଳିକ ଭାଷାରେ ପ୍ରଥମ ରାୟ ବୋଲି କୁହାଯାଉଛି । ସୌରଭ, ଏନଜିଓ ବନାମ ରାଜ୍ୟ ସରକାର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ଗତ ଜୁଲାଇ ୧୯ରେ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଥିଲେ । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଏକ ନିର୍ଦ୍ଦେଶନାମାକୁ ବିରୋଧ କରି ଦାୟର ଏହି ମାମଲାକୁ ହାଇକୋର୍ଟ ଖାରଜ କରିଥିଲେ ଓ ଏହାର ରାୟ ଓଡ଼ିଆରେ ପ୍ରକାଶ ପାଇଛି ।

’SCB ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ’: ରାଷ୍ଟ୍ରପତି

କଟକ: ସାରା ଦେଶରେ ଏସସିବିର ପ୍ରସିଦ୍ଧି ରହିଛି । ଓଡ଼ିଶା ସହ ପଡ଼ୋଶୀ ରାଜ୍ୟର ରୋଗୀମାନେ ଏଠାକୁ ଆସୁଛନ୍ତି । ସବୁବର୍ଗର ଲୋକଙ୍କୁ ନିଃଶୁଳ୍କ ସେବା ଯୋଗାଉଛି ଏସସିବି ମେଡିକାଲ । SCB ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ । ଡାକ୍ତରୀ ଏକ ବୃତ୍ତି ନୁହେଁ ଏକ ବ୍ରତ । ଆଜି କଟକ ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ସାମିଲ ହୋଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି ଏକ ସ୍ମରଣୀକାର ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, SCBକୁ ବିଶ୍ୱସ୍ତରୀୟ କରିବା କାମ ଚାଲୁରହିଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ କାର୍ଯ୍ୟକାରୀ କରାଯାଉଛି । ୨ ଦଶନ୍ଧିରେ ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ବ୍ୟାପକ ଉନ୍ନତି ଆସିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରୁ ଡାକ୍ତର ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା ଏକ ବଳକା ରାଜ୍ୟ ହୋଇପାରିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । କାର୍ଯ୍ୟକ୍ରମରେ ସ୍ବାଗତ ସମ୍ଭାଷଣ ଦେଇଥିଲେ ଏସସିବି ଡିନ୍ ।

କେନ୍ଦ୍ର ସରକାର ବିରୋଧରେ ଅନାସ୍ଥା ମଞ୍ଜୁର, ବିରୋଧୀଙ୍କ ପ୍ରସ୍ତାବ ଗ୍ରହଣ କଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ଏନଡିଏ ଭର୍ସେସ ଇଣ୍ଡିଆ । ସଂସଦରେ ମଣିପୁର ନେଇ ଗତିରୋଧ ଜାରି । ଆଜି ବି ବିରୋଧରେ ଜୋରଦାର ହଙ୍ଗାମା ।  ଏନଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ । କଂଗ୍ରେସ ଓ ବିଆରଏସ୍ ଆଣିଥିବା ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବା ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି ଲୋକସଭା ବାଚସ୍ପତି । ଉଭୟ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବୟାନ ପାଇଁ ବିରୋଧୀ ଜିଦ୍ ଧରିଥିବା ବେଳେ ସରକାର କିନ୍ତୁ ଏଥିରେ ଅରାଜି । ଫଳରେ ୫ଦିନ ଧରି ସଂସଦରେ ଅଚଳାବସ୍ଥା ଲାଗି ରହିଛି । ଧାରଣାସ୍ଥଳରେ ପହଞ୍ଚି ସଞ୍ଜୟ ସିଂଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ । ମୋଦି ସରକାର ୨୦୧୮ରେ ତେଲୁଗୁ ଦେଶମ ପାର୍ଟି ଆଣିଥିବା ଅନାସ୍ଥା ପ୍ରସ୍ତାବର ସାମ୍ନା କରିଥିଲେ । ଏହା କିନ୍ତୁ ଆଲୋଚନା ପରେ ୧୨୬-୩୨୫ ଭୋଟରେ କାଟ ଖାଇଯାଇଥିଲା । ଅନାସ୍ଥା ସପକ୍ଷରେ ୧୨୬ ଭୋଟ ପଡିଥିବାବେଳେ ବିରୋଧରେ ୩୨୫ ଭୋଟ ପଡିଥିଲା  ।

ସର୍ଭିସ ରିଭଲଭରରୁ ନିଜକୁ ଗୁଳିକଲେ ଏସଆଇ

ଜୟପୁର: ସର୍ଭିସ ରିଭଲଭରରୁ ନିଜକୁ ଗୁଳିକଲେ ଏସଆଇ । କୋରାପୁଟ ଜିଲ୍ଲା ପୋଲିସ ମୁଖ୍ୟାଳୟର ଘଟଣା । ନିଜକୁ ଗୁଳିକରି ଏସଆଇ ନରେନ୍ଦ୍ର ବିଶ୍ବାଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କୋରାପୁଟ ମେଡିକାଲ କଲେଜ ଓ ପରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି । ନରେନ୍ଦ୍ରଙ୍କ ବାମପାଖ ମୁହଁରେ ଗୁଳି ବାଜିଥିବା ସୂଚନା ମିଳିଛି । ଏହି ସମୟରେ ଏସପି ମଧ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ  । ଘଟଣାସ୍ଥଳରେ ଏସପି ତଦନ୍ତ ଆରମ୍ଭ କରିଛନ୍ତି ।

ସଂସଦରେ ମହିଳା ସଂରକ୍ଷଣ ଦାବି ଦୋହରାଇଲା ବିଜେଡି, ପ୍ରସଙ୍ଗ ଉଠାଇଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସିଟ୍‌ ସଂରକ୍ଷଣ ଦାବି ପୁଣି ଦୋହରାଇଛି ବିଜେଡି । ରାଜ୍ୟସଭାରେ ମହିଳା ସଂରକ୍ଷଣ ଦାବି ଉଠାଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ସଶକ୍ତ ଭାରତ ଲାଗି ମହିଳାଙ୍କ ପ୍ରତିନିଧିତ୍ୱକୁ ବିଜେଡି ଅଗ୍ରାଧିକାର ଦେଇଆସୁଛି । କେନ୍ଦ୍ର ସରକାର ଏହାକୁ ନେଇ ପ୍ରତିଶ୍ରୁତି ରକ୍ଷା କରୁନାହାଁନ୍ତି । ଅନ୍ୟପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି । ୨୦୧୯ରେ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ଲୋକସଭା ଟିକେଟ ମହିଳାଙ୍କୁ ଦେଇ ଐତିହାସିକ ପଦକ୍ଷେପ ନେଇଥିଲେ ।

ସେହିପରି ବିଜେଡି ପ୍ରତିନିଧି ମଣ୍ଡଳ ବିଭିନ୍ନ ରାଜନୈତିକ ଦଳଙ୍କୁ ବୁଝାଇ ସମର୍ଥନ ମାଗିଥିଲେ । ବିଜେଡିର ଏହି ପଦକ୍ଷେପକୁ ଅନେକ ରାଜନୈତିକ ଦଳ ସମର୍ଥନ ଦେଇଥିଲେ । ତା ସତ୍ତ୍ବେ ମଧ୍ୟ ଏଯାଏଁ ମହିଳା ସଂରକ୍ଷଣ ବିଲ ପାସ୍ ହୋଇପାରିଲାନି । ତେଣୁ ତୁରନ୍ତ ମହିଳା ସଂରକ୍ଷଣ ବିଲ୍ ପାରିତ ନେଇ ରାଜ୍ୟସଭାରେ ଦାବି ଦୋହରାଇଛନ୍ତି ସସ୍ମିତ । ଏହାଦ୍ବାରା ଦେଶକୁ ସଶକ୍ତ ମହିଳା ପ୍ରତିନିଧି ମିଳିବା ସହ ୬୬ କୋଟି ମହିଳାଙ୍କ ସ୍ବପ୍ନ ପୂରଣ ହେବ ବୋଲି ସେ କହିଛନ୍ତି ।