spot_img
Home Blog Page 2843

କେନ୍ଦୁପତ୍ର ଉପରୁ ହଟିବନି GST, ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦୁପତ୍ର ଉପରୁ ହଟିବନି GST । ସଂସଦରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସୂଚନା । ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ । ଗତ ଫେବ୍ରୁଆରୀରେ ଅନୁଷ୍ଠିତ GST ପରିଷଦ ବୈଠକରେ ନିଷ୍ପତ୍ତି । କେନ୍ଦୁପତ୍ରରୁ ୧୮% ଜିଏସଟି ଆଦାୟ ପାଇଁ ଫିଟମେଣ୍ଟ କମିଟିର ରିପୋର୍ଟ । ଫିଟମେଣ୍ଟ କମିଟି ରିପୋର୍ଟ ଆଧାରରେ ଜିଏସଟି ନ ହଟାଇବାକୁ ନିଷ୍ପତ୍ତି । କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ବାରମ୍ବାର ଦାବି କରିଆସୁଛି ଓଡ଼ିଶା । ରାଜ୍ୟର ୧୦ ଲକ୍ଷରୁ ଅଧିକ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଜିଏସଟି ହଟାଇବାକୁ ଦାବି ।

ମଣିପୁର କ୍ରାଇମ୍ ଫାଇଲ୍, ଭିଡିଓ ଭାଇରାଲର ସପ୍ତାହେ ପରେ ପହଞ୍ଚିଲା ଏନସିଡବ୍ଲ୍ୟୁ ଟିମ୍

ଇମ୍ଫାଲ: ସପ୍ତାହେ ପରେ ଏନସିଡବ୍ଲ୍ୟୁର ନିଦ ଭାଙ୍ଗିଲା । ବର୍ବର ଭିଡିଓ ଭାଇରାଲର ସପ୍ତାହେ ପରେ ମଣିପୁରରେ ଏନସିଡବ୍ଲ୍ୟୁ ଟିମ୍ । ତିନି ଜଣିଆ ଟିମ୍ ମଣିପୁରରେ ପହଞ୍ଚିଥିବା ବେଳେ ଉଭୟ ସମ୍ପ୍ରଦାୟର ପୀଡ଼ିତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ମହିଳାଙ୍କ ପ୍ରତି ଏଭଳି ଅମାନୁଷିକ ଓ ବର୍ବରତା ଘଟଣା ପୂର୍ବରୁ ଜାତୀୟ ମହିଳା ଆୟୋଗଙ୍କୁ ମଧ୍ୟ ଜଣାଥିଲା । ହେଲେ ଆୟୋଗ ଘଟଣାର ଯାଞ୍ଚ କରି ନଥିଲେ କି ସତ୍ୟତା ଜାଣିବାକୁ ମଣିପୁରକୁ ଟିମ୍ ମଧ୍ୟ ପଠାଇ ନଥିଲେ ।

ମଣିପୁରରେ ହେଉଥିବା ଘୃଣିତ ଅପରାଧ, ହିଂସା ସମ୍ପର୍କରେ ଗତ ଜୁନ ୧୨ ତାରିଖରୁ ଅବଗତ ଥିଲେ ମହିଳା ଆୟୋଗ । କିନ୍ତୁ ଘଟଣାର ସତ୍ୟତା ଜାଣିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଇ ଚୁପଚାପ ବସିପଡ଼ିଥିଲେ । ମଣିପୁର ଏବଂ ଦେଶ ବାହାରୁ ବିଭିନ୍ନ ସଂଗଠନ ଏଭଳି ଖବରକୁ ନେଇ ଜାତୀୟ ମହିଳା ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଖୁଲମଖୁଲା ଦୁଇ ମାସ ଧରି ଖୋଲା ଆକାଶ ତଳେ ଘୁରି ବୁଲୁଥିଲେ ଅଭିଯୁକ୍ତ । ଭିଡିଓ ଭାଇରାଲ ହୋଇ ନଥିଲେ ରାଜ୍ୟ ସରକାର ଘଟଣାକୁ ଚାପିଦେବାରେ ସକ୍ଷମ ହୋଇଥିଲେ ।

ଆଜି ପୃଥିବୀ କକ୍ଷରେ ଚନ୍ଦ୍ରଯାନର ଶେଷ ରାଉଣ୍ଡ, ଅଗଷ୍ଟ ୧ରେ ଚନ୍ଦ୍ର ଆଡ଼କୁ ଯିବା ସମ୍ଭାବନା

ଶ୍ରୀହରିକୋଟା: ପୃଥିବୀ କକ୍ଷପଥରେ ପଞ୍ଚମ ତଥା ଶେଷ ରାଉଣ୍ଡରେ ପହଞ୍ଚିଛି ଚନ୍ଦ୍ରଯାନ-୩ । ପୃଥିବୀ କକ୍ଷ ପଥରେ ଶେଷ ରାଉଣ୍ଡ ଘୂରିବା ପରେ ଆଜି ଦିନ ପ୍ରାୟ ୩ଟା ବେଳେ ଏହା ଲୁନାର ଟ୍ରାନ୍ସଫର ଟ୍ରାନଜେକ୍ଟରୀ ବା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ । ପୃଥିବୀ କକ୍ଷପଥ ଛାଡ଼ିବା ସମୟରେ ଚନ୍ଦ୍ରଯାନର ଭେଲୋସିଟି ବା ସ୍ପିଡ ୪୦ ହଜାର ୩୨୦ କିଲୋମିଟର ପ୍ରତିଘଣ୍ଟା ରହିବ । ପୃଥିବୀ କକ୍ଷରୁ ଚନ୍ଦ୍ର କକ୍ଷରେ ପହଞ୍ଚିବାକୁ ଅରବିଟ୍ ଟ୍ରାନ୍ସଫର ପ୍ରକ୍ରିୟାକୁ ୬ ଦିନ ସମୟ ଲାଗିବ । ଚନ୍ଦ୍ରଯାନ-୩ ଓ ଚନ୍ଦ୍ର ଅନ୍ତରୀକ୍ଷରେ ଗୋଟିଏ ଲାଇନରେ ଆସିବା ପରେ ଚନ୍ଦ୍ର କକ୍ଷପଥକୁ ଚନ୍ଦ୍ରଯାନ ପଠାଇବାକୁ ଯୋଜନା ରହିଛି । ଅଗଷ୍ଟ ୨୩ ତାରିଖରେ ପ୍ରପଲସନ୍ ମଡ୍ୟୁଲ ଗୋଲାକାର ଅର୍ବିଟରେ ବୁଲୁଥିବା ବେଳେ ଏହାର ଗତିକୁ ଧୀମା କରି ଲ୍ୟାଣ୍ଡରକୁ ସାଉଥ ପୋଲରେ ଲ୍ୟାଣ୍ଡ କରାଯିବ ।

ଲାଞ୍ଚ ଟଙ୍କା ଗିଳିଦେଲେ ଅଧିକାରୀ, ରେଡ୍ ହ୍ୟାଣ୍ଡେଡ ଧରିଲା ଲୋକାୟୁକ୍ତ ଟିମ୍

ଭୋପାଲ :  ଲାଞ୍ଚ ଟଙ୍କା ଚୋବାଇଦେଲେ ସରକାରୀ ଅଫିସର । ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବାରୁ ୫ହଜାର ଟଙ୍କା ଚୋବାଇ ଦେଲେ ସରକାରୀ ଅଧିକାରୀ । ଘଟଣା ଘଟିଛି ମଧ୍ୟପ୍ରଦେଶ କଟନୀ ଜିଲ୍ଲାରେ । ରାଜସ୍ବ ବିଭାଗରେ କାର୍ଯ୍ୟରତ ଗଜେନ୍ଦ୍ର ସିଂ ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟେଣ୍ଡେଡ ଧରିଥିଲା ଲୋକାୟୁକ୍ତ ଟିମ୍ । ଲୋକାୟୁକ୍ତ ଟିମକୁ ଦେଖି ଗଜେନ୍ଦ୍ର ୯ଟି ୫ଶହ ଟଙ୍କିଆ ନୋଟ ଚୋବାଇ ଗିଳିଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜିଲ୍ଲା ଚିକିତ୍ସାଳୟରେ ତାଙ୍କ ପେଟରୁ ନୋଟ ବାହାର କରାଯାଇଥିବା ଜଣାପଡ଼ିଛି ।

ଦେବଗଡ଼ ବିଜେପି ବିଧାୟକଙ୍କ ହାତପାଣ୍ଠି ହରିଲୁଟ୍ ପ୍ରସଙ୍ଗରେ ବର୍ଷିଲା ବିଜେଡି

ଭୁବନେଶ୍ବର: ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିଧାୟକ ହାତପାଣ୍ଠି ହରିଲୁଟ୍ ପ୍ରସଙ୍ଗ। ପ୍ରେସମିଟରେ ବର୍ଷିଲେ ଦେବଗଡ଼ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ। ଅନେକ ଆଶା ଭରସାରେ ୨୦୧୯ରେ ସୁବାସଙ୍କୁ ଜିତାଇଥିଲେ ଲୋକ। ହେଲେ ସେ ବିଧାୟକ ପାଣ୍ଠିକୁ କର୍ମୀଙ୍କ ପାଚେରି ନିର୍ମାଣରେ ଖର୍ଚ୍ଚ କରିଛନ୍ତି। ଦେବଗଡ଼ ମହିଳା ମହାବିଦ୍ୟାଳୟ ପାଚେରି ନିର୍ମାଣ ପାଇଁ ଆସିଥିଲା ପାଣ୍ଠି। ହେଲେ ଅନୁଗତଙ୍କ ପାଚେରି ନିର୍ମାଣରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ଏନେଇ ଗଣମାଧ୍ୟମ ଆଗରେ ସେହି ଗାଁର ଜଣେ ବିଜେପି ନେତା ଅଭିଯୋଗ ଆଣିଲେ। ଖବର ପ୍ରସାରଣ ପରେ ରାତାରାତି ଫଳକରେ ରଙ୍ଗ ମାରି ଲେଖାଗଲା କଂକ୍ରିଟ ରୋଡ୍ ଓ ଗାର୍ଡଓ୍ବାଲ। ଦେବଗଡ଼ବାସୀ ଏଥିପାଇଁ ଲଜ୍ଜିତ ଅନୁଭବ କରୁଛନ୍ତି। ଦେବଗଡ଼ ବିଧାୟକଙ୍କ ନାଁରେ ଅଭିଯୋଗ ନୂଆ ନୂହେଁ। ପୂର୍ବରୁ ଜଣେ ଦଳିତ ପ୍ରଶାସନିକ ଅଧିକାରୀଙ୍କୁ ମାଡ଼ କରିଥିଲେ ସୁବାସ। ମିଶନ ଶକ୍ତି ମାଆ ନିର୍ମାଣ କରିଥିବା ପାଚେରି ବି ନିଜେ ଉପସ୍ଥିତ ରହି ଭାଙ୍ଗିଥିଲେ। ଗତକାଲି ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ପାଇଁ ନିବେଦନ କରିଛି ବିଜେଡି। ବିଧାୟକଙ୍କ ଯେଉଁ ଅନୁଗତଙ୍କ ପାଚେରି ନିର୍ମାଣ କରାଯାଇଛି, ସେ ଜଣେ ଶିକ୍ଷକ। ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବାକୁ ଯାଇ ପୋଲିସ ହାତରେ ଧରା ପଡ଼ିଥିଲେ। ପରେ ସୁବାସ ପାଣିଗ୍ରାହୀ ଯାଇ ଥାନାରେ ପାଟିତୁଣ୍ଡ କରିଥିଲେ। ତେଣୁ ସବୁର ତଦନ୍ତ କରିବାକୁ ଦାବି କରିଛି ବିଜେଡି ।

ଭଗବାନ ଶିବଙ୍କ ସହିତ ବିବାହ କଲେ ଯୁବତୀ

ନନ୍ଦିଘୋଷ ବ୍ୟୁରୋ :  ଶ୍ରାବଣରେ ଶିବଙ୍କୁ ବିବାହ କଲେ ଯୁବତୀ । ଏ ବିବାହ ଭକ୍ତ ସହ ଭଗବାନଙ୍କ  । ଭଗବାନ ଶିବଙ୍କୁ ବିବାହ କରିଛନ୍ତି ଝାନ୍ସୀର ୨୭ ବର୍ଷୀୟା ଯୁବତୀ ଗୋଲ୍ଡୀ ରାୟକବାର  ।  ଭଗବାନ ଶିବଙ୍କୁ ହିନ୍ଦୁ ରୀତିନୀତିରେ ନିଜ ସ୍ୱାମୀ ବନାଇଛନ୍ତି ଏହି ଯୁବତୀ । ଏହି ଭକ୍ତ ଏବଂ ଭଗବାନଙ୍କ ନିଆରା ବିବାହ ସମାରୋହରେ ଭଗବାନ ଶିବଙ୍କ ଲିଙ୍ଗକୁ ବର ବେଶରେ ସଜାଇ ରଥରେ ବସାଇ ବିବାହ ମଣ୍ଡପକୁ ଅଣାଯାଇଥିଲା ଏବଂ ଶିବଙ୍କୁ ବରମାଳା ପିନ୍ଧାଇ ବିବାହ କରିଥିଲେ ଯୁବତୀ ।

କେବଳ ଏତିକି ନୁହେଁ ,ଏହି ନିଆରା ବିବାହ ପାଇଁ କାର୍ଡ ବଣ୍ଟାଯିବା ସହ, ପୋଷ୍ଟର ମଧ୍ୟ ଲଗାଯାଇଥିଲା  ।  ଭଗବାନ ଶିବଙ୍କ ପକ୍ଷରୁ ବରଯାତ୍ରୀ ମଧ୍ୟ ଆସିଥିଲେ ଏବଂ ସେମାନଙ୍କ ପାଇଁ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା । ଏହି ନିଆରା ବାହାଘର ଝାନ୍ସୀର ବଡ଼ଗାଁ ସ୍ଥିତ ଏକ ବ୍ରହ୍ମକୁମାରୀ ଆଶ୍ରମରେ ଆୟୋଜିତ ହୋଇଥିଲା ।

ଏହି ଯୁବତୀ ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ବ୍ରହ୍ମକୁମାରୀ ଛାତ୍ରାବାସରେ ରହି B.Com ପଢିବା ସହ ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରୁଥିଲେ  । ପରେ ଝାନ୍ସୀ ଆସି ବଡ଼ଗାଁ ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟରେ ଈଶ୍ୱରଙ୍କ ସେବାରେ ନିୟୋଜିତ ହୋଇଥିଲେ । ଗୋଲ୍ଡୀଙ୍କ କହିବା ଅନୁଯାୟୀ ସେ, ମୀରାବାଇ ଯେପରି ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱାମୀ ଭାବୁଥିଲେ ସେହିପରି ସେ ମଧ୍ୟ ଭଗବାନ ଶିବଙ୍କୁ ବିବାହ କରିବାକୁ ପିଲାଦିନରୁ ଚାହୁଁଥିଲେ । ଆଉ ସେ ଶିବଙ୍କୁ ବିବାହ କରି ବହୁତ ଖୁସି ଅଛନ୍ତି ଓ ସେ ସବୁବେଳେ ତାଙ୍କ ସାଥିରେ ରହିବେ ।

ଆସୁଛି ବାତ୍ୟା! ୧୨ ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଆସୁଛି ବାତ୍ୟା । ଏହି ବାତ୍ୟା ଫଳରେ ଦେଶର ୧୨ଟି ରାଜ୍ୟରେ ଭୀଷଣରୁ ଭୀଷଣ ବର୍ଷା ହୋଇପାରେ । ଦେଶରେ କିଛି ଦିନ ହେବ ଦୁର୍ବଳ ଥିବା ମୌସୁମୀ ଏବେ ତୀବ୍ର ହେବାକୁ ଯାଉଛି । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇ ପାରେ । ଯଦି ଏହା ବାତ୍ୟାର ରୂପ ନେବ ତାହାଲେ ଏହା ପ୍ରଭାବରେ ଦେଶର ୧୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗ କହିଛି ଯେ, ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପଶ୍ଚିମ କେନ୍ଦ୍ରୀୟ ଉପକୂଳ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି । ଏହା ସମୁଦ୍ର ପତନ ଠାରୁ ୫.୮ରୁ ୭.୬ କିଲୋମିଟର ଉପରେ ରହିଛି ।

ଏ ନେଇ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଓଡ଼ିଶାର କିଛି ଯାଗାରେ ମଧ୍ୟ ଭୀଷଣ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ଏହା ସହ ଉତ୍ତର ଭାରତର ପାହାଡି ସ୍ଥାନରେ ମଧ୍ୟ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବନ୍ୟା ପରିସ୍ଥିତି ସୃଷ୍ଟି ହେବ ଏବଂ ଯମୁନା ନଦୀ ବଢ଼ିବା ନେଇ ମଧ୍ୟ ବିଭାଗ ପୂର୍ବାନୁମାନ କରିଛି ।

ତେଲେଙ୍ଗାନା, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ, ତଟୀୟ କର୍ଣ୍ଣାଟକ ଇତ୍ୟାଦି ଅଞ୍ଚଳରେ ଭୀଷଣ ବର୍ଷା ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଛି ।

ଖୋଲିଲା ହୀରାକୁଦର ଆଉ ୪ ଗେଟ୍ , ୧୨ଟି ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାଜଳ

ସମ୍ୱଲପୁର :  ହୀରାକୁଦ ଖୋଲିଲା ଆଉ ୪ ଗେଟ୍ । ବାମପଟୁ ୮ଟି, ଡାହାଣ ପଟୁ ୪ଟି ଗେଟ୍ ଖୋଲିଛି । ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ଅଧିକ ଥିବାରୁ ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ । ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୧୪.୦୬ ଫୁଟ ରହିଛି । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୫୦ ହଜାର ଘନଫୁଟ ବନ୍ୟାଜଳ

ଗାନ୍ଧୀ ମୂର୍ତ୍ତି ତଳେ ନ୍ୟାୟ ପାଇଁ ଧାରଣା, ରାଜ୍ୟସଭାରୁ ଆପ୍ ସାଂସଦଙ୍କୁ ନିଲମ୍ବନ ପ୍ରତିବାଦ

ନୂଆଦିଲ୍ଲୀ : ରାଜ୍ୟସଭାରୁ ଆପ୍ ସାଂସଦଙ୍କୁ ନିଲମ୍ବନ ପ୍ରସଙ୍ଗ । ରାତି ତମାମ ପାର୍ଲାମେଣ୍ଟ ପରିସରରେ ଧାରଣା । ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଲେ ବିରୋଧୀ ସାଂସଦ । ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଗୃହରେ ଦାବି ଉଠାଇବାରୁ ସଞ୍ଜୟ ସିଂଙ୍କୁ ନିଲମ୍ବନ କରାଯାଇଥିବା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି ବିରୋଧୀ ମହାମେଣ୍ଟରେ ଥିବା ସବୁ ଦଳର ସାଂସଦ । ମଣିପୁରରେ କାରଗିଲ ଯୋଦ୍ଧାଙ୍କ ପତ୍ନୀଙ୍କୁ ଉଲଗ୍ନ କରି ପରେଡ କରାଯାଇଥିବା ବେଳେ ସରକାର ଆଦୌ ସମ୍ବେଦନଶୀଳତା ଦେଖାଉନାହାନ୍ତି ।

ରୁଲ ୨୬୭ରେ ନୋଟିସ ଦେବା ସହ ଚର୍ଚ୍ଚା ପାଇଁ ଦାବି କରିବାରୁ ଆମ ଆଦମୀ ପାର୍ଟି ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ରାତି ତମାମ ଆପ୍ ସାଂସଦଙ୍କ ସହ କଂଗ୍ରେସ, ବିଆରଏସ୍, ଟିଏମସି, ସିପିଏମ, ସିପିଆଇ ଆଦି ଦଳର ସାଂସଦମାନେ ଧାରଣାରେ ବସିରହିଥିଲେ । ଗୃହରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ସଞ୍ଜୟ ସିଂଙ୍କୁ ମୌସୁମୀ ଅଧିବେଶନର ସମସ୍ତ ଗୃହକାର୍ଯ୍ୟରୁ ନିଲମ୍ବନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।

ମଣିପୁର ପ୍ରସଙ୍ଗରେ ଆଜି ବି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଗୃହକାର୍ଯ୍ୟ ଆରମ୍ଭରୁ ଇଣ୍ଡିଆ ମେଣ୍ଟ ଦଳର ସଦସ୍ୟଙ୍କ ବୈଠକରେ ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି । ଲୋକସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ସାଂସଦ ମନିଷ ତିଓ୍ବାରୀ ଓ ଗୌରବ ଗୋଗୋଇ ମୁଲତବି ପ୍ରସ୍ତାବ ଦେଇଛନ୍ତି । ସେହିପରି ରାଜ୍ୟସଭାରେ ବି ରୁଲ ୨୬୭ ଅନୁସାରେ ଆଲୋଚନା ପାଇଁ ଆପ୍, ବିଆରଏସ୍, ଆରଜେଡି ଆଦି ଦଳର ସାଂସଦ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସସପେନସନ ଅଫ ବିଜନେସ ନୋଟିସ ଦେଇଛନ୍ତି ।

ରାଜ୍ୟରେ କମୁଛି ମୁଣ୍ଡପିଛା ଋଣବୋଝ; ଓଡିଶାର ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ କେନ୍ଦ୍ରର ପ୍ରଶଂସା

ନନ୍ଦିଘୋଷ ବ୍ୟୁରୋ : କମୁଛି ମୁଣ୍ଡପିଛା ଋଣବୋଝ । ଓଡିଶାର ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ କେନ୍ଦ୍ରର ସ୍ବୀକୃତି । ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଛି । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ମୁଣ୍ଡପିଛା ଋଣଭାର ହ୍ରାସ କ୍ଷେତ୍ରରେ ଓଡି଼ଶା ସାରା ଦେଶରେ ଶ୍ରେଷ୍ଠ ଓ ଏକମାତ୍ର ରାଜ୍ୟର ମାନ୍ୟତା ପାଇଛି। ଓଡ଼ିଶାର ଶୃଙ୍ଖଳିତ ଓ ଉତ୍କୃଷ୍ଟ ବିତ୍ତୀୟ ପରିଚାଳନାକୁ କେନ୍ଦ୍ର ସରକାର ବି ସ୍ବୀକାର କରିଛନ୍ତି ।

୫-ଟି ଉପକ୍ରମର ଅନୁପାଳନ ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ବିତ୍ତୀୟ ଦୃଷ୍ଟିରୁ ସବଳ ହୋଇଛି ଓଡ଼ିଶା । ରାଜ୍ୟର ଅର୍ଥନୀତି କ୍ରମାଗତ ଭାବେ ସୁଦୃଢ଼ ହୋଇଚାଲିଛି । ବିତ୍ତୀୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଛି ।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ରଖୁଥ‌ିବା ତଥ୍ୟ ଅନୁଯାୟୀ ୨୦୨୨- ୨୩ ଆର୍ଥିକ ବର୍ଷରେ ସାରା ଦେଶରେ ଏକମାତ୍ର ରାଜ୍ୟଭାବେ ଓଡ଼ିଶାର ଋଣଭାର କମିଛି ।

୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶାର ଋଣଭାର ୧୨ ପ୍ରତିଶତ କମିଥିବା ବେଳେ ବାକି ଦେଶର ସମସ୍ତ ରାଜ୍ୟମାନଙ୍କର ଋଣଭାର ବଢ଼ିଛି । ୨୦୨୦- ୨୧ ଆର୍ଥିକ ବର୍ଷରେ ଓଡ଼ିଶା ଉପରେ ମୋଟ ରଣଭାର ୧୪୧୨୪୦ କୋଟି ଟଙ୍କା ଥିଲା। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧ ଦଶମିକ ୮ ପ୍ରତିଶତ ହ୍ରାସ ପାଇଥିଲା ।

ସେହିପରି ୨୦୨୧-୨୨ ବର୍ଷରେ ରଣଭାର ୧ ଲକ୍ଷ ୨୯ ହଜାର ୩୫୬ କୋଟିକୁ ହ୍ରାସ ପାଇଥିବା ବେଳେ ହ୍ରାସର ପ୍ରତିଶତ ୮୪ ପ୍ରତିଶତ ଥିଲା ଏହାପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଋଣଭାର ୧୧୩୮୫୬ କୋଟିକୁ ହ୍ରାସ ପାଇବା ସହ ପୂର୍ବ ବର୍ଷ ତୁଳନାରେ ଋଣଭାର ୧୨ ପ୍ରତିଶତ କମିଥିବା ଅର୍ଥମନ୍ତ୍ରୀ ସଂସଦରେ ଉତ୍ତର ରଖିଛନ୍ତି । ରଣଭାର ହ୍ରାସ ପାଇବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ।ବାକି ଅନ୍ୟ ସମସ୍ତ ରାଜ୍ୟର ରଣଭାର ପୂର୍ବ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୧-୨୨ ତୁଳନାରେ ବୃଦ୍ଧି ପାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ତଥ୍ୟ ରଖିଛନ୍ତି ।