କଟକ: ୧୯ ବର୍ଷରୁ କମ ବର୍ଗର ମହିଳା କ୍ରିକେଟ ଟିମ ଘୋଷଣା କଲା ଓଡିଶା କ୍ରିକେଟ ଆସୋସିଏସନ । ଆସାମରେ ହେବାକୁ ଥିବା ବିସିସିଆରର ଘରୋଇ ସିଜନ ପୂର୍ବରୁ ଟିମକୁ ମଜଭୁତ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଓସିଏ । ଏହି ସମ୍ଭାବ୍ୟ ଦଳ ଅଭ୍ୟାସ ମ୍ୟାଚରେ ଛତିଶଗଡ଼କୁ ଭେଟିବ । ଓଡିଶା ଓ ଛତିଶଗଡ଼ ମଧ୍ୟରେ ମୋଟ ୫ଟି ମ୍ୟାଚ ଖେଳାଯିବ ଏବଂ ଓଡିଶାରେ ଖେଳାଯିବ ସମସ୍ତ ମ୍ୟାଚ । ଚୟନ ହୋଇ ଥିବା ଏହି ୨୦ ଜଣିଆ ଟିମରେ ୮ ଜଣ ୧୫ ବର୍ଷରୁ କମ ଖେଳାଳିଙ୍କୁ ସ୍ଥାନ ମିଳିଛି । ତେବେ ଏହି ମ୍ୟାଚରୁ ୧୫ ଜଣିଆ ଟିମ ଚୟନ କରାଯାଇ ଆସନ୍ତା ଅକ୍ଟୋବର ୫ରେ ଆସାମରେ ଖେଳାଯିବାକୁ ଥିବା ୧୯ ବର୍ଷ ରୁ କମ ଘରୋଇ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଚୟନ କରାଯିବ ବୋଲି କହିଛନ୍ତି କୋଚ୍ ।
ଯାଜପୁରରେ 5T ସଚିବଙ୍କ ମାରାଥନ ସମୀକ୍ଷା
ଯାଜପୁର: ବିକାଶର ପଥରେ ଆଉପାଦେ ଆଗେଇବ ଯାଜପୁର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ । ରାଜ୍ୟ ସରକାର ମାଆଙ୍କୁ ଦେଉଥିବା ସୁବିଧା ସୁଯୋଗ ସମ୍ପର୍କରେ 5T ସଚିବ ଅବଗତ କରିଥିଲେ । ଯାଜପୁର ଜିଲ୍ଲାର ସମସ୍ତ ଯୁକ୍ତଦୁଇ ଓ ଡିଗ୍ରୀ କଲେଜ 5T ଉପକ୍ରମରେ ରୂପାନ୍ତିରତ ହେବ । ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ଖୁସି ଖବର ଦେଇଛନ୍ତି ଭିକେ ପାଣ୍ଡିଆନ ।
ଭଲପାଇବା, ସ୍ନେହ, ଭରସା। ହଜାର ହଜାର ଲୋକଙ୍କ ଭିଡରେ କିଏ ବଢାଇ ଦେଉଥିଲା ଆଦରର ହାତ, ଆଉ କିଏ ମୁଣ୍ଡ ଉପରେ ହାତଥୋଇ ଅଜାଡ଼ି ଦେଉଥିଲା ଆଶୀର୍ବାଦ। ପୁଣି ଭରସାର ହାତରେ ରାକ୍ଷୀଟିଏ ବାନ୍ଧି ଭଲପାଇବା ବଖାଣୁଥିଲେ ମାଆ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ସମୀକ୍ଷା ଓ ଲୋକଙ୍କ ଅଭିଯୋଗ ଶୁଣିବା ସମୟରେ ମନ ଜିଣିନେଉଥିଲା 5T ସଚିବଙ୍କ ପ୍ରତି ମାଆଙ୍କ ମମତା। କୋରେଇରେ ମିଶନ ଶକ୍ତି ସଦସ୍ୟାଙ୍କୁ ଭେଟି ଆଲୋଚନା କରିଥିଲେ ଫାଇଭ-ଟି ସଚିବ । ଯାଜପୁର ଜିଲ୍ଲାରେ ମିଶନ ଶକ୍ତି ମାଆଙ୍କୁ ୫୪୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। କେବଳ ୨୦୨୦-୨୧ ବର୍ଷରେ ପ୍ରଦାନ କରାଯାଇଛି ୧୮୦ କୋଟି ଟଙ୍କା। ସ୍କୁଟି ପାଇଁ ୧୭୦୦ ଜଣ ଆବେଦନ କରିଥିବା ବେଳେ ବ୍ଳକ ଫେଡେରେସନଙ୍କୁ ଗାଡ଼ି ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର ଏମବିକେ ଓ ସିଆରପିଙ୍କ ଦରମା ବଢିବା ନେଇ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ । ଏହାଛଡ଼ା ମହିଳାଙ୍କୁ ରାଜ୍ୟ ସରକାର ଦେଉଥିବା ସବୁ ସୁବିଧା ସମ୍ପର୍କରେ ଅବଗତ କରିଥିଲେ ଫାଇଭ-ଟି ସଚିବ ।
ସବୁକ୍ଷେତ୍ରରେ ସଫଳତାର ଆକାଶ ଛୁଇଁବେ ଯାଜପୁରର ଛାତ୍ରଛାତ୍ରୀ। ସରକାରୀ କଲେଜରେ ମିଳିବ ବଡ଼ ବଡ଼ କଲେଜ ଭଳି ସୁବିଧା। ଜିଲ୍ଲାର ସମସ୍ତ କଲେଜକୁ 5T ଉପକ୍ରମରେ ରୂପାନ୍ତରିତ କରାଯିବ। ନୂଆବର୍ଷ ପୂର୍ବରୁ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । କଲେଜ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ଖୁସି ଖବର ଶୁଣାଇଛନ୍ତି 5T ସଚିବ । ନିଜ କଲେଜର ରୂପାନ୍ତରଣରେ ଶ୍ରମଦାନ କରିବାକୁ ଆହ୍ବାନ ଦେବା ସହିତ ରୂପାନ୍ତରିତ କଲେଜର ପୂର୍ବ ଓ ପର ଭିଡିଓ ଇନଷ୍ଟାରେ ସେୟାର କରିବାକୁ ପରାମର୍ଶ ଦେଇଛନ୍ତି। ଜୀବନରେ ପିଲାମାନେ କିପରି ସଫଳ ହେବେ ସେଥିପାଇଁ ଟିପ୍ସ ଦେଇଥିଲେ ଭିକେ ପାଣ୍ଡିଆନ ।
ଅନୁଗୁଳକୁ କେନ୍ଦ୍ରର ଅବହେଳା ଅଭିଯୋଗ
ଅନୁଗୁଳ: ଅନୁଗୁଳକୁ ଲଗାତାର ଅବହେଳା କରିଆସୁଛନ୍ତି କେନ୍ଦ୍ର ସରକାର । ଜିଲ୍ଲାରେ ଶୋଚନୀୟ ହୋଇପଡ଼ିଛି ଜାତୀୟ ରାଜପଥ । ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ସଂପ୍ରସାରଣ କାର୍ଯ୍ୟ ଦୀର୍ଘବର୍ଷ ଧରି ଚାଲିଥିଲେ ବି ସରିବାର ନାଁ ଧରୁନି । ତୁରନ୍ତ କାମ ସାରିବାକୁ ବାରମ୍ବାର ଦାବି ପରେ ବି ଦୃଷ୍ଟି ଦେଉନି କେନ୍ଦ୍ର । ଏହାଛଡ଼ା ଏମସିଏଲ ବିସ୍ଥାପନ ନେଇ ଟାଳଟୂଳ ନୀତି ଆପଣାଉଛି । ପ୍ରତିବାଦରେ ଆସନ୍ତା ୧ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଦୁଇ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରିବାକୁ ନିଷ୍ପତି ନେଇଛି ଦଳ । ଏନେଇ ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅଭିଯୋଗ ଅନୁସାରେ ଏମସିଏଲ ଅନୁଗୁଳ ଜିଲ୍ଲାର ଜମି ହରାଇଥିବା ଲୋକଙ୍କୁ ଯାତନା ଦେଇଆସୁଛି । ଥଇଥାନ ନେଇ କେନ୍ଦ୍ର ସରକାରଙ୍କର ରହିଥିବା ୨୦୦୬ କିମ୍ବା ୨୦୧୩ ପଲିସିକୁ ସମାଧାନ କରୁନାହାନ୍ତି । ଫଳରେ ୩୦ ବର୍ଷ ହେଲା ଲୋକ ବିସ୍ଥାପନ ପ୍ରକ୍ରିୟାରେ ରହିଥିବା ବେଳେ ଆଜି ଯାଏ ଥଇଥାନ ହୋଇପାରୁନାହାନ୍ତି । ଏମଏସିଏଲ ଲୋକଙ୍କ ପାଇଁ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟ କରୁନାହିଁ । ଏମସିଏଲ ଦ୍ବାରା ତାଳଚେରରେ ପ୍ରଦୂଷଣ ବୃଦ୍ଧି ସହିତ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରତିବାଦରେ ସେପ୍ଟେମ୍ବର ପହିଲାରେ ସକାଳ ୮ଟାରୁ ୧୦ଟା ଯାଏ ୫୫ ନମ୍ବର ରାଜପଥ ଅବରୋଧ କରି ଦଳ ବିକ୍ଷୋଭ କରିବ ।
ଚନ୍ଦ୍ରରେ ସଲଫର ସହ ରହିଛି ଏହିସବୁ ପଦାର୍ଥ
ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରରେ ସଲଫର୍ ସହିତ ଆହୁରି ଅନେକ ପଦାର୍ଥ ରହିଛି । ଏ ସଂପର୍କରେ ରୋଭର ପ୍ରଜ୍ଞାନ ଦେଇଥିବାବେଳେ ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ସଲଫର ସହିତ ଆଲୁମିନିୟମ, କ୍ୟାଲସିୟମ, ଫେରସ, କ୍ରୋମିୟମ, ଟିଟାନିୟମ, ମାଙ୍ଗାନିଜ, ସିଲିକନ ଓ ଅକ୍ସିଜେନର ସନ୍ଧାନ କରିଛି । ରୋଭର ପ୍ରଜ୍ଞାନରେ ଲାଗିଥିବା LIBS ନାମକ ଏକ ଯନ୍ତ୍ର ଏହା ସ୍ପଷ୍ଟ କରିଛି । ଚନ୍ଦ୍ରରେ ହାଇଡ୍ରୋଜେନ୍ ଅଛି ନା ନାହିଁ, ତାହା ଜାଣିବା ପାଇଁ ରୋଭର ପ୍ରଜ୍ଞାନ ସନ୍ଧାନ ଚଳାଇଛି । ଏହା ପୂର୍ବରୁ ରବିବାର ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ଗୋଟିଏ ନୂଆ ସୂଚନା ପଠାଇଥିଲା । ଚନ୍ଦ୍ରରେ ମାଟିର ତାପମାତ୍ରା ୧୦ରୁ ୫୦ ଡିଗ୍ରୀ ମଧ୍ୟରେ ରହିଛି । ଚନ୍ଦ୍ରରେ ଆଉ ଆଠ ଦିନ ସକ୍ରିୟ ରହିବ ଲ୍ୟାଣ୍ଡର ବିକ୍ରମ ।
ଋଷ-ୟୁକ୍ରେନ ଯୁଦ୍ଧ, ୭ ଦିନରେ ୫ହଜାର ଲୋକଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧର ସବୁଠୁ ବିନାଶକାରୀ ମୂହୁର୍ତ୍ତ । ୫୫୦ ଦିନ ହେଲା ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ । ଛାରଖାର ହୋଇଗଲାଣି ଉଭୟ ଦେଶ । ହଜାର ହଜାର ଲୋକଙ୍କ ମୃତ୍ୟୁର ବିଭୀଷିକା ଦେଖୁଛନ୍ତି ଦୁଇ ଦେଶ । ୭ ଦିନ ଯୁଦ୍ଧରେ ୟୁକ୍ରେନରେ ପ୍ରାଣ ହରାଇଲେଣି ୫ ହଜାର ଲୋକ । ଚରମସୀମାରେ ପହଞ୍ଚିଛି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ରାଗ । ଜଳ,ସ୍ଥଳ,ଆକାଶରୁ ୟୁକ୍ରେନ ଉପରେ ହେଉଛି ଘନ ଘନ ଆକ୍ରମଣ । ବଡ ବଡ ସହର,ଘରଦ୍ବାର ସହ ଜଳୁଛି ଅସ୍ତ୍ରାଗାର । କେବଳ ନର୍ଥ ଡୋନେସ୍କରେ ୧୪୯୦ ୟୁକ୍ରେନ ସୈନ୍ୟଙ୍କ ମୃତ୍ୟୁ । ଋଷ ଆକ୍ରମଣରେ ସାଉଥ ଡୋନେସ୍କର ପ୍ରାଣ ହରାଇଛନ୍ତି ୮୨୦ ଯବାନ । ଜେପୋରଜିଆରେ ହୋଇଛି ସବୁଠୁ ଅଧିକ ନରସଂହାର । ୧୧୮୦ ଯବାନଙ୍କର ମୃତ୍ୟୁ ସହ ବହୁ ସାଧାରଣ ଲୋକ ପ୍ରାଣ ହାରାଇଛନ୍ତି ।
ବର୍ଷାରେ ରେକର୍ଡ ଭାଙ୍ଗିଲା ଋଷିକେଷ
ନନ୍ଦିଘୋଷ ବ୍ୟୁରୋ: ବର୍ଷାରେ ଚେରାପୁଞ୍ଜିର ରେକର୍ଡ ଭାଙ୍ଗିଲା ଋଷିକେଶ, ୨୫ ଦିନରେ ବର୍ଷିଛି ୧,୯୦୧ମିଲିମିଟର । ଋଷିକେଶ ଅଗଷ୍ଟ ମାସରେ ଭାରତର ସବୁଠୁ ଅଧିକ ବର୍ଷାର ଅଞ୍ଚଳ ପାଲଟିଛି। ୧ରୁ ୨୫ ଅଗଷ୍ଟ ମଧ୍ୟରେ ମୋଟ ୧୯୦୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଉତ୍ତର କୋରିଆର ଜେଜୁ ନ୍ୟାସନାଲ ୟୁନିଭର୍ସିଟିର ଟାଇଫୁନ ରିସର୍ଚ୍ଚ ସେଣ୍ଟର ବୈଜ୍ଞାନିକ ବିନିତ କୁମାର ସିଂହ ଏହି ସୂଚନା ଦେଇଛନ୍ତି। ଜଳବାୟୁ ରିପୋର୍ଟ ପ୍ରକାଶିତ କରୁଥିବା ସାଇଟ୍ ‘ଡାଉନ ଟୁ ଆର୍ଥ’ ସିଂ ଙ୍କ ସୂତ୍ରରୁ ଉଲ୍ଲେଖ କରିଛି ଯେ ଋଷିକେଶ ଏହି କାଳରେ ଚେରାପୁଞ୍ଜି ଓ ମସିନରାମ ତୁଳନାରେ ଅଧିକ ସନ୍ତସନ୍ତିଆ ହୋଇଛ ଚେରାପୁଞ୍ଜିରେ ୧୮୭୬.୩ ମିଲିମିଟର ବର୍ଷା ହୋଇଛି। ସେହିପରି ମେଘାଳୟର ମସିନରାମରେ ୧୪୪୬ ମିଲିମିଟର ବର୍ଷା ହୋଇଛି ।
ଦେଶର ଏହି ଦୁଇଟି ସ୍ଥାନ ପୁଣି ଥରେ ଅଧିକ ବର୍ଷାର ଅଞ୍ଚଳ ହୋଇଯାଇଛି। କାରଣ ୩ ଦିନ ପୂର୍ବେ ଚେରାପୁଞ୍ଜିରେ ୩୩୨ ମିଲିମିଟର ବର୍ଷା ହୋଇଥି । ତେବେ ଅଗଷ୍ଟ ମାସର ଅଧିକାଂ ଦିନ ଋଷିକେଶରେ ବର୍ଷା ହୋଇଛି। ଏଣୁ ଦେଶର ସବୁଠୁ ବର୍ଷା ବହୁଳ ଅଞ୍ଚଳରେ ପରିଣତ ହୋଇଥିଲା ଋଷିକେଶ। ଋଷିକେଶ ନିମନ୍ତେ ବିପଦଜନକ ଥିଲା ଅଗଷ୍ଟମାସ । ମାସ ତମାମ ଗଙ୍ଗାନଦୀ ବିପଦ ସଂକେତ ଉପରେ ବହିଥିଲା । ଜନଜୀବନ ଗୁରୁଗୁରୁତର ପ୍ରଭାବିତ ହୋଇଥିଲା । ଅଗଷ୍ଟ ୯ ତାରିଖ ଦିନ କାନ୍ଥ ପଡି ଋଷିକେଶରେ ଜଣକର ମୃତ୍ୟୁ ହୋଇଥିଲା ।
କେବଳ ଋଷିକେଶ ନୁହେଁ ଏହି ସମୟରେ ମୌସୁମୀ ସୁ ର ଖରାପ ପ୍ରଭାବ ପୁରା ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଥିଲା । ସାଧାରଣତଃ ଅଗଷ୍ଟ ମାସରେ ମୌସୁମୀ ବର୍ଷା ହୋଇଥାଏ। ଏଥିରେ ଅଧିକାଂଶ ବର୍ଷା ଦେଶର ଉତ୍ତରାଞ୍ଚଳ, ଉତ୍ତର-ପଶ୍ଚିମ ଓ ମଧ୍ୟଭାରତରେ ହୋଇଥାଏ। ଏହି ବ୍ରେକ୍ ଫେଜରେ ହିମାଳୟ ପାଦଦେଶରେ ପ୍ରାୟତଃ ବର୍ଷା ହୋଇଥାଏ ଓ ତାହା ବି ଭୟାନକ ଭାବେ। କେବେ କେବେ ବାଦଲ ଫଟା ବର୍ଷା ବିପର୍ଯ୍ୟ ୟ ରଚିଥାଏ। ଚଳିତବର୍ଷ ମୌସୁମୀ ର ଏହି ବ୍ରେକ୍ ଫେଜ ୭ରୁ ୧୮ ଅଗଷ୍ଟ ପର୍ଯ୍ୟ ନ୍ତ ଥିଲା ଥି ।
ସାଧାରଣତଃ ଅଗଷ୍ଟ ମାସ ସାରା ଦେଶରେ ଶୁଷ୍କଶୁ ରହିଥାଏ। କାରଣ ଏହି ସମୟରେ ମୌସୁମୀ ବ୍ରେକ୍ ନେଇଥାଏ। ହେଲେ ଚଳିତବର୍ଷ ଏପରି ହୋଇ ନାହିଁ। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଚଳିତବର୍ଷ ଏହି ସମୟରେ ଅନେକଥର ଅଚାନକ ବନ୍ୟା ଆସିଛି ଓ ଏଥି ପାଇଁ ଭୂ-ସ୍ଖଳନ ହୋଇଛି। ଏଥିଯୋଗୁ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।
ଆୟୂଷ କମାଉଛି ପ୍ରଦୂଷଣ
ନୂଆଦିଲ୍ଲୀ: ଆୟୂଷ କମାଉଛି ପ୍ରଦୂଷଣ । ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢୁଥିବାରୁ ଦିଲ୍ଲୀବାସୀଙ୍କର ପ୍ରାୟ ୧୨ବର୍ଷ ଆୟୂଷ କମିଛି । ଭାରତୀୟଙ୍କ ଆୟୂଷ ପ୍ରାୟ ୫ବର୍ଷ କମିଛି । ୨୦୧୩ ପରଠାରୁ ବିଶ୍ବରେ ବାୟୂ ପ୍ରଦୂଷଣ ବୃଦ୍ଧି ପାଇଁ ଭାରତର ପ୍ରଦୂଷଣ ୫୯ ପ୍ରତିଶତ ଦାୟୀ । ବିଶ୍ବର ସବୁଠୁ ପ୍ରଦୂଷିତ ଦକ୍ଷିଣ ଏସୀୟ ଦେଶଗୁଡ଼ିକର ବାୟୂ ପ୍ରଦୂଷଣକୁ ନେଇ ଚିନ୍ତାଜନକ ରିପୋର୍ଟ ଦେଇଛି ୟୁନିଭର୍ସିଟି ଅଫ ଚିକାଗୋ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ବା EPIC । ମଙ୍ଗଳବାର ଏୟାର କ୍ବାଲିଟି ଲାଇଫ ଇଣ୍ଡେକ୍ସ ପ୍ରକାଶ ପାଇଛି । ଦକ୍ଷିଣ ଏସିଆର ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ସବୁଠୁ ଅଧିକ ପ୍ରଦୁଷିତ ରାଷ୍ଟ୍ର ବୋଲି ରିପୋର୍ଟରେ ଉଲ୍ଲେଖ କରିଛି EPIC । ବାଂଲାଦେଶ, ଭାରତ, ନେପାଳ, ପାକିସ୍ତାନର ବାୟୂ ପ୍ରଦୂଷଣକୁ ନେଇ ରିପୋର୍ଟ ଦେଇଛି ଚିକାଗୋ ବିଶ୍ବବିଦ୍ୟାଳୟ ।
ପୁଣି ଗିରଫ ହେଲେ ଇମ୍ରାନ ଖାନ୍
ଇସଲାମବାଦ: ଜାମିନ ପରେ ପୁଣି ଗିରଫ । ସିକ୍ରେଟ ଲେଟର ଚୋରି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନଙ୍କ ସଜା ଉପରେ ରୋକ ଲଗାଇଥିଲେ ହାଇକୋର୍ଟ । ମଙ୍ଗଳବାର ରାୟ ଆସିବା ପରେ ସିକ୍ରେଟ ଲେଟର ଚୋରି ମାମଲାରେ ଇମ୍ରାନଙ୍କୁ ପୁଣି ଗିରଫ କରାଯାଇଛି । ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ । ଅଫିସିଆଲ ସିକ୍ରେଟ ଆକ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ଏକ ଏକ ଗୁପ୍ତ କୂଟନୈତିକ କେବୁଲ (ସାଇଫର) ର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ ଖାନଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ତଳ କୋର୍ଟ । ଏହା ସହ ପାକିସ୍ତାନ ତେହରିକ-ଇ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନ 5 ବର୍ଷ ଯାଏ ନିର୍ବାଚନ ଲଢ଼ି ପାରିବେନାହିଁ ବୋଲି ପ୍ରତିବନ୍ଧକ ଲଗାଇଥିଲେ କୋର୍ଟ ।
ଖୁବଶୀଘ୍ର ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇବ ଜାମ୍ମୁ କାଶ୍ମୀର!
ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇବ ଜାମ୍ମୁ କାଶ୍ମୀର । ସ୍ଥିତି ଦେଖି ନିଷ୍ପତ୍ତି ନେବେ କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ ମାମଲାର ଶୁଣାଣିରେ କେନ୍ଦ୍ର ରଖିଲା ଉତ୍ତର । କେନ୍ଦ୍ର ଶାସିତ ଅଞ୍ଚଳ ରହିବ ଲଦାଖ । ଆସନ୍ତା ଗୁରୁବାର ବିସ୍ତୁତ ଉତ୍ତର ରଖିବେ କେନ୍ଦ୍ର ସରକାର । ୩୭୦ ଧାରା ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି କରୁଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଗଠିତ ବେଞ୍ଚ । ଜାମ୍ମୁକାଶ୍ମୀରରେ ଗଣତନ୍ତ୍ରର ସ୍ଥାପନା ପାଇଁ କେନ୍ଦ୍ର ସରକାର କେତେ ଗମ୍ଭୀର ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ କୋର୍ଟରେ ଉପସ୍ଥିତ ରହି ଉତ୍ତର ରଖିଥିଲେ । ୩୭୦ ଧାରା ଉଚ୍ଛେଦ ପରେ ୨୦୨୦ରେ ପ୍ରଥମ ଥର ପାଇଁ ସେଠାରେ ଡିଡିସି ବା ଜିଲ୍ଲା ଉନ୍ନୟନ ପରିଷଦର ନିର୍ବାଚନ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ମାନ୍ୟତା ଦେବା ପାଇଁ ଏକ ପ୍ରକାର ପ୍ରୟାସ ଆରମ୍ଭ ହୋଇଛି । ୨୦୧୯ ପରଠାରୁ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଅନେକ ସମୟରେ ହରତାଳ, ହଟ୍ଟଗୋଳ, ବିବାଦ ଜାରି ରହୁଥିବା ବେଳେ ଜାମ୍ମୁ କାଶ୍ମୀରରେ ଏବେ ସ୍ଥିତି ସାଧାରଣ ହୋଇଛି । କେନ୍ଦ୍ର ସରକାର ମଧ୍ୟ ଏଥିପ୍ରତି ଅବଗତ ଥିବା ସଲିସିଟର ଜେନେରାଲ କହିଛନ୍ତି । ଗତ ୧୨ ଦିନ ହେଲାଣି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।
ଜମ୍ମୁ କାଶ୍ମୀରରେ ବରିଷ୍ଠ ଅଧ୍ୟାପକ ଜହୁର ଅହମଦ ଭଟଙ୍କୁ ନିଲମ୍ବନ କରାଯିବାର କାରଣ ସଂପର୍କରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଜମ୍ମୁ କଶ୍ମୀରର ସ୍କୁଲ ଓ ଶିକ୍ଷା ବିଭାଗରେ ଭଟ୍ଟ ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ଧାରା ୩୭୦ ଉଚ୍ଛେଦ ମାମଲାରେ ସେ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଥିଲେ । ୫ ଜଣିଆ ସମ୍ବିଧାନ ପୀଠ ମାମଲାର ଶୁଣାଣି ଆରମ୍ଭ କରିବାକୁ ଯିବା ସମୟରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଭଟ୍ଟଙ୍କ ବଦଳି ବିଷୟ ଉଠାଇଥିଲେ । ସେ ଅଦାଲତରେ ଉପସ୍ଥିତ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ଏହା ଠିକ୍ ନୁହେଁ । ଗଣତନ୍ତ୍ରରେ ଏଭଳି ହେବା ଉଚିତ ନୁହେଁ ବୋଲି ଶିବଲ କହିଥିଲେ । ଭଟ ଅଗଷ୍ଟ ୨୩ରେ ସୁପ୍ରିମକୋର୍ଟରେ ହାଜର ହୋଇଥିବାବେଳେ ତାଙ୍କୁ ୨୫ ତାରିଖରେ ନିଲମ୍ବିତ କରାଯାଇଛି । ଏହି ପ୍ରସଙ୍ଗ ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ସେ ଏ ସଂପର୍କରେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି । ଆଗକୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଜାମ୍ମୁ କାଶ୍ମୀରରେ ପୂର୍ବରୁ ଲାଗୁ ହୋଇଥିବା ୩୫ଏ କୁ ନେଇ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଧାରା ୩୫ଏ ଉଠିବା ପରେ ଲୋକଙ୍କ ମୌଳିକ ଅଧିକାରୀ କ୍ଷୁର୍ଣ୍ଣ ହୋଇଥିଲା । ଏହି ଧାରା ସ୍ଥାୟୀ ବାସିନ୍ଦା ନିର୍ଧାରଣ କରିବାର ସଜ୍ଞା ବିଧାନସଭାକୁ ପ୍ରଦାନ କରିଥିଲା । ଏଥିନିମନ୍ତେ କଣ ପଦକ୍ଷେପ ନିଆଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । ଏହି ଧାରା ସ୍ଥାୟୀ ବାସିନ୍ଦାକୁ ସ୍ବତନ୍ତ୍ର ଅଧିକାର ଦେଉଥିବା ବେଳେ ଅନ୍ୟମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରୁଥିଲା ବୋଲି ସଲିସିଟର ଜେନେରାଲ କେନ୍ଦ୍ର ସମର୍ଥନରେ ଯୁକ୍ତି ବାଢିଥିଲେ । ୩୫ଏ ଧାରାରେ ମିଳୁଥିବା ସ୍ବତନ୍ତ୍ର ସୁବିଧାକୁ ନ୍ୟାୟିକ ସମୀକ୍ଷା କରାନଯାଇପାରିବାର ମଧ୍ୟ ବ୍ୟବସ୍ଥା ଥିଲା । କୃତ୍ରିମ ଭାବେ ସୃଷ୍ଟି କରାଯାଇଥିବା କିଛି ବର୍ଗର ଲୋକଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରି ରଖିଥିଲା । ଦଶନ୍ଧୀ ଦଶନ୍ଧୀ ଧରି ଏଭଳି ବ୍ୟବସ୍ଥା ଚାଲିଆସୁଥିଲା । ଯାହା ସାମ୍ବିଧାନିକ ଗଣତନ୍ତ୍ରରେ ଚିନ୍ତା ବି କରାଯାଇପାରିବ ନାହିଁ ।
ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ,ରାସନ କାର୍ଡରେ ନାଁ ନଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେବେନି ୫ରୁ ୧୮ ବର୍ଷର ପିଲା
ଭୁବନେଶ୍ବର: BSKY ଯୋଜନାରେ ଅନ୍ତର୍ଭୁକ୍ତ ପରିବାରର ଛୋଟ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ୫ରୁ ୧୮ ବର୍ଷର ପିଲାଙ୍କୁ ମିଳିବ ବଡ଼ ଫାଇଦା । ରାସନ କାର୍ଡରେ ନାଁ ନଥିଲେ ବି ସେମାନେ ଚିକିତ୍ସାରୁ ବଞ୍ଚିତ ହେବେନି । ଯେଉଁମାନଙ୍କ ନାଁ ଏନଏଫଏସଏ ବା ଏଫଏସଏସ ଡାଟା ବେସରେ ମଧ୍ୟ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସୁରୁଖୁରରେ ହୋଇପାରିବ । ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ ଅଭିଭାବକ । ଏନେଇ ବିଏସକେଓ୍ବାଇ ସହ ଜଡ଼ିତ ହୋଇଥିବା ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଗତ କିଛି ଦିନ ହେଲା ଏଭଳି ସମସ୍ୟା ଦେଖାଦେଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା । ପିଲାଙ୍କ ନାମ ରାସନ କାର୍ଡରେ ପଞ୍ଜିକୃତ ହୋଇନଥିବାରୁ BSKYରେ ଚିକିତ୍ସା ମିଳିପାରୁନଥିଲା ।
ଏବେ କୌଣସି ସମସ୍ୟା ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି । ୨୦୧୮ ଅଗଷ୍ଟ ୧୫ ତାରିଖରେ ଆରମ୍ଭ କଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ । ମହିଳାଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା । ବିଏସ୍କେଓ୍ବାଇ ପ୍ରଚଳନ ପରଠୁ ଗରିବଙ୍କୁ ଚିକିତ୍ସା ଖର୍ଚ୍ଚ ବାବଦରେ ଟଙ୍କାଟିଏ ଦେବାକୁ ପଡ଼ୁନି । ଫଳରେ ସେମାନଙ୍କ ଆୟ ସଞ୍ଚୟ ହେଉଛି ।
ଅନୁରୂପ ଭାବେ ସରକାରୀ ଡାକ୍ତରଖାନାରେ ସବୁ ବର୍ଗର ଲୋକଙ୍କ ପାଇଁ ମାଗଣା ନମୁନା ପରୀକ୍ଷା, ଔଷଧ ପ୍ରଦାନର ବ୍ୟବସ୍ଥା କରାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ପ୍ରଚଳନ କରି ମୁଖ୍ୟମନ୍ତ୍ରୀ ଗରିବଙ୍କ ଚିକିତ୍ସାରେ ଯେପରି ସମୟ ଓ ଅର୍ଥ ବାଧକ ନ ସାଜିବ, ତାକୁ ସୁନିଶ୍ଚିତ କରିଛନ୍ତି । ଏବେ ରାଜ୍ୟର ୯୯ ଲକ୍ଷ ୯ ହଜାର ପରିବାରର ୩ କୋଟି ୫୬ ଲକ୍ଷ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିଛି ବିଏସ୍କେଓ୍ବାଇ ସ୍ମାର୍ଟ୍ କାର୍ଡ଼ ।

