ଭଦ୍ରକ: ବଢ଼ୁଛି ବୈତରଣୀ ଜଳସ୍ତର । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ସକାଳ 7ଟା ସୁଦ୍ଧା ଆଖୁଆପଦାରେ ବିପଦ ସଂକେତ ଉପରେ ଅର୍ଥାତ ୧୭.୮୮ ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ । ଜଳସ୍ତର ବଢୁଥିବାରୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି ।
“ମାନବ ଚାଲାଣରେ ଉଦୀୟମାନ ଧାରା” ବିଷୟବସ୍ତୁକୁ ନେଇ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର: ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୨୦୨୧ ମସିହାରେ ମାନବ ଚାଲଣର ୧୪୭୫ ମାମଲା ରୁଜୁ ହୋଇଥିଲା । ଏଥିରେ ୭୩୫ ଜଣ ମହିଳା ଥିବାବେଳେ ଏବଂ ଏଥିମଧ୍ୟରେ ୧୮ ବର୍ଷରୁ କମ୍ ବୟସର ବାଳିକା ୪୯୭ ଜଣ ଥିଲେ । ରାଜ୍ୟ ମାନବ ଆୟୋଗର ଅଧ୍ୟକ୍ଷ ମିନତି ବେହେରା “ମାନବ ଚାଲାଣରେ ଉଦୀୟମାନ ଧାରା” ଉପରେ ଏକ କର୍ମଶାଳାରେ ଯୋଗ ଦେଇ କହିଛନ୍ତି ଯେ ଯୁବପିଢିଙ୍କ ମଧ୍ୟରେ ଫେରାର ମାମଲା ବିଶେଷ ଭାବରେ COVID ପରେ ବେଶୀ ବଢିଯାଇଛି। ଆୟୋଗ ସମସ୍ତ ଜିଲ୍ଲାରେ କର୍ମଶାଳା ଆୟୋଜନ କରି ମାନବ ଚାଲାଣର ଦୁର୍ବଳତା ବିଷୟରେ ଯୁବପିଢିଙ୍କୁ ସଚେତନ କରିବା ପାଇଁ କଲେଜ ସ୍ତରୀୟ କର୍ମଶାଳା ମଧ୍ୟ କରାଯିବ।
“ମୋବାଇଲ୍ ଫୋନ୍ ବ୍ୟବହାର 14 ବର୍ଷରୁ କମ୍ ବୟସ୍କଙ୍କୁ ଅପରାଧରେ ଅସୁରକ୍ଷିତ କରିଦେଇଛି। ଯୁବପିଢି ପ୍ରଥମେ ସମ୍ପର୍କ ରଖି ପରବର୍ତ୍ତୀ ସମୟରେ ଏହାର ପରିଣାମ ବିଷୟରେ ଚିନ୍ତା ନକରି ଘରୁ ଫେରାର ହୋଇଯାଉଛନ୍ତି । କିଛି ମାସ ଏକାଠି ରହିବା ପରେ ସେମାନେ ଅଲଗା ହୁଅନ୍ତି। ଏହି ଝିଅମାନେ ବେଶୀ ମାନବ ଚାଲାଣକାରୀଙ୍କ ପାଇଁ ସହଜରେ ଟାର୍ଗେଟ ହୁଅନ୍ତି । ADGP CID କ୍ରାଇମ ଶାଖା ଅରୁଣ ବୋଥ୍ରା ମାନବ ଚାଲାଣକୁ ଏକ ଜଟିଳ ସମସ୍ୟା ବୋଲି ବର୍ଣ୍ଣନା କରିଛନ୍ତି । ସମସ୍ତ ଜିଲ୍ଲାରେ ସମନ୍ୱିତ ମାନବ ଚାଲାଣ ବିରୋଧୀ ୟୁନିଟ୍ ତଥା ପୋଲିସ୍ ଷ୍ଟେସନରେ ମହିଳା ଏବଂ ଶିଶୁ ଡେସ୍କ ମାଧ୍ୟମରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ସେ ଆଲୋକପାତ କରିଛନ୍ତି।
ଗତ ବର୍ଷ ମାନବଚାଲାଣକାରୀଙ୍କୁ ରୋକିବାରେ ପୋଲିସର ଭୂମିକା ଉପରେ ଏଡ୍ ଏଟ୍ ଆକ୍ସନ୍ ଡାଇରେକ୍ଟର, ସ୍ଥାନାନ୍ତରଣ ଏବଂ ଶିକ୍ଷା ନିର୍ଦ୍ଦେଶକ ଉମି ଡାନିଏଲ ଆଲୋକପାତ କରିଥିଲେ। ଗତ ଦୁଇ ମାସ ମଧ୍ୟରେ ୧୬ ଶିଶୁ ମାନବ ଚାଲାଣର ଶିକାର ହୋଇଥିବା ମାମଲା ପଞ୍ଜିକୃତ ହୋଇଥିଲା । ଗଣମାଧ୍ୟମରେ ଓଡିଶା ମହିଳାମାନଙ୍କ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର 50 ରୁ ଅଧିକ ମିଡିଆ ପ୍ରଫେସନାଲ ଯୋଗ ଦେଇଥିଲେ । ଓଡିଶାରେ ମାନବ ଚାଲାଣ ତଥା ଚୁକ୍ତିଭିତ୍ତିକ ଶ୍ରମିକ ଉପରେ ସେମାନଙ୍କର ଜ୍ଞାନ ଏବଂ ବୁଝାମଣା ବୃଦ୍ଧି କରିବା ସହ କ୍ରାଇମ ରିପୋର୍ଟିଂ ପ୍ରତି ସେମାନଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।
ଦୁଇ ଦିନିଆ ପୁରୀ ଗସ୍ତରେ ଯାଇ ଗ୍ରାଉଣ୍ଡରେ ବିକାଶ କାର୍ଯ୍ୟରେ ସମୀକ୍ଷା କରିଛନ୍ତି 5T ସଚିବ
ପୁରୀ: ପିପିଲିରେ ଚମକିବ ଚାନ୍ଦୁଆ ଶିଳ୍ପ । ସପ୍ତାହେ ଭିତରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ରୂପାନ୍ତରଣ ପାଇଁ ଗ୍ରାଉଣ୍ଡରେ ଅନୁଧ୍ୟାନ କରି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ପିପିଲି ଚାନ୍ଦୁଆ ଓଡ଼ିଶା କଳାର ପରିଚୟ । ଏହାର ବିକାଶ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପିପିଲି ଇନ୍ଦିରା ଗାନ୍ଧୀ ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ପାଣ୍ଡିଆନ୍। ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି । ଏହି ସମୟରେ ଫାଇଭ-ଟି ସଚିବଙ୍କୁ ରାକ୍ଷୀ ପିନ୍ଧାଇଥିଲେ ମହିଳା । ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ସହ ଆସନ୍ତା ୭ଦିନ ଭିତରେ ଧର୍ମାନୁଷ୍ଠାନ ସମ୍ପର୍କିତ ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଦିନେ ଦୁଇଦିନ ମଧ୍ୟରେ ପିଇବା ପାଣି ସମସ୍ୟାର ସମାଧାନ କରାଯିବ । ଏହି ଅବସରରେ ମିଶନ ଶକ୍ତି ମାଆଙ୍କୁ ପ୍ରଶଂସା କରିଥିଲେ ଭିକେ ପାଣ୍ଡିଆନ । ସେହିଭଳି ବ୍ରହ୍ମଗିରି ବ୍ଲକ୍ କେରାଣ୍ଡିଆ ପଡ଼ିଆରେ ଆୟୋଜିତ ଜନଶୁଣାଣିରେ ଲୋକଙ୍କ ଦୁଃଖ ବୁଝିଲେ ଫାଇଭ-ଟି ସଚିବ । ଜନଶୁଣାଣିରେ ନିର୍ବାଚନମଣ୍ଡଳୀର ୧୦ ହଜାରରୁ ଅଧିକ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ଯୋଗଦେଇଥିଲେ । ମା’ମାନଙ୍କଠାରୁ ଆଶୀର୍ବାଦ ନେଇ ଅଭିଯୋଗପତ୍ର ଗ୍ରହଣ କରିଥିଲେ । ୭ ଦିନ ଭିତରେ ସବୁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ।
ସ୍ବଚ୍ଛତାର ସହ ପ୍ରଥମ ପର୍ଯ୍ୟାୟ ଟଙ୍କା ଖର୍ଚ୍ଚ କଲେ ଆହୁରି ଅନୁଦାନ ଦିଆଯିବ ବୋଲି କହିବା ସହ ପାନୀୟ ଜଳ ସମସ୍ୟା କାଲି ସୁଦ୍ଧା ସମାଧାନ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରାସଦ ବ୍ଲକ ପରିଦର୍ଶନ କରିଥିଲେ ଫାଇଭ-ଟି ସଚିବ । ସେଠାରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ କମଳେଶ୍ବର ମହାଦେବ ମନ୍ଦିରରେ ପହଞ୍ଚି ଆଶିର୍ବାଦ ନେବା ସହ ମନ୍ଦିରର ଉନ୍ନତି ପାଇଁ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ପରେ ଜନଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବ୍ଲକରେ ପାନୀୟ ଜଳ ଯୋଗାଣ ପାଇଁ 2ଶହ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।
ଏହି ପାନୀୟ ଜଳ ପ୍ରକଳ୍ପ ଡିସେମ୍ବର ମାସ ସୁଦ୍ଧା କରାଯିବ । ପୁରୀକୁ ସଂଯୋଗ କରିବା ଲାଗି ଚିଲିକା ହ୍ରଦରେ ସେତୁ ନିର୍ମାଣ ପାଇଁ ପରିବେଶ ମଞ୍ଜୁରୀ ମିଳିଲେ ଖୁବଶୀଘ୍ର କାମ ଆରମ୍ଭ କରାଯିବ ବୋଲି 5ଟି ସଚିବ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ପୁରୀ ଭୂଦାନ ପଡିଆରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି 5T ସଚିବ । ଲୋକଙ୍କ ପାଖକୁ ଯାଇ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଚାଷୀ ମାନଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ । ଜମି ସମସ୍ୟା ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବି ବୋଲି ପାଣ୍ଡିଆନ କହିଛନ୍ତି । ଆସନ୍ତା ସାତ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ।
ପିଇବା ପାଣି ସମସ୍ୟା ତୁରନ୍ତ ସମାଧାନ ହେବ । କାଲି ସକାଳେ ଯନ୍ତ୍ରୀ ଲୋକଙ୍କ ଘରକୁ ଯିବେ । ଆଜି ଠାରୁ ପୁରୀ ଜିଲ୍ଲାର ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ଫାଇଭ-ଟିରେ ସାମିଲ କଲେ ମୁଖ୍ୟମନ୍ତ୍ରୀ । ପୁରୀର ବିକାଶ କାମ ମୁଖ୍ୟମନ୍ତ୍ରୀ ନିଜ ହାତକୁ ନେଇଛନ୍ତି । ଯାହା 500 ବର୍ଷରେ ହୋଇ ନଥିଲା, ତାହା ଆଉ ହଜାରେ ବର୍ଷ ଯାଏ କରିବାକୁ ପଡିବ ନାହିଁ ବୋଲି ପାଣ୍ଡିଆନ୍କହିଛନ୍ତି । ସମସ୍ୟା ବୁଝିବା ପାଇଁ ଲୋକଙ୍କ ପାଖକୁ ସିଏମଓକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଯୋଗୁଁ ସମସ୍ୟାର ସମାଧାନ ତୁରନ୍ତ ହେବା ସହ ତୃଣମୂଳସ୍ତରରେ ସରକାରୀ ଯୋଜନା ପହଞ୍ଚି ପାରୁଛି ।
ମହଙ୍ଗା ମାଡ଼ରେ ବେହାଲ ଖାଉଟି, ପୁଣି ବଢ଼ିଲା ଡାଲି ଦର
ନନ୍ଦିଘୋଷ ବ୍ୟୁରୋ: ଚାଉଳ ମହଙ୍ଗା, ଗହମ ମହଙ୍ଗା, ଜିରା ମହଙ୍ଗା, ପିଆଜ ମହଙ୍ଗା । ପେଟ୍ରୋଲ ଡିଜେଲ କଥା ନକହିଲେ ଭଲ। ମହଙ୍ଗା ମାଡ଼ରେ ବେହାଲ ଖାଉଟି। ଆଉ ଏବେ ପୁଣି ବଢିଲା ଡାଲି ଦର। ୧୩୦ଟଙ୍କାରେ ବିକ୍ରି ହେଉଥିବା ଡାଲି ଏବେ ୧୪୫ ଟଙ୍କା। ସେହିପରି ୧୪୫ ଟଙ୍କାରେ ମିଳୁଥିବା ଡାଲିର ଭେରାଇଟି ଏବେ ମିଳୁଛି ୧୫୫ ଟଙ୍କାରେ। କିଲୋ ପ୍ରତି ବଢିଛି ୧୫ଟଙ୍କା। ଖାଉଟି କଣ କିଣିବ, କେମିତି ଚଳିବ ଜାଣିପାରୁନି । ବେପାରୀ ବି ମୁଣ୍ଡରେ ହାତ ଦେଲେଣି। କେନ୍ଦ୍ର ସରକାରଙ୍କ ବେଫିକର ନୀତି ଆଉ ସହି ହେଉନି। ଖୋଦ୍ ବ୍ୟବସାୟୀ ମହାସଂଘ ବି ତାଜୁବ।
୮ଦିନ ତଳେ ଡାଲିର ୩୦କେଜିଆ ପ୍ୟାକେଟ୍ ଦର ଥିଲା ୪ ହଜାର୧୪୩ ଟଙ୍କା । ଏବେ ହେଲାଣି ୪ହଜାର ୧୫୩ ଟଙ୍କା । ଏହା କେନ୍ଦ୍ର ସରକାରଙ୍କ ଆଚ୍ଛେଦିନର ପ୍ରଭାବ ବୋଲି କଂଗ୍ରେସ କହିଛି। ରାଜ୍ୟ ସରକାର ଗରିବଙ୍କ ମୁଣ୍ଡ ପିଛା ଆୟ ଦେଢ଼ ଲକ୍ଷ ଟଙ୍କା କଲେଣି। ୨୦୩୦ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତିରେ ରହିଛି ଓଡ଼ିଶା । ୨୦୩୦ ସୁଦ୍ଧା ଲୋକଙ୍କ ଆୟ ଦୁଇଗୁଣରୁ ଅଧିକ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।
କିନ୍ତୁ ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ଯେପରି ବିଫଳ ହୋଇଛନ୍ତି ତାହା ରାଜ୍ୟ ସରକାରଙ୍କ ବିକାଶ ଲକ୍ଷ୍ୟକୁ ବାଟବଣା କରିବ ବୋଲି ଅଭିଯୋଗ ହୋଇଛି । ସବୁ ବର୍ଗର ଲୋକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଓ ମହିଳାଙ୍କ ପାଇଁ ମାଳ ମାଳ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀତି ଆୟୋଗ ରିପୋର୍ଟରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ଦାରିଦ୍ର୍ୟମୁକ୍ତ ହେଉଛି । କିନ୍ତୁ ଦରଦାମ ବୃଦ୍ଧି ଅନୁଶୀଳନରୁ ଜଣାପଡୁଛି କେନ୍ଦ୍ର ସରକାର ଚାହୁଁନାହାନ୍ତି, ସାଧାରଣ ଗରିବ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠନ୍ତୁ।

